ଖଣି ଖନନ ଯୋଗୁଁ ସ୍ଥାନୀୟ ଲୋକେ ପ୍ରଭାବିତ ହେଉଥିବା ଖବର ତ ଅନେକ ରହିଛି କିନ୍ତୁ ଏହି ଖଣି ଖନନ ଯୋଗୁଁ ସେ ଅଂଚଳରୁ ସବୁଠାରୁ ଅଧିକ ବିସ୍ଥାପିତ ହୁଅନ୍ତି ଗରିବ ଓ ଅବହେଳିତ ବର୍ଗ । ଆଗକୁ ଏହି ଲିଷ୍ଟରେ ଯୋଡି ହେଉଛନ୍ତି ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକର ୧୯୦ ଟି ଗାଁର ଗ୍ରାମବାସୀ । ଏକ ଆକଳନ ଅନୁସାରେ ଅନୁଗୁଳ ଜିଲ୍ଲାରେ ପ୍ରସ୍ତାବିତ କୋଇଲା ଖଣି ଖନନ କାର୍ଯ୍ୟ ଆରମ୍ଭ ହେଲେ ପାଖାପାଖି ୩୮ ହଜାର ଲୋକେ ପ୍ରଭାବିତ ହେବେ, ଜିଲ୍ଲାର ଅନେକ ନାଳ ଶୁଖିଯିବ ଏବଂ ୩୦ ହଜାର ଏକର ଜମି ପାଣି ଅଭାବରୁ ଶୁଖିଲା ପଡିବ ।
ଭୁବନେଶ୍ୱର ;
ଆସନ୍ତା ଦିନରେ ପାଣି ଟୋପେ ପାଇବେନି ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବାସୀ । ପ୍ରସ୍ତାବିତ କୋଇଲା ଖଣି ଖନନ କାର୍ଯ୍ୟ ଆରମ୍ଭ ହେଲେ ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ୍ର ଅନେକ ନାଳ ଶୁଖିଯିବ ଓ୧୯୦ ଗାଁ ର ଲୋକେ ପ୍ରଭାବିତ ହେବାର ଆଶଂକା ରହିଛି । ଏହି ଖଣି ଖନନ କାର୍ଯ୍ୟ ଆରମ୍ଭ ହେଲେ ଏଥିଯୋଗୁଁ ବିସ୍ଥାପିତ ହେବେ ୧୯୦ ଗାଁ ର ପାଖାପାଖି ୩୮ ହଜାର ଲୋକେ । ଅନୁଗୁଳ ଜିଲ୍ଲା ସ୍ଥିତ ଡିଷ୍ଟ୍ରିକ୍ଟ ମିନେରାଲ ଫାଉଣ୍ଡେସନ (ଡିଏମଏଫ) ର ଏକ ଆକଳନ ଅନୁସାରେ ଏହି ଖଣି ଖନନ ଆରମ୍ଭ ହେଲେ ଜିଲ୍ଲାର ଅନେକ ନାଳ ଶୁଖିଯିବ ଓ ପାଖାପାଖି ୩୦ ହଜାର ଏକର ଜମି ଶୁଖିଲା ପଡିବ ।
କୋଇଲା ମନ୍ତ୍ରଣାଳୟ ସାରା ଦେଶରେ ୪୧ଟି କୋଇଲା ଖଣି ପାଇଁ ପ୍ରସ୍ତାବ ଦେଇଥିବା ବେଳେ ଏହା ଭିତରେ ଓଡିଶାର ୯ଟି ଖଣି ରହିଛି । କେବଳ ଛେଣ୍ଡିପଦା ବ୍ଲକ୍ରେ ୮ଟି କୋଇଲା ଖଣି ନିଲାମି ପ୍ରକ୍ରିୟାରେ ଆସିଥିବା ବେଳେ ଏହାର ସାମଗ୍ରିକ ଆୟତନ ୧୩୦ ବର୍ଗ କିଲୋମିଟର ବା ୩୦ ହଜାର ଏକର । ବର୍ତମାନ ସମୟରେ ଅନୁଗୁଳ ଜିଲ୍ଲାର ଛେଣ୍ଡିପଦାରେ ଗୋଟିଏ କୋଇଲା ଖଣି କାର୍ଯ୍ୟ କରୁଥିଲା ଯାହାକି ଏବେ ବନ୍ଦ ହୋଇ ପଡ଼ିଛି । ଆଉ ୮ଟି ଖଣିର ନିଲାମ ପ୍ରକ୍ରିୟା ଆରମ୍ଭ ହୋଇଛି । ୨୦୨୦ ଜୁନ୍ ମାସରେ ଏନେଇ ପ୍ରସ୍ତାବ ଦିଆଯାଇଥିଲା । ଡିଷ୍ଟ୍ରିକ୍ଟ ମିନେରାଲ ଫାଉଣ୍ଡେସନ୍ (ଡିଏମଏଫ)ର ଆକଳନ ଅନୁସାରେ ପ୍ରସ୍ତାବିତ କୋଇଲା ଖଣି ଯୋଗୁଁ କେବଳ ଛେଣ୍ଡିପଦା ବ୍ଲକ୍ରେ ୩୪ଟି ପଂଚାୟତର ୧୯୦ଟି ଗାଁର ପାଖାପାଖି ୩୮ ହଜାର ଲୋକ ସିଧାସଳଖ ପ୍ରଭାବିତ ହେବେ । ମାଛକୁଟା ଓ ମହାନଦୀ ବ୍ଲକ୍ରେ ୩୯୭୩ ହଜାର ଲୋକ, ଛେଣ୍ଡିପଦା ୧ ଓ ୨ରେ ୨୭୪୮ ପରିବାର, ରାଧିକାପୁର ପୂର୍ବର ୧୧୮୭ ପରିବାର ସମେତ ୧୯୦ଟି ଗାଁ ଲୋକ ସିଧାସଳଖ ବିସ୍ଥାପିତ ହେବେ ବୋଲି ଏଥିରେ ଉଲ୍ଲେଖ ରହିଛି ।
ପ୍ରଭାବିତ ହେବ ବ୍ରାହ୍ମଣୀ ନଦୀ
ଏନେଇ ନିକଟରେ କେନ୍ଦ୍ର ସରକାରଙ୍କ ମିନଷ୍ଟ୍ରି ଅଫ୍ କୋଲ୍ସ ପକ୍ଷରୁ ମଧ୍ୟ ଏକ ରିପୋର୍ଟ ପ୍ରକାଶ ପାଇଛି । ଯେଉଁଥିରେ ଖଣି ଖନନ ଯୋଗୁଁ ଜିଲ୍ଲାର ଅଧା ଡଜନ ନାଳ ଶୁଖିଯିବା ଓ ବ୍ରାହ୍ମଣୀ ନଦୀ ପ୍ରଭାବିତ ହେବା କଥା ଉଲ୍ଲେଖ ରହିଛି । ସାଧାରଣତଃ ଉପର ମୁଣ୍ଡରୁ ପାଣି ବୋହି ଆସି ଛୋଟ ଛୋଟ ନାଳ ଦେଇ ନଦୀରେ ମିଶୁଥିବା ବେଳେ କୋଲ ମାଇନ୍ସ ଯୋଗୁଁ ଉପର ମୁଣ୍ଡ ଶୁଖିଯିବ ଓ ପାଣି ଆଉ ତଳକୁ ଗଡିବନି ବୋଲି ରିପୋର୍ଟରେ କୁହାଯାଇଛି । ମାଛକଟା କୋଲ ବ୍ଲକ୍, ମହାନଦୀ କୋଲ ବ୍ଲକ୍, ବ୍ରାହ୍ମଣବିଲ-କରଡାବାହାଲ, ଫୁଲଝରୀ କୋଲ ବ୍ଲକ୍ ଯୋଗୁଁ ବ୍ରାହ୍ମଣୀ ନଦୀର ଜଳସ୍ତର ପ୍ରଭାବିତ ହେବ । ସେହିପରି