ମେଘନା ସାହୁଙ୍କ ଜୀବନୀକୁ ନେଇ ପ୍ରସ୍ତୁତ ହୋଇଛି ଓଡ଼ିଆ ଫିଲ୍ମ -ଟି । ଟ୍ରାନ୍ସଜେଣ୍ଡର କମ୍ୟୁନିଟିର ମେଘନାଙ୍କ ସଂଘର୍ଷର କାହାଣୀ ତାଙ୍କର ଜନ୍ମରୁ ଆରମ୍ଭ କରି ତାଙ୍କ ବୈବାହିକ ଜୀବନ ଯାଏଁ ଲମ୍ବିନି ବରଂ ତାଙ୍କ ସମ୍ପ୍ରଦାୟର ଲୋକଙ୍କ ସ୍ୱର ହେବାର ପରିଧିକୁ ବି ପାର କରିଛି । ନିକଟରେ ତାଙ୍କ ଜୀବନ କାହାଣୀକୁ ନେଇ ଏକ ଚଳଚ୍ଚିତ୍ର ଟି ‘ଦ ଷ୍ଟୋରୀ ଅଫ୍ ଆଓାରସ୍’ (ଆମମାନଙ୍କ କାହାଣୀ) ରିଲିଜ୍ ହୋଇଥିବା ବେଳେ ତାଙ୍କୁ ସବୁ ମହଲରୁ ପ୍ରଶଂସା ମିଳିଛି । ୭୫ତମ କାନସ ଫିଲ୍ମ ଫେଷ୍ଟିଭାଲରେ ଫିଲ୍ମର ପୋଷ୍ଟର ରିଲିଜ ସମୟରେ ଉପସ୍ଥିତ ଦର୍ଶକ ଏହାକୁ ବେଶ ପସନ୍ଦ କରିଥିଲେ । ଫିଲ୍ମର ନିର୍ଦ୍ଦେଶକ ଜିତେଶ କୁମାର ପରିଡା ଜଣେ କିନ୍ନରଙ୍କ ସଂଘର୍ଷମୟ ଜୀବନର କାହାଣୀ ଭିତରେ ତାଙ୍କ ବିବାହ ଓ ଦେଶର ପ୍ରଥମ ଟ୍ରାନସଜେଣ୍ଡର କ୍ୟାବ ଡ୍ରାଇଭର ଭାବେ କାମ କରିବା ଏ ସବୁକୁ ପରଦାରେ ଜୀବନ୍ତ କରିବାକୁ ଚେଷ୍ଟା କରିଛନ୍ତି । ଏହି ଫିଲ୍ଟ ଖୁବଶିଘ୍ର ବଡ ପରଦା ଓ ଓଟିଟି ପ୍ଲାଟଫର୍ମରେ ରିଲିଜ ହେବାକୁ ଯାଉଛି । ମେଘନାଙ୍କ ସହ ଷ୍ଟୋରିଜ ଓଡ଼ିଶା ତରଫରୁ ସାକ୍ଷାତ କରିଥିଲେ ପ୍ରତିଭା ଘୋଷ ।
ଭୁବନେଶ୍ୱର ;
ଆପଣଙ୍କ କାହାଣୀ ଏବେ ଫିଲ୍ମରେ । ଯାହା ଆନ୍ତର୍ଜାତୀୟ ପ୍ଲାଟଫର୍ମରେ ରିଲିଜ୍ ହୋଇଛି । ଏ ପୁରା ଅନୁଭୂତି ଆମକୁ କୁହନ୍ତୁ?
