ନିକଟରେ ନୟାଗଡ ଦଶପଲ୍ଲାରେ ଆୟୋଜିତ ହୋଇଯାଇଛି ପାରମ୍ପରିକ ଆଦିବାସୀ ଖାଦ୍ୟ ମେଳା । ଗାଁ ସ୍ତରରେ ଆଦିବାସୀ ଲୋକଙ୍କ ମଧ୍ୟରେ ଜଙ୍ଗଲରେ ଉତ୍ପାଦିତ ଖାଦ୍ୟ ପ୍ରତି ସଚେତନତା ବୃଦ୍ଧି ଉଦ୍ଦେଶ୍ୟରେ ନିର୍ମାଣ ସଂସ୍ଥା ପକ୍ଷରୁ ଆୟୋଜିତ ହୋଇଥିଲା ଏହି ଖାଦ୍ୟ ମେଳା । ଯେଉଁଥିରେ ଆଖପାଖ ଅଂଚଳର ପ୍ରାୟ ୫୦ କନ୍ଧ ସଂପ୍ରଦାୟର ମହିଳା ଯୋଗଦେଇ ୨୦୦ ପ୍ରକାରର ଶାଗ, ପିଠା, ମିଠା ଓ ଭଜାଭଜି ପ୍ରସ୍ତୁତ କରି ପ୍ରଦର୍ଶିତ କରିଥିଲେ । ଏହି ମେଳାରେ ଅନେକ ଖାଦ୍ୟ ପରଷା ଯାଇଥିଲା ଯାହାକି ଧିରେ ଧିରେ ବର୍ତମାନର ପିଢି ଭୁଲିବାକୁ ବସିଲେଣି । ଏଭଳି ମେଳାର ଆୟୋଜନ ଆଦିବାସୀ ଖାଦ୍ୟକୁ ସାଧାରଣ ଲୋକଙ୍କଠାରେ ପରିଚିତ କରାଇବ ବୋଲି ଆଶା ରଖାଯାଇଛି ।
ଭୁବନେଶ୍ୱର ;
ମସିହା ଭଜା, ଗହମ ଲଡୁ, ରାଶି କୋଳଥ ଚାଉଳ ଭଜା, ମାଣ୍ଡିଆ କ୍ଷୀରି, ସୁଆଁ କ୍ଷୀରି, କଲରା ଭଜା, ଛତୁ ଭଜା ସାଙ୍ଗକୁ ବିଭିନ୍ନ ପ୍ରକାରର ଶାଗ, ପିଠା, ମିଠା- ଏମିତି ପ୍ରାୟ ୨୦୦ ପ୍ରକାରର ବିଭିନ୍ନ ରକମର ଖ।।ଇବା ପ୍ରସ୍ତୁତ କରି ନୟାଗଡ ଜିଲ୍ଲା ଦଶପଲ୍ଲା ବ୍ଲକ ଗମ୍ଭାରୀଖୋଲ ଅଂଚଳର କନ୍ଧ ସଂପ୍ରଦାୟର ଆଦିବାସୀ ମହିଳାମାନେ ଆୟୋଜନ କରିଥିଲେ ଖାଦ୍ୟ ମେଳା । ଉଦ୍ଦେଶ୍ୟ – ଜଙ୍ଗଲରୁ ସଂଗୃହିତ ଆଳୁ, କଡବା, କନ୍ଦମୂଳ, ଚେର, ଛତୁ, ଶାଗ, ଶସ୍ୟ ଓ ଫଳକୁ ନେଇ ପ୍ରସ୍ତୁତ ବିଭିନ୍ନ ପ୍ରକାରର ପୁଷ୍ଟିକର ଖାଦ୍ୟ ଧିରେ ଧିରେ ହଜି ଯିବାକୁ ବସିଥିବା ବେଳେ ସେଗୁଡିକୁ ପୁଣି ପ୍ରସ୍ତୁତ କରିବା ଓ ତାକୁ ପ୍ରତିଦିନର ଖାଇବା ଥାଳିରେ ସାମିଲ କରିବା ବିଷୟରେ ଆଗାମୀ ପିଢିକୁ ଜଣାଇବା । ଏହି ଖାଦ୍ୟ ମେଳାର ପରିବେଶ ମଧ୍ୟ ବେଶ ସୁନ୍ଦର ଥିଲା । ଚାରିଆଡେ ପାହାଡ ଘେରା ତା ମଝିରେ ଗୋଟେ ବଡ ଆମ୍ବ ଗଛ ତଳେ ଶାମିୟାନା ବନ୍ଧାଯାଇ ମେଳାର ଆୟୋଜନ କରାଯାଇଥିଲା । ଆମ୍ବଗଛ ମୂଳରେ ସେମାନଙ୍କ ଦେବତା (ଧରଣୀ ପେନୁ) ଙ୍କୁ ସ୍ଥାପନ କରାଯାଇ ପ୍ରଥମେ ସେଠି ପୂଜା କରାଯାଇ ଭୋଗ ଲଗାଯିବା ପରେ ମେଳା ଆରମ୍ଭ କରାଗଲା । ଆଖପାଖ ଗାଁ ର ପ୍ରାୟ ୫୦ରୁ ଅଧିକ ମହିଳା ପାଛିଆ, ଡେକଚି, ବଡ ବଡ ଥାଳିରେ ଘରେ ତିଆରି କରିଥିବା ଖାଇବା ଆଣି ପତ୍ର ତାଟିଆରେ ସଜେଇ ଦେଖଣାହାରୀଙ୍କ ପାଇଁ ରଖିଲେ । କିଏ ସେମାନଙ୍କ ପାଇଁ ରଖାଯାଇଥିବା ଟେବୁଲ ଉପରେ ତ ପୁଣି କିଏ ଧଳା ଚାଦର ପାରି ବସି ପଡିଲେ ଆଣିଥିବା ରକମ ରକମର ଖାଇବାର ପସରା ମେଲାଇ । ପ୍ରତି ଘରର ପ୍ରାୟ ସବୁ ବୟସର ମହିଳା ମିଶି ଜଣକା ୩ ରୁ ୪ ପ୍ରକାରର ଖାଇବା ପ୍ରସ୍ତୁତ କରିଥିଲେ ।
ଘରୁ ଆଣିଥିବା ଏହି ଖାଇବା ଗୁଡିକୁ ମେଳା ପାଇଁ ପତ୍ର ତାଟିଆରେ ସଜେଇ ରଖିବା ବେଳେ ସାବିତ୍ରୀ ଜାନୀ କହୁଥାନ୍ତି, ଏଥିପାଇଁ ସେ ପ୍ରାୟ ସପ୍ତାହେ ଧରି ପ୍ରସ୍ତୁତ ହେଉଥିଲେ । ତାଙ୍କ ହାତ ତିଆରି ବିଭିନ୍ନ ଖାଦ୍ୟର ପ୍ରଣାଳୀ ବିଷୟରେ କହିବା ସହ ସେ ମସିହା ତିଆରି ବିଷୟରେ କହିଥିଲେ । ଜଙ୍ଗଲରୁ ମସିହା (ଏକ ପ୍ରକାରର କନ୍ଦା) ସଂଗ୍ରହ କରି ଆଣିବା ପରେ ତାକୁ ଭଲ ଭାବେ ଧୋଇ ବୋହିଯାଉଥିବା ପାଣି ଧାରରେ ରାତି ସାରା ରଖନ୍ତି, ତାପରେ ତାର ଚୋପା ଛଡାଇ ଛୋଟ ଛୋଟ ଚିପସ୍ ଆକାରରେ କାଟି ତେଲରେ ଭାଜନ୍ତି ତାପରେ ଯାଇ ଏହା ଖାଇବା ପାଇଁ ପ୍ରସ୍ତୁତ ହୁଏ । ଏମିତି ବି କିଛି ଖାଦ୍ୟ ଅଛି ଯାହା ତିଆରି