ବୟସ୍କଙ୍କୁ ଆପଣାର କରିପାରିଲେ ପରିବାରରେ ସୁଦୃଢ ହେବ ସଂପର୍କ

ଗାଁ ଓ ସହର ସବୁଠି ବୟସ୍କମାନେ ପରିବାରରେ ଏକାକୀ,  ଅଲୋଡା ଓ ଉପେକ୍ଷିତ ମନେ କରିଥାଆନ୍ତି । ଏକ ପରିସଂଖ୍ୟାନ ଅନୁସାରେ ୨୦୨୫ ବର୍ଷରେ ଦେଶରେ  ମୋଟ ଜନସଂଖ୍ୟାର ୧୨ ପ୍ରତିଶତଙ୍କ ବୟସ ୬୦ ବର୍ଷରୁ ଉର୍ଦ୍ଧ୍ୱ ଥିବାବେଳେ ୨୦୫୦ ବର୍ଷ ବେଳକୁ ବୟସ୍କଙ୍କ ସଂଖ୍ୟାରେ ଯଥେଷ୍ଟ ବୃଦ୍ଧି ଘଟିବ । ତେବେ ବୟସ୍କ ଓ ଯୁବବର୍ଗଙ୍କ ମଧ୍ୟରେ ଥିବା ବ୍ୟବଧାନକୁ ଦୂର କରବା ସହ ଉଭୟଙ୍କ ମଧ୍ୟରେ ସୁସଂପର୍କ ସୃଷ୍ଟି ହୋଇ ପାରିଲେ ଏହି ସମସ୍ୟାକୁ ଅନେକାଂଶରେ କମ କରାଯାଇପାରିବ ।

 

ରଂଗଲତା ବାରିକ (ଆବଶ୍ୟକତା ଦୃଷ୍ଟିରୁ ନାମ ପରିବର୍ତ୍ତନ )ଙ୍କ ବୟସ ପାଖାପାଖି ୭୦ ଛୁଇଁଲାଣି । ବୟସ ଅଧିକ ହେତୁ ଘର କାମରେ ଆଉ ସାହାଯ୍ୟ କରି ପାରୁନାହାନ୍ତି । ପୁଣି ସବୁ ବେଳେ ଦେହ ଖରାପ ରହୁଥିବାରୁ ପରିବାର ଉପରେ ସେ ଏକପ୍ରକାରର ବୋଝ ।  ଚାରୋଟି ପିଲା ଜନ୍ମ କରିଥିଲେ ବି ବୟସାର୍ଦ୍ଧରେ ତାଙ୍କୁ ପାଖରେ ରଖିବାକୁ କେହି ରାଜି ନୁହନ୍ତି । ଏଣୁ ପିଲାମାନେ ନିଷ୍ପତି ନେଲେ ଭୁବନେଶ୍ୱରର ଏକ ବୃଦ୍ଧାଶ୍ରମରେ ତାଙ୍କୁ ଛାଡି ଦେଇ ଆସିବେ । ଗାଁରୁ ପ୍ରାୟ ୭୦-୮୦ କିଲୋମିଟର ଦୂର ହେତୁ ସେ ଆଉ ସହଜରେ ଗାଁ କୁ ଫେରିପାରିବେ ନାହିଁ । ବୃଦ୍ଧାଶ୍ରମରେ ତାଙ୍କ ରହିବା ଖାଇବା ବ୍ୟବସ୍ଥା ହେଉଥିବାରୁ ରଂଗଲତା ପାଉଥିବା ବାର୍ଦ୍ଧକ୍ୟ ଭତାରେ ସେ ତାଙ୍କର ଅନ୍ୟ ଆବଶ୍ୟକତା ସବୁ ପୂରଣ କରିପାରିବେ ବୋଲି ଭାବି ତାଙ୍କ ପୁଅ ବୋହୁ ଭୁବନେଶ୍ୱରର ଏକ ବୃଦ୍ଧାଶ୍ରମରେ ଛାଡିଦେଇ ଆସିଲେ । ଆଜିକୁ ପ୍ରାୟ ୬-୭ ବର୍ଷ ହେବ ଏହି ବୃଦ୍ଧାଶ୍ରମ ହିଁ ତାଙ୍କର ସ୍ଥାୟୀ ଠିକଣା । ଏକା ରଂଗଲତା କାହିଁକି ତାଙ୍କ ଭଳି ଅନେକ ବୟସ୍କ ପୁରୁଷ ଓ ମହିଳାଙ୍କର ରହିବାର ଠିକଣା ହେଉଛି ଏହି ବୃଦ୍ଧାଶ୍ରମ । ହେଲେ ଏଠାକୁ ଆସିବା ପଛର କାହାଣୀ ସମସ୍ତଙ୍କର କିଛିଟା ଅଲଗା । କାହା ପରିବାରରେ ଆର୍ଥିକ ସମସ୍ୟା ଯୋଗୁଁ ପିଲାମାନେ ଏଠାକୁ ପଠାଇ ଦେଉଛନ୍ତି ତ ପୁଣି କାହା ଘରେ ପିଲାମାନେ ସ୍ୱାଧୀନ ଭାବେ ବଞ୍ଚିବା ପାଇଁ  ଚାହୁଁଥିବାରୁ ସେମାନେ ବାପାମାଙ୍କୁ ଆଣି ଏହି ବୃଦ୍ଧାଶ୍ରମରେ ଛାଡିଦେଉଛନ୍ତି  ପୁଣି କେତେକ କ୍ଷେତ୍ରରେ ବୟସ୍କମାନେ ଘରର ଜଞ୍ଜାଳ ସହିନପାରି ଏଇ ବୃଦ୍ଧାଶ୍ରମକୁ ଚାଲିଆସୁଛନ୍ତି ।

