ଏକ ସର୍ବେକ୍ଷଣ ଅନୁସାରେ ୨୦୫୦ ବେଳକୁ ବିଶ୍ୱରେ ପ୍ଲାଷ୍ଟିକର ମାତ୍ରା ଏତେ ବଢିଯିବ ଯେ ସମୁଦ୍ରରେ ମାଛ ଓ ଅନ୍ୟ ଜଳଚର ପ୍ରାଣୀ ତୁଳନାରେ ପ୍ଲାଷ୍ଟିକ ଆବର୍ଜନା ଅଧିକ ଦେଖିବାକୁ ମିଳିବ । ଦିନକୁ ଦିନ ଉତ୍କଟ ହେଉଥିବା ଏହି ପ୍ଲାଷ୍ଟିକର କିପରି ପୁନଃ ପ୍ରକ୍ରିୟାକରଣ କରାଯାଇପାରିବ ଏଥିନେଇ ପରିବେଶବିତ ମାନେ ଚିନ୍ତା କରୁଥିବା ବେଳେ ଅନୁଗୁଳ ଜିଲ୍ଲାର କିଛି ଯୁବକ ଏହି ପ୍ଲାଷ୍ଟିକ ଆବର୍ଜନାର ପୁନଃ ପ୍ରକ୍ରିୟାକରଣର ଏକ ସୁନ୍ଦର ଉପାୟ ବାହାର କରିପାରିଛନ୍ତି । ସହରରେ ପ୍ରତିଦିନ ବାହାରୁଥିବା ପ୍ଲାଷ୍ଟିକ ଆବର୍ଜନା, ପ୍ଲାଷ୍ଟିକ୍ ବୋତଲ ଓ ପଲିଥିନ୍କୁ ନେଇ ସେମାନେ ଇକୋ ଇଟା ପ୍ରସ୍ତୁତ କରୁଛନ୍ତି ଯାହା ପ୍ଲାଷ୍ଟିକ୍ ଆବର୍ଜନାର ପୁନଃ ପ୍ରକ୍ରିୟାକରଣ କରିବା କ୍ଷେତ୍ରରେ ଏକ ନୂଆ ବାଟ ଦେଖାଇବ ।
ଭୁବନେଶ୍ୱର ;
ପେଶାରେ କିଏ ବିଦ୍ୟୁତ ବିଭାଗର କର୍ମଚାରୀ ତ ଆଉ କିଏ ନିଜେ ହିଁ ଜଣେ ଯୁବ ଉଦ୍ୟୋଗୀ; ପୁଣି କିଏ ପରିବେଶ ଓ ବନ୍ୟଜନ୍ତୁ ପ୍ରେମରେ ଦୀର୍ଘ ବର୍ଷର ଅଭିଜ୍ଞତା ସାଉଁଟିଛନ୍ତିି ତ ଆଉ କିଏ ବର୍ତମାନ କଲେଜ୍ରେ ପାଠ ପଢୁଛନ୍ତି । ହେଲେ ନିଶା ଏମାନଙ୍କର ଗୋଟିଏ -ପ୍ଲାଷ୍ଟିକ ଆବର୍ଜନାରୁ ପ୍ରକୃତିକୁ ସୁରକ୍ଷା ଦେବା । ଏଥିପାଇଁ ଏମାନେ ଏକାଠି ହୋଇ ଗଢ଼ିଛନ୍ତି ‘ସାଥୀ’ ପରିବାର । ଅନୁଗୁଳ ମ୍ୟୁନିସିପାଲିଟି ଅଂଚଳରୁ ଆରମ୍ଭ ହୋଇଥିବା ଏହି ପ୍ରୟାସ ଆଗାମୀ ଦିନରେ ପୂରା ଜିଲ୍ଲାକୁ କିପରି ଏକ ନୂଆ ପରିଚିତି ଦେବ ତାହାହିଁ ସେମାନଙ୍କର ଲକ୍ଷ୍ୟ । ପଲିଥିନ୍, ଜରି, ପ୍ଲାଷ୍ଟିକ୍ ବୋତଲ ଓ ଅନ୍ୟ ଯାବତୀୟ ପ୍ଲାଷ୍ଟିକ ଆବର୍ଜନାକୁ ନେଇ ପ୍ରସ୍ତୁତ କରାଯାଉଛି ଇକୋ ଇଟା । ପ୍ଲାଷ୍ଟିକ୍ ବୋତଲକୁ ସଂଗ୍ରହ କରି ସେଥିରେ ପଲିଥିନ୍ ସବୁକୁ ପୂରାଇ ଏହି ଇକୋ ଇଟା ପ୍ରସ୍ତୁତ କରାଯାଉଛି । ସାଥୀ ପରିବାରର ସଦସ୍ୟ ମାତ୍ର ଅଳ୍ପ କିଛି ଦିନ ଭିତରେ ୪୦୦୦ରୁ ଅଧିକ ଇଟା ପ୍ରସ୍ତୁତ କରିସାରିଥିବା ବେଳେ ୨ କୁଇଂଟାଲରୁ ଅଧିକ ପ୍ଲାଷ୍ଟିକ୍ ଓ ପଲିଥିନ୍ ଟୁକୁରାକୁ ସୃଜନଶୀଳତାରେ ସର୍ଜନାର ରୂପ ଦେଇଛନ୍ତି ।
ଏ ବାବଦରେ ସାଥୀ ପରିବାରର ମୁଖ୍ୟ ସୁବ୍ରତ କୁମାର ପ୍ରଧାନ କହନ୍ତି ପ୍ରାଥମିକ ପର୍ଯ୍ୟାୟରେ ମ୍ୟୁନିସିପାଲିଟି ଅଂଚଳର ବିଭିନ୍ନ ମନ୍ଦିର, ସ୍କୁଲ ଓ ପର୍ଯ୍ୟଟନ ସ୍ଥଳୀରେ ଆବର୍ଜନା କୁ‘ ନିର୍ମାଣ କରାଗଲା । ଯେଉଁଥିରେ ସହରୀ ଲୋକଙ୍କୁ ପ୍ଲାଷ୍ଟିକ ଅବର୍ଜନାକୁ ସେଥିରେ ପକେଇବାପାଇଁ ସଚେତନ କରାଗଲା । ସେହି କୁଣ୍ଡରୁ ସଂଗୃହୀତ ପ୍ଲାଷ୍ଟିକ୍ ବୋତଲ ଓ ପଲିଥିନ୍କୁ ନେଇ ଏଭଳି ଇକୋ ଇଟା ପ୍ରସ୍ତୁତ କରାଯାଉଛି । ସନ୍ଧ୍ୟା ୬ରେ ମ୍ୟୁନିସିପାଲିଟି ଅଂଚଳରେ ବଜାର ବନ୍ଦ ହେବା ପରେ ଆମେ ଏକତ୍ର ହୋଇ ବଜାରରୁ ପ୍ଲାଷ୍ଟିକ୍ ବୋତଲ ଓ ପଲିଥିନ୍ ଜରି ସଂଗ୍ରହ କରୁଛୁ । ପରେ ତାହାକୁ ଆଣି ଏକାଠି କରି ବିଭିନ୍ନ କିସମର ପ୍ଲାଷ୍ଟିକ୍କୁ ପୃଥକ କରୁଛୁ । ବୋତଲ, ଚକୋଲେଟ ଜରି, ମସଲା ଜରି ସବୁକୁ ଅଲଗା ଅଲଗା କଲା ପରେ ଯଦି ଆବଶ୍ୟକ ପଡୁଛି ତେବେ ସେଗୁଡିକୁ ସଫା ମଧ୍ୟ କରାଯାଉଛି । ନଚେତ ତାହାକୁ ସରୁ ସରୁ କରି ମୋଡି ବୋତଲ ଭିତରେ ପ୍ୟାକ୍ କରି ଦେଉଛୁ । ଯାହାକି ପରବର୍ତୀ ସମୟରେ ଇକୋ ଇଟାର ରୂପ ନେଉଛି । ଆବଶ୍ୟକ ପଡିଲେ ମୁନିସିପାଲିଟି ସହାୟତାରେ ପ୍ରତ୍ୟେକ ଘରୁ ବି ଆମେ ପ୍ଲାଷ୍ଟିକ ବୋତଲ ଓ ପଲିଥିନ୍ ସଂଗ୍ରହ କରୁଛୁ ।
ଘରୁ ଆରମ୍ଭ ପ୍ରୟାସ
ଏହି ପ୍ରୟାସଟି ପ୍ରଥମେ ଘରୁ ଆରମ୍ଭ ହୋଇଛି ବୋଲି କୁହନ୍ତି ସାଥୀ ପରିବାରର ଅନ୍ୟ ଜଣେ ସଦସ୍ୟ । ସାଥୀ ପରିବାରର ପ୍ରତିଟି ସଦସ୍ୟ ନିଜ ଘରୁ ଆରମ୍ଭ କରିଛନ୍ତି ଏହି କାମ । ଘରର ଅଦରକାରୀ ପ୍ଲାଷ୍ଟିକ୍, ପଲିଥିନ୍, ମସଲା ଜରିକୁ ଏକାଠି କରି ପ୍ରସ୍ତୁତ କରାଯାଉଛି ଇକୋ ଇଟା ବା ଜୈବ ଇଟା । ଅନୁଗୁଳ ସହରର ବାସିନ୍ଦା ମନ୍ଦାକିନୀ ଶୈଳଜା କହନ୍ତି ସବୁବେଳେ ଶୁଣି ଆସିଛି ପ୍ଲାଷ୍ଟିକ୍ ଓ ପଲିଥିନ୍ ଆବର୍ଜନା ଉଭୟ ପରିବେଶ ଓ ସ୍ୱାସ୍ଥ୍ୟ ପ୍ରତି କ୍ଷତିକାରକ । ହେଲେ ପ୍ଲାଷ୍ଟିକ୍ ବୋତଲ, ଜରି, ପଲିଥିନ୍ ଉପରେ ଆମର ନିର୍ଭରଶୀଳତା ଏତେ ବଢ଼ିଯାଇଛି ଯେ ଏହା ବାଦ୍ ଅନ୍ୟକିଛି ଚିନ୍ତା କରି ହେଉନି । ମାତ୍ର ସାଥୀ ପରିବାରର ସଦସ୍ୟ ଯେବେଠାରୁ ପଲିଥିନ୍ ଜରି, ପ୍ଲାଷ୍ଟିକ୍ ବୋତଲ ସଂଗ୍ରହ କରିବା ଆରମ୍ଭ କରିଛନ୍ତି ପ୍ଲାଷ୍ଟିକ୍ର ବ୍ୟବହାର କମାଇବାର ଇଚ୍ଛାଟା ମନ ଭିତରେ ବଢିିଛି । ସପ୍ତାହରେ ଥରେ ସାଥୀ ପରିବାରର ସଦସ୍ୟ ଆସି ଘରୁ ଜରି, ପ୍ଲାଷ୍ଟିକ୍ ବୋତଲ ନେଇ ଯାଉଛନ୍ତି । ଏବେ ମୁଁ ଓ ମୋ ପରିବାରର ଅନ୍ୟ ସଦସ୍ୟ ଅପେକ୍ଷା କରି ରହୁଛୁ । କେବଳ ସେତିକି ନୁହେଁ ସାଥୀ ପରିବାରର ସଦସ୍ୟମାନେ ଘରେ ଆସି ଆମ କୁନି ପିଲାଙ୍କୁ ଇଟା ପ୍ରସ୍ତୁତ କରିବାର କଳା ଓ କୌଶଳ ବି ଶିଖାଉଛନ୍ତି । ଯାହା ସେମାନଙ୍କୁ ପ୍ଲାଷ୍ଟିକ ପୁନଃ ପ୍ରକ୍ରିୟାକରଣ ଉପରେ ଜ୍ଞାନ ଦେଉଛି ।
