କରୋନା ମହାମାରୀ ସମୟରେ ଯେତେବେଳେ ଲୋକଙ୍କୁ କାମ ଧନ୍ଦା ମିଳୁନଥିଲା ସେତେବେଳେ ମୟୂରଭଞ୍ଜର ଭାତୁଡି, ସାନ୍ତାଳ ଓ ମୁଣ୍ଡା ସମ୍ପ୍ରଦାୟର ପାଖାପାଖି ୨୦୦ ଆଦିବାସୀ ମହିଳା ନିଜର ପାରମ୍ପରିକ କୌଳିକ ବୃତିକୁ ଆଗକୁ ଆଣିବାକୁ ସାହାସ ଜୁଟାଇଥିଲେ । ସବାଇ ଘାସରେ ପାରମ୍ପରିକ ଦଉଡି ପ୍ରସ୍ତୁତ କରୁଥିବା ଏହି ମହିଳାମାନେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଗଢ଼ି ବିଭିନ୍ନ ପ୍ରକାରର ହସ୍ତଶିଳ୍ପ ସାମଗ୍ରୀ ପ୍ରସ୍ତୁତ କରିବା ସହ ବିକ୍ରି ଆରମ୍ଭ କଲେ । ଏବେ ଏହି ସାମଗ୍ରୀ ବିଦେଶରେ ପହଂଚିଲାଣି ।
ଭୁବନେଶ୍ୱର ;
ମୟୂରଭଞ୍ଜରୁ ୟୂରୋପ ପୁଣି ଦୁବାଇ, ମାଲେସିଆ ଭଳି ମିଡିଲଇଷ୍ଟ ଦେଶକୁ । ମୟୂରଭଞ୍ଜ ଜିଲ୍ଲାର ଆଦିବାସୀ ମହିଳାଙ୍କ ହାତ ତିଆରି କ୍ରାଫ୍ଟ ଏବେ ବିକ୍ରି ହେଉଛି ବିଦେଶରେ ତା ପୁଣି ବେଶ ଭଲ ଦରରେ । ଯାହାକି କେବଳ ଓଡିଶାର କଳା କାରିଗରୀକୁ ପରିଚୟ ଦେଇନି ବରଂ ଆଦିବାସୀ ମହିଳାଙ୍କୁ ବି ସ୍ୱାବଲମ୍ବୀ କରାଇ ପାରିଛି । ଜଣେ କି ଦୁଇ ଜଣ ନୁହନ୍ତି ଜିଲ୍ଲାର ନଙ୍ଗଳକଟା ଅଂଚଳର ୧୪ଟି ଗାଁର ୨୦୦ ପାଖାପାଖି ଆଦିବାସୀ ମହିଳା ସବାଇ ଘାସରୁ ବିଭିନ୍ନ ପ୍ରକାରର ଜିନିଷ ତିଆରି କରି ଆର୍ଥିକ କ୍ଷେତ୍ରରେ ସ୍ୱାବଲମ୍ବୀ ହୋଇ ପାରିଛନ୍ତି ।
ଏ ବାବଦରେ ନଙ୍ଗଳକଟା ବ୍ଲକ୍ ରଙ୍ଗମାଠିଆ ଗାଁର ପ୍ରିୟଦର୍ଶିନୀ ହେମ୍ବ୍ରମ କହନ୍ତି ଆଗରୁ ସବାଇ ଘାସରେ ଦଉଡି ପ୍ରସ୍ତୁତ କରି ବିକ୍ରି କରୁଥିଲୁ । ମୋ ଭଳି ଆମ ଗାଁର ଅଧିକାଂଶ ଆଦିବାସୀ ମହିଳା ଘର କାମ ସହ ଏହାକୁ କରନ୍ତି । ହେଲେ ଏଥିରୁ ବେଶୀ ରୋଜଗାର ହୋଇ ପାରୁନଥିଲା । ମାତ୍ର ଯେବେଠାରୁ ଗାଁରେ କ୍ଲଷ୍ଟର ଖୋଲା ଯାଇଛି ଆଉ ଆମକୁ ତାଲିମ ମିଳିଛି ସେବେଠାରୁ ଆମେ ଭଲ ଦୁଇ ପଇସା ଆୟ କରି ପାରୁଛୁ । ମୁଁ ଏବେ ମୋ ନିଜ ଆୟରେ ପୁଅକୁ ବାରିପଦାରେ ଡିପ୍ଲୋମା ପଢ଼ାଉଛି ।
ଶାଗବାଡିଆ ଗାଁର ପାର୍ବତୀ ସାରିକା କହନ୍ତି ବାହା ହୋଇ ଆସିବା ଦିନରୁ ଗାଁ ଛଡା ଅନ୍ୟ ଆଡେ କେବେ ଯାଇନଥିଲି । ସବାଇ ଆମକୁ ଖାଲି କାମ କିମ୍ବା ଆର୍ଥିକ କ୍ଷେତ୍ରରେ ସ୍ୱାବଲମ୍ବୀ କରିନି । ଆମର ମନୋବଳ ବି ବଢ଼ାଇଛି । ଘରୁ ବାହାରି ନୂଆ ସାଙ୍ଗ କରିବାରେ ଏହା ମାଧ୍ୟମ ସାଜି ପାରିଛି । ଗାଁରେ କ୍ଲଷ୍ଟର ହେବା ଦିନଠୁ ମୁଁ ଅନେକ ସାଙ୍ଗ କରି ପାରିଛି । ଖାଲି ସେତିକି ନୁହେଁ ଭୁବନେଶ୍ୱର ଆସି ଏଇଠି ରହି ସହରଟାକୁ ଭଲରେ ଦେଖି ପାରିଛି । ଦିଲ୍ଲୀ ବି ଯିବାର ସୁଯୋଗ ପାଇଛି । ମୋତେ ନିଜକୁ ଖୋଜି ପାଇବାର ଏହି ସ୍ୱାଧୀନତା ଖୁବ୍ ଭଲ ଲାଗୁଛି ।
କରୋନା ଦେଖାଇଲା ବାଟ
କରୋନା ମହାମାରୀ ସମୟରେ ଯେତେବେଳେ ଲୋକଙ୍କୁ କାମ ଧନ୍ଦା ମିଳୁନଥିଲା ସେତେବେଳେ ମୟୂରଭଞ୍ଜର ଭାତୁଡି, ସାନ୍ତାଳ ଓ ମୁଣ୍ଡା ସମ୍ପ୍ରଦାୟର ୨୦୦ ପାଖାପାଖି ମହିଳା ନିଜର ପାରମ୍ପରିକ କୌଳିକ ବୃତିକୁ ଆଗକୁ ଆଣିବାକୁ ସାହାସ ଜୁଟାଇଥିଲେ । ସବାଇ ଘାସରେ ପାରମ୍ପରିକ ଦଉଡି ପ୍ରସ୍ତୁତ କରୁଥିବା ଏହି ମହିଳାମାନେ ବ୍ଲକ୍ସ୍ତରରେ ୧୦ ଜଣଙ୍କୁ ନେଇ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଗଢ଼ି ବିଭିନ୍ନ ପ୍ରକାରର ହସ୍ତଶିଳ୍ପ ସାମଗ୍ରୀ ପ୍ରସ୍ତୁତ କରିବା ଆରମ୍ଭ କଲେ । ପରେ ଡିଆଇସି(ଡିଷ୍ଟ୍ରିକ୍ଟ ଇଣ୍ଡଷ୍ଟ୍ରି ସେଂଟରର) ସହାୟତାରେ ତାଲିମ ନେଇ ଏହି କାମକୁ ଆଗକୁ ବଢ଼ାଇଲେ । ପ୍ରଥମେ ପ୍ରଥମେ ବ୍ୟକ୍ତିଗତ ଆବଶ୍ୟକତା ଓ ଦକ୍ଷତାରେ ଏହି କାମ ଚାଲିଲା । ମାତ୍ର ପରେ ୨୦୨୧ ଅଗଷ୍ଟ ମାସରୁ ଅନୁସୂଚିତ ଜାତି ଓ ଜନଜାତି ଗବେଷଣା ପ୍ରତିଷ୍ଠାନ ଦ୍ୱାରା ପରିଚାଳିତ ଓଏମ୍ବିଏଡିସି କାର୍ଯ୍ୟକ୍ରମ ଦ୍ୱାରା ସଙ୍ଗଠିତ ହୋଇ ମୋଳୁଚନ୍ଦ୍ର ଆର୍ଟିସାନ୍ ପ୍ରଡ୍ୟୁସର ଅର୍ଗାନାଇଜେସନ୍ ଗଠନ କଲେ । ଯେଉଁଥିରେ ବର୍ତମାନ ରଙ୍ଗମାଠିଆ, ବଡଯୁଡ, ଗୋପାଳପୁର, ଝଡଜମଡା, ମଶିଣାକାଠି, ନଙ୍ଗଳକଟା, ଓରାଚାନ୍ଦବିଲା, ଶାଗବାଡିଆ, ତାସୋର୍ଡା, ମେଧାମାରି ଆଦି ଗାଁର ୨୦୧ ମହିଳା ଶିଳ୍ପୀମାନେ ଯୋଡି ହୋଇଛନ୍ତି । ପୂର୍ବରୁ ବର୍ଷକୁ ୧୦୦ଟି ସବାଇ ଘାସ ସାମଗ୍ରୀ ପ୍ରସ୍ତୁତ ହେଉଥିବା ବେଳେ ଏବେ ୫୦ ଜଣ ମାଷ୍ଟର କ୍ରାଫ୍ଟସ୍ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ୩୦୦ରୁ ଅଧିକ ସାମଗ୍ରୀ ପ୍ରସ୍ତୁତ ହୋଇ ପାରୁଛି । ସେହିପରି ସାମଗ୍ରୀ ବିକ୍ରିକରି ଜଣପିଛା ମାସିକ ୧୫୦୦ରୁ ୨୦୦୦ ଟଙ୍କା ଆୟ କରୁଥିବା ମା’ମାନେ ଏବେ ୩୫୦୦ରୁ ୫୦୦୦ଟଙ୍କା ପର୍ଯ୍ୟନ୍ତ ଆୟ କରି ପାରୁଛନ୍ତି ।
ସବାଇଘାସ ଏକ ପ୍ରାକୃତିକ ଘାସ ହୋଇଥିବା ବେଳେ ମୟୂରଭଞ୍ଜ ଜିଲ୍ଲାର ପାହାଡିଆ ଅଂଚଳରେ ଏହା ଏଣେତେଣେ ଉଠେ । ପୂର୍ବରୁ ଏହାକୁ ଆଦିବାସୀମାନେ କେବଳ ଦଉଡି ତିଆରି କରିବାରେ ବ୍ୟବହାର କରୁଥିଲେ । ୨୦୨୦ ବେଳକୁ ଏହା ପ୍ରାୟତଃ ଲୋପପାଇଯିବା ଅବସ୍ଥାକୁ ଆସି ଯାଇଥିଲା । କରୋନା ଭଳି ମହାମାରୀରେ ଯେତେବେଳେ କାମଧନ୍ଦା ନ ପାଇ ଆମେ ସବୁ ଘରେ ବସିଲୁ ସେତେବେଳେ ଅବସର ସମୟରେ ଏହାକୁ ପୁଣିଥରେ ତିଆରି କରିବାକୁ ଚିନ୍ତା କଲୁ । ଏହି ଘାସକୁ ଉପଯୋଗ କରି ଆଉ କେଉଁ ସାମଗ୍ରୀ କରିହେବ ତାହା ବି ଭାବିଲୁ । ଫଳସ୍ୱରୂପ ଆଜି ଆମେ ଆର୍ଥିକ କ୍ଷେତ୍ରରେ ସ୍ୱାବଲମ୍ବୀ ହେବାକୁ ବଳ ଜୁଟାଇ ପାରିଛୁ । ୧୦୦ରୁ ଏବେ ଆମେ ପାଖାପାଖି ୩୦୦ ପ୍ରକାରର କ୍ରାଫ୍ଟ ଏଥିରେ ପ୍ରସ୍ତୁତ କରିପାରୁଛୁ । ଗହଣା, ବାସ୍କେଟ, ଭେନିଟି ବ୍ୟାଗ୍, ମଶିଣା ଆଦିର ଆଦର ଗ୍ରାହକଙ୍କଠାରେ ବେଶୀ ବୋଲି କହନ୍ତି ନଙ୍ଗଳକଟା ସ୍ଥିତ ମୋଲୁଚାନ୍ଦ ଆର୍ଟିସାନ୍ ପ୍ରଡ୍ୟୁସର ଅର୍ଗାନାଇଜେସନ୍ର ସଭାପତି କୁନି ସିଂହ ।
ଆକର୍ଷଣ ଆସିଜି ନୂଆ ଡିଜାଇନ୍
ସବାଇରେ ପ୍ରସ୍ତୁତ ସାମଗ୍ରୀ ତିଆରି କରିବାରେ ପ୍ରମୁଖ ଭୂମିକା ନିଭାଇଛି ଜିଲ୍ଲାର ଗୁହାଳଡିହି କ୍ଲଷ୍ଟର । ଯେଉଁଠି ଗ୍ରାମୀଣ ଆଦିବାସୀ ମହିଳା ନିଜର ସୃଜନଶୀଳତାକୁ ନୂତନ ଜ୍ଞାନ କୌଶଳର ସାହାଯ୍ୟରେ ପରିପୂର୍ଣ୍ଣ ରୂପ ଦେବାର ପ୍ରୟାସ ଜାରି ରଖିଛନ୍ତି । ଏ ବାବଦରେ କ୍ଲଷ୍ଟର ମୁଖ୍ୟ ଉଷାରାଣୀ ନାୟକ କହିଛନ୍ତି; ସମସ୍ତ ମାଷ୍ଟର କ୍ରାଷ୍ଟସ୍ଙ୍କ ଜ୍ଞାନକୁ ସମନ୍ୱିତ କରି ଆମେ ବର୍ତମାନ ସୁଦ୍ଧା ୩୦୦ ନୂଆ ଡିଜାଇନ୍ ପ୍ରସ୍ତୁତ କରି ସାରିଲୁଣି । ନ୍ୟାସ୍ନାଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଫ୍ୟାଶନ୍ ଡିଜାଇନ୍ର ଅଭିଜ୍ଞ ପ୍ରଶିକ୍ଷକମାନଙ୍କ ଦ୍ୱାରା ପ୍ରଶିକ୍ଷଣ ଦିଆଯାଉଛି । ପ୍ରକଳ୍ପରେ ମୁଖ୍ୟତଃ ୬ ପ୍ରକାର ଦିଗକୁ ଗୁରୁତ୍ୱ ଦିଆଯାଉଛି । ଆଦିବାସୀ ଶିଳ୍ପୀଙ୍କ ଦ୍ୱାରା ଉତ୍ପାଦିତ ସାମଗ୍ରୀର ଗୁଣବତା ବୃଦ୍ଧି କରିବା, ଉତ୍ପାଦର ସ୍ୱତନ୍ତ୍ର ବାଣ୍ଡିଂ, ଗ୍ରାମୀଣ ବ୍ୟବସାୟକୁ ଅର୍ବାନ୍ ରିଟେଲଙ୍କର ପାଖରେ ପହଂଚାଇବା, ଆଦିବାସୀ ଶିଳ୍ପୀ ଓ ମାର୍କେଟ୍ ଭିତରେ ରହିଥିବା ବ୍ୟବଧାନକୁ ପୂରା କରିବା ପାଇଁ ଡିଜିଟାଲ୍ ଲିଙ୍କେଜ୍, ବ୍ୟବସାୟ ନେଟ୍ୱାର୍କ ସୃଷ୍ଟି କରିବା, ପଲିସି ମେକର୍ସ, ଟ୍ରେଡର୍ସ ଓ କମ୍ୟୁନିଟି ମଧ୍ୟରେ ସମନ୍ୱୟ ରକ୍ଷା କରିବା ଭଳି କାମ ଏହାଦ୍ୱାରା କରାଯାଉଛି । ସଂପୃକ୍ତ ୪ଟି ଜିଲ୍ଲାର ଆଦିବାସୀ ଶିଳ୍ପୀଙ୍କୁ ଟେରିଫେଡ ଛଡା ଓର୍ମାସ୍, ଟିଡିସିସି ଭଳି ମାର୍କେଟ୍ ଏଜେନ୍ସିମାନଙ୍କ ସହ ମଧ୍ୟ ସଂଯୋଗ କରି ଆଦିବାସୀ ଉତ୍ପାଦର ବିକ୍ରିବଟା ଦିଗରେ ପଦକ୍ଷେପ ଗ୍ରହଣ କରାଯାଉଛି । ଆଦିବାସୀଙ୍କ ସାମଗ୍ରୀର ଗୁଣବତା ବୃଦ୍ଧି କରିବା ଓ ଏହାର ଡିଜାଇନ୍କୁ ଫ୍ୟାଶନ୍ ଦୁନିଆର ସମସ୍କନ୍ଧ କରିବା ପାଇଁ ପ୍ରତି କ୍ଲଷ୍ଟରର ହଜାରେ ଶିଳ୍ପୀଙ୍କୁ ଏକ ବର୍ଷ ପାଇଁ ଅଭିଜ୍ଞ ପ୍ରଶିକ୍ଷକଙ୍କ ଦ୍ୱାରା ତାଲିମ ଦିଆଯିବାର ବ୍ୟବସ୍ଥା କରାଯାଉଛି ।
ଇ-ମାର୍କେଟରେ ମିଳୁଛି ସବାଇ ପ୍ରଡକ୍ଟ
ଏ ବାବଦରେ ଅନୁସୂଚିତ ଜାତି ଓ ଜନଜାତି ଗବେଷଣା ପ୍ରତିଷ୍ଠାନ ଦ୍ୱାରା ପରିଚାଳିତ ଓଏମ୍ବିଏଡିସିର ପ୍ରକଳ୍ପର ମୁଖ୍ୟ ଶ୍ୱେତା ମିଶ୍ର କହିଛନ୍ତି; ଓଡିଶା ମିନେରାଲ ବିୟରିଂ ଏରିଆ ଡେଭେଲପ୍ମେଂଟ କର୍ପୋରେସନ୍ (ଓଏମ୍ବିଏଡିସି)ର ଆର୍ଥିକ ପ୍ରୋତ୍ସାହନରେ କରାଯାଉଥିବା ଏହି ପ୍ରକଳ୍ପର ମୂଳ ଆଭିମୁଖ୍ୟ ହେଉଛି ଓଡିଶାର ଆଦିବାସୀଙ୍କ ଲୁପ୍ତପ୍ରାୟ ଚିତ୍ର କଳା ଓ ହସ୍ତକଳାର ପୁନଃଉତଥାପନ କରିବା । ଆଦିବାସୀମାନେ ଯେପରି ନିଜର ପାରମ୍ପରିକ ଜ୍ଞାନକୁ ପୁଣି ଥରେ ସଂରକ୍ଷଣ କରିବା ଦିଗରେ ଉତ୍ସାହୀ ହେବେ ଓ ସେଥିରୁ ଦି ପଇସା ଲାଭ ପାଇବେ ସେହି ଲକ୍ଷ୍ୟରେ ଆଦିବାସୀ ମହିଳାଙ୍କୁ ଏହି ପ୍ରକଳ୍ପ ପାଇଁ ବଛାଯାଇ ସେମାନଙ୍କୁ କାମ ଦିଆଯାଇଛି ।
ଓଏମ୍ବିଏଡିସିର ପ୍ରକଳ୍ପ ମୁଖ୍ୟ ଶ୍ୱେତା ଆହୁରି କହନ୍ତି ଯେ; ଆଦିବାସୀଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀ ବିଭିନ୍ନ ଜାତୀୟ ଓ ଆନ୍ତର୍ଜାତୀୟ ବଜାରରେ ବିକ୍ରି ହେଉଥିବା ବେଳେ ଆଗାମୀ ଦିନରେ ଏହାକୁ ଆମାଜନ୍, ଇ ବାଏ ଭଳି ଅନ୍ୟ ଇ ମାର୍କେଟ ସହ ସଂଯୋଗ କରାଯିବ । ଏଥିପାଇଁ ଚୁଡାନ୍ତ ପ୍ରସ୍ତୁତି ସରିଛି । ଆଦିବାସୀ ମହିଳାଙ୍କ ଦ୍ୱାରା ପ୍ରସ୍ତୁତ ହେଉଥିବା ସବାଇଘାସର ବାସ୍କେଟ, ଘର ସାଜସଜ୍ଜା ଓ ମଶିଣା ଆଦି ସାମଗ୍ରୀର ପ୍ରଡକ୍ଟ ସାର୍ଟିଫିକେସନ୍ କାମ ଚାଲିଛି । ଏଥିପାଇଁ ଟ୍ରାଇଫେଡର ଏକ ଦଳ ନଙ୍ଗଳକଟା କ୍ଲଷ୍ଟର ଯାଇ ମହିଳାଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀ ବୁଲି ଦେଖି ଆସିବା ସହ ଏହାର ଗୁଣାତ୍ମକମାନ ଯାଂଚ କରିଛନ୍ତି । ଥରେ ପ୍ରସ୍ତୁତ ପ୍ରଡକ୍ଟଗୁଡିକର କୋଡିଂ ହେବା ସହ ଏହାକୁ ସାର୍ଟିଫିକେସନ୍ ଦିଆଯିବା ପରେ ଏହାକୁ ଏକ ନିର୍ଦ୍ଦିଷ୍ଟ ଦରରେ ବିଭିନ୍ନ ସ୍ଥାନରେ ବିକ୍ରି କରାଯାଇ ପାରିବ ।
ଏ ବାବଦରେ ଓର୍ମାସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି; ସବାଇଘାସ ସାମଗ୍ରୀକୁ ବିଶ୍ୱ ଦରବାରରେ ପହଂଚାଇବା ପାଇଁ ଆମେ ଏବେ ନ୍ୟାସ୍ନାଲ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଫ୍ୟାଶନ୍ ଟେକ୍ନୋଲୋଜି ସହ ଚୁକ୍ତି କରିଛୁ । ଯେଉଁମାନେ କି ସାଧାରଣ ଶିଳ୍ପୀର ସାମଗ୍ରୀକୁ ନୂଆ ରୂପ ଦେଉଛନ୍ତି । ଏବେ ଜିଲ୍ଲାରେ ପାଖାପାଖି ୭୦୦ରୁ ୮୦୦ ଆଦିବାସୀ ମହିଳା ଏହି କାମରେ ନିୟୋଜିତ ଅଛନ୍ତି । ଯେଉଁମାନେ କି ୪ଟି କ୍ଲଷ୍ଟରରେ କାମ କରୁଛନ୍ତି । କେବଳ ସବାଇ ଘାସ ସାମଗ୍ରୀ ବିକ୍ରି କରି ଏହି ମହିଳାମାନେ ବାର୍ଷିକ ୩ରୁ ୪ କୋଟି ଟଙ୍କା ଆୟ ମଧ୍ୟ କରୁଛନ୍ତି । ସବାଇ ଘାସ ସାମଗ୍ରୀର ବଜାର ଚାହିଦା ରହିଛି । ତେଣୁ ଆମେ ଏକ୍ସପୋର୍ଟ ଲାଇସେନ୍ସ ପାଇଁ ଚେଷ୍ଟା କରୁଛୁ । ଥରେ ଏହା ହେଲେ ମୟୂରଭଞ୍ଜର ସବାଇ ଘାସ ସାମଗ୍ରୀ ସିଧା ଆମେରିକା ଓ ୟୁରୋପ ବଜାରରେ ଉପଲବ୍ଧ ହେବ ।