ଆପଣ ଯଦି ଝୁଣ୍ଡ ଫିଲ୍ମ ଦେଖିଥିବେ ତେବେ ଭୁବନେଶ୍ୱରର ଡମଣା ବସ୍ତିରେ ରହୁଥିବା ବିଜୟ ନାଏକଙ୍କ ସ୍ୱପ୍ନ ସହ ଥିବା ଏହାର ସାମଞସ୍ୟକୁ ନିଶ୍ଚିତ ଭାବେ ବୁଝିପାରିବେ । ଫିଲ୍ମରେ ବସ୍ତିର ପିଲାଙ୍କୁ ନେଇ ଗଢାଯାଇଥିବା ଫୁଟବଲ ଟିମ ପରି ଏଠି ମଧ୍ୟ ବିଜୟ ତିଆରି କରିଛନ୍ତି ଏକ ଫୁଟବଲ ଟିମ । ପେଷାରେ ବିଏମସିର ସଫେଇ କର୍ମଚାରୀ ଭାବେ କାମ କରୁଥିବା ବିଜୟ ଦିନେ ସ୍ୱପ୍ନ ଦେଖିଥିଲେ ଫୁଟବଲ ଖେଳାଳି ହେବେ । କିନ୍ତୁ ଘରର ଆର୍ଥିକ ପରିସ୍ଥିତି ଯୋଗୁଁ ତାଙ୍କ ସ୍ୱପ୍ନ ସାକାର ହୋଇପାରିଲା ନାହିଁ ଏଣୁ କାମ ଅନ୍ୱେଷଣରେ ସେ ମୟୁରଭଞରୁ ଭୁବନେଶ୍ୱର ଚାଲି ଆସିଲେ । ଗତ କିଛି ବର୍ଷ ହେବ ଡମଣା ନୀଳପଡ଼ିଆ ବସ୍ତିର ପିଲାମାନଙ୍କୁ ମାଗଣାରେ ଫୁଟ୍ବଲ୍ ପ୍ରଶିକ୍ଷଣ ଦେଉଛନ୍ତି । ବର୍ତମାନ ପାଖାପାଖି ୫୦ ପିଲା ତାଙ୍କଠାରୁ ଏହି ପ୍ରଶିକ୍ଷଣ ନେଉଛନ୍ତି ।
ଭୁବନେଶ୍ୱର ;
ପେଷାରେ ଜଣେ ସଫେଇ କର୍ମଚାରୀ କିନ୍ତୁ ନିଶା ଫୁଟବଲ ଖେଳ । ପ୍ରାୟ ୨୫ ବର୍ଷ ତଳେ ପରିବାରର ଆର୍ଥିକ ସମସ୍ୟା ଦୂର କରିବା ପାଇଁ କାମ ଅନ୍ୱେଷଣରେ ମୟୁରଭଂଜରୁ ଭୁବନେଶ୍ୱରକୁ ଚାଲିଆସିଥିଲେ ବିଜୟ କୁମାର ନାଏକ । ସେତେବେଳେ କାମ ପାଇବା ପାଇଁ ସେ ବହୁ ହିନସ୍ତା ହୋଇଛନ୍ତି । କେତେବେଳେ ରାସ୍ତା କଡରେ ଅଳିଆ ଉଠାଇ ପେଟ ପାଇଁ ଦାନା ଯୋଗାଡ କରିଛନ୍ତି ତ ଆଉ କେତେବେଳେ ଦିନ ମଜୁରିଆ ଭାବେ କାମ କରି ପରିବାର ଲୋକଙ୍କୁ ଆର୍ଥିକ ସାହାଯ୍ୟ କରିଛନ୍ତି । ହେଲେ ତାଙ୍କ ମନରେ ଉଙ୍କି ମାରୁଥିବା ଫୁଟବଲ ଖେଳର ଆଗ୍ରହ ତାଙ୍କୁ କୌଣସି ମତେ ରୋକିପାରିନାହିଁ । ଡମଣା ନୀଳପଡ଼ିଆ ବସ୍ତିରେ ରହୁଥିବା ବିଜୟ କିଛିବର୍ଷ ହେବ ସେହି ବସ୍ତିର ପିଲାମାନଙ୍କୁ ମାଗଣାରେ ଫୁଟ୍ବଲ୍ ପ୍ରଶିକ୍ଷଣ ଦେଉଛନ୍ତି । ଆଉ ପାଲଟିଯାଇଛନ୍ତି ସେମାନଙ୍କ ଖେଳଗୁରୁ । ଏବେ ତାଙ୍କ ପାଖରେ ପାଖାପାଖି ୫୦ ପିଲା ଫୁଟବଲ ଖେଳର ପ୍ରଶିକ୍ଷଣ ନେଉଛନ୍ତି ।
ଏ ଲେଖିକା ଯେତେବେଳେ ତାଙ୍କୁ ଭେଟିଥିଲେ ସେତେବେଳେ ସେ ଖେଳପଡିଆରେ ପିଲାମାନଙ୍କୁ ନେଇ ଫୁଟବଲ ପ୍ରାକ୍ଟିସ କରାଉଥିଲେ । ତାଙ୍କର ଏହି ଆଗ୍ରହ ବିଷୟରେ ପଚାରିବାରେ ସେ କୁହନ୍ତି, ପିଲାଟିବେଳୁ ମୋର ଇଚ୍ଛା ଥିଲା ଫୁଟ୍ବଲ୍ ଖେଳାଳି ହେବି । ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ଫୁଟ୍ବଲ୍ ଖେଳରେ ନାଁ କରିବି । ହେଲେ ଘରର ଆର୍ଥିକ ସ୍ଥିତି ଯୋଗୁଁ ସେ କ୍ଷେତ୍ରରେ ଆଗକୁ ବଢିପାରିଲି ନାହିଁ ଓ ସ୍ୱପ୍ନରେ ପୂର୍ଣଛେଦ ପଡିଲା । କାମ ଅନ୍ୱେଷଣରେ ମୟୁରଭଂଜରୁ ନିଜ ଗାଁ ଛାଡି ଭୁବନେଶ୍ୱର ଚାଲି ଆସିଲି । ପ୍ରଥମେ ବିଭିନ୍ନ ଜାଗାରେ ଛୋଟ ଛୋଟ କାମ କରି ପେଟ ପୋଷିବା ପରେ ଏବେ ମୁଁ ସଫେଇ କର୍ମଚାରୀ ଭାବେ କାମ କରୁଛି । ମୋର ପ୍ରତିଦିନର କାମ ହେଉଛି ବଡି ସକାଳୁ ବିଏମସିର ସଫେଇ ଗାଡି ନେଇ ଘରକୁ ଘର ବୁଲି ଅଳିଆ ସଂଗ୍ରହ କରିବା । ତା ହେଲେ ପିଲାଙ୍କୁ ଫୁଟବଲ ଖେଳ ଶିଖେଇବା କାମ କେତେବେଳେ କରନ୍ତି ବୋଲି ପଚାରିବାରେ ବିଜୟ କୁହନ୍ତି, ସଫେଇ କାମ ଆରମ୍ଭ କରିବା ପୂର୍ବରୁ ଖେଳ ଶିଖେଇବା ଆରମ୍ଭ ହୁଏ । ଆଉ ସନ୍ଧ୍ୟାରେ ୨ରୁ ୪ ଘଂଟା ପାଇଁ ପିଲାଙ୍କୁ ଫୁଟ୍ବଲ୍ ଶିକ୍ଷା ଦିଏ । ବସ୍ତି ଅଂଚଳରେ ରହୁଥିବା ପିଲାମାନଙ୍କର ଫୁଟବଲ ଖେଳ ପ୍ରତି ଆଗ୍ରହକୁ ଦେଖି ମୁଁ ସେମାନଙ୍କୁ ତାଲିମ ଦେଉଛି । ଏହି ଖେଳ ମାଧ୍ୟମରେ ସେମାନଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବାର ଲକ୍ଷ୍ୟ ରଖିଛି ବୋଲି କହନ୍ତି ବିଜୟ ।
