ପିଲାମାନେ ଅନାଥ ହୋଇ ରାସ୍ତାକଡରେ ରହିବାର ବିଭିନ୍ନ କାରଣ ରହିଛି । କେଉଁଠି ପରିବାର, ପଡୋଶୀ ନଚେତ ଗାଁଲୋକଙ୍କ ଦ୍ୱାରା ନିୟମିତ ଶାରୀରିକ, ମାନସିକ ଓ ଯୌନ ନିର୍ଯାତନା ସହିନପାରି ସେମାନେ ଘର ଛାଡୁଛନ୍ତି । ଏସବୁକୁ ଆଖିରେ ରଖି ଭୁବନେଶ୍ୱରକୁ ଶିଶୁ ମିତ୍ର ନଗର ଭାବେ ଗଢିବା ପାଇଁ ଏବେ ନିଷ୍ପତି ନିଆଯାଉଛି । ଫଳରେ ପିଲାମାନେ ରାସ୍ତାକଡରେ ଭିକ ମାଗିବା ବଦଳରେ ସ୍କୁଲକୁ ଯାଇ ପାଠ ପଢିବେ ।
ସରସ୍ୱତୀଙ୍କ ବୟସ ପାଖାପାଖି ୧୨ ହେବ । ଛୋଟବେଳେ ପ୍ଲାଟଫର୍ମ ସ୍କୁଲରେ କିଛି ବର୍ଷ ପାଠପଢିବା ପରେ ପାଖରେ ଥିବା ଏକ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ନାଁ ଲେଖା ହେଲା । କିନ୍ତୁ ଗତ ତିନି ବର୍ଷ ହେବ ସେ ପାଠପଢା ଛାଡିଦେଇଛନ୍ତି । କରୋନା ସମୟରେ ଅର୍ଥର ଅଭାବ ଯୋଗୁଁ ସେ ବିଭିନ୍ନ ପ୍ରକାରର କାମ କରି ପରିବାରକୁ ଆର୍ଥିକ କ୍ଷେତ୍ରରେ ସହଯୋଗ କରିବା ଆରମ୍ଭକଲେ । ହେଲେ ପାଠ ପଢିବାର ଆଗ୍ରହ ହେତୁ ସେ ଏଥିରୁ ନିଜକୁ ବାହାର କରିପାରୁନଥିଲେ । ଯେଉଁଥିପାଇଁ ସମୟ ମିଳିଲେ ସେ ଭୁବନେଶ୍ୱରରେ ଥିବା ସ୍ୱେଚ୍ଛାସେବୀ ସଂସ୍ଥା ଆଶାଏଁ କୁ ଯାଇ ସେଠି ବିଭିନ୍ନ ପ୍ରକାରର ଶିକ୍ଷା ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ନିଜକୁ ସାମିଲ କରୁଥିଲେ । କିନ୍ତୁ ସରସ୍ୱତୀଙ୍କ ଇଚ୍ଛା ଥିଲା ନିୟମିତ ସ୍କୁଲ ଯାଇ ପାଠ ପଢିବେ । କିନ୍ତୁ ତାଙ୍କର ବୟସ ଅଧିକ ହୋଇଯାଇଥିବାରୁ ଓ ଥରେ ସ୍କୁଲରୁ ବାହାରି ଆସିଥିବାରୁ ତାଙ୍କର ଆଉ କୌଣସି ସ୍କୁଲରେ ନାମ ଲେଖା ହୋଇପାରୁନଥିଲା । ସରସ୍ୱତୀଙ୍କ ପରି ଅନେକ ପିଲା ତାଙ୍କ ମୌଳିକ ଅଧିକାରରୁ ବଂଚିତ ହୋଇ ଏବେ ରାସ୍ତାକଡରେ ଦିନ କାଟୁଛନ୍ତି । ସେଇ ପିଲାମାନଙ୍କୁ ଥଇଥାନ କରିବା ଉଦ୍ଦେଶ୍ୟରେ ନିକଟରେ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଓ ୟୁନିସେଫର ମିଳିତ ସହଯୋଗରେ ଏକ ଟାସ୍କଫୋର୍ସ ପରାମର୍ଶ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆୟୋଗର ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ ଆଶାଏଁ ଅନୁଷ୍ଠାନର ପ୍ରାୟ ୨୫ ଜଣ ପିଲା ଯେଉଁମାନେ କି ବିଭିନ୍ନ କାରଣରୁ ରାସ୍ତା କଡରେ ରହୁଛନ୍ତି ସେମାନଙ୍କ ସହ ସିଧାସଳଖ କଥା ହେବା ସହ ସେମାନଙ୍କ ଅଭିଯୋଗ ଶୁଣିଥିଲେ । ଅନେକେ କହିଥିଲେ ଯେ, ପାଠପଢାର ଇଚ୍ଛା ଥିଲେ ମଧ୍ୟ ଘରଲୋକଙ୍କ ସହାୟତାର ଅଭାବ, ଆର୍ଥିକ ସମସ୍ୟା, ଉପଯୁକ୍ତ ପ୍ରମାଣର ଅଭାବ ଯୋଗୁଁ ଆଧାର କାର୍ଡ ହୋଇନପାରିବା ଓ ବୟସ ଅଧିକ ହୋଇଯାଇଥିବାରୁ ସ୍କୁଲ ପ୍ରଧାନ ଶିକ୍ଷକ ମାନେ ସେମାନଙ୍କୁ ବାରଣ କରିଦେଉଛନ୍ତି – ସେବିଷୟରେ ସେମାନେ ଅଧ୍ୟକ୍ଷାଙ୍କ ସହ ଆଲୋଚନା କରିଥିଲେ । ଏକ୍ଷେତ୍ରରେ ଆୟୋଗ ପକ୍ଷରୁ ସହଯୋଗ କରାଯିବ ବୋଲି ମଧ୍ୟ ଅଧ୍ୟକ୍ଷା କହିଥିଲେ ।
ରାସ୍ତାକଡ ପିଲାଙ୍କ ସମସ୍ୟା
କୋଭିଡ ମହାମାରୀ ପରଠାରୁ ପିଲାମାନଙ୍କ ସ୍ଥିତିକୁ ନେଇ ଉଚ୍ଚତମ ନ୍ୟାୟାଳୟ ନିରନ୍ତର ତଦାରଖ କରି ଆସୁଛନ୍ତି । ଏହି କ୍ରମରେ ଡିସେମ୍ବର ୧୩ ତାରିଖ ୨୦୨୧ରେ ନ୍ୟାୟାଳୟ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳ ମାନଙ୍କରେ ରାସ୍ତାକଡରେ ରହୁଥିବା ଶିଶୁ ମାନଙ୍କୁ ଚିହ୍ନଟ କରିବା, ସେମାନଙ୍କୁ ଉଦ୍ଧାର କରିବା ଓ ଥଇଥାନ କରିବା ଉପରେ ତିନି ସପ୍ତାହ ଭିତରେ ବାଲ ସ୍ୱରାଜ ପୋର୍ଟାଲରେ ତଥ୍ୟ ରଖିବା ଓ ଏ ସଂପର୍କରେ ଜାତୀୟ ଆୟୋଗ ଅବଗତ କରାଇବାକୁ ନିର୍ଦ୍ଦେଶ ଦେଇଥିଲେ । ହେଲେ କୌଣସି ବି ରାଜ୍ୟ ଏଭଳି