ଉ: ମୁଁ ବହୁତ ଖୁସି ଅଛି । କାରଣ ମୋ କାହାଣୀକୁ ଏବେ ସାରା ପୃଥିବୀର ଲୋକେ ଦେଖିବେ । ମୋ ଜୀବନକୁ ମୁଁ ଜିଇଁଛି । ହେଲେ ଏହା ଯେତେବେଳେ ଚଳଚ୍ଚିତ୍ରରେ ପ୍ରଦର୍ଶିତ ହେଉଛି ସେତେବେଳେ ଏହି କାହାଣୀକୁ ପ୍ରତିଟି ଲୋକ ଅଳ୍ପ ସମୟ ହେଉ ପଛେ ଜିଇଁବେ । ଯାହା ମୋ ପାଇଁ ବଡ କଥା । କାହାଣୀରେ ମୋର ଅତୀତର ପ୍ରତିଟି ସଂଘର୍ଷକୁ ଅତି ନିଖୁଣ ଭାବେ ପ୍ରତିପାଦିତ କରିବାର ପ୍ରୟାସ କରାଯାଇଛି । ଚଳଚ୍ଚିତ୍ର ମାଧ୍ୟମରେ ମୋର କଷ୍ଟପୂର୍ଣ୍ଣ ସଂଘର୍ଷମୟ ଜୀବନ କେବଳ ଚଳଚ୍ଚିତ୍ର ମାଧ୍ୟମରେ ଲିପିବଦ୍ଧ ହେବନି; ବରଂ ଏହା ପର ପିଢ଼ି ତଥା ଆମ ସମ୍ପ୍ରଦାୟର ଲୋକଙ୍କ ପାଇଁ ପ୍ରେରଣାଦାୟକ ହେବ ବୋଲି ମୋର ବିଶ୍ୱାସ ।
ଫିଲ୍ମ ରିଲିଜ୍ ହେବା ପୂର୍ବରୁ ଆପଣ ନିଶ୍ଚୟ ଦେଖିଥିବେ? ପରଦା ଉପରେ ନିଜ ଚରିତ୍ରକୁ ଦେଖିବାର ଅନୁଭୂତି କେମିତି ଥିଲା?
ଉ : ଚଳଚ୍ଚିତ୍ରଟି ଦେଖିବା ବେଳେ ମୋ ଆଖି ଲୁହରେ ଭିଜି ଯାଇଥିଲା । କାରଣ ଦୀର୍ଘ ବର୍ଷ ହେବ ମୁଁ ପରଦା ପକାଇ ଦେଇଥିବା ମୋ ଅତୀତର ପୃଷ୍ଠାକୁ ମୁଁ ପୁଣିଥରେ ଖୋଲିଥିଲି । ଏହି ଅନୁଭୂତି କେବଳ ଜଣେ ଅନୁଭବୀ ହିଁ ବୁଝିପାରିବ । ଚଳଚ୍ଚିତ୍ରର ପ୍ରତିଟି ବିଷୟ ମୋତେ ମୋର ଭୁଲି ଯାଇଥିବା ଅତୀତକୁ ଆଣି ହଠାତ ମୋ ଆଖି ଆଗରେ ଛିଡା କରାଇ ଦେଉଥିଲା । ଢ଼େର ସମୟ ଯାଏଁ ଏକ ଅଜଣା ଭୟରେ ମୁଁ ଶିହିରି ଉଠିଥିଲି । ଘଟଣାସବୁର ପୁନରାବୃତି ନ ହେଉ ବୋଲି ଭାବୁଥିଲି । ଏତେ ସବୁ ପରେ ବି ଏକ ଅସୁରକ୍ଷିତ ଭାବ ମୋତେ ଭିତରୁ ଘାରି ଦେଉଥିଲା । ସେସବୁ ସଂଘର୍ଷକୁ ପାରି କରି ନୂଆ ଜୀବନ ଜିଇଁବାର ସ୍ୱପ୍ନ ଦେଖିବା ହିଁ ଥିଲା କଷ୍ଟ; ହେଲେ ତାପରେ ସବୁ ଆପେ ଆପେ ସହଜ ହୋଇଯାଇଥିଲା ।
ଫିଲ୍ମ ଆରମ୍ଭ ହେବା ପୂର୍ବରୁ ଯେବେ ଏହାର ନିର୍ଦ୍ଦେଶକ ଆପଣଙ୍କୁ ପ୍ରଥମେ ଭେଟି ଚଳଚ୍ଚିତ୍ର ବାବଦରେ କହିଲେ ଆଉ ଆପଣ ହଁ ଭରିଲେ । ଏହି ସମୟ ଭିତରେ ଆପଣଙ୍କ ମନରେ କ’ଣ ସବୁ ପ୍ରତିକ୍ରିୟା ଆସିଥିଲା?