ସହରର ବାସିନ୍ଦା ତଥା ପେଶାରେ ବ୍ୟବସାୟୀ ଥିବା ଶୁଭେନ୍ଦୁ ସାହୁ କହନ୍ତି; ଆଜିକୁ କିଛି ବର୍ଷ ହେବ ମୁଁ ସାଥୀ ପରିବାରର ସଦସ୍ୟ ହୋଇ କାମ କରୁଛି । ମୋର ଅନୁଗୁଳ ବଜାରରେ ଗୋଟେ ସର୍ଭିସ୍ ସେ ର ଅଛି । ଅଳିଆ ଜମା ରଖିବାଠାରୁ ଇଟା ପ୍ରସ୍ତୁତ କରିବା ସବୁ କାମ ଏହି ସର୍ଭିସ୍ ସେଂଟର ପଛପଟ ଖୋଲା ଜାଗାରେ ବାସ୍ତବ ରୂପ ନିଏ । ପ୍ରତିଦିନ ସକାଳେ ହ୍ୱାଟ୍ସଆପ୍ ଗ୍ରୁପ୍ରେ ସେଦିନର ଯୋଜନା କରାଯାଏ । ପରେ ସମସ୍ତଙ୍କ ସୁବିଧା ଅନୁସାରେ ଗୋଟିଏ ସମୟ ଧାର୍ଯ୍ୟ କରାଯାଏ । ଯେତେବେଳେ କି ଆମେ ସମସ୍ତେ ଏକାଠି ହୋଇ ସର୍ଭିସ୍ ସେ ରରେ ପହ ିଯାଉ । ପରେ ସେଠାରେ ଜମା ହୋଇ ରହିଥିବା ପଲିଥିନ୍ ଓ ପ୍ଲାଷ୍ଟିକ୍ ବୋତଲକୁ ଭାଗ କରି ନେଇ ନିଜ ନିଜ ଠିକଣାକୁ େ‘ରିଯାଉ । ସପ୍ତାହରେ ଥରେ ଆମେ ପ୍ରସ୍ତୁତ କରିଥିବା ଇଟା ଆଣି ସର୍ଭସ୍ ସେଂଟରରେ ରଖୁ । ପରେ ଏଠାରୁ ବିଭିନ୍ନ ସ୍ଥାନକୁ ଯାଏ । ପ୍ଲାଷ୍ଟିକ୍ ପ୍ରଦୂଷଣକୁ କିଛିମାତ୍ରାରେ ହେଉପଛେ ହ୍ରାସ କରିବା ଲକ୍ଷ୍ୟ ନେଇ ଗତ ଦେଢ଼ ବର୍ଷ ହେଲା ଆମେ ଏହି ପ୍ରୟାସ ଜାରି ରଖିଛୁ ।
ମେଡିସିନ୍ ହୋଲସେଲର ସିଦ୍ଧାର୍ଥ ପ୍ରଧାନ କହନ୍ତି ନିଜ ନିଜର ଘରୁ ଓ ଅନୁଗୁଳ ସହରର ବିଭିନ୍ନ ଦେକାନରୁ ପ୍ଲାଷ୍ଟିକ୍ ବୋତଲ ଓ ପଲିଥିନ୍ ଥଳି ସଂଗ୍ରହ କରାଯାଇ ଏହି ଜୈବ ଇଟା ବା ଇକୋ ଇଟା ପ୍ରସ୍ତୁତ କରାଯାଉଛି । ଏହା ନିଶ୍ଚିତ ଭାବେ ପ୍ଲାଷ୍ଟିକ୍ ପ୍ରଦୂଷଣକୁ କିଛି ମାତ୍ରାରେ ହ୍ରାସ କରିବ ।
ଆବର୍ଜନାରୁ ସର୍ଜନା
ପ୍ରାୟ ବର୍ଷକ ତଳେ ସାଥୀ ପରିବାରର ସଦସ୍ୟମାନେ ଆମ ଭେରାଇଟି ଷ୍ଟୋରରୁ ବାହାରୁଥିବା ଅଦରକାରୀ ପ୍ଳାଷ୍ଟିକ ଓ ପଲିଥିନ୍ ଥଳିକୁ ସଂଗ୍ରହ କରିିବା କଥା କହିଥିଲେ ସେତେବେଳେ ଆମ ମନରେ ଅନେକ ପ୍ରଶ୍ନ ଉଙ୍କି ମାରିଥିଲା । ସେମାନେ କାହିଁକି