ବଢ଼ୁଛି ସହରୀକରଣ । ସବୁଜିମାର ବୁକୁ ଚିରି ମଥା ଟେକୁଛି କଂକ୍ରିଟ ଜଙ୍ଗଲ । ବାତ୍ୟାପ୍ରବଣ ପୁରୀ ଜିଲ୍ଲାରେ ଗୋଟିଏ ପରେ ଗୋଟିଏ ବାତ୍ୟା ଉଜାଡି ଦେଉଛି ହଜାର ହଜାର ଗଛ । ଜଙ୍ଗଲ ଉପରେ ନିର୍ଭରଶୀଳ ଶିଳ୍ପ ସବୁ ହରାଉଛି ଅସ୍ତିତ୍ୱ । ପୁରୀ ଶ୍ରୀମନ୍ଦିର ସେବା ସହ ଜଡିତ ତାଳପତ୍ରର ଶିଳ୍ପ ବିଶେଷକରି ତାଳପତ୍ର ଭୋଗେଇ ଏବେ ବିଲୋପ ଅଭିମୁଖେ ଅଗ୍ରସର ହେଉଛି । ଏହା ଉପରେ ନିର୍ଭର କରିଚଳୁଥିବା ପୁରୀ ସହରର ୩୦ ପରିବାର ତାଳପତ୍ର ଅଭାବ ଯୋଗୁଁ ବହୁ ଆର୍ଥିକ ସମସ୍ୟା ଦେଇ ଗତି କରୁଛନ୍ତି । ବେଳୁ ହୁଁ ସାବଧାନ ହୋଇ ପଦକ୍ଷେପ ନିଆନଗଲେ ତାଳପତ୍ରର କାରିଗରୀ ସମ୍ପୂର୍ଣ୍ଣ ବିଲୁପ୍ତ ହୋଇଯିବ ବୋଲି ଆଶଙ୍କା ପ୍ରକାଶ ପାଇଛି ।
ଭୁବନେଶ୍ୱର ;
ଫନି ଝଡବାତ୍ୟା ସାଙ୍ଗକୁ ଲୋକ ବଡ ବଡ ଘର କରି ଦେବା ଫଳରେ ସହରରେ ଆଉ ତାଳପତ୍ର ମିଳୁନାହିଁ ଫଳରେ ଆମ ଭଳି ତାଳପତ୍ର ଭୋଗେଇ ତିଆରି କରି ଚଳୁଥିବା ପରିବାରଙ୍କୁ ବହୁତ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି ବୋଲି କହିଥିଲେ ପୁରୀ ଚମାର ସାହିରେ ରହୁଥିବା ଟିକିନା ବାରିକ । ତାଳପତ୍ର ଭୋଗେଇରୁ ଭଲ ଆୟ ହେଉନଥିବାରୁ ଏବେ ଘରର ପୁରୁଷ ମାନେ ଦିନମଜୁରିଆ ଭାବେ କାମ କରିବାକୁ ବାହାରକୁ ଯାଉଛନ୍ତି ଏବଂ ମହିଳାମାନେ ଏକାମକୁ ବଂଚେଇ ରଖିଛନ୍ତି । ପୁରୀ ସହରର ଅଧିକାଂଶ ତାଳପତ୍ର କାରିଗର ଶ୍ରୀମନ୍ଦିର ଉପରେ ନିର୍ଭରଶୀଳ । ମନ୍ଦିର ଦ୍ୱାର ଖୋଲିଲେ ସେମାନଙ୍କର ଭାତହାଣ୍ଡି ଜଳେ । ସହରର ନିର୍ଦ୍ଦିଷ୍ଟ ୩୦ ପରିବାର ଦୈନିକ ହାରାହାରି ୧୫ ହଜାର ଟଙ୍କାର ତାଳପତ୍ର ଭୋଗେଇ ଏବଂ ପେଡି