ସମାଜରେ ଯେଉଁଠି ଧର୍ମ ଓ ଜାତିପ୍ରଥାକୁ ନେଇ ଅନେକ ସମୟରେ ହିଂସା ହେଉଛି ସେଇଠି ଓଡ଼ିଶା ଛତିଶଗଡ ସୀମାନ୍ତରେ ଥିବା ରେମେଣ୍ଡା ଗାଁର ସଦଭାବନା ରଥଯାତ୍ରା ଏକ ଭଲ ଉଦାହରଣ କହିଲେ ଭୁଲ ହେବ ନାହିଁ । ସାମ୍ପ୍ରଦାୟିକ ସଦଭାବନା ଓ ଭାଇଚାରାର ବାର୍ତା ବହନ କରିଥିବା ଏହି ରଥଯାତ୍ରାରେ ଓଡ଼ିଶା ଛତିଶଗଡ ସୀମାନ୍ତରେ ରହୁଥିବା ଅନେକ ଜଗନ୍ନାଥ ପ୍ରେମୀ ଏଠାକୁ ଟାଣି ହୋଇଆସନ୍ତି । ପ୍ରାୟ ଶହେ ବର୍ଷ ଧରିପାଳିତ ହେଉଥିବା ଏହି ନିଆରା ପରମ୍ପରା ଏକତା ଓ ସଂହତିର ଏକ ନିଚ୍ଛକ ପ୍ରଦର୍ଶନ ।
ଷ୍ଟୋରିଜ ଓଡ଼ିଶା
ଝାରସୁଗୁଡା
ପ୍ରତିବର୍ଷ ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଅନ୍ତର୍ଗତ ରେମେଣ୍ଡା ଗାଁରେ ପାଳିତ ହୋଇଆସୁଛି ଏକ ଭିନ୍ନ ଧରଣର ରଥଯାତ୍ରା –ଯାହାକି ଏବେ ସଦଭାବନାର ରଥଯାତ୍ରା ଭାବେ ପରିଚିତ । ସ୍ୱାଧୀନତା ପୂର୍ବରୁ ପାଳିତ ହେଉଥିବା ଏହି ରଥଯାତ୍ରାରେ ମୁଖିଆ ଭାବେ ଗାଁର ମୁସଲମାନ ଗୌନ୍ତିଆ ପରିବାରର ମୁଖ୍ୟ ଛେରାପହଁରା କରିବାର ଏକ ଭିନ୍ନ ପରମ୍ପରା ଆଜି ମଧ୍ୟ ବଳବତର ରହିଛି । ସାମ୍ପ୍ରଦାୟିକ ସଦଭାବନା ଓ ଭାଇଚାରାର ବାର୍ତ୍ତାବହ ସାଜିଥିବା ଏହି ରଥଯାତ୍ରା ମହାନ ଉତ୍କଳୀୟ ଜଗନ୍ନାଥ ସଂସ୍କୃତିର ଏକ ନିଆରା ଭାବ ପ୍ରଦର୍ଶନ କରୁଛି । ଜାତି, ଧର୍ମ, ଓ ବର୍ଣ୍ଣ ନିର୍ବିଶେଷରେ ସମନ୍ୱୟ ଓ ସଦଭାବନାକୁ ପାଥେୟ କରି ଆଜିବି ରେମେଣ୍ଡା ଗାଁରେ ଏହି ରଥଯାତ୍ରା ପାଳିତ ହୋଇଆସୁଛି । ଓଡ଼ିଶା ଓ ଛତିଶଗଡ ସୀମାନ୍ତରେ ତିଭା ଏହି ରେମେଣ୍ଡା ଗାଁର ସଦଭାବନା ରଥଯାତ୍ରାକୁ ଦେଖିବା ପାଇଁ ଓ ଏଥିରେ ସାମିଲ ହେବାପାଇଁ ଆଖପାଖ ଗାଁର ଅନେକ ଲୋକ ଟାଣି ହୋଇ ଆସନ୍ତିି । ଗାଁ ଲୋକଙ୍କ କହିବା ଅନୁସାରେ ରେମେଣ୍ଡା ରଥଯାତ୍ରାରେ ମୁସଲମାନ ପରିବାରର ଲୋକେ ସାମିଲ ହେବା ଓ ସେହି ମୁସଲମାନ ଗୌନ୍ତିଆ ପାରିବାରର ମୁଖିଆ ଛେରା ପହଁରା କରିବାର ପରମ୍ପରା ପ୍ରାୟ ଶହେ ବର୍ଷ ପୁରୁଣା ।
କେମିତି ହେଲା ଆରମ୍ଭ
ଗାଁର ପୁରୁଖା ଲୋକେ କୁହନ୍ତି, ଗାଁର ଗୋଟେ ରଥଯାତ୍ରା ଆୟୋଜନ ନେଇ ପ୍ରଥମେ ସେତେବେଳେ ଗୌନ୍ତିଆ ଥିବା ସ୍ୱର୍ଗତ ୱାରସ ମହମ୍ମଦଙ୍କ ନିକଟକୁ ଆସି କହିଥିଲେ ଯେ ଆମ ପାଖଆଖ ଗାଁ ଗୁଡିକରେ ପ୍ରତିବର୍ଷ ରଥଯାତ୍ରା ହେଉଛି ହେଲେ କେବଳ ଆମ ଗାଁରେ ହେଉନାହିଁ । ଆମେ ଆମ ଗାଁରେ କେମିତି କରିପାରିବୁ ସେ ବିଷୟରେ ଆପଣ ପଦକ୍ଷେପ ନିଅନ୍ତୁ ବୋଲି ସେମାନେ ସ୍ୱର୍ଗତ ୱାରସଙ୍କୁ ଅନୁରୋଧ କରିଥିଲେ । ଗୌନ୍ତିଆ କହିଲେ ଯେଉଁ ଗାଁ ଗୁଡିକରେ ରଥଯାତ୍ରା ହେଉଛି ସେଠି ଜଗନ୍ନାଥ ମନ୍ଦିର ଅଛି ଓ ତିନିଠାକୁର ମଧ୍ୟ ଅଛନ୍ତି । ଆମ ଗାଁରେ ନା ତିନି ଠାକୁର ଅଛନ୍ତି ନା ମନ୍ଦିର ଅଛି । ଆମେ ରଥଯାତ୍ରା କଲେ ଠାକୁର କେଉଁଠୁ ପାଇବା ବୋଲି ସେ ଗାଁ ଲୋକଙ୍କୁ ଓଲଟା ପ୍ରଶ୍ନ କରିଥିଲେ । ରଥଯାତ୍ରା ପାଳନକୁ ନେଇ ଅନେକ ଆଲୋଚନା ପରେ ଶେଷରେ ନିଷ୍ପତି ହେଲା ଯେ ପୁରୀ ଶ୍ରୀ କ୍ଷେତ୍ରର ରଥଯାତ୍ରା ଆଷାଢ ମାସ ଦ୍ୱିତୀୟା ତିଥିରେ ଆୟୋଜିତ ହେଉଥିବାରୁ ସେମାନେ ଏହାର ଠିକ ଦୁଇଦିନ ପରେ ଅର୍ଥାତ ପଂଚମୀ ତିଥିରେ ରଥଯାତ୍ରା ପାଳନ କରିବେ । ଆଉ ସେହି ଦିନଠାରୁ ରେମେଣ୍ଡାରେ ପଂଚମୀ ତିଥିରେ ରଥଯାତ୍ରା ପାଳିତ ହୋଇଆସୁଛି । ଏହାଛଡା ରଥଯାତ୍ରା ପାଇଁ ତିନି ଠାକୁର ଏକ ନିର୍ଦ୍ଧିଷ୍ଟ ଗାଁରୁ ଆଣିବାକୁ ନିଷ୍ପତି ହୋଇଥିଲା।
ବହୁବର୍ଷ ଧରି ପାଖରେ ଥିବା ସୁନାରୂ ଗାଁରୁ ତିନି ଠାକୁରଙ୍କୁ ଅଣାଯାଇ ରଥଯାତ୍ରାର ଆୟୋଜନ କରାହେଉଥିଲା । ହେଲେ ଗତ କିଛି ବର୍ଷ ହେବ ଗାଁ ଲୋକ ଓ ଗୋନ୍ତିଆ ପରିବାର ଲୋକଙ୍କ ଉଦ୍ୟମରେ ରେମେଣ୍ଡା ଗାଁରେ ତିନିଠାକୁର ବିଗ୍ରହ ପ୍ରତିଷ୍ଠା କରାଯିବା ସହ ପ୍ରାଣ ପ୍ରତିଷ୍ଠା ମଧ୍ୟ କରା ହୋଇଛି । ତିନିଠାକୁର ଏବେ ଗାଁର ପୂଜକ ପରିବାରଙ୍କ ଘରେ ପୂଜା ପାଇ ଆସୁଛନ୍ତି । ୱାରସ ମହମ୍ମଦଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିବା ଏହି ରଥଯାତ୍ରା ଆଜିବି ପରମ୍ପରା କ୍ରମେ ପାଳିତ ହୋଇଆସୁଛି । ଏଥିପାଇଁ ସ୍ଥାନୀୟ ଲୋକେ ମଧ୍ୟ ସହଯୋଗର ହାତ ବଢେଇଛନ୍ତି । ସମୟ କ୍ରମେ ଅନେକ ବାଧାବିଘ୍ନ ସତ୍ୱେ ମୁସଲମାନ ଗୌନ୍ତିଆ ପରିବାରଙ୍କ ନେତୃତ୍ୱରେ ରଥଯାତ୍ରା ସୁରୁଖୁରୁରେ ପାଳିତ ହୋଇଆସୁଛି ।
ମୁସଲମାନ ଗୌନ୍ତିଆ କରନ୍ତି ଛେରାପହଁରା
ପାରମ୍ପରିକ ଭାବେ ସ୍ୱର୍ଗତ ୱାରସ ମହମ୍ମଦ, ହନିଫ ମହମ୍ମଦ ଓ ମହମ୍ମଦ ଖଲିଲ ଗୌନ୍ତିଆ ପ୍ରମୁଖ ରଥଯାତ୍ରା ଆୟୋଜନରେ ନେତୃତ୍ୱ ନେଇ ଆସୁଥିବାବେଳେ ଗତ ୧୯୮୩ ମସିହାରୁ ଗୌନ୍ତିଆ ପରିବାରର ମୁଖ୍ୟ ଭାବେ ଗୌନ୍ତିଆ ମହମ୍ମଦ ଜମିଉଲ୍ଲା ରଥଯାତ୍ରାରେ ଛେରାପହଁରା କରିଆସୁଥିଲେ । ପରବର୍ତ୍ତୀ ସମୟରେ ଗୌନ୍ତିଆ ମହମ୍ମଦ ଜମିଉଲ୍ଲାଙ୍କ ସ୍ୱାସ୍ଥ୍ୟଗତ କାରଣରୁ ତାଙ୍କ ଜେଷ୍ଠ୍ୟ ପୁତ୍ର ମହମ୍ମଦ ଅଖତର ଗତ ୨ ବର୍ଷ ହେଲା ରଥଯାତ୍ରାରେ ଛେରାପହଁରା ପରମ୍ପରା କ୍ରମେ କରିଆସୁଛନ୍ତି । ଗାଁରେ ରହୁଥିବା ମୁସଲମାନ ସଂପ୍ରଦାୟର ଲୋକେ ଏବଂ ଆଖପାଖ ଗାଁରେ ରହୁଥିବା ହିନ୍ଦୁ ଭାଇମାନଙ୍କ ମଧ୍ୟରେ ସମନ୍ୱୟ ରକ୍ଷା ଓ ସହଯୋଗରେ କରାଯାଉଥିବା ଏହି ରଥଯାତ୍ରାକୁ ପୂର୍ବରୁ ସେତେଟା ଗୁରୁତ୍ୱ ମିଳୁନଥିଲା ହେଲେ ଗତ କିଛି ବର୍ଷ ହେବ ସାମାଜିକ ଗଣମାଧ୍ୟମର ବହୁଳ ପ୍ରଚାର ଓ ପ୍ରସାର ଫଳରେ ଏବେ ବିଭିନ୍ନ ଅଂଚଳରୁ ଲୋକେ ଆସି ଏହି ରଥଯାତ୍ରାରେ ସାମିଲ ହେଉଛନ୍ତି । ଏଠାରେ ରଥଯାତ୍ରା ସମୟରେ ଦେଶ ବାହାରର ଭକ୍ତ ମଧ୍ୟ ଆସୁଥିବାର ନଜିର ରହିଛି । ଏପରିକି ଜାତୀୟ ସ୍ତରର ଗଣମାଧ୍ୟମ ଏହି ରଥଯାତ୍ରାକୁ ଲୋକଲୋଚନକୁ ଆଣିବାର ଦୃଷ୍ଟାନ୍ତ ମଧ୍ୟ ରହିଛି ।
ଏଭଳି ନିଆରା ପରମ୍ପରାକୁ ଉଦଜୀବିତ ରଖିବାପାଇଁ ଗତକିଛି ବର୍ଷ ତଳେ ମହାନଦୀ କୋଲଫିଲଡସ ପାଣ୍ଠି ସହାୟତାରେ ଓ ଅଞ୍ଚଳବାସୀଙ୍କ ଉଦ୍ୟମରେ ରେମେଣ୍ଡା ଗାଁରେ ଏକ ଜଗନ୍ନାଥ ମନ୍ଦିର ନିର୍ମାଣ ଆରମ୍ଭ ହୋଇଛି । ସଦଭାବନା ଶ୍ରୀ କ୍ଷେତ୍ର ଭାବେ ପରିଚୟ ସୃଷ୍ଟି କରିଥିବା ଏହି ରେମେଣ୍ଡା ଗାଁର ଜଗନ୍ନାଥ ମନ୍ଦିରର ନିର୍ମାଣ କାର୍ଯ୍ୟ ଆଉ କିଛି ଆର୍ଥିକ ସହାୟତା ମିଳିଲେ ଶେଷ ହୋଇଯିବ ବୋଲି ଗାଁ ଲୋକେ କହିଛନ୍ତି । ମନ୍ଦିର ନିର୍ମାଣ ଶେଷ ହୋଇନଥିବାରୁ ଏବେ ବି ପୂଜକ ନିଜ ଘରେ ତିନିଠାକୁରଙ୍କୁ ରଖି ପୂଜା କରୁଛନ୍ତି । ଏହାସହ ରଥଯାତ୍ରା ଆୟୋଜନ ମଧ୍ୟ ପରମ୍ପରା ଅନୁଯାୟୀ ଆଷାଢମାସ ପଞ୍ଚମୀ ତିଥିରେ କରା ହେଉଛି । ଗ୍ରାମବାସୀଙ୍କ ପୂର୍ଣ୍ଣ ସହଯୋଗରେ ରଥଯାତ୍ରା ପାଳିତ ହେଉଥିବା ବେଳେ କୌଣସି ପ୍ରକାରର ସରକାରୀ ଆର୍ଥିକ ସହାୟତା ମିଳୁନଥିବା ଜଣାପଡିଛି । ଜାତୀୟ ଏକତା, ସହଭାବନା, ଭାଇଚାରା ଓ ସଂହତି ରକ୍ଷା ଦିଗରେ ସଦଭାବନା ଶ୍ରୀକ୍ଷେତ୍ର ଭାବେ ପରିଚିତ ରେମେଣ୍ଡା ରଥଯାତ୍ରା ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିପାରିଛି କହିଲେ ଭୁଲ ହେବ ନାହିଁ ।