ଇଣ୍ଡିଆନ ଏକାଡେମୀ ଅଫ ପେଡିଆଟ୍ରିକସର ଏକ ରିପୋର୍ଟ ଅନୁସାରେ ଦେଶରେ ଥିବା ମୋଟ ଜନସଂଖ୍ୟାର ପ୍ରାୟ ୩ ପ୍ରତିଶତ ଅଟିଜିମରେ ପୀଡିତ । ପୁଣି ସେମାନଙ୍କ ମଧ୍ୟରେ ଝିଅଙ୍କ ତୁଳନାରେ ପୁଅମାନେ ଅଧିକ ସଂଖ୍ୟାରେ ଏହି ସମସ୍ୟାରେ ପୀଡିତ ହୋଇଥାଆନ୍ତି । ଦେଶରେ ଅଟିଜିମରେ ପୀଡିତ ପିଲାଙ୍କ ସଂଖ୍ୟା ନିୟମିତ ଭାବେ ବଢୁଥିବାରୁ ଏହି ପିଲାମାନଙ୍କୁ ବିଭିନ୍ନ ଥେରାପି ମାଧ୍ୟମରେ ସେମାନଙ୍କ ଜୀବନଶୈଳୀରେ ଉନ୍ନତି ଆଣିବା ପାଇଁ ଭୁବନେଶ୍ୱରରେ ଗତ ୨୦ ବର୍ଷରୁ ଅଧିକ ସମୟ ଧରି ବାଟ ଦେଖାଇ ଆସୁଛି କ୍ୟାଚ୍( Catch- Centre for Autism Therapy, Counseling and Help) ସଂଘଠନ ।
୨୦୦୩ ମସିହାରେ ଅଟିଜିମ ସମସ୍ୟାରେ ପୀଡିତ ମାତ୍ର ୪ ଜଣ ପିଲାଙ୍କର ଅଭିଭାବକଙ୍କୁ ନେଇ ଭୁବନେଶ୍ୱରରେ ଆରମ୍ଭ ହୋଇଥିଲା ଏକ ସଂଗଠନ- କ୍ୟାଚ । ଏହି ସଂଗଠନ ଆରମ୍ଭ ପଛରେ ଏକ କାହାଣୀ ରହିଛି । ସେ ବିଷୟରେ ସୂଚନା ଦେଇ କ୍ୟାଚ ସଂଗଠନର ପ୍ରତିଷ୍ଠାତା ତଥା ମୁଖ୍ୟ ରୀତା ଜେନା କୁହନ୍ତିି, ୧୯୯୩ ମସିହା କଥା । ସେତେବେଳେ ମୋ ସ୍ୱାମୀଙ୍କ ଚାକିରୀ ପାଇଁ ଆମେ ମୁମ୍ବାଇରେ ରହୁଥିଲୁ । ସେ ସମୟରେ ଆମର ପୁଅ ଜନ୍ମ ହେଲା । ଜନ୍ମର ଦୁଇ ବର୍ଷ ପରେ ମୁଁ ଅନୁଭବ କଲି ଯେ ସେ ଅନ୍ୟ ସାଧାରଣ ପିଲାଙ୍କ ସହ ସହଜରେ ମିଶି ପାରୁନାହିଁ । ଡାକିଲେ ଶୁଣୁନାହିଁ ଏବଂ ସେ ଅନେକ ସମୟରେ ହାଇପର ଏକଟିଭ ରହୁଛି । ଏହା ପରେ ସେ ସେଠାକାର ଚାଇଲଡ ସ୍ପେଶାଲିଷ୍ଟଙ୍କୁ ଦେଖାଇବା ପରେ ସେ କହିଥିଲେ ଯେ ତାଙ୍କ ପୁଅ ଅଟିଜିମ ସମସ୍ୟାରେ ପୀଡିତ । ଏ ଘଟଣାରେ ସେ ସଂପୂର୍ଣ୍ଣ ମର୍ମାହତ ହୋଇପଡିଥିଲେ ।