ଉ: ପ୍ରଥମେ ଅବିଶ୍ୱାସ ହେଲା । ମନରେ ଦ୍ୱନ୍ଦ ବି ଆସିଲା । ସତରେ ଚଳଚ୍ଚିତ୍ର ହେବ କି ନା କେହି ମୋର ଅସ୍ୱାଭାବିକତା ପାଇଁ ଥଟ୍ଟା କରୁଛି ସେମିତି ଅନେକ ଅବାନ୍ତର କଥା ବି ମୋତେ ଭାରାକ୍ରାନ୍ତ କରିଥିଲା । ପରେ ଧୌର୍ଯ୍ୟ ଗୋଟେଇ ମୁଁ ମୋର ଅନେକ ହିତାକାଂକ୍ଷୀଙ୍କୁ ଏ ବିଷୟରେ ପଚାରିଲି । ସେମାନଙ୍କଠାରୁ ଆବଶ୍ୟକତା ସ୍ଥଳେ ପରାମର୍ଶ ଲୋଡିଲି । ଶେଷରେ ସମାଜର ନଜରିଆ ବଦଳିବା ଦରକାର ବୋଲି ସ୍ଥିର କରି ମନ ପରିବର୍ତନ କଲି । ଭାବିଲି ଯଦି ଏହି ଚଳଚ୍ଚିତ୍ର ଜରିଆରେ ସଚେତନତା ସୃଷ୍ଟି କରାଯାଇ ପାରିବ ତେବେ ମୁଁ ଚଳଚ୍ଚିତ୍ରଟି ନିଶ୍ଚିତ କରିବି ।
ମନରେ କେବେ କିଛି ଭୟ ଆସିଥିଲା କି ? ଯେମିତି କି ସମାଜ ଏହାକୁ କେମିତି ଗ୍ରହଣ କରିବ? ବିଶେଷ କରି ଚଳଚ୍ଚିତ୍ରଟି ପର୍ଦ୍ଦାକୁ ଆସିବା ପରେ ଆପଣଙ୍କ ପରିବାର ଲୋକେ ଏହାକୁ କେମିତି ଗ୍ରହଣ କରିବେ?
ଉ: ହଁ ଭୟ ତ ନିଶ୍ଚିତ ଭାବେ ଆସିଥିଲା । ହେଲେ ମୋର ଟି-କମ୍ୟୁନିଟିର ପ୍ରତିଟି ସଦସ୍ୟଙ୍କ ଅଧିକାରକୁ ସୁରକ୍ଷିତ କରିବା ପାଇଁ ଓ ସେମାନଙ୍କୁ ସୁରକ୍ଷା ଦେବା ପାଇଁ ମୁଁ ମୋ ମନକୁ ଦୃଢ଼ କରି ଏହି ନିଷ୍ପତି ନେଲି । ବାକି ରହିଲା ପରିବାର କଥା । ମୁଁ କାହାରି ସମ୍ମାନର ମାପକାଠି ନୁହେଁ । ମୋ ଶରୀରର ଭିନ୍ନ ଆଚରଣ, ଯାହାକୁକି ଜଣେ ଅସ୍ୱାଭାବିକତାର ଆଖ୍ୟା ଦିଏ ତାହା ପଛରେ ଅନେକ ବୈଜ୍ଞାନିକ କାରଣ ଅଛି । ଯିଏ ଏକଥା ବୁଝିଛି ସେ କେବେ ହେଲେ ଏହାକୁ ବିରୋଧ କରିବ ନାହିଁ । ସେ ପରିବାର ହେଉ କି ସାଙ୍ଗସାଥୀ । ବାକି ସମସ୍ତେ ତ ଥଟ୍ଟା କରିବା କଥା କରିବେ । ତେଣୁ ମୁଁ କେବେ ଏସବୁକୁ ଭ୍ରୁକ୍ଷେପ କରିନି ।
ଏହି ଚଳଚ୍ଚିତ୍ର ତୃତୀୟ ଲିଙ୍ଗଙ୍କ ପ୍ରତି ଲୋକଙ୍କ ଦୃଷ୍ଟି କୋଣକୁ ବଦଳାଇବାରେ ଚେଷ୍ଟା କରିବ ବୋଲି ଆପଣ ଭାବୁଛନ୍ତି କି?
