କଫି ଚାଷ ଯୋଗୁଁ ବଦଳିଯାଇଛି କୋରାପୁଟର ଆଦିବାସୀଙ୍କ ଜୀବନ । ଦିନେ ଜୀବିକା ପାଇଁ ବାହାରକୁ ଦାଦନ ଖଟିବାକୁ ଯାଉଥିବା ଏଠାକାର ଆଦିବାସୀ ଏବେ କଫି ଚାଷ କରି ପରିବାର ପୋଷଣ କରିପାରୁଛନ୍ତି । ଆଉ ନିଜ ସ୍ୱଦେଶୀ କଫିର ମହକରେ ମହକାଇ ପାରିଛନ୍ତି ଦେଶ ବିଦେଶକୁ । କଫି ଯୋଗୁଁ ସେମାନଙ୍କ ଆୟ ବଢିଛି ଓ ଜୀବନଧାରଣ ରେ ମଧ୍ୟ ଅନେକ ପରିବର୍ତନ ଆସିଛି ।
ଭୁବନେଶ୍ୱର ;
ଗତ କିଛି ବର୍ଷ ପୂର୍ବେ କୋରାପୁଟ ଲମତାପୁଟ ବ୍ଲକ ଘୁମର ଗାଁ ର ସୁମୋନୀ ଦାମି ଅକ୍ଟୋବର- ନଭେମ୍ବର ମାସ ଆସିଲେ ପୁରା ପରିବାର ସହ ବାହାରି ପଡ଼ନ୍ତି ଆନ୍ଧ୍ରପ୍ରଦେଶର ବିଶାଖାପାଟନମ୍ ନଚେତ ଛତିଶଗଡ଼ର ଜଗଦଲପୁରକୁ । ଗାଁ ରେ କାମର ଅଭାବ ତା ସାଙ୍ଗକୁ ନିୟମିତ ନକ୍ସଲଙ୍କ ଭୟ ଯୋଗୁଁ ପୁରା ପରିବାର ସହ ସେ ସେଠାକାର ଇଟାଭାଟିରେ ଯାଇ କାମ କରନ୍ତି । ବର୍ଷା ଆରମ୍ଭ ହେଲା ବେଳକୁ ପୁଣି ଫେରି ଆସନ୍ତି ତାଙ୍କର ଦେଢ ଏକର ଜମିରେ ଚାଷ କରିବା ପାଇଁ । ଏଥିରୁ ହେଉଥିବା ଆୟରେ ପୁରା ପରିବାର ଚଳେଇବା କଷ୍ଟକର ହୋଇପଡ଼େ । ପୁଣି ଗୋଟିଏ ଜାଗାରେ ସ୍ଥିର ହୋଇ ରହିପାରୁନଥିବାରୁ, ପିଲାଙ୍କୁ ପାଠ ପଢାଇବାକୁ ଇଚ୍ଛା ଥିଲେ ମଧ୍ୟ ସେ କରିପାରନ୍ତି ନାହିଁ । କିନ୍ତୁ ଏବେ ଦୁଇ ବର୍ଷ ହେବ ପରିସ୍ଥିତିରେ ଉନ୍ନତି ଘଟିଛି । କୋରାପୁଟରେ ସରକାରଙ୍କ ତରଫରୁ କଫି ଚାଷକୁ ପ୍ରୋତ୍ସାହନ ଦିଆଯିବା ପରେ ସୁମୋନୀ ଓ ଗାଁର ଅନ୍ୟ ଚାଷୀମାନେ ଏଥିପ୍ରତି ଆକୃଷ୍ଟ ହୋଇ କଫିଚାଷ କରିବା ସହ ଅଧିକ ଆୟ କରିପାରୁଛନ୍ତି । କଫିଚାଷ ପାଇଁ ଏଠାକାର ଜଳବାୟୁ ଉତ୍କୃଷ୍ଟ ଥିଲେ ମଧ୍ୟ ଆମେ ମାନେ ଧାନ, ସୁଆଁ, ମାଣ୍ଡିଆ, ମକା, କୋଳଥ ଚାଷ କରୁଥିଲୁ । ଏବେ ଉଭୟ ସମତଳ ଓ ଡଙ୍ଗର ଜମିରେ କଫିଚାଷ କରୁଛୁ ଏବଂ ଏଥିରୁ ଭଲ ଆୟ ମଧ୍ୟ ହେଉଛି । ନିଜ ଗାଁରେ କାମ ମିଳିଥିବାରୁ ବେଶୀ ଖୁସି ଲାଗୁଛି ବୋଲି କୁହନ୍ତି ସୁମୋନୀ ।
