ଜାତୀୟ ପରିବାର ଓ ସ୍ୱାସ୍ଥ୍ୟ ସର୍ଭେ-୫ ଅନୁସାରେ ଯଦିଓ ଗତ ୬ବର୍ଷ ଭିତରେ ବାଲ୍ୟବିବାହର ମାତ୍ରାରେ ୦.୮ ପ୍ରତିଶତ ହ୍ରାସ ଘଟିଛି ତଥାପି ବର୍ତମାନ ରାଜ୍ୟରେ ୨୦.୫ ପ୍ରତିଶତ ବାଲ୍ୟବିବାହ ହେଉଛି । ସର୍ଭେ ଅନୁସାରେ ରାଜ୍ୟର ୧୨ଟି ଜିଲ୍ଲାର ସ୍ଥିତି ଏବେବି ଗମ୍ଭୀର ଏବଂ ଜାତୀୟ ହାରଠୁଁ ଅଧିକ । ରାଜ୍ୟ ସରକାର, ୟୁନିସେଫ, ଆକସନ ଏଡ, ଚାଇଲ୍ଡ ଲାଇନ ଓ ଅନ୍ୟାନ୍ୟ ସ୍ୱେଚ୍ଛାସେବୀ ସଂଗଠନଙ୍କ ମିଳିତ ସହଯୋଗରେ ବାଲ୍ୟ ବିବାହକୁ ରୋକିବା ପାଇଁ ଅନେକ ଗୁଡିଏ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ନୟାଗଡ ଜିଲ୍ଲା ଯେଉଁଠି ଏବେବି ବାଲ୍ୟ ବିବାହ ୩୫.୭ ପ୍ରତିଶତରେ ରହିଛି, ଯାହା ଜାତୀୟ ହାରଠାରୁ ଅଧିକ, ଏହାକୁ ଟ୍ରାକ କରିବା ପାଇଁ ଜିଲ୍ଲାରେ ଆରମ୍ଭ ହୋଇଛି ନୂଆ ପ୍ରୟାସ ଅଲିଭା ।
ଭୁବନେଶ୍ୱର ;
ଜାତୀୟ ପରିବାର ଓ ସ୍ୱାସ୍ଥ୍ୟ ସର୍ଭେ-୫ ଅନୁସାରେ ଏବେ ମଧ୍ୟ ରାଜ୍ୟର ୧୨ଟି ଜିଲ୍ଲାରେ ବାଲ୍ୟ ବିବାହ କ୍ଷେତ୍ରରେ ସ୍ଥିତି ଜାତୀୟ ହାର ଠାରୁ ଅଧିକ । ଏହି ୧୨ ଜିଲ୍ଲା ମଧ୍ୟରେ ରହିଛି ନୟାଗଡ, ଯେଉଁଠି ୩୫.୭ ପ୍ରତିଶତ ବାଲ୍ୟ ବିବାହ ଘଟୁଛି । ଜିଲ୍ଲାରେ ବଢୁଥିବା ବାଲ୍ୟ ବିବାହକୁ ରୋକିବା ପାଇଁ ଏବେ ଆରମ୍ଭ ହୋଇଛି ଅଲିଭା ରେଜିଷ୍ଟ୍ରାର କାର୍ଯ୍ୟକ୍ରମ । ଯେଉଁଥିରେ ଜିଲ୍ଲାର କିଶୋର ବୟସର ସବୁ ଝିଅମାନଙ୍କର ନାମ, ଠିକଣା, ବୟସ ସବୁ ଏହି ଅଲିଭା ରେଜିଷ୍ଟ୍ରାରରେ ଅର୍ନ୍ତଭୁକ୍ତ କରାହେବ । ଏଥିପାଇଁ ଜିଲ୍ଲାରେ କାର୍ଯ୍ୟ କରୁଥିବା ଅଙ୍ଗନଓାଡି କର୍ମୀଙ୍କୁ ଦାୟିତ୍ୱ ଦିଆଯାଇଛି । ଏହାଦ୍ୱାରା ଯଦି ଜିଲ୍ଲାରେ କୌଣସି ଝିଅଙ୍କର ୧୮ ବର୍ଷରୁ କମ ବୟସରେ ବିବାହ ହେଉଥିବ ତେବେ ତାଙ୍କ ବିବାହକୁ ରୋକିବାରେ ଏହି ରେଜିଷ୍ଟାର ସାହାଯ୍ୟ କରିବ ।
