ମୟୁରଭଞ: ସମସ୍ତେ ଚାହାଁନ୍ତି ତାଙ୍କ ପରମ୍ପରା ଓ ନୃତ୍ୟ ପିଢି ପରେ ପିଢି ଜୀବିତ ରହୁ ଏବଂ ଆଗାମୀ ପିଢି ନିଜ ପରମ୍ପରା, ନୃତ୍ୟ ସଂଗୀତକୁ ନେଇ ଗର୍ବ କରୁ । କିନ୍ତୁ ବିଭିନ୍ନ କାରଣରୁ ଏହା ହୋଇପାରୁନଥିବା ବେଳେ ମୟୁରଭଞ ଜିଲ୍ଲାର ଲୋଧା ଜନଜାତିଙ୍କ ଚେଷ୍ଟା ବେଶ ପ୍ରଶଂସନୀୟ ହୋଇପାରିଛି । ନିଜେ ପାରମ୍ପରିକ ନୃତ୍ୟକୁ ବଂଚାଇ ରଖିବା ସହ ନିକଟରେ ସେମାନେ ଦିଲ୍ଲା ପ୍ରଗତି ମଇଦାନରେ ରାଷ୍ଟ୍ରପତିଙ୍କ ସମ୍ମୁଖରେ ଝୁମର ନୃତ୍ୟ ପରିବେଷଣ କରି ପ୍ରଶଂସିତ ହୋଇପାରିଛନ୍ତି ।
ମୟୁରଭଞ ଜିଲ୍ଲା ଶୁଳିଆପଦା ଓ ମୋରଡା ବ୍ଲକରେ ଅଧିକ ସଂଖ୍ୟାରେ ଦେଖାଯାଆନ୍ତି ଲୋଧା ସଂପ୍ରଦାୟ । ଏହି ଜନଜାତି ହେଉଛନ୍ତି ରାଜ୍ୟର୧୩ଟି ବିପଦସଙ୍କୁଳ ଅବସ୍ଥାରେ ଥିବା ଜନଜାତିଙ୍କ ମଧ୍ୟରେ ଅନ୍ୟତମ । ୨୦୧୧ ଜନଗଣନା ଅନୁସାରେ ଏମାନଙ୍କ ବର୍ତମାନର ସଂଖ୍ୟା ହେଉଛି ୩,୧୧୨ । ତେବେ କୁହାଯାଏ ବ୍ରିଟିଶ ଶାସନ ସମୟରେ ଏମାନଙ୍କୁ ଜଙ୍ଗଲରୁ ବିତାଡିତ କରାଯିବା ପରେ ଜୀବିକା ହରାଇବା ଯୋଗୁଁ ଏହି ସଂପ୍ରଦାୟ ଚୋରି ଡକାୟତି କରି ଚଳିବା ପାଇଁ ବାଧ୍ୟ ହୋଇଥିଲେ, ଫଳରେ ସେମାନଙ୍କୁ କ୍ରିମିନାଲ ଟ୍ରାଇବ ବୋଲି କୁହାଯାଉଥିଲା । କିନ୍ତୁ ଦେଶ ସ୍ୱାଧୀନ ହେବା ପରେ ୧୯୬୧ ମସିହାରେ ଆଇନ ଆସିବା ପରେ ସେମାନଙ୍କୁ ଏସବୁରୁ ନିବୃତ ରଖିବା ସହ ସେମାନଙ୍କର କିଭଳି ବିକାଶ ହୋଇପାରିବ ତାଉପରେ ଗୁରୁତ୍ୱ ଦିଆଗଲା । ଓଡ଼ିଶା ରାଜ୍ୟ ସରକାର ମଧ୍ୟ ୧୯୮୨ ମସିହାରେ ଲୋଧା ସଂପ୍ରଦାୟଙ୍କ ସାମାଜିକ ଓ ଅର୍ଥନୈତିକ ଉନ୍ନତି ପାଇଁ ଲୋଧା ଡେଭେଲପମେଂଟ ଏଜେନସି ଆରମ୍ଭ କଲେ ।
