ଲୁଣା ଜଙ୍ଗଲ ସୁରକ୍ଷାରେ ନିୟୋଜିତ ମହିଳା

ପୁରୀ ଜିଲ୍ଲା ଅସ୍ତରଙ୍ଗ ନିକଟ ଝାଡଲିଙ୍ଗ ଗାଁକୁ ଫନି ବାତ୍ୟାରୁ ରକ୍ଷା କରିବା ପାଇଁ ଲୁଣା ଜଙ୍ଗଲ ଏକ ଢାଲ ଭାବେ କାମ କରିଥିଲା। ୨୦୧୯ ମସିହାରେ ହୋଇଥିବା ଭୟଙ୍କର ବାତ୍ୟାରେ ଝାଡଲିଙ୍ଗ ଗାଁ ବିପର୍ଯ୍ୟୟର ସମ୍ମୁଖୀନ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଥିଲା । ମାତ୍ର ବାତ୍ୟା ଦିଗ ବଦଳାଇ ଅନ୍ୟ ସ୍ଥାନରେ ଲ୍ୟାଣ୍ଡଫଲ କଲା । ଲୋକଙ୍କ ବିଶ୍ୱାସ ଗାଁ ଚାରିପାଖେ ଥିବା ଲୁଣାଜଙ୍ଗଲ ହିଁ ସେମାନଙ୍କୁ ଏହି ବାତ୍ୟା ପ୍ରକୋପରୁ ରକ୍ଷା କରିଛି । ଫଳରେ ଏହି ଲୁଣା ଜଙ୍ଗଲର ସୁରକ୍ଷା ପାଇଁ ଗାଁର କିଛି ମହିଳା ଅଣ୍ଟା ଭିଡିଥିବା ବେଳେ ପରିବେଶବିତ୍ ସୌମ୍ୟ ରଞ୍ଜନ ବିଶ୍ୱାଳଙ୍କ ନେତୃତ୍ୱରେ ଏବେ ଦେବୀ ନଦୀ ମୁହାଣଠାରେ ଥିବା ଲୁଣା ଜଙ୍ଗଲରେ ସେମାନେ ୨୦ ହଜାରରୁ ଅଧିକ ବୃକ୍ଷରୋପଣ କରିଛନ୍ତି ।

ପୁରୀ ଜିଲ୍ଲା ଅସ୍ତରଙ୍ଗ ଠାରୁ ପ୍ରାୟ ୩ କିଲୋମିଟର ଦୂରରେ ଅବସ୍ଥିତ ଝାଡଲିଙ୍ଗ ଗାଁ । ଏହି ଗାଁ ଠାରୁ ପ୍ରାୟ ୬ କିଲୋମିଟର ଦୂରରେ ରହିଛି ଦେବୀନଦୀ ମୁହାଁଣ । ଦେବୀ ନଦୀ ନାଁ ଶୁଣିଲେ ମନେପଡିଯାଏ ୨୦୧୯ ମସିହାର ଫନି ବାତ୍ୟା କଥା। ସବୁଆଡେ ହୁ ହୁ ହୋଇ ପ୍ରଚାର ହେଉଥାଏ ବାତ୍ୟା ଦେବୀନଦୀ ମୁହାଁଣ ନିକଟରେ କେଉଁଠି ଗୋଟେ ଲ୍ୟାଣ୍ଡଫଲ କରିବ । ଟିଭି , ଖବରକାଗଜ ଯୁଆଡେ ଦେଖିବ ଭୟଙ୍କର ବାତ୍ୟା ଆସୁଥିବାର ଖବର ପ୍ରସାରଣ ହେଉଥାଏ । ଏହା ୧୯୯୯ ମସିହା ମହାବାତ୍ୟା ଭଳି ବଡ ଓ ବିପର୍ଯ୍ୟୟକାରୀ ହେବ ବୋଲି ପାଣିପାଗ ବିଭାଗ ସୂଚନା ଦିଏ । ସରକାର ଲୋକଙ୍କ ସୁରକ୍ଷା ପାଇଁ ତତ୍ପର ହୋଇପଡନ୍ତି । ବାତ୍ୟା ଦେବୀନଦୀ ମୁହାଁଣ ନିକଟରେ ହିଁ ଲ୍ୟାଣ୍ଡଫଲ କରିବ ବୋଲି ଆକଳନ କରାଗଲା । ଏଣୁ ଆଖପାଖ ୫୦ ଖଣ୍ଡ ଗାଁରେ ରହୁଥିବା ଲୋକଙ୍କୁ ବାତ୍ୟା ଆଶ୍ରୟ ସ୍ଥଳ ଓ ସୁରକ୍ଷିତ ସ୍ଥାନକୁ ପଠାଇ ଦେଲେ ପ୍ରଶାସନ । ମାତ୍ର ବାତ୍ୟା ଦିଗ ବଦଳାଇ ମୁହାଣଠାରୁ ବେଶ କିଛି ଦୂର ବାଲୁଖଣ୍ଡ ଠାରେ ଲ୍ୟାଣ୍ଡଫଲ କଲା । ଗାଁଲୋକ ବିଶ୍ୱାସ କଲେ ଯେ ଦେବୀ ନଦୀ ମୁହାଣରେ ଥିବା ଲୁଣା ଜଙ୍ଗଲ ହେତୁ ବାତ୍ୟାର ପ୍ରଭାବ ଝାଡଲିଙ୍ଗ ଗାଁ ଉପରେ ସେତେଟା ପଡିଲା ନାହିଁ ।

