ପୂର୍ବରୁ ଓଡ଼ିଶାରେ ଶସ୍ୟ ସଂରକ୍ଷଣର ଅନେକ ପାରମ୍ପରିକ ପଦ୍ଧତି ରହିଥିଲା ତା ଭିତରୁ କେନ୍ଦ୍ରାପଡା ଜିଲ୍ଲାର ଗାଁ ଗୁଡିକରେ ବେଶ ପ୍ରଚଳିତ ଗୋଲା ଘର । ପାରମ୍ପରିକ ଓ ପରିବେଶ ଅନୁକୂଳ ଏହି ଶସ୍ୟ ସଂରକ୍ଷଣ ଘରଗୁଡିକୁ ପ୍ରଥମେ ବାଉଁଶରେ ତିଆରି କରାଯାଇ ଏହାକୁ ଆବୃତ କରିବା ପାଇଁ ଏହାର ବାହାରଟା ମାଟି, ପାଉଁଶ ଓ ଗୋବରରେ ଲିପାଯାଏ । ଥରେ ବିଲରେ ଅମଳ ହେଲା ପରେ ଧାନ ସମେତ ଅନ୍ୟାନ୍ୟ ଶସ୍ୟକୁ ଏଠାରେ ଗଚ୍ଛିତ କରି ରଖାଯାଇଥାଏ । ମାତ୍ର ଦିନକୁ ଦିନ ଆଧୁନିକତା ଓ ବିକାଶ ଆଳରେ ଏହିସବୁ ଗୋଲାଗୁଡିକ ଧୀରେ ଧୀରେ ଅଦୃଶ୍ୟ ହେବାରେ ଲାଗିଲାଣିି ।
ଭୁବନେଶ୍ୱର ;
୬୫ବର୍ଷିୟ ସରୋଜିନୀଙ୍କ ପ୍ରତିଦିନର କାମ ହେଉଛି ଘର ଅଗଣାରେ ଥିବା ଗୋଲାକୁ ଗୋବର ଦେଇ ଲିପାପୋଛା କରିବା । ସେ କୁହନ୍ତି ଗୋଲାର ବାହାରଟା ଗୋବର ଦେଇ ଲିପାହେଲେ ଗୋଲା ଭିତରେ ଥିବା ଶସ୍ୟ ସଂରକ୍ଷିତ ହୋଇ ରହିବ । ପୁଣି ଶସ୍ୟ ସଂରକ୍ଷଣ ବେଳେ ମଧ୍ୟ ଭିତରେ ନିମ୍ବ ପତ୍ର ଓ ଅନ୍ୟ ପତ୍ର ଦେଇ ରଖାଯାଇଛି ଯେପରି ଏହା ଅଧିକ ଦିନ ଯାଏଁ ସଂରକ୍ଷିତ ରହିପାରିବ । ଏ କାମ ସେ ତାଙ୍କ ମା, ଶାଶୁ ଓ ଜେଜେମା କରୁଥିବାର ଦେଖିଛନ୍ତି ଓ ସେମାନଙ୍କ ଠାରୁ ଶିଖିଛନ୍ତି । ଆପଣ ଯଦି କେବେ କେନ୍ଦ୍ରାପଡା ଜିଲ୍ଲାର ବିଭିନ୍ନ ଗାଁ କୁ ଯାଆନ୍ତି ତେବେ ସେଠି ଅନେକ ଗାଁରେ ଶସ୍ୟ ସଂରକ୍ଷଣ ପାଇଁ ଏଭଳି ଗୋଲାଘର ଦେଖିବାକୁ ପାଇବେ ଯାହା ଏବେବି ଶସ୍ୟ ସଂରକ୍ଷଣ ପାଇଁ ବ୍ୟବହାର ହେଉଛି । ଜିଲ୍ଲାର ହରିଅଙ୍କ ଗାଁର ଭାଗିରଥୀ ମଣ୍ଡଳ ଗୋଲାଘର ବିଷୟରେ କୁହନ୍ତି ‘ଗୋଲା’ ବିନା ‘ଶସ୍ୟ ସଂରକ୍ଷଣ କରିବାକୁ ଆମେ କେବେ ହେଲେ ଚିନ୍ତା କରିପାରିବୁ ନାହିଁ । ଆମ ଗାଁରେ ଚାଷୀମାନଙ୍କ ଦ୍ୱାରା ବ୍ୟବହାର କରାଯାଉଥିବା ଏହି ପାରମ୍ପରିକ ଗୋଲାକୁ କେବେହେଲେ ବଦଳାଯାଇ ପାରିବ ନାହିଁ । ଏହା ଆମ ପାଇଁ ଏକ ପ୍ରକାର ଅସମ୍ଭବ ବୋଲି କହିହେବ । ବର୍ତମାନ ସମୟରେ ଅନେକେ ଅତ୍ୟାଧୁନିକ ଷ୍ଟୋରହାଉସ ବ୍ୟବହାର କରୁଛନ୍ତି କିନ୍ତୁ ତାହା ବି ଗୁଣାତ୍ମକ ଢ଼ଙ୍ଗରେ ବିହନ ସଂରକ୍ଷଣ କରିବାରେ ବିଫଳ ହେଉଛି । କିନ୍ତୁ ଗୋଲାଘରର ଗୁରୁତ୍ୱ ପୂର୍ବ ସମୟରେ ଥିଲା , ଏବେ ବି ଅଛି ଆସନ୍ତା ଦିନରେ ବି ରହିବ ।
ଗାଁର ରେବତୀ ବୁରୁଆ କହନ୍ତି ମୁଁ ମୋ ଆଈ ଓ ଜେଜେମା’ଙ୍କଠାରୁ ଗୋଲା ନିର୍ମାଣର କଳା କୌଶଳ ଶିଖିଥିଲି । ଯଦିଓ ଘରର ପୁରୁଷମାନେ ଏହାକୁ ନିର୍ମାଣ କରନ୍ତି ହେଲେ ଏହାର ଆଭ୍ୟନ୍ତରୀଣ ଦେଖାରଖା କାମ ଆମର । ଗୋବର ଲିପିବାଠାରୁ ଆରମ୍ଭ କରି ସ୍ୱତନ୍ତ୍ର ନାଲିମାଟିରେ ବେଗୁନିଆ ଓ ନିମ୍ବପତ୍ର ପୋଡି ତାର ପାଉଁଶକୁ ମିଶ୍ରଣ କରି ଲିପିବା କାମ ଆମର କାମ । ଗୋବର ଖୋଜି ଖୋଜି ଆମେ ଆଣି ତାକୁ ଦୁଇଦିନ ପର୍ଯ୍ୟନ୍ତ ମାଟି ଓ ପାଉଁଶରେ ଭେଦେଇ ରଖୁ । ତାପରେ ତାକୁ ଆମେ ଗୋଲାର ଚଟାଣରେ ଲିପୁ । ସେହିପରି ମାଟି ଓ ଗୋବରର ମିଶ୍ରଣକୁ ଆମେ ଗୋଲା ଭିତରର କାନ୍ଥକୁ ଲିପିଥାଉ । ଗୋଟେ ଗୋଲାକୁ ସମ୍ପୂର୍ଣ୍ଣ ଦେଖାରଖା କରିବାକୁ ଆମକୁ ଦୁଇରୁ ତିନି ଦିନ ସମୟ ଲାଗିଥାଏ ।
ଗୋଲା ଏକ ପାରମ୍ପରିକ ଏବଂ ପରିବେଶ ଅନୁକୂଳ ସଂରକ୍ଷଣ ସୁବିଧା ଜାଗା । ଗୋଟେ ସମୟରେ ଏହା ଓଡିଶାରେ ବହୁଳ ଭାବେ ଦେଖାଯାଉଥିଲା । ଗୋଟିଏ ଥର ଏହାକୁ ତିଆରି କଲେ ଏହା ୧୦ରୁ ଅଧିକ ବର୍ଷ ଯାଏଁ ରୁହେ । ଏଥିପାଇଁ ଯଥେଷ୍ଟ କାରିଗରୀ ଓ ସୃଜନଶୀଳତାର ଆବଶ୍ୟକ । ଆମେ ସମସ୍ତେ ଘର ବାହାରେ ଏହାକୁ ତିଆରି କରିଛୁ । ଯେଉଁଠି ଧାନ, ବିରି, ମୁଗ ଓ ଅନ୍ୟାନ୍ୟ ଶସ୍ୟକୁ ଗଚ୍ଛିତ କରି ରଖାଯାଉଛି । ଏଥିରେ ଗୋଟେ ଥରକେ ୨୫ରୁ ୫୦ କୁଇଂଟାଲ ପର୍ଯ୍ୟନ୍ତ ଶସ୍ୟ ସଂରକ୍ଷଣ କରି ରଖାଯାଇ ପାରିବ ବୋଲି କୁହନ୍ତି ସେହି ଗାଁର ହରିରାମ ଖଟୁଆ କହନ୍ତି ।
ବାତ୍ୟାରୁ ରକ୍ଷା କରୁଛି ଗୋଲା
କେନ୍ଦ୍ରାପଡା ସବୁବେଳେ ଏକ ବାତ୍ୟା ପ୍ରବଣ ଅଂଚଳ ଏବଂ ଛୋଟ ଓ ମଧ୍ୟମ ଚାଷୀ ବାତ୍ୟା ଯୋଗୁଁ ନିଜର ଫସଲ ହରାଇଥାଆନ୍ତି । ସରୋଜିନୀ ନିଜ ପିଲାଦିନର ଗୋଲା କଥା ମନେ ପକାଇ କୁହନ୍ତି, ଏହି ସମୁଦ୍ରକୂଳିଆ ଗାଁ ଗୁଡିକରେ ନିୟମିତ ବାତ୍ୟା ପବନ ଲାଗି ରହିଥାଏ । ଏଣୁ ବିଲରୁ ଅମଳ ପରେ ଶସ୍ୟକୁ ସଂରକ୍ଷଣ କରି ରଖିବା ଆମ ପାଇଁ ବଡ ଚ୍ୟାଲେଞ ହୋଇଯାଏ । ତେଣୁ ଗୋଲା ହିଁ ଆମ ପାଇଁ ଏକମାତ୍ର ଭରସା । ସେତେବେଳେ ଗାଁର ପ୍ରାୟ ସମସ୍ତ ୪୦ ପରିବାର ନିଜ ନିଜ ଅଗଣାରେ ଗୋଲା ତିଆରି କରୁଥିଲେ । ଯେଉଁଥିରେ ସେମାନେ ନିଜ ନିଜର ଅମଳ ଶସ୍ୟକୁ ସଂରକ୍ଷଣ କରି ରଖୁଥିଲେ । ହେଲେ ଏବେ ଗାଁର ମାତ୍ର ୧୦ ପରିବାର ଗୋଲା ଉପରେ ନିର୍ଭର କରୁଛନ୍ତି । ତେଣୁ ମୋତେ ଭୟ ଅଛି ଯେ ‘ ଶସ୍ୟ ସଂରକ୍ଷଣର ଏହି ପଦ୍ଧତି ଧୀରେ ଧୀରେ ହଜିଯିବ । ଏବେ ପରିସ୍ଥିତି ଏପରି ହୋଇଛି ଯେ; ମାତ୍ର ତିନି ଦଶନ୍ଧି ଭିତରେ ଉପକୂଳବର୍ତୀ କେନ୍ଦ୍ରାପଡା ଏବଂ ଜଗତସିଂପୁର ଜିଲ୍ଲାର ଚାଷୀଙ୍କ ଘରେ ଗୋଲା ସଂଖ୍ୟା ପ୍ରାୟ ୫୦% ହ୍ରାସ ପାଇଛି ।
