ପାରମ୍ପରିକ ବିହନ ସଂଗ୍ରହାଳୟ କରି ରାଜ୍ୟରେ ଖ୍ୟାତି ପାଇଛନ୍ତି ବରଗଡର ସୁଦାମ


ଓଡ଼ିଶାର ବରଗଡ଼ ଜିଲ୍ଲାକୁ ‘rice bowl of Odisha” ବୋଲି କୁହାଯାଏ। କାରଣ ଏଠି ଅନ୍ୟ ଜିଲ୍ଲା ତୁଳନାରେ ସବୁଠାରୁ ଅଧିକ ଧାନ ଅମଳ ହୁଏ । ତେବେ ରାସାୟନିକ ସାର ନୁହେଁ ବରଂ ଜୈବିକ ସାର ବ୍ୟବହାର କରି ଚାଷ ସହ ବିହନ ସଂରକ୍ଷଣ କରି ବରଗଡ ଜିଲ୍ଲାର ସୁଦାମ ସାହୁ ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି କରିପାରିଛନ୍ତି । ୨୦୦୧ ମସିହାରେ ସରକାରୀ ଚାକିରୀ ଛାଡି ବିହନ ସଂରକ୍ଷଣ କାମ ଆରମ୍ଭ କରିଥିବା ସୁଦାମଙ୍କ ଚେଷ୍ଟା ଏବେ ତାଙ୍କୁ କେବଳ ରାଜ୍ୟ ନୁହେଁ ରାଜ୍ୟ ବାହାରେ ମଧ୍ୟ ପରିଚୟ ଦେଇଛି ।

ବରଗଡ଼ ଜିଲ୍ଲା କଟାପାଲି ଗ୍ରାମପଞ୍ଚାୟତର ବାସିନ୍ଦା ସୁଦାମ ସାହୁ ଓଡ଼ିଶାର ଅନ୍ୟତମ ସଫଳ ବିହନ ସଂରକ୍ଷକ କହିଲେ ଭୁଲ ହେବନାହିଁ । ୨୦୦୧ ମସିହାରେ ସରକାରୀ ଚାକିରୀ ଛାଡି ସେ ଯେତେବେଳେ ବିହନ ସଂରକ୍ଷଣ କରିବା ପାଇଁ ଚିନ୍ତା କଲେ ସେତେବେଳେ ସେ ଭାବି ନଥିଲେ ଯେ ଏହା ଦିନେ ତାଙ୍କୁ ରାଜ୍ୟ ଓ ରାଜ୍ୟ ବାହାରେ ଏତେ ଖ୍ୟାତି ଆଣିଦେବ । ସୁଦାମ କୁହନ୍ତି, ପିଲାବେଳେ ସେ ତାଙ୍କ ଅଜାଙ୍କୁ ଦେଶୀ ବିହନରେ ପାରମ୍ପରିକ ଚାଷ କରିବା ଦେଖିଥିଲେ । ଆଉ ତାଙ୍କ ଅଜା ଚାହିଁଥିଲେ ସେ ବଡ ହୋଇ ଚାକିରୀ ପଛରେ ନ ଗୋଡାଇ ବରଂ ସଫଳ ଚାଷୀଟିଏ ହୁଅନ୍ତୁ । ସତକୁ ସତ ୨୦୦୧ ମସିହାରେ ତାଙ୍କୁ ଯେତେବେଳେ ସରକାରୀ ଚାକିରୀ ମିଳିଲା ସେ ଚାକିରୀ କରିବାକୁ ମନ ବଳାଇନଥିଲେ ବରଂ ଚିନ୍ତା କଲେ ଦେଶୀ ବିହନରେ ଚାଷ କରିବେ । ସୁଦାମ କୁହନ୍ତି, ସେ ସମୟରେ ମୁଁ ରାଜନୈତିକ ସନ୍ଥ ଭାବେ ପରିଚିତ କିଶନ ପଟ୍ଟନାୟକଙ୍କ ଦ୍ୱାରା ବହୁଳ ଭାବେ ପ୍ରଭାବିତ ହୋଇଥିଲି ।