ସମୁଦ୍ର ପତନରୁ ପ୍ରାୟ ୩୦୦୦ ଫୁଟ ଉପରେ ଥିବା କୋରାପୁଟର ଜଳବାୟୁ କଫି ଚାଷ ପାଇଁ ଉପଯୋଗୀ ହେତୁ ରାଜ୍ୟ ସରକାର ଜିଲ୍ଲାର କୋରାପୁଟ, ନନ୍ଦପୁର, ଦଶମନ୍ତପୁର, ଲକ୍ଷ୍ମୀପୁର ଓ ଲମତାପୁଟ ବ୍ଲକର ଆଦିବାସୀଙ୍କୁ କଫିଚାଷ କରିବା ପାଇଁ ସହଯୋଗ କରୁଛନ୍ତି । ପ୍ରାୟ ଷାଠିଏ ବର୍ଷ ପୂର୍ବେ ଆଦିବାସୀମାନେ କେବଳ କଫି ଗଛରୁ କଫି ତୋଳା କାମରେ ନିୟୋଜିତ ହେଉଥିଲେ କିନ୍ତୁ ଏବେ ପ୍ରଶାସନ ପକ୍ଷରୁ ସେମାନଙ୍କୁ କଫି ଗଛ ଲଗାଇବାକୁ ପ୍ରୋତ୍ସାହନ କରାଯାଉଛି । କୋରାପୁଟ କଫିକୁ ବ୍ରାଣ୍ଡିଂ କରି ମାର୍କେଟିଂ କରାଯାଉଥିବାରୁ ଏହାର ସିଧାସଳଖ ପ୍ରଭାବ ସ୍ଥାନୀୟ ଆଦିବାସୀଙ୍କ ଉପରେ ପଡ଼ିଛି । ସେମାନଙ୍କର ଆୟ ବଢିଛି ଓ ସେମାନେ ସ୍ୱାବଲମ୍ବୀ ହୋଇପାରିଛନ୍ତି ।
କୋରାପୁଟର କଫି
କୁହାଯାଏ ୧୯୩୦ ମସିହା ବେଳକୁ ସେଅଂଚଳରେ ରାଜୁତି କରୁଥିବା ସେତେବେଳର ରାଜା ରାଜବାହାଦୂର ରାମଚନ୍ଦ୍ର ଦେଓ, କୋରାପୁଟର ଜଳବାୟୁକୁ ଦେଖି ପରୀକ୍ଷାମୂଳକ ଭାବେ କିଛି କଫି ମଞି ବୁଣି ଦେଇଥିଲେ । ଏଠାକାର ଶୀତଳ ଜଳବାୟୁ ଓ ବର୍ଷାର ଅନୁପାତ ଅରାବିକା କଫି ଚାଷ ପାଇଁ ଅନୁକୂଳ ପରିବେଶ ସୃଷ୍ଟି କଲା । ଯଦିଓ କିଛି ଉଦ୍ୟୋଗି ଏ ଅଂଚଳରେ କଫି ଚାଷରେ ପୁଞିନିବେଶ କଲେ କିନ୍ତୁ ପ୍ରୋତ୍ସାହନ ଅଭାବରୁ ୧୯୯୦ ବେଳକୁ ଏହା ପ୍ରାୟତଃ ବନ୍ଦ ହୋଇଯାଇଥିଲା ।