ମାଳତୀ ପ୍ରଧାନ କହନ୍ତି ଖାଲି ଲିପା ପୋଛା ନୁହେଁ ଯେହେତୁ ଗୋଲା ଭିତରେ ଶସ୍ୟକୁ ସାଇତିବା ଓ ସଂରକ୍ଷଣ କରି ରଖିବା ଆମର କାମ ତେଣୁ ଗୋଲା ଭିତରେ କେଉଁଠି କ’ଣ ରଖାଯିବ, କେମିତି ରଖାଯିବ, ଭାଡି କିପରି ବନ୍ଧାଯିବ ସେସବୁ ବି ଆମେ ଦେଖାରଖା କରୁ । ଗାଁର ଅନ୍ୟତମ ବାସିନ୍ଦା ନନ୍ଦକିଶୋର କହନ୍ତି, ଗୋଲା ସଂଖ୍ୟା ହ୍ରାସ ପାଇଁ ଜଳବାୟୁ ପରିବର୍ତନ ମଧ୍ୟ ଅନେକାଂଶରେ ଦାୟୀ । ନିୟମିତ ବାତ୍ୟା ଯୋଗୁଁ ଫସଲ ହାନୀ ଘଟୁଛି ଫଳରେ ଛୋଟ ଓ ମଧ୍ୟମ ଚାଷୀ ଅନ୍ୟ ରାଜ୍ୟକୁ କାମ ଅନ୍ୱେଷଣରେ ଚାଲିଯାଉଛନ୍ତି ।ଯେଉଁ ବଡ ଚାଷୀ ମାନେ ଅଛନ୍ତି ସେମାନଙ୍କ ଠାରେ କେବଳ ଏହି ଗୋଲା ରହିଛି । କେବଳ ସେତିକି ନୁହେଁ ଏବେ ସମୁଦ୍ର ଉପକୂଳ ଗାଁଗୁଡିକର ଲୋକମାନେ ନିଜର ଚାଷ ଜମିକୁ ପରିବର୍ତନ କରି ସେଠାରେ ଚିଙ୍ଗୁଡି ଚାଷ କରିବାପାଇଁ ଘେରି କରୁଛନ୍ତି । ଫଳରେ ଚାଷ ଜମିଗୁଡିକ ଧୀରେ ଧୀରେ ସଙ୍କୁଚିତ ହେବାରେ ଲାଗିଛି ।
ଜିଲ୍ଲାର ଖରିନାସୀ ଗ୍ରାମପଂଚାୟତର ପୂର୍ବତନ ସରପଂଚ ନାରାୟଣ ହାଲଦାର କହନ୍ତି; କେନ୍ଦ୍ରାପଡା ଜିଲ୍ଲାରେ ଚାଷୀଙ୍କର ମୁଖ୍ୟ ଚାଷ ହେଉଛି ଧାନ । ଜିଲ୍ଲାର ପାଖାପାଖି ୨ ଲକ୍ଷ ଚାଷୀ ନିଜର ପେଟ ପାଟଣା ପାଇଁ ଧାନ ଉପରେ ନିର୍ଭର କରନ୍ତି । ମାତ୍ର ଗତ କିଛି ବର୍ଷ ହେବ ଜିଲ୍ଲାର ଚାଷୀମାନେ ଚିଙ୍ଗୁଡି ଚାଷରେ ମନ ବଳାଉଛନ୍ତି । ତେଣୁ ସ୍ଥାନୀୟ ବାସିନ୍ଦାମାନଙ୍କୁ ଆଉ ଗୋଲା ନିର୍ମାଣ କରିବାର ଆବଶ୍ୟକତା ଅନୁଭବ କରୁନାହାଁନ୍ତି । ଗୋଟେ ଗୋଲା ନିମାଣ ପାଇଁ ପାଖାପାଖି ୫ରୁ ୧୦ ହଜାର ଟଙ୍କାର ଖର୍ଚ୍ଚ ହୋଇଥାଏ । ପୁଣି ଥରେ ଏହା ନିର୍ମାଣ ହେଲା ପରେ ଏହା ୧୦ ବର୍ଷ ପର୍ଯ୍ୟନ୍ତ ଭଲ ରହେ । ଏଭଳି ସ୍ଥଳେ ଗୋଲାର ଆବଶ୍ୟକତା ହେଉନଥିବାରୁ ଏହା ଧୀରେ ଧୀରେ କେନ୍ଦ୍ରାପଡାର ଗ୍ରାମୀଣ ଚିତ୍ରରୁ ଲୋପ ପାଇବାକୁ ବସିଲାଣି ।