 

କଥାରେ ଅଛି ପରିବେଶ ସୁରକ୍ଷିତ ହେଲେ ମଣିଷ ଜୀବନ ସୁରକ୍ଷିତ ରହିବ । ଆଉ ଏହି ପରିବେଶକୁ ସୁରକ୍ଷା ପ୍ରଦାନ କରିବାରେ ଗଛର ଭୁମିକା ଅତ୍ୟନ୍ତ ଗୁରୁତ୍ୱପୁର୍ଣ୍ଣ । ମଣିଷ ଗ୍ରହଣ କରୁଥିବା ଅମ୍ଲଜାନ ଠାରୁ ଆରମ୍ଭ କରି ମୃତ୍ତିକା କ୍ଷୟ ରୋକିବା ଓ ଜଳଧାରଣ କ୍ଷମତା ବଢାଇବା ଏସବୁ କିଛି ଗଛ ଯୋଗୁଁ ସମ୍ଭବ ହୋଇଥାଏ । ଏସବୁ ବ୍ୟତୀତ ଲୁଣାଜଙ୍ଗଲ କଥା ବିଚାର କଲେ ପରିବେଶକୁ ସୁରକ୍ଷା ଦେବାରେ ଏହା ବହୁତ ସହାୟକ ହୋଇଥାଏ. ପ୍ରତିବର୍ଷ ଭାରତୀୟ ଜଙ୍ଗଲ ସର୍ବେକ୍ଷଣ (ଏଫଏସଆଇ) ଦ୍ୱାରା ପ୍ରତି ରାଜ୍ୟରେ ଥିବା ଜଙ୍ଗଲ ସ୍ଥିତି ଉପରେ ଏକ ରିପୋର୍ଟ ପ୍ରଦାନ କରାଯାଇଥାଏ । ୨୦୨୩ରେ ଆସିଥିବା ରିପୋର୍ଟ ମୁତାବକ ଓଡିଶାରେ ୭୨୨୪ ବର୍ଗ କିଲୋମିଟର ଅଞ୍ଚଳରେ ଘଞ୍ଚ ଓ ୨୧,୦୬୫ ବର୍ଗ କିଲୋମିଟର ଅଞ୍ଚଳରେ ମଧ୍ୟମ ଧରଣର ଜଙ୍ଗଲ ଦେଖିବାକୁ ମିଳେ । ଏସବୁ ବ୍ୟତୀତ ୨୫୯.୦୬ ବର୍ଗ କିଲୋମିଟର ଅଂଚଳରେ ରାଜ୍ୟକୁ ଲୁଣାଜଙ୍ଗଲ ଘେରି ରହିଛି । ସବୁଠାରୁ ବଡ କଥା ହେଉଛି ଓଡିଶା ଭଳି ବାତ୍ୟା ପ୍ରବଣ ଅଂଚଳ ପାଇଁ ଲୁଣାଜଙ୍ଗଲ ଏକ ଶକ୍ତ ପାଚେରୀ ବାଡ ଭଳି କାମ କରିଥାଏ । ବନ୍ୟା ଓ ବାତ୍ୟା ସମୟରେ କ୍ଷୟକ୍ଷତି କମାଇବାରେ ଏହାର ବଡ ଅବଦାନ ରହିଛି । ଏପରିକି ବନ୍ୟା ସମୟରେ ନଦୀରୁ ଆସୁଥିବା ଜୁଆରକୁ ରୋକି ଗାଁକୁ ବନ୍ୟା ବିତ୍ପାତରୁ ଲୁଣା ଜଙ୍ଗଲ ରକ୍ଷା କରିଥାଏ । ବାତ୍ୟା ସମୟରେ ଦ୍ରୁତ ବେଗରେ ବହୁଥିବା ପବନକୁ ଆୟତ କରି ଗାଁ ପାଇଁ ଢାଲ ଭଳି କାମ କରିଥାଏ । ଏଣୁ ପରିବେଶକୁ ସୁରକ୍ଷା ଦେବାରେ ଏହାର ଭୂମିକା ଅତୁଳନୀୟ ।