ଶ୍ରୀମନ୍ଦିରକୁ ଯୋଗେଇଥାନ୍ତି । ଏହି ପେଡିରେ ଖଜା ବିକ୍ରି ହେବା ସହ ଅବଢ଼ା ବନ୍ଧା ହୋଇ ବାହାରକୁ ପଠାଯାଏ । କିନ୍ତୁ କରୋନା ମହାମାରୀ ବେଳେ ୨ ବର୍ଷ କାଳ ଶ୍ରୀ ମନ୍ଦିର ବନ୍ଦ ରହିବାରୁ ଭୋଗେଇ ବେପାର ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିଲା । ଯାହାଫଳରେ ପେଟ ପୋଷିବାକୁ ଘରର ଯୁବକମାନେ ଅନ୍ୟବୃତି ଆପଣେଇ ନେଲେ । ରଙ୍ଗମିସ୍ତ୍ରୀ ଓ ଦିନମଜୁରିଆ ଭାବେ ସେମାନେ ଅଧିକ ଟଙ୍କା ରୋଜଗାର କଲେ । ଏଣୁ ତାଳପତ୍ର କାରିଗରୀ ପ୍ରତି ସେମାନେ ଏବେ ଆଉ ଆଗ୍ରହ ଦେଖାଉନାହାଁନ୍ତି । ଯଦିଓ ପେଡି ଭୋଗେଇ ସମେତ କାରିଗରମାନେ ତାଳପତ୍ରର ଆସନ, ପଖିଆ, ଛତା, ବିଂଚଣା, ଖେଳନା ପ୍ରସ୍ତୁତ କରିବା ଶିଖିଛନ୍ତି । କିନ୍ତୁ ସମୟ ସହ ଏସବୁର ଚାହିଦା କମିଯାଇଛି । ଏଣୁ କାରିଗରମାନେ ଏବେ କେବଳ ପେଡି ଭୋଗେଇ ପ୍ରସ୍ତୁତ କରୁଛନ୍ତି ।
ଗଛ ନଥିବାରୁ କଂଚାମାଲର ଅଭାବ
ପୁରୀ ସହରରେ ରହୁଥିବା ତାଳପତ୍ରର କାରିଗର ମୁଖ୍ୟତଃ ତାଳବଣିଆ, ବାଲିଗୁଆଳି, ଗୋପାଳପୁର ଏବଂ ମଙ୍ଗଳାଘାଟ ଅଂଚଳରେ ଥିବା ତାଳଗଛରୁ ତାଳପତ୍ର ଆଣିଥାନ୍ତି । କିନ୍ତୁ ସମୟ ସହ ସହରର ସୀମା ବଢ଼ୁଛି । ଏହିସବୁ ଜଙ୍ଗଲ ପ୍ଲଟିଂ ହୋଇ ବିକ୍ରି ହେଉଛି । ହଜାର ହଜାର ଗଛ ବଳି ପଡୁଛି । ସେଥିପାଇଁ ତାଳପତ୍ରର କାରିଗରଙ୍କୁ କଂଚାମାଲ ଅଭାବ ହେଉଛି । ଏବେ ପରିସ୍ଥିତି ଏପରି ହୋଇଛି ଯେ, ତାଳଗଛ ପାଇଁ ପ୍ରସିଦ୍ଧ ପୁରୀ ତାଳବଣିଆରୁ ଫନି ବାତ୍ୟା ପରେ ଆଦୌ ତାଳପତ୍ର ଆସୁନି । ଫଳରେ ପୁରୀର କାରିଗରମାନେ ଚଢ଼ା ଦରରେ ବ୍ରହ୍ମଗିରିରୁ ତାଳପତ୍ର କିଣୁଛନ୍ତି । ଗଛ ସଂଖ୍ୟା କମିବାରୁ ବରଡା