ପୁଣିଥରେ ଚର୍ଚ୍ଚାରେ କୋଟିଆ । ଏଥର କିନ୍ତୁ ସୀମା ବିବାଦ କି ପଂଚାୟତ ରାଜନୀତିକୁ ନେଇ ନୁହଁ; ବରଂ ଧାଡି ଧାଡି ନାଲି କ୍ଷେତ ପାଇଁ । କୋରାପୁଟ ଜିଲ୍ଲାର ଏହି ପାହାଡି ଇଲାକାରେ ଷ୍ଟ୍ରବେରୀର ନାଲି ଆବରଣ ଏମିତି ମନୋରମ ଦୃଶ୍ୟ ସୃଷ୍ଟି କରିଛି ଯେ ଯିଏ ଯାଉଛି ଘଡିଏ ରହିଯାଉଛିି । ପୂର୍ବ ବର୍ଷ କୋଟିଆ ପଂଚାୟତର ଦୋଳିଆମ୍ବ ଗାଁରେ ଷ୍ଟ୍ରବେରୀ ଅମଳ ଆରମ୍ଭ ହୋଇଥିବା ବେଳେ ଏବେ ଏହା ନୂଆପଡା ଜିଲ୍ଲାକୁ ବି ବ୍ୟାପିଲାଣି । ଉଭୟ ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ନୂଆକରି ଆରମ୍ଭ ହୋଇଥିବା ଷ୍ଟ୍ରବେରୀ ଚାଷ ଦୁଇ ଜିଲ୍ଲାର ୪୦ରୁ ଅଧିକ ଆଦିବାସୀ ପରିବାରକୁ ଆର୍ଥିକ କ୍ଷେତ୍ରରେ ସ୍ୱାବଲମ୍ବୀ କରି ପାରିଛି । ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସେମାନଙ୍କୁ ଆର୍ଥିକ ପ୍ରୋତ୍ସାହନ ଯୋଗାଇ ଦିଆଯିବା ସହ ବୈଷୟିକ ସହାୟତା ବି ଦିଆଯାଉଛି ।
ଭୁବନେଶ୍ୱର ;
କୋରାପୁଟ ଜିଲ୍ଲା କୋଟିଆ ପଂଚାୟତର ଦୋଳିଆମ୍ବା ଗାଁର ୩୦ ବର୍ଷିୟ ମାଳତୀ ଏବର୍ଷ ବେଶ ଖୁସି । ତାଙ୍କ ଖୁସିର କାରଣ କ୍ଷେତରେ ଫଳିଥିବା ଷ୍ଟ୍ରବେରୀ । ଗତବର୍ଷ ପ୍ରଶାସନ ପକ୍ଷରୁ ତାଙ୍କୁ ଓ ଗାଁର କିଛି ମହିଳା ଚାଷୀଙ୍କୁ ସହାୟତା ଯୋଗାଇ ଦିଆଯିବା ପରେ ସେ ତାଙ୍କ ୨ ଏକର ଜମିରେ ଷ୍ଟ୍ରବେରୀ ଚାଷ କାରିବାକୁ ଆଗ୍ରହୀ ହୋଇଥିଲେ । ଫସଲ ଭଲ ହେବାରୁ ତାଙ୍କର ଆୟ ବଢିଥିଲା ଏବେ ତାଙ୍କୁ ଆଉ କାମ ପାଇଁ ବାହାର ରାଜ୍ୟକୁ ସ୍ଥାନାନ୍ତର ହେବାକୁ ପଡିବନି ବରଂ ନିଜ ଅଂଚଳରେ ରହି ସେ ଚାଷ କରି ପରିବାର ଚଳାଇପାରିବେ । କୋରାପୁଟ ଜିଲ୍ଲାର ଜାନିଗୁଡା, ଗାଲିଗଦୁର, ଫାଟୁସିନାର, ଦୋଳିଆମ୍ବା, ଆଦି ଗାଁର କୁଟିଆ କନ୍ଧ ସମ୍ପ୍ରଦାୟର ପ୍ରାୟ ୩୦ ଜଣ ମହିଳା ଚାଷୀଙ୍କୁ ଏ ଦିଗରେ ଦକ୍ଷ କରାଯାଇଛି ।
