ଆଦିବାସୀଙ୍କୁ କୁପୋଷଣରୁ ରକ୍ଷା କରୁଛି ଜଙ୍ଗଲୀକନ୍ଦା

କୁପୋଷଣ ଭଳି ସମସ୍ୟାରୁ ମୁକ୍ତି ଦେଉଛି ଜଙ୍ଗଲୀ କନ୍ଦା । କୋରାପୁଟର ଆଦିବାସୀଙ୍କ ଖାଦ୍ୟ ତାଲିକାରେ ସାମିଲ ଥିବା ଏହି ପାରମ୍ପରିକ ଜଙ୍ଗଲୀ ଖାଦ୍ୟ କେବଳ କୁପୋଷଣ ନୁହେଁ ବରଂ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବି ବଢ଼ାଉଛି । କୋରାପୁଟ ସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଦ୍ୱାରା ଏହା ଉପରେ ଗବେଷଣା ଆରମ୍ଭ ହେବା ପରେ ଏହି ପାରମ୍ପରିକ ଖାଦ୍ୟର ଚାହିଦା ଏବେ ଧୀରେ ଧୀରେ ସାଧାରଣ ଲୋକଙ୍କ ଭିତରେ ବଢ଼ିବାରେ ଲାଗିଛି । ଯାହାକି ଆଦିବାସୀଙ୍କୁ ଆର୍ଥିକ କ୍ଷେତ୍ରରେ ସ୍ୱାବଲମ୍ବୀ କରିଛି ।

ଭୁବନେଶ୍ୱର ;

ପ୍ରାୟ ୩ ବର୍ଷ ତଳେ କୋରାପୁଟ ଜିଲ୍ଲା ଦଲେଇଗୁଡା ପଂଚାୟତ ଝିଆଗୁଡା ଗାଁର କୁନି ମୁଦୁଲିଙ୍କ ଝିଅ ଅଙ୍ଗନଓାଡି କେନ୍ଦ୍ରରେ ଓଜନ ହେବା ସମୟରେ ଜଣାଗଲା ଯେ ବୟସ ତୁଳନାରେ ତାର ଓଜନ କମ ଅଛି ଯାହାକି ସାଧାରଣତଃ ଆଦିବାସୀ ବହୁଳ ଅଂଚଳ ଗୁଡିକରେ ଦେଖାଯାଏ । ଅଙ୍ଗନଓାଡି ଦିଦି ତାଙ୍କ ଝିଅ ପାଇଁ ଖାଦ୍ୟର ଏକ ତାଲିକା ପ୍ରସ୍ତୁତ କରିବା ସହ ନିୟମିତ ମାଣ୍ଡିଆଜାଉ, ଡଙ୍ଗରରେ ମିଳୁଥିବା ବିଭିନ୍ନ ପ୍ରକାରର ଶାଗ ଓ କନ୍ଦମୂଳ ଦେବାପାଇଁ କହିଲେ । ଏହାକୁ ନିୟମିତ ଖାଇବା ପରେ କୁନିଙ୍କ ଝିଅର ସ୍ୱାସ୍ଥ୍ୟରେ ଯଥେଷ୍ଟ ଉନ୍ନତି ଦେଖାଦେଲା । ଏବେ ସେ ଗାଁର ପ୍ରାଥମିକ ସ୍କୁଲରେ ପ୍ରଥମଶ୍ରେଣୀରେ ପଢୁଛି ଓ ଅନ୍ୟ ପିଲାଙ୍କ ଭଳି ସମାନ ଭାବେ ଶାରିରୀକ ଓ ମାନସିକ ବୃଦ୍ଧି ଘଟୁଛି । ଏସବୁ କେବଳ ସମ୍ଭବ ହୋଇପାରିଛି ନିୟମିତ ପାରମ୍ପରିକ ଖାଦ୍ୟଅଭ୍ୟାସ ଯୋଗୁଁ ଓ ଆଦିବାସୀ ବହୁଳ ଅଂଚଳରେ ମିଳୁଥିବା ମାଣ୍ଡିଆ, ବିଭିନ୍ନ ପ୍ରକାରର ଶାଗ ଓ କନ୍ଦା ଖାଇବା ଯୋଗୁଁ ବୋଲି କୁହନ୍ତି କୁନି ମୁଦୁଲି ।

