ଘରେ ବା ମନ୍ଦିରରେ ଠାକୁରଙ୍କୁ ଗେଣ୍ଡୁଫୁଲ ଦେବା ବେଳେ ଆପଣଙ୍କ ମନକୁ ବୋଧହୁଏ କେବେ ଆସିନଥିବ ଯେ ଏ ଫୁଲ କେଉଁଠାରୁ ଆସିଛି । କିନ୍ତୁ ପ୍ରକୃତରେ ଏ ମହକ ଆସୁଛି ରାୟଗଡା ଜିଲ୍ଲାରୁ । ଜିଲ୍ଲାର ଅଧିକାଂଶ ମହିଳା ଚାଷୀଙ୍କ କ୍ଷେତରେ ଏବେ ଗେଣ୍ଡୁ ଫୁଲ,ଗ୍ଲାଡୁଲା ଓ ସେବତୀ ଝଲସୁଛି । ଗତ କିଛି ବର୍ଷ ହେବ ଗାଁର ମହିଳା ଚାଷୀ ମାନେ ଶୀତ ଋତୁ ଆସିଗଲେ ଫୁଲ ଚାଷ କରି ଯେ ନିଜର ରୋଜଗାର ବଢାଇଛନ୍ତି ତା ନୁହେଁ ରାଜ୍ୟର ଫୁଲ ଚାଷର ଚାହିଦାକୁ ମଧ୍ୟ ମେଟାଂଉଛନ୍ତି । ଏକାକୀ ମହିଳାଙ୍କୁ ସମ୍ମାନ ଦେଉନଥିବା ପରିବାର ଲୋକେ ଏବେ ଏହି ଫୁଲ ଉଦ୍ୟୋଗୀଙ୍କୁ ସାଦରେ ଗ୍ରହଣ କରିଛନ୍ତି, କାରଣ ସେମାନେ ଫୁଲ ଚାଷ କରି ବେଶ ଭଲ ରୋଜଗାର କରିପାରୁଛନ୍ତି ।
ଭୁବନେଶ୍ୱର ;
ତାଙ୍କ କ୍ଷେତରେ ଏବେ ଝଲସୁଛି ଗେଣ୍ଡୁ ଫୁଲ । ରାୟଗଡା ଜିଲ୍ଲା ଗାଡିସେସ୍କାଲ ପଂଚାୟତର ଏକର ଏକର ଜମିରେ ଏବେ ଗେଣ୍ଡୁ ଫୁଲର ସମାହାର । ଯାହାର ଚାଷ କରିବାଠୁଁ ନେଇ ବିକ୍ରି କରିବା ପର୍ଯ୍ୟନ୍ତ ସବୁ କାମ କରନ୍ତି ଏଠାକାର ଆଦିବାସୀ ମହିଳା ମାନେ ଯେଉଁମାନଙ୍କ ମଧ୍ୟରୁ ଅଧିକାଂଶ ଏକାକୀ ମହିଳା । କାହାର ସ୍ୱାମୀ ଛାଡିଦେଇଛନ୍ତି ବା କେହି ବାହା ହୋଇନାହାନ୍ତି । ଏବିଷୟରେ ମମତି ପେଦେନୀ କୁହନ୍ତି; ଏକାକୀ ମହିଳା ହେତୁ ପରିବାରର ଚାଷ ଜମିରେ ସେମାନଙ୍କୁ ଭାଗିଦାରୀ ମିଳେନାହିଁ । ଫୁଲ ଚାଷପାଇଁ ମାତ୍ର ୧୦ ଡେସିମିଲ ଜାଗା ଦେବାକୁ ବି ଘର ଲୋକେ ଅରାଜି ହେଉଥିଲେ । ପ୍ରଥମେ ଯେବେ ଫୁଲ ଚାଷ ପାଇଁ ବାପା ଭାଇଙ୍କୁ କହିଲି ସେମାନେ ଅନେକ କଥା ଶୁଣେଇଲେ । ଫୁଲ ଚାଷ କଲେ କଣ ପେଟ ପୁରିବ ବୋଲି ଓଲଟା ପ୍ରଶ୍ନ କଲେ । ପଇସା ମାଗିବାରୁ ଆମେ କ’ଣ ତୋତେ ଖାଇବାକୁ ଦେଉନୁ ବୋଲି କହି ଟାହି ଟାପରା କଲେ । ତଥାପି ମୁଁ ଜିଦ୍ ଧରିବାକୁ ୮ ଡେସିମିଲ ଜାଗା ଛାଡିଦେଲେ । ଯଦିଓ ଫୁଲ ଚାଷ କଲି କିନ୍ତୁ ଏହାକୁ ବିକ୍ରି କରିବା ନେଇ ମନରେ ଦ୍ୱନ୍ଦ୍ୱ ଥିଲା । କିନ୍ତୁ ସୁନେଲି ଉତ୍ପାଦକ ଗୋଷ୍ଠୀ ସହାୟତାରେ ସେ ଫୁଲ ବିକ୍ରି କରିପାରିଲେ । ଏବର୍ଷ ସେ ପ୍ରାୟ ୨ ଏକର ଜମିରେ ଫୁଲ ଚାଷ କରିଛନ୍ତି ଓ ଭଲ ଆୟ ହେବାର ଆଶା ମଧ୍ୟ ରଖିଛନ୍ତି ।
ଗତ ତିନି ବର୍ଷ ହେବ ଗାଡିସେସ୍କାଲ ପଂଚାୟତର ଅଧିକାଂଶ ମହିଳା ଫୁଲଚାଷୀଙ୍କ ଜୀବନ ଜୀବିକା ସୁଧୁରିଛି । ଆଉ ଏସବୁ ସମ୍ଭବ ହୋଇ ପାରିଛି ଗେଣ୍ଡୁଫୁଲ ଚାଷ ଯୋଗୁଁ । ପାଖାପାଖି ୪୬ ଟା ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ଫୁଲ ଚାଷ କରି ସେମାନେ ଆତ୍ମ ନିର୍ଭରଶୀଳ ହୋଇପାରିଛନ୍ତି । ଏ ବାବଦରେ ଗାଁର ରୂପଦେଇ ଇନ୍ଦିରା କହନ୍ତି, ଏବେ ଆମେ କେବଳ ସ୍ୱୟଂ ସହାୟକ ଗୋଷ୍ଠୀ ଭିତରେ ନିଜକୁ ଆଉ ସୀମିତ ରଖିନାହୁୁଁ । ସୁନେଲି ପ୍ରଡ୍ୟୁସର ଗ୍ରୁପ୍ କରି କମ୍ପାନୀ ରେଜିଷ୍ଟର କରିଛୁ । ଯେଉଁଠି ଆମ ଆମ୍ବାଗୁଡା ଗାଁ ସହ ଆଖପାଖ ଗାଁର ୧୫୦ ଜଣ ମହିଳା ଚାଷୀ ଅଛନ୍ତି । ଏମାନଙ୍କ ମଧ୍ୟରେ ଅନେକେ ଏକାକୀ ମହିଳା ହେତୁ ଚାଷ ଜମି ପାଇବାର ସମସ୍ୟା ରହିଛି ଏଣୁ ସେମାନେ ୧୦ ଡେସିମିଲ ଜାଗାରେ ଫୁଲ ଚାଷ କରିଛନ୍ତି । ଯେଉଁମାନେ ପରିବାରରୁ ଚାଷ ଜମି ପାଇ ପାରୁନାହାନ୍ତି ସେମାନେ ଭାଗ ଚାଷୀ ଭାବେ କାମ କରୁଛନ୍ତି । ସମସ୍ତେ କିପରି ମିଳିମିଶି ସମସ୍ତଙ୍କର ବିକାଶ କରିବୁ ତାହାହିଁ ଆମର ଲକ୍ଷ୍ୟ ।
ବଢୁଛି ଆୟ
