ଖରାଦିନେ ପଶୁପକ୍ଷୀଙ୍କ ଶୋଷ ମେଣ୍ଟାଉଛନ୍ତି ପୁଟୁବାରୀ ଗାଁ ଲୋକେ

ଗତକିଛି ବର୍ଷ ଧରି ଖରାଦିନରେ ଯେଭଳି ତାତି ବଢୁଛି ଏଥିରେ ମଣିଷ ସାଙ୍ଗକୁ ଜୀବଜନ୍ତୁ, ପକ୍ଷୀ ଜଗତ ଓ କୀଟପତଙ୍ଗ ବଂଚିବା ଅସମ୍ଭାଳ ହୋଇଯାଉଛି । ସହରରେ ପଶୁପକ୍ଷୀଙ୍କୁ ନିୟମିତ ଖାଦ୍ୟ ଓ ପାଣି ଯୋଗାଇ ଦେବା ପାଇଁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ବ୍ୟବସ୍ଥା କରାଯାଉଥିବା ବେଳେ ଗାଁ ଗହଳି ବିଶେଷ କରି ଜଙ୍ଗଲ ପରିବେଷ୍ଟିତ ଗାଁରେ ପକ୍ଷୀଙ୍କୁ ପାଣି ଦେବାକୁ ଗାଁ ଲୋକେ ଭିନ୍ନ ପଦକ୍ଷେପ ହାତକୁ ନେଇଛନ୍ତି । ନୟାଗଡ ଜିଲ୍ଲା ଭୋଗବାଡି ପଂଚାୟତ ପୁଟୁବାରୀ ଗାଁ ଲୋକେ ପାଳିକରି ଜଙ୍ଗଲ ଭିତରେ ପକ୍ଷୀଙ୍କୁ ମାଟି ପାତ୍ରରେ ପାଣି ଦେବାର ବ୍ୟବସ୍ଥା କରିଛନ୍ତି । 
ଦେଶରେ ୨୦୨୩ ମସିହାରେ କରାଯାଇଥିବା ଏକ ସର୍ବେକ୍ଷଣ ଅନୁଯାୟୀ ଓଡ଼ିଶା ସର୍ବାଧିକ ଜଳାଶୟ ଥିବା ରାଜ୍ୟଗୁଡିକ ମଧ୍ୟରେ ୫ମ ସ୍ଥାନରେ ରହିଛି । ଏହି ରିପୋର୍ଟରେ ମଧ୍ୟ ଦର୍ଶାଯାଇଛି ଯେ ଓଡ଼ିଶାରେ ୧୯ ହଜାର ଜଳାଶୟ ସମ୍ପୂର୍ଣ୍ଣ ଭାବେ ଶୁଖିଯାଇଛି। ଜଳବାୟୁ ପରିବର୍ତ୍ତନ କାରଣରୁ ବର୍ଷାର ପରିମାଣ କମ ହେବା, ନିୟମିତ ଭାବେ ଗଛ କାଟିବା ଯୋଗୁଁ ବର୍ଷାଜଳ ସଂରକ୍ଷିତ ହୋଇ ନପାରିବା , ଲୋକମାନେ ଜଳ ପାଇଁ ଅଧିକ ନଳକୂପ ଓ ବୋରିଂ ଖୋଳିବା ଯୋଗୁଁ ଭୂତଳ ଜଳର ପରିମାଣ ହ୍ରାସ ପାଉଛି ବୋଲି ଏହି ରିପୋର୍ଟରେ ଦର୍ଶାଯାଇଛି । ଶୁଖିଯାଇଥିବା ହ୍ରଦ , ପୋଖରୀ , ଗଡିଆଗୁଡ଼ିକ ମଧ୍ୟରେ ଅନେକଗୁଡିଏ ବିଭିନ୍ନ ଜଙ୍ଗଲ ମଧ୍ୟରେ ପ୍ରବାହିତ ହେଉଥିଲା। ଏଣୁ ଜଙ୍ଗଲ ଭିତରେ ଥିବା ଜଳାଶୟଗୁଡିକ ଶୁଖିଯିବାରୁ ପାଣି ଉପରେ ନିର୍ଭର କରୁଥିବା ଅନେକ ଜୀବଜନ୍ତୁ ଓ ପକ୍ଷୀ ସହରମୁହାଁ ହେବା ହେଖାଯାଉଛି । ଏପରିକି ଜଳାଭାବରୁ ଅନେକ ଜୀବଜନ୍ତୁ ମୃତ୍ୟୁମୁଖରେ ପଡୁଛନ୍ତି ।