କୋରାପୁଟରେ ବସବାସ କରୁୁଥିବା ୭ ପ୍ରକାରର ଜନଜାତି ସେହି ଅଂଚଳରେ ମିଳୁଥିବା ପ୍ରାୟ ୧୨୨ ପ୍ରକାରର ଜଙ୍ଗଲୀ ଗଛର ପତ୍ର, ଲତା, ଗୁଳ୍ମ, ଫଳ ଓ କନ୍ଦାକୁ ଖାଦ୍ୟ ଭାବେ ବ୍ୟବହାର କରିଥାନ୍ତି । ବିଶେଷ କରି ପରଜା, ଭୂମିଆ, ଗଡବା, ଭଟ୍ଟା, ସଉରା ଓ କନ୍ଧ ଜନଜାତିର ଲୋକମାନେ ଏହି ପ୍ରକାର ଖାଦ୍ୟକୁ ନିଜର ଦୈନନ୍ଦିନ ଖାଦ୍ୟାଭ୍ୟାସରେ ସାମିଲ କରିଥାନ୍ତି । ବନବାସୀମାନେ ଖାଦ୍ୟ ପାଇଁ ପାଖ ଜଙ୍ଗଲରୁ ପ୍ରାୟତଃ ୩୯ ପ୍ରଜାତିର ଜଙ୍ଗଲୀ ଫଳ, ୨୪ ପ୍ରକାର ଜଙ୍ଗଲୀ ଶାଗ ଓ ପତ୍ର, ୨୧ ପ୍ରକାର କନ୍ଦା ଜାତୀୟ ସାମଗ୍ରୀ ଓ ୪ ପ୍ରକାର ବନ୍ୟ ଫୁଲ ଖାଦ୍ୟ ପାଇଁ ସଂଗ୍ରହ କରିଥାନ୍ତି । ବିଶେଷ କରି ଜନଜାତିମାନେ ଶୀତମାସରେ ଏସବୁ କନ୍ଦା, ବଣ ଆଳୁ ଓ ମାଟିଆଳୁ ଆଦି ସଂଗ୍ରହ କରୁଥିବା ବେଳେ ଶାଗ ଓ ପତ୍ର ଆଦି ବର୍ଷା ମାସରେ ସଂଗ୍ରହ କରିଥାନ୍ତି । ସେହିପରି ପତ୍ର ଫଳ ଆଦି ଉଭୟ ଶୀତ ଓ ଖରା ମାସରେ ସଂଗ୍ରହ କରନ୍ତି ।ବୈପାରୀଗୁଡା ବ୍ଲକ୍ ବୋଲିଗୁଡା ଗାଁର ତ୍ରିଲୋଚନ ମୁଦୁଲି (ପରଜା) ଏବିଷୟରେ ଅଧିକ ସୂଚନା ଦେଇ କହନ୍ତି; ବାପା, ଜେଜେ ଅମଳରୁ ଘରର ପୁରୁଷ ଓ ମହିଳା ମାନେ ପାଖ ଜଙ୍ଗଲରୁ ନଚେତ ଡଙ୍ଗରକୁ ଯାଇ କନ୍ଦା ସଂଗ୍ରହ କରନ୍ତି । ଆମ ଅଂଚଳରେ ପିଟ କନ୍ଦା ବେଶୀ ମିଳେ, ଯାହାକୁ ସିଝାଇ ଆମେ ଭାତ ସହ ଖାଉ । ଜୁନ୍‌, ଜୁଲାଇ ମାସରେ ଏହାକୁ ଜଙ୍ଗଲରୁ ସଂଗ୍ରହ କରାଯାଏ । ମାଟି ଭିତରେ ୩ରୁ ୪ ଫୁଟ ଗାତ ଖୋଳିଲେ ଏହା ବାହାରେ । ମାଣ୍ଡିଆ ଭଳି କନ୍ଦା ମଧ୍ୟ ପୁଷ୍ଟିକର ଓ ଏହା ଶରୀରବୃଦ୍ଧିରେ ସହାୟକ ହୋଇଥାଏ । ବିଶେଷକରି ପିଲାମାନଙ୍କର କୁପୋଷଣ ଦୂର କରିବା କ୍ଷେତ୍ରରେ ଏହା ସହାୟକ ହୋଇଥାଏ ବୋଲି ସେ କୁହନ୍ତି ।