ଉ: ହଁ ନିଶ୍ଚୟ ସମାଜ ଉପରେ ଏହାର ସକାରାତ୍ମକ ପ୍ରଭାବ ପଡିବ । ଅନେକାଂଶରେ ଲୋକଙ୍କର ଓ ପରିବାରର ଦୃଷ୍ଟିଭଙ୍ଗୀ ବଦଳିବାରେ ବି ଏହା ସହୟକ ହେବ । ପୂର୍ବରୁ ଲୋକେ ଆମକୁ ଯେଭଳି ନିଚ୍ଚ ଭାବେ ଦେଖୁଥିଲେ ଏବେ ସେସବୁରେ ଅନେକ ନ ହେଲେ ବି ଅଳ୍ପ ବହୁତେ ପରିବର୍ତନ ହୋଇଛି । ପରିବର୍ତନ ଆରମ୍ଭ ହୋଇଛି ଯେତେବେଳେ ଏହା ନିଶ୍ଚିତ ଭାବେ ଆଗକୁ ତା’ର ଲକ୍ଷ୍ୟ ଛୁଇଁବ ।
ତୃତୀୟ ଲିଙ୍ଗଙ୍କ ପ୍ରତି ଅନେକ କ୍ଷେତ୍ରରେ ଲୋକଙ୍କ ଦୃଷ୍ଟିଭଙ୍ଗୀ ବଦଳିଲାଣି । ତଥାପି ଆହୁରି କ’ଣ ଆଶା ରଖୁଛନ୍ତି?
ଉ: ମୋ ମତରେ କେବଳ ୫% ଲୋକଙ୍କ ଦୃଷ୍ଟିଭଙ୍ଗୀ ବଦଳିଛି । ସମାଜରେ ସମାନତା ଆଣିବା ପାଇଁ ସବୁ ବର୍ଗରୁ ଆହୁରି ଅନେକ କିଛି ପ୍ରୟାସ କରିବାକୁ ପଡିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଏବେ ଟ୍ରାନ୍ସଜେଣ୍ଡର ମାନଙ୍କ ପାଇଁ ନୂଆ ବିଲ୍ ବି ଆସିଲାଣି । ଆମକୁ ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ଅନେକ ପ୍ରତିକାରାତ୍ମକ ପଦକ୍ଷେପମାନ ଗ୍ରହଣ କରାଯିବା ପ୍ରୟାସ ବି ଆରମ୍ଭ ହେଲାଣି । ଆଗକୁ ନିଶ୍ଚିତ ଭାବେ ଏହା ଆହୁରି ଶୁଭଙ୍କର ହେବ । ଟ୍ରାନ୍ସଜେଣ୍ଡର ବୋଲି ଯେଉଁ ଭାବ ଗୋଟେ ଆଗରୁ ଥିଲା ତାହା ନିଶ୍ଚିତ ଭାବେ ପରିବର୍ତନ ହେବ।
ଡାକ୍ତରଖାନାରେ ତୃତୀୟ ଲିଙ୍ଗଙ୍କ ପାଇଁ ସ୍ୱତନ୍ତ୍ର ୱାର୍ଡ ପବ୍ଲିକ୍ ଟଏଲଟ, ଥାନାରେ ସ୍ୱତନ୍ତ୍ର ଡେସ୍କ ଭଳି ଅନେକ କିଛି ସୁବିଧା ସରକାର କରିବାର ଆବଶ୍ୟକତା ରହିଛି ବୋଲି ଆପଣ ଭାବୁଛନ୍ତି କି?
ଉ: ହଁ ନିଶ୍ଚୟ ଆବଶ୍ୟକ ରହିଛି । କାରଣ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ସମାନୁପାତିକ ବ୍ୟବହାର ପ୍ରଦର୍ଶନ କରାଯିବା ଦରକାର । ପୁରୁଷ, ମହିଳା ବ୍ୟବସ୍ଥା ଥିବା ବେଳେ ଆମ ପାଇଁ କୌଣସି ସ୍ୱତନ୍ତ୍ର ୱାର୍ଡ ନଥିବାରୁ ଅନେକ ସମୟରେ ସମସ୍ୟା ହେଉଛି । ତେଣୁ ଔଷଧ ପାଇଁ କାଉ ରଠାରୁ ଆରମ୍ଭ କରି ଚିକିତ୍ସା ବେଡ, ସ୍ୱତନ୍ତ୍ର ୱାର୍ଡ ଓ ଅନ୍ୟାନ୍ୟ ସ୍ୱତନ୍ତ୍ର ସୁବିଧା ନିହାତି ଜରୁରୀ । ଏହି ସମସ୍ତ ଅସୁବିଧା ପାଇଁ ଅନେକ ଟ୍ରାନ୍ସଜେଣ୍ଡର ସରକାରୀ ଚିକିତ୍ସାଳୟକୁ ଯିବାକୁ କୁଣ୍ଠାବୋଧ ପ୍ରକାଶ କରୁଛନ୍ତି ।
ଆପଣ ‘ସି କ୍ରିଏଟସ୍ ଚେଞ୍ଜ’ ଅନୁଷ୍ଠାନର ସଦସ୍ୟ । ଏଥିରେ ଆପଣ କ’ଣ ପରିବର୍ତନ ଦାବି କରୁଛନ୍ତି?