ଆଉଁଳି, ଶିଙ୍ଗିଡା, ଗଉଡୁଣୀ, ଟିକିରା, କୁମ୍ଭୀରା, ଉଲାଣୀ, ଧୁରୁବା ନାଳ, ଥୁମାହାଲ, ଶିଙ୍ଗିଡାଜୋର, ନୂଆବନ୍ଧ ଭଳି ନାଳ ବି ସମ୍ପୂର୍ଣ୍ଣ ଶୁଖିଯିବାର ଆଶଙ୍କା ଦେଖାଦେଇଛି । ପୂର୍ବରୁ ଏହି ନଦୀ ଓ ନାଳ ସବୁ ଚାଷୀଙ୍କ ମେରୁଦଣ୍ଡ ଭାବେ ଜିଲ୍ଲାର ଅର୍ଥନୈତିକ ବିକାଶରେ ସାହାଯ୍ୟ କରୁଥିଲା । ଏହାସହ ବ୍ରାହ୍ମଣୀ ନଦୀର ତଳମୁଣ୍ଡକୁ ଜଳଯୋଗାଣରେ ଏହି ନଦୀଗୁଡିକର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରହିଥିଲା । ଯାହାକି ଏବେ ପ୍ରଭାବିତ ହେବ । କେବଳ ସେତିକି ନୁହେଁ କୋଲମାଇନ୍ସ ଦ୍ୱାରା କୁକୁରପେଟା କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ପ୍ରଭାବିତ ହେବ । ୧୯୭୫ ମସିହାରେ ତିଆରି ହୋଇଥିବା ଏହି ପ୍ରକଳ୍ପ ପ୍ରତିବର୍ଷ ୫୭୦ ହେକ୍ଟର ଖରିଫ୍ ଓ ୧୨୧ ହେକ୍ଟର ରବି ଧାନକୁ ଜଳ ସେଚନ କରିପାରୁଥିବା ବେଳେ ଏବେ ପ୍ରସ୍ତାବିତ ୨ଟି ଖଣି ଯଥା ତେନ୍ତୁଳେଇ କୋଲ ବ୍ଲକ୍ ଓ ନେଇନି କୋଲ ବ୍ଲକ୍ ଯୋଗୁଁ ପ୍ରଭାବିତ ହେବ । ଫଳରେ ଆଉ ପୂର୍ବପରି ଜଳସେଚନ ହୋଇପାରିବ ନାହିଁ ବୋଲି କୃଷି ବୈଜ୍ଞାନିକମାନେ ଆଂଶକା କରୁଛନ୍ତି ।
ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲ (ଏନ୍ଜିଟି)ର ବରିଷ୍ଠ ଆଇନଜୀବୀ ଶଙ୍କର ପାଣି କହିଛନ୍ତି କେବଳ ପ୍ରଦୂଷଣ ନୁହେଁ ପ୍ରସ୍ତାବିତ କୋଇଲା ଖଣି ସ୍ଥାନୀୟ ଅଂଚଳରେ ପାଣି ସମସ୍ୟା ସୃଷ୍ଟି କରିବ । ଏହାଦ୍ୱାରା ୩୦ ହଜାର ଏକର ଜମିକୁ ପାଣି ମଡାଯାଇପାରିବ ନାହିଁ ଏବଂ ଏହାର ୧୦ କିଲୋମିଟର ପରିଧି ଭିତରେ ଥିବା ଅଂଚଳବାସୀ ପାଣି ମୁନ୍ଦିଏ ପାଇବେନି । କୋଇଲା ଖଣି ପାଇଁ ସବୁଠାରୁ ଅଧିକ ଗଭୀର ଖୋଳାଯାଉଥିବାରୁ ଏହି ଖଣି ଖୋଳିବା ପାଇଁ ୩୦୦ ଫୁଟ୍ ଯାଏଁ ଖୋଳା ହେବାର ଆଶଂକା ରହିଛି । ଯଦି ୩୦ ହଜାର ଏକର ଜଙ୍ଗଲ ଜମିରେ ଖଣି ପାଇଁ ୩୦୦ ଫୁଟ ଗଭୀର ଖୋଳାହୁଏ ତେବେ ଆଖ ପାଖ ଅଂଚଳର ଲୋକଙ୍କ ଚାଷବାସ କାମରେ ଲାଗୁଥିବା ଶିଙ୍ଗଡା, ଗଉଡୁଣି, ଟିକିରା, ଗମ୍ଭାରି ଭଳି ନାଳ ଶୁଖିଯିବ । ଏହାଛଡା ବ୍ରାହ୍ମଣୀ ନଦୀର ଜଳ ପତନ ମଧ୍ୟ କମିବ । ସାଧାରଣତଃ ବ୍ରାହ୍ମଣୀ ନଦୀ ଏସବୁ ଛୋଟ ନାଳ ଉପରେ ନିର୍ଭର କରୁଥିବାରୁ କୋଇଲା ଖଣି ଖନନ ଯୋଗୁଁ ଛୋଟ ନାଳ ଶୁଖିଗଲେ ପରବର୍ତୀ ସମୟରେ ବ୍ରାହ୍ମଣୀ ନଦୀକୁ ପାଣି ପ୍ରବାହିତ ହେବା ଯଥେଷ୍ଟ କମିଯିବ ।
ଖରାଦିନେ ବଢିବ ତାପମାତ୍ରା
୧୯୮୯ ମସିହାରୁ କୋଇଲା ଖଣି ଯୋଗୁଁ ଅନୁଗୁଳ-ତାଳଚେର ଅଂଚଳକୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଭୟଙ୍କର ପ୍ରଦୂଷଣ ଅଂଚଳ ଭାବେ ଘୋଷଣା କରିଥିବା ବେଳେ ଏବେ ପ୍ରସ୍ତାବିତ କୋଇଲା ଖଣି ଯୋଗୁଁ ଏହାର ସ୍ଥିତି ଆହୁରି ଉଦ୍ବେଗ ଜନକ ରହିବ । କେବଳ ସେତିକି ନୁହେଁ ଏସବୁ ପ୍ରସ୍ତାବିତ କୋଇଲା ଖଣି ଯୋଗୁଁ ପ୍ରତି ବର୍ଷ ୧୨୪ ନିୟୁତ ଟନ୍ କୋଇଲା ଖନନ କରିବାର ଯୋଜନା ଥିବା ବେଳେ ଏଥିଯୋଗୁଁ ଯେଉଁ ପ୍ରଦୂଷଣ ହେବ ତାହାର ଭାର ମଧ୍ୟ ଛେଣ୍ଡିପଦା ବ୍ଲକ୍ ମୁଣ୍ଡାଇବ । ବାୟୂ ପ୍ରଦୂଷଣ ଯୋଗୁଁ ସ୍ଥାନୀୟ ଅଂଚଳରେ ଶ୍ୱାସ ରୋଗୀ, ନିମୋ କୋକୋସିସ୍, ସିଲିକୋସିସ୍ ଓ ଟିବି ଭଳି ରୋଗୀ ସଂଖ୍ୟା ବଢ଼ିବ ।
ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ବରିଷ୍ଠ ବୈଜ୍ଞାନିକ ନିହାର ରଞ୍ଜନ ସାମଲ କହିଛନ୍ତି ଗତ କିଛି ବର୍ଷ ହେବ କୋଇଲା ଖଣି ଯୋଗୁଁ ତାଳଚେର ସହରର ତାପମାତ୍ରା ଯଥେଷ୍ଟ ଅଧିକ ରହୁଛି । ଯଦି ଏହାକୁ ଆଖିରେ ରଖି ବିଚାର କରାଯାଏ ତେବେ ଆଗାମୀ ଦିନରେ ଛେଣ୍ଡିପଦାର ତାପମାତ୍ରା କେତେ ବଢିବ ତାହା ଆକଳନ କରିବା ମୁସ୍କିଲ ହେବ । ଏଣୁ ଜଳବାୟୁ ପରିବର୍ତନକୁ ସିଧାସଳଖ ପ୍ରଭାବିତ କରିବାକୁ ଥିବା ଏହି ସମସ୍ୟାର ଏବେଠାରୁ ବିକଳ୍ପ ପଦକ୍ଷେପ ଗ୍ରହଣ କରିବା ଜରୁରୀ ।
ତାଳଚେର ଅଂଚଳରେ ଦାଦନ ଶ୍ରମିକଙ୍କ ଅଧିକାର ଉପରେ କାମ କରୁଥିବା ସାମାଜିକ କର୍ମୀ ସ୍ମିତା ରାଣୀ ପଟ୍ଟନାୟକ କହିଛନ୍ତି ତାଳଚେରରେ ଏବେ ଦାଦନ ଶ୍ରମିକଙ୍କ ସ୍ଥିତି ଖୁବ୍ ଉଦବେଗ ଜନକ । ଖଣି ଯୋଗୁଁ ଜମି ହରାଇଥିବା ଲୋକେ ଏବେ କାମ ଅନ୍ୱେଷଣରେ ବାହାର ରାଜ୍ୟକୁ ଯାଉଛନ୍ତି । ସେମାନଙ୍କ ଅନୁପସ୍ଥିତିରେ ଗାଁରେ ଏକାକୀ ରହିଯାଉଥିବା ସେମାନଙ୍କ ସ୍ତ୍ରୀ ଓ ପିଲାମାନେ ଭୋକ ଉପାସରେ ଦିନ କାଟିବା ସହ ଅନେକ ସମୟରେ ଶିଶୁ ଓ ମହିଳା ଚାଲାଣ ଅଭିଯୋଗ ମଧ୍ୟ ହେଉଛି । ଛେଣ୍ଡିପଦାରେ ପ୍ରସ୍ତାବିତ ଖଣି ଖନନ କାମ ହେଲେ ସେଠି ମଧ୍ୟ ଅନୁରୂପ ସ୍ଥିତିି ଉପୁଜିବାର ଯଥେଷ୍ଟ ଆଂଶକା ରହିଛି ବୋଲି ସେ କହିଛନ୍ତି ।
ଏସବୁ ବିଷୟରେ ଖଣି ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କୁ ପଚରାଯିବାରେ ସେ ନିଜ ନାମ ଗୋପନ ରଖି କହିଥିଲେ ଯେ ଛେଣ୍ଡିପଦା ଅଂଚଳରେ ପ୍ରଚୁର ପରିମାଣରେ କୋଇଲା ଗଚ୍ଛିତ ଥିବାରୁ ଖନନ ନେଇ ନିଲାମ ସରିଥିଲେ ବି ପ୍ରକ୍ରିୟା ଆରମ୍ଭ ହୋଇନି । ସେ ଏହା ସ୍ୱୀକାର କରିଥିଲେ ଯେ କୋଇଲା ଖଣି ଖନନ କାମ ଆରମ୍ଭ ହେଲେ ଆଗକୁ ପାଣି ଅଭାବ, ପରିବେଶ ଦୂଷିତ, ଦାଦନ ଶ୍ରମିକ ଭଳି ସମସ୍ୟା ଦେଖାଦେଇପାରେ କିନ୍ତୁ ଏଥିପାଇଁ ଯାହା ବ୍ୟବସ୍ଥା ଆବଶ୍ୟକ ତାହାକୁ ବିଚାର କରି ଆଗାମୀ ଦିନରେ ଏ ଦିଗରେ ପଦକ୍ଷେପ ନିଆଯିବ ।