ସବୁଜ ସୁନାକୁ ନିୟନ୍ତ୍ରଣ ମୁକ୍ତ କରିବାକୁ ତୋଳାଳୀଙ୍କ ଦାବି

ଲଘୁବନଜାତ ଦ୍ରବ୍ୟ ବିକ୍ରି କରି ପରିବାର ଚଳାଉଥିବା ଆଦିବାସୀଙ୍କ ମଧ୍ୟରେ ୮୦ ପ୍ରତିଶତ ହେଉଛନ୍ତି ମହିଳା । କିନ୍ତୁ ଗତ ୨ ବର୍ଷ ହେବ ରାଜ୍ୟ ସରକାର ସବୁଜ ସୁନା କୁହାଯାଉଥିବା କେନ୍ଦୁପତ୍ର କିଣୁ ନଥିବାରୁ ଆଦିବାସୀ ମହିଳାଙ୍କୁ ଅନେକ କ୍ଷତି ସହିବାକୁ ପଡୁଛି । ରାଜ୍ୟ ସରକାର ନକିଣିଲେ ବାହାରେ ବିକ୍ରି କରିବାକୁ ଅନୁମତି ଦେବାକୁ କୋରାପୁଟ ଜିଲ୍ଲା ବୈପାରୀଗୁଡା ବ୍ଲକର ବିଭିନ୍ନ ଗ୍ରାମସଭା ପକ୍ଷରୁ ଦାବି କରାଯାଇଛି । ଗତବର୍ଷ ଏହିଭଳି ବିକ୍ରି ହୋଇପାରିନଥିବାରୁ ସେମାନଙ୍କୁ ଅନେକ ଆର୍ଥିକ କ୍ଷତି ସହିବାକୁ ପଡିଥିଲା । ଆଦିବାସୀ ଗରିବ ମହିଳାମାନେ ଏଥିରୁ ଦି ପଇସା ଲାଭ ପାଉଥିବାରୁ ଏବର୍ଷ ଆଉ କ୍ଷତି ସହିପାରିବେ ନାହିଁ ବୋଲି କହିଛନ୍ତି । 
ଏଇ ଏପ୍ରିଲ ମେ ଦୁଇ ମାସ ପାହାନ୍ତିଆରୁ ଉଠି ଘରକାମ ଶେଷକରି ଆମେ ଜଙ୍ଗଲକୁ ଯାଉ କେନ୍ଦୁପତ୍ର ତୋଳିବା ପାଇଁ । ଜଙ୍ଗଲରୁ ଫେରିବା ବେଳକୁ ମୁଣ୍ଡ ଉପରକୁ ଟାଣ ଖରା ଆସିଯାଇଥାଏ । ତା ପରେ କଣ ଦିଇଟା ଖାଇ ଦେଇ ପୁଣି ବସିପଡୁ ପତ୍ରକୁ ଗଣି ବିଡା ବାନ୍ଧିବା ପାଇଁ । ଏଇ ଦୁଇମାସରେ ଭଲ ରୋଜଗାର ହେଉଥିବାରୁ ଯେତେ କଷ୍ଟ ହେଲେବି ତାହା ଦେହକୁ ବାଧେ ନାହିଁ । କିନ୍ତୁ ଗତ ବର୍ଷଠାରୁ ରାଜ୍ୟ ସରକାର କେନ୍ଦୁପତ୍ର କିଣୁନଥିବାରୁ ଏଥିରୁ ହେଉଥିବା ଆୟ ପ୍ରାୟତଃ ବନ୍ଦ ହୋଇଯାଇଛି । କେନ୍ଦୁପତ୍ରକୁ ନିୟନ୍ତ୍ରଣ ମୁକ୍ତ କଲେ ଆମେ ବାହାରେ ବିକ୍ରି କରିପାରିବୁ ବୋଲି କୋରାପୁଟ ଜିଲ୍ଲା ବୈପାରୀଗୁଡା ବ୍ଲକ ଗ୍ରାମସଭା ମହାସଂଘର ସଦସ୍ୟା ପାର୍ବତୀ ଖିଲାର କହିଛନ୍ତି । ଏବର୍ଷ ଏବେ ସୁଦ୍ଧା ୪ ଲକ୍ଷ କେନ୍ଦୁପତ୍ର ବିଡା ସଂଗ୍ରହ କରାଯାଇଥିବା ବେଳେ ଗତ ବର୍ଷ ୬ଲକ୍ଷ ପତ୍ର ବିଡା ସଂଗ୍ରହ କରାଯାଇଥିଲା । ବିକ୍ରିରେ ସମସ୍ୟା ଉପୁଜିବାରୁ ଏଗୁଡିକ ପଡି ପଡି ନଷ୍ଟ ହୋଇଗଲା । ଏଥିରେ ସଂଗ୍ରହକାରୀଙ୍କୁ ପ୍ରାୟ ୩୬ଲକ୍ଷ ଟଙ୍କାର କ୍ଷତି ସହିବାକୁ ପଡିଥିଲା ବୋଲି ସେ କହିଛନ୍ତି ।
କୋରାପୁଟର ଆଦିବାସୀ ଅଧ୍ୟୁଷିତ ଅଂଚଳରେ ବର୍ଷ ବର୍ଷ ଧରି କେନ୍ଦୁପତ୍ର ତୋଳି ପରିବାର ଚଳାଉଥିବା ଆଦିବାସୀ ମହିଳାମାନେ ଏବର୍ଷ କେନ୍ଦୁପତ୍ର ତୋଳି ସାରିଥିଲେ ମଧ୍ୟ ବିକ୍ରି କରିପାରୁନଥିବାରୁ ଏହାର ଲାଭ ପାଇପାରୁନାହାନ୍ତି । ରାଜ୍ୟ ସରକାରଙ୍କ କେନ୍ଦୁପତ୍ର ବିଭାଗ ତୋଳାଳୀଙ୍କଠାରୁ କେନ୍ଦୁପତ୍ର କିଣୁ ନଥିବାରୁ ସେମାନେ ହାତ ବାନ୍ଧି ବସିଛନ୍ତି । ୨୦୦୬ ଜଙ୍ଗଲ ଅଧିକାର ଆଇନ ଅନୁସାରେ ଲଘୁ ବନଜାତ ଦ୍ରବ୍ୟର ବିକ୍ରିବଟା କରିବା ପାଇଁ ଗ୍ରାମବାସୀ  ଗୋଷ୍ଠୀଙ୍କୁ ଜଙ୍ଗଲ ଅଧିକାର ମିଳିଛି । ହେଲେ କୋରାପୁଟ ଜିଲ୍ଲାରେ ଗୋଷ୍ଠୀ ଜଙ୍ଗଲ ଅଧିକାର ପାଇଥିବା ଗ୍ରାମସଭାକୁ କେନ୍ଦୁପତ୍ର ବିକ୍ରି କରିବାକୁ ଅନୁମତି ଦିଆଯାଇନାହିଁ । ଫଳରେ ବୈପାରୀଗୁଡାର କାଲଥାଯୋଡି, କଡାଲିଯବା, ଗାଦବାଗୁଡା, ଫଟକିକୁମ୍ଭି,ପାଙ୍ଗଣପାଣି, ତପାଯୋଡ, କୁପୁଲିଗୁଡା ଏବଂ ବଦଲିବେଡା ଆଦି ୮ଟି ଗ୍ରାମସଭା ଆସିବାସୀ ମହିଳାଙ୍କ ଠାରୁ କେନ୍ଦୁପତ୍ର ସଂଗ୍ରହ କରିଛନ୍ତି । କିନ୍ତୁ ନିୟନ୍ତ୍ରଣ ମୁକ୍ତ ହୋଇନଥିବାରୁ ସେମାନେ ବାହାରେ ବିକ୍ରି କରିପାରୁନାହାନ୍ତି ବୋଲି ଗ୍ରାମସଭା ସଦସ୍ୟା ପାର୍ବତୀ କହିଛନ୍ତି ।
କୋରାପୁଟର ଆଦିବାସୀ ଅଧ୍ୟୁଷିତ ଅଂଚଳରେ ବର୍ଷ ବର୍ଷ ଧରି କେନ୍ଦୁପତ୍ର ତୋଳି ପରିବାର ଚଳାଉଥିବା ଆଦିବାସୀ ମହିଳାମାନେ ଏବର୍ଷ କେନ୍ଦୁପତ୍ର ତୋଳି ସାରିଥିଲେ ମଧ୍ୟ ବିକ୍ରି କରିପାରୁନଥିବାରୁ ଏହାର ଲାଭ ପାଇପାରୁନାହାନ୍ତି । ରାଜ୍ୟ ସରକାରଙ୍କ କେନ୍ଦୁପତ୍ର ବିଭାଗ ତୋଳାଳୀଙ୍କଠାରୁ କେନ୍ଦୁପତ୍ର କିଣୁ ନଥିବାରୁ ସେମାନେ ହାତ ବାନ୍ଧି ବସିଛନ୍ତି । ୨୦୦୬ ଜଙ୍ଗଲ ଅଧିକାର ଆଇନ ଅନୁସାରେ ଲଘୁ ବନଜାତ ଦ୍ରବ୍ୟର ବିକ୍ରିବଟା କରିବା ପାଇଁ ଗ୍ରାମବାସୀ  ଗୋଷ୍ଠୀଙ୍କୁ ଜଙ୍ଗଲ ଅଧିକାର ମିଳିଛି । ହେଲେ କୋରାପୁଟ ଜିଲ୍ଲାରେ ଗୋଷ୍ଠୀ ଜଙ୍ଗଲ ଅଧିକାର ପାଇଥିବା ଗ୍ରାମସଭାକୁ କେନ୍ଦୁପତ୍ର ବିକ୍ରି କରିବାକୁ ଅନୁମତି ଦିଆଯାଇନାହିଁ । ଫଳରେ ବୈପାରୀଗୁଡାର କାଲଥାଯୋଡି, କଡାଲିଯବା, ଗାଦବାଗୁଡା, ଫଟକିକୁମ୍ଭି,ପାଙ୍ଗଣପାଣି, ତପାଯୋଡ, କୁପୁଲିଗୁଡା ଏବଂ ବଦଲିବେଡା ଆଦି ୮ଟି ଗ୍ରାମସଭା ଆସିବାସୀ ମହିଳାଙ୍କ ଠାରୁ କେନ୍ଦୁପତ୍ର ସଂଗ୍ରହ କରିଛନ୍ତି । କିନ୍ତୁ ନିୟନ୍ତ୍ରଣ ମୁକ୍ତ ହୋଇନଥିବାରୁ ସେମାନେ ବାହାରେ ବିକ୍ରି କରିପାରୁନାହାନ୍ତି ବୋଲି ଗ୍ରାମସଭା ସଦସ୍ୟା ପାର୍ବତୀ କହିଛନ୍ତି ।
ମହିଳାମାନେ ବିଶେଷ ଭାବେ ପ୍ରଭାବିତ
ରାଜ୍ୟରେ ଜଙ୍ଗଲ ଉପରେ ନିର୍ଭରଶୀଳ ଆଦିବାସୀଙ୍କ ମଧ୍ୟରୁ ୧୫ଲକ୍ଷ କେନ୍ଦୁପତ୍ର ବ୍ୟବସାୟ ଉପରେ ନିର୍ଭର କରନ୍ତି ଏବଂ ସେମାନଙ୍କ ମଧ୍ୟରେ ୮୦ ପ୍ରତିଶତ ହେଉଛନ୍ତି ମହିଳା। ସେଥିରୁ ୮ଲକ୍ଷ କେନ୍ଦୁପତ୍ର ତୋଳାଳୀଭାବେ ରାଜ୍ୟସରକାରଙ୍କଠାରୁ ପଂଜିକୃତ ମାନ୍ୟତା ପାଇଛନ୍ତି । ଅଠର ହଜାର ସିଷ୍ଟମ କର୍ମଚାରୀ ରହିଥିବାବେଳେ ଆଉ ୨୦ ହଜାର ବନ୍ଧେଇ ଭାବେ କାମ କରୁଛନ୍ତି । ଓଡ଼ିଶାର ବିଭିନ୍ନ ଆଦିବାସୀ ଅଧ୍ୟୁଷିତ ଅଂଚଳର ମହିଳାମାନେ ସେମାନଙ୍କ ନିୟମିତ ଆୟ ପାଇଁ ବାହାରେ ମଜୁରୀ କାମ କରି ରୋଜଗାର କରିବା ଛଡା ଜଙ୍ଗଲରୁ ବିଭିନ୍ନ ପ୍ରକାରର ଲଘୁ ବନଜାତଦ୍ରବ୍ୟ ଯେପରି-ମହୁଲ, ଶିଆଳି ପତ୍ର, ଝୁଣା, ହରିଡା, ବାହାଡା, ପିଜୁଳି ଓ କେନ୍ଦୁପତ୍ର ସଂଗ୍ରହ କରି ଚଳନ୍ତି। ଏଥିରୁ କେନ୍ଦୁପତ୍ର ବିକ୍ରି କରି ସେମାନେ ଅଧିକ ଲାଭ ପାଉଥିବାରୁ ଏହି ଦୁଇମାସ ସେମାନେ କଠିନ ପରିଶ୍ରମ କରି କେନ୍ଦୁପତ୍ର ସଂଗ୍ରହରେ ଲାଗିପଡନ୍ତି । ମାର୍ଚ୍ଚମାସରେ ବିଭାଗ ପକ୍ଷରୁ ବୁଶ କଟିଂ କରାଯାଇସାରିବା ପରେ ଏପ୍ରିଲ ଓ ମେ ଦୁଇ ମାସ ଟାଣ ଖରାକୁ ଖାତିର ନକରି ସେମାନେ ଗୋଟି ଗୋଟି କରି କେନ୍ଦୁପତ୍ର ତୋଳିଥାଆନ୍ତି । ଏହି କେନ୍ଦୁପତ୍ର ତୋଳିବା କାମ ମହିଳାମାନେ ଅଧିକ କରୁଥିବା ବେଳେ ଅନେକ ସମୟରେ ଘରର ଝିଅମାନେ ପରିବାରକୁ ସାହାଯ୍ୟ କରିବାପାଇଁ ପତ୍ର ତୋଳିବା କାମରେ ଲାଗିଥାଆନ୍ତି । ଏହି ସମୟରେ ଅଧିକାଂଶ ଆଦିବାସୀ ଗାଁକୁ ଗଲେ ଦେଖିବାକୁ ମିଳେ କିଭଳି ମହିଳାମାନେ ପତ୍ର ତୋଳିବା, ବିଡା ବାନ୍ଧିବା ପୁଣି ଟାଣ ଖରାରେ ପତ୍ର ବିଡା ଶୁଖେଇବା ଆଦି କାମରେ ଲାଗିଥାଆନ୍ତି ।
ଅନେକ ତୋଳାଳୀ କହିଛନ୍ତି, କେବଳ ଯେ କେନ୍ଦୁପତ୍ର ବିକ୍ରିରେ ଲାଭ ହେଉଥିଲା ତା ନୁହେଁ ସେମାନଙ୍କୁ ଏଥିପାଇଁ ଅନେକ ସୁବିଧା ସୁଯୋଗ ଯେପରି ପିଲାଙ୍କ ପାଠପଢା ଖର୍ଚ୍ଚ, ଝିଅ ବିବାହ ପାଇଁ ସାହାଯ୍ୟ ମଧ୍ୟ ରାଜ୍ୟ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଥିଲା । ତେବେ ୨୦୧୭-୧୮ରେ କେନ୍ଦୁପତ୍ରରେ ୧୮ ପ୍ରତିଶତ ଜିଏସଟି ଲାଗୁ ହେବା ପରେ ଏହାର ସଂଗ୍ରହ ଯଥେଷ୍ଟ ମାତ୍ରାରେ ହ୍ରାସ ପାଇଛି । ୨୦୧୬ ବର୍ଷରେ ରାଜ୍ୟ ସରକାର କେନ୍ଦୁପତ୍ର ବିକ୍ରି କରି ୪୨୯ କୋଟି ଟଙ୍କା ଲାଭ କରିଥିବା ବେଳେ ୨୦୨୩ ବେଳକୁ ଏହା ଖସି ଆସି ୯୦ କୋଟିରେ ପହଂଚିଗଲା । ଫଳରେ କେନ୍ଦୁପତ୍ର ତୋଳାଳୀଙ୍କୁ ଯେଉଁ ବୋନସ ଦିଆଯାଉଥିଲା ତାହା ୧୦୦ରୁ ୫୦ ପ୍ରତିଶତକୁ ଖସିଆସିବା ବେଳେ ବନ୍ଧାଳୀଙ୍କ ବୋନସ ୩୦ରୁ ୨୦ ପ୍ରତିଶତକୁ ଖସିଛି । ଜିଏସଟି ଏବଂ ପ୍ରତିକୂଳ ପାଣିପାଗର ପ୍ରଭାବ ଯୋଗୁଁ ବୋନସ ରାଶି କମିଥିବା କେନ୍ଦୁପତ୍ର ଉନ୍ନୟନ ବୋର୍ଡ ପକ୍ଷରୁ କୁହାଯାଇଛି । ଏହାବାଦ ଏବର୍ଷ କେନ୍ଦୁପତ୍ର ତୋଳାଳୀଙ୍କ ପାଇଁ ଥିବା କନ୍ୟାବିବାହ ସହାୟତା ଯୋଜନାକୁ ରାଜ୍ୟ ସରକାର ବନ୍ଦ କରିଦେଇଛନ୍ତି ।
