ଓଡ଼ିଆ ବର୍ଣ୍ଣମାଳା ଅନୁସାରେ ଗଛ ଲଗାହେଉଛି । ଉଦ୍ଦେଶ୍ୟ ହେଉଛି ବର୍ଣ୍ଣମାଳାର ପ୍ରଥମ ଅକ୍ଷର ଅନୁସାରେ ଲଗାଯାଇଥିବା ଗଛକୁ ସଭିଏଁ ଚିହ୍ନିବେ ଓ ଏହାର ଉପକାରିତା ବିଷୟରେ ଜାଣିବା ସହ ଏହାର ସୁରକ୍ଷା ଦାୟିତ୍ୱ ନେବେ । ସେମିତି କିଛି ନୂତନ ପରିକଳ୍ପନା ନେଇ ନବରଙ୍ଗପୁର ଜିଲ୍ଲା ଅଧିନସ୍ଥ କୋଡିଙ୍ଗା ବନାଞ୍ଚଳରେ ଆରମ୍ଭ କରାଯାଇଛି କୋଡ଼ିଙ୍ଗାର ବର୍ଣ୍ଣ ଉଦ୍ୟାନ । ଏହି ଉଦ୍ୟାନର ଉଦ୍ଦେଶ୍ୟ ହେଉଛି ବିଭିନ୍ନ ପ୍ରକାରର ଗଛକୁ ସୁରକ୍ଷିତ ରଖିବା ସହ ଏହା ମାଧ୍ୟମରେ ପିଲାଙ୍କୁ ମାତୃଭାଷାର ଶିକ୍ଷା ଦେବା ।
ଏମିତି ଉଦ୍ୟାନ ଦେଖିଛନ୍ତି ଯେଉଁଠି ଓଡ଼ିଆ ବର୍ଣ୍ଣମାଳାରେ ଥିବା ଅକ୍ଷର ଅନୁସାରେ ଗଛ ଲଗାଯାଉଥିବ ଯେପରି- ଅ ଅକ୍ଷର ଅନୁସାରେ ଅଁଳା ଗଛ, ଅର୍ଜୁନ, ଅଶନ, ଅଶୋକ ଓ ଅଗ୍ନିମନୁ ଗଛ ପୁଣି ହ ଅକ୍ଷର ଅନୁସାରେ ହରିଡା ଏବଂ ବ ଅକ୍ଷର ଅନୁସାରେ ବାହାଡା ଗଛ । ଏହିଭଳି କିଛି ଭିନ୍ନ ଧରଣର ଉଦ୍ଦେଶ୍ୟ ନେଇ ଆରମ୍ଭ କରାଯାଇଛି ନବରଙ୍ଗପୁର ଜିଲ୍ଲାର କୋଡିଙ୍ଗା ବର୍ଣ୍ଣ ଉଦ୍ୟାନ । ସହରଠାରୁ ପ୍ରାୟ ୩୦ କିଲୋମିଟର ଦୂରରେ ଅବସ୍ଥିତ ଏହି ବର୍ଣ୍ଣମାଳା ଉଦ୍ୟାନରେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ବୃକ୍ଷ ବିଷୟରେ ମଧ୍ୟ ତଥ୍ୟ ରହିଛି । ଦେଶର ମାନଚିତ୍ର ସହ ଜମ୍ମୁ କାଶ୍ମୀର ଠାରୁ କେରଳ ଯାଏଁ ସେସବୁ ରାଜ୍ୟର କଣ ସବୁ ବୃକ୍ଷ ରହିଛି ତାହାର ଚିତ୍ର ସହ ତାଲିକା ରହିଛି । ଏହାଛଡା ଏହି ଉଦ୍ୟାନରେ ବିଭିନ୍ନ ଔଷଧୀୟ ଗଛ ମଧ୍ୟ ଲଗାଯାଇଛି । ଉଦ୍ୟାନ ଭିତରେ ସ୍ୱଦେଶୀ ଫଳ ବଗିଚା ରହିଛି ଯେଉଁଠାରେ ଆମ୍ବ, ଆତ ,କରମଙ୍ଗା, କଣ୍ଟେଇକୋଳି, ପିଜୁଳି ଭଳି ଦେଶୀ ଗଛ ସବୁ ଲଗାଯାଇଛି ।