ଦାମ ବଢ଼ୁଛି ଓ କାରିଗରଙ୍କ ଲାଭ କମୁଛି । ଏଣୁ ତାଳପତ୍ରର କାରିଗରୀକୁ ପେସା କରି ପରିବାର ପ୍ରତିପୋଷଣ କରିବା କାଠିକାର ପାଠ ହୋଇଯାଇଛି । ନୂଆପିଢ଼ି ଏଥିରୁ ବିମୁଖ ହେଉଛନ୍ତି । ଏହି ଧାରା ଜାରି ରହିଲେ ଆଗକୁ ତାଳପତ୍ରର କାରିଗରୀ ସମ୍ପୂର୍ଣ୍ଣ ବିଲୁପ୍ତ ହୋଇଯିବ ବୋଲି ପୁରୀ ସିଦ୍ଧମହାବୀର ରେଳଫାଟକ ନିକଟରେ ରହୁ ଥିବା ଚମାର ସାହିର ଶିବପ୍ରସାଦ ବେହେରା ଆଶଙ୍କା ପ୍ରକାଶ କରିଛନ୍ତି । ତାଙ୍କ କହିବା ମୁତାବକ, ଏବେ ବି ଚାହିଦା ଅନୁସାରେ ତାଳପତ୍ରର ଭୋଗେଇ ଯୋଗେଇ ହେଉନାହିଁ । ସୀମିତ କାରିଗର ଆବଶ୍ୟକ ମୁତାବକ ଭୋଗେଇ ପ୍ରସ୍ତୁତ କରି ପାରୁନାହାଁନ୍ତି । ଲାଭ ହେଉନଥିବାରୁ କାରିଗର ଅନ୍ୟ ବୃତି ଆପଣେଇବା ଏବଂ ନୂଆପିଢ଼ି ଏଥିପ୍ରତି ଆଗ୍ରହ ନ ଦେଖାଇବା ତଥା କଂଚାମାଲର ଅଭାବ ଦେଖାଯିବା ଏହାର ମୁଖ୍ୟକାରଣ ।
ଭୋଗେଇ ଗଢ଼ିବାକୁ ନାରାଜ ନୂଆପିଢ଼ି
ଚମାର ସାହିରେ ୪୦ରୁ ଅଧିକ ତାଳପତ୍ର କାରିଗର ପରିବାର ରହୁଛନ୍ତି । ବଂଶାନୁକ୍ରମିକ ଭାବେ ସେମାନେ ତାଳପତ୍ର କାରିଗରୀ କରି ଆସୁଛନ୍ତି । କିନ୍ତୁ ଏବେ ପରିବାରର ବୟସ୍କମାନଙ୍କୁ ଛାଡିଦେଲେ ନୂତନ ପିଢ଼ି ଏଥିପ୍ରତି ଆଗ୍ରହ ଦେଖାଉନାହାଁନ୍ତି । ତାଳ ବରଡାର ଦରବୃଦ୍ଧି ସହ ଲାଭ କମ୍ ହେଉଥିବାରୁ ସେମାନେ ଅନ୍ୟ ବୃତିକୁ ଆପଣାଉଛନ୍ତି । ଟିକିନା ବାରିକଙ୍କ କହିବା ମୁତାବକ, ପୂର୍ବରୁ ସେମାନେ ତାଳବଣିଆ ଜଙ୍ଗଲରୁ ତାଳବରଡା ଆଣି ଭୋଗେଇ ପ୍ରସ୍ତୁତ କରୁଥିଲେ । ଏଥିପାଇଁ ସେମାନଙ୍କୁ ପୌରସଂସ୍ଥାକୁ ଅଳ୍ପଟଙ୍କା ଦେବାକୁ ପଡୁଥିଲା । ଅନେକ ଲୋକ ମାଗଣାରେ ମଧ୍ୟ ତାଙ୍କ ବାଡିରେ ଥିବା ତାଳପତ୍ର