ଶୁଦ୍ଧତା ଓ ମୌଳିକତା ଯାହାର ପ୍ରତିବିମ୍ବ ସେମାନେ ହେଲେ ସାନ୍ତାଳି । ପ୍ରତିଟି ସୃଷ୍ଟିର ମୌଳିକତାକୁ ସୁରକ୍ଷା ଦେବା ଓ ତାର ସଂରକ୍ଷଣ କରିବା ଆଦିବାସୀ ପାରମ୍ପରାର ଅଂଶ । କୌଣସି ଜିନିଷର ଶୁଦ୍ଧତା ବଜାୟ ରଖି ଯତ୍ନରେ ତାହାକୁ ସୃଷ୍ଟି କରିବାର ଅର୍ଥ ‘ଗଲଙ୍ଗ ଗବନ୍’ । ଏଭଳି ଏକ ଆଭିମୁଖ୍ୟକୁ ସାକାର କରିବା ପାଇଁ ମୟୂରଭଞ୍ଜର ସାନ୍ତାଳି ଝିଅ ଲିପ୍ସା ହେମ୍ବ୍ରମ୍ ଗଲଙ୍ଗଗବନ୍ ନାମରେ ନିଜସ୍ୱ ବ୍ରାଣ୍ଡ ଆରମ୍ଭ କରିଛନ୍ତି । ହାଇଦ୍ରାବାଦ୍ର (ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଫ୍ୟାଶନ ଟେକନୋଲୋଜି) ନିଫ୍ଟରୁ ଫ୍ୟାଶନ୍ ଡିଜାଇନିଂ କୋର୍ସ କରିଥିବା ଲିପ୍ସା ଆଜି ପାରମ୍ପରିକ ସାନ୍ତାଳି ଡିଜାଇନ୍କୁ ବିଶ୍ୱ ଦରବାରରେ ପହଂଚାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି ।
ଭୁବନେଶ୍ୱର ;
ଫ୍ୟାଶନ ଡିଜାଇନର ଲିପ୍ସା ହେମ୍ବ୍ରମ କହନ୍ତି ‘କିଛି ବର୍ଷ ଆଗରୁ ଯେତେବେଳେ ସାନ୍ତାଳୀ ଶାଢିର ଦୈର୍ଘ୍ୟ, ପ୍ରସ୍ଥ ଓ ଡିଜାଇନ୍କୁ ନେଇ ତାଙ୍କ ମା’ ସବୁବେଳେ ଅସନ୍ତୋଷ ବ୍ୟକ୍ତ କରୁଥିଲେ ସେତେବେଳେ ଲିପ୍ସା ‘ଗଲଙ୍ଗ ଗବନ୍’ର ସୃଷ୍ଟି ପାଇଁ ପ୍ରେରଣା ପାଇଥିଲେ’ । ୨୦୦୮ ମସିହାରେ ହାଇଦ୍ରାବାଦ ସ୍ଥିତ ନ୍ୟାସ୍ନାଲ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଫ୍ୟାଶନ୍ ଟେକ୍ନୋଲୋଜିରେ ପାଠ ପଢ଼ୁଥିବା ସମୟରେ ସାନ୍ତାଳୀ ଫ୍ୟାଶନ୍କୁ ଏକ ନୂଆ ରୂପ ଦେବା ପାଇଁ ସ୍ଥିର କରିଥିଲେ ଲିପ୍ସା । ସବୁଠୁ ଖୁସିର କଥା ଲିପ୍ସାଙ୍କ ଏହି କାମର ମଡେଲ ସାଜିଥିଲେ ତାଙ୍କ ମା ଓ ମାଉସୀ । ଯେଉଁମାନେ କି ପାରମ୍ପରିକ ନାଲି ଓ ଧଳା ରଙ୍ଗର ଚକୋଡ ଶାଢ଼ୀ ପିନ୍ଧି ସୋସିଆଲ ମିଡିଆରେ ଏହାର ଉନ୍ମୋଚନ କରିଥିଲେ ।
ଷ୍ଟୋରିଜ ଓଡିଶା-ପାରମ୍ପରିକ ସାନ୍ତାଳି ଡିଜାଇନ୍କୁ ଫ୍ୟାଶନ୍ରେ ନେବାକୁ କାହିଁକି ଚାହିଁଲେ ?
