Stories Odisha
Hyper Local News Portal of Odisha
ଷ୍ଟୋରିଜ ଓଡ଼ିଶା ଏକ ୱେବ ପୋର୍ଟାଲ ହେଲେ ମଧ୍ୟ ଏହା ଅନ୍ୟ ୱେବ ପୋର୍ଟାଲଠାରୁ ଭିନ୍ନ ସ୍ୱାଦର । ଏଥିରେ ନିୟମିତ ଖବର ନୁହେଁ ବରଂ ଓଡ଼ିଶାର ଗାଁ ଗହଳିରେ ରହୁଥିବା ଲୋକଙ୍କ ଜୀବନ ଜୀବିକା ସଂପର୍କିତ ଫିଚର ପ୍ରକାଶ ପାଇଥାଏ । ବିଶେଷ କରି ଦୂରଦୂରାନ୍ତ ଅଞ୍ଚଳରେ ରହୁଥିବା ଆଦିବାସୀ, ଦଳିତ, ମହିଳା ଓ ଶିଶୁମାନଙ୍କ କାହାଣୀକୁ ପ୍ରକାଶ କରିବାକୁ ଷ୍ଟୋରିଜ ଓଡ଼ିଶା ଅଗ୍ରାଧିକାର ଦେଇଥାଏ । ସବୁଠାରୁ ଗୁରୁତ୍ୱପୂର୍ଣ ହେଉଛି ଏହି ପ୍ରସଙ୍ଗଗୁଡିକ ଲିଙ୍ଗଭିତିକ ଦୃଷ୍ଟିକୋଣରୁ ସଂବେଦନଶୀଳ ଭାବେ ଲେଖାଯିବାକୁ ଚେଷ୍ଟା କରାଯାଇଥାଏ । ୨୦୨୫ ରେ ଷ୍ଟୋରିଜ ଓଡ଼ିଶା ଏ କ୍ଷେତ୍ରରେ ପାଦେ ଆଗେଇ ବାନ୍ଧବୀ ନାମରେ ଏକ ପ୍ରୋଜେକ୍ଟ ଆରମ୍ଭ କରିଛି, ଯାହାର ଉଦ୍ଦେଶ୍ୟ ହେଉଛି ସାମ୍ବାଦିକତା କ୍ଷେତ୍ରରେ ନୂଆ କରି ଆସିଥିବା ଏବଂ ସାମ୍ବାଦିକ ହେବାକୁ ଚାହୁଁଥିବା ଝିଅ ମାନଙ୍କୁ ସ୍ୱତନ୍ତ୍ର ଭାବେ ବାଛି ସେମାନଙ୍କୁ ରୁରାଲ ଜର୍ଣ୍ଣାଲିଜିମ ବା ଗ୍ରାମୀଣ ସାମ୍ବାଦିକତା କ୍ଷେତ୍ରରେ ଟ୍ରେନିଂ ହେବା ଓ ନିଜ ଅଞ୍ଚଳରୁ ରିପୋର୍ଟ କରିବାର ସୁଯୋଗ ଦେବା । ଏହି କ୍ରମରେ ଆମେ ଗତବର୍ଷ ଓଡ଼ିଶାର କେତେକ ବଛା ବଛା ଜିଲ୍ଲାରୁ ଆଗ୍ରହୀ ପ୍ରାର୍ଥୀଙ୍କୁ ବାଛି ସେମାନଙ୍କୁ ତିନିଦିନର ଟ୍ରେନିଂ ଦେଇଥିଲୁ । ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ମହିଳା ସଂପର୍କିତ ଖବରକୁ କିପରି ରିପୋର୍ଟିଂ କରିବେ ଏବଂ ଭିଡିଓ ନେବେ, ମୋବାଇଲରେ କିପରି ରିପୋର୍ଟିଂ କରିବେ, ସ୍ରିପ୍ଟ କିଭଳି ଲେଖିବେ ଆଦି ବିଭିନ୍ନ ବିଷୟରେ ବିଶେଷଜ୍ଞମାନେ ପ୍ରଶିକ୍ଷଣ ଦେଇଥିଲେ । ଏହି ପ୍ରୋଜେକ୍ଟ ବାନ୍ଧବୀ କାର୍ଯ୍ୟକ୍ରମ ପାଇଁ ଯେଉଁମାନେ ମନୋନୀତ ହୋଇଥିଲେ ସେମାନେ ହେଲେ ପୁରୀର ଲିଜା ସେନାପତି, ରାୟଗଡାର ବନିତା ନିଶିକା, ମୟୁରଭଞ୍ଜ ଚୁଳ ହାଁସଦା, ଢେଙ୍କାନାଳର ସୌମ୍ୟା ରାଜଶ୍ରୀ ସାହୁ ଓ କଳାହାଣ୍ଡିର ଅର୍ଚ୍ଚନା ଲହଜଲ ।