ଶସ୍ୟ ସଂରକ୍ଷଣ ପାଇଁ ବେଶ ଉପଯୋଗୀ
ଖରିନାସୀ ଗାଁର କମଳା ସାହୁ କୁହନ୍ତି ଶସ୍ୟ ସଂରକ୍ଷଣ ପାଇଁ ଗୋଲା ବେଶ ଉପଯୋଗୀ ଏଣୁ ଆଗେ ପ୍ରତି ଘର ଅଗଣାରେ ଛୋଟ ବଡ ଗୋଲା ରହୁଥିଲା । ଗୋଲାର ଆକାର ସେମାନଙ୍କ ଶସ୍ୟ ଅମଳର ପରିମାଣ ଉପରେ ନିର୍ଭର କରୁଥିଲା । କିନ୍ତୁ ଏବେ ଶସ୍ୟ ସଂରକ୍ଷଣର ଅନ୍ୟ ସଂସାଧନ ଉପଲବ୍ଧ ହେତୁ ଏବେ ଏଗୁଡିକ ଧିରେ ଧିରେ ଗାଁ ମାନଚିତ୍ରରୁ ହଜିବାକୁ ବସିଲାଣି । ଗୋଲା ତିଆରି କରିବାରେ ବେଶ ପାରଙ୍ଗମ ଶମ୍ଭୁ ରାୟ ଗୋଲାର ଉପକାରିତା ବିଷୟରେ କହନ୍ତି; ଗାଁରେ ଯିଏବି ଗୋଲା ତିଆରି କରିବାକୁ ଚାହାଁନ୍ତି ମୁଁ ନିମୟିତ ଭାବେ ସେମାନଙ୍କ ପାଇଁ ଗୋଲା ତିଆରି ଓ ମରାମତି କରେ । ଗାଁରେ ଯିଏ ଡାକେ ମୁଁ ସେଠାରେ ଗୋଲା ତିଆରି କରିବାକୁ ଯାଏ । ଗୋଲା ନିର୍ମାଣଠାରୁ ଆରମ୍ଭ କରି ଗୋଲାର ମରାମତି କାମ ସବୁକିଛି ମୋତେ ଜଣା । ଗୋଲାରେ ସଂରକ୍ଷିତ ଚାଉଳ ଅଧିକ ବର୍ଷ ଯାଏଁ ସଂରକ୍ଷିତ ରହୁଥିବାରୁ ଏହା ସ୍ୱାଦିଷ୍ଟ , ପୁଷ୍ଟିକର ଓ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଉପାଦେୟ । ଗୋଲାକୁ ଏପରି ତିଆରି କରାଯାଇଥାଏ ଯେ ଏହା ଭିତରେ ସହଜରେ ମୂଷା ଓ ଅନ୍ୟାନ୍ୟ ପୋକ ପଶି ପାରନ୍ତି ନାହିଁ ଫଳରେ ଏହା ଶସ୍ୟକୁୁ ରକ୍ଷା କରିଥାଏ । ପାରମ୍ପରିକ ଭାବେ ବ୍ୟବହାର କରାଯାଉଥିବା ଗୋବର, ନିମ୍ବ ଓ ବେଗୁନିଆପତ୍ରର ପାଉଁସ ଶସ୍ୟକୁ ପୋକ ଲାଗିବାରୁ ରକ୍ଷା କରେ । ମୁଁ ମୋ ବାପାଙ୍କଠାରୁ ଏହି ଗୋଲା ନିର୍ମାଣ କରିବାର କୌଶଳ ଶିଖିଥିଲି । ହେଲେ ମୋଠାରୁ ଏହି କଳା ଶିଖିବାର ଆଗ୍ରହ ମୁଁ ବର୍ତମାନର ପିଢିଙ୍କ ଠାରେ ଦେଖିବାକୁ ପାଉନି ।
