ପ୍ୟାଡମ୍ୟାନରୁ ପିରିୟଡ ଲିଭ

ସାନିଟାରୀ ନ୍ୟାପକିନ ଉପରେ ନିର୍ମିତ ହିନ୍ଦୀ ଫିଲ୍ମ୍ର ପ୍ୟାଡମ୍ୟାନ ରିଲିଜ ହେବା ବେଳେ ଅନେକ ପ୍ରଶଂସା ପାଇଥିଲା । ଅଭିନେତା ଅକ୍ଷୟ କୁମାରଙ୍କ ଏହି ଫିଲ୍ମଟିକୁୁ କରମୁକ୍ତ ମଧ୍ୟ କରାଯାଇଥିଲା । ସେଲଫି ଉଇଥ ପ୍ୟାଡ ପରି ସ୍ଲୋଗାନ ସୋସିଆଲ ମିଡିଆରେ ଘୁରିବୁଲିଲା ଏବଂ ଅନେକେ ସେଲଫି ଉଠାଇ ସେୟାର ମଧ୍ୟ କଲେ । ଏହି ଫିଲ୍ମ ପରେ ପିରିୟଡକୁ ନେଇ କିଛି ଆଲୋଚନା ସାଙ୍ଗକୁ ମହିଳା ମାନେ ସହ୍ୟ କରୁଥିବା ସ୍ୱାସ୍ଥ୍ୟ ସଂପର୍କୀତ କଷ୍ଟ ବିଷୟରେ କେତେକ ଅବଗତ ହେଲେ । ଗତ ଫେବୃଆରୀ ମାସରେ ଋତୁସ୍ରାବରେ ସବୈତନିକ ଛୁଟି ଦାବି ନେଇ ଦାଖଲ ପିଆଇଏଲକୁ ସୁପ୍ରିମେକାର୍ଟ ଖାରଜ କରି ଦେଇଛନ୍ତି । କିନ୍ତୁ ଏହାକୁ ନେଇ ସରକାର ନୀତି ଆଣିପାରିବେ ବୋଲି ମତ ଦେବା ପରେ ଏ ପ୍ରସଙ୍ଗ ପୁଣି ଚର୍ଚ୍ଚାକୁ ଆସିଛି ।

ଭୁବନେଶ୍ୱର ;

୨୦୨୨ ମସିହାରେ ଓଡ଼ିଆଝିଅ ରଞିତା ପ୍ରିୟଦର୍ଶିନୀ ସବୈତନିକ ଛୁଟି ଦାବି ନେଇ ପ୍ରଥମେ କେନ୍ଦ୍ର ଶ୍ରମ ମନ୍ର୍‌ୀ ଭୁପିନ୍ଦର ଯାଦବଙ୍କୁ ଅନଲାଇନ ପିଟିସନ ଦାଖଲ କରିଥିଲେ । ଗତ ବର୍ଷକ ଭିତରେ ସେ ଏହି ଦାବି ନେଇ ୧୪ଟି ରାଜ୍ୟର ମନ୍ତ୍ରୀ ଓ ରାଜନୈତିକ ଦଳର ନେତୃବୃନ୍ଦଙ୍କୁ ଭେଟିସାରିଲେଣି ଓ ଅନଲାଇନରେ ମଧ୍ୟ ଦାବିପତ୍ର ଦେଇସାରିଲେଣି । ବର୍ତମାନ ଏବେ ଏହା ସୁପ୍ରିମକୋର୍ଟରେ ପହଂଚିବାପରେ ଏହାକୁ ନେଇ ତର୍କବିତର୍କ ଆରମ୍ଭ ହେଇଛି ।

ସାର୍ବଜନୀନ ସ୍ଥାନରେ ପିରିୟଡ ଭଳି ବିଷୟକୁ ନେଇ ଆଲୋଚନା କରିବାକୁ ଅନେକେ ଏବେବି ସହଜରେ ଗ୍ରହଣ କରିପାରନ୍ତି ନାହିଁ । ସମାଜରେ ଏବେ ମଧ୍ୟ ଋତୁସ୍ରାବକୁ ଲଜ୍ଜା ଓ ଲୁଚାଇବା ପରି ବିଷୟ ବୋଲି ଅନେକେ ମାନନ୍ତି । ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ହେଉଛି ଏକବିଂଶ ଶତାବ୍ଦୀରେ ଯେତେବେଳେ ଆମେ ବିକାଶ ଓ ପ୍ରଗତିଶୀଳତାର ମାର୍ଗ ଉପରେ କଥା କହୁଛୁ, ଲିଙ୍ଗଗତ ସମାନତା ସଂପର୍କରେ ଆଲୋଚନା କରୁଛୁ ସେତେବେଳେ ଋତୁସ୍ରାବ ପରି ସଂବେଦନଶୀଳ ବିଷୟ ଉପରେ ଚୁପ ରହିବାକୁ କୁହାଯାଉଛି । ଆଜିବି ଆମ ସମାଜରେ ଋତୁସ୍ରାବ ସଂବନ୍ଧୀୟ ଚର୍ଚ୍ଚା ପୁରୁଷ ମାନଙ୍କ ଆଗରେ କରିବାକୁ ବାରଣ କରାଯାଏ । କାରଣ ଏହା ଏକ ଗୋପନୀୟ ବିଷୟ ଏହି ସମୟରେ ପୁରୁଷଙ୍କ ସାମନାକୁ ଯିବା ତାଙ୍କୁ ଛୁଇଁବା ଭଳିି ଅନ୍ଧବିଶ୍ୱାସ କେଉଁଠି ନା କେଉଁଠି ବଂଚିରହିଛି । ଏହି ଅନ୍ଧବିଶ୍ୱାସ ଯୋଗୁଁ ବେଳେବେଳେ ଦେଖାଯାଏ ଯେ ମହିଳାମାନେ ସେମାନଙ୍କ ଆତ୍ମବିଶ୍ୱାସ ହରାଇବା ସହ ନିଜକୁ ପୁରୁଷଙ୍କ ତୁଳନାରେ କମ ମୂଲ୍ୟାଙ୍କନ କରନ୍ତି । ହିନ୍ଦୁ ଧର୍ମର ଶାସ୍ତ୍ର ବେଦରେ କେଉଁଠି ବି ଋତୁସ୍ରାବ କୁ ଅପବିତ୍ର ବୋଲି କୁହାଯାଇନାହିଁ । କିନ୍ତୁ ଏବେବି ଭାରତୀୟ ସମାଜରେ ମହିଳାଙ୍କ ସ୍ଥିତି କେଉଁଠି ସମସ୍ତଙ୍କୁ ଜଣାଅଛି । ସେ ଆର୍ଥିକ ହେଉ ଅବା ସାମାଜିକ ସବୁକ୍ଷେତ୍ରରେ ପିତୃସତାର ଉପସ୍ଥିତି ମହିଳାଙ୍କ ଭୂମିକାକୁ ଗୌଣ କରିଛି । ଅନ୍ୟପକ୍ଷରେ ଦେଖିଲେ ମହିଳା ମାନେ ଆଜି ଅନେକ କ୍ଷେତ୍ରରେ ଆଗରେ ଅଛନ୍ତି କିନ୍ତୁ ନିଜ ସମସ୍ୟା ଓ ସ୍ୱାସ୍ଥ୍ୟ ସଂପର୍କୀତ ଅସୁବିଧାକୁ କହିବାକୁ କିମ୍ବା ନିଜର ହକ ଜାହିର କରିବାରେ ପଛରେ ରହିଯାଆନ୍ତି । ବିଗତ କିଛି ବର୍ଷ ଧରି ଋତୁସ୍ରାବ ସଂବନ୍ଧରେ ସଚେତନତା ସୃଷ୍ଟି ତଥା ଅନେକ ଶିକ୍ଷା ଦିଆଯିବା ସତ୍ୱେ ବର୍ତମାନ ସୁଦ୍ଧା ଯେଉଁ ପରିମାଣରେ ଏହି ବିଷୟପ୍ରତି ଯେତିକି ଦୃଷ୍ଟି ଦିଆଯିବା କଥା ତାହା ହୋଇନାହିଁ । କାର୍ଯ୍ୟ କ୍ଷେତ୍ରରେ ଖୋଲାଖୋଲି ଏ ବିଷୟରେ ଆଲୋଚନା କରିବା ଏବେବି ସମ୍ଭବ ହୋଇପାରିନାହିଁ କାରଣ ସାମାଜିକ ଅପବାଦ ପାଇଁ ଅନେକ ମହିଳା ନିରବରେ କଷ୍ଟ ସହୁଥିଲେ ବି କେବେ ମଧ୍ୟ ମୁହଁ ଖୋଲି ନିଜର ଅସୁବିଧା କାହା ଆଗରେ କୁହନ୍ତି ନାହିଁ କିମ୍ବା ବିଶ୍ରାମ ନେବା କଥା ଦାବୀ କରନ୍ତି ନାହିଁ । ଏହି ସମସ୍ୟା ସମାଜର ସବୁବର୍ଗର ମହିଳାଙ୍କର । କିନ୍ତୁ ସରକାରଙ୍କ ମହିଳା ସ୍ୱାସ୍ଥ୍ୟ ସଂପର୍କୀତ ଯୋଜନା କେବଳ ପ୍ରଜନନ ଓ ମାତୃତ୍ୱ ଭିତରେ ସୀମିତ । ଯଦିଓ କେବେକେବେ ଅନ୍ୟ ସ୍ୱାସ୍ଥ୍ୟ ସମସ୍ୟା ବିଷୟରେ ଆଲୋଚନା ହୁଏ , କିନ୍ତୁ ଋତୁସ୍ରାବ ସମ୍ବନ୍ଧୀୟ ଚର୍ଚ୍ଚା ଖୁବ କମ ଦେଖାଯାଏ, ବା କହିହେବ ଯେତିକି ହେଉଛି ତାହା ପର୍ଯ୍ୟାପ୍ତ ନୁହେଁ ।