ସୌମ୍ୟ ରଞ୍ଜନଙ୍କ ଭିନ୍ନ ପ୍ରୟାସ :

ଫନି ବାତ୍ୟା ବିଷୟରେ ସୂଚନା ଦେବାକୁ ଯାଇ ଓଡିଶା ପର୍ଯ୍ୟାବରଣ  ସଂରକ୍ଷଣ ଅଭିଯାନର ପ୍ରତିଷ୍ଠାତା ସୌମ୍ୟ ରଞ୍ଜନ କୁହନ୍ତି ଯେ ଫନି ସମୟରେ ଅସ୍ତରଙ୍ଗ ଅଂଚଳର ଲୋକଙ୍କ ପାଇଁ ଲୁଣାଜଙ୍ଗଲ ଏକ ଢାଲ ଭଳି କାମ କରିଥିଲ।। ଦେବୀନଦୀ ମୁହାଣରେ ପ୍ରାୟ ଦେଢ କିଲୋମିଟର ଅଂଚଳରେ ଏହି ଜଙ୍ଗଲ ଘେରି ରହିଛି । ଛୋଟ ଅଂଚଳରେ ପରିବ୍ୟାପ୍ତ ହୋଇଥିଲେ ମଧ୍ୟ ଫନିଭଳି ଭୟଙ୍କର ବାତ୍ୟାରୁ ଏହା ଅସ୍ତରଙ୍ଗ ଲୋକଙ୍କୁ ରକ୍ଷା କରିଥିଲା । ଏଣୁ ସୌମ୍ୟ ବାତ୍ୟା ପରେ ଲୋକଙ୍କୁ ଏହାର ଗୁରୁତ୍ୱ ବିଷୟରେ ବୁଝାଇଥିଲେ । ପ୍ରଥମେ ଗାଁର ୫ ଜଣ ମହିଳାଙ୍କୁ ନେଇ ଏହା ବାବଦରେ ତାଲିମ ଦେଇଥିଲେ । ଧିରେ ଧିରେ କ୍ଷୟ ହୋଇ ଆସୁଥିବା ଲୁଣା ଜଙ୍ଗଲର ସୁରକ୍ଷା ପାଇଁ ଗଛ ଲଗାଇବା କେତେ ଆବଶ୍ୟକ ସେ ବାବଦରେ ସେମାନଙ୍କୁ ବୁଝାଇଲେ । ସୌମ୍ୟ ରଞ୍ଜନଙ୍କ କହିବା ଅନୁଯାୟୀ ପ୍ରଥମେ ଏହି ମହିଳାମାନେ ତାଙ୍କ କଥାକୁ ସେତେଟା ଗୁରୁତ୍ୱ ଦେଉନଥିଲେ । ମାତ୍ର ପରେ ସେମାନେ ମଧ୍ୟ ସୌମ୍ୟଙ୍କ ଏହି ଅଭିଯାନରେ ସାମିଲ ହୋଇ ଲୁଣା ଜଙ୍ଗ.ଲ ସୁରକ୍ଷା ପାଇଁ କାମ କରିବା ଆରମ୍ଭ କଲେ । ବର୍ତମାନ ଗାଁର ପ୍ରାୟ ୨୫ ପାଖାପାଖି ମହିଳା ଓ କିଛି ପୁରୁଷ ମିଳିତ ଭାବେ ଏହି କାମ କରୁଛନ୍ତି । ନର୍ସରୀ ତିଆରି କରିବା, ଲୁଣା ଜଙ୍ଗଲ ପଠାରୁ ମଞ୍ଜି ସଂଗ୍ରହ କରିବା, ମଞ୍ଜିରୁ ଚାରା ତିଆରି କରିବା ପରେ ପୁଣି ସେଗୁଡିକୁ କ୍ଷୟ ହେବାକୁ ବସିଥିବା ଲୁଣା ଜଙ୍ଗଲରେ ପୋତିବା ଆଦି କାମକୁ ନିୟମିତ ଭାବେ କରିଆସୁଛନ୍ତି । ଏବେ ସୁଦ୍ଧା ପ୍ରାୟ ୨୨ ହଜାରରୁ ଅଧିକ ଚାରା ରୋପଣ କରାଯାଇସାରିଲାଣି । ଗାଁର ମହିଳାଙ୍କର ଏଦିଗରେ ପାରମ୍ପରିକ ଜ୍ଞାନ ଥିବାରୁ ମଞ୍ଜି ସଂଗ୍ରହ ଓ ଚାରା ରୋପଣ କାମରେ ସାହାଯ୍ୟ ହେଉଛି । 