୧୯୯୬ ମସିହାରେ ସେ ତାଙ୍କ ଭାଷଣରେ ବିହନ ମରୁଡି ବାବଦରେ କହିଥିଲେ – ବିହନ ମରୁଡି ଅର୍ଥ ଭବିଷ୍ୟତରେ ଏମିତି ଏକ ଦିନ ଆସିବ ଯେତେବେଳେ କି ଚାଷୀମାନେ ବିହନ ପାଇଁ କମ୍ପାନୀଗୁଡିକ ଉପରେ ନିର୍ଭର କରିବେ । ଏହି କଥା ତାଙ୍କୁ ଅନ୍ଦୋଳିତ କଲା ଏବଂ ତାଙ୍କ ଜୀବନର ମୋଡ ବଦଳିଗଲା । ସେ ଚିନ୍ତାକଲେ ଦେଶୀ ବିହନ ବଂଚାଇବା ପାଇଁ କିଛି କରିବେ । ସରକାରୀ ଚାକିରୀ ପାଇଥିଲେ ସୁଦ୍ଧା ସେ ସେଥିପ୍ରତି ମନ ବଳାଇନଥିଲେ । ବରଂ ସେହିବର୍ଷରୁ ହିଁ ସେ ଦେଶୀ ବିହନ ସଂଗ୍ରହ କାମ ଆରମ୍ଭ କଲେ ।

ବର୍ତ୍ତମାନ ତାଙ୍କର ଏହି ବିହନ ସଂଗ୍ରହାଳୟ ୨୫ ବର୍ଷ ପୂରଣ କରିସାରିଛି । ଏହି ସଂଗ୍ରହାଳୟ ମାଧ୍ୟମରେ ସେ ବିହନ ସଂରକ୍ଷଣ ସହ ଚାଷୀଙ୍କୁ ଦେଶୀ ବିହନ ଯୋଗାଇବା ଓ ଜୈବିକ ପ୍ରଣାଳୀରେ ଚାଷ କରିବା ପାଇଁ ଚାଷୀଙ୍କୁ ସହାୟତା କରିଥାନ୍ତି। ବିହନ ସଂରକ୍ଷଣ ପାଇଁ ଏକ ଅଭିନବ ବିହନ ବ୍ୟାଙ୍କ୍ ଖୋଲିଛନ୍ତି। ଯେଉଁଠି ଜୈବିକ ପ୍ରଣାଳୀରେ ଚାଷ କରାଯାଇଥିବା ଧାନ ଜାତୀୟ ବିହନ, ତୈଳ ଜାତୀୟ ବିହନ, ପରିବା ବିହନ ସବୁ ରଖାଯାଏ।

ସହଜ ନଥିଲା ତାଙ୍କର ଏହି ଯାତ୍ରା

ସୁଦାମ ଯେତେବେଳେ ଜୈବିକ ପ୍ରଣାଳୀରେ ଚାଷ କରିବା ଆରମ୍ଭ କଲେ ସେ ଜୈବିକ ସାର କହିଲେ କେବଳ ଗୋବର ଖତର ବ୍ୟବହାର ବିଷୟରେ ଅବଗତ ଥିଲେ । ଏଣୁ ପ୍ରଥମ ବର୍ଷ ଚାଷରେ ଅମଳ ପରେ ୧୫ କ୍ଵିଣ୍ଟାଲର କ୍ଷତି ସହିଥିଲେ। ମାତ୍ର ପରେ ସେ ଏଥିରେ ବିଭିନ୍ନ ରିସର୍ଚ୍ଚ କରି ପୁରୁଖା ଲୋକଙ୍କ ସହ ଆଲୋଚନା କରି ପାରମ୍ପରିକ ଜ୍ଞାନକୌଶଳ ବ୍ୟବହାର କରି ବର୍ତମାନ ଦେଶୀ ବିହନ ପାଇଁ ୩୫ ପ୍ରକାରର କୀଟନାଶକ ଓ ୬୫ ପ୍ରକାରର ଜୈବିକ ସାର ପ୍ରସ୍ତୁତ କରିପାରିଛନ୍ତି। ଏସବୁ ବାଦ ୧୨୦୦ ପ୍ରକାରର ଧାନ ଓ ଅଣଧାନ ଜାତୀୟ ବିହନ ସଂଗ୍ରହ କରିପାରିଛନ୍ତି ।