ଯୋଜନାର ରୂପରେଖ
ରାଜ୍ୟ ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଆନୁକୂଲ୍ୟରେ ନଗରଙ୍ଗପୁର ବନଖଣ୍ଡ ପାଇଁ ସହରାଞ୍ଚଳ ବୃକ୍ଷରୋପଣ ଯୋଜନାରେ ୧୨ ହଜାର ଗଛ ଲଗାଇବା ପାଇଁ ପ୍ରସ୍ତାବ ଆସିଥିଲା । ବିଭିନ୍ନ କାରଣ ଯୋଗୁଁ ଜଙ୍ଗଲ ଧିରେ ଧିରେ କମିବାରେ ଲାଗୁଥିବାରୁ ସହରଠୁ କିଛି ଦୂରରେ ବିଭିନ୍ନ ପ୍ରକାରର ବୃକ୍ଷଲତା ଲଗାଇବା ସହ ସାଧାରଣ ଲୋକଙ୍କୁ ଏହାର ଆବଶ୍ୟକତା ବିଷୟରେ ବୁଝାଇବା ପାଇଁ ଏକ ବର୍ଣ୍ଣ ଉଦ୍ୟାନ କରିବାର ପରିକଳ୍ପନା କରାଗଲା । ବନାଞ୍ଚଳ ଅଧିକାରୀ ପୂର୍ଣ୍ଣଚନ୍ଦ୍ର ନନ୍ଦ ଏହି ଉଦ୍ୟାନର ରୂପରେଖ କଳ୍ପନା କରିଥିବା ବେଳେ ଅନ୍ୟାନ୍ୟ ଅଧିକାରୀ ମାନେ ଏଥିରେ ତାଙ୍କୁ ସହଯୋଗ କରିଥିଲେ । ଡିଏଫଓ ଶୁଭେନ୍ଦୁ ପ୍ରସାଦ ବେହେରା ଓ ଏସସିଏଫଓ ସୁବାସ ଚନ୍ଦ୍ର ଖୁଣ୍ଟିଆଙ୍କ ନେତୃତ୍ୱରେ ଏହି କାମ ଆଗକୁ ବଢିଥିଲା । ଓଡ଼ିଆ ଭାଷାର ବିଭିନ୍ନ ବର୍ଣ୍ଣମାଳା ଅନୁସାରେ ଗଛ ଲଗାଯାଉଥିବା ଏହି ଉଦ୍ୟାନ ପ୍ରସ୍ତୁତି କାମ ଗତ ଦୁଇବର୍ଷ ଧରି ଚାଲିଥିବା ବେଳେ ଏବେ ଏହା ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।
ଏମିତି ଅନେକ ସ୍ଥାନରେ ଗଛ ଲଗାଯାଇଥାଏ କିନ୍ତୁ କୋଡ଼ିଙ୍ଗା ବନାଞ୍ଚଳ ଅଧିକାରୀ ପୂର୍ଣ୍ଣଚନ୍ଦ୍ର ନନ୍ଦ ପ୍ରସ୍ତାବ ରଖିଲେ ଯେ ଏଠି ଓଡିଆ ବର୍ଣ୍ଣମାଳାକୁ ନେଇ ଗଛ ଲଗାଯିବ ଯାହା ସାଧାରଣ ଲୋକଙ୍କୁ ଆକୃଷ୍ଟ କରିବ । ସେ ପ୍ରସ୍ତାବ ଦେଇଥିଲେ ଯେ ଓଡ଼ିଆ ବର୍ଣ୍ଣ ଅନୁଯାୟୀ ଗଛ ଲଗାଇଲେ ଉଦ୍ୟାନଟି କିଛି ଭିନ୍ନ ଲାଗିବ ଓ ଓଡ଼ିଆ ଭାଷା ବାବଦରେ ଶିକ୍ଷା ଦିଆଯାଇପାରିବ। ସେହି ଅନୁଯାୟୀ ଉଦ୍ୟାନରେ ଅ ଠାରୁ ଲ ଯାଏଁ ଥିବା ସବୁ ଅକ୍ଷର ଅନୁଯାୟୀ ଗଛ ଲଗାଗଲା ।