ଆଲୋଚନା ହେବା ଆବଶ୍ୟକ

ଟିଭି ପରଦାରେ ଆମେ ପ୍ୟାଡର ବିଜ୍ଞାପନ ଦେଖୁଛୁ ବା ସେ ସମୟରେ ହେଉଥିବା ଅସୁବିଧା ଯେପରି ଲୁଗାରେ ଦାଗ ଲାଗିଯିବା ଶରୀରରୁ ଦୁର୍ଗନ୍ଧ ଆସିବା ପରି କଥାରେ ଏଗୁଡିକ ସୀମିତ । କିନ୍ତୁ ଏହି ସମୟରେ ମହିଳାଟି ସମ୍ମୁଖୀନ ହେଉଥିବା ସ୍ୱାସ୍ଥ୍ୟ ସଂପର୍କୀତ ସମସ୍ୟା ଖୁବ କମ ଆଲୋଚନା ହୁଏ । ଆମେ ଋତୁସ୍ରାବ, ମାସିକ ଧର୍ମ. ପିରିୟଡ ପରି ଶବ୍ଦ ସମସ୍ତଙ୍କ ଆଗରେ ବିଶେଷକରି ପୁରୁଷଙ୍କ ଆଗରେ ଆଲୋଚନା କରିବା ତ ସମସ୍ତେ ଆମକୁ ଏମିତି ଦେଖିବେ ଯେମିତି ଆମେ କିଛି ବହୁତ ବଡ ଭୁଲ କରିଦେଇଛୁ । ପ୍ରତ୍ୟେକ ମାସରେ ମହିଳାଙ୍କ ଶରୀରରେ ହେଉଥିବା ହରମୋନ ପରିବର୍ତନ ପରି ସାଧାରଣ କଥାକୁ ସମାଜରେ ଅନ୍ଧବିଶ୍ୱାସ ଆଧାରରେ ଅପବାଦ ଓ ଅଛୁଆଁରେ ପରିବର୍ତନ କରଦିଆଯାଇଛିି । ଋତୁସ୍ରାବ ହେଉଛି ପ୍ରତି ମାସରେ ଜଣେ ମହିଳା ଶରୀରରେ ଘଟୁଥିବା ଏକ ସାଧାରଣ ଶାରୀରିକ ପ୍ରକ୍ରିୟା । କିଶୋର ଅବସ୍ଥାରୁ ଆରମ୍ଭ ହୋଇ ୫୦-୫୫ବୟସ ପର୍ଯ୍ୟନ୍ତ ଚାଲୁଥିବା ଏହି ପ୍ରକ୍ରିୟା ଯଦିଓ ଏକ ସାଧାରଣ କଥା କିନ୍ତୁ ଅନେକ ସମୟରେ ପରିବାରରେ ସେମାନଙ୍କ ଉପରେ ଲଗାଯାଉଥିବା କଟକଣା ବା ବାରଣ କୌଣସି ଦଣ୍ଡଠାରୁ କମ ନୁହେଁ । ଏହି ସମୟରେ ରୋଷେଇଘରକୁ ଯିବେ ନାହିଁ , ସମସ୍ତଙ୍କ ଠାରୁ ଅଲଗା ହୋଇ ରହିବେ, କାହାକୁ ଛୁଇଁବେନାହିଁ , ଆଚାର କି ଖଟା ଖାଇବେ ନାହିଁ , ଭୁଇଁ ଉପରେ ଶୋଇବେ ଭଳି ଅନେକ କଟକଣା ।