ସୁଦାମ କୁହନ୍ତି, ସେ ୨୦୧୪ ମସିହାରୁ ଦେଶୀ ବିହନ ସହ ଦେଶୀ ଜ୍ଞାନର ସଂରକ୍ଷଣ କରୁଛନ୍ତି । ତାଙ୍କ କହିବା ମୁତାବକ ଆଗରୁ ଚାଷୀ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିଲା। ସେତେବେଳେ କୌଣସି ରାସାୟନିକ ସାର କିମ୍ବା କୀଟନାଶକ ଔଷଧ ନଥିଲା । ପୂର୍ବପୁରୁଷ ମାନେ ପାରମ୍ପରିକ ଜ୍ଞାନକୌଶଳ ବ୍ୟବହାର କରି ଏହାର ଉପାୟ କାଢ଼ିଥିଲେ। ଏହାଦ୍ବାରା ମାଟିର ଉର୍ବରତା ନଷ୍ଟ ହେଉନଥିଲା ଓ ଭଲ ଫସଲ ଫଳୁଥଲା। ସେ କୁହନ୍ତି, କିଛି ପାରମ୍ପରିକ ଢଗ ରହିଛି ଯେପରି ” ପୁନର୍ବସୁରେ ଧାନ ବୁଣା, ଚଢ଼େଇ ଖାଏ ଗୁଣା। ଏହାର ଅର୍ଥ ହେଉଛି ପୁନର୍ବସୁ ନକ୍ଷାତ୍ର ଲାଗିଥିଲେ ଧାନର ଯେତେ ଯତ୍ନ ନେଲେ ମଧ୍ୟ ଏହା ଭଲ ଅମଳ ଦେଇ ନଥାଏ।

ଏହି ୨୫ ବର୍ଷ ଭିତରେ ସୁଦାମ ବିହନ ସଂରକ୍ଷଣ ସହ ଅନେକ ନୂତନ କିସମର ବିହନ ମଧ୍ୟ ଆବିଷ୍କାର କରିଛନ୍ତି। ଯେଉଁଥିରେ ଆଠ ପ୍ରକାରର ଧାନ ଯେପରି- କୁସୁମ କଲି ୧, କୁସୁମ କଲି, ବାସୁମତି, ସୁନାହରିଣ, ଅନୁଭବ – ୧, ଅନୁଭବ – ୨, ଅନୁଭବ – ୩, ଅନୁଭବ – ୪ । ଏହି ବିହନ ସଂଗ୍ରହାଳୟରେ ତୈଳ ଜାତୀୟ ବିହନ ସାଙ୍ଗକୁ , ମୁଢ଼ି ପାଇଁ ,ଚୁଡ଼ା ପାଇଁ ଭିନ୍ନ ଧରଣର ଧାନର ବିହନ , ବାସ୍ନାଯୁକ୍ତ ଚାଉଳ ପାଇଁ ଅଲଗା କିସମର ବିହନ, ସରୁଆ ଚାଉଳ ଯୁକ୍ତ ବିହନ,ଅଧିକ ଚାଉଳ ଉତ୍ପାଦନ କିସମର ବିହନ ମଧ୍ୟ ସେ ରଖିଛନ୍ତି। ସୁଦାମ କୁହନ୍ତି, ତାଙ୍କ ସଂଗ୍ରହାଳୟରେ ଏପରି କିଛି କିସମର ବିହନ ଅଛି ଯାହା ପାଣି ରେ ବୁଡି ରହିଲେ ମଧ୍ୟ ଏହାର କିଛି କ୍ଷତି ହେବନାହିଁ । ଯେପରି ଜଳବୁଡି , ଲଏ ଗହନି ଭଳି କିଛି କିସମର ବିହନ ଅଛି ଯାହାର କେଣ୍ଢା ଫସଲ ଧରିବା ବେଳକୁ ୧୦ ରୁ ୨୦ ଫୁଟ ଉଚ୍ଚ ହୋଇଥାଏ , ଏଣୁ ଏସବୁ ପାଣିରେ ବୁଡି ରହିଲେ ଫସଲର କିଛି କ୍ଷତି ହୋଇନଥାଏ ।

ଉଦାହରଣ ସାଜିଛନ୍ତି ସୁଦାମ

ବର୍ତ୍ତମାନ ଦେଶରେ ସିକ୍କିମ ରାଜ୍ୟକୁ ପ୍ରଥମ ଜୈବିକ ଚାଷର ରାଜ୍ୟ ଭାବେ ମାନ୍ୟତା ଦିଆଯାଇଛି । ଏଠି ସମ୍ପୂର୍ଣ୍ଣ ପାରମ୍ପରିକ ପଦ୍ଧତିରେ ଜୈବିକ ଚାଷ କରାଯାଉଛି। ଏହାର ଉଦାହରଣ ଦେଇ ସୁଦାମ କହିଛନ୍ତି ଯଦି ଓଡ଼ିଶା ରାଜ୍ୟର ଚାଷୀମାନେ ମଧ୍ୟ ଏହିପରି ଜୈବିକ ଚାଷ କରି ଲାଭବାନ ହୋଇପାରିବେ। ଅନେକଙ୍କର ଭୁଲ ଧାରଣା ରହିଛି ଯେ ଜୈବିକ ଚାଷରେ ଅମଳ କମ ହୁଏ କିନ୍ତୁ ଏହି ଧାରଣା ସଂପୂର୍ଣ୍ଣ ଭୁଲ । ବରଂ ରାସାୟନିକ ସାର ମାଟିର ଉର୍ବରତାକୁ ନଷ୍ଟ କରୁଛି ଏବଂ ବାୟୁମଣ୍ଡଳକୁ ମଧ୍ୟ ଦୂଷିତ କରୁଛି ।

