ରାୟଗଡା ଜିଲ୍ଲା କାଶୀପୁର ବ୍ଲକ୍ ଡଙ୍ଗାସିଲ ପଂଚାୟତ ଗୁଞ୍ଜରାମପଞ୍ଜରା ଗାଁ । ଗାଁରେ ୧୨୦ ପରିବାର ରହୁଥିବା ବେଳେ ଗାଁକୁ ଲାଗି ବହି ଯାଉଛି ବିଛଳା ନଦୀ । ପାହାଡିଆ ଅଂଚଳରେ ଥିବା ନଦୀରେ ବର୍ଷତମାମ ପାଣି ରହୁଥିବାରୁ ଲୋକେ ପଂଚାୟତ କାର୍ଯ୍ୟାଳୟ, ବ୍ଲକ୍ କାର୍ଯ୍ୟାଳୟ, ଡାକ୍ତରଖାନା, ସ୍କୁଲକୁ ନିୟମିତ ଭାବେ ଯାଇ ପାରୁନଥିଲେ । ପରିସ୍ଥିତି ଏପରି ହେଉଥିଲା ଯେ ବର୍ଷାଦିନେ ଗାଁ ଲୋକେ ସମ୍ପୂର୍ଣ୍ଣ ଭାବେ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଉଥିଲେ । ଏହି ସମସ୍ୟାର ସମାଧାନ ପାଇଁ ଆଗକୁ ପାଦ କାଢ଼ିଲେ ରଞ୍ଜିତ ନାୟକ । ଆଉ ତାଙ୍କୁ ଏଥିରେ ସହଯୋଗ କଲେ ତାଙ୍କ୬୦ ବର୍ଷୀୟ ବାପା ଶିବ ଓ ପତ୍ନୀ ତିଳୋତମା । କେବଳ ହାତରେ ହାତ ମିଶାଇ ପରିଶ୍ରମରେ ସାଥୀ ସାଜିନାହାଁନ୍ତି ଏପରିବାର ନିଜର ସୁନା ବନ୍ଧକ ରଖି ସମାଜର କଲ୍ୟାଣ ପାଇଁ ବିଛଳା ନଦୀ ଉପରେ ତିଆରି କରିଛନ୍ତି ତିନି ତିନୋଟି ପୋଲ ।
ଭୁବନେଶ୍ୱର ;
ସକାଳ ୭ଟା ନ ବାଜୁଣୁ ବାପ ପୁଅ ବିଛଳା ନଦୀର ଧାରରେ । କେତେବେଳେ ବାପା ପୁଅକୁ ତ ଆଉ କେତେବେଳେ ପୁଅ ବାପାକୁ ବାଉଁଶ, କାଠ ବଢ଼ାଇ ଦେଉଥାନ୍ତି । କେତେବେଳେ ହାତରେ କୋଡି, କୋଦାଳ ଧରି ପାହାଡିଆ ମାଟିକୁ ସମତଳ କରୁଥାନ୍ତି ତ ପୁଣି କେତେବେଳେ ବାଉଁଶ ଓ କାଠକୁ ଗୋଟି ଗୋଟି କରି ଯୋଡି ତାକୁ ବ୍ରିଜ୍ର କାନ୍ଥ ତିଆରି କରୁଥାନ୍ତି ଏହି ବାପା-ପୁଅ । ଦିନେ କି ଦୁଇଦିନ ନୁହେଁ; ଦୀର୍ଘ ୪ ମାସର ଅକ୍ଳାନ୍ତ ପରିଶ୍ରମ ପରେ ରଞ୍ଜିତ ନାଏକ ଓ ଶିବ ନାଏକଙ୍କ କଠିନ ପରିଶ୍ରମ ଏବେ ବାସ୍ତବ ରୂପ ନେଇଛି । ବିଛଳା ନଦୀ ଉପରେ ଛିଡା ହୋଇ ପାରିଛି ତିନି ତିନୋଟି ପୋଲ । ଯାହାକି ତାଙ୍କୁ ନିଜ ଭିଟାମାଟିର ଗାଁ ରାୟଗଡା ଜିଲ୍ଲା କାଶୀପୁର ବ୍ଲକ୍ ଡଙ୍ଗାସିଲ ପଂଚାୟତ ଗୁଞ୍ଜରାମପଞ୍ଜରା ସହ ଯୋଡି ପାରିଛି କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲାକୁ ।