ଲୁଣା ଜଙ୍ଗଲ ପ୍ରସ୍ତୁତିରେ ମହିଳାଙ୍କ ଜ୍ଞାନ

ଝାଡଲିଙ୍ଗ ଗାଁର ନଳୀନି କାଣ୍ଡି କୁହନ୍ତି, ଆଗେ ଆମେ ଲୁଣା ଜଙ୍ଗଲରୁ ଜାଳେଣି କାଠ ସଂଗ୍ରହ କରୁଥିଲୁ ଓ ସମୁଦ୍ର ପଠାରୁ କଙ୍କଡା ଧରି ବେପାରୀଙ୍କୁ ବିକ୍ରି କରୁଥିଲୁ ସେଥିରୁ ଯାହା ଦି ପଇସା ମୁଳୁଥିଲା ସେଥିରେ କଷ୍ଟେ ମଷ୍ଟେ ପରିବାର ଚଳିଯାଉଥିଲା । କିନ୍ତୁ ଲୁଣା ଜଙ୍ଗଲ ସୁରକ୍ଷା କାମରେ ନିୟୋଜିତ ହେବା ପରଠାରୁ ଆମେ ଆଉ ଜାଳେଣି କାଠ ସଂଗ୍ରହ କରୁନାହୁଁ । ଆମେ ବୁଝିଲୁ ଯେ ଲୁଣା ଜଙ୍ଗଲ ସୁରକ୍ଷିତ ରହିଲେ ଏହା ଆମକୁ ବାତ୍ୟା, ବନ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟରୁ ରକ୍ଷା କରିବ ।