କାରିଗରମାନଙ୍କୁ ଦେଇ ଦେଉଥିଲେ । କାରିଗରମାନେ ବି ନିଜେ ଯାଇ ଗଛ ଚଢ଼ି ତାଳ ବରଡା ତୋଳି ଆଣୁଥିଲେ । କିନ୍ତୁ ଏବେ ସହରରେ ତାଳଗଛ ଦେଖାଯାଉନଥିବାରୁ ନୂଆପିଢ଼ି ତାଳଗଛ ଚଢ଼ିବା ବି ଶିଖିନାହାଁନ୍ତି । ବରଡା ତୋଳି ପେଡି, ଭୋଗେଇ ପ୍ରସ୍ତୁତ କରିବାକୁ ନୂଆପିଢ଼ି ଜମାବି ଆଗ୍ରହ ଦେଖାଉନାହାଁନ୍ତି । ଗୋଟେ ବରଡା ୭ଟଙ୍କାରେ କିଣୁଥିବା ବେଳେ ଏଥିରୁ ସେମାନଙ୍କର ଖୁବ୍ କମ୍ ଲାଭ ହେଉଛି । ଗୋଟିଏ ଦିନ ପରିଶ୍ରମ କଲେ ୧୦୦ରୁ ୧୫୦ ଟଙ୍କା ଲାଭ ମିଳୁଛି ।
ରୋଷଘରେ ଲୋଡା ସାତପତରିଆ ଭୋଗେଇ
ଚମାର ସାହିରେ ଥିବା ଅନେକ ତାଳପତ୍ର କାରିଗରଙ୍କର ଶ୍ରୀମନ୍ଦିରରେ ସେବା ମଧ୍ୟ ରହିଛି । ନବକଳେବର ସମୟରେ ଚତୁର୍ଦ୍ଧା ମୂର୍ତି ଗଢ଼ାଯିବା ସମୟରେ ଏହା ଚାରିପଟେ ହେଉଥିବା ତାଳପତ୍ରର ତାଟି ଏମାନେ ବାନ୍ଧିଥାନ୍ତି । ଶ୍ରୀମନ୍ଦିରରେ ପ୍ରସ୍ତୁତ ହେଉଥିବା ଅବଢ଼ା ଅନ୍ନ ଗାଳିବାକୁ ମଧ୍ୟ ତାଳପତ୍ରର ବ୍ୟବହାର କରାଯାଏ । ସାତ ପତରିଆ ଭୋଗେଇରେ ପ୍ରତ୍ୟେକ ଦିନ ଅବଢ଼ା ଗଳାଯାଇଥାଏ । ଏଣୁ ତାଳପତ୍ରର କାରିଗରୀ ପ୍ରଭାବିତ ହେଲେ ଅବଢ଼ା ପ୍ରସ୍ତୁତି ମଧ୍ୟ ପ୍ରଭାବିତ ହେବ । କରୋନା ସମୟରେ ଶ୍ରୀ ମନ୍ଦିରର ଅନ୍ୟ ସେବାୟତମାନଙ୍କୁ ସହାୟତା ମିଳିଥିବା ବେଳେ ପିଢ଼ିପରେ ପିଢ଼ି ମନ୍ଦିରକୁ ତାଳପତ୍ର ଯୋଗାଇ ଆସୁଥିବା ଏହି କାରିଗରମାନେ ସହାୟତାରୁ ବଂଚିତ ହୋଇଥିଲେ । ସେମାନଙ୍କୁ କୌଣସି ପ୍ରକାର ଆର୍ଥିକ ସହାୟତା ମିଳିନଥିଲା । ତାଳପତ୍ରର କାରିଗରଙ୍କ ପ୍ରତି ପ୍ରଶାସନର ଏଭଳି ବିମୁଖତା କାରଣରୁ ଚମାର ସାହିର ଅନେକ ତାଳପତ୍ର କାରିଗର ଏବେ ବି ଧାର କରଜରେ ବୁଡି ରହିଥିବା