ଉ- ପାରମ୍ପରିକ ସାନ୍ତାଳି ଡିଜାଇନ୍କୁ ଫ୍ୟାଶନ୍ରେ ଆଣିବାର ଯୋଜନା ଆଗରୁ ସେମିତି କିଛି ନଥିଲା । ତେବେ ତା’ର ଗୁଣାତ୍ମକମାନକୁ ବଜାୟ ରଖି ଏହାକୁ ସାମାନ୍ୟ ନୂଆ ଢ଼ଙ୍ଗରେ ବଜାରକୁ ଆଣିବାକୁ ଚାହିଁଥିଲି । ବର୍ତମାନ ସମୟରେ ବଜାରରେ ଯେଉଁସବୁ ସାନ୍ତାଳି ଡିଜାଇନ୍ ଆସୁଛି ତାହା କୋର୍ସ ଟାଇପ୍ର ସୂତାରେ ବୁଣାଯାଉଛି । ପୁଣି ଯେଉଁ ପାରମ୍ପରିକ ସାନ୍ତାଳି ଡିଜାଇନ୍ ମିଳୁଛି ସେଗୁଡିକ ଲମ୍ବା ଓ ଓସାରରେ ଟିକେ କମ୍ । ଚାହିଦା ଓ ବଦଳୁଥିବା ସମାଜର ଆବଶ୍ୟକତା ହିସାବରେ ପାରମ୍ପରିକ ସାନ୍ତାଳି ଡିଜାଇନ୍ ସବୁକୁ ଅନେକ ଯେଉଁ ଫ୍ୟୁଜନ୍ କରୁଛନ୍ତି ତାହା ମୌଳିକତା ହରାଉଛି । କାରଣ ସେସବୁ ଗାଢ଼ ରଙ୍ଗ ଓ ଭିନ୍ନ ପ୍ୟାଟର୍ଣ୍ଣରେ ବଜାରରେ ଉପଲବ୍ଧ ହେଉଛି । ତେଣୁ ପାରମ୍ପରିକ ସାନ୍ତାଳି ଡିଜାଇନ୍କୁ ସଂରକ୍ଷଣ କରିବା ପାଇଁ ମନସ୍ଥ କଲି । ପାରମ୍ପରିକ ସାନ୍ତାଳି ଡିଜାଇନ୍ର ରଙ୍ଗ ଓ ପ୍ୟାଟର୍ଣ୍ଣକୁ ନ ବଦଳାଇ ଏହା କିପରି ସବୁ ବର୍ଗର ଗ୍ରାହକଙ୍କ ଦୃଷ୍ଟି ଆକର୍ଷଣ କରିପାରିବ ସେଥିପାଇଁ କାମ ଆରମ୍ଭ କରିଛି ।
ଷ୍ଟୋରିଜ ଓଡ଼ିଶା- ନିଫ୍ଟ ସହ କୋଲାବରେସନ୍ ପରେ ଆପଣଙ୍କ ଲକ୍ଷ୍ୟ କ’ଣ ରହିଛି?
ଉ- ନିଫ୍ଟ ସହ କାମ କରିବାର ଇଚ୍ଛା ମୋର ପାଠ ପଢ଼ା ବେଳୁ ଥିଲା । ଏବେ ମୁଁ ଭୁବନେଶ୍ୱର ସ୍ଥିତ ନ୍ୟାସ୍ନାଲ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଫ୍ୟାଶନ୍ ଟେକ୍ନୋଲୋଜିରେ ଅତିଥି ଶିକ୍ଷକ ଭାବେ କାମ କରୁଛି । ନୂଆ ପିଢ଼ିର ଡିଜାଇନରଙ୍କ ସହ ମିଶି କାମ କରିବାର ମଜା ନିଶ୍ଚିତ ଭାବେ ନିଆରା । ଏବେ ମୁଁ ସାଉଁଟିଥିବା ମୋର ଶିକ୍ଷା, ଅଭିଜ୍ଞତା, ନୂଆ ଜ୍ଞାନ କୌଶଳ, ଡିଜାଇନ୍ ଆଦିକୁ ସେମାନଙ୍କ ସହ ବାଂଟି କିପରି ଡିଜାଇନ୍ କ୍ଷେତ୍ରରେ ନୂଆ କିଛି କରିପାରିବି ତାହାହିଁ ଲକ୍ଷ୍ୟ ରଖିଛି ।
ଷ୍ଟୋରିଜ ଓଡ଼ିଶା-ଆପଣ ପାରମ୍ପରିକ ସାନ୍ତାଳି ବସ୍ତ୍ରକୁ ସାଧାରଣ ଲୋକେ ଯେପରି ଆପଣେଇବେ ସେଥିପାଇଁ ଏଥିରେ କିଛି ଫ୍ୟୁଜନ୍ ବ୍ୟବହାର କରୁଛନ୍ତି କି?