କରୁଛନ୍ତି ବୋଲି ମନରେ ପ୍ରଶ୍ନ ଆସୁଥିଲା । ପରେ ଆବର୍ଜନାରୁ ଯେ ଜୈବ ଇଟା ପ୍ରସ୍ତୁତ ହେଉଛି ଓ ଏହି ଇଟା ସ୍କୁଲ କଲେଜର ସୌନ୍ଦର୍ଯ୍ୟକରଣ କାମ ଓ ‘ଫୁଲ କୁଣ୍ଡ ଭାବେ ବ୍ୟବହାର ହେଉଛି ବୋଲି ବେଶ ଖୁସି ଲାଗିଲା । ପ୍ଲାଷ୍ଟିକ ଆବର୍ଜନା ଗୁଡିକ ବାହାରେ ପଡି ପ୍ରଦୂଷଣ ସୃଷ୍ଟି ହେବା ଅପେକ୍ଷା ଏକ ନିଦ୍ର୍ଦ୍ଜିଷ୍ଟ କାମରେ ଲାଗିବା ନିଶ୍ଚିତ ଭାବେ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି କହନ୍ତି ସହରର ଏକ ସ୍ନାକ୍ସ ଷ୍ଟୋରର ମାଲିକ ରୁଷଭ କୁମାର ପ୍ରଧାନ ।
ଏ ବାବଦରେ ସାଥୀ ପରିବାରର ସମ୍ବିତ କୁମାର ସାହୁ କହନ୍ତି ଦଳର ପ୍ରତ୍ୟେକ ସଦସ୍ୟ ନିଜ ଘରୁ ପ୍ରଥମେ ଏହି ପ୍ରୟାସ ଆରମ୍ଭ କରିଛନ୍ତି । ସହରରୁ ସଂଗୃହୀତ ଗୋଟିଏ ପ୍ଲାଷ୍ଟିକ୍ ବୋତଲରେ ପାଖାପାଖି ୩୫୦ ଗ୍ରାମର ପଲିଥିନ୍ ରହି ପାରୁଛି । ଯଦିଓ ଏ ପ୍ରୟାସ ସାଥୀ ପରିବାରର ସଦସ୍ୟ ମାନେ ନିଜ ନିଜ ପରିବାରରୁ ଆରମ୍ଭ କରିଥିଲେ ହେଲେ ବର୍ତମାନ ସମସ୍ତେ ଦିନକୁ ନିୟମିତ ଭାବେ ୨ ଘଂଟା ସମୟ ଦେଉଛନ୍ତି । ଗତ ଦେଢ଼ ବର୍ଷ ଭିତରେ ଏହି ସଦସ୍ୟମାନେ ପାଖାପାଖି ୪୦୦୦ ଇଟା ପ୍ରସ୍ତୁତ କରି ସାରିଲେଣି । ଏହାଦ୍ୱାରା ସେମାନେ ସହରରୁ ବାହାରିଥିବା ପ୍ରାୟ ୨ କୁଇଂଟାଲ ପଲିଥିନ୍କୁ ବ୍ୟବହାର କରି ଇକୋ ଇଟା ପ୍ରସ୍ତୁତ କରିପାରିଛନ୍ତି ଏବଂ ପୃଥିବୀ ଉପରେ ବଢୁଥିବା ପ୍ଲାଷ୍ଟିକର ବୋଝକୁ ଅନେକାଂଶରେ କମ କରିବାକୁ ଚେଷ୍ଟା କରିଛନ୍ତିି । ଅଳ୍ପ କିଛି ମାତ୍ରାରେ ହେଉ ପଛେ ସାଥୀ ପରିବାର ସଦସ୍ୟଙ୍କ ପ୍ଲାଷ୍ଟିକ୍ ଆବର୍ଜନା ରୋକିବାର ଏ ଉଦ୍ୟମ ନିଶ୍ଚିତ ଭାବେ ସ୍ୱାଗତଯୋଗ୍ୟ ।