ବୟସ୍କମାନେ କେବଳ ଯେ ଗାଁରେ ସମସ୍ୟାର ସାମନା କରନ୍ତି ତା ନୁହେଁ, ଗାଁରେ ବୟସ୍କଙ୍କ ସମସ୍ୟା ତୁଳନାରେ ସହରରେ ରହୁଥିବା ବୟସ୍କଙ୍କ ସମସ୍ୟା ଆଉଟିକେ  ଭିନ୍ନ । ସହରରେ ବିଶେଷକରି କ୍ଷୁଦ୍ର ପରିବାର ଯୋଗୁଁ ବୟସ୍କମାନେ ଅନେକ ସମୟରେ ଅଲୋଡା ଓ ଉପେକ୍ଷିତ ମନେ କରିଥାଆନ୍ତି । ବୟସର ଅପରାହ୍ନରେ ପହଞ୍ଚିଥିବା ରୁଦ୍ର ପ୍ରସନ୍ନ ଦାସ କୁହନ୍ତି, ଅନେକ ପରିବାରରେ ପିଲାମାନେ ନିଜ କ୍ୟାରିୟର ପାଇଁ ରାଜ୍ୟ ବାହାରେ ରହିବାକୁ ବାଛିଥିବାରୁ ସେମାନଙ୍କ ବାପାମାମାନେ ବୟସାର୍ଦ୍ଧରେ ଏକାକୀ ଅନୁଭବ କରୁଛନ୍ତି । ସ୍ୱାମୀ ସ୍ତ୍ରୀ ଦୁହେଁ ବଂଚିଥିବା ଯାଏଁ ଜୀବନ କଟିଯାଉଛି କିନ୍ତୁ ଜଣଙ୍କ ବିୟୋଗରେ ଅନ୍ୟଜଣଙ୍କ ଜୀବନ ଦୁର୍ବିସହ ହୋଇପଡୁଛି । ସେତେବେଳେ ଶାରିରୀକ ସାଙ୍ଗକୁ ମାନସିକ ସମସ୍ୟା ମଧ୍ୟ ଉପୁଜୁଛି ।