ଗତ ୨୫ବର୍ଷରୁ ଅଧିକ ସମୟ ଧରି ସେ ଓଡ଼ିଶାରେ ସାମ୍ବାଦିକତା କରିଆସୁଛନ୍ତି । ପ୍ରିଣ୍ଟ ଓ ଟେଲିଭିଜନରେ ବେଶ କିଛି ବର୍ଷ କାମ କରିବା ପରେ ୨୦୧୪ରୁ ସେ ଡିଜିଟାଲରେ କାମ କରୁଛନ୍ତି । ଜାତୀୟ ଓ ଅର୍ନ୍ତଜାତୀୟ ବିଭିନ୍ନ ମିଡିଆ ଫେଲୋସିପ ପାଇ ସେ ଓଡ଼ିଶାର ଗାଁ ଗହଳକୁ ଯାଇ ଲୋକଙ୍କ ସମସ୍ୟାକୁ ଜାତୀୟ ସ୍ତରର ଡିଜିଟାଲ ମିଡିଆରେ ପ୍ରକାଶ କରିଛନ୍ତି । ସେ ଏହା ମଧ୍ୟରେ ୬ଟି ଜାତୀୟସ୍ତରର ପୁରସ୍କାର ଓ ୬ଟି ମିଡିଆ ଫେଲୋସିପ ପାଇଛନ୍ତି । ରିପୋଟିଂ ବ୍ୟତୀତ ସେ ଡକ୍ୟୁମେଣ୍ଟାରୀ ଫିଲ୍ମ, ରିସର୍ଚ୍ଚ ରିପୋର୍ଟ ଓ ସାମ୍ବାଦିକତା ଶିକ୍ଷାନୁଷ୍ଠାନରେ ପାଠ ପଢାଇବା, ସାମ୍ବାଦିକତାରେ ଟ୍ରେନିଂ ଦେବା ଆଦି କ୍ଷେତ୍ରରେ ମଧ୍ୟ ପାରଦର୍ଶିତା ଦେଖାଇଛନ୍ତି । ତେବେ ସମାଜର ବିଭିନ୍ନ ପ୍ରସଙ୍ଗ ସାଙ୍ଗକୁ ମୁହଁଖୋଲୁନଥିବା ଲୋକଙ୍କ ଖବରକୁ ନିୟମିତ ପ୍ରକାଶ କରିବାପାଇଁ ୨୦୨୨ ମସିହାରେ ସେ ଏହି ୱେବ ପୋର୍ଟାଲ ଆରମ୍ଭ କରିଛନ୍ତି । ଷ୍ଟୋରିଜ ଓଡ଼ିଶା ୱେବ ପୋର୍ଟାଲରେ ରିପୋର୍ଟ ଲେଖିବା ସହ ନିୟମିତ ଭାବେ ଭିଡିଓ ଷ୍ଟୋରୀ ମଧ୍ୟ କରୁଛନ୍ତି । ଖବର ବ୍ୟତୀତ ସମୟ ମିଳିଲେ ତାଙ୍କୁ ଚିତ୍ର ଆଙ୍କିବାକୁ ଭଲ ଲାଗେ ।
ନିଜର ପ୍ରାୟ ୧୭ ବର୍ଷର ସାମ୍ବାଦିକତା କ୍ୟାରିୟରରେ ଓଡ଼ିଶାର ପ୍ରମୁଖ ଟେଲିଭିଜନ ନ୍ୟୁଜ ଚ୍ୟାନେଲ ଗୁଡିକର ନ୍ୟୁଜ ଡେସ୍କରେ ଲମ୍ବା ସମୟ ଧରି କାର୍ଯ୍ୟ କରିଛନ୍ତି । ଓଡ଼ିଆ ଖବରକାଗଜରେ ଫିଚର ରିପୋର୍ଟର ଭାବରେ ସାମ୍ବାଦିକତାରେ ପାଦ ରଖିଥିବା ମୋନାଲିସା ପରବର୍ତୀ ସମୟରେ ଓଟିଭି, ଈଟିଭି ଓଡ଼ିଆ , କନକ ନ୍ୟୁଜ ଏବଂ କଳିଙ୍ଗ ଟିଭିର ନ୍ୟୁଜ ଡେସ୍କରେ ଏକ ଦଶନ୍ଧିରୁ ଅଧିକ ସମୟ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନିର୍ବାହ କରିଛନ୍ତି । ପରବର୍ତ୍ତୀ ସମୟରେ ଡିଜିଟାଲ ମିଡିଆରେ ସାମ୍ବାଦିକତା ଜାରି ରଖିଛନ୍ତି । ଷ୍ଟୋରିଜ ଓଡ଼ିଶାରେ କେଉଁ ଖବରକୁ କିଭଳି ଗୁରୁତ୍ୱ ଦିଆଯିବ ତାହାର ଦାୟିତ୍ୱ ସେ ତୁଲାଇଛନ୍ତି । ବହି ପଢିବା ସହ ତୃଣମୂଳ ସ୍ତରର ଲୋକଙ୍କ ସଙ୍ଗେ କଥା ହେବା ଏବଂ ସବୁବେଳେ କିଛି ନୂଆ ଶିଖିବାକୁ ସେ ଭଲପାଆନ୍ତି ।
ଗଣିତରେ ସ୍ନାତକ କରିଥିବା ଶାନ୍ତିଲତାଙ୍କର ଲେଖାଲେଖି ପ୍ରତି ଆଗ୍ରହ ଥିବାରୁ ସେ ସାମ୍ବାଦିକତାରେ କ୍ୟାରିୟର କରିବାକୁ ଚାହିଁଲେ । ୨୦୨୩-୨୪ରେ ଆଇଆଇଏମସିରୁ ପାସ କରିବା ପରେ ପ୍ରଥମେ ନ୍ୟୁଜ ୧୮ ଓଡ଼ିଆରେ ଇନଟର୍ଣ୍ଣ ରହିବା ପରେ ସମୟ ଲାଇଭରେ କପି ଏଡିଟର ଭାବେ କାମ କରିଛନ୍ତି । ଏବେ ସେ ଷ୍ଟୋରିଜ ଓଡ଼ିଶାରେ ସୋସିଆଲ ମିଡିଆରେ କଣ୍ଟେଣ୍ଟ ପ୍ରସ୍ତୁତ କରିଥାଆନ୍ତି । ସମୟ ମିଳିଲେ ଫଟୋଗ୍ରାଫି କରିବା ଓ ବିଭିନ୍ନ ଡିଜାଇନ ପ୍ରସ୍ତୁତ କରିବା ତାଙ୍କର ସଉକ ।