ସହରମୁହାଁ ହେଉଥିବା ହାତୀ ଓ ଅନ୍ୟାନ୍ୟ ଜୀବଜନ୍ତୁଙ୍କ ଯୋଗୁଁ ନିୟମିତ ଭାବେ ହାତୀ ମଣିଷ ଲଢେଇ ହେଉଥିବା ଖବର ସାମନାକୁ ଆସୁଛି । ଏସବୁକୁ ଆଖିରେ ରଖି ନୟାଗଡ ଜିଲ୍ଲା ଭୋଗବାଡି ପଂଚାୟତ ପୁଟୁବାରୀ ଗାଁର ଲୋକେ ଏକ ଭିନ୍ନ ପଦକ୍ଷେପ ହାତକୁ ନେଇଛନ୍ତି ।
ଗୋଷ୍ଠୀ ଜଙ୍ଗଲ ପରିଚାଳନା କମିଟିର ସଦସ୍ୟ ସଜନୀ ମଲ୍ଲିକ କୁହନ୍ତିି, ସେମାନଙ୍କ ଗାଁ ପାଖ ଜଙ୍ଗଲରେ ବାସ କରୁଥିବା ଜୀବଜନ୍ତୁ ଓ ପଶୁପକ୍ଷୀ ଶୋଷ ମେଣ୍ଟାଇବା ପାଇଁ ଜଳାଶୟ ଉପରେ ନିର୍ଭର କରୁଥିବାରୁ ଖରାଦିନରେ ବିଶେଷ ସମସ୍ୟାର ସମ୍ମୁଖୀନ ହୋଇଥାଆନ୍ତି । ଜଙ୍ଗଲ ଭିତରେ ବହିଯାଉଥିବା ଛୋଟ ଛୋଟ ଗଡିଆ, ଝରଣାର ଜଳ ଓ ଜଳାଶୟ ଖରାଦିନେ ଶୁଖିଯାଉଥିବାରୁ ସେମାନେ ଜଳାଭାବରୁ ମୃତ୍ୟୁ ମୁଖରେ ପଡନ୍ତି। ନଚେତ୍ ଜଙ୍ଗଲ ବାହାରକୁ ବାହାରି ଆସନ୍ତିି ।
ଜଙ୍ଗଲ ସୁରକ୍ଷା ପାଇଁ ଅଣ୍ଟା ଭିଡିଥିବା
ପୁଟୁବାରୀଗାଁ ଲୋକଙ୍କ କହିବା ଅନୁସାରେ ୨୦୨୨ ରେ  ଗାଁକୁ ଗୋଷ୍ଠୀ ଜଙ୍ଗଲ ଅଧିକାର ଓ ଗୋଷ୍ଠୀ ଜଙ୍ଗଲ ସମ୍ବଳ ଅଧିକାର ପଟ୍ଟା ମିଳିବା ପରେ ସେମାନେ ଜଙ୍ଗଲରେ ଥିବା ବୃକ୍ଷଲତା ସାଙ୍ଗକୁ ପଶୁପକ୍ଷୀଙ୍କ ସୁରକ୍ଷା ପାଇଁ ମଧ୍ୟ ଅଣ୍ଟା ଭିଡିଲେ । ବିଶେଷ କରି ଖରାଦିନରେ ଜଙ୍ଗଲରେ ନିଆଁ ଲିଭେଇବା କାମ ଓ ପଶୁପକ୍ଷୀଙ୍କୁ ନିୟମିତ ପାଣି ଯୋଗାଇ ଦେବାକୁ ନିଷ୍ପତି ନେଲେ । ମୁଖ୍ୟତଃ କନ୍ଧ ସଂପ୍ରଦାୟର ଲୋକେ ବସବାସ କରୁଥିବା ଏହି ପୁଟୁବାରୀ ଗ୍ରାମର ଗୋଷ୍ଠୀ ବନ ସମ୍ବଳ ମଧ୍ୟରେ ବରଖାଲ , ହଗଲମଡ଼ା, କରଡାଟାପ, ରାଇଦମକ ଓ ମଇଁଷିଗୁଠ ପାହାଡ ଆସୁଥିବାରୁ ଏହାକୁ ସୁରକ୍ଷା ଦେବା ସହ ଏହାର ସଂରକ୍ଷଣ ପାଇଁ କାମ କରୁଛନ୍ତି। ଗାଁ ଲୋକେ କୁହନ୍ତି, ଯେହେତୁ ସେମାନେ ପୂର୍ବପୁରୁଷ କାଳରୁ ଏଠାରେ ରହି ଆସୁଛନ୍ତି , ତାଙ୍କ ପ୍ରଥା, ପରମ୍ପରା ଓ ଖାଦ୍ୟ ସହ ଜଙ୍ଗଲର ଘନିଷ୍ଠ ସମ୍ବନ୍ଧ ରହିଛି । ସେମାନେ ତାଙ୍କ ଜୀବନ ଜୀବିକା ପାଇଁ ଏହି ଜଙ୍ଗଲ ଉପରେ ନିର୍ଭରଶୀଳ ହେତୁ ସେମାନଙ୍କୁ ଏହି ଅଧିକାର ପ୍ରଦାନ କରାଯାଇଛି । ଏଣୁ ସେମାନେ ଜଙ୍ଗଲକୁ ବଞ୍ଚାଇ ରଖିଲେ ଏହା ପରପିଢି ପାଇଁ ସୁରକ୍ଷିତ ହୋଇରହିବ ବୋଲି କହିଛନ୍ତି ।