ନିକଟରେ ୧୦ମ ଶ୍ରେଣୀରେ ପଢୁଥିବା ୧୬ ବର୍ଷର ଜଣେ ଝିଅ ଏହି ଅଲିଭା ରେଜିଷ୍ଟାରରେ ନାମ ଅର୍ନ୍ତଭୁକ୍ତ କରିଥିବା ଯୋଗୁଁ ତାଙ୍କ ପରିବାର ପକ୍ଷରୁ କରାଯାଉଥିବା ବିବାହରୁ ନିଜକୁ ବଂଚାଇ ପାରିଛନ୍ତି । ରାଜ୍ୟ ସରକାରଙ୍କ ଅଦ୍ୱିକା (ପ୍ରତି ଝିଅ ସ୍ୱତନ୍ତ୍ର) କାର୍ଯ୍ୟକ୍ରମର ନିୟମିତ ସଦସ୍ୟ ହୋଇଥିବା ଏହି ୧୬ ବର୍ଷିୟ ଝିଅଟି ଅଲିଭା ରେଜିଷ୍ଟାର ବିଷୟରେ ଜାଣିବା ପରେ ସେଥିରେ ନିଜ ନାଁ ଅନ୍ତଭ୍ୁକ୍ତ କରିଥିଲେ । ଏଣୁ ବାଲ୍ୟ ବିବାହ ଯୋଗୁଁ ହେଉଥିବା ଶାରୀରିକ, ମାନସିକ ଓ ସ୍ୱାସ୍ଥ୍ୟଗତ ସମସ୍ୟା ବିଷୟରେ ବେଶ ଅବଗତ ଥିଲେ ।
ଯେତେବେଳେ ମୁଁ ଜାଣିଲି ଯେ ବାପା ମା ମୋ ବାହାଘର କରିଦେବାକୁ ଠିକ କରିଛନ୍ତି ମୁଁ ପ୍ରଥମେ ସେମାନଙ୍କୁ ଏଥିରୁ ନିବୃତ ରହି ମତେ ପାଠ ପଢିବାକୁ ସୁଯୋଗ ଦେବାକୁ ଅନୁରୋଧ କଲି । କିନ୍ତୁ ସେମାନେ ଜବରଦସ୍ତ ମୋ ବାହାଘର କରିଦେବାକୁ ଚେଷ୍ଟା କରିବାରୁ ମୁଁ ଚାଇଲ୍ଡ ଲାଇନର ସହାୟତା ନେଲି । ଜୁଲାଇ ୭ତାରିଖ ମୋ ବାହାଘର ଦିନ ପାହାନ୍ତରେ ସମସ୍ତେ ଶୋଇଥବା ବେଳେ ମୁଁ ଲୁଚି ଚାଇଲ୍ଡ ଲାଇନକୁ ଫୋନ ଯୋଗେ ଏସବୁ ବିଷୟରେ ଜଣାଇଲି । ଏହାପରେ ଚାଇଲ୍ଟ ଲାଇନର କର୍ମକର୍ତା , ପୋଲିସ, ସିଏମପିଓ (ଚାଇଲ୍ଡ ମ୍ୟାରେଜ ପ୍ରୋଗ୍ରାମ ଅଫିସର), ମହିଳା ସୁପର ଭାଇଜର ପହଂଚି ମୋତେ ଉଦ୍ଧାର କଲେ ବୋଲି କହିଥିଲେ ବାଲ୍ୟ ବିବାହରୁ ସଦ୍ୟ ମୁକ୍ତ ହୋଇଥିବା ୧୬ ବର୍ଷର ଝିଅ ।
ସେଦିନ ତାଙ୍କ ଘରେ ପହଂଚି ଏହି କର୍ମକର୍ତାମାନେ ତାଙ୍କ ବାପାମାଙ୍କୁ ଝିଅର ବୟସର ପ୍ରମାଣ ମାଗିଥିଲେ । ସେମାନେ ଦେଇଥିବା ଆଧାରକାର୍ଡର ଜନ୍ମ ତାରିଖ ଓ ଅଲିଭା ରେଜଷ୍ଟ୍ରାରରେ ଅନ୍ତଭୁକ୍ତ ହୋଇଥିବା ଜନ୍ମ ତାରିଖ ମେଳ ନହେବାରୁ ସେମାନେ ଏ ବିଷୟରେ ଅଧିକ ଯାଂଚ କଲେ । ଶେଷରେ ଜଣାଗଲା ଯେ ତାଙ୍କ ପରିବାର ଲୋକେ ଆଧାରକାର୍ଡ ଫର୍ଜୀ କରି ତାଙ୍କ ବିବାହ କରିବା ପାଇଁ ଚେଷ୍ଟା କରୁଥିଲେ । ଏହା ଜଣାଯିବା ପରେ ତାଙ୍କ ବିବାହ ବନ୍ଦ କରାଗଲା ଓ ସେ ଏଥିରୁ ମୁକ୍ତି ପାଇ ପାରିଲେ ।
ଏକ ଭଲ ପ୍ରୟାସ
ଏନଏଫଏଚଏସ-୫ରେ ନୟାଗଡ ଜିଲ୍ଲାରେ ବାଲ୍ୟ ବିବାହର ସ୍ଥିତି ଗମ୍ଭୀର ଥିବା କୁହାଯାଉଥିବା ବେଳେ ଜିଲ୍ଲାରେ ୧୪-୧୯ ବର୍ଷ ବୟସରେ ଥିବା ଝିଅମାନଙ୍କର ଅଧିକ ସଂଖ୍ୟାରେ ବିବାହ ହେଉଥିବା ହେଖାଯାଇଛି । ଏହାକୁ ରୋକିବା ପାଇଁ ଚଳିତବର୍ଷ ଠାରୁ ଆରମ୍ଭ ହୋଇଥିବା ଅଲିଭା ରେଜିଷ୍ଟାର ରେ ପ୍ର୍ରତ୍ୟେକ ସ୍କୁଲ ଯାଉଥିବା କିଶୋର ବୟସର ଝିଅଙ୍କ ନାଁ, ଠିକଣା ଓ ବୟସକୁ ଅଙ୍ଗନଓାଡି କର୍ମୀ ମହିଳା ସୁପରଭାଇଜର, ସ୍କୁଲ ଶିକ୍ଷକ ଓ ସିଏମପିଓ ଙ୍କ ଠାରୁ ଯାଂଚ କରିସାରିବା ପରେ ରେଜିଷ୍ଟ୍ରାରରେ ଅର୍ନ୍ତଭୁକ୍ତ କରିଆଆନ୍ତି । ବର୍ତମାନ ଯାଏଁ ଜିଲ୍ଲାରେ କାର୍ଯ୍ୟ କରୁଥିବା ୧୫୮୪ଟି ଅଙ୍ଗନଓାଡି କେନ୍ଦ୍ରକୁ ଏହି ରେଜିଷ୍ଟ୍ରାର ଦିଆଯାଇଛି ଯେଉଁଥିରେ ଏହି ଝିଅମାନଙ୍କ ବିଷୟରେ ସଂପୂର୍ଣ ବିବରଣୀ ଅର୍ନ୍ତଭୂକ୍ତ କରାଯିବ । ଏହି କାର୍ଯ୍ୟକ୍ରମ ୨୦୩୦ଯାଏଁ ଚାଲିବ । ଏହା ଜିଲ୍ଲାର ଅନ୍ୟ ମିଶନ ଯେପରି-ଡ୍ରପ ଆଉଟ ରେଟକୁ କମ କରିବା, ବାଲ୍ୟ ବିବାହ ମୁକ୍ତ କରିବା, କନ୍ୟାଭୃଣ ହତ୍ୟା ରୋକିବା ଏବଂ ରକ୍ତହୀନତା ସମସ୍ୟାକୁ କମ କରିବା ଦିଗରେ ସହାୟକ ହେବ ।
ଲୋଡା କମ୍ୟୁନିଟୀ ସହଯୋଗ
ଏହି ରେଜିଷ୍ଟ୍ରାର ଆରମ୍ଭ ହେବା ଦିନଠାରୁ କିଶୋର ବୟସର ଝିଅମାନେ ଏଥିରେ ନାଁ ରେଜିଷ୍ଟାର କରିବାକୁ ବିଶେଷ ଆଗ୍ରହ ପ୍ରକାଶ କରୁଛନ୍ତି । ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବାଲ୍ୟବିବାହକୁ ବନ୍ଦ କରିବା ପାଇଁ ଜିଲ୍ଲା ପ୍ରଶାସନ ସହ ମିଳିତଭାବେ କାମ କରୁଥିବା ୟୁନିସେଫ, ଆକସନ ଏଡ, ଚାଇଲ୍ଡ ଲାଇନ ଓ ଅନ୍ୟ ସ୍ୱେଚ୍ଛାସେବୀ ସଂସ୍ଥା ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି । ଏହି ଅଲିଭା ବିଷୟରେ ଉଲ୍ଲେଖ କରି ଆକସନ ଏଡ ସଂସ୍ଥାର ଜିଲ୍ଲା ପ୍ରକଳ୍ପ ସଂଯୋଜକ ଈପସିତା ଅଗ୍ରଓାଲ କୁହନ୍ତି, ଯଦିଓ ୨୦୧୮ ମସିହାରୁ ଜିଲ୍ଲାରେ ବାଲ୍ୟ ବିବାହକୁ ରୋକିବା କ୍ଷେତ୍ରରେ ସରକାର