୨୦୧୭ ମସିହାରୁ ଏହାକୁ ଗୁରୁତ୍ୱ ଦିଆଯିବା ସହ ଏଠାକାର ଅଧିବାସୀଙ୍କୁ କର୍ମନିଯୁକ୍ତି ଯୋଗାଇ ଦେବାପାଇଁ କଫି ମିଶନ କାର୍ଯ୍ୟ କରୁଛି । ଏଥିପାଇଁ କେନ୍ଦ୍ର ସରକାରଙ୍କ କଫି ଡେଭେଲପ୍ମେଂଟ ଟ୍ରଷ୍ଟ, ରାଜ୍ୟ ସରକାର ଓ ସ୍ଥାନୀୟ ପ୍ରଶାସନ ମିଳିତ ଭାବେ ରଣନୀତି ପ୍ରସ୍ତୁତ କରିଛନ୍ତି । ଯେଉଁଥିରେ ସାଧାରଣ ଆଦିବାସୀଙ୍କ ବ୍ୟତୀତ ପାହାଡିଆ ଅଂଚଳରେ ରହୁଥିବା ସମସ୍ତ ଅଧିବାସୀଙ୍କୁ କଫି ଚାରା ପ୍ରସ୍ତୁତିଠାରୁ ଆରମ୍ଭ କରି ଏହାକୁ ତୋଳିବା ପୁଣି ଏହାର ପ୍ରୋସେସିଂ କରିବା ଭଳି କାମରେ ନିୟୋଜିତ କରାଯାଉଛି । ଆଦିବାସୀଙ୍କୁ ସେମାନଙ୍କ ପାରମ୍ପରିକ ପୋଡୁ ଚାଷରୁ ନିବୃତ କରିବା ସହ ସେମାନଙ୍କୁ ଦାଦନ ଯିବାରୁ ରୋକିବା ଦିଗରେ ଏବେ ଏହା ବିଶେଷ ସହାୟକ ହୋଇ ପାରିଛି ।
ସ୍ଥାନୀୟ ଅଂଚଳରେ କାମର ଅଭାବ, ଅର୍ଥ ଉପାର୍ଜନର ସ୍ୱଳ୍ପ ସୁଯୋଗ, ଶ୍ରମିକ ହିସାବରେ କମ୍ ଓ ଡେରିରେ ପାରିଶ୍ରମିକ ମିଳିବା ଭଳି ସମସ୍ୟାକୁ ଆଧାର କରି କୋରାପୁଟ ଜିଲ୍ଲାରୁ ପ୍ରତିବର୍ଷ ପାଖାପାଖି ୨ ଲକ୍ଷ ଲୋକ ଦାଦନ ଖଟିବାକୁ ପଡୋଶୀ ଛତିଶଗଡ, ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନା ଯାଆନ୍ତି । କରୋନା ସମୟରେ କେବଳ କୋରାପୁଟ ଜିଲ୍ଲାକୁ ଦିନକୁ ୫୦୦୦ ପର୍ଯ୍ୟନ୍ତ ଦାଦନ ଶ୍ରମିକ ଫେରିଥିବାର ଜିଲ୍ଲା ଶ୍ରମ ବିଭାଗ ରେକର୍ଡ କରିଛି । ଯେଉଁମାନେ ଅନ୍ୟ ରାଜ୍ୟରେ ଇଟାଭାଟି କିମ୍ବା ଘର ତିଆରିରେ ଶ୍ରମିକ ଭାବେ ଖୁବ୍ କମ୍ ପାରିଶ୍ରମିକରେ କାମ କରୁଥିଲେ ।
ନର୍ସରୀ ପ୍ରସ୍ତୁତିରେ ୪୦ ଗାଁର ମହିଳା
ଓଡିଶାରେ କଫିର ଉନ୍ନତି ପାଇଁ ରାଜ୍ୟ ସରକାର ପ୍ରଥମ ଥର ପାଇଁ ସ୍ୱତନ୍ତ୍ର ଭାବେ କଫି ମିଶନ୍ ଆଣିବାର ପରିକଳ୍ପନା କରିଛନ୍ତି । ଯାହା ଅଧୀନରେ କୋରାପୁଟ ଜିଲ୍ଲାର ୫ ହଜାର ହେକ୍ଟର ଜମିରେ କଫି ଚାଷ କରାଯିବ । କୋରାପୁଟ କଫି ବ୍ରାଣ୍ଡର ସଂପ୍ରସାରଣ ପାଇଁ ସ୍ୱତନ୍ତ୍ର