ଏକକ ତୁଳନାରେ ଯୌଥ ପରିବାର ଭଲ

ଏକକ ପରିବାରରେ ବୟସ୍କମାନେ ବେଶୀ ଏକାକୀ ଅନୁଭବ କରୁଥିବାବେଳେ ଯୈାଥ ପରିବାରରେ କିନ୍ତୁ ଏ ସମସ୍ୟା ଅନେକାଂଶରେ କମ । ପରିବାରର ନାତିନାତୁଣୀ ମାନେ ବୟସ୍କଙ୍କ ସାଙ୍ଗରେ ସମୟ ବିତାଇବା ସହ ସେମାନଙ୍କ ଯତ୍ନ ନେବା ଯୋଗୁଁ ବୟସ୍କଙ୍କ ଏକାକୀତ୍ୱ ଦୂର ହେବା ଦେଖାଯାଉଛି । ତେବେ ବୟସ୍କଙ୍କ ମଧ୍ୟରେ ପୁରୁଷଙ୍କ ତୁଳନାରେ ମହିଳାମାନେ ଅଧିକ ନିର୍ଯାତନାର ଶିକାର ହୋଇଥାଆନ୍ତି । ବିଶେଷଜ୍ଞଙ୍କ ମତରେ ବୟସ, ସ୍ଥାନ, ସ୍ୱାସ୍ଥ୍ୟଗତ  ସମସ୍ୟା ଓ ଆର୍ଥିକ ଅବସ୍ଥାକୁ ନେଇ ଉଭୟ ପୁରୁଷ ଓ ମହିଳାଙ୍କ ନିର୍ଯାତନାର ହାର ଭିନ୍ନ ହୋଇଥାଏ । ସହରରେ ରହୁଥିବା ଉଭୟ ପୁରୁଷ ଓ ମହିଳା ଏକାକୀ ଓ ନିଃସଙ୍ଗ ଜୀବନ ବିତାଉଥିବା ବେଳେ ଗାଁରେ ରହୁଥିବା ପୁରୁଷ ଓ ମହିଳାଙ୍କ ସମସ୍ୟା ଭିନ୍ନ ହୋଇଥାଏ । ତେବେ ଉଭୟ ଅସହାୟ ଓ ଆର୍ଥିକ କ୍ଷେତ୍ରରେ ପରିବାରର ଅନ୍ୟ ସଦସ୍ୟଙ୍କ ଉପରେ ନିର୍ଭର ରହୁଥିଲେ ସେମାନଙ୍କ ପ୍ରତି ନିର୍ଯାତନାର ମାତ୍ରା ଅଧିକ ହୋଇଥାଏ ।

ଏକ ଜାତୀୟ ସ୍ତରର ସର୍ଭେ ଅନୁସାରେ ଦେଶରେ ପ୍ରତି ୪ଜଣରେ ଜଣେ ବରିଷ୍ଠ ନାଗରିକ ନିର୍ଯାତନାର ଶିକାର ହେଉଛନ୍ତି । ବୟସର ଅପରାହ୍ନରେ ଅଧିକାଂଶ ବୟସ୍କଙ୍କୁ ନିଃସଙ୍ଗ ଜୀବନ କାଟିବାକୁ ପଡୁଛି । ଓଡ଼ିଶାରେ ବରିଷ୍ଠ ନାଗରିକମାନଙ୍କ ସ୍ଥିତି ପରଖିଲେ ଭୁବନେଶ୍ୱରରେ ଏହାର ଉଦାହରଣ ଅଧିକ ଦେଖିବାକୁ ମିଳୁଛି ।  ପିଲାମାନେ ବିଭିନ୍ନ କାରଣ ଯୋଗୁଁ ପାଖରେ ରହୁନଥିବାରୁ ବୟସ୍କମାନେ ଶାରିରୀକ, ମାନସିକ ଓ ଆର୍ଥିକ ନିର୍ଯାତନାର ଶିକାର ହେଉଛନ୍ତି ।  ହେଲପେଜ ଇଣ୍ଡିଆ ନାମକ ଜାତୀୟ ସ୍ତରର ଏକ ସ୍ୱେଚ୍ଛାସେବୀ  ସଂସ୍ଥା ନପକ୍ଷରୁ ଦେଶର ୧୦ଟି ମେଟ୍ରୋ ଓ ବଡ ସହରରେ ରହୁଥିବା ପ୍ରାୟ ୬ହଜାର ଲୋକ (ଉଭୟ ଯୁବବର୍ଗ ଓ ବୟସ୍କଙ୍କୁ) ନେଇ କରାଯାଇଥିବା ଏକ ସର୍ଭେ ରେ ଦର୍ଶାଯାଇଛି ଯେ ଯଦିଓ ବର୍ତ୍ତମାନ ଦେଶରେ ଯୁବବର୍ଗଙ୍କ ସଂଖ୍ୟା ଅଧିକ କିନ୍ତୁ ଭାରତରେ ଧିରେ ଧିରେ ବୟସ୍କଙ୍କ ସଂଖ୍ୟା ବଢିବାରେ ଲାଗିଛି । ୨୦୨୫ ବର୍ଷରେ ଦେଶରେ  ମୋଟ ଜନସଂଖ୍ୟାର ୧୨ ପ୍ରତିଶତଙ୍କ ବୟସ ୬୦ ବର୍ଷରୁ ଉର୍ଦ୍ଧ୍ୱ ଥିବାବେଳେ ୨୦୫୦ ବର୍ଷ ବେଳକୁ ଏହି ସଂଖ୍ୟା ୧୯ ପ୍ରତିଶତରେ ପହଂଚିବ । ପୁଣି ବର୍ତ୍ତମାନ ବିଶ୍ୱର ସବୁଠାରୁ ଅଧିକ ଯୁବବର୍ଗ ଭାରତରେ ଥିବାବେଳେ ୨୦୫୦ ବେଳକୁ ବୟସ୍କଙ୍କ ସଂଖ୍ୟାରେ ବୃଦ୍ଧି ଘଟିବ । ତେବେ ବୟସ୍କ ଓ ଯୁବବର୍ଗଙ୍କ ମଧ୍ୟରେ ଥିବା ବ୍ୟବଧାନକୁ ଦୂର କରିପାରିଲେ ଏହି ସମସ୍ୟାକୁ ଅନେକାଂଶରେ କମ କରାଯାଇପାରିବ  ବୋଲି ଏହି ସର୍ଭେରେ କୁହାଯାଇଛି । ଏଥିରେ ଭାଗ ନେଇଥିବା ଅନେକ ଯୁବବର୍ଗ କହିଛନ୍ତି ଯେ, ବୟସ୍କମାନେ ଏକାକୀ, ଅନ୍ୟ ଉପରେ ନିର୍ଭରଶୀଳ, କିନ୍ତୁ ସେମାନେ ବୁଦ୍ଧିମାନ ଏବଂ ସମ୍ମାନନୀୟ ।

 

ସମାଧାନର ବାଟ

ବୟସ୍କ ଓ ଯୁବବର୍ଗଙ୍କ ମଧ୍ୟରେ ମାନସିକ ସ୍ତରରେ  ବ୍ୟବଧାନ ସାଙ୍ଗକୁ  ଉଭୟଙ୍କ ପ୍ରତି ଶ୍ରଦ୍ଧା ଓ ଆଦର ରହିଛି । ତଥାପି ସମାଜରେ ବୟସ୍କମାନଙ୍କ ପ୍ରତି ଅତ୍ୟାଚାର ବଢିବାରେ ଲାଗିଛି । ଏହାକୁ କମ କରିବା ପାଇଁ ବିଭିନ୍ନ ସ୍ତରରେ ସଚେତନତା ସାଙ୍ଗକୁ କେତେକ କାର୍ଯ୍ୟକ୍ରମ ହାତକୁ ନେବାକୁ ଗୁରୁତ୍ୱ ଦିଆଯାଇଛି । ବିଶେଷକରି ବୟସ୍କଙ୍କ ପାଇଁ ସ୍ୱାସ୍ଥ୍ୟ କ୍ଷେତ୍ରରେ ସ୍ୱତନ୍ତ୍ର ସୁବିଧା ପ୍ରଦାନ ସହରାଞ୍ଚଳରେ ବିଭିନ୍ନ ବିଭାଗରେ ସେମାନଙ୍କ ଲାଗି ସ୍ୱତନ୍ତ୍ର ଡେସ୍କର ବ୍ୟବସ୍ଥା, ପ୍ରତି ଜିଲ୍ଲାରେ ଆବାସିକ ବୃଦ୍ଧାଶ୍ରମ ନିର୍ମାଣ, ବିଭିନ୍ନ ସ୍ଥାନରେ ଥିବା ବୃଦ୍ଧାଶ୍ରମରେ ରହୁଥିବା ବୟସ୍କମାନଙ୍କର ନିୟମିତ ଡାକ୍ତରୀ ପରୀକ୍ଷା ଆଦି କରାଇବା ଉପରେ ପ୍ରଶାସନ ଦୃଷ୍ଟି ଦେବାକୁ ବୟସ୍କମାନଙ୍କର ବିଭିନ୍ନ ସଂଗଠନ ପକ୍ଷରୁ ଦାବି କରାଯାଇଛି । ସେମାନେ ଆହୁରି ମଧ୍ୟ ଦାବି କରିଛନ୍ତି ଯେ ସହରରେ ଏକାକୀ ରହୁଥିବା ଅନେକ ବୟସ୍କ ଲୋକ ଏବେ ସାଇବର ଠକେଇର ଶିକାର ହେବା ଦୃଷ୍ଟିକୁ ଆସୁଛି  । ଏସବୁକୁ ରୋକିବା ଓ ବୟସ୍କମାନଙ୍କୁ ଏ ଦିଗରେ ସଚେତନ କରିବା ପାଇଁ ପୁଲିସ ଓ ପ୍ରଶାସନ ପକ୍ଷରୁ ନିୟମିତ ବିଭିନ୍ନ କାର୍ଯ୍ୟକ୍ରମ ମାନ ହାତକୁ ନେବା ଆବଶ୍ୟକ । ସହର ଭଳି ଗାଁରେ ରହୁଥିବା ବୟସ୍କମାନଙ୍କ ସବୁଠାରୁ ବଡ ସମସ୍ୟା ହୁଏ ନିଜ ଗାଁରୁ ୩-୪ କିମ ଦୂର ଚାଲି ଚାଲି ନଚେତ ଘୋଷାରି ଘୋଷାରି ଯାଇ ବାର୍ଦ୍ଧକ୍ୟ ଭତା  ଓ ରାସନ ଚାଉଳ ଆଣିବା । ଅନେକ ସମୟରେ ଟେଲିଭିଜନ ଓ ସୋସିଆଲ ମିଡିଆରେ ପ୍ରସାରିତ ହୋଇଥିବା ଏଭଳିି ଫଟୋ ଓ ଖବର ଦେଖଣାହାରୀଙ୍କ ମନକୁ ଆନ୍ଦୋଳିତ କରିଥାଏ । ଏସବୁକୁ ରୋକିବା ପାଇଁ ସେମାନଙ୍କ ଘରେ ଭତା ଓ ରାସନ ପଇଠ କରିବାପାଇଁ  ବିଶେଷଜ୍ଞମାନେ ଜୋର ଦେଇଛନ୍ତି ।

ବିଶେଷଜ୍ଞଙ୍କ ମତରେ ବର୍ତ୍ତମାନର ବଦଳୁଥିବା ପରିସ୍ଥିତିରେ ବୟସ୍କ ଓ ଯୁବବର୍ଗଙ୍କ ମଧ୍ୟରେ ବଢୁଥିବା ବ୍ୟବଧାନକୁ ରୋକିବା ସହ ବୟସ୍କମାନଙ୍କୁ ଦୃଷ୍ଟିରେ ରଖି ବ୍ୟବସ୍ଥା କରାଗଲେ ସେମାନେ ଏକ ସୁରକ୍ଷିତ ଓ ଶୃଙ୍ଖଳିତ ଜୀବନ ଜିଇଁପାରିବେ । ବୟସ୍କମାନଙ୍କୁ ଟେକ୍ନୋଲୋଜୀ କ୍ଷେତ୍ରରେ ନିୟମିତ ସଚେତନ କରିବା, ସେମାନଙ୍କ ବିଦ୍ୟୁତ ବିଲ ପଇଠ କରିବା, ରାସନ ଓ ଭତା ସଂଗ୍ରହ କରିବା ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଓ ଆମୋଦପ୍ରମୋଦର ବ୍ୟବସ୍ଥା କରାଗଲେ ସେମାନଙ୍କ ପ୍ରତି ହେଉଥିବା ନିର୍ଯାତନା ଅନେକାଂଶରେ କମ ହୋଇପାରିବ  ଓ ସେମାନେ ଏକ ଶୃଙ୍ଖଳିତ ଜୀବନ ଜିଇଁ ପାରିବେ ।

Leave a Reply

Your email address will not be published. Required fields are marked *