ଶିଶୁଙ୍କ ଥଇଥାନ ବିଷୟରେ କିଛି ବି ତଥ୍ୟ ଉଚ୍ଚତମ ନ୍ୟାୟାଳୟଙ୍କୁ ଏପର୍ଯ୍ୟନ୍ତ ଦେଇନାହାନ୍ତି । ଏକ ତଥ୍ୟ ଅନୁସାରେ ଦେଶରେ ବର୍ତମାନ ୧୫ଲକ୍ଷ ପିଲା ରାସ୍ତାକଡରେ ରହୁଛନ୍ତି । ଓଡିଶାରେ ଏ ସଂଖ୍ୟା କେତେ ଯଦିଓ ତାର କିଛି ସଠିକ ତଥ୍ୟ ନାହିଁ ତଥାପି ଏଇ ଜୁଲାଇ ମାସରେ ରାଜ୍ୟ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ବାସନ୍ତୀ ହେମ୍ରମ ବିଧାନସଭାରେ ଏକ ପ୍ରଶ୍ନର ଉତର ଦେଇ କହିଛନ୍ତି ଯେ, ରାଜ୍ୟରେ ବର୍ତମାନ ୩୯୩ଜଣ ପିଲା ରାସ୍ତା କଡରେ ରହୁଛନ୍ତି । ଅନ୍ୟପକ୍ଷରେ, କୋଭିଡ ପାଣ୍ଡେମିକ ସମୟରେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ, ୟୁନିସେଫ ଓ ସେଭ ଦି ଚିଲଡ୍ରେନ ପକ୍ଷରୁ କଟକ, ଭୁବନେଶ୍ୱର, ରାଉରକେଲା, ବ୍ରହ୍ମପୁର ଓ ପୁରୀ ଆଦି ୫ଟି ସହରରେ କରାଯାଇଥିବା ଏକ ସର୍ଭେରୁ ଜଣାଯାଇଛି ଯେ ଏହି ୫ଟି ସହରରେ ଏବେ ୯୭୨ଜଣ ପିଲା ରାସ୍ତାକଡରେ ରହୁଛନ୍ତି । ସେମାନଙ୍କ ମଧ୍ୟରୁ ୪୭ ପ୍ରତିଶତ ପିଲା ସେଇ ଗୋଟିଏ ସ୍ଥାନରେ ୫ ବର୍ଷରୁ ଅଧିକ ସମୟ ଧରି ରହି ଅସୁଥିଲେମଧ୍ୟ ସେମାନଙ୍କ ଥଇଥାନ ପାଇଁ କୌଣସି ପଦକ୍ଷେପ ନିଆଯାଇନାହିଁ ।
ପିଲାମାନେ ଅନାଥ ହୋଇ ରାସ୍ତାକଡରେ ରହିବାର ବିଭିନ୍ନ କାରଣ ରହିଛି । କାହାର ବାପା ଜେଲରେ ତ ପୁଣି କାହାର ମା ଆଉ କାହା ସହ ଘରୁ ପଳାଇଛନ୍ତି । କେଉଁଠି ବାପା ପରିସ୍ଥିତିର ଫାଇଦା ଉଠାଇ ଝିଅକୁ ବାରମ୍ବାର ଦୁଷ୍କର୍ମ କରୁଛନ୍ତି । କେଉଁଠି ପରିବାର କିମ୍ବା ପଡୋଶୀଙ୍କ ଦ୍ୱାରା ନିୟମିତ ଶାରୀରିକ, ମାନସିକ ଓ ଯୌନ ନିର୍ଯାତନା ସହିନପାରି ଘର ଛାଡୁଛନ୍ତି । ଏସବୁ ଛଡା ପରିବାରରେ ବିବାଦ, ଘରୋଇ ହିଂସା, ବିବାହ ବିଚ୍ଛେଦ, ସାବତ ବାପା ଓ ମାଙ୍କ କଷଣ ଆଦି ପରିସ୍ଥିତି