୩୫ ବର୍ଷୀୟ ସବିତା ଜାନୀ କୁହନ୍ତି, ସେମାନେ ଜଙ୍ଗଲକୁ ମା ସହ ତୁଳନା କରନ୍ତି । ସେମାନଙ୍କ ଜୀବନ ଓ ଜୀବିକା ପାଇଁ ସେମାନେ ଜଙ୍ଗଲ ଉପରେ ନିର୍ଭର କରନ୍ତି । ପ୍ରତିଦିନ ଜଙ୍ଗଲରୁ ବିଭିନ୍ନ ଋତୁରେ ବିଭିନ୍ନ ଜଙ୍ଗଲଜାତ ସାମଗ୍ରୀ ଯେପରି- ଶିଆଳି ପତ୍ର, କେନ୍ଦୁପତ୍ର, ହରିଡା, ବାହାଡା, ତେନ୍ତୁଳି, ମହୁ, ମହୁଲ ଓ ବିଭିନ୍ନ ପ୍ରକାରର କନ୍ଦା ସଂଗ୍ରହ କରି ହାଟରେ ବିକ୍ରିକରି ପରିବାର ପୋଷଣ କରନ୍ତି । ଏଣୁ ଜଙ୍ଗଲର ସନ୍ତୁଳନ ରକ୍ଷା କରିବାକୁ ହେଲେ ଜଙ୍ଗଲରେ ରହୁଥିବା ପଶୁପକ୍ଷୀଙ୍କୁ ସୁରକ୍ଷା ଦେବାକୁ ହେବ ।
ମା କାଳିନ୍ଦୀ ଗୋଷ୍ଠୀ ଜଙ୍ଗଲ ପରିଚାଳନା କମିଟି ଦ୍ବାରା ପୁଟୁବାରୀ ଗାଁ ପାଖେ ଥିବା ଘଞ୍ଚ ଜଙ୍ଗଲ ଗୁଡ଼ିକର ରକ୍ଷଣା ବେକ୍ଷଣ ପାଇଁ ଲୋକେ ମିଳିତ ଭାବେ କାମ କରୁଛନ୍ତି । ପ୍ରତି ମାସରେ ଏକ ବୈଠକ ଡକାଯାଇ ବିଭିନ୍ନ ବିଷୟରେ ଆଲୋଚନା କରା ହୋଇଥାଏ ଯେପରି ଠେଙ୍ଗାପାଳିରେ ପ୍ରତିଦିନ କେଉଁ ଲୋକ ଯିବେ ଇତ୍ୟାଦି । ଏହି ଗାଁ ଗୁଡିକରେ ପ୍ରତିଦିନ ପାଳି କରି ଯାଉଥିବା ଲୋକ ଯାଇ ଜଙ୍ଗଲ ଜଗିଥାନ୍ତି। ଗାଁ ଲୋକେ ଅଭିଯୋଗ କରିଛନ୍ତି ଯେ, ଅନେକ ସମୟରେ କିଛି କାଠ ମାଫିଆ କାଠ ଚୋରି କରିବା ଉଦ୍ଦେଶ୍ୟରେ ଜଙ୍ଗଲକୁ ଆସନ୍ତି, ସେମାନେ କେବେ କେବେ କାଠ ନେଇସାରିବା ପରେ ଜଙ୍ଗଲରେ ନିଆଁ ଲଗେଇଦିଅନ୍ତି , ଏଥିରେ ବନ୍ୟଜନ୍ତୁଙ୍କ ସହ ଅନେକ ଜଙ୍ଗଲ ଜାତଦ୍ରବ୍ୟ ନଷ୍ଟ ହେବାର ଆଶଙ୍କା ଥାଏ । ଏଣୁ ଠେଙ୍ଗପାଳି କରି ଲୋକେ କାଠମାଫିଆ ଦାଉରୁ ଜଙ୍ଗଲକୁ ନିଆଁ କବଳରୁ ରକ୍ଷା କରିଥାଆନ୍ତି ।
କାମରୁ ମିଳୁଛି ଖୁସି