ଆମ୍ବାଗୁଡା ଗାଁର ଇନ୍ଦିରା ହୁଇକା ଯିଏକି ନିଜେ ଏକାକୀ ମହିଳା ଯେତେବେଳେ ମହିଳା ଚାଷୀଙ୍କୁ ନେଇ ଉତ୍ପାଦକ ଗୋଷ୍ଠୀ ଆରମ୍ଭ କଲେ ସେ ଅନେକ ପ୍ରକାରର ସମସ୍ୟାର ସମ୍ମୁଖୀନ ହେଲେ । ତା’ଭିତରୁ ବଡ ସମସ୍ୟା ଥିଲା ଏକାକୀ ମହିଳା ହେତୁ ଚାଷ ଜମି ନଥିଲା କିମ୍ବା ହାତରେ ଅର୍ଥ ନଥିଲା । ସେ କୁହନ୍ତି, କିନ୍ତୁ ସମସ୍ତଙ୍କ ଠାରେ କାମ କରିବାର ବେଶ ଆଗ୍ରହ ଥିଲା । ମାତ୍ର ଏବେ ସୁନେଲି ଉତ୍ପାଦକ ଗୋଷ୍ଠୀ ସାହାଯ୍ୟରେ ସେମାନେ ଉତ୍ପାଦନ କରୁଥିବା ଗେଣ୍ଡୁଫୁଲ ଶ୍ରୀକାକୁଲମ, ବିଜୟନଗରମ, ଜଗଦଲପୁର, ରାୟପୁର ସମେତ ଗୋବିନ୍ଦପୁର, ପୁରୀ, ଭୁବନେଶ୍ୱର ଯାଉଛି । କେତେବେଳେ ଫୁଲ କିଲୋ ପିଛା ୭୦ ଟଙ୍କାରେ ବିକ୍ରି ହେଉଛି ତ ଆଉ କେତେବେଳେ ୧୫୦ ଟଙ୍କା । ଗତ ୨ ବର୍ଷ ମଧ୍ୟରେ ଅନେକ ମହିଳା ନିଜର ବ୍ୟାଙ୍କ ଆକାଉଂଟ ଖୋଲିଲେଣି ଏବଂ କିଛି ସେଥିରେ ଲକ୍ଷେ ଟଙ୍କା ବି ରଖିଲିଣି ।
ଗାଁର ଦେବୀ ପେଦେନି କହନ୍ତି; ଗାଁର ୧୫୦ ଜଣ ମା’ ମିଶି ୭୦ ଏକର ଜାଗାରେ ଗେଣ୍ଡୁ ଚାଷ କରୁଛୁ । ତିନିମାସରେ ଏହା ଫୁଲ ଦେଉଥିବାରୁ ଏହା ପରେ ଆମେ ସୂର୍ଯ୍ୟମୁଖୀ ନଚେତ ବିରି, କୋଳଥ, ପନିପରିବା ଆଦି ଚାଷ କରୁଛୁ । ସବୁଠାରୁ ବଡ କଥା ହେଲା ଫୁଲ ଚାଷରୁ ବାହାରୁଥିବା ଲାଭରେ ଆମେ ଅନ୍ୟ ଚାଷ ପାଇଁ ଟଙ୍କା ସଂଚୟ କରିପାରୁଛୁ । ଆଗରୁ ଜମିରେ ହଳ କରି ସିଧାସଳଖ ମାଣ୍ଡିଆ, କୋଶଳା, ଜୋନା, ଧାନ ଆଦି ବୁଣୁଥିଲୁ । ହେଲେ ଏବେ ଆମେ ସେମିତି କରୁନୁ । ନିୟମିତ ଭାବେ ବ୍ଲକ୍ରେ ମିଟିଂ ହେଉଥିବା ବୈଠକକୁ ଯାଉଛୁ । ସେଠାକୁ ଆସୁଥିବା କୃଷି ଅଧିକାରୀ, ଓଡିଶା ଲାଇଭ୍ଲିହୁଡ ମିଶନ୍ର ଅଧିକାରୀ, ବେସରକାରୀ ସଂସ୍ଥାର ଲୋକଙ୍କ ସହ ସିଧାସଳଖ କଥା ହେଉଛୁ । ସେମାନଙ୍କୁ ଆମ ସମସ୍ୟା କହୁଛୁ । ସେମାନେ ଦେଉଥିବା ସମାଧାନର ବାଟକୁ ନିଜେ ଆପଣାଉଛୁ । ଆଉ ସେଥିରୁ ଲାଭ ମଧ୍ୟ ହେଉଛି । ଘରୁ ପାଦ କାଢ଼ି ବାହାରେ ଆସି ଲୋକଙ୍କୁ ବିଭିନ୍ନ ବିଷୟରେ ପଚାରିବୁଝିବା ଆମ ଭଳି ଅପାଠୁଆଙ୍କ ପାଇଁ ଆଗରୁ ସ୍ୱପ୍ନ ଥିଲା । ହେଲେ ଏବେ ତାହା ସତ ହୋଇଛି ।
ଆଦିବାସୀମାନେ ସାଧାରଣତଃ ଡଙ୍ଗର ଜମିରେ ମାଣ୍ଡିିଆ, ଜହ୍ନା, ସୁଆଁ ଧାନ ଆଦି ଚାଷ କରିଥାନ୍ତି । ଆଉ ସମତଳ ଜାଗାରେ ପନିପରିବା ଆଦି ଚାଷ କରି ନିଜର ଗୁଜୁରାଣ ମେ ।ଉଥିଲେ । ଉଭୟ ପାହାଡିଆ ଓ ଖଣି ଅଂଚଳ ହୋଇଥିବାରୁ ଏଠାରେ ବର୍ଷ ତମାମ ପାଣିର ଅଭାବ ଥାଏ । ଏଥିପାଇଁ ଲୋକେ ଚାଷବାସରୁ ବିମୁଖ ହୋଇ ପେଟପାଟଣା ପାଇଁ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଚାଲି ଯାଉଥିଲେ । ଯେଉଁଠି ସେମାନେ ସ୍ୱଳ୍ପ ବେତନ ଯୁକ୍ତ କାମ ସାଙ୍ଗକୁ ଅଣକୁଶଳୀ କାରିଗର ଭାବେ କାମ କରୁଥିଲେ । ବେଳେ ବେଳେ ସେମାନେ ଚାଷ ପାଇଁ ମହାଜନ ପାଖରୁ ୬୦ରୁ ୧୨୦% ହାରରେ ସୁଧ ଆଣିବାକୁ ବାଧ୍ୟ ହେଉଥିଲେ । ମାତ୍ର ଫୁଲ ଚାଷ ଯୋଗୁଁ ଏବେ ପରିସ୍ଥିତିରେ ସୁଧାର ଆସିଛି ।
ମିଳୁଛି ସମ୍ମାନ
ଦିନଥିଲା ବିଶାଖାପାଟଣା ଓ କଲିକତାରୁ ଫୁଲ ନ ଆସିଲେ ଭୁବନେଶ୍ୱର, କଟକ, ବ୍ରହ୍ମପୁର, ସମ୍ବଲପୁର ଆଦି ଜିଲ୍ଲାର ଫୁଲ ଚାହିଦା ପୂରଣ ହୋଇ ପାରୁନଥିଲା । ଏବେ କିନ୍ତୁ ରାୟଗଡା ଜିଲ୍ଲାର ମହିଳା ଚାଷୀ ମାନଙ୍କ ବିଲର ଫୁଲ ଓଡିଶାର ଅଧିକାଂଶ ଜିଲ୍ଲା ସମେତ ପଡୋଶୀ ବିଶାଖାପାଟଣା, ଅନ୍ଧ୍ରପ୍ରଦେଶ, ଛତିଶଗଡର ଜଗଦଲପୁର ଓ ରାୟପୁରରେ ଫୁଲର ଚାହିଦା ମେଂଟାଉଛି । ରାୟଗଡା ଜିଲ୍ଲାର ଉପାନ୍ତ ଅ ଳର ୮ଟି ପ ।ୟତର ସାଢ଼େ ୪ ହଜାର ମହିଳା ଚାଷୀ ଏବେ ଗେଣ୍ଡୁଫୁଲ ଚାଷ କରି ସ୍ୱାବଲମ୍ବୀ ହୋଇ ପାରିଛନ୍ତି । ଜିଲ୍ଲାର ବାଙ୍କିଲି, ମୁକୁନ୍ଦପୁର, ବଡଛିଲା ପଦର, ଡୁମୁରିଗୁଡା, ଥେରୁବାଲି ଅ ଳର ମହିଳା ଚାଷୀମାନେ ପୂର୍ବରୁ ନିଜର ଡଙ୍ଗର