ଉ- ହଁ ଫ୍ୟୁଜନ୍ତ ନିଶ୍ଚିତ ଭାବେ ରହିବ । ସାଧାରଣ ବର୍ଗର ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ହେଲେ ଆମକୁ ରଙ୍ଗ, ପ୍ୟାଟ୍ର୍ଣ୍ଣ ଓ ଡିଜାଇନ୍ ଉପରେ ଅଧିକ ଧ୍ୟାନ ଦେବାକୁ ହେବ । କେଉଁ ସିଜିନ୍ରେ ଗ୍ରାହକ କ’ଣ ପିନ୍ଧିବେ ସେଇଟା ଆମକୁ ଭାବିବାକୁ ହେବ । ହଁ ତେବେ ମୋ ଡିଜାଇନ୍ରେ ମୁଁ ଯେତେବି ଫ୍ୟୁଜନ୍ କଲେ ମଧ୍ୟ ବାସ୍ତବ ପାରମ୍ପରିକ ସାନ୍ତାଳି ଶାଢ଼ିର ମୌଳିକତା ଯେପରି ନଷ୍ଟ ନ ହୁଏ ସେଥିପାଇଁ ମୁଁ ସବୁବେଳେ ଗୁରୁତ୍ୱ ଦିଏ ।
ଷ୍ଟୋରିଜ ଓଡ଼ିଶା- ମଡେଲ ବଦଳରେ ଆପଣ ନିଜ ପରିବାର ଲୋକ (ମା’ ଓ ମାଉସୀ)ଙ୍କୁ କାହିଁକି ମଡେଲ ଭାବେ ନେବାକୁ ଚାହିଁଲେ?
ଉ- ପ୍ରଥମେ ପ୍ରଥମେ ସେତେବେଳେ ମୁଁ ତିଆରି କରିଥିବା ଶାଢ଼ିକୁ ନେଇ ଫଟୋସୁଟ୍ କରିବାକୁ ଚାହିଁଲି ସେତେବେଳେ ମୋତେ ସବୁ ଯୁବ ମଡେଲ ମିଲିଲେ । ସେମାନଙ୍କୁ ସେସବୁ ଶାଢ଼ି ପିନ୍ଧାଇ ଫଟୋସୁଟ୍ କଲା ବେଳେ ମୁଁ ସେମାନଙ୍କଠାରେ ସୃଜନଶୀଳତାର ଅଭାବ ହୃଦ୍ବୋଧ କଲି । ସେମାନେ ମଡେଲ ହିସାବରେ ନିଶ୍ଚିତ ଭାବେ ବହୁତ ଭଲ ଥିଲେ କିନ୍ତୁ ସେମାନେ ସେହି ଶାଢ଼ିର ଭାବାବେଗ ସହ ଖାପ ଖୁଆଇ ପାରୁନଥିଲେ । କେଉଁଁଠି ନା କେଉଁଠି ଗୋଟେ ବ୍ୟବଧାନ ରହିଯାଉଥିଲା । ପିଲାବେଳୁ ମୁଁ ସେହି ଶାଢ଼ିକୁ ସବୁବେଳେ ମୋ ମା’ ଓ ମାଉସୀମାନେ ପିନ୍ଧିଥିବାର ଦେଖିଛି । ତାଙ୍କ ମୁହଁର ସେ ଖୁସିକୁ ଅନୁଭବ କରିଛି । ଯେଉଁଟାକି ମୁଁ ମଡେଲମାନଙ୍କଠାରେ ପାଇଲିନି । ଯେହେତୁ ସେସବୁ ଶାଢ଼ି ସେମାନଙ୍କ ପାଇଁ କରିଥିଲି ତେଣୁ ତାଙ୍କ ମୁହଁରେ ଖୁସି ଦେଖିବା ପାଇଁ ସେମାନଙ୍କୁ ମେଡଲ ଭାବେ ବ୍ୟବହାର କଲି । ଅତି ସାଧାରଣ ଭାବେ ନେଇଥିବା ଫଟୋଗୁଡିକ କିନ୍ତୁ ପରବର୍ତୀ ସମୟରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କଲା ।
ଷ୍ଟୋରିଜ ଓଡ଼ିଶା- ଆଗକୁ ଆପଣ ଏହାକୁ ଆନ୍ତର୍ଜାତୀୟସ୍ତରକୁ ନେବାକୁ ଇଚ୍ଛା ରଖିଛନ୍ତି କ? ଏଥିପାଇଁ କ’ଣ ଯୋଜନା ରହିଛି?