କରିବାକୁ ସେମାନଙ୍କୁ ୨-୩ ଦିନ ଲାଗିଯାଏ । ଦୁଲଣା କହନ୍ତି, ଜଙ୍ଗଲରୁ ସଂଗୃହିତ ଜିନିଷରୁ ସେମାନେ ବିଭିନ୍ନ ପ୍ରକାରର ସୁଆଦିଆ ଖାଇବା ତିଆରି କରିପାରନ୍ତି । ଏସବୁ ସେମାନେ ତାଙ୍କ ମା ଓ ଜେଜେମା ଠୁ ଶିଖିଛନ୍ତି ।
ତେବେ ବର୍ତମାନ ପିଢିର ପିଲାଏ ଏ ପାରମ୍ପରିକ ଖାଦ୍ୟକୁ ପସନ୍ଦ କରୁଛନ୍ତି ନା ନାହିଁ ସେ ବିଷୟରେ ପଚାରିବାରୁ ପ୍ରମିଳା ଜାନୀ କୁହନ୍ତି, ଆମ ପିଲାମାନେ ବଜାରରେ ମିଳୁଥିବା ଫାଷ୍ଟଫୁଡ ଯେମିତି ଚାଉମିନ, ରୋଲ ଖାଇବାକୁ ଜିଦ ଧରନ୍ତି । ଆମେ ତ ସେଗୁଡିକ ତିଆରି କରିବାକୁ ଜାଣିନେ କିନ୍ତୁ ଆମେ ତାଙ୍କୁ ସୁଆଦିଆ ଲାଗିଲା ଭଳି ଖାଇବା ତିଆରି କରୁ ଓ ସେମାନେ ଖୁସିରେ ଖାଇଦିଅନ୍ତି ।
ଜଙ୍ଗଲୀ ଖାଦ୍ୟ ସହ ସଂପର୍କ
ସାବିତ୍ରୀ ଜାନୀ କୁହନ୍ତି, ଗୋଟେ ସମୟ ଥିଲା ଯେତେବେଳେ ତାଙ୍କ ପରିବାର ପାଖରେ ଖାଇବା ନଥିଲା, କି କିଣିବା ପାଇଁ ହାତରେ ପଇସା ନଥିଲା ସେମାନେ ଜଙ୍ଗଲରୁ ବିଭିନ୍ନ ପ୍ରକାରର କନ୍ଦମୂଳ ସଂଗ୍ରହ କରି ତାକୁ ଖାଇ ଚଳିଥିଲେ । ଏହି କନ୍ଦମୂଳ ଏତେ ପୁଷ୍ଟିକର ଓ ସୁସ୍ୱାଦୁ ଯେ ଆମେ ଏହାକୁ ଖାଇ ବହୁଦିନ ଯାଏଁ ରହିଯାଇଥିଲୁ । ସାବିତ୍ରୀ କୁହନ୍ତି, ଜଙ୍ଗଲରେ ବିଭିନ୍ନ ପ୍ରକାରର ମୂଳ, ଚେର, ଶାଗ ଓ ଛତୁ ମିଳେ ଯାହା ଦେହ ପାଇଁ ହିତକର ଓ ଖାଇବା ପାଇଁ ମଧ୍ୟ ସୁଆଦିଆ । ସେଥିପାଇଁ ତାଙ୍କ ଘରେ ଖାଦ୍ୟର ଅଭାବ ହୁଏ ନାହିଁ । ଦୁଲଣା ଜାନୀଙ୍କର ୫ ପିଲା । ସ୍ୱାମୀ ଚାଲିଯିବା ପରେ ପରିବାର ଚଳାଇବା ତାଙ୍କ ପାଇଁ କାଠିକର ହୋଇପଡିଲା । କିନ୍ତୁ ଜଙ୍ଗଲ ଯୋଗୁଁ ତାଙ୍କର ତାଙ୍କ ପରିବାରର କୌଣସି ପ୍ରକାରର ଖାଦ୍ୟର