ଲୁଣାଜଙ୍ଗଲ ନିକଟରେ ରହୁଥିବାରୁ ଗାଁର ମହିଳାମାନଙ୍କର ମଞ୍ଜି ଚିହ୍ନିବାର ପାରମ୍ପରିକ ଜ୍ଞାନ ଅଛି । ରାଇ, ସିନ୍ଦୁକା, କାଳିଆଚୁଆଁ, ବନ୍ଦାରି କେରୁଆଁ ଆଦି ମଞିଗୁଡିକୁ ଚିହ୍ନିବା ସହ ସେଗୁଡିକୁ ଆଣି ନର୍ସରୀରେ ଚାରା କରିବା ଆଦି କାମ ନିୟମିତ ଭାବେ କରିଥାଆନ୍ତି ।

ଗାଁର ଅନ୍ୟଜଣେ ମହିଳା ସୁଲୋଚନା କାଣ୍ଡି କୁହନ୍ତି, କେଉଁ ଗଛ କେତେ ପାଣିରେ ବଢିପାରିବ ତାହାର ମଧ୍ୟ ଏକ ମାପ ରହିଛି । ସବୁକିଛି ଅଧିକ ପାଣିରେ ବଢିପାରିବ ନାହିଁ । କିଛି ଗଛ ବଢିବା ପାଇଁ କମ ପାଣିର ଆବଶ୍ୟକ ପଡେ । ନଳିନୀ କୁହନ୍ତି, ସେମାନେ ପ୍ରତିଦିନ ଡଙ୍ଗାରେ ନଈ ପାର ହୋଇ ଲୁଣା ଜଙ୍ଗଲ ଯାଆନ୍ତି ଓ ସେଠି ଚାରା ରୋପଣ କରନ୍ତି । ସକାଳେ ଓ ସନ୍ଧ୍ୟାରେ ଜୁଆର ଛାଡିଲେ ସେମାନେ ଚାରା ରୋପଣ କରନ୍ତି ଏସବୁ କାମ ସଂଘର୍ଷମୟ ହେଲେ ମଧ୍ୟ ସେମାନେ ଏହି କାମ କରିବାରେ ହେଳା କରିନାହାନ୍ତି । ଏହି ଚାରା ରୋପଣ କାମରେ ନିୟମିତ ଯୋଗଦାନ ହେଉଥିବା ମାମିନା କାଣ୍ଡିଙ୍କ ମତରେ ସେମାନଙ୍କ ଗାଁ ନଈ କୁଳରେ ହୋଇଥିବାରୁ ସବୁବେଳେ ସେମାନଙ୍କର ବାତ୍ୟାର ଭୟ ରହୁଛି । ଲୁଣା ଜଙ୍ଗଲ ବାତ୍ୟାର ପ୍ରକୋପରୁ ରକ୍ଷା କରୁଥିବାରୁ ସେମାନେ ଏବେ ଏହାକୁ ସୁରକ୍ଷିତ ରଖିବାରେ ଲାଗିପଡିଛନ୍ତି । ଆଗାମୀ ଦିନରେ ବାତ୍ୟା ଆସିଲେ ଏହି ଲୁଣା ଜଙ୍ଗଲ ଆମକୁ ଓ ଆମ ଆଗାମୀ ପିଢିକୁ ରକ୍ଷା କରିବ । ଲୁଣା ଜଙ୍ଗଲ ସୁରକ୍ଷା କରୁଥିବା ମହିଳାମାନେ କୁହନ୍ତି, ସେମାନେ ଏହି କାମ ଟଙ୍କା ପାଇଁ ନୁହେଁ ବରଂ ତାଙ୍କର ଓ ଆଖପାଖ ୫୦ଖଣ୍ଡ ଗାଁକୁ ସୁରକ୍ଷା ଦେବା ପାଇଁ କରୁଛନ୍ତି । ଯେପରିକି ଆଗାମୀ ଦିନରେ ବାତ୍ୟା ଆସିଲେ ସେମାନଙ୍କୁ ଆଉ ଆଶ୍ରୟସ୍ଥଳୀ କୁ ଦୌଡିବାକୁ ପଡିବ ନାହିଁ ବରଂ ଏହି ଲୁଣା ଜଙ୍ଗଲ ହିଁ ତାଙ୍କୁ ସୁରକ୍ଷା ଦେବ ।

Leave a Reply

Your email address will not be published. Required fields are marked *