କଫି ନୀତି ପ୍ରଣୟନ କରାଯିବ । ଆସନ୍ତା ୫ ବର୍ଷ ଭିତରେ ଏହାକୁ ସମ୍ପୂର୍ଣ୍ଣ ରୂପ ଦେବାକୁ ପ୍ରସ୍ତୁତି ଆରମ୍ଭ ହୋଇଛି । ପ୍ରତିବର୍ଷ ଏକ ହଜାର ହେକ୍ଟର ଲେଖାଏଁ କରି, ଆସନ୍ତା ୫ ବର୍ଷ ଯାଏଁ ନୂଆ ଜମିରେ ଅଧିକ କଫି ଚାଷ କରାଯିବ । ଏଥିପାଇଁ ନନ୍ଦପୁରଠାରେ ୨ଟି, ଲମତାପୁଟରେ ୩, କୋରାପୁଟରେ ୧, ସେମିଳିଗୁଡାରେ ୧, ଲକ୍ଷ୍ମୀପୁରରେ ୧ ଓ ଦଶମନ୍ତପୁରରେ ୨ଟି କଫି ନର୍ସରୀ କରାଯାଇଛି । ଆଦିବାସୀଙ୍କ ପାଇଁ କଫି ଚାରା ତିଆରି କରିବା ସମ୍ପୂର୍ଣ୍ଣ ନୂଆ ହୋଇଥିବା ବେଳେ କଫି ବୋର୍ଡ ଏଥିପାଇଁ ସମସ୍ତ ପ୍ରକାରର ବୈଷୟିକ ସହାୟତା ଓ ତାଲିମ ପ୍ରଦାନ କରୁଛି । ମହିଳା ଚାଷୀଙ୍କୁ କଫି ଚାରା ଉତ୍ପାଦନଠାରୁ ଆରମ୍ଭ କରି ଏହା କିପରି ଯେକୌଣସି ପରିସ୍ଥିତିରେ ବଢ଼ିପାରିବ, ଏଥିପାଇଁ ଉପଯୁକ୍ତ ଜମି ଚିହ୍ନଟ ଓ କଫି ଚାରା ବଡ ହେଲା ପରେ ଏହାର କିପରି ଯତ୍ନ ନିଆଯିବ ସେସବୁ ବିଷୟରେ ତାଲିମ ଦିଆଯାଉଛି । ପ୍ରତିଟି କଫି ନର୍ସରୀ ପ୍ରସ୍ତୁତ କରିବାକୁ ୩୦ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ଜିଲ୍ଲା ପ୍ରଶାସନ ଓ ଜିପିଏଲ୍ଏଫ୍ ସହାୟତାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନେ ଏହି କାମକୁ ଆଗେଇ ନେଇଛନ୍ତି । ଯାହାଦ୍ୱାରା ନର୍ସରୀ ଆଖପାଖର ୪ ଖଣ୍ଡ ଗାଁର ଉଭୟ ମହିଳା ଓ ପୁରୁଷଙ୍କୁ ଦୈନିକ ରୋଜଗାର ମିଳିପାରିଛି । ଜାନୁୟାରୀ ମାସରୁ ବର୍ତମାନ ସୁଦ୍ଧା ଦୈନିକ ହାରାହାରି ୫୦୦ ଶ୍ରମିକ ହିସାବରେ ପାଖାପାଖି ୫୦୦୦ ଦିନର କାମ ମିଳି ପାରିଛି । ମହାତ୍ମାଗାନ୍ଧୀ କର୍ମ ନିଯୁକ୍ତି ଯୋଜନାରେ କାମ ପାଇବାକୁ ହେଲେ ଜଣେ ଶ୍ରମିକର ଆଧାରକାର୍ଡ ଓ ଜବ୍କାର୍ଡ ବାଧ୍ୟତାମୂଳକ ଥିବା ବେଳେ କଫି ନର୍ସରୀରେ କାମ କରିବାକୁ ଜିଲ୍ଲା ପ୍ରଶାସନ ଏସବୁର ଆବଶ୍ୟକତାକୁ ଗରୁତ୍ୱ ଦେଇନାହିଁ । ପୁଣି ତିନିଦିନରେ ଥରେ ଶ୍ରମିକ ମାନଙ୍କୁ ସେମାନଙ୍କର ପାରିଶ୍ରମିକ ମିଳିଯାଉଥିବାରୁ ସେମାନେ ବି ବେଶ୍ ଖୁସି ।
ନର୍ସରୀ ଦାୟିତ୍ୱରେ ଥିବା ଓଡିଶା ଜୀବିକା ମିଶନର ଜିଲ୍ଲା ପ୍ରକଳ୍ପ ସଂଯୋଜିକା (ଡିଷ୍ଟ୍ରିକ୍ଟ ପ୍ରୋଜେକ୍ଟ ମ୍ୟାନେଜର) ସୁସ୍ମିତା ସାମନ୍ତରାୟ କହିଛନ୍ତି; କଫି ମାଧ୍ୟମରେ ପ୍ରଥମ ଥର ପାଇଁ ଲୋକମାନଙ୍କୁ ସେମାନଙ୍କର ଅଧିକାର ମିଳିଛି । ଚାରା ପ୍ରସ୍ତୁତିରୁ ଆରମ୍ଭ କରି ନିଜ ଅଧିକୃତ ଜମିରେ ସେମାନେ ଗଛ ଲଗାଇପାରିବେ । ପୁଣି ଗଛରୁ ବାହାରୁଥିବା ଫଳ ବିକ୍ରିକରି ଲାଭବାନ ହୋଇ ପାରିବେ । ଆଗରୁ ସରକାର ଗଛ ଦେଉଥିଲେ । ଲୋକେ ତାକୁ ଲଗାଉଥିଲେ । ତେଣୁ ଲୋକଙ୍କ ଭିତରେ ଗଛ ଲଗାଇବାକୁ ନେଇ ଖାମଖିଆଲି ମନୋଭାବ ଥିଲା । ଏବେ ସରକାର ଜଙ୍ଗଲ ଜମି ଅଧିକାରରେ ଜମି ପଟ୍ଟା ଦେଇ ସେଥିରେ କଫି ଚାଷ କରିବାକୁ ପ୍ରୋତ୍ସାହିତ କରିବା ଲୋକଙ୍କୁ ନୂଆ ଆଶା ଦେଇଛି । ଖାଲି କଫି ନର୍ସରୀ କାମ ନୁହେଁ ବରଂ ଏହି ପୂରା ପ୍ରୟାସରେ ଅନେକ ମହିଳା ଗୋଷ୍ଠୀ ଜିଆଖତ ଓ ଉର୍ବର ମାଟି ବିକ୍ରି କରି ଲାଭବାନ ହୋଇ ପାରିଛନ୍ତି । ଗାଁ ଲୋକଙ୍କ ଜିନିଷ ଓ ଶ୍ରମ ସେମାନଙ୍କ କାମରେ ହିଁ ଲାଗି ପାରିଛି ।
ପୁରୁଣା ଚାଷୀ ଆତ୍ମ ନିର୍ଭରଶୀଳ
କଫି କେବଳ ଏକ ଲାଭକାରୀ ନୁହେଁ ବରଂ ଦୀର୍ଘସ୍ଥାୟୀ ଫସଲ ମଧ୍ୟ । ଥରେ ଚାଷ କଲେ ଚାଷୀ ୨୦ ବର୍ଷ ଯାଏଁ ଏଥିରୁ ଲାଭ ପାଇ ପାରିବ । ଏଥିପାଇଁ ରାଜ୍ୟ ସରକାର ଆସନ୍ତା ଦିନରେ ୫୦୦୦ ହେକ୍ଟର ଜମିରେ ନୂଆକରି କଫି ଚାରା ରୋପଣ କରିବାକୁ ଯୋଜନା କରିଥିବା ବେଳେ ପୂର୍ବରୁ ଥିବା କଫି