ଅଭାବ ରହିଲା ନାହିଁ ସେ କୁହନ୍ତି, ଜଙ୍ଗଲରୁ ନିୟମିତ କନ୍ଦମୂଳ, ବିଭିନ୍ନ ପ୍ରକାରର ଶାଗ ଓ ଛତୁ ସଂଗ୍ରହ କରି ସେ ତାଙ୍କ ପିଲାଙ୍କ ପେଟ ପୋଷିଛନ୍ତି । ଏଣୁ ଜଙ୍ଗଲୀ ଖାଦ୍ୟ ସହ ସେମାନଙ୍କ ସଂପର୍କ ହେତୁ ପାଇବା ଦିନରୁ ।
ଚଳିତବର୍ଷ ଅଗଷ୍ଟ ମାସରୁ ଦଶପଲ୍ଲା ବ୍ଲକର ବିଭିନ୍ନ ଗାଁରେ କନ୍ଧ ସଂପ୍ରଦାୟର ମହିଳା ମାନଙ୍କୁ ନେଇ ପ୍ରାୟ ୧୮ଟି ଆଦିବାସୀ ପାରମ୍ପରିକ ଖାଦ୍ୟ ମେଳାର ଆୟୋଜନ କରାଯାଇଛି । ସ୍ୱେଚ୍ଛାସେବୀ ସଂସ୍ଥା ନିର୍ମାଣ ଯାହାକି ଗତ ୧୦ବର୍ଷରୁ ଉର୍ଦ୍ଧ ସମୟ ଧରି ନୟାଗଡ, ରାୟଗଡା ଜିଲ୍ଲାର ବିଭିନ୍ନ ବ୍ଲକରେ ଆଦିବାସୀଙ୍କ ଜଙ୍ଗଲ ଅଧିକାର ଓ ଲାଇଭଲିହୁଡ ପାଇଁ କାର୍ଯ୍ୟ କରିଆସୁଛି ଏହି ଖାଦ୍ୟ ମେଳାକୁ ଆୟୋଜନ କରିବା ସହ ବିଭିନ୍ନ ପ୍ରକାରର ପାରମ୍ପରିକ ଖାଦ୍ୟ ପ୍ରସ୍ତୁତି କ୍ଷେତ୍ରରେ ପ୍ରୋତ୍ସାହିତ କରୁଛି ।ନିର୍ମାଣ ସଂସ୍ଥାର ମୁଖ୍ୟ ପ୍ରଶାନ୍ତ ମହାନ୍ତି ଏହି ଖାଦ୍ୟ ମେଳାର ଆୟୋଜନ ବିଷୟରେ ସୂଚନା ଦେଇ କୁହନ୍ତି, ଆଦିବାସୀ ମାନେ ମୂଳତଃ ଜଙ୍ଗଲ ଉପରେ ନିର୍ଭର କରନ୍ତି ଓ ଏଥିରୁ ସଂଗୃହିତ ଅନେକ ପ୍ରକାରର ଶାଗ, ଛତୁ, ମୂଳକୁ ନେଇ ଖାଦ୍ୟ ପ୍ରସ୍ତୁତ କରିଖାଆନ୍ତି । କିନ୍ତୁ ସମୟ ଅନୁସାରେ ଅନେକ ପାରମ୍ପରିକ ପୌଷ୍ଟିକ ଖାଦ୍ୟ ସେମାନଙ୍କ ପ୍ଲେଟରୁ ଉଭାନ ହେବାରେ ଲାଗିଛି । ଆଗାମୀ ପିଢି ପାଖରେ ଏହି ପାରମ୍ପରିକ ଖାଦ୍ୟ ରାନ୍ଧିବାର ଜ୍ଞାନ କୌଶଳ କିପରି ସଂରକ୍ଷିତ ରହିପାରିବ ସେ ନେଇ ଏହି ମେଳାର ଆୟୋଜନ କରାଯାଉଛି ।