ଓୟୁଏଟିର ବରିଷ୍ଠ ବୈଜ୍ଞାନିକ ତଥା କୃଷି ବିଜ୍ଞାନକେନ୍ଦ୍ରର ମୁଖ୍ୟ ସୂର୍ଯ୍ୟନାରାୟଣ ମିଶ୍ର କହନ୍ତି; କୀଟ ପତଙ୍ଗ ଓ ବିଭିନ୍ନ ପ୍ରକାର ରୋଗପୋକରୁ ଶସ୍ୟକୁ ବର୍ଷ ବର୍ଷ ଧରି ସଂରକ୍ଷଣ କରି ରଖିବା ଦିଗରେ ପାରମ୍ପରିକ ଗୋଲାର ଭୂମିକା ଗୁରୁତ୍ୱପୂଣ୍ଣ ର୍ । ଆମେ ସାଧାରଣତଃ ଗ୍ରାମାଂଚଳର ଚାଷୀମାନଙ୍କୁ ଏହି ପାରମ୍ପରିକ ଗୋଲାର ବ୍ୟବହାର କରିବାକୁ କହିଥାଉ । ସେମାନେ କିପରି ନିଜର ଶସ୍ୟକୁ ସୁରକ୍ଷା ଓ ସଂରକ୍ଷଣ କରିବେ ସେଥିପାଇଁ ସବୁବେଳେ ବୁଝାଇଥାଉ । ସରକାର ମଧ୍ୟ ଏହି ପାରମ୍ପରିକ ଗୋଲାର ବ୍ରାଣ୍ଡିଂ ଓ ପ୍ରଚାର ପ୍ରସାର ଦିଗରେ କୌଣସି ପଦକ୍ଷେପ ନେବା ଆବଶ୍ୟକ । ଗୋଲାକୁ ସାଧାରଣତଃ ଗୋଦାମ ଘର ଭାବେ ପୁରୁଣା କାଳରେ ଚାଷୀମାନେ ବ୍ୟବହାର କରୁଥିଲେ । ଏହି ଗୋଲା ନିର୍ମାଣ କରିବାରେ ଅପେକ୍ଷାକୃତ କମ୍ ଖର୍ଚ୍ଚ ହେବା ସହ ଏହା ପ୍ରକୃତି ପ୍ରେମୀ ବା ଇକୋ ଫ୍ରେଣ୍ଡଲି । ଅନେକ ଚାଷୀ ଝୋଟ ବ୍ୟାଗରେ ଶସ୍ୟକୁ ସଂରକ୍ଷଣ କଲାବେଳେ ନିମ୍ବ ପତ୍ର ମିଶାଇଥାନ୍ତି ଓ ଏହାକୁ ଗୋଲାରେ ରଖିଥାନ୍ତି । ଯାହାକି ବଦଳୁଥିବା ଜଳବାୟୂ ଓ ଉଚ୍ଚ ତାପମାତ୍ରା, କୀଟପତଙ୍ଗ ଓ ଲାର୍ଭାମାନଙ୍କ ଦାଉରୁ ସଂରକ୍ଷିତ ଶସ୍ୟକୁ ରକ୍ଷା କରିଥାଏ । ତେଣୁ ଏହାର ପୁନରୁଦ୍ଧାର ପାଇଁ ଉଭୟ ଗବେଷକ, କୃଷି ବୈଜ୍ଞାନିକ ଓ ସରକାରଙ୍କ ପକ୍ଷରୁ ମିଳିତ ଭାବେ ଚେଷ୍ଟା ହେବା ଦରକାର ।