ଦିନେ ଏହି ପୋଲ ନିର୍ମାଣ ପାଇଁ ଉଭୟ ବାପା-ପୁଅ (ଶିବ-ରଞ୍ଜିତ)ଙ୍କୁ ଗାଁ ଲୋକଙ୍କ ଅନେକ ଟାହିଟାପରାର ସମ୍ମୁଖୀନ ହେବାକୁ ପଡିଥିଲା । କ’ଣ କାମ ଚାଲିଛି, କାହିଁକି ଏସବୁ କରୁଛ, ଏଥିରୁ କି ଲାଭ ମିଳିବ, ସରକାର କ’ଣ ମେଡେଲ ଦେବେ ଏମିତି ଅନେକ ପ୍ରଶ୍ନର ସାମ୍ନା ଓ କଟୁ ସମାଲୋଚନାର ଶୀକାର ବି ହେବାକୁ ପଡିଥିଲା ଉଭୟଙ୍କୁ । ହେଲେ ସେମାନେ କେବେ ହାରି ନଥିଲେ । ବରଂ ସମୟ ଆସିଲେ ସବୁ ଜାଣିବ ଓ ବୁଝିବ ବୋଲି ଅତି ସରଳ ଭାବେ ଉତର ଦେଇ ଉଭୟେ ଚୁପ୍ ରହିଯାଉଥିଲେ । ସେମାନଙ୍କ ବଦାନ୍ୟତା ଯୋଗୁଁ ଆଜି ରାୟଗଡା ଜିଲ୍ଲା ନବରଙ୍ଗପୁର ଓ କଳାହାଣ୍ଡି ଜିଲ୍ଲା ସହ ଯୋଡି ହୋଇ ପାରିଛି । ଜିଲ୍ଲାର ଅଧିକାଂଶ ଲୋକେ ବର୍ତମାନ ଇନ୍ଦ୍ରାବତୀ ଓ କଳାହାଣ୍ଡି ଯିବା ପାଇଁ ରଞ୍ଜିତ ଓ ଶିବ ତିଆରି କରିଥିବା ଏହି ରାସ୍ତା ଉପରେ ନିର୍ଭର କରୁଛନ୍ତି ।
ସଂଘର୍ଷରୁ ସଫଳତାର ଯାତ୍ରା
ଏ ବାବଦରେ ରଞ୍ଜିତ ନାଏକ କହନ୍ତି ଏ ସଫଳତାର କାହାଣୀ ଅନେକ ସଂଘର୍ଷରୁ ଆରମ୍ଭ । ପିଲାବେଳୁ ଦେଖି ଆସିଛି; କିଛି ଗୋଟେ ଛୋଟ କାମ ପାଇଁ ଆମକୁ ଏଇ ନଦୀ ପାର ହେବାକୁ ପଡେ । ଆଖି ଆଗରେ କେତେ ଜୀବନ ଏହି ନଦୀରେ ଚାଲି ଯାଇଛି । ପାହାଡ ଅଂଚଳ ଦେଇ ନଦୀ ଅଙ୍କାବଙ୍କା ହୋଇଥିବାରୁ ସବୁବେଳେ ଚିରସ୍ରୋତା । ପିଇବା ପାଣିଠାରୁ ଆରମ୍ଭ କରି ସବୁ କାମ ପାଇଁ ନଦୀ ହିଁ ଭରସା । ପୁଣି ନଦୀ ପାର ହେଲେ ଯାଇ ଡାକ୍ତରଖାନା, ଅଙ୍ଗନବାଡି, ସ୍କୁଲ, ହାଟ ବଜାର ସବୁକିଛି । ମୁଁ ନିଜେ ବି ଏଇ ନଦୀରେ ଭାସି ଯାଇଥିଲି । ତେଣୁ ସବୁବେଳେ ନଦୀ ପାରହେବା କଥା ଭାବିଲେ ମନରେ ଛନକା ପଶେ । ଏପଟେ ନଦୀ ପାର ନହେଲେ ଘରେ ଚୁଲି ନ ଜଳିଲା ଭଳି ପରିସ୍ଥିତି । ତେଣୁ ନଦୀ ଉପରେ ପୋଲ ତିଆରି କରିବା କଥା ସବୁବେଳେ ଭାବେ । ହେଲେ ପଇସା ଯୋଗାଡ କରିପାରେନି । ୨୦୨୨ରେ କିନ୍ତୁ ସାହାସ ଜୁଟାଇଲି । ଡ୍ରାଇଭର କାମ କରି ସଂଚିଥିବା ୪୦ ହଜାର ଟଙ୍କା ବାହାର କରି ବାପା, ମା’, ଭଉଣୀ, ସ୍ତ୍ରୀ ସବୁକୁ ମୋ ମନର କଥା କହିଲି । ପ୍ରଥମେ ପ୍ରଥମେ ସମସ୍ତେ ଅମଙ୍ଗ ହେଲେ । ପରେ ପୁଣି ସବୁ ରାଜି ହେଲେ । ବାପା ଶିବ ନାଏକ ତ ବୟସର ଅପରାହ୍ନରେ ପହଂଚିବି କାନ୍ଧରେ କାନ୍ଧ ମିଶାଇବାକୁ ବାହାରି ଆସିଲେ । ବାପା ଶିବ କାଠ ପୋଲରେ ପଥର ଜାମ୍ ଦେବାକୁ ମୋ ସହ ମିଶି ହାତୁଡିରେ ପଥର ଭାଙ୍ଗିଛନ୍ତି । ପଥର ଟେକି ଆଣି କାଠ ବ୍ରିଜ୍ କାନ୍ଥର ଭିତରେ ଜାମ୍ ଦେଇଛନ୍ତି । ମୋ ପତ୍ନୀ ତିଳୋତମା ବି ସମାନ ଭାବେ ଏହି ପୋଲ ନିର୍ମାଣର ଅଂଶୀଦାର । ସବୁ ଶ୍ରେୟ ତାଙ୍କର । ଯେତେବେଳେ ପୋଲ ନିର୍ମାଣ ପାଇଁ ଅର୍ଥର ଅଭାବ ହେଲା ସେତେବେଳେ ସେ ନିଜର ସୁନାଗହଣା ବନ୍ଧକ ରଖିବାକୁ ରାଜି ହେବା ଜଣେ ସାଧାରଣ ମହିଳା ପାଇଁ ଏତେ ସହଜ ନୁହେଁ । ହେଲେ ସେ କେବେ ଏହି କାମରେ ପ୍ରତିବନ୍ଧକ ସାଜି ନାହାଁନ୍ତି । ବରଂ ମୋର ଶକ୍ତି ହୋଇ ଛିଡା ହୋଇଛନ୍ତି । ବାପାଙ୍କ ପାରମ୍ପରିକ ବୁଦ୍ଧି ଓ ଜ୍ଞାନ, ମୋର ପରିଶ୍ରମ, ଇଚ୍ଛାଶକ୍ତି ଓ ମୋ ପତ୍ନୀଙ୍କ ସାହାଯ୍ୟ ଯୋଗୁଁ ଆଜି ଆଖପାଖ ୮ ଖଣ୍ଡ ଗାଁର ଯାତାୟାତ ସମସ୍ୟାକୁ ସମାଧାନ କରିପାରିଛି ।
ଶିବ ନାଏକ କହନ୍ତି; ମୋତେ ବୟସ ଆସି ୬୪ ଟପିଲାଣି । ଘରେ ପୁଅ ରଞ୍ଜିତ ହିଁ ଏକପାତ୍ର ରୋଜଗାରିଆ ପିଲା । ତା ଉପରେ ଆମେ ବୁଢ଼ା,-ବୁଢ଼ି, ତାର ଭାଇ-ଭଉଣୀ, ସ୍ତ୍ରୀ- ଛୁଆ ପିଲା ଏମିତି ୭ ପ୍ରାଣୀ ନିର୍ଭର କରୁଛୁ । ଦିନେ କାମକୁ ନ ଗଲେ ଚୁଲି ଜଳେନି । ରାୟଗଡା ଜିଲ୍ଲା କାଶୀପୁର ଅଂଚଳରେ ରଂଜିତ ଏବେ ଡ୍ରାଇଭର କାମ କରୁଛନ୍ତି । ଏହାବାଦ୍ ଯେବେ ଯେଉଁଠି ମୂଲ ଲାଗିବାକୁ କାମ ମିଳେ; ସେଠାକୁ ଯାଇ କାମ କରନ୍ତି । ପତ୍ନୀ ବି ପରିବାର ଚଳାଇବା କାମରେ ସମାନ ଭାବେ ରଞ୍ଜିତଙ୍କୁ ସାହାଯ୍ୟ କରନ୍ତି । ଆଜି ଯେଉଁ ଅସ୍ଥାୟୀ ପୋଲକୁ ନେଇ ଚର୍ଚ୍ଚା ତାହା ରଂଜିତର ଦୃଢ଼ ଇଚ୍ଛା ଯୋଗୁଁ ସମ୍ଭବ ହୋଇ ପାରିଛି । ଖାଲି ସେତିକି ନୁହେଁ ସେ ପୋଲ ପର୍ଯ୍ୟନ୍ତ ଯିବାକୁ ୪ କିଲୋମିଟର ଗୋଡି ରାସ୍ତାକୁ ବି ସଜାଡିଛି । ରାସ୍ତା ନିର୍ମାଣ ପରେ ଏବେ କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲା ସହ ଯୋଡି ହୋଇପାରିଛି ରାୟଗଡା । ଏଥିସହ କାଶୀପୁର ବ୍ଲକ୍ର ୮ ଖଣ୍ଡ ଗାଁ ଲୋକଙ୍କ ଯିବା ଆସିବା ସମସ୍ୟା ବି ସମାଧାନ ହୋଇ ପାରିଛି ।
ପିଲାବେଳ ସ୍ୱପ୍ନ ହେଲା ସାର୍ଥକ
ପତ୍ନୀ ତିଳୋତମା କହନ୍ତି ପିଲାବେଳୁ ଗୋଟେ କଥା ରଞ୍ଜିତଙ୍କୁ ସବୁବେଳେ ଆନ୍ଦୋଳିତ କରୁଥିଲା । ତାହାଥିଲା ଯିବା ଆସିବା । ନିଜ ଗାଁରୁ ବାହାରି କଳାହାଣ୍ଡି କି ନବରଙ୍ଗପୁର ଯିବାକୁ ହେଲେ ଅନେକ ବାଟ ବୁଲି ଯିବାକୁ ପଡେ । ବିଛଳା ନଦୀ ହିଁ ଏସବୁ କଷଣ ଦୂର କରିବାର ଏକମାତ୍ର ରାସ୍ତା । ଯଦି ନଦୀ ଉପରେ ପୋଲ ନିର୍ମାଣ ହେବ ତେବେ ଗାଁ ଲୋକଙ୍କ ସବୁ ସମସ୍ୟାର ସମାଧାନ ହୋଇଯିବ । ଏଥିପାଇଁ କେବଳ ରଞ୍ଜିତ ନୁହଁନ୍ତି ବରଂ ଗାଁର ଅଧିକାଂଶ ଲୋକେ ଏକାଠି ହୋଇ ସରପଂଚ, ନାଏବ ସରପଂଚ, ବିଡିଓ, ତହସିଲଦାର, ସ୍ଥାନୀୟ ନେତା ମନ୍ତ୍ରୀ ସମସ୍ତଙ୍କ ଦ୍ୱାରସ୍ଥ ହୋଇଥିଲେ । ହେଲେ ସମସ୍ୟାର ସମାଧାନ ହୋଇନଥିଲା । ଫଳରେ ବର୍ଷା କମିବା ପରେ ରଞ୍ଜିତ ନିଜ ବାପାଙ୍କ ସହ ପୋଲ ନିର୍ମାଣ କରିବାକୁ ନିଷ୍ପତି ନେଲେ । ଡ୍ରାଇଭର ବୃତିରୁ ସଂଚୟ କରିଥିବା ୪୦ ହଜାର ଟଙ୍କା ଏକାଠି କରି କାଠ ସଂଗ୍ରହ କରିବା ଆରମ୍ଭ କଲେ । ସକାଳ ୫ଟା ନ ବାଜୁଣୁ ମାଣ୍ଡିଆ-ପେଜ ଟିକେ ଖାଇ କାଠ ସଂଗ୍ରହ କାମରେ ବାହାରି ଯାଉଥିଲେ । ଡଙ୍ଗର