ମହିଳାଙ୍କ ପ୍ରତି ହେଉଥିବା ହିଂସା ନିଶ୍ଚିତ ଭାବେ ଏକ ଗମ୍ଭୀର ସମସ୍ୟା । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଆକଳନ ଅନୁସାରେ ବିଶ୍ୱରେ ପ୍ରତି ୩ଜଣରେ ଜଣେ ମହିଳା ନିଜ ପାର୍ଟନର (ସାଥୀ) ଙ୍କ ଦ୍ୱାରା ଶାରୀରିକ ବା ଯୌନ ନିର୍ଯାତନାର ଶିକାର ହୋଇଥାଆନ୍ତି । ଭାରତରେ ମଧ୍ୟ ଏସଂଖ୍ୟା ପ୍ରାୟତଃ ସମାନ -ପ୍ରତି ୩ ଜଣରେ ଜଣେ ମହିଳା ତାଙ୍କ ପାର୍ଟନର (ବିବାହିତ ସମ୍ପର୍କ ଅବା ଲିଭ-ଇନରେ ରହୁଥିବା ସମ୍ପର୍କର ସାଥୀ) ଙ୍କ ଦ୍ୱାରା ହିଂସାର ଶିକାର ହୁଅନ୍ତି । ଯଦି ଓଡ଼ିଶା ପରିପ୍ରେକ୍ଷୀରେ ଦେଖାଯାଏ ୨୦୧୯ ରୁ୨୦୨୨ ମଧ୍ୟରେ ରାଜ୍ୟରେ ୧୦,୧୨୯ ଜଣ ଦୁଷ୍କର୍ମର ଶିକାର ହୋଇଛନ୍ତି । ଏନସିଆରବି ରିପୋର୍ଟ ଅନୁସାରେ ୨୦୧୯ରେ ଦିନକୁ ୯ଜଣ ଦୁଷ୍କର୍ମ ର ଶିକାର ହୋଇଛନ୍ତି । ପ୍ରତିବର୍ଷ ନଭେମ୍ବର ୨୫ ତାରିଖରୁ ଆନ୍ତର୍ଜାତିକ ମହିଳା ବିରୋଧୀ ହିଂସା ମୁକ୍ତ ଦିବସ ଆରମ୍ଭ ହେବା ସହ ସାରା ବିଶ୍ୱରେ ୧୬ ଦିନ ବ୍ୟାପୀ ଲିଙ୍ଗଗତ ହିଂସା ବିରୁଦ୍ଧରେ ଏକ ଆନ୍ଦୋଳନ ଚାଲେ । ଯାହାର ଉଦ୍ଦେଶ୍ୟ ହେଉଛି ମହିଳାଙ୍କ ପ୍ରତି ହେଉଥିବା ହିଂସାକୁ ରୋକିବା ଏବଂ ଲିଙ୍ଗଗତ ସଚେତନତା ସୃଷ୍ଟି କରିବା । ବିଶେଷଜ୍ଞଙ୍କ ମତରେ ସଭିଏଁ ଏକଜୁଟ ହେଲେ ଓ ସବୁସ୍ତରରେ ସ୍ୱର ଉତୋଳନ ହେଲେ ଏହାକୁ ରୋକିବା ନିଶ୍ଚିତ ଭାବେ ସମ୍ଭବ ହେବ ।
ଭୁବନେଶ୍ୱର ;
ଓଡ଼ିଶାରେ ମହିଳାଙ୍କ ପ୍ରତି ବଢୁଥିବା ହିଂସାକୁ ରୋକିବା ଓ ଲିଙ୍ଗଗତ ସଚେତନତା ପାଇଁ କି କି ପଦେକ୍ଷପ ନେବା ଦରକାର ସେ ବିଷୟରେ ଉତ୍କଳ ବିଶ୍ୱବିଦ୍ୟାଳୟର ସମାଜ ବିଜ୍ଞାନ ବିଭାଗ ମୁଖ୍ୟ ତଥା ୱିମେନ ଷ୍ଟଡିଜର ପୂର୍ବତନ ଡାଇରେକ୍ଟର ପ୍ରଫେସର ଡକ୍ଟର ନବନୀତା ରଥଙ୍କ ସହ ଷ୍ଟୋରିଜ ଓଡ଼ିଶା ଆଲୋଚନା କରିଥିଲା । ଏହି ସାକ୍ଷାତକାରରୁ ବାହାରିଥିବା ନିଷ୍କର୍ଷକୁ ଏଠି ଉପସ୍ଥାପନ କରାଗଲା ।