ଏହି ଖାଦ୍ୟ ମେଳାକୁ ଆମେ ବଡ ବଡ ସହରରେ ଆୟୋଜନ କରି ସହରୀ ଲୋକଙ୍କ ପାଖରେ ପରିଚିତ କରାଇବା ଓ ଆଦିବାସୀ ମହିଳାଙ୍କୁ ସଶକ୍ତ କରିବାର ଯୋଜନା ରଖିଛୁ ବୋଲି ସେ ଏହି ଅବସରରେ କହିଛନ୍ତି ।
ସ୍ଲୋ ଫୁଡ କ୍ୟାମ୍ପେନ
ଝାଡଖଣ୍ଡରୁ ଆସିଥିବା ଅରୁଣା ତିର୍କୀ ଯିଏକି ରାଂଚିରେ ପାରମ୍ପରିକ ଆଦିବାସୀ ଖାଦ୍ୟକୁ ନେଇ ଏକ ରେଷ୍ଟୁରାଂଟ ଚଳାଉଛନ୍ତି ଓ ବିଶ୍ୱରେ ଚାଲିଥିବା ସ୍ଲୋ ଫୁଡ କ୍ୟାମ୍ପେନ (ଧୀମା ଖାଦ୍ୟ ଅଭିଯାନ)ର ଅନ୍ୟତମ ସଦସ୍ୟ ଏହି ଅବସରରେ ଯୋଗଦେଇ କହିଥିଲେ ଯେ, ଆଦିବାସୀ ମାନେ ଚାଷ କରୁଥିବା ଖାଦ୍ୟଶସ୍ୟକୁ ଅନେକ ସମୟରେ ଗରୀବ ଲୋକଙ୍କ ଖାଦ୍ୟ କହି ଅନେକେ ଏଡେଇ ଯାଆନ୍ତି କିନ୍ତୁ ଏବେ ମାଣ୍ଡିଆ ସହରୀ ଲୋକଙ୍କ ପସନ୍ଦିଦା ଖାଦ୍ୟ ହୋଇପାରିଛି । ଜଙ୍ଗଲରେ ଉତ୍ପାଦିତ ଏମିତି ଅନେକ ଚେର ମୂଳ, ଛତୁ, ଶାଗ ଓ ଶସ୍ୟ ରହିଛି ଯାହାକି ସ୍ୱାସ୍ଥ୍ୟ ପାଇଁ ବେଶ ଉପଯୋଗୀ ଏବଂ ଏଗୁଡିକୁ ଭଲଭାବେ ପରଷା ଗଲେ ଏହା ସହରୀ ଲୋକଙ୍କ ପାଖରେ ମଧ୍ୟ ପରିଚିତି ପାଇପାରିବ । ଫାଷ୍ଟଫୁଡ ପ୍ରତି ଆଗ୍ରହ ଯୋଗୁଁ ଏହା ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଉଛି । ଏଣୁ ବିଶ୍ୱସ୍ତରରେ ସ୍ଲୋ ଫୁଡ କ୍ୟାମ୍ପେନ ଆରମ୍ଭ ହୋଇଛି । କନ୍ଧ ମହିଳାଙ୍କ ଦ୍ୱାରା ପ୍ରସ୍ତୁତ ଏହି ଖାଦ୍ୟକୁ ନେଇ ସେମାନେ ମଧ୍ୟ ଏହି କ୍ୟାମ୍ପେନରେ ସାମିଲ ହେବା ଆବଶ୍ୟକ ବୋଲି କହିଥିଲେ ।
ନୟାଗଡ ଦଶପଲ୍ଲାରେ ଆୟୋଜିତ ହୋଇଥିବା ଏହି ଆଦିବାସୀ ଖାଦ୍ୟମେଳାରେ କନ୍ଧ ସଂପ୍ରଦାୟର ମହିଳାମାନେ ପ୍ରାୟ ୨୦୦ ପ୍ରକାରର ଖାଦ୍ୟ ପ୍ରସ୍ତୁତ କରିଥିଲେ । ଏ ଦିଗରେ ସରକାରୀ ପ୍ରୋତ୍ସାହନ ମିଳିଲେ ସେମାନେ ଏହାକୁ ନେଇ ଆଗକୁ ବଢି ପାରିବେ ବୋଲି କହିଥିଲେ ।