ସେ କୁହନ୍ତି ଏହି ବିହନରୁ ୨୦୨୩ ବର୍ଷରେ ତାଙ୍କର ୮୦ ଲକ୍ଷ ଓ ୨୦୨୪ ବର୍ଷରେ ୫୦- ୬୦ ଲକ୍ଷ ଆୟ ହୋଇଥିଲା। ୨୦୨୪ ବର୍ଷରେ ପରିମାଣ କମ ହୋଇଥିଲେ ସୁଦ୍ଧା ଏବର୍ଷ ଏହା ବଢିବ ବୋଲି ସେ ଏବେଠାରୁ ଅନୁମାନ ଲଗାଇଛନ୍ତି।

ଜୈବକ ସାର ପ୍ରୟୋଗର ଏକ ଉଦାହରଣ ଦେଇ ସେ କୁହନ୍ତି, ୨୦୧୪ ବର୍ଷରେ ରାଜ୍ୟ ସରକାରଙ୍କ ଆଳୁ ମିଶନରେ ଲଗାଯାଇଥିବା ଗଛ ସବୁ ମାରିବାକୁ ବସିଥିଲା। ତାଙ୍କ ଦ୍ୱାରା ପ୍ରସ୍ତୁତ ଜୈବିକ ପ୍ରଣାଳୀର ଔଷଧ ପ୍ରୟୋଗ କରି ଚାଷୀଙ୍କ ଶସ୍ୟକୁ ରକ୍ଷା କରାଯାଇପାରିଥିଲା।

ସୁଦାମଙ୍କୁ ଏହି ବିହନ ସଂରକ୍ଷଣ କାମରେ ତାଙ୍କ ସ୍ତ୍ରୀ ଶାନ୍ତିଲତା ସାହୁ ଓ ମା ସାହାଯ୍ୟ କରିଆସୁଛନ୍ତି । ଏପରିକି ତାଙ୍କ ଅନୁପସ୍ଥିତିରେ ସେମାନେ ବିହନ ସଂଗ୍ରହ ଓ ସଂରକ୍ଷଣର ସମସ୍ତ ଦାୟିତ୍ବ ତୁଲାଇଥାନ୍ତି। ପୁରୀ ଶ୍ରୀଜଗନ୍ନାଥଙ୍କ ପାଖରେ ହେଉଥିବା ଅଭଡା ଭୋଗ ପାଇଁ ଏବେ ଜୈବିକ ଚାଷରେ କରାଯାଉଥିବା ଚାଉଳ ବ୍ୟବହାର ହେବ । ସେ କହିଥିଲେ ଶ୍ରୀଜଗନ୍ନାଥଙ୍କ ପାଖରେ କୋଠଭୋଗ ଓ ଷାଠିଏ ପଉଟି ଭୋଗ ଲାଗିହୋଇଥାଏ। ଏଥିରେ ଅନ୍ନ ପାଇଁ ବ୍ୟବହୃତ ହେଉଥିବା ଚାଉଳ ଜୈବିକ ନୁହେଁ ବରଂ ରାସାୟନିକ ସାର ପ୍ରୟୋଗ ଦ୍ୱାରା ପ୍ରସ୍ତୁତ ଚାଉଳ ବ୍ୟବହାର ହେଉଛି । ନିକଟରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସେ ସରକାରଙ୍କୁ ଅନୁରୋଧ କରି ରାସାୟନିକ ଚାଉଳ ବଦଳରେ ଜୈବିକ ଚାଷରେ ପ୍ରସ୍ତୁତ ଚାଉଳ ବ୍ୟବହାର କରିବାକୁ ଅନୁରୋଧ କରିଛନ୍ତି । ତାଙ୍କ ପ୍ରସ୍ତାବରେ ମୁଖ୍ୟ ଶାସନ ସଚିବ ଅରବିନ୍ଦ ପାଢ଼ୀ ରାଜି ହୋଇଛନ୍ତି। ଏହା ଲାଗୁ ହେଲେ ଶ୍ରୀମନ୍ଦିରରେ ଜୈବିକ ଚାଷର ଚାଉଳ ରେ ଅଭଡା ରନ୍ଧା ହେବ ଏବଂ ଏହାଦ୍ୱାରା ଅନେକ ଚାଷୀ ଲାଭବାନ ହେବେ ।

Leave a Reply

Your email address will not be published. Required fields are marked *