ବାହାରେ ବିକ୍ରି ପାଇଁ ଆବଶ୍ୟକ ଅନୁମତି  କେନ୍ଦୁପତ୍ରରୁ ବିଡି ତିଆରି ହେବା ସହ ଅନେକ ସମୟରେ ଔଷଧ ତିଆରିରେ ମଧ୍ୟ କେନ୍ଦୁପତ୍ର ବ୍ୟବହାର ହୋଇଥାଏ । ଏଣୁ ବାହାରେ ଏହି ପତ୍ରର ଯଥେଷ୍ଟ ଚାହିଦା ରହିଛି । ସାମାଜିକ କର୍ମୀ ତଥା ସ୍ପ୍ରେଡ୍ ଏନଜିଓ ସଂସ୍ଥାର ସଚିବ ବିଦ୍ୟୁତ ମହାନ୍ତି ଏବିଷୟକୁ ସରକାରଙ୍କ ଦୃଷ୍ଟିକୁ ଆଣିବାକୁ ଯାଇ କହିଛନ୍ତି, ଆଦିବାସୀ ସଂପ୍ରଦାୟ ମହିଳାଙ୍କ ଆୟର କେନ୍ଦୁପତ୍ର ବିକ୍ରି ଏକ ଗୁରୁତ୍ୱପୂର୍ଣ ଉତ୍ସ ହୋଇଥିବାରୁ ସେମାନଙ୍କୁ ବାହାରେ ବିକ୍ରି କରିବାପାଇଁ ଅନୁମତି ମିଳିବା ଆବଶ୍ୟକ । ବିଶେଷକରି ଏକାକୀ ମହିଳା ଓ ବିଧବା ମହିଳାମାନେ କେନ୍ଦୁପତ୍ର ତୋଳି ପରିବାର ଚଳାଉଥିବାରୁ କେନ୍ଦୁପତ୍ର ବିକ୍ରି ହୋଇନପାରିଲେ ସେମାନଙ୍କୁ ଅନେକ କ୍ଷତି ସହିବାକୁ ପଡୁଛି ।
ଗ୍ରାମସଭା ସଂଘର ସଦସ୍ୟା ପାର୍ବତୀଙ୍କ ସହ ଅନ୍ୟ ମହିଳାମାନେ କହିଛନ୍ତି କେନ୍ଦୁପତ୍ର ସଂଗ୍ରହପାଇଁ ବନ ବିଭାଗ ପକ୍ଷରୁ ଏହି ଅଂଚଳରେ କୌଣସି ନିଦ୍ଧିଷ୍ଟ ସ୍ଥାନ ବା ଫଡି ନାହିଁ । ଫଳରେ ଏଠାରେ ସଂଗ୍ରହ ହେଉଥିବା କେନ୍ଦୁପତ୍ର ଗୁଡିକ ବିକ୍ରି ହୋଇନପାରିଲେ ନଷ୍ଟ ହେବା ସହ ଆଦିବାସୀ ମହିଳାମାନଙ୍କୁ ଏହାର ଲାଭ ମିଳିପାରୁନାହିଁ । ଏଥିଯୋଗୁଁ ସେମାନଙ୍କ ଜୀବିକା ପ୍ରଭାବିତ ହେଉଛି । ନିକଟରେ ଗ୍ରାମସଭା ମହାସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦୁପତ୍ରକୁ ନିୟନ୍ତ୍ରଣ ମୁକ୍ତକରି ଆଦିବାସୀଙ୍କୁ ସଂଗ୍ରହ ଓ ବାହାରେ ବିକ୍ରି କରିବାର ଅନୁମତି ଦେବାକୁ ଅନୁରୋଧ କରାଯାଇଥିଲା । ୨୦୨୪ରେ ଏହି କାରଣରୁ ସଂଗ୍ରହ ହୋଇଥିବା ୬ଲକ୍ଷ କେନ୍ଦୁପତ୍ର ବିଡା ବର୍ଷାରେ ନଷ୍ଟ ହୋଇଯାଇଥିଲା । ଏହି ଘଟଣାର ପୁନରାବୃତି ଯେପରି ନ ହେଉ ସେଥିପାଇଁ ସେମାନେ ମୁଖ୍ୟମନ୍ତ୍ରୀ ଓ ବିଭାଗୀୟ ମନ୍ତ୍ରୀଙ୍କୁ ପୁଣିଥରେ ନିବେଦନ କରିଛନ୍ତି । ୨୦୧୩ରେ ନବରଂଗପୁର ଜିଲ୍ଲାରେ ଏଭଳି ପରିସ୍ଥିତି ସୃଷ୍ଟି ହେବାପରେ କେନ୍ଦୁପତ୍ରକୁ ନିୟନ୍ତ୍ରଣ ମୁକ୍ତ କରିବାକୁ ଜଙ୍ଗଲ ଓ ପରିବେଶ ବିଭାଗ କେନ୍ଦୁପତ୍ର ପିସିସିଏଫ ଓଡ଼ିଶା ବନ ଉନ୍ନୟନ ନିଗମ ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଥିଲେ । ପରେ ଜୟପୁର କେନ୍ଦୁପତ୍ର ବିଭାଜନ ଅଧିନରେ ଥିବା ମାଲକାନଗିରି ଜିଲ୍ଲାକୁ ଏଥିରେ ସାମିଲ କରାଯାଇଥିଲା । ଏହି ସଂପ୍ରସାରଣ ଯୋଗୁଁ ଗରିବ ଆଦିବାସୀ କେନ୍ଦୁପତ୍ର ତୋଳାଳୀ ବେଶ ଉପକୃତ ହୋଇଥିଲେ । ସେହିଭଳି ୨୦୧୭ରେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଡିଭିଜନ ଅଧୀନରେ ଥିବା ୬ଟି ଗ୍ରାମସଭାକୁ ନିୟନ୍ତ୍ରଣମୁକ୍ତ କରାଯାଇଥିଲା । ସେହିଦିନଠାରୁ ସେଠାକାର ଗ୍ରାମସଭା ସଦସ୍ୟ ସଦସ୍ୟାମାନେ କେନ୍ଦୁପତ୍ର ବିକ୍ରି କରି ରୋଜଗାର କରିବାରେ ସକ୍ଷମ ହୋଇପାରିଛନ୍ତି । ସରକାର କେନ୍ଦୁପତ୍ରକୁ ନିୟନ୍ତ୍ରଣ ମୁକ୍ତ ଘୋଷଣା କଲେ ବୈପାରୀଗୁଡା ଅଂଚଳର ଶତାଧିକ ଆଦିବାସୀ ପରିବାର ଉପକୃତ ହୋଇପାରିବେ ବୋଲି ମହାସଂଘ କହିଛି । ଜଙ୍ଗଲ ଅଧିକାର ଆଇନ ବଳରେ ସେମାନେ ଲଘୁବନଜାତ ଦ୍ରବ୍ୟ ସଂଗ୍ରହ ଓ ବିକ୍ରି କରିବାର ଅଧିକାର ପାଇଥିବାରୁ କେନ୍ଦୁପତ୍ରକୁ ବାହାରେ ବିକ୍ରି କରିବା ପାଇଁ ଅନୁମତି ହେବାକୁ ସେମାନେ କହିଛନ୍ତି ।
ତେବେ ଜୟପୁର ଡିଭିଜନ ବନ ବିଭାଗର ଅଫିସର ଶରତ ସାହୁ କହିଛନ୍ତି କୋରାପୁଟ ଜିଲ୍ଲାକୁ ବାହାରେ କେନ୍ଦୁପତ୍ର ବିକ୍ରି କରିବାର ଅନୁମତି ଦିଆଯାଇନଥିବାରୁ ତୋଳାଳୀମାନେ ବିଭାଗକୁ ବିକ୍ରି କରିଦେବା ଆବଶ୍ୟକ । ସରକାର ଏଥିପାଇଁ ମୂଲ୍ୟ ଧାର୍ଯ୍ୟ କରିଥିବାରୁ ତୋଳାଳୀମାନେ ସେହି ମୂଲ୍ୟରେ ବିକ୍ରି କରିବାକୁ ସେ କହିଛନ୍ତି । ନଚେତ ଏଗୁଡିକ ସୁରକ୍ଷିତଭାବେ ରଖିବାର ବ୍ୟବସ୍ଥା ନଥିବାରୁ ନଷ୍ଟ ହୋଇଯିବାର ଆଶଙ୍କା ରହିଛି ।

Leave a Reply

Your email address will not be published. Required fields are marked *