ପ୍ରଶ୍ନ- ନ୍ୟାସନାଲ କ୍ରାଇମ ରେକର୍ଡସ ବ୍ୟୁରୋ (ଏନସିଆରବି) ରିପୋର୍ଟ ଅନୁସାରେ୨୦୧୨ରେ ରାଜ୍ୟରେ ଦିନକୁ ୩ଜଣ ଦୁଷ୍କର୍ମର ଶିକାର ହେଉଥିବା ବେଳେ ୨୦୨୧ରେ ଏହା ବଢି ୯ ଜଣରେ ପହଂଚିଛି । ଏହି ରିପୋର୍ଟ କହୁଛି ରାଜ୍ୟରେ ମହିଳାଙ୍କ ପ୍ରତି ହେଉଥିବା ହିଂସାରେ ୨୩ ପ୍ରତିଶତ ବୃଦ୍ଧି ଘଟିଛି । ପ୍ରତିବର୍ଷ ମହିଳାଙ୍କ ପ୍ରତି ବଢୁଥିବା ହିଂସାର କାରଣ କଣ ହୋଇଥାଇ ପାରେ ?
ଉ- ନିର୍ଭୟା ଗଣଦୁଷ୍କର୍ମ ପରେ ଏହା ଦେଖାଯାଇଛି ଯେ ଅନେକ ମହିଳା ଓ ତାଙ୍କ ପରିବାର କେସ ରିପୋର୍ଟ କରୁଛନ୍ତି ଏଣୁ ଦୁଷ୍କର୍ମ ରିପୋର୍ଟ ସଂଖ୍ୟା ବଢିଛି । କିନ୍ତୁ ଏକଥା ମଧ୍ୟ ସତ ଯେ ମହିଳାଙ୍କ ପ୍ରତି ହିଂସା ବି ବଢିଛି । ଏହାର ଅନେକ କାରଣ ରହିଛି ଯେପରିି- ପିତୃକେନ୍ଦ୍ରିକ ସମାଜରେ ମହିଳାଙ୍କୁ ଜଣେ ବ୍ୟକ୍ତି ନୁହେଁ ବରଂ ବସ୍ତ୍ୁ ଭାବେ ଦେଖାଯାଏ । ବିଭିନ୍ନ ବିଜ୍ଞାପନରେ ମହିଳାମାନଙ୍କୁ ବସ୍ତ୍ୁ ଭାବେ ବ୍ୟବହାର କରିବା, ଫିଲ୍ମରେ ଅଯଥା ବିଭିନ୍ନ ଉତେଜକପୂର୍ଣ ଦୃଶ୍ୟ ଦେଖାଇବା, ମିଡିଆରେ ହିଂସା ସମ୍ପର୍କିତ ଖବରକୁ ଅଯଥା ବଖାଣିବା, ସୋସିଆଲ ମିଡିଆରେ ମହିଳାଙ୍କ ବିଷୟରେ ଆଲୋଚନା ଓ ଟ୍ରୋଲ କରିବା ଅନେକ ସମୟରେ ମହିଳାଙ୍କ ପ୍ରତି ହିଂସାକୁ ବଢାଇବାରେ ସହାୟକ ହେଉଛି । ଏସବୁ ଛଡା, ହିଂସା କରୁଥିବା ବ୍ୟକ୍ତି ବିରୁଦ୍ଧରେ ତତକ୍ଷଣାତ କାର୍ଯ୍ୟନୁଷ୍ଠାନ ନନେବା ମଧ୍ୟ ଅଭିଯୁକ୍ତକୁ ଓ ଅନ୍ୟ ଯୁବକଙ୍କୁ ଏଭଳି କାର୍ଯ୍ୟ ନିୟମିତ କରିବାପାଇଁ ଏକପ୍ରକାରର ପ୍ରୋତ୍ସାହିତ କରୁଛି କହିଲେ ଭୁଲ ହେବନାହିଁ । ଅନ୍ୟ କାରଣ ଗୁଡିକ ମଧ୍ୟରେ ଚାକିରୀର ଅଭାବ, ଶିକ୍ଷାର ଅଭାବ, ହିଂସା ପ୍ରବଣ ମାନସିକତା ଏବଂ ସମାଜରେ ପରିବାରବୋଧରୁ ଦୂରେଇ ଯାଇ ଯୁବପିଢି ଏକାକିତ୍ୱକୁ ଆପେଣଇବା ଓ ନିଜକୁ ଅଗ୍ରାଧିକାର ଦେବା ଇତ୍ୟାଦି ।