ଯେପରିକି ଅ ରେ ଅଁଳା , ଅଶୋକ ଗଛ ଲଗା ଯାଇଥିବା ବେଳେ ହ ରେ ହରିଡା ଗଛ ଲଗାଯାଇଛି । ଏହି ଉଦ୍ୟାନ ଭିତରେ ସ୍ୱଦେଶୀ ଫଳ ବଗିଚା ସାଙ୍ଗକୁ କିଛି ବିଦେଶୀ ଫଳର ଚାରା ରୋପଣ ହୋଇଛି । ଯେପରି ଥାଇଲାଣ୍ଡର ପ୍ରସିଦ୍ଧ ବନାନା ମ୍ୟାଙ୍ଗୋ, ଆପଲ ମ୍ୟାଙ୍ଗୋ ଓ ଇଣ୍ଡୋନେସିଆର ଜୈପାଲ୍ ଫ୍ରୁଟ ଗଛର ଚାରା ଏହି ଉଦ୍ୟାନରେ ଲଗାଯାଇଛି । ଏହାରି ଭିତରେ ଥିବା ମସଲା ବଗିଚାରେ କର୍ପୁର, ଗୋଲମରିଚ, ତେଜପତ୍ର, ହେଙ୍ଗୁ ଗଛର ଚାରା ମଧ୍ୟ ଲଗାଯାଇଛି । ଫୁଲବଗିଚାରେ କୁସୁମ, କୃଷ୍ଣଚୂଡ଼ା, ବସନ୍ତରଣି ଭଳି ଅନେକ ସୁନ୍ଦର ଗଛର ଚାରା ଲଗାଯାଇଛି ।
ପରିବେଶ ଉପଯୋଗୀ ପାରମ୍ପରିକ ଗଛ
ଏହି ଉଦ୍ୟାନରେ ଏବେ ୧୬୦ ପ୍ରକାରର ୮୦୦୦ ଗଛ ରୋପଣ କରାଯାଇଛି। ବର୍ତ୍ତମାନ ୪ ଜଣ ଚାଷୀ ଗଛ ଲଗାଇବା ସହ ଏହାର ରକ୍ଷଣାବେକ୍ଷଣା ଦାୟିତ୍ଵ ତୁଲାଉଛନ୍ତି ଏବଂ ଆଗକୁ ସେମାନଙ୍କ ସଂଖ୍ୟା ବଢିବ ବୋଲି ବନଖଣ୍ଡ ପକ୍ଷରୁ କୁହାଯାଇଛି । ଏବେ ଜଣେ ଚାଷୀ ୨୦୦୦ ଟି ଗଛର ଦାୟିତ୍ୱରେ ନିୟୋଜିତ ଅଛନ୍ତି। ପ୍ରଥମ ବର୍ଷ ଏହି ଉଦ୍ୟାନ କାମ ପାଇଁ ୪୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ସୂଚନା ରହିଛି । ପ୍ରତିଟି ଗଛରେ ପାଣିଦେବା ପାଇଁ ବୁନ୍ଦା ଜଳସେଚନର ବ୍ୟବସ୍ଥା କରାଯାଇଛି । ସୋଲାର ପମ୍ପ ଲଗାଇ ବୁନ୍ଦା ଜଳସେଚନରେ ଗଛରେ ପାଣି ମଡାଯାଉଛି। ଏହାଦ୍ବାରା ଜଳ ସଞ୍ଚୟ କରାଯାଇପାରୁଛି। କିଛି ଜାଗାରେ ଗଭୀର ନଳକୂପ ଖନନ କରାଯାଇଛି, ଯେପରିକି ଖରାଦିନେ ପାଣି ଅଭାବ ନ ଦେଖାଯାଉ। ଏ ଅଂଚଳରେ ଆଗକୁ ଗଛ ସଂଖ୍ୟା ବଢିଲେ ବିଭିନ୍ନ ପ୍ରକାରର ପଶୁପକ୍ଷୀ ଆସିବେ ଏବଂ ଭୂତଳ ଜଳ ସଂରକ୍ଷଣରେ ଏହା ସହାୟକ ହେବ ।
