ଆମ ସମାଜରେ କିଛି ପ୍ରଥା ଓ ପରମ୍ପରା ଆଜି ବି ଯୋଡ଼ି ରଖିଛି ଗାଁ ଲୋକଙ୍କୁ । ତା ମଧ୍ୟରେ ଏକ ବଡ ପରମ୍ପରା ହେଉଛି ଓଡ଼ିଆଙ୍କ ନବବର୍ଷ ଯାହା ପଣାସଂକ୍ରନ୍ତି ଦିନ ପାଳିତ ହୁଏ । କଟକ ଜିଲ୍ଲା ନୂଆପାଟଣା ଗାଆଁରେ ପ୍ରତିବର୍ଷ ନିଆରା ଢଙ୍ଗରେ ପାଳିତ ହୁଏ ଖଣ୍ଡାପାଟୁଆ କାଳେଶି ଯାତ୍ରା । ଆଖପାଖ ୫୦ ଖଣ୍ଡ ଗାଁର ଲୋକ ଏହି ଯାତ୍ରା ଦେଖିବାକୁ ରୁଣ୍ଡ ହୁଅନ୍ତି। ନିଜ ନିଜ ଭିତରେ କଳି ଝଗଡ଼ା ଭୁଲି ସମ୍ପର୍କକୁ ମଜବୁତ୍ କରିବାରେ ଏହି ଯାତ୍ରାର ବେଶ ଯୋଗଦାନ ରହିଛି ।
କଟକ: ନୂଆପାଟଣା ଗାଁର ସରୋଜ ସାହୁ ହାଇଦ୍ରାବାଦରେ ରହି କାମ କରୁଥିଲେ ମଧ୍ୟ ପଣା ସଂକ୍ରାନ୍ତି ଆସିଲେ ବେଶ କିଛି ଦିନ ଛୁଟି ନେଇ ଗାଁକୁ ଆସନ୍ତି । ପରିବାର ଲୋକ, ସାଙ୍ଗସାଥୀଙ୍କ ସହ ତ ଭେଟ ହେବ କିନ୍ତୁ ତା ଠାରୁ ଅଧିକ ଆଗ୍ରହ ଥାଏ ଗାଁରେ କାହିଁ କେଉଁ କାଳରୁ ପାଳିତ ହୋଇ ଆସୁଥିବା ଖଣ୍ଡାପାଟୁଆ କାଳେଶି ଯାତ୍ରା । ମୀନ ସଂକ୍ରାନ୍ତିିରୁ ପଣାସଂକ୍ରାନ୍ତି ଯାଏଁ ଦୀର୍ଘ ୯ ଦିନଧରି ଚାଲୁଥିବା ଏହି କାଳେଶି ଯାତ୍ରାକୁ ଆଖପାଖ ୫୦-୬୦ଖଣ୍ଡ ଗାଁର ଲୋକ ଦେଖିବାକୁ ଆସନ୍ତି ଏଣୁ ସେ କିପରି ନ ଆସିବେ । ସରୋଜଙ୍କ ପରି ଦୀପକ ସାହୁ ଗୁଜୁରାଟର ସୁରଟ ସହରରେ ଏକ ଫ୍ୟାକ୍ଟୀରେ ରହି କାମ କରୁଛନ୍ତି । ବର୍ଷର ଅନ୍ୟ ସମୟରେ ଆସିବା ସମ୍ଭବ ହେଉନଥିଲେ ମଧ୍ୟ ସେ ଏହି କାଳେଶି ଯାତ୍ରା ସମୟରେ ଆସିବାକୁ ଆଦୌ ଭୁଲନ୍ତି ନାହିଁ । ସରୋଜ କୁହନ୍ତି ଆଗେ ସମସ୍ତେ ଗାଁରେ ରହୁଥିଲେ, ପର୍ବପର୍ବାଣୀ, ଯାନିଯାତ୍ରା ସବୁକିଛି ଏକାସଙ୍ଗେ ଖୁସିରେ ପାଳନ କରୁଥିଲେ । କିନ୍ତୁ ଧୀରେ ଧୀରେ ଗାଁରେ କାମର ଅଭାବ ହେତୁ ଅନେକ ଯୁବକ ବାହାରକୁ ଯାଇ କାମ କରୁଛନ୍ତି କିଏ ବାଙ୍ଗାଲୋର, ହାଇଦ୍ରାବାଦ, ଗୁଜୁରାଟ ପୁଣି ଭୁବନେଶ୍ୱରରେ ରହି କାମ କରୁଛନ୍ତି । ଯୁବକମାନେ ପ୍ରାୟତଃ ବାହାରକୁ ଚାଲିଯାଉଥିବାରୁ ଅନେକ ପର୍ବପର୍ବାଣୀ କୁ ସେମାନେ ପରିବାରର ଅନ୍ୟସଦସ୍ୟଙ୍କ ସହ ଖୁସିରେ ପାଳନ କରିପାରନ୍ତି ନାହିଁ । ଏଣୁ ଏହି କାଳେଶି ଯାତ୍ରାକୁ ସେମାନେ ଅପେକ୍ଷା କରିଥାଆନ୍ତି କେମିତି ଗାଁକୁ ଆସିବେ ଘରଲୋକ, ସାଙ୍ଗସାଥୀ ଓ ଗୁରୁଜନଙ୍କ ସହ ଭେଟ ହେବ ଓ ଯାତ୍ରାରେ ମଉଜ କରିବେ ।