ପିଲାକୁ ଘରୋଇ ପରିବେଶରୁ କାଢି ରାସ୍ତା ଉପରକୁ ନେଇଆସେ । ଅନେକ ସମୟରେ ଅର୍ଥର ଅଭାବ, ସ୍ଥାନାନ୍ତରଣ,ଜଳବାୟୁ ପରିବର୍ତନର ପ୍ରଭାବ ଓ ଦୁର୍ବିପାକ ଯୋଗୁଁ ସାରା ପରିବାର ରାସ୍ତା ଉପରକୁ ଆସିବାକୁ ବାଧ୍ୟ ହୁଅନ୍ତି ଓ ଏହାଦ୍ୱାରା ପିଲାମାନେ ମଧ୍ୟ ପ୍ରଭାବିତ ହୁଅନ୍ତି । ଯେଉଁଥିପାଇଁ ସେମାନେ ଶିକ୍ଷା, ସ୍ୱାସ୍ଥ୍ୟ ଓ ସୁରକ୍ଷା ଭଳି ମୌଳିକ ସୁବିଧା ପାଇବାରୁ ବଂଚିତ ହୁଅନ୍ତି । ତେବେ ଆଇନ ସାଙ୍ଗକୁ ପଲିସୀକୁ ମଧ୍ୟ ସଠିକ ଭାବେ କାର୍ଯ୍ୟକାରୀ କରାଗଲେ ଓ ବିଭିନ୍ନ ସରକାରୀ ଏବଂ ବେସରକାରୀ ସଂସ୍ଥା ମିଳିତ ଭାବେ ସମନ୍ୱୟ ରକ୍ଷା କରି ପ୍ରୟାସ କଲେ ପିଲାମାନଙ୍କ ସାମଗ୍ରିକ ବିକାଶ ହୋଇପାରିବ ବୋଲି କୁହନ୍ତି ଆକ୍ସନ ଆଡର ସିନିୟର ପ୍ରୋଗ୍ରାମ ମ୍ୟାନେଜର ଘାସିରାମ ପଣ୍ଡା ।
ଥଇଥାନ ହେବେ ରାସ୍ତାକଡର ପିଲା
ରାସ୍ତାକଡରେ ରହୁଥିବା ଏହି ପିଲାମାନେ ପରିବାରକୁ ଆର୍ଥିକ କ୍ଷେତ୍ରରେ ସହେଯାଗ ହେଉ ଅବା ନିଜେ ଚଳିବା ପାଇଁ ହେଉ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ କାମରେ ନିୟୋଜିତ ରୁହନ୍ତି । ସେମାନଙ୍କ ଭିତରୁ ଅନେକେ ଜରି ଗୋଟେଇବା, ଭିକ ମାଗିବା, ପରିବା ବିକିବା, ହୋଟେଲରେ ପ୍ଲେଟ ଉଠେଇବା ଓ ବାସନ ମାଜିବା ନଚେତ ଗ୍ୟାରେଜରେ ହେଲପର କାମ କରିବା ଆଦି ଦେଖାଯାଏ । ଓଡ଼ିଶାର ଯେକୌଣସି ବଡ ସହରକୁ ଆପଣ ଯାଆନ୍ତୁ ନା କାହିଁକି ଛୋଟ ପିଲାଙ୍କୁ ଏସବୁ କାମରେ ନିୟୋଜିତ ହୋଇଥିବା ସହଜରେ ଦେଖିପାରିବେ । ଆଉ ଅନେକ ସମୟରେ ଏକାକୀ ରହୁଥିବା ପିଲାମାନେ ବିଭିନ୍ନ ପ୍ରକାରର ଖରାପ କାମରେ ମଧ୍ୟ ଲିପ୍ତ ରହନ୍ତି । ଅଶୋକକୁ ଯେବେ ୯ବର୍ଷ ସେ ଏମିତି ଏକ ଅଭାବନୀୟ ପରିସ୍ଥିତିରେ ଘରଛାଡି ଆସି ଭୁବନେଶ୍ୱର ରେଳ ଷ୍ଟେସନରେ ରହିବା ଆରମ୍ଭ କଲେ । ପ୍ରଥମେ ଅନ୍ୟ ପିଲାଙ୍କ ସହ ଜରି ଗୋଟାଇବା କାମ କରୁ କରୁ ବଡ ପିଲାଙ୍କ ସହ ମିଶି ଡେନଡ୍ରାଇଟ ଶୁଙ୍ଘିବା ନିଶାରେ ପଡିଗଲେ । ଏବେ ଅଶୋକଙ୍କୁ ୧୩ ବର୍ଷ ଓ ସେ ଚାହିଁ ସୁଦ୍ଧା ସେ ଏଥିରୁ ମୁକୁଳି ପାରୁନାହାନ୍ତି । ଅଶୋକ କୁହନ୍ତି ତାଙ୍କର ପାଠପଢିବାର ଇଚ୍ଛା ଥିଲା କିନ୍ତୁ ଘରର ପରିସ୍ଥିତି ଯୋଗୁଁ ଘରଲୋକେ ତାଙ୍କୁ କାମ କରିବାକୁ ବାଧ୍ୟ କରିବାରୁ ସେ ଘରଛାଡି ଚାଲିଅସିଲେ କିନ୍ତୁ ରାସ୍ତାକଡରେ ଏକାକୀ ରହିବା ପରେ ସେ ବେଶି ହିନସ୍ତା ହେଲେ । ନା ଘରକୁ ଫେରି ପାରିଲେ ନା ପାଠ ପଢିପାରିଲେ । ବାପାମାଙ୍କ ବିନା ରାସ୍ତାକଡରେ ଏକାକୀ ରହୁଥିବା ଅନେକ ପିଲା ଅନେକ ସମୟରେ ନିଶା ସେବନ ଓ ବେଶ୍ୟାବୃତିରେ ନିୟୋଜିତ ହେବା ବିଷୟ ବିଭିନ୍ନ ସମୟରେ ସ୍ୱୀକାର କରିଛନ୍ତି । ତେବେ କୋଭିଡ ସମୟରେ ଅନେକ ପିଲା ପାଠପଢା ଛାଡି ପରିବାରକୁ ଆର୍ଥିକ କ୍ଷେତ୍ରରେ ସହଯୋଗ କରିବା ଦେଖାଯାଇଛି ଓ ସେମାନଙ୍କ ସଂଖ୍ୟାରେ ମଧ୍ୟ ଯଥେଷ୍ଟ ବୃଦ୍ଧି ଘଟିଛି । ଏସବୁକୁ ଆଖିରେ ରଖି ଭୁବନେଶ୍ୱରକୁ ଶିଶୁ ମିତ୍ର ନଗର ଭାବେ ଗଢିବା ପାଇଁ ଏବେ ନିଷ୍ପତି ନିଆଯାଉଛି । ରାସ୍ତାକଡରେ ଯେପରି ପିଲା ରହିବେ ନାହିଁ, କୌଣସି ପ୍ରକାରର ବ୍ୟବସାୟିକ କାମରେ ନିୟୋଜିତ ହେବେ ନାହିଁ ବରଂ ନିୟମିତ ସ୍କୁଲ ଯିବେ ଓ ମୁଖ୍ୟସ୍ରୋତରେ ସାମିଲ ହେବେ ସେଥିପାଇଁ ଏବେ ଅୟୋଗ ପକ୍ଷରୁ ବିଭିନ୍ନ ବିଭାଗର ସହଯୋଗ ଲୋଡାଯାଇଛି । ଯଦି ଏହି ନିଷ୍ପତି କାର୍ଯ୍ୟକାରୀ କରାହୁଏ ତେବେ ସରସ୍ୱତୀ ଓ ଅଶୋକଙ୍କ ଭଳି ପିଲାଙ୍କ ବର୍ତମାନ ନଷ୍ଟ ହେବନାହିଁ ଓ ସେମାନଙ୍କ ଭବିଷ୍ୟତର ସ୍ୱପ୍ନ ସାକାର ହେବ । ଓଡ଼ିଶାରେ ରାସ୍ତାକଡରେ ରହୁଥିବା ପିଲାଙ୍କ ସଂଖ୍ୟା ମଧ୍ୟ ଶୂନରେ ପହଂଚିବ ।