ଲୋକଙ୍କ ଦୃଷ୍ଟି ଆକର୍ଷଣ ପାଇଁ ଏଠି ସ୍କନ୍ଦ ପୁରାଣ ଅନୁସାରେ ଉଦ୍ୟାନରେ ଗଛ ଲଗାଯାଇଥିବା ବନବିଭାଗ ପକ୍ଷରୁ କୁହାଯାଇଛି ।
ଆମ ସ୍କନ୍ଦ ପୁରାଣରେ ଏକ ଶ୍ଳୋକ ରହିଛି।
” ଅଶ୍ୱତ୍ଥମେକମ୍ ପିଚୁ ମଣ୍ଡମେକମ୍
ନ୍ୟାଗ୍ରୋଧମେକମ୍ ଦଶ ଚିଞ୍ଚନୀକାନ
କପିଥ ବିଲ୍ଵା ଆମଳକତ୍ରୟଞ୍ଚ
ପଞ୍ଚା ଆମ୍ରମୁପ୍ତା ନରକନ୍ନ ପଶ୍ୟୋତ୍ “
ଏହି ଶ୍ଳୋକରେ ଅଶ୍ୱତ୍ଥ ଅର୍ଥ ପୀପଳ, ପିଚୁମଣ୍ଡ ଅର୍ଥ ନିମ୍ବ , ନ୍ୟାଗ୍ରୋଧ ଅର୍ଥ ବର ଗଛ, ଚିଞ୍ଚିନି କହିଲେ ତେନ୍ତୁଳି, କପିଥ ଅର୍ଥ କଇଥ, ବିକ୍ଟ ବେଲ, ଆମଳକ ଅର୍ଥ ଅଁଳା, ଆମ୍ର ଅର୍ଥ ଆମ୍ବ ଗଛକୁ ବୁଝାଏ। ତେବେ ଏହି ଶ୍ଳୋକଟି ସ୍କନ୍ଦ ପୁରାଣରୁ ଆସିଛି । ଏଥିରେ ଏହି ଗଛ ଗୁଡ଼ିକର ଉପକାରିତା ବିଷୟରେ କୁହାଯାଇଛି । ଶ୍ଳୋକରେ ବର୍ଣ୍ଣିତ ବୃକ୍ଷକୁ ଲଗାଇଲେ ପରିବେଶରେ ଅଙ୍ଗାରକାମ୍ଳର ମାତ୍ରା କମାଯାଇପରିବ। ଗଛଗୁଡ଼ିକ ଅନେକ ମାତ୍ରାରେ ଅଙ୍ଗାରକାମ୍ଳ ଶୋଷିନିଅନ୍ତି ଫଳରେ ତାପମାତ୍ରା ନିୟନ୍ତ୍ରଣରେ ରୁହେ । ପୀପଳ ଗଛ ୧୦୦ ପ୍ରତିଶତ ଅଙ୍ଗାରକାମ୍ଳ ଶୋଷିନେଉଥିବା ବେଳେ , ନିମ୍ବ,ବର,ତେନ୍ତୁଳି, କଇଥ ପରିବେଶରୁ ୮୦ ପ୍ରତିଶତ ଅଙ୍ଗାରକାମ୍ଳ ଶୋଷି ଥାଏ, ବେଲ ୮୫ ପ୍ରତିଶତ, ଅଁଳା ୭୪ ଓ ଆମ୍ବ ୭୦ ପ୍ରତିଶତ ଅଙ୍ଗାରକାମ୍ଳ ହ୍ରାସ କରିବାରେ ସହାୟକ ହୋଇଥାନ୍ତି । ଏଣୁ ଏହି ୮ ପ୍ରକାର ଗଛ ପରିବେଶରେ ତାପମାତ୍ରା ନିୟନ୍ତ୍ରଣ କରିବାରେ ବଡ଼ ଭୂମିକା ତୁଲାଇଥାନ୍ତି।
ଏହି ବନ୍ୟାଞ୍ଚଳ ବୁଲି ଛୋଟ ଶିଶୁମାନେ ଓଡ଼ିଆ ବର୍ଣ୍ଣମାଳାର ଅକ୍ଷର ଓ ଗଛ ଲତା ବିଷୟରେ ବିଶେଷ ଜ୍ଞାନ ଆହରଣ କରିପାରିବେ ବୋଲି ବନ୍ୟାଞ୍ଚଳ ଅଧିକାରୀ ପୂର୍ଣ୍ଣଚନ୍ଦ୍ର ନନ୍ଦ କହିଛନ୍ତି।