ପ୍ରଶ୍ନ- ମହିଳାଙ୍କ ପ୍ରତି ହେଉଥିବା ହିଂସା କମାଇବା ରାଜ୍ୟ ସରକାରଙ୍କ ମୁଖ୍ୟ ଆଜେଣ୍ଡା ଥିଲେ ମଧ୍ୟ କାହିଁକି ଏଥିରେ ଅଙ୍କୁଶ ଲାଗିପାରୁନାହିଁ । କେଉଁଠି ସମସ୍ୟା ରହୁଛି ବୋଲି ଆପଣ ଭାବୁଛନ୍ତି ?
ଉ- ଏହା କେବଳ ଏକ ପ୍ରଚାର କହିଲେ ଭୁଲ ହେବ ନାହିଁ । ସରକାର ମହିଳା ସଶକ୍ତିକରଣ କଥା କହୁଛନ୍ତି କିନ୍ତୁ ମହିଳାଙ୍କ ସୁରକ୍ଷା ବିଷୟରେ ଆଦୌ କେହି ଚିନ୍ତା କରୁନାହାନ୍ତି । ମହିଳାମାନେ ଯଦି କୌଣସି ପ୍ରକାରର ହିଂସାର ସମ୍ମୁଖୀନ ହୁଅନ୍ତି ଏଥିପାଇଁ ମହିଳା ଓ ଶିଶୁ ଡେସ୍କ, ଆଇସିସି (ଇଂଟରନାଲ କପ୍ଲେନ କମିଟି) ଗୁଡିକ ଅଛି କିନ୍ତୁ ଅନେକ ସ୍ଥାନରେ ଏଗୁଡିକ ଠିକ ଭାବେ କାର୍ଯ୍ୟ କରୁନାହିଁ । ପବ୍ଲିକ ସ୍ପେସ ବା ସର୍ବସାଧାରଣଙ୍କ ସ୍ଥାନ ମହିଳାଙ୍କ ପାଇଁ ଆଦୌ ସୁରକ୍ଷିତ ନୁହେଁ । ଏସବୁ ବାଦ ମହିଳାଙ୍କ ପ୍ରତି ହିଂସାକୁ କମାଇବା ପାଇଁ ସାଧାରଣ ଲୋକଙ୍କର ମଧ୍ୟ କିଛି ଦାୟିତ୍ୱ ରହିଛି । ପରିବାରରେ ହେଉ ବା ବାହାରେ ଉଭୟ ପୁରୁଷ ଓ ମହିଳା ପରସ୍ପରଙ୍କୁ ସମ୍ମାନ ଦେବା ଆବଶ୍ୟକ । ସ୍କୁଲ ଓ କଲେଜ ପାଠ୍ୟକ୍ରମରେ ଜେଣ୍ଡର ଷ୍ଟଡିଜକୁ ସାମିଲ କରିବା ଓ ସେମାନେ ପଢିବା ବେଳଠୁ ଉଭୟଙ୍କୁ ସମ୍ମାନ ଦେବା ବିଷୟରେ ଶିଖିଲେ ଏହା ଅନେକାଂଶରେ କମ ହୋଇପାରିବ ।
ପ୍ରଶ୍ନ- ଗତକିଛି ବର୍ଷହେବ ରାଜ୍ୟରେ ଅନଲାଇନ ନିର୍ଯାତନା ବଢିବାରେ ଲାଗିଛି । ସହମତି ଥାଇ ସମ୍ପର୍କ ହେଉ ଅବା ଜୋରଜବରଦସ୍ତ ଅନେକ ସମୟରେ ମହିଳାମାନେ ମୋବାଇଲ ଓ ସୋସିଆଲ ମିଡିଆ ଆଦି ପ୍ଲାଟଫର୍ମର ଟ୍ରାପରେ ପଡିଯାଆନ୍ତି ଓ ବିଭିନ୍ନ ପ୍ରକାରର ସମସ୍ୟାର ସମ୍ମୁଖୀନ ହୁଅନ୍ତି । କିନ୍ତୁ ବର୍ତମାନ ସମୟରେ ମୋବାଇଲର ଯଥେଷ୍ଟ ଆବଶ୍ୟକତା ରହିଛି । ଏଣୁ ଏ ପରିସ୍ଥିତିରେ ମହିଳାମାନେ ନିଜକୁ ସୁରକ୍ଷିତ ରଖି କିଭଳି ଆଗକୁ ବଢିପାରିବେ ?