କଥାରେ ଅଛି ଛୁଆ ପାଦରେ କଣ୍ଟା ଫୁଟିଲେ ମା କୁ କଷ୍ଟ ହୁଏ। ଏଣୁ ଏତେ ବଡ କଥା ତାଙ୍କ ଜୀବନକୁ ଏକ ପ୍ରକାରର ଦୋହଲାଇ ଦେଲା କହିଲେ ଭୁଲ ହେବ ନାହିଁ। କିନ୍ତୁ ପିଲାକୁ ମଣିଷ କରିବାକୁ ହେବ, ତାକୁ ତାର ଦୈନନ୍ଦିନ ଜୀବନରେ ସେ କେମିତି ଆଗକୁ ବଢିବ ସେଥିପାଇଁ ଚିନ୍ତା କରି ସେ ନିଜକୁ ଦୃଢ କଲେ । ସ୍ୱାମୀଙ୍କ ବଦଳି ପରେ ସେମାନେ ଓଡ଼ିଶା ଫେରି ଆସିଲେ ଓ ପୁଅକୁ ଏକ ସ୍କୁଲରେ ଭର୍ତ୍ତି କରାଇଲେ । କିନ୍ତୁ ସେଥିରେ ବି ସେମିତି କିଛି ପରିବର୍ତ୍ତନ ଦେଖାଗଲାନାହିଁ । ପରିସ୍ଥିତି ଏପରି ହେଲା ଯେ ସେ ଆହୁରି ଭାଙ୍ଗି ପଡିଲେ ।
ଶେଷରେ ସେ ଚିନ୍ତା କଲେ ନିଜେ ଅଟିଜିମ ସମସ୍ୟାର ନିରାକରଣ ପାଇଁ ବିଭିନ୍ନ ଥେରାପିର ପ୍ରଶିକ୍ଷଣ ନେବା ସହ ପୁଅକୁ ଠିକ କରିବା ପାଇଁ ଚେଷ୍ଟା କରିବେ । ସେହି ସମୟରେ ସେ ତାଙ୍କରି ଭଳି ଅନ୍ୟ କିଛି ଅଭିଭାବକଙ୍କ ସହ ଭେଟିଲେ ଆଉ ତାପରେ ସେମାନେ ମିଶି ନିଷ୍ପତି ନେଲେ କ୍ୟାଚ ସଂଗଠନ ଆରମ୍ଭ କରିବା ପାଇଁ । ୨୦୦୩ ମସିହାରେ ସେମାନେ ମିଳିତ ଭାବେ ଭୁବନେଶ୍ୱରରେ ଏହି ସଂଗଠନ ଆରମ୍ଭ କଲେ ଯେଉଁଠି ଗତ ୨୦ ବର୍ଷରୁ ଉର୍ଦ୍ଧ ସମୟ ଧରି ଅଟିଜିମ ପିଲାଙ୍କୁ ବିଭିନ୍ନ ଥେରାପି ମାଧ୍ୟମରେ ଚିକିତ୍ସା ଦିଆଯିବା ସହ ପରିବାର ଲୋକଙ୍କୁ କାଉନସେଲିଂ କରାଯାଉଛି । ମାତ୍ର ୪ଟି ପିଲାଙ୍କୁ ନେଇ ଆରମ୍ଭ ହୋଇଥିବା କ୍ୟାଚ ସଂସ୍ଥାରେ ଏବେ ୩୫ରୁ ଅଧିକ ପିଲା ଯୋଡି ହୋଇଛନ୍ତି ।
ଅଟିଜିମ ପିଲାଙ୍କ ପାଇଁ କ୍ୟାଚ
୨୦୦୩-୦୪ ବେଳକୁ ଯେଉଁଠି ବିଦେଶରେ ଓ ଦେଶର ବଡ ବଡ ସହରରେ ଅଟିଜିମ ସମସ୍ୟା ସଂପର୍କିତ ସଚେତନତା କିଛିଟା ଆରମ୍ଭ ହୋଇ ଯାଇଥିଲା କିନ୍ତୁ ଓଡ଼ିଶାରେ ସେଭଳି ସଚେତନତା ନଥିଲା କହିଲେ ଚଳେ। କ୍ୟାଚ ସଂସ୍ଥା ଅଟିଜିମ ସମସ୍ୟାରେ ପୀଡିତ ପିଲା ଓ ସେମାନଙ୍କ ବାପାମାଙ୍କ ପାଇଁ ଏ ଦିଗରେ ସହଯୋଗ କଲା । ରୀତା ଜେନା କୁହନ୍ତି, ଅଟିଜିମରେ ପୀଡିତ ପିଲାମାନେ ସମାଜ ଠାରୁ ଦୂରେଇ ରହିବାକୁ ପସନ୍ଦ କରନ୍ତି । ଅନ୍ୟ ସାଧାରଣ ପିଲାଙ୍କ ସହ ସହଜରେ ମିଶି ପାରନ୍ତି ନାହିଁ । ଏପରିକି ଆଖିରେ ଆଖି ମିଶାଇ ସେମାନେ କଥା କୁହନ୍ତି ନାହିଁ, ପୁଣି ବେଳେବେଳେ ଅଧିକ ପ୍ରତିକ୍ରିୟାଶୀଳ ହୋଇପଡନ୍ତି । ଅନେକ ସମୟରେ ବାପାମା, ପରିବାରର ସଦସ୍ୟ ଓ ଆମ ପଡୋଶୀ ଏସବୁକୁ ବୁଝିନପାରି ବ୍ୟତିବ୍ୟସ୍ତ ହୋଇଉଠନ୍ତି । କିନ୍ତୁ ସେମାନଙ୍କୁ ସଠିକ ଥେରାପୀ ଦେଇ ଚିକିତ୍ସା କରାଗଲେ ସେମାନଙ୍କର ଏହି ସମସ୍ୟା ଗୁଡିକ ନିୟନ୍ତ୍ରଣ କରାଯାଇପାରିବ ।
କ୍ୟାଚ ସଂଗଠନରେ ଅଟିଜିମରେ ପୀଡ଼ିତ ପିଲାଙ୍କୁ ବିଭିନ୍ନ ପ୍ରକାରର ଥେରାପୀ ଦେବା ସହ ସେମାନଙ୍କୁ ଦୈନନ୍ଦିନ ଜୀବନରେ କେମିତି ଚଳିବେ ସେଥିପାଇଁ ମଧ୍ୟ ପ୍ରଶିକ୍ଷଣ ଦିଆଯାଇଥାଏ । ଅନେକ ସମୟରେ ଅଟିଜିମ ପିଲାଙ୍କ ସହ ମା ମାନେ ଏହି ସଂସ୍ଥାରେ ଭଲ୍ୟୁଂଟର ଭାବେ ଆସି ପିଲାଙ୍କୁ ଥେରାପୀ ଦେବାରେ ସାହାଯ୍ୟ କରିଥାଆନ୍ତି । ଅନ୍ୟ ପିଲାଙ୍କ ସହାୟତା ପାଇଁ ଅନେକ ଷ୍ଟାଫ୍ ଙ୍କୁ ନିଯୁକ୍ତି କରାଯାଇଛି। ଏଠି ଆସୁଥିବା ପିଲାଙ୍କୁ ପନିପରିବା ଚିହ୍ନିବା ଠାରୁ ଆରମ୍ଭ କରି ଅକ୍ଷର ଚିହ୍ନିବା ଓ ଲେଖିବା , ରଂଗ କରିବା, ଗଛ ଲଗାଇବା ଆଦି ବିଭିନ୍ନ କାମ ବିଷୟରେ ଶିକ୍ଷା ଦିଆଯାଇଥାଏ । ବେଳବେଳେ ସେମାନଙ୍କୁ ବିଭିନ୍ନ ପାର୍କ ଓ ମଲ ନିଆଯିବା ସହ ବର୍ତ୍ତମାନର ଡିଜିଟାଲ ଦୁନିଆରେ ଟେକ୍ନୋଲୋଜିକୁ କିପରି ବ୍ୟବହାର କରିବେ ସେ ବିଷୟରେ ଅବଗତ କରାଯାଇଥାଏ । ଅଟିଜିମରେ ପୀଡିତ ପିଲାଟି କିପରି ସମାଜରେ ଅନ୍ୟମାନଙ୍କ ସହ ତାଳ ମିଶାଇ ଚାଲିପାରିବ ସେ ବାବଦରେ ଏଠାରେ ପ୍ରଶିକ୍ଷଣ ଦିଆଯାଉଛି ବୋଲି ରୀତା ଜେନା କହିଛନ୍ତି ।
