ସମୟଥିଲା ପୁରୀର କାରିଗର ମାନଙ୍କ ହାତତିଆରି ଅନେକ ପାରମ୍ପରିକ କଣ୍ଢେଇ ଘରେ ଘରେ ପରିଚିତ ଥିଲା । ଦୋଳ ମେଳଣ ହେଉ ଅବା ଚନ୍ଦନ ଯାତ୍ରା ଓ ରଥଯାତ୍ରା –ଏଠାକୁ ଆସୁଥିବା ଅଧିକାଂଶ ପର୍ଯ୍ୟଟକ ଶିଳ୍ପୀମାନଙ୍କ ପାଖକୁ ଯାଇ ସେମାନଙ୍କଠାରୁ ଉଚିତ ଦରରେ ଜିନିଷ କିଣୁଥିଲେ । ତେବେ ଯଦିଓ ରଘୁରାଜପୁରରେ କାଗଜ ତିଆରି ମୁଖା ଓ କଣ୍ଢେଇ କାଁ ଭାଁ ଦେଖିବାକୁ ମିଳୁଛି କିନ୍ତୁ ପୁରୀ ସହରରେ ଥିବା ଚିତ୍ରକର ସାହି ଗୁଡିକରେ ଏଗୁଡିକ ପ୍ରାୟ ହଜିବାରେ ଲାଗିଲାଣି । ଧିରେ ଧିରେ ଲୋକଙ୍କର ଏହି କଳା ପ୍ରତି ଆଗ୍ରହ କମି ଯାଉଥିବାରୁ ଏହି କଣ୍ଢେଇ ତିଆରି କରିବାକୁ କାରିଗର ଆଉ ଆଗ୍ରହୀ ହେଉନାହାନ୍ତି । ଏପରିକି ସେମାନଙ୍କ ପରପିଢି ମଧ୍ୟ ଏହାକୁ ବଂଚାଇ ରଖିବାକୁ ଇଚ୍ଛା ପ୍ରକାଶ କରୁନାହାନ୍ତି ।
ଭୁବନେଶ୍ୱର ;
ପୁରୀ ଜିଲ୍ଲା ରଘୁରାଜପୁର ପଟ୍ଟଚିତ୍ର ଗାଁ ର କୁସୁମ ମହାପାତ୍ର ଗତ ୪୫ ବର୍ଷ ହେବ କାଗଜ ମୁଖା ତିଆରି କରୁୁଛନ୍ତି । ଯେବେଠାରୁ ବାହାହୋଇ ଆସିଛି ସେବେଠୁ ଏକାମ ଶିଖିଛିି ଆଉ ପରେ କାଗଜମୁଖା ଓ କଣ୍ଢେଇ ତିଆରି କରିବାରେ ନିପୁଣା ମଧ୍ୟ ହୋଇଯାଇଛି । ଏବେ କାଗଜ ମୁଖା ଓ କାଗଜର କଣ୍ଢେଇ ତିଆରି କରିବାରେ ଆଗ୍ରହ ଥିଲେ ମଧ୍ୟ ଗ୍ରାହକଙ୍କ ଚାହିଦା ଅଭାବରୁ ବିକ୍ରି ନ ହୋଇ ସେଗୁଡିକ ପଡିରହୁଛି ଏଣୁ ମୁଖା ତିଆରି କରିବାର ଆଗ୍ରହ ହେଉନି ବୋଲି କୁହନ୍ତି କୁସୁମ । ବୋଉ ସବୁବେଳେ କାଗଜ ତିଆରି ମୁଖା ଓ କଣ୍ଢେଇ କରିବାକୁ ପସନ୍ଦ କରେ । ଦିନର ଅଧିକାଂଶ ସମୟ ତାର କାଗଜ ମୁଖା ତିଆରି କରିବାରେ ବିତେ କିନ୍ତୁ ଗତ କିଛି ବର୍ଷ ହେବ କାଗଜ ମୁଖାର ଚାହିଦା ନଥିବାରୁ ଆଉ ତିଆରି କରୁନାହିଁ । ବିକ୍ରି ନହେଲେ ସେଗୁଡିକ ଅଯଥାରେ ପଡିରହି ନଷ୍ଟହେଉଛି । କେବଳ ମେଳା ମହୋତ୍ସବ ପାଇଁ ତିଆରି କରାହେଉଛି , ବୋଲି କୁହନ୍ତି କୁସୁମଙ୍କ ପୁଅ ସନ୍ତୋଷ । ତେବେ ରଘୁରାଜପୁରରେ ଯଦିଓ କାଁ ଭାଁ କାଗଜ ତିଆରି ମୁଖା ଓ କଣ୍ଢେଇ ଦେଖିବାକୁ ମିଳୁଛି କିନ୍ତୁ ପୁରୀ ସହରରେ ଥିବା ଚିତ୍ରକର ସାହିରେ ଏଗୁଡିକ ପ୍ରାୟ ହଜିବାରେ ଲାଗିଲାଣି । ପୁରୀ ସହରର ବାସେଳି ସାହି, ପାଳ ସାହିରେ ରହୁଥିବା ଚିତ୍ରଶିଳ୍ପୀଙ୍କ ହାତ ତିଆରି କାଗଜ କଣ୍ଢେଇ, ମୁଖା ଓ ଅନ୍ୟ ଘର ସଜେଇବା ଜିନିଷର ଦିନେ ଗ୍ରାହକଙ୍କ ପାଖରେ ବେଶ ଆଦର ଥିଲା । ଏଠାକୁ ବୁଲିବାକୁ ଆସୁଥିବା ପର୍ଯ୍ୟଟକ ଚିତ୍ରଶିଳ୍ପୀଙ୍କ ଠାରୁ କାଗଜ ତିଆରି ଜିନିଷ ସିଧାସଳଖ କିଣି ନେଇ ଯାଉଥିଲେ । କିନ୍ତୁ ଧିରେ ଧିରେ ଲୋକଙ୍କର ଏହି କଳା ପ୍ରତି ଆଗ୍ରହ କମି କମି ଯାଉଥିବାରୁ ଏହି କଣ୍ଢେଇ ତିଆରି କରିବାକୁ କାରିଗର ଆଗ୍ରହୀ ହେଉନାହାନ୍ତି । ଏପରିକି ସେମାନଙ୍କ ପରପିଢି ମଧ୍ୟ ଏହାକୁ ବଂଚାଇ ରଖିବାକୁ ଇଚ୍ଛା ପ୍ରକାଶ କରୁନାହାନ୍ତି ।
ପ୍ରୋତ୍ସାହନର ଅଭାବ
ପୁରୀ ସହରରେ ପୂର୍ବରୁ ଚିତ୍ରକର ସାହିର ୧୫ରୁ ଅଧିକ ପରିବାର କାଗଜ ମୁଖା, କଣ୍ଢେଇ, ସବାରୀ, ମନ୍ଦିର ଆଦି ପ୍ରସ୍ତୁତ କରୁଥିଲେ । ପାଳ ସାହି ଓ ବାସେଳି ସାହିର ମଧ୍ୟ ଅନେକ ପରିବାର ଏହି କାରିଗରୀରେ ପାରଙ୍ଗମ ଥିଲେ । ମାତ୍ର ପାରମ୍ପରିକ କଳା ପ୍ରତି ଲୋକେ ଆଗ୍ରହୀ ନହେବା ଏବଂ ସରକାରୀ ପ୍ରୋତ୍ସାହନର ଅଭାବ ଏହି କଳାକୁ ତିଷ୍ଠି ରହିବାକୁ ଦେଉନାହିଁ । ବାସେଳି ସାହିର ଅନୁପମା ମହାପାତ୍ର କୁହନ୍ତି, ଏସବୁ କଣ୍ଢେଇ ପ୍ରତି ପିଲାଙ୍କର ବେଶ ଆଗ୍ରହ । ପିଲାମାନେ ପଶୁପକ୍ଷୀ, ଓ ରାଜାରାଣୀ ମୁଖା ପସନ୍ଦ କରୁଥିବା ବେଳେ ବୟସ୍କମାନେ ବିଭିନ୍ନ ଦେବାଦେବୀଙ୍କ ମୁଖା କିଣି ଘର ସଜେଇବାକୁ ପସନ୍ଦ କରୁଥିଲେ । କାଗଜରେ ତିଆରି ହେଉଥିଲେ ମଧ୍ୟ ଏଗୁଡିକ ଯେପରି ଅଧିକ ଦିନ ଯାଏଁ ସୁରକ୍ଷିତ ରହିବ ପୋକ ଲାଗି ଖରାପ ହେବ ନାହିଁ ସେଥିପାଇଁ ଉପଯୁକ୍ତ ବ୍ୟବସ୍ଥା ମଧ୍ୟ କରାହେଉଥିଲା ।
ଗୋଟେ ସମୟଥିଲା ଯେତେବେଳେ ଏହି କାଗଜ ମୁଖା ଓ କଣ୍ଢେଇ ବିକ୍ରିି କରି କାରିଗରମାନେ ପରିବାର ଚଳାଉଥିଲେ । ବିଶେଷକରି ମହିଳାମାନେ ଘର କାମରୁ ସମୟ ବାହାରକରି ଏହି କଳା ପ୍ରସ୍ତୁତ କରୁଥିଲେ । ଏହି କାଗଜ କଣ୍ଢେଇ ଓ ମୁଖା ୨୦ ଟଙ୍କାରୁ ଆରମ୍ଭ ହୋଇ ୨୫୦ ଟଙ୍କା ପର୍ଯ୍ୟନ୍ତ ବିକ୍ରି ହେଉଥିଲା । ଜାଗର, ଦୋଳ ଯାତ୍ରା, ଚନ୍ଦନ ଯାତ୍ରା ଓ ରଥଯାତ୍ରା ସମୟରେ ହେଉଥିବା ମେଳାରେ ଏହି ଜିନିଷର ବେଶ ବିକ୍ରି ହେଉଥିଲା । କିନ୍ତୁ କିଛି ବର୍ଷ ହେବ ପ୍ଲାଷ୍ଟିକରେ ତିଆରି ବିଭିନ୍ନ କିସମର ଖେଳନା ଓ ମୁଖା କମ ଦାମରେ ମିଳିଯାଉଥିବାରୁ ପାରମ୍ପରିକ କଣ୍ଢେଇରୁ ଲୋକେ ମୁହଁ ଫେରାଇ ନେଉଛନ୍ତି ବୋଲି କହିଛନ୍ତି ବାସେଳି ସାହିର ସୁର୍ଯ୍ୟକାନ୍ତ ମହାପାତ୍ର ।
ପରିବେଶ ଅନୁକୂଳ
କାଗଜ କଣ୍ଢେଇ ମାଟିରେ ମିଶିଯାଉଥିବା ପଦାର୍ଥରେ ପ୍ରସ୍ତୁତ କରାଯାଉଥିବାରୁ ଏହା ପରିବେଶ ଅନୁକୂଳ । ଯେତେ ଅଦରକାରୀ କାଗଜ ଲୋକେ ବାହାରେ ଫେପାଡି ଦିଅନ୍ତି ସେଥିରୁ ହିଁ ଏହି ସୁନ୍ଦର କଳାକୃତି ସବୁ ପ୍ରସ୍ତୁତ ହୁଏ । କାଗଜ, ଅଠା, ମାଟି, କରତଗୁଣ୍ଡ, ଖଡିରଂଗ, ବାର୍ନିସ, ଶାଗୁ ଓ ମହିଗିରାରେ ଏହି ମୁଖା ଓ କଣ୍ଢେଇ ପ୍ରସ୍ତୁତ କରାଯାଏ । ପ୍ରତି ମୁଖା ତିଆରି କରିବାର ସ୍ୱତନ୍ତ୍ର ଶୈଳୀ ଅଛି । ପ୍ରଥମେ ଛାଂଚ ତିଆରି ହୁଏ ସେହି ଛାଂଚ ଉପରେ କାଗଜକୁ ପରସ୍ତ ପରସ୍ତ କରି ଅଠା ଦେଇ ଲଗାଯାଏ । ବେଶ କିଛି ପରସ୍ତ ଲଗେଇ ସାରିବା ପରେ କାଗଜର ଏକ ମୋଟେଇ ଭଳି ତିଆରି ହୋଇଯାଏ, ଯାହାକି ଅଧିକ ଦିନ ଯାଏ ସାଇତି ରହି ପାରିବ । ତା ପରେ ଏହାକୁ ବାହାର କରାଯାଇ ଖରାରେ ଶୁଖା ଯାଏ । ଶୁଖିଗଲା ପରେ ଏଥିରେ ଧଳା ଖଡିରଂଗ ଦିଆଯାଇ ପୁଣି ଦିନେ ଦୁଇଦିନ ଶୁଖିବାକୁ ଛାଡିଦିଆଯାଏ । ପରେ ଏହାକୁ ବିଭିନ୍ନ ରଂଗରେ ସୁନ୍ଦର ଡିଜାଇନ କରାଯାଏ । ମୁଖା ତିଆରି କରିବାର ଏ ସମସ୍ତ କାମ ଘରର ମହିଳାମାନେ ହିଁ କରିଥାଆନ୍ତି । ଏବେ ଏ କାମ ବନ୍ଦ ହୋଇଯିବାରୁ ସେମାନଙ୍କ ଆୟ ମଧ୍ୟ ପ୍ରଭାବିତ ହେଉଛି ବୋଲି ଅନେକେ କହିଛନ୍ତି ।
ଆଗେ କାରିଗରମାନଙ୍କ ହାତ ତିଆରି ଏହି ବାଘ, ହାତୀ, ଷଣ୍ଢ ସାଙ୍ଗକୁ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ପ୍ରତିକୃତି ଟଙ୍ଗା ହୋଇଥିବାର ଦେଖିଲେ ବାଟରେ ଚାଲି ଯାଉଥିବା ମଣିଷ ବି ଘଡିଏ ଅଟକି ଯାଉଥିଲା । ମୁଣ୍ଡ ହଲାଉଥିବା ବାଘ, ହାତୀଙ୍କୁ ଦେଖିଲେ କିଣିବାକୁ ମନ ହେଉଥିଲା । କିନ୍ତୁ ଏସବୁ କଣ୍ଢେଇର ଚାହିଦା କମୁଥିବାରୁ ଏ କଳା ଧିରେ ଧିରେ ଏହାର ଅସ୍ତିତ୍ୱ ହରାଇବାକୁ ବସିଲାଣି । ଏ ବିଷୟରେ ଅନ୍ୟତମ ଶିଳ୍ପୀ ସୁରେନ୍ଦ୍ର ମହାପାତ୍ର କୁହନ୍ତି, ରଘୁରାଜପୁରରେ ଯଦିଓ ଏକଳା କିଛି ମାତ୍ରାରେ ବଂଚି ରହିଛି କିନ୍ତୁ ପୁରୀରେ ଥିବା କାରିଗର ପରିବାର ଆଉ ଏହି ପାରମ୍ପରିକ କଳାକୁ ଆଗେଇ ନେବାକୁ ବିଶେଷ ଆଗ୍ରହ ଦେଖାଉନାହାନ୍ତି । କିଛି କିଛି କଳାକାର କେବଳ ମେଳା ମହୋତ୍ସବ ପାଇଁ ଏହି କଳା ପ୍ରସ୍ତୁତ କରୁଛନ୍ତି । କିନ୍ତୁ ପରିବେଶ ପାଇଁ ଅନୁକୂଳ ଏହି କଳାକୁ ବଂଚାଇ ରଖିବା ପାଇଁ ସବୁ ଦିଗରୁ ଉଦ୍ୟମ ହେବା ଆବଶ୍ୟକ । ତେବେ ଯାଇ ଉଭୟ କଳା ଓ କଳାକାର ତିଷ୍ଠି ରହିପାରିବେ ।