ଉ- ଏହି ଇଚ୍ଛା ଏବେର ନୁହେଁ ଯେବେ ପ୍ରଥମେ ଏହାକୁ ତିଆରି କଲି ସେବେଠୁ ଏହାକୁ ଆନ୍ତର୍ଜାତିକସ୍ତରରେ ପହଂଚାଇବା ମୋର ଲକ୍ଷ୍ୟ । ବିଦେଶରେ ରହୁଥିବା ଅନେକ ଲୋକ ଯେଉଁମାନେ କି ଏହାର ମର୍ମ ବୁଝନ୍ତି, ଏହାକୁ ସମ୍ମାନ ଦିଅନ୍ତି ସେମାନେ ଗଲଙ୍ଗଗବନ୍ ଜରିଆରେ ଏହାକୁ କିଣୁଛନ୍ତି । ଆଗକୁ ଏହାର ମୌଳିକତାକୁ ସ୍ଥାୟିତ୍ୱ କରିବା ଓ ଏହା ଯେପରି ଶାଢି ଛଡା ବିଭିନ୍ନ ଡ୍ରେସ୍ ଓ ଅନ୍ୟ ପରିଧାନରେ ସାମିଲ ହୋଇପାରିବ ସେ ଉପରେ ଯୋଜନା କରୁଛି ।
ଷ୍ଟୋରିଜ ଓଡ଼ିଶା- ସାନ୍ତାଳି ଡିଜାଇନ୍ ଓ ମୋଟିଫ୍କୁ ପ୍ରଥମେ ଫ୍ୟାଶନ୍ରେ ଆଣିବା ବେଳେ କ’ଣ ସବୁ ଚ୍ୟାଲେଞ୍ଜର ସାମ୍ନା କଲେ?
ଉ- ଯେତେବେଳେ ପ୍ରଥମ କରି ଅଣ ସାନ୍ତାଳିମାନଙ୍କ ପାଇଁ ଏହାକୁ ତିଆରି କଲି ସେତେବେଳେ ଏହା ମୋ ପାଇଁ ସବୁଠୁ ବଡ ଚ୍ୟାଲେଞ୍ଜ ଥିଲା । ପାରମ୍ପରିକ ସାନ୍ତାଳି ଶାଢ଼ି ଅତି ସାଧାରଣ ଓ ସରଳ ଭାବେ ବୁଣାଯାଉଥିବା ବେଳେ ନୂଆପିଢ଼ିର ଗ୍ରାହକଙ୍କୁ ଏସବୁ ପସନ୍ଦ ହୁଏନି । ତେଣୁ ଗ୍ରାହକଙ୍କୁ କେମିତି ମୋଟିଫ୍ ପସନ୍ଦ, ପୁଣି ତାହାକୁ ଆମେ ପାରମ୍ପରିକ ସାନ୍ତାଳି ଶାଢ଼ିରେ ବ୍ୟବହାର କରିପାରିବା କି ନାହିଁ ସେସବୁ ବୁଝିବାକୁ ଅନେକ ଦିନ ସମୟ ଲାଗିଗଲା । ତେଣୁ ପ୍ରଥମେ ମୁଁ କେବଳ ଏହାର ଫ୍ୟାବ୍ରିକ୍ରେ ହିଁ ପରିବର୍ତନ କରିଥିଲି । ପରେ ଟ୍ରାଇବାଲ ମୋଟିଫକୁ ଫ୍ୟୁଜନ୍ କରି ଏଥିରେ ସାମିଲ କଲି ।
ଷ୍ଟୋରିଜ ଓଡ଼ିଶା- ପାରମ୍ପରିକ ସାନ୍ତାଳି ବସ୍ତ୍ର କେବଳ ଦୁଇ-ତିନୋଟି ପ୍ରାଇମେରୀ ରଙ୍ଗ ଉପରେ ପର୍ଯ୍ୟବେସିତ । ଆପଣ ଯେତେବେଳେ ଏହାକୁ ଫ୍ୟାଶନ୍ରେ ଆଣୁଛନ୍ତି; ଏଥିରେ କିଛି ପରିବର୍ତନ କରିଛନ୍ତି କି?