ନଅ ଦିନ ଧରି ଚାଲୁଥିବା ଏହି ଯାତ୍ରା ପାଇଁ କିଏ ୧୦-୧୨ ଦିନ ତ ପୁଣି କିଏ ସପ୍ତାହେ ଛୁଟି ନେଇ ଆସେ । ଦୀପକ କୁହନ୍ତି, ପ୍ରତିବର୍ଷ ସେ ଯାତ୍ରା ପାଇଁ ଛୁଟି ନେଇ ଆସନ୍ତି । ଗାଁଠାରୁ ଦୂରରେ ଏକାକୀ ରହି କାମକରୁଥିବାରୁ ଏହି ଯାତ୍ରା ସମୟରେ ଗାଁକୁ ଫେରିବା ତାଙ୍କୁ ଅନେକ ଖୁସି ଦେଇଥାଏ । ଆଜିବି ଗାଁର କିଛି ପ୍ରଥା ଓ ପରମ୍ପରା ରହିଛି ଯାହା ଏବେବି ସମସ୍ତଙ୍କୁ ଗାଁ ସହ ବାନ୍ଧି ରଖିଛି । ଏଣୁ ଯିଏ ଯେତେ ଦୂରରେ ରହିଲେ ବି ଯାତ୍ରା ସମୟରେ ସେ ଗାଁକୁ ଫେରିବା ନିଶ୍ଚିତ । ତେବେ ଖାଲି ବାହାରେ କାମ କରୁଥିବା ଯୁବକ ନୁହନ୍ତି, ଗାଁର ଝିଅମାନେ ଯିଏ ବାହାରେ ବିବାହ କରିଛନ୍ତି ସେମାନେ ମଧ୍ୟ ଏହି ଯାତ୍ରା ସମୟରେ ଗାଁକୁ ଆସନ୍ତି । କହିବାକୁ ଗଲେ, ଏହି କାଳେଶି ଯାତ୍ରା ସମୟରେ ଝିଅ ଜ୍ୱାଇଁଙ୍କୁ ସ୍ୱତନ୍ତ୍ର ନିମନ୍ତ୍ରଣ ଯାଏ କାଳେଶି ଯାତ୍ରାରେ ଗାଁକୁ ଆସିବା ପାଇଁ ।
ନଅ ଦିନର ଯାତ୍ରା
ମୀନ ସଂକ୍ରାନ୍ତିରୁ ପଣାସଂକ୍ରାନ୍ତି ଯାଏଁ ଦୀର୍ଘ ନଅ ଦିନ ଧରି ଚାଲୁଥିବା ଏହି ଯାତ୍ରାରେ ଅନେକ ଲୋକ ଉପବାସ ରହି ମାଁଙ୍କ ପାଖରେ ଗୁହାରି ଜଣାନ୍ତି । ବିଭିନ୍ନ ରୋଗ ବଇରାଗ ହେଉ ଅବା ପୁତ୍ର ସନ୍ତାନର ପ୍ରାପ୍ତି ଲୋକମାନେ ଉପବାସ ରହି ମାଙ୍କ ଆରାଧନା କରନ୍ତି । କାଳେଶି ଯାତ୍ରାରେ ମା କାଳୀଙ୍କର ପୂଜାର୍ଚ୍ଚନା କରୁଥିବା ପୂଜକ ରାମକୃଷ୍ଣ ନନ୍ଦୀ କୁହନ୍ତି, ମୀନ ସଂକ୍ରାନ୍ତିରେ ଦେବାଦେବୀଙ୍କର ଆବାହନ କରିବାର ବିଧି ରହିଛି । ମନ୍ଦିରରୁ ବାହାରିବା ପରେ ଦୁଇ କାଳେଶିଙ୍କର ରାମେଶ୍ୱର ମନ୍ଦିରରେ ଭେଟ ହୁଏ । ଯାତ୍ରାର ମୁଖ୍ୟ ଆକର୍ଷଣ ହେଉଛନ୍ତି ନୂଆପାଟଣାର ଅଧିଷ୍ଠାତ୍ରୀ ଦେବୀ ମା ଦକ୍ଷିଣକାଳୀ ଓ ଜେମାଦେଈପୁରର ମା ରୁଦ୍ରକାଳୀ । ଏହି ଦୁଇ ଠାକୁରାଣୀଙ୍କ ଠାରେ ପୂଜା କରି ମାନସିକ ଧାରୀମାନେ ମାନସିକ ପୂରଣ ହେଲେ ଖଣ୍ଡା ଧାରରେ ଠିଆ ହୋଇ ଗାଁ ପରିକ୍ରମା କରିବାର ବିଧି ରହିଛି । ମାଙ୍କ ମନ୍ଦିରରେ ପୂଜା ପାଉଥିବା ଦୁଇଟି ଧାରୁଆ ଖଣ୍ଡା ଉପରେ ଛିଡା ହୋଇ ଖଣ୍ଡା ପାଟୁଆ ଗାଁ ପରିକ୍ରମା କରିବା ସହ ଲୋକମାନଙ୍କୁ ଆମ୍ବ ଦେଇଥାଆନ୍ତି । ଗାଁ ଲୋକଙ୍କ ବିଶ୍ୱାସ ରହିଛି ଏହି ଆମ୍ବ ଖାଇଲେ ସେମାନଙ୍କ ମନସ୍କାମନା ପୂରଣ ହୁଏ । ଗାଁ ପରିକ୍ରମା କରିସାରିବା ପରେ ଦୁଇ ବିଗ୍ରହ ଶେଷରେ ମନ୍ଦିରକୁ ଫେରିଯାଆନ୍ତି । ଏହି ନିଆରା ପରମ୍ପରାକୁ ଦେଖିବାପାଇଁ ଓ ଏଥିରେ ସାମିଲ ହେବାପାଇଁ ଆଖପାଖ ୫୦ଖଣ୍ଡ ଗାଁର ଶହଶହ ଲୋକ ରୁଣ୍ଡ ହୁଅନ୍ତି ।
ଡିଜିଟାଲ ଯୁଗରେ ବି ବଞ୍ଚିରହିଛି ପରମ୍ପରା
ଏବେ ସମୟ ବଦଳିଛି, ସ୍ମାର୍ଟ ଫୋନ ଆସିବା ପରେ ଲୋକ ଡିଜିଟାଲ ଦୁନିଆ ସହ ଖାପ ଖୁଆଇ ଚଳିବା ପାଇଁ ନିଜକୁ ବଦଳାଉଛନ୍ତି । ଜିନିଷ କିଣିବା ବେଳେ ହାତରେ ଟଙ୍କା ଦେବା ବଦଳରେ ୟୁପିଆଇ ମାଧ୍ୟମରେ ଟଙ୍କା ଦେଉଛନ୍ତି । ଆଉ ଯଦି ଦୂରରେ ଥିବା ଘରଲୋକଙ୍କୁ କଥାହେବାକୁ ଇଚ୍ଛା ହେଉଛି ସଙ୍ଗେ ସଙ୍ଗେ ଭିଡିଓ କଲ କରିଦେଉଛନ୍ତି । ତଥାପି ଗାଁରେ ହେଉଥିବା ଏଭଳି ଯାତ୍ରାରେ ଯୋଗ ଦେବାକୁ ମାଇଲ ମାଇଲ ଦୂରରେ ରହି କାମ କରୁଥିବା ଯୁବକ ମାନେ ଛୁଟି ଆସନ୍ତି । ସେମାନେ କୁହନ୍ତି, ଭିଡିଓ କଲରେ ଯାତ୍ରାକୁ ଦେଖିହେବ କିନ୍ତୁ ଏଠିକାର ପରିବେଶକୁ ଭିଡିଓ କଲରେ ଉପଭୋଗ କରିହେବ ନାହିଁ । ସରୋଜ କୁହନ୍ତି, ଖଣ୍ଡାପାଟୁଆ କାଳେଶି ଯାତ୍ରା ହେଉଛି ଆମ ନୂଆପାଟଣା ଗାଁ ର ବଡ ଯାତ୍ରା । ଏବର୍ଷ ଯାତ୍ରା ଅମୁକ ଦିନରେ ପଡୁଛି ଗାଁକୁ ଆସିବୁ ତ ? ଏମିତି ଫୋନ ଟେ ଆସିଗଲେ ଆଉ ମନ ଥୟ ଧରେନାହିଁ । ସେବେଠୁ ଆରମ୍ଭ ହୋଇଯାଏ ଯାତ୍ରା ପାଇଁ ଘରକୁ ଯିବାର ପ୍ରସ୍ତୁତି । ଏହି ଯାତ୍ରା ସମୟରେ ଯିଏ ଯେଉଁଠି ଥାଉ ପଛେ ଘରକୁ ଆସନ୍ତି, ଏମିତି ମୁଁ ଛୋଟ ବେଳୁ ଦେଖିଆସୁଛି । ଯାତ୍ରା ସମୟରେ ଯେମିତି ଭିଡ ହୁଏ ଆଉ କେଉଁ ସମୟରେ ଏତେ ଭିଡ ଦେଖିବାକୁ ମିଳେନାହିଁ । ଏହି ପଣାସଂକ୍ରାନ୍ତିରେ ଯାହା ଘରକୁ ଯାଅ ସଭିଏଁ କହନ୍ତି ଆସୁନୁ ଟିକେ ପଣା ପିଇଦେଇ ଯିବୁ । ତୋ ବୋଉ କରିଥିବ ହେଲେ ଆମଘର ପଣା ପିଇଦେଇ ଯା । ଏତେ ଶ୍ରଦ୍ଧା ସହରରେ ଚାକିରୀ ଜାଗାରେ ଆଦୌ ଦେଖିବାକୁ ମିଳେନା । ଯାତ୍ରା ଦେଖିବା ପଣା ପିଇବା ସାଙ୍ଗକୁ ରାତି ତମାମ ସାଙ୍ଗସାଥୀଙ୍କ ସହ ମେଳାରେ ବୁଲାବୁଲି କରିବାର ଭିନ୍ନ ଆନନ୍ଦ ମିଳେ ।
ଏ ବର୍ଷ ନୂଆପାଟଣାର ପ୍ରସିଦ୍ଧ ଖଣ୍ଡାପାଟୁଆ କାଳେଶି ଯାତ୍ରାରେ ଯୋଗ ଦେବାକୁ ଏହି ଲେଖିକାଙ୍କୁ ସୁଯୋଗ ମିଳିଥିଲା । ସହର ଭିଡରେ ବିଭିନ୍ନ ପରମ୍ପରା ଧିରେ ଧିରେ ହଜିଯାଉଥିବା ବେଳେ ଆଜିବି ଏମିତି ଅନେକ ଗାଁ ଅଛି ଯେଉଁଠି ଲୋକେ ପର୍ବପର୍ବାଣୀ, ଯାନିଯାତ୍ରା ଓ ପରମ୍ପରାକୁ ବଜାୟ ରଖିବାକୁ ଚେଷ୍ଟା କରୁଛନ୍ତି । ଏହି ଯାତ୍ରାରେ ଶହଶହ ଲୋକ ରୁଣ୍ଡ ହେବା ସହ ବିଭିନ୍ନ ପ୍ରକାରର ମେଳାର ବି ଆୟୋଜନ କରାଯାଇଥିଲା । ଏହି ଯାତ୍ରାରେ ବୁଲିଲା ବେଳେ ଭେଟ ହେଲା ଗାଁର ଜଣେ ବୟସ୍କା ମହିଳା କମଳା ମାଉସୀଙ୍କ ସହ । ସେ ଯାତ୍ରା ବିଷୟରେ ବଖାଣିବାକୁ ଯାଇ କହିଲେ ଝିଅ ଜାଣିଛୁ ୨ ଘଣ୍ଟାର ଯାତ୍ରା ଦେଖିବାକୁ ଆଖପାଖ ଗାଁର ୫୦ହଜାରରୁ ଅଧିକ ଲୋକ ରୁଣ୍ଡ ହୁଅନ୍ତି । କୁହନ୍ତି ମାଙ୍କ ପାଖରେ ଯାହା ମାନସିକ ରଖିବ ସବୁ ପୂରଣ ହେବ । ମାଙ୍କ ମହିମା କହିଲେ ନସରେ ।
ସେଦିନ ଯାତ୍ରା ଦେଖି ଫେରିବା ବେଳକୁ ଲାଗୁଥିଲା ଯେ ଆମେ ଆଧୁନିକତା ପଛରେ ଧାଇଁ ଧାଇଁ ନିଜର ସଂସ୍ମୃତି ଓ ପରମ୍ପରାକୁ ଭୁଲିବାକୁ ବସିଲୁଣି । ମାତ୍ର ଆଜିବି ଅନେକ ଗାଁରେ ଏଭଳି ପରମ୍ପରା ବଞ୍ଚିରହିଛି ଏବଂ ଏହାକୁ ବଞ୍ଚେଇ ରଖିବାପାଇଁ ଗାଁର ଲୋକେ ଚେଷ୍ଟା ଜାରି ରଖିଛନ୍ତି । ତାର ଏକ ବଡ ଉଦାହରଣ ହେଉଛି ନୂଆପାଟଣାର ଖଣ୍ଡାପାଟୁଆ କାଳେଶି ଯାତ୍ରା ।