ଉ- ବର୍ତମାନ ଆବଶ୍ୟକତା ଦୃଷ୍ଟିରୁ ସମସ୍ତଙ୍କର ମୋବାଇଲ ଉପରେ ନିର୍ଭରଶୀଳତା ବଢିଯାଇଛି । କିନ୍ତୁ ମହିଳାମାନେ ପ୍ରଥମେ ନିଜେ ବୁଝିବା ଉଚିତ ଯେ ସେମାନେ ମୋବାଇଲ କାହିଁକି ବ୍ୟବହାର କରୁଛନ୍ତି । ଫେସବୁକ ବା ଅନ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମରେ ନିଜର ପର୍ସନାଲ ଫଟୋ ସେୟାର କରିବା, ଅଜଣା ଲୋକଙ୍କ ସହ ବନ୍ଧୁତା କରିବା, ଚାଟିଂ କରିବା ଆଦି ଠାରୁ ଦୂରେଇ ରହିବା ଆବଶ୍ୟକ । ଅନେକ ସମୟରେ ଦେଖାଯାଇଛି ଯେ ସେମାନେ ଖୁବଶୀଘ୍ର ଅନ୍ୟକୁ ବିଶ୍ୱାସ କରି ନିଜର ବହୁତ ପର୍ସନାଲ ଜିନିଷ ଓ ଫଟୋ ସେୟାର କରିଦେଉଛନ୍ତି ଏଥିରୁ ନିବୃତ ରହିବା ଦରକାର । ଏସବୁ ବାଦ, ପୋଲିସ ବିଭାଗ ମଧ୍ୟ ସାଇବର କ୍ରାଇମରେ ଅର୍ଥନୈତିକ ବା ଅନଲାଇନରେ ଟଙ୍କା ଲୁଟକୁ କେବଳ ଗୁରୁତ୍ୱ ନଦେଇ ମହିଳା ମାନେ ସମ୍ମୁଖୀନ ହେଉଥିବା ଅନଲାଇନ ହିଂସାକୁ ମଧ୍ୟ ଗୁରୁତର ସହ ନେବା ଉଚିତ , କାରଣ ଏଥିରେ ଅଭିଯୁକ୍ତ ଅଦୃଶ୍ୟ ଥାଏ ଓ ତାକୁ ସହଜରେ ଠାବ କରିବା ଜଣେ ମହିଳାଙ୍କ ପାଇଁ ବହୁତ ସମସ୍ୟା ହୁଏ । ଏଥିଯୋଗୁଁ ତାକୁ ଅନେକ ମାନସିକ ଯନ୍ତ୍ରଣା ସହିବାକୁ ପଡେ ।
ପ୍ରଶ୍ନ- ମହିଳାଙ୍କ ପ୍ରତି ହେଉଥିବା ହିଂସାକୁ ରୋକିବାପାଇଁ ଏକ ଲିଙ୍ଗଗତ ସଂବେଦନଶୀଳ ପରିବେଶର ଯଥେଷ୍ଟ ଆବଶ୍ୟକତା ରହିଛି । ଆର୍ଥିକ ବଜେଟରେ ଜେଣ୍ଡର ବଜେଟିଂ ପାଇଁ ଥିବା ଅର୍ଥକୁ ସଠିକ ଭାବେ ଖର୍ଚ୍ଚ କରାଯାଇପାରିଲେ ମହିଳାଙ୍କ ପାଇଁ ଏକ ଜେଣ୍ଡର ଫ୍ରେଣ୍ଡଲି ପରିବେଶ ସୃଷ୍ଟି କରାଯାଇପାରିବ । ଓଡ଼ିଶା ସରକାର ଏ କ୍ଷେତ୍ରରେ କେତେ ଯତ୍ନବାନ ?