ଉ-ପାରମ୍ପରିକ ସାନ୍ତାଳି ବସ୍ତ୍ରରେ ସବୁଜ, ହଳଦିଆ ଓ ଖଇରିଆ ରଙ୍ଗହିଁ ଥିଲା । ମାତ୍ର ଏବେ ବହୁତ କମ୍ ରଙ୍ଗ । ଏବେ ମୁଁ ସେଥିରେ ସବୁଜ ବଦଳରେ ନିଅନ୍ ଗ୍ରୀନ୍, ମେରୁନ୍ ବଦଳରେ ରେଡ, କଳା, ଗୋଲାପି ଆଦି ଅନେକ ରଙ୍ଗକୁ ସାମିଲ କରିବା ଆରମ୍ଭ କଲିଣି । ତେବେ ସବୁବେଳେ ଗୋଟେ ଜିନିଷ ଉପରେ ଧ୍ୟାନ ଦେବାର ଆବଶ୍ୟକତା ଥାଏ ଯେପରିକି ଏହା ନିଜର ମୌଳିକତା ନ ହରାଉ । ଅର୍ଥାତ ସାନ୍ତାଳି ଡିଜାଇନ୍ ତିଆରି କଲା ବେଳେ ଗାଢ଼ ରଙ୍ଗ ବ୍ୟବହାର କରୁ କରୁ ଏହା ସାନ୍ତାଳି ଶାଢ଼ି ଭଳି ଦେଖାନଯାଉ । ଅପରପକ୍ଷେ ମୋଟିଫ୍ସରେ ମୁଁ ଟିକେ ବେଶୀ ପରୀକ୍ଷା କରେ । ଏଥିରେ ଉଭୟ ରଙ୍ଗ ଓ ପ୍ୟାଟର୍ଣ୍ଣକୁ ସମୟପଯୋଗୀ କରିବାର ପ୍ରୟାସ କରେ । ନଚେତ ଶାଢ଼ି ଖୁବ୍ ହାଲକା ଲାଗିବ ।
ଷ୍ଟୋରିଜ ଓଡ଼ିଶା- କେବଳ ବସ୍ତ୍ର ନା ପାରମ୍ପରିକ ସାନ୍ତାଳି ଗହଣାକୁ ବି ଆପଣ ଫ୍ୟାଶନ୍ ଦୁନିଆରେ ଆଣିବାକୁ ଯୋଜନା ରଖିଛନ୍ତି?
ଉ-ବର୍ତମାନ ସମୟରେ ମୁଁ ଗାର୍ମେଂଟସ୍ ଉପରେ ଅଧିକ ଗୁରୁତ୍ୱ ଦେବା ଆରମ୍ଭ କରିଛି । ଏବେ ବହୁତ କମ୍ ଲୋକ ବା ଡିଜାଇନର ଅଛନ୍ତ ଯେଉଁମାନଙ୍କ ପାଖରେ ପାରମ୍ପରିକ ଡିଜାଇନ୍ର ଗହଣା ଅଳ୍ପ କିଛି ମହଜୁଦ୍ ରହିଛି । ତେବେ ଯଦି ବଡ ବଡ ଜୁଏଲରୀ ଡିଜାଇନ୍ କମ୍ପାନୀମାନେ ଡିଜାଇନରମାନଙ୍କ ସହ ଟାଏ ଅପ୍ କରି କାମ କରିବେ ଓ ଏହାକୁ ସାଧାରଣ ଲୋକଙ୍କ ଡିଜାଇନ୍ ଭାବେ ତିଆରି କରିପାରିବେ ତେବେ ନିଶ୍ଚତ ଭାବେ ଏହା ନୂଆ ରୂପରେ ସମସ୍ତଙ୍କ ପାଖକୁ ଫେରିବ ।