ତେବେ ପେଟ ପାଇଁ ଦୁଇମୁଠା ଖାଦ୍ୟ ଯୋଗାଡ କରିବା ପାଇଁ ସବୁବେଳେ ସଂଘର୍ଷ କରୁଥିବା ଏହି ଜନଜାତିଙ୍କ ପାଇଁ ନୃତ୍ୟ ସଂଗୀତ କରିବା ପାଇଁ ଅର୍ଥ, ସମୟ ଓ ଇଚ୍ଛା ନଥିଲା । ଫଳରେ ଏହି ଲୋଧା ସଂପ୍ରଦାୟଙ୍କ ନୃତ୍ୟ ଝୁମର ଧିରେ ଧିରେ ଲୋପ ପାଇବାକୁ ବସିଥିଲା ଏବଂ ବର୍ତମାନ ପିଢିର ଝିଅମାନେ ଝୁମର ନାଚ କରିବାକୁ ଆଗ୍ରହୀ ହେଉନଥିଲେ ।
ତେବେ ଶିକ୍ଷାସନ୍ଧାନ ନାମକ ସଂସ୍ଥା ମୟୁରଭଞ ମୋରଡା ବ୍ଲକର ୧୨ଟିଗାଁରେ ଲୋଧା ସଂପ୍ରଦାୟ ପିଲାଙ୍କ ଶିକ୍ଷାର ବିକାଶ ପାଇଁ କାମ ଆରମ୍ଭ କରିବା ବେଳେ ଏହି ଜନଜାତିଙ୍କ ସାମାଜିକ ଓ ଅର୍ଥନୈତିକ ବିକାଶ ସାଙ୍ଗକୁ ଦାଦନକୁ କିପରି ରୋକାଯାଇପାରିବ ତା ଉପରେ କାମ ଆରମ୍ଭ କଲେ । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଲୋଧା ସଂପ୍ରଦାୟଙ୍କ ଜୀବିକା, ଖେଳ ଓ ସାଂସ୍କୃତିକ ସଂଗଠନର ଉନ୍ନତି ଉପରେ ଗୁରୁତ୍ୱ ଦିଆଗଲା । ୨୦୧୭ରେ ଶିକ୍ଷାସନ୍ଧାନ ପକ୍ଷରୁ ନବଦିଗନ୍ତ ନାମରେ ଏକ ପ୍ରୋଜେକ୍ଟ ଆରମ୍ଭ କରାଯିବା ସହ ମହିଳାଙ୍କ ମଧ୍ୟରେ ଆତ୍ମବିଶ୍ୱାସ ବଢାଇବା ପାଇଁ ସେମାନଙ୍କ ପାରମ୍ପରିକ ନୃତ୍ୟ ଝୁମରକୁ ପୁଣି ଉଜ୍ଜୀବିତ କରିବା ପାଇଁ ଚେଷ୍ଟା କରାଗଲା ।
ନଳ କୁଆଁରୀ ସାଂସ୍କୃତିକ ଅନୁଷ୍ଠାନର ଏହି ଝୁମର ନୃତ୍ୟ ଗ୍ରୁପର ସଭାପତି ଥିବା ସବର୍ଣା ନାଏକ କୁହନ୍ତି, ଆଗେ ଆମେ ବିବାହ ନଚେତ ଆମ ପର୍ବପର୍ବାଣୀରେ ଝୁମର ନାଚ କରୁଥିଲୁ । ଆମେ ଏହି ପାରମ୍ପରିକ ନୃତ୍ୟ କରି ଖୁସି ହେଉଥିଲୁ କିନ୍ତୁ ଆମ ପରବର୍ତି ପିଢି ଆମର ଏହି ପାରମ୍ପରିକ ନାଚ କରିବାକୁ ଆଦୈା ଆଗ୍ରହ ଦେଖାଉନଥିଲେ । ଫଳରେ ଏହି ନାଚ ଧିରେ ଧିରେ ଲୋପ ପାଇବାକୁ ବସିଥିଲା । ସବର୍ଣା କୁହନ୍ତି, ଶିକ୍ଷାସନ୍ଧାନ ଅନୁଷ୍ଠାନର ଲୋକେ ନିୟମିତ ଆସି ଆମ ନୃତ୍ୟ ଦଳକୁ ମଜବୁତ କରିବା ପାଇଁ ଆଲୋଚନା କଲେ । ଆମେ ଏକାଠି ହେଲୁ, ଏକ୍ଷେତ୍ରରେ ନୃତ୍ୟଗୁରୁ ଧରଣୀଧର ମହାପାତ୍ରଙ୍କ ସହଯୋଗ ମଧ୍ୟ ନିଆଗଲା । ପ୍ରତ୍ୟେକ ଦିନ ଘରକାମ ଶେଷ କରିବା ପରେ ମହିଳାମାନେ ଏକଜୁଟ ହେଇ ନୁତ୍ୟ ଶିକ୍ଷା କଲେ ଉଦ୍ଦେଶ୍ୟ ଥିଲା -ଏହି ନୃତ୍ୟକୁ ଉଜ୍ଜୀବିତ ରଖିବା ଏବଂ ଅନ୍ୟ ସାଧାରଣ ଲୋକଙ୍କ ଆଗରେ ପରିବେଷଣ କରିବା । ସେମାନଙ୍କ ଏହି ନୃତ୍ୟଶିକ୍ଷା ଦେଖି ନୂଆ ପିଢିର ଝିଅମାନେ ଆଗ୍ରହୀ ହେଲେ।
ଲୋଧା ସଂପ୍ରଦାୟର ମହିଳାଙ୍କ ଆଗ୍ରହ ଦେଖି ରାଜ୍ୟ ସରକାରଙ୍କ ଲୋଧା େଡେଭଲପମେଂଟ ଏଜେନସି ତରଫରୁ ମଧ୍ୟ ବିଭିନ୍ନ ପ୍ରକାରର ବାଦ୍ୟଯନ୍ତ୍ର ଯୋଗେଇ ଦିଆଯିବା ସହ ସେମାନେ କିପରି ଅନ୍ୟ ଗାଁ ଓ ପଂଚାୟତ ଗୁଡିକରେ ନୃତ୍ୟ ପରିବେଷଣ କରିବେ ସେଥିପାଇଁ ସୁଯୋଗ ସୃଷ୍ଟି କରାଗଲା । ନୃତ୍ୟ ପରିବେଷଣ ପାଇଁ କେମିତି ଶାଢି ପିନ୍ଧା ହେବ କେମିତି ସାଜସଜ୍ଜା ହେବ ତାଉପରେ ମଧ୍ୟ ଗୁରୁତ୍ୱ ଦିଆଗଲା ।
୨୦୧୯ରେ ଏହି ନଳ କୁଆଁରୀ ସାଂସ୍କୃତିକ ଅନୁଷ୍ଠାନ କଲଚରାଲ ଗ୍ରୁପ ତିଆରିହେଲା ଏବଂ ଧିରେ ଧିରେ ସେମାନଙ୍କୁ ବିଭିନ୍ନ ସ୍ଥାନରେ ନୃତ୍ୟ ପରିବେଷଣ କରିବାପାଇଁ ଆମନ୍ତ୍ରଣ ମିଳିଲା । ମୟୁରଭଞ ର ବାରିପଦା ବ୍ୟତିତ କନ୍ଧମାଳ ଓ ଭୁବନେଶ୍ୱରର ଆଦିବାସୀ ମେଳାରେ ମଧ୍ୟ ସେମାନଙ୍କୁ ନୃତ୍ୟ ପରିବେଷଣ କରିବାକୁ ଡାକରା ମିଳିଲା । ଏହି ଗ୍ରୁପର ଅନ୍ୟତମ ସଦସ୍ୟା ଲଳିତା ମଲ୍ଲିକ କୁହନ୍ତି, ଆଗେ ଆମେ ଏହି ଝୁମର ନାଚ ଖୁସିରେ କରୁଥିଲୁ କିନ୍ତୁ ଏବେ ବିଭିନ୍ନ ସ୍ଥାନରେ ନୃତ୍ୟ ପରିବେଷଣ କରିବା ପରେ ଆମେ ଏହି ପାରମ୍ପରିକ ନୃତ୍ୟରୁ ରୋଜଗାର ମଧ୍ୟ କରିପାରୁଛୁ । ଆଦିବାସୀ ମେଳାରେ ନୃତ୍ୟ ପରିବେଷଣ ସମୟର ଅନୁଭୁତିକୁ ମନେ ପକାଇ ଖୁସି ହୋଇ ଏହି କଲଚରାଲ ଗ୍ରୁପର ସଦସ୍ୟା ଚଇତି ନୁନୁ କୁହନ୍ତି, ସେଦିନ ଆମ ଝୁମର ନାଚ ଦେଖିବାକୁ ମୟୁରଭଞର ପୂର୍ବତନ ବିଧାୟକ ସୁଦାମ ମାରାଣ୍ଡି ଆସିଥିଲେ ଓ ନାଚ ଦେଖି ପ୍ରଶଂସା କରିଥିଲେ ।
ତେବେ ଦିଲ୍ଲୀରେ ନୃତ୍ୟ ପରିବେଷଣ ସେମାନଙ୍କ ପାଇଁ ଏକ ନିଆରା ଅନୁଭୂତି ଥିଲା । ସବର୍ଣା ନାଏକ ଏବେବି ସେଦିନ ମନେ ପକେଇଲାବେଳେ ଉତଫୁଲ୍ଲିତ ହୋଇଯାଆନ୍ତି । ମୟୁରଭଞ ମୋରଡା ବ୍ଲକର ଲୋଧା ସଂପ୍ରଦାୟର କିଛି ସଦସ୍ୟ- ସୁବର୍ଣା ନାଏକ, ମଣି ମଲ୍ଲିକ ଓ ମାନସୀ ପରମାଣିକଙ୍କୁ ଝୁମରନାଚ ପରିବେଶଣ କରିବା ପାଇଁ ଦିଲ୍ଲୀ ଡକାଯାଇଥିଲା । ଦିଲ୍ଲୀର ପ୍ରଗତି ମଇଦାନରେ ନୃତ୍ୟ ପରିବେଷଣ କରିସାରିବା ପରେ ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୂ ଙ୍କୁ ଭେଟିବା ପାଇଁ ସେମାନଙ୍କୁ ଆମନ୍ତ୍ରିତ କରାଯାଇଥିଲା । ନୃତ୍ୟ ସରିବା ପରେ ରାଷ୍ଠ୍ରପତି ଦ୍ରୋପଦୀ ମୁର୍ମୁଙ୍କ ସହ ସାକ୍ଷାତ ସେମାନଙ୍କୁ ଭାବବିହ୍ୱଳ କରିପକାଇଥିଲା । ରାଷ୍ଟ୍ରପତି ମୁର୍ମୁଙ୍କୁ ସେମାନେ ଝୁମର ନୃତ୍ୟକୁ କିପରି ପୁଣି ବଂଚାଇରଖିବାକୁ ଚେଷ୍ଟା କରୁଛନ୍ତି ସେ ବିଷୟରେ କହିବା ସହ ଲୋଧା ଜନଜାତିର ପିଲାମାନଙ୍କ ଆବଶ୍ୟକତା ବିଷୟରେ କଥା ହୋଇଥିଲେ । ସବର୍ଣା କୁହନ୍ତି, ବର୍ତମାନ ମୋରଡାରେ ଥିବା ଲୋଧା ଆଶ୍ରମ ସ୍କୁଲରେ ୨୦୦ ପିଲା ରହି ପାଠ ପଢୁଛନ୍ତି, କିନ୍ତୁ ଝିଅଙ୍କ ପାଇଁ ଏଠି ଦ୍ୱାଦଶ ଶ୍ରେଣୀ ଯାଏଁ ପଢିବାର ଥିବାବେଳେ ପୁଅ ପିଲାଙ୍କ ପାଇଁ ମାତ୍ର ୫ମ ଯାଏଁ ପଢିବାର ବ୍ୟବସ୍ଥା ଅଛି । ଯେଉଁଥିପାଇଁ ବାପାମା ମାନେ ପିଲାଙ୍କୁ ଘରଠାରୁ ଦୂରରେ ହଷ୍ଟେଲରେ ରଖିବାକୁ ବାଧ୍ୟ ହେଉଛନ୍ତି । ରାଷ୍ଟ୍ରପରି ମୁର୍ମୁ ଏବିଷୟରେ ଦୃଷ୍ଟି ଦେବେ ବୋଲି କହିଛନ୍ତି ।
ସବର୍ଣା କୁହନ୍ତି ସେଦିନ ରାଷ୍ଟ୍ରପତିଙ୍କ ସହ ଆଲୋଚନା ବେଳେ ସେ ଲୋଧା ସଂପ୍ରଦାୟର ମହିଳାମାନେ ବିଶେଷକରି ପିଲାମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟାକୁ ତାଙ୍କ ଦୃଷ୍ଟିକୁ ଆଣିବାକୁ ଚେଷ୍ଟା କରିଥିଲେ । ଏବଂ ଲୋପ ପାଇଯିବାକୁ ବସିଥିବା ଝୁମର ନୃତ୍ୟକୁ ସେମାନେ ପୁନଃ ଲୋକଲୋଚନକୁ ଆଣିବାକୁ ଯେଉଁ ପ୍ରୟାସ ଜାରିରଖିଛନ୍ତି ସେ ବିଷୟରେ ବଖାଣିଥିଲେ ।
ବର୍ତମାନ ବିଭିନ୍ନ ସ୍ଥାନରେ ଝୁମର ନୃତ୍ୟ ପରିବେଷଣ କରୁଥିବା ଏହି ନଳ କୁଆଁରୀ ସାଂସ୍କୃତିକ ଅନୁଷ୍ଠାନର ନିଜସ୍ୱ ଦଳ ସାଙ୍ଗକୁ ବାଦ୍ୟଯନ୍ତ୍ରରେ ସାହାଯ୍ୟ କରିବା ପାଇଁ ସ୍ୱତନ୍ତ୍ର ଟିମ ଅଛନ୍ତି । ଯେଉଁଠାରୁ ଆମନ୍ତ୍ରଣ ମିଳେ ସେମାନେ ସେଠାକୁ ଝୁମର ନୃତ୍ୟ ପରିବେଷଣ ପାଇଁ ଯାଆନ୍ତି । ସେମାନଙ୍କ ନୃତ୍ୟ ପରିବେଷଣ ଦେଖି ଏବେ ନୁଆ ପିଢିର ଝିଅମାନେ ଆଗ୍ରହୀ ହେଲେଣି । ତେବେ ଖୁବଶିଘ୍ର ସେମାନେ ଏହି ଅନୁଷ୍ଠାନକୁ ରେଜିଷ୍ଟ୍ରି କରିବାକୁ ଚିନ୍ତା କରୁଛନ୍ତି । ଆମର ଏହି ଗ୍ରୁପ ରେଜଷ୍ଟ୍ରି ହୋଇଗଲେ ଆମକୁ ଭବିଷ୍ୟତରେ କଳାକାର ପେନସନ ମିଳିବାର ସୁଯୋଗ ରହିଛି ବୋଲି ସବର୍ଣା ଖୁସିରେ କହିଥିଲେ ।