ଫୁଟବଲ ପ୍ରତି ଆଗ୍ରହ
ପ୍ରତିଦିନ ହାତରେ ଝାଡ଼ୁ ଧରି ରାସ୍ତା ସଫାକରୁଥିବା ଓ ଘରକୁ ଘର ବୁଲି ଅଳିଆ ସଂଗ୍ରହ କରୁଥିବା ବିଜୟ କିନ୍ତୁ ଫୁଟବଲ ପାଇଗଲେ ସଂପୂର୍ଣ ବଦଳିଯ।।ଆନ୍ତି । ଯିଏ ତାଙ୍କୁ ଖେଳପଡିଆରେ ଫୁଟବଲ ଖେଳୁଥିବାର ଦେଖିଛି କେବଳ ସେ ହିଁ ଏ ବିଷୟରେ ଜାଣିପାରିବ । ମୟୁରଭଞର ଏକ ଆଦିବାସୀ ଅଧ୍ୟ୍ୟୁସିତ ଗାଁରୁ ଭୁବନେଶ୍ୱର ଆସିଥିବା ବିଜୟ ତାଙ୍କର ଆଗ୍ରହ ଯୋଗୁଁ ବସ୍ତି ପିଲାଙ୍କ ଖେଳଗୁରୁ ପାଲଟିଛନ୍ତି । ଡମଣା ନୀଳପଡ଼ିଆ ବସ୍ତିରେ ରହୁଥିବା ବିଜୟ କିଛିବର୍ଷ ହେବ ପିଲାମାନଙ୍କୁ ମାଗଣାରେ ଫୁଟ୍ବଲ୍ ପ୍ରଶିକ୍ଷଣ ଦେଉଛନ୍ତି । ବସ୍ତିର ପାଖାପାଖି ୫୦ ପିଲା ତାଙ୍କଠାରୁ ଏହି ପ୍ରଶିକ୍ଷଣ ନେଉଛନ୍ତି ।
ନୀଳପଡ଼ିଆ ବସ୍ତିର ଅଙ୍କିତ କୁହନ୍ତି, ୩ବର୍ଷ ହେଲା ସାର୍ ଆମକୁ ମାଗଣାରେ ଫୁଟ୍ବଲ୍ ଶିଖାଉଛନ୍ତି । ଏହାରି ଭିତରେ ଆମେ ଅନେକ ଟୁର୍ଣ୍ଣାମେଂଟ ରେ ଭାଗ ନେଇ ସାରିଲୁଣି । ପ୍ରତିଦିନ ସନ୍ଧ୍ୟାରେ ସାର୍ ଆମକୁ ଫୁଟବଲ୍ ଖେଳର ବିଭିନ୍ନ ଟେକନିକ ବିଷୟରେ କୁହନ୍ତି ଆଉ ନିଜେ ଖେଳି ସେ ସସବୁକୁ ଦେଖାନ୍ତି । ଖେଳର ବିଭିନ୍ନ ଟେକ୍ନିକ୍କୁ ଅତି ସହଜରେ କିପରି ଶିଖିହେବ ସେସବୁର ଜ୍ଞାନ କୌଶଳ ବି ଶିଖାନ୍ତି ।