ଉ: ସାଧାରଣ ଭାବେ ମହିଳାମାନେ କିପରି ପରିବର୍ତନର ସ୍ୱର ହୋଇ ପାରିବେ ତାହାହିଁ ଏହି ଅନୁଷ୍ଠାନର ମୂଳ ଆଭିମୁଖ୍ୟ । ମହିଳାଙ୍କ ପ୍ରତିଭାକୁ ଚିହ୍ନିବା, ସେମାନଙ୍କ ସଂଘର୍ଷକୁ ପ୍ରେରଣାର ଆଖ୍ୟା ଦେବା, ଅନ୍ୟପାଇଁ ଅନୁକରଣୀୟ ହେବାରେ ସେମାନଙ୍କୁ ସାହାଯ୍ୟ କରିବା ହି ଆମର ଉଦ୍ଦେଶ୍ୟ । ଏହା ଏକ ଜାତୀୟ ଅନୁଷ୍ଠାନ । ଯେଉଁଥିରେ ଆମେ ଓଡିଶା ପାଇଁ କାମ କରୁଛୁ । ଏଥିରେ ମହିଳାମାନଙ୍କୁ ସଶକ୍ତ କରିବା ସହ ସେମାନଙ୍କ ଅଧିକାର ପାଇଁ, ତାଙ୍କର ସ୍ୱରକୁ ଶାଣିତ କରିବା ପାଇଁ ଆମେ କାମ କରୁଛୁ । ମୁଁ ବି ସବୁବେଳେ ଏସବୁ ଉପରେ ଧ୍ୟାନ ଦିଏ ।
କିଛିଦିନ ତଳେ କେନ୍ଦ୍ର ସରକାର ଆୟୂଷ୍ମାନ ଭାରତ ସ୍ୱାସ୍ଥ୍ୟ ସ୍କିମ୍ରେ ତୃତୀୟ ଲିଙ୍ଗଙ୍କ ପାଇଁ ସେକ୍ସ ଚେଞ ଅପରେସନ୍କୁ ଅନ୍ତର୍ଭୁକ୍ତ କରିଛନ୍ତି । ଏହାଦ୍ୱାରା ଆପଣଙ୍କ ସମ୍ପ୍ରଦାୟର ଲୋକେ ଉପକୃତ ହେବେ ବୋଲି ଆପଣ ଭାବୁଛନ୍ତି କି?
ଉ: ହଁ ଏହା ନିଶ୍ଚିତ ଭାବେ ଆମ ଟି-କମ୍ୟୁନିଟି ପାଇଁ ଗୋଟେ ବଡ ସପୋର୍ଟ ହେବ । ଅନେକ ସମୟରେ ଟ୍ରାନ୍ସଜେଣ୍ଡରମାନେ ସେକ୍ସ ଚେଞ ଅପରେସନ୍ କରିବାକୁ ଚାହୁଁଥିବା ବେଳେ ଅର୍ଥ ଅଭାବରୁ ତାହା କରିପାରନ୍ତି ନାହିଁ । ଏଭଳି ସ୍ଥିତିରେ ଆମ କମ୍ୟୁନିଟିର ଅନୁରୋଧ କ୍ରମେ ରାଜ୍ୟ ସରକାର ମଧ୍ୟ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଟ୍ରାନ୍ସଜେଣ୍ଡରମାନଙ୍କର ସର୍ଜରୀ ପାଇଁ କିଛି ବ୍ୟବସ୍ଥା କରିବାକୁ ବିଚାର କରୁଛନ୍ତି ।