କୋଟିଆ ପଂଚାୟତର ବିଭିନ୍ନ ଗାଁରେ ଷ୍ଟ୍ରବେରୀର ସଫଳ ଅମଳ ପରେ ଏବେ ଏହା ନୂଆପଡା ଜିଲ୍ଲାକୁ ସମ୍ପ୍ର୍ରସାରିତ ହୋଇଛିି । ନୂଆପଡା ଜିଲ୍ଲାର ଚୁକୁଟିଆ ଭୁଞ୍ଜିଆ ଜନଜାତିର ମହିଳା ଚାଷୀଙ୍କୁ ଏ ଦିଗରେ ଆତ୍ମନିର୍ଭରଶୀଳ କରିବାକୁ ଉଭୟ ତାଲିମ ଓ ଆର୍ଥିକ ପ୍ରୋତ୍ସାହନ ଦିଆଯାଇଛି । ଜିଲ୍ଲାର ଜୁନାପାଣି, ସୋନାବାହିଲି, କୁଟୁରାବେରା, ସାଲେପଡା, ଚିନ୍ମୁଣ୍ଡି, ଓ ସୁନାବେଡା ଆଦି ଗାଁର ୧୦ ଜଣ ମହିଳା ଚାଷଙ୍କୁ ବଛାଯାଇ ସେମାନଙ୍କୁ ସହାୟତା ଯୋଗାଇ ଦିଆଯାଉଛି । କେବଳ ସେତିକି ନୁହେଁ ଏହାକୁ କିପରି ବାହାର ରାଜ୍ୟକୁ ରପ୍ତାନୀ କରାଯିବ ସେଥିପାଇଁ ଜିଲ୍ଲାପ୍ରଶାସନ ଆଇଟିଡିଏ ସହାୟତରେ ରଣନୀତି ପ୍ରସ୍ତୁତ କରୁଛି ।
କୋଟିଆରୁ ପଡିଛି ମୂଳଦୁଆ
ଆଜିକୁ ବର୍ଷେ ଆଗରୁ ୨୦୨୧ରେ ଆଇଟିଡିଏ ସହାୟତାରେ ପ୍ରଥମ କରି କୋଟିଆର ଦୋଳିଆମ୍ବା ଗାଁରେ ଷ୍ଟ୍ରବେରୀଚାଷକୁ ପରୀକ୍ଷାମୂଳକ ଭାବେ ଆରମ୍ଭ କରାଯାଇଥିଲା । ମା ସୁଭଦ୍ରା, ମା ତାରିଣୀ ଓ ମା ବୁରୁଆ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ୩୦ ଜଣ ଆଦିବାସୀ ମହିଳାଙ୍କୁ ଏକାଠି କରି ଏହି ଚାଷ କରିବାକୁ ବୁଝାଯାଇଥିଲା । ଏହାସହ ବିଶେଷଜ୍ଞ ଦଳ ଦ୍ୱାରା ସେମାନଙ୍କୁ ଚାରାଠାରୁ ବୈଷୟିକ ତାଲିମ ଯାଏଁ ସବୁକିଛି ଦିଆଯାଇଥିଲା । ଏହି ତିନୋଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ୩୦ ଜଣ ମହିଳା ଚାଷୀ ଆଜିଷ୍ଟ୍ରବେରୀ ଚାଷୀ ଭାବେ ଓଡିଶାରେ ପରିଚିତା । ଏ ବାବଦରେ କୋରାପୁଟ ଆଇଟିଡିଏର ପ୍ରକଳ୍ପ ପ୍ରଶାସକ କାରୁ ସୋରେନ୍ କହିଛନ୍ତି; ଜାନିଗୁଡା, ଗାଲିଗଦୁର, ଦୋଳିଆମ୍ବା, ଫାଟୁସିନେରୀ ଗାଁର ୩୦ ଜଣ ମହିଳାଙ୍କୁ ଆମେ ମାଗଣାରେ ଷ୍ଟ୍ରବେରି ଚାରା ପ୍ରଦାନ କରିଛୁ । ସେମାନେ ଏବେ ପାଖାପାଖି ୨୦ ଏକର ଜାଗାରେ ଏହାକୁ ଲଗାଇଛନ୍ତି ।
ଷ୍ଟ୍ରବେରୀକୁ ଉଚିତ ମୂଲ୍ୟରେ ବିକ୍ରିବଟା କରିବା ପାଇଁ ସ୍ୱତନ୍ତ୍ର ପ୍ୟାକେଜିଂ ବି କରାଯାଉଛି । ପ୍ରାଥମିକ ପର୍ଯ୍ୟାୟରେ ସ୍ଥାନୀୟ ବଜାର ସମେତ ରାୟପୁର, ହାଇଦ୍ରାବଦ, ବିଶାଖାପାଟଣା, ଜଗଦଲପୁର ଆଦି ଅଂଚଳକୁ ପଠାଯିବାକୁ ଚିନ୍ତା କରାଯାଇଛି । ଏହାସହ ଜୟପୁରର ଶକ୍ତି ଟ୍ରେଡର୍ସ, ରିଲାଏନ୍ସ, ଟ୍ରେଣ୍ଡସ୍ ଆଦି ସହାୟତାରେ ବି ଏହାର ବିକ୍ରିବଟା କରାଯିବ । ଏଥିପାଇଁ କୋରୁପଟରେ ଆଇଟିଡିଏ ନିଜର ଏକ ଆଉଟ୍ଲେଟ୍ କରି ଏହାର ବିକ୍ରିବଟା କରିବ । ସ୍ଥାନୀୟ ବଜାରରେ ଷ୍ଟ୍ରବେରୀକୁ ୨୫୦ ଗ୍ରାମ ପିଛା ୮୦ରୁ ୧୦୦ ଟଙ୍କାର ବିକ୍ରି କରିବାକୁ ନିଷ୍ପତି ନିଆଯାଇଥିବା ବେଳେ କିଲୋପିଛା ୪୦୦ ଟଙ୍କାରେ ବିକ୍ରି କରାଯିବ । ତେବେ ଜଣେ ହୋଲସେଲ୍ ବଜାରରେ ଏହାକୁ କିଣିଲେ କିଲୋପ୍ରତି ୨୫୦ରୁ ୩୦୦ ଟଙ୍କାରେ ବିକ୍ରି କରାଯିବାକୁ ନିଷ୍ପତି ନିଆଯାଇଛି ।
କୋରାପୁଟ ଜିଲ୍ଲା ପଟାଙ୍ଗି ବ୍ଲକ୍ର ବିବାଦୀୟ କୋଟିଆ ଗ୍ରାମପୁଞ୍ଜର ବିକାଶ ପାଇଁ ରାଜ୍ୟ ସରକାର ବିଭିନ୍ନ ଉନ୍ନୟନମୂଳକ କାମ ଆରମ୍ଭ କରିଥିବା ବେଳେ ପରୀକ୍ଷାମୂଳକ ଭାବେ ଷ୍ଟ୍ରବେରୀ ଚାଷ ପାଇଁ ଆଗ୍ରହ ଦେଖାଇଥିଲେ । ଏଥିପାଇଁ କୋଟିଆ ପଂଚାୟତର ଦୋଳିଆମ୍ବ ଗାଁକୁ ଚୟନ କରାଯାଇଥିଲା । ଜିଲ୍ଲା ଖଣିଜ ପାଣ୍ଠି (ଡିଏମଏଫ) ସହାୟତାରେ ଏଥିପାଇଁ ପ୍ରାୟ ୩୫ ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଥିଲା । ଦୋଳିଆମ୍ବ ଗାଁର ୫ ଏକର ଜାଗାକୁ ଏଥିପାଇଁ ଚୟନ କରାଯାଇଥିବା ବେଳେ ସମସ୍ତ ୫୦ ପରିବାରକୁ ଏଥିରେ ସାମିଲ କରାଯାଇଥିଲା । ଷ୍ଟ୍ରବେରୀ ଚାଷ ସମସ୍ତଙ୍କ ପାଇଁ ନୂଆ ଥିବାରୁ ଜିଲ୍ଲା ପ୍ରଶାସନ ଏହାର ପରିଚାଳନା ଦାୟିତ୍ୱ ଗାଁର ତିନୋଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ଦେଇଥିଲା । ଆଇଟିଡିଏ କୋରାପୁଟ ଦ୍ୱାରା ଏସବୁ କାମର ତଦାରଖ କରାଯାଉଥିବା ବେଳେ ୨୦୨୧ ଏପ୍ରିଲ ପ୍ରଥମ ସପ୍ତାହରେ ନୂଆ କରି କୋଟିଆରେ ରଙ୍ଗୀନ୍ କ୍ୟାପ୍ସିକମ୍ ଓ ଷ୍ଟ୍ରବେରୀ ଚାଷ ପାଇଁ ଜିଲ୍ଲା ପ୍ରଶାସନ ମନ ବଳାଇଥିଲେ ।