ବସ୍ତିର ଶୁଭ ମାଟିଆ କୁହନ୍ତି, ପାଠପଢା, ଖେଳକୁଦ ନ କରି ମୁଁ ସବୁବେଳେ ଏଣେ ତେଣେ ବୁଲୁଥିଲି । ଆଶାୟେଁ ସଂସ୍ଥାର ଦିଦି ସାର୍ମାନେ ମୋତେ ପାଠ ପଢାର ରାସ୍ତା ଦେଖାଇବା ସହ ବିଜୟ ସାର୍ଙ୍କ ବିଷୟରେ କହିଲେ । ତାଙ୍କ ସହ ମୋର ପରିଚୟ କରାଇଦେଲେ । ମୁଁ ତାଙ୍କ ସହ ପରିଚୟ ହେବା ପରେ ଫୁଟବଲ ଖେଳ ପ୍ରତି ମୋର ଆଗ୍ରହ ବଢିଲା ଆଉ ଏବେ ମୁଁ ମାଗଣାରେ ଫୁଟ୍ବଲ୍ ଖେଳର ପ୍ରଶିକ୍ଷଣ ନେଉଛି । ବିଜୟ ସାର୍ଙ୍କ ସହ ମୋତେ ଅନେକଗୁଡିଏ ମୋ ଭଳି ସାଙ୍ଗ ବି ମିଳିଯାଇଛନ୍ତି । ଆଗକୁ ମୁଁ ଜଣେ ଭଲ ଫୁଟ୍ବଲ୍ ଖେଳାଳି ହେବାର ସ୍ୱପ୍ନ ଦେଖୁଛି ।
ଖେଳ ଦେବ ପରିଚୟ
ସ୍ୱେଚ୍ଛାସେବୀ ସଂସ୍ଥା ‘ଆଶାୟେଁ’ର ପ୍ରତିଷ୍ଠାତା ରତ୍ନାକର ସାହୁ କୁହନ୍ତି, ବିଜୟ ବାବୁ (ବିଜୟ ନାଏକ) ଗରିବ ପରିବାରରେ ଜନ୍ମ ହୋଇ ମଧ୍ୟ ନିଜର ସାମାଜିକ ଦାୟିତ୍ୱବୋଧକୁ ଭୁଲି ନାହାଁନ୍ତି । ଦୀର୍ଘ ୩ବର୍ଷ ଧରି ସେ ବସ୍ତିପିଲାଙ୍କୁ ଫୁଟ୍ବଲ୍ ଶିକ୍ଷା ଦେଇ ଆସୁଛନ୍ତି । ଯାହା ନିଶ୍ଚିତଭାବେ ପ୍ରେରଣା ଦାୟୀ । ଆଶାୟେଁର ଛାତ୍ରଛାତ୍ରୀଙ୍କୁ ପ୍ରାୟ ବର୍ଷେ ହେବ ବିନା ମୂଲ୍ୟରେ ପ୍ରଶିକ୍ଷଣ ଦେଉଛନ୍ତି । ପିଲାମାନଙ୍କ ପ୍ରତି ତାଙ୍କର ଆଦର ଓ ସ୍ନେହ ଅତ୍ୟନ୍ତ ହୃଦୟସ୍ୱର୍ଶୀ ।
ଏ ବାବଦରେ ବସ୍ତିର ବରିଷ୍ଠ ନାଗରିକ ସ୍ୱପ୍ନାମୟୀ ହିମିରିକା କହନ୍ତି ; ବିଜୟ ସାର୍ଙ୍କୁ ଯେବେଠୁ ଜାଣିଛୁ ତାଙ୍କ କଷ୍ଟ ଓ ନିଷ୍ଠା ବିଷୟରେ ସମସ୍ତଙ୍କୁ ଉଦାହରଣ ଦେଉ । ସେ ଏଭଳି ଜଣେ ମଣିଷ ସେ ନିଜ ସ୍ୱପ୍ନ ପାଇଁ ଏବେବି ନିଜର ସଂଗ୍ରାମ ଜାରି ରଖିଛନ୍ତି । ତାଙ୍କର ସ୍ୱପ୍ନ ଥିଲା ସେ ଖେଳାଳୀ ହେବେ । ହେଲେ ପରିସ୍ଥିତି ଓ ପାରିପାଶ୍ୱିର୍ର୍କ ଅବସ୍ଥା ଯୋଗୁଁ ସେ ତାଙ୍କ ସ୍ୱପ୍ନକୁ ଅଧାରେ ଅଟକାଇବାକୁ ବାଧ୍ୟ ହୋଇଥିଲେ । ପୂର୍ବରୁ ତାଙ୍କ ପାଖରେ ୨୧ଜଣ ପିଲା ଫୁଟ୍ବଲ୍ ପ୍ରଶିକ୍ଷଣ ନେଉଥିବାବେଳେ ଏବେ ବରିଷ୍ଠ ଓ କନିଷ୍ଠ ବର୍ଗରେ ତାଙ୍କ ପାଖରେ ୫୦ରୁ ଅଧିକ ପିଲା ଶିକ୍ଷା ନେଉଛନ୍ତି । ବସ୍ତିରେ ଅନେକ ଆଦିବାସୀ ପିଲା ରୁହନ୍ତି । ଅର୍ଥ ଓ ପ୍ରୋତ୍ସାହନର ଅଭାବ ଯୋଗୁଁ ତାଙ୍କ ଭଳି ଆଉ କୌଣସି ପିଲାର ସ୍ୱପ୍ନ ଘର କୋଣରେ ସମାଧି ନ ନେଉ । ସେହି ଉଦ୍ଦେଶ୍ୟରେ ସେ ଏହି କାର୍ଯ୍ୟ ଜାରି ରଖିଛନ୍ତି । ନିଜେ ବିଦ୍ୟାଳୟ ଓ କଲେଜସ୍ତରରେ ଶିଖିଥିବା ଖେଳକୁ ପିଲାମାନଙ୍କ ମଧ୍ୟରେ ବାଂଟ ୁଛନ୍ତି । ଯାହାର ଲକ୍ଷ୍ୟ ବସ୍ତିରେ ରହୁଥିବା ଅବହେଳିତ ପିଲାମାନଙ୍କୁ ଫୁଟ୍ବଲ ଖେଳ ମାଧ୍ୟମରେ ମୁଖ୍ୟ ତ୍ସୋତରେ ସାମିଲ କରାଇବା । ବସ୍ତିର ପିଲାମାନେ ଫୁଟବଲ ଖେଳରେ ମନ ଦେଉଥିବାରୁ ସେମାନଙ୍କ ବାପା ମା ମାନେ ମଧ୍ୟ ଖୁସି । ସେମାନଙ୍କ ମତରେ ପିଲାମାନେ ଆଉ ଏଣେ ତେଣେ ବୁଲୁନାହାନ୍ତି, କୌଣସି ପ୍ରକାରର ଅସାମାଜିକ କାମ କରୁନାହାନ୍ତି ବରଂ ଖେଳ ହେତୁ ସେମାନଙ୍କର ଏକାଗ୍ରତା ବଢିଛି ଓ ପାଠରେ ବି ମନ ଦେଉଛନ୍ତି ।
ବିଜୟ କୁହନ୍ତି, ଖେଳ ପ୍ରତି ମୋର ଦୁର୍ବଳତା ପୂର୍ବରୁ ଥିଲା । ମାତ୍ର ଏହାକୁ ସାକାର କରିବା ମୋ ଦ୍ୱାରା ସମ୍ଭବ ହୋଇପାରିଲାନାହିଁ । ଏଣୁ ପ୍ରତିଦିନ ସନ୍ଧ୍ୟାବେଳେ ବସ୍ତିର ପିଲାମାନଙ୍କୁ ନେଇ ପଡ଼ିଆରେ ଫୁଟ୍ବଲ୍ ପ୍ରଶିକ୍ଷଣ ଦେଉଛି । ସଫେଇ କର୍ମଚାରୀଭାବେ ଯାହା ଯେତିକି ଦରମା ପାଏ, ସେଥିରୁ କିଛି ପିଲାମାନଙ୍କ ପାଇଁ ଫୁଟ୍ବଲ୍ ଓ ଖେଳକୁଦରେ ଖର୍ଚ୍ଚ କରେ । ଏହି ପିଲାଙ୍କ ମଧ୍ୟରୁ ଯଦି କେହି ଫୁଟବଲ କ୍ଷେତ୍ରରେ ପରିଚୟ ସୃଷ୍ଟି କରନ୍ତି ମୋ ସ୍ୱପ୍ନ ସାକାର ହେଲା ବୋଲି ମୁଁ ଭାବିବି ।