ଜମିରେ ଜହ୍ନା, ମାଣ୍ଡିଆ, ସୁଆଁ କରି ନିଜର ପରିବାର ପୋଷଣ କରୁଥିବା ବେଳେ ଏବେ ସେଠାରେ ଫୁଲ ଚାଷ କରି ସ୍ୱାବଲମ୍ବୀ ହୋଇ ପାରିଛନ୍ତି । ଏଥିପାଇଁ ଓଡିଶା ଲାଇଭ୍ଲିହୁଡ ମିଶନ୍ ପକ୍ଷରୁ ସେମାନଙ୍କୁ ମାଗଣାରେ ଗେଣ୍ଡୁ ଚାରା ଯୋଗାଇ ଦିଆଯାଇଛି । ଚଳିତ ବର୍ଷ ଓଏଲ୍ଏମ୍ ପକ୍ଷରୁ ପାଖାପାଖି ୧୫୦ ଏକର ଜମିରେ ଗେଣ୍ଡୁ ଫୁଲ ଚାଷ କରିବାକୁ ଗେଣ୍ଡୁଚାରା ମାଗଣାରେ ଯୋଗାଇ ଦିଆଯାଇଥିବା ବେଳେ ଚାଷୀଙ୍କ ସୁବିଧା ପାଇଁ କୈଳାସପୁର, ବାଙ୍କିଲି ଓ ଡୁମୁରିଗୁଡାଠାରେ କ୍ଲଷ୍ଟର ନିର୍ମାଣ କରାଯାଇଛି ।
ଏ ବାବଦରେ କୋଲନରା ବ୍ଲକ୍ର ବିଏଲ୍ଏମ ଟୁନା ଖଟେଇ କହିଛନ୍ତି, ଗେଣ୍ଡୁ ଫୁଲ ଚାଷ ପାଇଁ ଆମେ ମହିଳା ଚାଷୀମାନଙ୍କୁ ଚାରା ଯୋଗାଇ ଦେଉଥାଉ । ବାକି ଯତ୍ନ ସେମାନେ ନିଜେ ନେଇଥାନ୍ତି । ଜଣେ ମହିଳା ଚାଷୀ ଫୁଲ ପାଇଁ ଏକର ପିଛା ୧୦ରୁ ୧୨ ହଜାର ଟଙ୍କା ଖର୍ଚ୍ଚ କରୁଥିବା ବେଳେ ସେଥିରୁ ପାଖାପାଖି ୧ଲକ୍ଷ ୫୦ ହଜାର ଟଙ୍କା ଆୟ କରୁଛନ୍ତି । ଯାହାକି ସେମାନଙ୍କ ଆର୍ଥିକ ସମସ୍ୟା ଦୂର କରିବା ସହ ସେମାନଙ୍କୁ ସ୍ୱାବଲମ୍ବୀ କରୁଛି । ଏଠାରେ ସାଧାରଣତଃ ଆଫ୍ରିକାନ୍ ଗେଣ୍ଡୁ ଚାଷ ହେଉଥିବା ବେଳେ ଏହା ତୋଳା ହେବା ପରେ ପାଖାପାଖି ୩ରୁ ୪ ଦିନ ପର୍ଯ୍ୟନ୍ତ ସତେଜ ରହୁଛି । ଜିଲ୍ଲାରେ ଏବେ ୪୬ଟି ସ୍ୱୟଂ ସହାୟକ ଗୋଷ୍ଠୀ ଏହି କାମରେ ନିୟୋଜିତ ଅଛନ୍ତି । ଗତବର୍ଷ କୋଲନରା ବ୍ଲକ୍ର ମହିଳା ଚାଷୀଙ୍କ ଦ୍ୱାରା ଫୁଲରୁ ପାଖାପାଖି ୭୦ ଲକ୍ଷ ଟଙ୍କା ଆୟ ହୋଇଥିବା ବେଳେ ଚଳିତ ବର୍ଷ ତାହା ଏକ କୋଟି ଛୁଇଁବ ବୋଲି ବିଏଲଏମ କହିଛନ୍ତି । ତେବେ ଏହି ଗେଣ୍ଡୁ ଫୁଲ ଚାଷ ଏକାକୀ ମହିଳାଙ୍କୁ ଚାଷୀର ସମ୍ମାନ ଦେବା ସହ ସେମାନଙ୍କ ଜୀବନକୁ ମଧ୍ୟ ମହକାଉଛି ।