ଉ- ଦେଶରେ ୨୦୦୫ ବର୍ଷରୁୁ ବାର୍ଷିକ ଆର୍ଥିକ ବଜେଟରେ ଜେଣ୍ଡର ବଜେଟ ଷ୍ଟେଟମେଂଟ କୁ ସାମିଲ କରାଯାଇଥିବା ବେଳେ ୨୦୧୨-୧୩ବର୍ଷରୁ ଓଡ଼ିଶା ସରକାର ଏହାକୁ ଆରମ୍ଭ କରିଛନ୍ତି । ଉଦ୍ଦେଶ୍ୟ ମହିଳାମାନଙ୍କ ପାଇଁ ସ୍ୱତନ୍ତ୍ର ଯୋଜନା ଓ କାର୍ୟ୍ୟକ୍ରମ ପ୍ରସ୍ତୁତ କରିବା ଓ ସେମାନଙ୍କ ଉନ୍ନତିକୁ ଅଗ୍ରାଧିକାର ଦେବା । ଏହାକୁ ଆଖିରେ ରଖି ସରକାରଙ୍କ ବିଭିନ୍ନ ବିଭାଗ ମଧ୍ୟ ଜେଣ୍ଡର ବଜେଟିଂ ପାଇଁ କିଛି ଅର୍ଥ ଆକଳନ କରିଛନ୍ତି । କିନ୍ତୁ ଦୁଃଖର ବିଷୟ ଅନେକ କ୍ଷେତ୍ରରେ ଏହା ସମ୍ପୂର୍ଣ୍ଣ ବ୍ୟବହାର ହୋଇପାରୁନାହିଁ । ନିର୍ଭୟା ଫଣ୍ଡ ମଧ୍ୟ ଅନେକ କ୍ଷେତ୍ରରେ ସଠିକ ଖର୍ଚ୍ଚ ହୋଇପାରୁ ନଥିବା ଅଭିଯୋଗ ହେଉଛି । ଏହାର ମୁଖ୍ୟ କାରଣ ହେଉଛି ଦୂରଦୃଷ୍ଟିର ଅଭାବ । ଏହାଛଡା ଯେଉଁ ଯୋଜନା ହେଉଛି ତାହା ଟପ ଡାଉନ ଆପ୍ରୋଚ ବା ଉପରୁ ତଳ ସ୍ତରକୁ ନେଇ ବଜେଟ ଆକଳନ ହେଉଛି କିନ୍ତୁ ଏହା ତଳୁ ଉପରସ୍ତରକୁ ନେଇ କାର୍ୟ୍ୟ କରାହେଲେ ଏହା ଠିକ ଭାବେ କାର୍ୟ୍ୟକାରୀ ହେବ । ବିଶେଷକରି କମ୍ୟୁନିଟୀର ମହିଳାଙ୍କୁ ସାମିଲ କରି କିଭଳି ଏକ ଲିଙ୍ଗଗତ ସମ୍ବେଦନଶୀଳ ପରିବେଶ ସୃଷ୍ଟି କରାଯାଇପାରିବ ତା ଉପରେ କାର୍ୟ୍ୟ କରାଯିବା ଦରକାର । କାରଣ ସେମାନେ ସାମିଲ ହୋଇପାରିଲେ ସେମାନେ କହିବେ ତାଙ୍କ ଅଂଚଳରେ କେଉଁ ସ୍ଥାନ ଗୁଡିକ ମହିଳାଙ୍କ ପାଇଁ ଅସୁରକ୍ଷିତ ଏବଂ କେଉଁ ସ୍ଥାନ ଗୁଡିକ ନୁହେଁ ।