ଜାତୀୟ ସ୍ୱାସ୍ଥ୍ୟ ସର୍ବେକ୍ଷଣ-୫ ଅନୁସାରେ ବର୍ତମାନ ଦେଶରେ ୩୩ଲକ୍ଷ ଶିଶୁ ଅପପୃଷ୍ଟିର ଶିକାର ହେଉଥିବା ବେଳେ ସେଥିମଧ୍ୟରୁ ୧୭.୭ ଲକ୍ଷଶିଶୁ ଅତ୍ୟଧିକ କୁପୋଷଣରେ ପୀଡିତ । ଯଦି ଓଡ଼ିଶା ରାଜ୍ୟକୁ ନିଆଯାଏ ଶିଶୁ ଅପପୃଷ୍ଟି କ୍ଷେତ୍ରରେ ଏନଏଫ ଏଚଏସ-୪ ତୁଳନାରେ ଏନଏଫଏଚଏସ-୫ ରେ କିଛିଟା ଉନ୍ନତି ଦେଖାଦେଇଛି ତଥାପି କିଛି ଜିଲ୍ଲାରେ ଏବେବି କମ ଓଜନ ଥିବା ଶିଶୁ, ବୟସ ତୁଳନାରେ କମ ଉଚ୍ଚତା ଓ ବୟସ ତୁଳନାରେ ଛୋଟ ଦେଖାଯାଉଥିବା ଶିଶୁ ଅଛନ୍ତି । କୋରାପୁଟ ଜିଲ୍ଲାରେ ଏ କ୍ଷେତ୍ରରେ କିଛିଟା ସୁଧାର ଆସିଛି ।

ରୋଜଗାର ବଢାଉଛି କନ୍ଦା

ସେମିଳିଗୁଡା ବ୍ଲକ୍ ଦଲେଇଗୁଡା ପଂଚାୟତ ଝିଆଗୁଡା ଗାଁର ତୁଳସୀ ଜାନୀ କହନ୍ତି ପିଲାବେଳୁ ଆମେ ଜଙ୍ଗଲରୁ କନ୍ଦା ସଂଗ୍ରହ କରିଥାଉ । ଘରର ଆବଶ୍ୟକତା ପୂରଣ ହେଲା ପରେ ଯାହା ବଳକା ରହେ ଆମେ ତାକୁ ପାଖ ହାଟରେ ବିକ୍ରି କରିଦେଉ । କିଲୋପ୍ରତି ୧୦୦ ଟଙ୍କାରେ ଏହା ବିକ୍ରି ହୋଇଯାଏ । ଗୋଟେ ଆଦିବାସୀ ଥରେ ହାଟକୁ ଆସିଲେ କନ୍ଦା ବିକ୍ରି କରି ପାଖାପାଖି ୫୦୦ରୁ ୬୦୦ ଟଙ୍କା ଆୟ କରେ । ବୈପାରୀଗୁଡା ବ୍ଲକ୍ ମୁଦୁଲି ପଂଚାୟତର ଗୁଞ୍ଜି ଗାଁ ଓ ଲେଞ୍ଜା ଗାଁର ପ୍ରତ୍ୟେକ ଆଦିବାସୀ ପରିବାର ଡଙ୍ଗର ଉପରକୁ ଯାଇ କନ୍ଦା ସଂଗ୍ରହ କରି ତଳେ ଆଣି ବିକ୍ରି କରି ମାସକୁ ପାଖାପାଖି ୨ରୁ ୩ ହଜାର ଟଙ୍କା ଆୟ କରନ୍ତି ।