ଫରେଷ୍ଟ ସର୍ଭେ ଅଫ ଇଣ୍ଡିଆର ରିପୋର୍ଟ ମୁତାବକ ୧,୫୫,୭୦୭ ବର୍ଗ କିଲୋମିଟର ଅଞ୍ଚଳରେ ଓଡ଼ିଶା ରାଜ୍ୟ ପରିବ୍ୟାପ୍ତ। ଏଥିମଧ୍ୟରୁ ୬୧, ୨୦୪ ବର୍ଗ କିଲୋମିଟର ଅଞ୍ଚଳରେ ଜଙ୍ଗଲ ରହିଛି। ରାଜ୍ୟରେ ୩୯ ପ୍ରତିଶତ ଅଞ୍ଚଳ ଜଙ୍ଗଲ ଘେରି ରହିଛି। ତେବେ ୨୦୨୧ ମସିହା ଠାରୁ ତୁଳନା କଲେ ବର୍ତ୍ତମାନ ଧିରେ ଧିରେ ଜଙ୍ଗଲର ପରିମାଣ ହ୍ରାସ ପାଉଛି । ଏହାସହ ୨୦୨୧ରେ ଜଙ୍ଗଲ ନିଆଁ ଯେତିକି ଅଞ୍ଚଳକୁ ନଷ୍ଟ କରିଥିଲା, ୨୦୨୨ ରେ ଏହାର ପରିମାଣ କମିଥିଲ। ମାତ୍ର ୨୦୨୩ ଠାରୁ ପୁଣି ଜଙ୍ଗଲ ନିଆଁ ଏକ ଚିନ୍ତାଜନକ ବିଷୟରେ ପରିଣତ ହୋଇଛି ।
ଗତ ମାର୍ଚ୍ଚ ମାସରେ ପୁଟୁୁବାରୀ ଏକ ଗାଁରେ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଜଙ୍ଗଲ ନିଆଁ ପ୍ରତିରୋଧକ ଶିବିର ଆୟୋଜନ କରାଯାଇଥିଲା। ଏବଂ ଖରାଦିନେ ଜଙ୍ଗଲରେ ଲାଗୁଥିବା ନିଅଁକୁ କିଭଳି ଲିଭାଯାଇପାରିବ ତା ଉପରେ ଗ୍ରାମସଭାରେ ଆଲୋଚନା ହୋଇଥିଲା । ଜଙ୍ଗଲ ନିଆଁ ପ୍ରତିରୋଧକ ଶିବିରରେ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ ଜଙ୍ଗଲରେ ନିଆଁଲାଗିଲେ ଲୋକେ ପାରମ୍ପରିକ ଜ୍ଞାନକୌଶଳ ଅନୁସାରେ ନିଆଁ ଲିଭାଉଛନ୍ତି । ଏହାଛଡା ପକ୍ଷୀମାନେ ଯେଭଳି ଖରାଦିନରେ ପିଇବାପାଇଁ ପାଣି ପାଇପାରିବେ ସେଥିଲାଗି ଗାଁ ଲୋକେ ମାଟିସରା, ମାଟି ପଲମ, ମାଟି କଳସରେ ଗଛ କୋରଡରେ, ବାଉଁଶବୁଦା ମୂଳରେ ଏବଂ ଗଛତଳେ ପାଣି ରଖୁଛନ୍ତି । ଉଭୟ ମହିଳା ଓ ପୁରୁଷ ମିଳିତ ଭାବେ ଏହି କାମ କରୁଛନ୍ତି ।
ସତର ବର୍ଷୀୟ ରୁନୁ ଜାନି କୁହନ୍ତି, ଏହି ଜଙ୍ଗଲ ସୁରକ୍ଷା କାମରେ ସାମିଲ ହୋଇଥିବାରୁ ଗାଁର ମହିଳା ଓ କିଶୋରୀମାନଙ୍କୁ ଖୁସି ଲାଗୁଛି । ଜଙ୍ଗଲ ନିଆଁକୁ ପ୍ରତିରୋଧ କରିବା ସହ ଖରାଦିନେ ପକ୍ଷୀଙ୍କ ପାଇଁ ପାଣିର ବ୍ୟବସ୍ଥା କରିଥିବାରୁ ଅନେକ ପକ୍ଷୀ ଆସି ମାଟିସରାରୁ ପାଣି ପିଉଛନ୍ତିି ।

Leave a Reply

Your email address will not be published. Required fields are marked *