ଅନେକାଂଶରେ ସଫଳ ହୋଇଛନ୍ତି କିନ୍ତୁ ଅଲିଭା ରେଜିଷ୍ଟ୍ର୍ାର ଆସିବା ପରେ ଫେବୃଆରୀ ମାସ ଠାରୁ ଅଗଷ୍ଟ ମାସ ମଧ୍ୟରେ ପ୍ରାୟ ୪୮ଟି ବାଲ୍ୟ ବିବାହକୁ ବନ୍ଦ କରାଯାଇପାରିଛି । ଏହାଦ୍ୱାରା ଆମେ ଝିଅମାନଙ୍କର କମ ବୟସରେ ହେଉଥିବା ବିବାହକୁ ଟ୍ରାକ କରି ସେମାନଙ୍କୁ ଏଥିରୁ ଉଦ୍ଧାର କରିପାରୁଛୁ । ଏପର୍ଯ୍ୟନ୍ତ ପୁରା ଜିଲ୍ଲାରେ ୪୮,୬୪୨ ଜଣ କିଶୋରୀଙ୍କ ତଥ୍ୟ ଏହି ରେଜିଷ୍ଟ୍ର୍ାରରେ ଅର୍ନ୍ତଭୁକ୍ତ କରାଯାଇପାରିଛି । ତେବେ, କମ୍ୟୁନିଟୀ ଏ କ୍ଷେତ୍ରରେ ସହଯୋଗ କଲେ ବାଲ୍ୟ ବିବାହକୁ ଅନେକାଂଶରେ ରୋକାଯାଇପାରିବ । ଏସବୁ ବାଦ ପ୍ରଶାସନ ପକ୍ଷରୁ ସ୍କୁଲ କାନ୍ଥ ଗୁଡିକରେ ବାଲ୍ୟବିବାହକୁ ନା ସ୍କୁଲକୁ ହଁ ଆଦି ସ୍ଲୋଗାନ ଥିବା ଚିତ୍ରମାନ କରି ପିଲା ଓ ଅଭିଭାବକ ମାନଙ୍କୁ ସଚେତନ କରାଯାଉଛି । ଜିଲ୍ଲାସ୍ତରୀୟ ବାଲ୍ୟବିବାହ ପ୍ରତିରୋଧ ମଂଚ ମାନ କରାଯାଉଛି ଯେଉଁଥିରେ ଛାତ୍ରଛାତ୍ରୀ, ଅଭିଭାବକଙ୍କ ସହ ଆଶା, ଅଙ୍ଗନଓାଡି କର୍ମୀ, ସରପଂଚ ଓ ଓାର୍ଡ ମେମ୍ବର ଯୋଗଦେଇ ବାଲ୍ୟବିବାହର କୁପ୍ରଭାବ ବିଷୟରେ ଆଲୋଚନା କରିଥାଆନ୍ତି । ଏହି ମଂଚରେ କିଶୋର କିଶୋରୀମାନେ ପ୍ରମୁଖ ଭୂମିକା ଗ୍ରହଣ କରିବା ସହ ନିଜ ଗାଁକୁ ବାଲ୍ୟ ବିବାହ ମୁକ୍ତ କରିପାରିଛନ୍ତି । ଜିଲ୍ଲାରେ ଥିବା ୧୪୯୯ଟି ଗାଁରୁ ଏପର୍ଯ୍ୟନ୍ତ ୭୬୪ଟି ଗାଁକୁ ବାଲ୍ୟ ବିବାହ ମୁକ୍ତ କରାଯାଇପାରିଛି । ଏଥିସହ ୧ଲକ୍ଷ ସ୍ଥାନୀୟ ଲୋକ, ଦେଢଲକ୍ଷ ଛାତ୍ରଛାତ୍ରୀ ବାଲ୍ୟ ବିବାହକୁ ବିରୋଧକରି ଏକସଂଗେ ଶପଥ ନେଇଛନ୍ତି । ଏହି କାର୍ଯ୍ୟକ୍ରମର ନାଁ ଯେପରି ଅଲିଭା ଠିକ ସେହିପରି ଥରେ ଏଥିରେ ନାଁ ରେଜଷ୍ଟ୍ରିଭୂକ୍ତ ହୋଇଗଲେ ସେମାନଙ୍କୁ ଟ୍ରାକ କରାଯାଇ ବାଲ୍ୟ ବିବାହରୁ ମୁକ୍ତ କରାଯାଇପାରିବ । ନିୟମିତ ଭାବେ କରାଯାଉଥିବା ଏଭଳି କାର୍ଯ୍ୟକ୍ରମ ସବୁ ଆଗକୁ ବାଲ୍ୟବିବାହକୁ ବନ୍ଦ କରିବା କ୍ଷେତ୍ରରେ ବେଶ ସହାୟକ ହେବ ବୋଲି ଈପସିତା କହିଛନ୍ତି ।