ତାଳପତ୍ର କାରିଗର ସାବିତ୍ରୀ ବେହେରା କହିଛନ୍ତି । ଉଭୟ ସ୍ୱାମୀ ଓ ସ୍ତ୍ରୀ ତାଳପତ୍ର ଭୋଗେଇ ପ୍ରସ୍ତୁତ କରିବା କାମ କରୁଥିଲେ ମଧ୍ୟ ତାଙ୍କୁ କୌଣସି ପ୍ରକାରର ଆର୍ଥିକ ସହାୟତା ମିଳିନଥିବା ସେ କ୍ଷୋଭର ସହ କହିଛନ୍ତି । ତାଳପତ୍ର ଭୋଗେଇ ହିଁ ଶ୍ରୀ ମନ୍ଦିରରେ ମିଳୁଥିବା ପ୍ରସାଦକୁ ଅନ୍ୟ ପ୍ରସାଦଠାରୁ ସ୍ୱତନ୍ତ୍ର କରିଥାଏ । ବର୍ଷ ବର୍ଷ ଧରି ଏହି ମହାନ ସେବା ଯୋଗାଉଥିବା କାରିଗରମାନଙ୍କୁ ହତାଦର କରାଯାଉଛି । ଅନ୍ୟ କୁଟୀର ଶିଳ୍ପକୁ ପ୍ରୋତ୍ସାହନ ମିଳୁଥିବା ବେଳେ ତାଳପତ୍ର କରିଗରୀ ପାଇଁ କୌଣସି ପ୍ରୋତ୍ସାହନ ନାହିଁ । ଯାହା ଏହି କାରିଗରୀକୁ ଆଗକୁ ସମ୍ପୂର୍ଣ୍ଣ ବିଲୁପ୍ତ କରିଦେବାର ଆଶଂକା ରହିଛହି ବୋଲି କିଛି କାରଗର କହିଛନ୍ତି । ଭୋଗେଇର ଅଭାବ ଯୋଗୁଁ ଏବେ ଶ୍ରୀମନ୍ଦିରର ଶୁଖିଲା ଭୋଗ ଓ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ ପ୍ଲାଷ୍ଟିକ୍ ବା ପଲିଥିନ୍ରେ ଦିଆଯାଉଥିବା ଲକ୍ଷ୍ୟ କରାଯାଇଛି । ପ୍ଲାଷ୍ଟିକ୍ ବ୍ୟାନ ପାଇଁ ଅନେକ ପଦକ୍ଷେପ ନିଆଯାଉଛି । ଏହାର ପ୍ରଚାର ପ୍ରସାର ପାଇଁ ଅନେକ ଜନସଚେତନତା କାର୍ଯ୍ୟକ୍ରମ ବି ହେଉଛି । କିନ୍ତୁ ଘୋଷଣା ପରେ କିଛି ଦିନ ପର୍ଯ୍ୟନ୍ତ ଧରପଗଡ କରି ଚୁପ୍ ବସିଯାଉଛି ପ୍ରଶାସନ । ତେବେ ପ୍ରକୃତି ନିକଟରେ ଏସବୁର ସମାଧାନ ରହିଥିଲେ ବି ତାଳଗଛର ଅଭାବ ଏସମସ୍ୟାକୁ ବଢାଉଛି । ତେବେ ଏ ଦିଗରେ ସରକାର ଧ୍ୟାନ ଦେଲେ ପରିବେଶ ସୁରକ୍ଷା ହେବା ସହ ତାଳପତ୍ର କାରିଗରୀ ଉପରେ ନିର୍ଭର କରି ଚଳୁଥିବା କାରିଗର ମାନଙ୍କ ରୋଜଗାର ବଢିବା ସାଙ୍ଗକୁ ସେମାନଙ୍କ ବୃତି ମଧ୍ୟ ବଂଚିଯାଇପାରିବ ।