ପ୍ରଶ୍ନ- ମହିଳାଙ୍କ ପ୍ରତି ହିଂସା ଆଲୋଚନା ବେଳେ ଆମେ ଅନେକ ସମୟରେ ଘରୋଇ ହିଂସାକୁ ଏଡାଇ ଦେଇଥାଉ । ଗାଁ ଗହଳରେ ଅନେକ ମହିଳା ଘରୋଇହିଂସାର ସମ୍ମୁଖୀନ ହେଲେ ମଧ୍ୟ କେଉଁଠାକୁ ଯିବେ ସେ ବିଷୟରେ ଜାଣନ୍ତି ନାହିଁ । ଘରୋଇ ହିଂସା ରୋକିବା କ୍ଷେତ୍ରରେ ସରକାର କି ପଦେକ୍ଷପ ନେବା ଦରକାର ବୋଲି ଆପଣ ଭାବୁଛନ୍ତି ?
ଉ- ଏକଥା ସତ ଯେ ଅନେକ ସମୟରେ ଏହା ମହିଳାଙ୍କ ସମସ୍ୟା, ପାରିବାରିକ ସମସ୍ୟା କହି ପରିବାରର ଅନ୍ୟମାନେ, ପଡୋଶୀ ଓ ଗାଁ ଲୋକେ ଏଡାଇ ଯାଆନ୍ତି କିନ୍ତୁ ପ୍ରକୃତରେ ଏହା ଏକ ସାମାଜିକ ସମସ୍ୟା । ଅନେକ ମହିଳା ଜାଣିନଥାନ୍ତି ଯେ ଘରୋଇ ହିଂସାର ଶୀକାର ହେଲେ ସେମାନେ କେଉଁଠାକୁ ଯିବେ, କାହାର ସାହାଯ୍ୟ ନେବେ ଇତ୍ୟାଦି । ଏଥିପାଇଁ ସରକାରୀ ସ୍ତରରେ ଉଦ୍ୟମ ହେବା ଆବଶ୍ୟକ ଯେପରି ପଂଚାୟତସ୍ତରରେ କାମ କରୁଥିବା ମହିଳାମାନଙ୍କୁ ଏଥିରେ ସାମିଲ କରିବା ଦରକାର । ଘରୋଇ ହିଂସାର ଶିକାର ହେଉଥିବା ମହିଳାଙ୍କୁ ହୋମ ସର୍ଭିସ ଭାବେ କାଉନସେଲିଂ ଓ ଆଇନଗତ ସେବା ଯୋଗାଇଦେବା ଦରକାର । କମ୍ୟୁନିଟୀରେ କାମ କରୁଥିବା ଓ ଶିକ୍ଷାନୁଷ୍ଠାନରେ ପାଠ ପଢୁଥିବା ଯୁବବର୍ଗଙ୍କୁ ଏଥିରେ ସାମିଲ କରିବା ଦରକାର । ସବୁଠାରୁ ବଡକଥା ହେଉଛି ବାହ୍ୟ ମଳମୁକ୍ତ ଓ ବାଲ୍ୟ ବିବାହ ମୁକ୍ତ ଗାଁ ଭଳି ଯଦି ଘରୋଇ ହିଂସା ମୁକ୍ତ ଗାଁ କରିବା କ୍ଷେତ୍ରରେ ସରକାର ପ୍ରୋତ୍ସାହନ କରନ୍ତି ତେବେ ଏହାର ଭଲ ପ୍ରଭାବ ନିଶ୍ଚିତ ଭାବେ ପଡିବ ।