ତୁଳସୀ କୁହନ୍ତି, କିଛି କନ୍ଦା ଆମେ ଖାଉ ଆଉ କିଛି କନ୍ଦା ଦିଶାରିମାନଙ୍କୁ ମଧ୍ୟ ବିକ୍ରି କରିଦେଉ । ଏଥିରୁ ଭଲ ଦୁଇ ପଇସା ମିଳେ । ସେମିଳିଗୁଡା, ଲମତାପୁଟ, ପଟାଙ୍ଗି, କୋଟପାଡ ଓ କୁନ୍ଦା ଅଂଚଳରୁ ପାରମ୍ପରିକ ଦିଶାରିମାନେ ଆସି ଆମଠାରୁ କନ୍ଦା ନେଇ ଯାଆନ୍ତି । ଜଣେ ଦିଶାରି ୫୦ କିଲୋ ପର୍ଯ୍ୟନ୍ତ କନ୍ଦା ସଂଗ୍ରହ କରିଥାନ୍ତି ।

କନ୍ଦାର ଔଷଧୀୟ ଗୁଣ

ଜଙ୍ଗଲରୁ ସଂଗ୍ରହ କରାଯାଉଥିବା କନ୍ଦାରେ ଔଷଧୀୟ ଗୁଣ ଭରି ରହିଥିବାରୁ ଏହାକୁ ଯୁଗ ଯୁଗ ଧରି ପାରମ୍ପରିକ ବୈଦ୍ୟମାନେ ବ୍ୟବହାର କରିଆସୁଛନ୍ତି । ସାଧାରଣତଃ ଗଣ୍ଠିବାତ, ଗ୍ୟାସ୍‌ଟିକ୍‌, ଅନିଦ୍ରା,ଥଣ୍ଡା, ଜ୍ୱର, କାଶ, ମାଇଗ୍ରେନ୍‌, ଋତୁସ୍ରାବ, ମଳକଂଟକ, ଆଲର୍ଜି, ଚର୍ମରୋଗ ଭଳି ସମସ୍ୟାର ସମାଧାନ ପାଇଁ ଏହାକୁ ବ୍ୟବହାର କରାଯାଇଥାଏ । ଏ ବାବଦରେ ଗୁପ୍ତେଶ୍ୱର ଅଂଚଳରେ ଆଜିକୁ ୪୦ ବର୍ଷ ଧରି ଦିଶାରି କାମ କରି ଆସୁଥିବା ବୈଦ୍ୟ ଶୁଆରାମ ଚାଲାଣ କହନ୍ତି; ଖିଅକନ୍ଦା, ଶୁଳିଆ କନ୍ଦା, ପିତ କନ୍ଦା, ଲିଙ୍ଗଲିଙ୍ଗିଆ କନ୍ଦା ଆଦି ଔଷଧ ପାଇଁ ବ୍ୟବହାର କରାଯାଏ । ବାପାଙ୍କଠାରୁ ମୁଁ ଏହି ପାରମ୍ପରିକ ବୈଦ୍ୟ କାମ ଶିଖିଛି । ମୋ ତିଆରି ଔଷଧ ଉପରେ କୋରାପୁଟ, ଗୁପ୍ତେଶ୍ୱର, କୋଷାଗୁମୁଡା, ମାଲକାନଗିରି, ଉମରକୋଟ, ଛତିଶଗଡ ଆଦି ଅଂଚଳର ଲୋକ ନିର୍ଭର କରନ୍ତି । ପ୍ରତିଦିନ ୨୦ରୁ ୨୫ ଜଣ ରୋଗୀ ମୋ ପାଖକୁ ପାରମ୍ପରିକ ଚିକିତ୍ସା ପଇଁ ଆସନ୍ତି । ଜଡିବୁଟିକୁ ନେଇ ଏସବୁ ଔଷଧ ପ୍ରସ୍ତୁତ ହେଉଥିବାରୁ ଏହାର ପାଶ୍ୱର୍ ପ୍ରତିକ୍ରିୟା ନାହିଁ ।