ପ୍ରଶାସନ କରୁଛି ସହାୟତା
ଏ ବାବଦରେ ଆଇଟିଡିଏ ପ୍ରକଳ୍ପ ପରିଚାଳକ ସତ୍ୟରଞ୍ଜନ ମହାନ୍ତି କହିଛନ୍ତି ପ୍ରକଳ୍ପ ଆରମ୍ଭ ହେବାକୁ ଜିଲ୍ଲାପ୍ରଶାସନର ଆନ୍ତରିକତା ପରେ ଆମେ କୋଟିଆର ଅଧିକାଂଶ ଗାଁକୁ ଯାଇ କ୍ଷେତ୍ର ପରିଦର୍ଶନ କରିବା ପରେ ଦୋଳିଆମ୍ବ ଗାଁକୁ ଷ୍ଟ୍ରବେରୀ ଚାଷ ପାଇଁ ଉପଯୁକ୍ତ ମଣିଥିଲୁ । ପରେ ଗାଁ ଲୋକଙ୍କ ସହ ଆଲୋଚନା ପରେ ସେଠାରେ ଚାଷ ଆରମ୍ଭ କରାଯାଇଥିଲା । ଏଥିପାଇଁ ଆନ୍ଧ୍ରପ୍ରଦେଶର ଆରକୁରୁ ସଫଳ ଚାଷୀ, ଉଦ୍ୟୋଗୀ ଓ ତାଲିମଦାତାଙ୍କୁ ଅଣାଯାଇଛି । ସେମାନଙ୍କ ସହାୟତାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର କର୍ମକର୍ତା ଓ ଗାଁ ଲୋକଙ୍କୁ ତାଲିମ ବି ଦିଆଯାଇଛି । ମାଟି ପରୀକ୍ଷାଠାରୁ ଆରମ୍ଭ କରି ଜମି ପ୍ରସ୍ତୁତ, ଜଳସିଂଚନ ଭଳି ସମସ୍ତ ଆନୁସଙ୍ଗିକ କାମକୁ ବିଶେଷଜ୍ଞ ଦଳ ସହାୟତାରେ କରାଯାଇଥିଲା । ଫଳସ୍ୱରୂପ ଏବେ ଜମିରୁ ଷ୍ଟ୍ରବେରୀ ଅମଳ ହେବା ଆରମ୍ଭ ହୋଇଛି । ଯାହାକି ଜୁଲାଇ ମାସ ପର୍ଯ୍ୟନ୍ତ ଚାଲିବ ଓ ଦୋଳିଆମ୍ବ ଗାଁର ସମସ୍ତ ଆଦିବାସୀ ପରିବାରକୁ ଆର୍ଥିକ ସ୍ୱାବଲମ୍ବୀ କରିବା ଦିଗରେ ଫଳପ୍ରଦ ସାବ୍ୟସ୍ତ ହେବ । ଆସନ୍ତା ତିନି ବର୍ଷ ପର୍ଯ୍ୟନ୍ତ ପରୀକ୍ଷାମୂଳକ ଭାବେ ଏହି ଚାଷ ଆରମ୍ଭ କରାଯାଇଥିବା ବେଳେ ଏଥିପାଇଁ ଏକର ପିଛା ପାଖାପାଖି ୩୦ ଲକ୍ଷ ୧୫ ହଜାର ଟଙ୍କା ଖର୍ଚ୍ଚ ହେଉଛି । ଅପରପକ୍ଷେ ପ୍ରତି ଥର ଅମଳରେ ଏକର ପିଛା ୧୨ ଲକ୍ଷ ୫୦ ହଜାର ଟଙ୍କା ଲେଖାଏଁ ୫ ଏକରରେ ୬୨ ଲକ୍ଷ ୫୦ ହଜାର ଟଙ୍କା ଆୟ କରାଯାଉଛି ।