ସରକାରୀ ସହାୟତା
କ୍ୟାଚ ସଂଗଠନର ପ୍ରତିଷ୍ଠାତା ରୀତା ଜେନାଙ୍କ କହିବା ଅନୁଯାୟୀ ଏହି ସଂଗଠନକୁ ସରକାରଙ୍କ ଏସଏସଇପିଡି ବା ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ବ୍ୟକ୍ତିଙ୍କ ସଶକ୍ତିକରଣ ବିଭାଗ ତରଫରୁ ସହାୟତା ମିଳୁଛି। ତେବେ ଏହି ପିଲାଙ୍କ ଭିତରେ ଥିବା ପ୍ରତିଭାକୁ ଆଗକୁ ଆଣିବାପାଇଁ ସରକାରୀସ୍ତରରେ ବ୍ୟବସ୍ଥା କରିବା ଆବଶ୍ୟକ ବୋଲି ସେ କହିଛନ୍ତି । ଏହି ସଂଗଠନରେ କେବଳ ମଧ୍ୟମ ଓ ଉଚ୍ଚବର୍ଗର ପିଲା ନୁହନ୍ତି, ଅନେକ ଗରୀବ ଶ୍ରେଣୀର ପିଲାମାନେ ମଧ୍ୟ ପ୍ରଶିକ୍ଷଣ ନେଉଛନ୍ତି ।
ଏସବୁ ବ୍ୟତିତ ଏହି ସଂଗଠନକୁ ଚିକିତ୍ସା ପାଇଁ ଆସୁଥିବା ଶିଶୁଙ୍କ ମା ମାନେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥାଆନ୍ତି । କେବେ କେବେ ସେମାନେ ନିଜେ ଭଲ୍ୟୁଂଟର ଭାବେ ଏଥିରେ କାମ କରନ୍ତି । ଆବଶ୍ୟକ ସମୟରେ ପିଲାଙ୍କୁ ପ୍ରଶିକ୍ଷଣ ମଧ୍ୟ ଦେଇଥାନ୍ତି ।
ସେ କୁହନ୍ତି , ଆଜି ବି ଅନେକ ଲୋକ ଅଟିଜିମ ସମସ୍ୟା ବିଷୟରେ ଅବଗତ ନଥିବାରୁ ଅଟିଜିମ ପିଲାଙ୍କୁ ସମାଜରେ ସ୍ୱତନ୍ତ୍ର ପରିଚୟ ମିଳିପାରୁନାହିଁ । ସେମାନଙ୍କ ଭିତରେ ଥିବା ପ୍ରତିଭାକୁ ଚିହ୍ନି ସେମାନଙ୍କୁ ଗ୍ରହଣ କରାଗଲେ ଅଟିଜିମ ଓ ଅନ୍ୟ ସାଧାରଣ ପିଲାଙ୍କ ଭିତରେ ଥିବା ଭେଦଭାବ ଦୂର ହୋଇପାରିବ ।
୨୦୦୭ ମସିହା ପରଠାରୁ ଅଟିଜିମ୍ ରେ ପୀଡିତ ପିଲାଙ୍କ ସଂଖ୍ୟା ବଢିବାରେ ଲାଗିବାରୁ ଏବିଷୟରେ ସାଧାରଣରେ ସଚେତନତା ସୃଷ୍ଟି ଲାଗି ପ୍ରତିବର୍ଷ ଜାତିସଂଘ ପକ୍ଷରୁ ଏପ୍ରିଲ ୨ ତାରିଖକୁ ବିଶ୍ଵ ଅଟିଜିମ ସଚେତନତା ଦିବସ ଭାବେ ପାଳନ କରାଯାଉଛି ।