ପ୍ୟାଡମ୍ୟାନ ଫିଲ୍ମର ପ୍ରମୋଶନ ପାଇଁ ଅଭିନେତା ଅକ୍ଷୟ କୁମାର ଦିଲ୍ଲୀ ବିଶ୍ୱବିଦ୍ୟାଳୟକୁ ଯାଇଥିବା ବେଳେ ସେଠାକାର ଛାତ୍ରଛାତ୍ରୀମାନେ ହାତରେ ପ୍ୟାଡ ହଲାଇ ତାଙ୍କୁ ସ୍ୱାଗତ କରିଥିଲେ । ସେ ଦୃଶ୍ୟ ଟିଭି ପରଦାରେ ଦେଖି ଜଣାପଡୁଥିଲା ଯେପରି ଭାରତର ଯୁବପିଢି ମାନେ ବର୍ତମାନ ଏକ ସାମାଜିକ ବିପ୍ଲବର ପୁରୋଧା ସାଜିବେ । ଏହା ଭିତରେ ଅନେକ ବର୍ଷ ବିତିଯାଇଥିଲେ ବି ଆଖିଦୃଶିଆ ପରିବର୍ତନ ଆସିପାରିନାହିଁ । କେବଳ ବିମାନ ବନ୍ଦରକୁ ଛାଡିଦେଲେ ଏହି ପ୍ୟାଡ ଏଟିଏମ ବ୍ୟବସ୍ଥା ଆଉ କେଉଁଠି ବି ଦେଖିବାକୁ ମିଳେ ନାହିଁ । ନିଜେ ଝିଅମାନେ କଲେଜ କିମ୍ବା ବିଶ୍ୱବିଦ୍ୟାଳୟରେ ଏହି ପ୍ୟାଡ ଏଟିଏମର ବ୍ୟବସ୍ଥା କରିବାକୁ ଦାବୀ କରି ନାହାନ୍ତି । କୌଣସି ଏକ ସଂବେଦନଶୀଳ ପରିସ୍ଥିତିର ପରିବର୍ତନ ପାଇଁ ସେଲଫିର ନୁହେଁ ବରଂ ସତେତନତାର ଆବଶ୍ୟକତା ରହିଛି ।

ଛୁଟି ପାଇବା ଏକ ଅଧିକାର

ଭାରତରେ ଏପର୍ଯ୍ୟନ୍ତ ପିରିୟଡ ସମୟରେ ଛୁଟି ପ୍ରଦାନ ନୀତି ତିଆରି ହୋଇନାହିଁ । କିନ୍ତୁ କେବେ କୌଣସି ଘରୋଇ ସଂସ୍ଥା ବା କମ୍ପାନୀ ସେମାନଙ୍କ କର୍ମଚାରୀକୁ ପିରିୟଡ ସମୟରେ ବେତନ ସହ ଛୁଟି ଦେଇଛନ୍ତି କି? ଏହି ବିଷୟ ସପକ୍ଷରେ ଯେତିକି ସମର୍ଥନ ଅଛି ବିପକ୍ଷରେ ସେତିକି ବିରୋଧାଭାସ ମଧ୍ୟ ରହିଛି । ଏହା ଉପରେ ଅନେକ ପ୍ରଶ୍ନ ଉଠେ । ପିରିୟଡ ଛୁଟିର ଆବଶ୍ୟକତା କଣ ଅଛି ? ମହିଳାମାନେ ଏତେ ଦୁର୍ବଳ ଯେ ତାଙ୍କୁ ଏ ସମୟରେ ଛୁଟିର ଆବଶ୍ୟକତା ପଡିବ ? କାର୍ଯ୍ୟକ୍ଷେତ୍ରରେ ଏହାଦ୍ୱାରା କିଛି ପ୍ରତିକୂଳ ପ୍ରଭାବ ପଡିବ କି ଇତ୍ୟାଦି ।

ବୈଜ୍ଞାନିକ ଦୃଷ୍ଟି କୋଣରୁ ଦେଖିଲେ ମହିଳାଙ୍କୁ ପିରିୟଡ ସମୟରେ ଛୁଟି/ ବିଶ୍ରାମ ନିହାତି ଆବଶ୍ୟକ । ଡିସମେନୋରିଆ ଅର୍ଥାତ ଋତୁସ୍ରାବ ସମୟରେ ହେଉଥିବା ଯନ୍ତ୍ରଣା ଅନେକ ମହିଳାଙ୍କୁ ଶାରୀରିକଭାବେ କ୍ଷତି ପହଂଚାଇ ଥାଏ । କେତେକ କ୍ଷେତ୍ରରେ ପେଟ / ଶରୀରରେ ଯନ୍ତ୍ରଣା , ଜ୍ୱର ବାନ୍ତି ଇତ୍ୟାଦି ହୁଏ ତେଣୁ ବିଶ୍ରାମ ନେବା ଜରୁରୀ ହୋଇପଡେ ।

ଋତୁସ୍ରାବ ସମୟରେ ଛୁଟି ନେବା ମହିଳାଙ୍କର ଅଧିକାର କହିଲେ ଭୂଲ ହେବ ନାହିଁ । ସରକାରୀ ଓ ବେସରକାରୀ ସଂସ୍ଥାଗୁଡିକ ସେମାନଙ୍କ କାର୍ଯ୍ୟ ପରିବେଶକୁ ମହିଳା ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ପ୍ରତି ସଂବେଦନଶୀଳ ହେବା ଜରୁରୀ । ପିରିୟଡ ସମୟରେ ଛୁଟି ନେବା ଓ ନିଜକୁ ସମୟ ଦେବା ପ୍ରତ୍ୟେକ ମହିଳାଙ୍କ ପାଇଁ ଆବଶ୍ୟକ କାରଣ ଋତୁସ୍ରାବ ମଧ୍ୟ ଏକ ସ୍ୱାସ୍ଥ୍ୟ ସମସ୍ୟା ଏଥିପାଇଁ ଦାବୀ କରିବା ଭୁଲ ନୁହେଁ କାରଣ ଆମ ଶରୀରର ଧ୍ୟାନ ରଖିବା ଆମର କର୍ତବ୍ୟ । ଆଶା କରିବା ଯେ ଭାରତରେ ଯଥାଶିଘ୍ର ଏ ସମ୍ବନ୍ଧୀୟ ଆଇନ ଅଣାଯାଇ ସମସ୍ତ ସରକାରୀ ଓ ବେସରକାରୀ ସଂସ୍ଥାରେ ଏହାକୁ ଲାଗୁ କରାଯିବ ।

Leave a Reply

Your email address will not be published. Required fields are marked *