ସାରା ବୁଲି ବୁଲି କାଠ କାଟି ଆଣୁଥିଲେ । ବାପାବି ଏହି କାମରେ ତାଙ୍କୁ ସାହାଯ୍ୟ କରୁଥିଲେ । ୩ଟି ବ୍ରିଜ୍ ନିର୍ମାଣ ପାଇଁ ୬ଟି କାନ୍ଥ ତିଆରି କରିବାକୁ ପଡିଲା । ଏସବୁ କାନ୍ଥ କାଠରେ ହୋଇଥିବା ବେଳେ ଏହା ଭିତରେ ଲୋକଙ୍କ ଯିବା ଆସିବା ପାଇଁ ପଥର ଜାମ ଦିଆଯାଇଛି । ଯାହାକି ରଂଜିତ ନିଜେ ହାତରେ ହାତୁଡି ଦେଇ ଭାଙ୍ଗିଛନ୍ତି । କେତେବେଳେ ପାହାଡ ଉପରୁ ତଳକୁ ପଥର ଖସାଇ ଆଣିଛନ୍ତି ତ ଆଉ କେତେବେଳେ ନଦୀରେ ଗଡି ଆସିଥିବା ପଥରକୁ ଭାଙ୍ଗି ଛୋଟ କରିଛନ୍ତି । ଶେଷରେ ସେ ସଂଚୟ କରିଥିବା ୪୦ ହଜାର ଟଙ୍କା ସରିଯିବାରୁ ମୋତେ ସୁନା ବନ୍ଧକ ରଖିବା କଥା କହିଲେ । ପ୍ରଥମେ ପ୍ରଥମେ ମୁଁ ଅମଙ୍ଗ ହେଲି । ପରେ ସେ ସୁନା ମୁକୁଳେଇ ଆଣିବେ ବୋଲି କହିବା ପରେ ମୋର ବାପ ଘର ଗାଁର ଜଣେ ସାହୁକାରଙ୍କ ପାଖରେ ସୁନା ବନ୍ଧକ ରଖିଲୁ । ଯାହା ବଦଳରେ ଆମକୁ ୩୦ ହଜାର ଟଙ୍କା ମିଳିଲା । ସେହି ଟଙ୍କାରେ ରଞ୍ଜିତ ପାଖ ଗାଁର କିଛି ଆଦିବାସୀ ଲୋକଙ୍କୁ ଆଣି ପୋଲି ନିର୍ମାଣ କାମରେ ଲଗାଇଲେ । ଯେଉଁମାନେ କି ଦିନ ରାତି ଏକକରି କାଠ ପୋଲ ଭିତରେ ପଥର ଜାମ ଦେବା କାମରେ ସାହାଯ୍ୟ କଲେ । ବାପ-ପୁଅଙ୍କ ପରିଶ୍ରମ ପରେ ବିଛଳା ନଦୀ ଉପରେ ୪ ମାସ ଭିତରେ ତିଆରି ହୋଇଗଲା ତିନି ତିନୋଟି ପୋଲ । ଯେଉଁଠି ବଡ ବଡ ଇଂଞ୍ଜିନିୟର, ସରକାରୀ କଳ ହାର ମାନିଲେ ସେଠାରେ ରଂଜିତ, ତାଙ୍କ ବାପା ଶିବ, ସ୍ତ୍ରୀ ତିଳୋତମା ମିଶି ନିଜ ସହ ଆଖପାଖ ଗାଁର ଚିତ୍ର ଓ ରୂପ ପରିବର୍ତନ କରିପାରଛନ୍ତି ତାହାହିଁ ପ୍ରମାଣିତ ହୋଇଛି । ଦୃଢ଼ୋକ୍ତିରେ ତିଳୋତମା କହନ୍ତି. ଆମେ ଗରିବ ଜନ୍ମ ହୋଇଛୁ; ଗରିବ ହିଁ ମରିଯିବୁ ନିଶ୍ଚେ । ହେଲେ କେବେ ନା କେବେ ଈଶ୍ୱର ଏକଥାର ହିସାବ ରଖିବେ । ରଂଜିତ ଓ ତାଙ୍କ ବାପା ଶିବ କ’ଣ କରିଛନ୍ତି ତାହା ଏ ଦୁନିଆ ଜାଣିବ ।