କନ୍ଦା ପାଇଁ ଜଙ୍ଗଲ ସୁରକ୍ଷା

କନ୍ଦା ପାଇଁ ଜଙ୍ଗଲ ଉପରେ ନିର୍ଭର କରୁଥିବା ଆଦିବାସୀମାନେ ସବୁବେଳେ ନିଜ ଅଂଚଳରେ ଥିବା ଜଙ୍ଗଲକୁ ସୁରକ୍ଷା ଦିଅନ୍ତି । କେତେବେଳେ ଠେଙ୍ଗାପାଳି କରି ନିଜ ଜଙ୍ଗଲକୁ ଜଗନ୍ତି ତ ଆଉ କେତେବେଳେ ଗ୍ରାମସଭା ଦ୍ୱାରା ପାରିତ କଥା ପଦେ ପରବର୍ତୀ ସମୟରେ ନିୟମରେ ପରିଣତ ହୋଇଯାଏ । ଯେଉଁଠି ନା କାହାରି ସୁପାରିଶ କାମ କରେ ନା ଜଙ୍ଗଲ ଅଧିକାରୀଙ୍କ ନିୟମ । ଏମିତି ଏକ ଗାଁ ହେଲା ବୈପାରୀଗୁଡା ବ୍ଲକ୍ ଚନ୍ଦ୍ରପଡା ପଂଚାୟତ ସ୍ଥିତ ବୋଲିଗୁଡା ଗାଁ । ଗ୍ରାମ ସଭାର ସଦସ୍ୟ ପଦମ୍ ପ୍ରଧାନୀ କହନ୍ତି, ସରକାରୀ ଖାତାରେ ଗାଁ ସଂରକ୍ଷିତ ଜଙ୍ଗଲ ଭିତରେ ରହିଛି । ତେଣୁ ଗାଁ ଲୋକଙ୍କ ଜଙ୍ଗଲ ଉପରେ ନିର୍ଭରଶୀଳତା ବେଶୀ । ଜଙ୍ଗଲ ସୁରକ୍ଷା କହିଲେ ସର୍ବେଚ୍ଚ କ୍ଷମତା ଗ୍ରାମ ସଭାର । ଗ୍ରାମ ସଭାର ବିନା ଅନୁମତିରେ ଏଠାରୁ ପତ୍ର ଖଣ୍ଡେ ବି ବାହାରକୁ ଯାଏନି । ଗ୍ରାମସଭା ଅଧୀନରେ ଏବେ ଆମ ପାଖରେ ରହିଛି ପାଖାପାଖି ୧୫୦ ହେକ୍ଟର ଜଙ୍ଗଲ । କନ୍ଦାଠାରୁ ଆରମ୍ଭ କରି ହଳଦୀ, ଅଦା, ହରିଡା, ବାହାଡା, ଅଁଳା, ମହୁଲ ଭଳି ସମସ୍ତ ଲଘୁ ବନଜାତ ଦ୍ରବ୍ୟ ଗାଁ ଲୋକେ ଗ୍ରାମ୍ୟ ଜଙ୍ଗଲରୁ ସଂଗ୍ରହ କରନ୍ତି । ନିଜର ଆବଶ୍ୟକତା ମେଂଟିଲା ପରେ ବଳକା ଜିନିଷ ବଜାରରେ ବିକ୍ରି କରନ୍ତି । ପାଖାପାଖି ଗାଁର ୬୦ ପ୍ରତିଶତ ଲୋକଙ୍କ ଘର ଖର୍ଚ୍ଚ ଏଥିରୁ ବାହାରିପଡେ ।

କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଗବେଷଣା

କୋରାପୁଟ ଜଙ୍ଗଲରେ ମିଳୁଥିବା ଜଙ୍ଗଲୀ ଆଳୁ, ପତ୍ର ଓ ଫୁଲକୁ ନେଇ କୋରାପୁଟ ସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ଗବେଷଣା କରାଯାଇଥିବା ବେଳେ ଏହା ଚାଷରୁ ମିଳୁଥିବା ସାଧାରଣ ଶସ୍ୟ ଅପେକ୍ଷା ଅଧିକ ପୁଷ୍ଟିକର ବୋଲି ଜଣାଯାଇଛି । ବିନା ଚାଷରେ ଜଙ୍ଗଲରୁ ସଂଗୃହୀତ ଫଳ, ମୂଳ ଓ କନ୍ଦା ଦୈନନ୍ଦିନ ଖାଦ୍ୟ ଓ ଔଷଧ ଭାବେ ବ୍ୟବହାର କରାଯାଇଥାଏ । ଯାହାକି ଚାଷ କରି ଉତ୍ପାଦିତ ହେଉଥିବା ଖାଦ୍ୟଠାରୁ ଅଧିକ ପୋଷଣଯୁକ୍ତ ବୋଲି ଦାବି କରିଛନ୍ତି କୋରାପୁଟ ସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଜୈବବିବିଧତା ବିଭାଗର ଆସିଷ୍ଟାଂଟ ପ୍ରଫେସର ଡକ୍ଟର ଦେବବ୍ରତ ପଣ୍ଡା । ଶ୍ରୀ ପଣ୍ଡାଙ୍କ କହିବା ଅନୁସାରେ କୋରାପୁଟର ଜଳବାୟୁରେ ବଢ଼ୁଥିବା ପାରମ୍ପରିକ ଶସ୍ୟ, ଚାଉଳ, ମାଣ୍ଡିଆ ଓ ଜଙ୍ଗଲୀ ପ୍ରଜାତିର କନ୍ଦା ଓ ଫଳ-ମୂଳରେ ଅଧିକ ପରିମାଣରେ ପୋଷକତ୍ୱ୍ୱ ଭରି ରହିଛି । ବିଶେଷକରି କୋରାପୁଟ ଜଙ୍ଗଲରେ ୧୧ ପ୍ରକାର କନ୍ଦା ଦେଖାଯାଉଥିବା ବେଳେ ସେଥିମଧ୍ୟରୁ ୮ ପ୍ରକାର ବଣ ଆଳୁ/କନ୍ଦାକୁ ଆଦିବାସୀମାନେ ଖାଦ୍ୟ ଭାବେ ବ୍ୟବହାର କରିଥାନ୍ତି । ବିଶେଷ କରି ପିଟ କନ୍ଦା, ଟାରଗାଇ କନ୍ଦା, କାଶକନ୍ଦା, ଶିକାକନ୍ଦା, କୁଲିଆ କନ୍ଦା, ସୋରଣ୍ଡା କନ୍ଦା, ପିଟାକନ୍ଦା, ଚେରେଶାକନ୍ଦାକୁ ସେମାନେ ଖାଦ୍ୟ ତାଲିକାରେ ସାମିଲ କରିଛନ୍ତି । ଜଙ୍ଗଲରୁ ମିଳୁଥିବା ଏହି କନ୍ଦାରେ ଭରପୂର ମାତ୍ରାରେ ପ୍ରୋଟିନ୍‌, ମିନେରାଲ୍ ଓ ଆଂଟି ଅକ୍ସିଡାଂଟ ଭରି ରହିଛି । ଜଙ୍ଗଲରୁ ମିଳୁଥିବା ଏହି କନ୍ଦାରେ ୫.୪୨% ସଲଫର ଥିବା ବେଳେ ୧.୯୦% ଚର୍ବି, ୧.୬୦% ଫାଇବର, ୨୬.୬% ଶର୍କରା, ୧୦.୨% ପ୍ରୋଟିନ୍ ମିଳୁଥିବା ବେଳେ ସାଧାରଣ ଭାବେ ଜମିରେ ଚାଷ କରି ଉତ୍ପାଦିତ ହେଉଥିବା ଆଳୁରେ ୩.୧୬% ସଲଫର, ୦.୯୧% ଚର୍ବି, ୧.୪୦% ଫାଇବର, ୨୪.୦୭% ଶର୍କରା, ୮.୭୮% ପ୍ରୋଟିନ୍ ରହୁଛି । ଏସବୁ ବାଦ୍ ଜଙ୍ଗଲରୁ ମିଳୁଥିବା କନ୍ଦାରେ ମାଇକ୍ରୋନ୍ୟୁଟ୍ରିଏଂଟ ଓ ଖଣିଜଦ୍ରବ୍ୟ (ମିଲେରାଲ୍ସ)ର ପରିମାଣ ବି ଅଧିକ । ଜଙ୍ଗଲୀ କନ୍ଦାରେ ଅଧିକ ପରିମାଣରେ ଆଂଟିିିଅକ୍ସିଡାଂଟ ଥିବାରୁ ଏହା ଆଂଟିଏଜିଂ ଭଳି ସମସ୍ୟାରୁ ବି ମୁକ୍ତିଦେବାରେ ସହାୟକ ହେଉଛି ।

Leave a Reply

Your email address will not be published. Required fields are marked *