ଭିଟାମିନ୍ ସି ଓ ଆଇରନ୍ରେ ଭରପୁର ଥିବା ଷ୍ଟ୍ରବେରୀ ପାଇଁ ଅନ୍ୟ ରାଜ୍ୟ ଉପରେ ନିର୍ଭର କରିବାକୁ ପଡୁଥିବା ବେଳେ କୋଟିଆର ଜଳବାୟୂ ଏହି ଚାଷ ପାଇଁ ଉପଯୁକ୍ତ ବୋଲି ଜଣାଯାଇଛି । ଏଥିପାଇଁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟଙ୍କଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ଖର୍ଚ୍ଚ ଯୋଗାଇ ଦେଇଥିଲେ ଜିଲ୍ଲା ପ୍ରଶାସନ ।
ଚୁକୁଟିଆ ଭୁଞ୍ଜିଆ ଜନଜାତିଙ୍କ ଖେତରେ ଷ୍ଟ୍ରବେରୀ
ନୂଆପଡା ଜିଲ୍ଲା ଚୁକୁଟିଆ ଭୁଞ୍ଜିଆ ଜନଜାତିଙ୍କ ଜମିରେ ଫଳୁଛି ଷ୍ଟ୍ରବେରୀ । କେବଳ ରୂପ ପ୍ରତି ଆକର୍ଷଣ ହୋଇ ନୁହେଁ ବରଂ ସେମାନଙ୍କ ଆର୍ଥକ ମାନଦଣ୍ଡରେ ବିକାଶ କରୁଥିବାରୁ ଏହି ଜନଜାତିର କିଛି ମହିଳା ଷ୍ଟ୍ରବେରୀ ଚାଷ କରିବାକୁ ମନ ବଳାଇଛନ୍ତି । ନୂଆପଡା ଜିଲ୍ଲାର ସୁନାବେଡା ଗ୍ରାମପଂଚାୟତର ଦୁଇଟି ଗାଁର ମହିଳାମାନେ ପାଖାପାଖି ୧୦ ଏକର ଜାଗାରେ ଏହାକୁ କରିଛନ୍ତି । ଚୁକୁଟିଆ ଭୁଞ୍ଜିଆ ଜନଜାତିଙ୍କ ବିକାଶ ପାଇଁ କାମ କରୁଥିବା ହିମାଂଶୁ କୁମାର ମହାପାତ୍ର କହିଛନ୍ତି; ୧୯୯୪ ମସିହାରୁ ରାଜ୍ୟ ସରକାରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆମେ ସେମାନଙ୍କ ବିକାଶ ପାଇଁ କାମ କରୁଛୁ । ଏ ବବାଦରେ ସୋନାବାହିଲି ଗାଁର ମିନା ଜାରକା କହନ୍ତି ପ୍ରଥମ କରି ଆମେ ୨୦୨୧ବର୍ଷରୁ ଷ୍ଟ୍ରବେରୀ ଚାଷ ଆରମ୍ଭ କରିଛୁ । ଅନ୍ୟ ଚାଷ ତୁଳନାରେ ଏହା ବେଶ ଲାଭଦାୟକ । ଗତବର୍ଷ ଏକ ଏକର ଜାଗାରୁ ଆମେ ପାଖାପାଖି ୬ ଲକ୍ଷ ଟଙ୍କା ଲାଭ କରିପାରଥିଲୁ । ଏଥିପାଇଁ ଚୁକୁଟିଆ ଭୁଞ୍ଜିଆ ବିକାଶ କର୍ତୃପକ୍ଷ ଆମକୁ ୁଭୟ ଆର୍ଥିକ ଓ ବୈଷୟିକ ସହାୟତା ପ୍ରଦାନ କରୁଛନ୍ତି । ନୂଆପଡା, କମନା, ସିନାପାଲି ଓ ଖରିଆରର ସ୍ଥାନୀୟ ବଜାରରେ ଏହା କିଲୋପ୍ରତି ୪୦୦ ଟଙ୍କାରେ ବିକ୍ରି ହେଉଛି । ବଢ଼ୁଥିବା ଆୟକୁ ଆଖି ଆଗରେ ରଖି ଆସନ୍ତା ବର୍ଷ ଜିଲ୍ଲାର ୬୦ ଏକର ଜାଗାରେ ଏହାକୁ କରିବାକୁ ଲକ୍ଷ୍ୟ ରଖାଯାଇଥିବା ଶ୍ରୀ ମହାପାତ୍ର କହିଛନ୍ତି ।