ଚାଷୀଙ୍କୁ ବି ଆତ୍ମ ନିର୍ଭରଶୀଳ କରିବାକୁ ପ୍ରୟାସ କରିଛନ୍ତି । ୨୦୨୧ରେ ଟିଡିସିସି (ଟ୍ରାଇବାଲ ଡେଭେଲପମେଂଟ କୋଅପରେଟିଭ କର୍ପୋରେସନ) କୋରାପୁଟ ଅଧୀନରେ ନନ୍ଦପୁର, ଲମତାପୁଟ, ଦଶମନ୍ତପୁର, ଲକ୍ଷ୍ମୀପୁର, ସେମିଳିଗୁଡା ଓ ପଟାଙ୍ଗୀର ପାଖାପାଖି ୧୯୩ ଜଣ ଚାଷୀଙ୍କଠାରୁ ୨୮.୭୯୦ ମେଟ୍ରିକ୍ ଟନ୍ କଫି କିଣିଥିଲେ । ଆଗାମୀ ଅମଳ ମାସ (ନଭେମ୍ବରରୁ ଜାନୁୟାରୀ) ରେ ଟିଡିସିସି ଜିଲ୍ଲାର ୬୦୦ ଆଦିବାସୀ କଫି ଚାଷୀଙ୍କଠାରୁ ପାଖାପାଖି ୧୦୦ ମେଟ୍ରିକ୍ ଟନ୍ କଫି ଫଳ ସଂଗ୍ରହ କରିବାକୁ ଲକ୍ଷ୍ୟ ରଖିଛି । ସେହପରି ୨୦୨୧-୨୨ରେ ଅଧିକ ୮୦ ହେକ୍ଟର ଜମିରେ ଏଥିପାଇଁ କଫି ଚାଷ କରାଯିବା ପାଇଁ ମନରେଗାରେ ଚାଷୀଙ୍କୁ କର୍ମନିଯୁକ୍ତି ଦିଆଯିବାର ବ୍ୟବସ୍ଥା କରାଯାଇଛି । କେବଳ ସେତିକି ନୁହେଁ କୋରାପୁଟ କଫିର ଫଳର ଆକାର ବଢ଼ାଇବା ପାଇଁ ଏବେ ଟିଡିସିସି ସହାୟତାରେ ଚାଷୀମାନଙ୍କୁ ଚାଷ ପରିଚାଳନା ଉପରେ ତାଲିମ ଦିଆଯିବା ପ୍ରକ୍ରିୟା ଆରମ୍ଭ ହେଲାଣିି ।
କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ୍ ପୁଡୁଆଁ ଅଂଚଳର ସୁଲୋଚନା ୨୦୨୦-୨୧ ବର୍ଷରେ କେବଳ ଡିସେମ୍ବର ଓ ଜାନୁୟାରୀ ମାସରେ ଟିଡିସିସିକୁ ୨୦୦ କିଲୋଗ୍ରାମରୁ ଅଧିକ କଫି ଫଳ ବିକ୍ରି କରି ଅନ୍ୟ ଚାଷୀମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି । ଏ ବାବଦରେ କୋରାପୁଟ କଫି ବୋର୍ଡର ବରିଷ୍ଠ ଲିିଆସନ୍ ଅଫିସର ଉପେନ୍ଦ୍ର ସାହା କହିଛନ୍ତି; ୧୯୭୮ ମସିହାରେ ଭାରତର କଫି ବୋର୍ଡ ଦ୍ୱାରା କରାଯାଇଥିବା ଏକ ସର୍ଭେରୁ ଜଣାଯାଏ ଯେ ରାଜ୍ୟରେ କୋରାପୁଟ ବ୍ୟତୀତ କନ୍ଧମାଳ, ରାୟଗଡାର କାଶୀପୁର ବ୍ଲକ, ଗଜପତି, କେନ୍ଦୁଝର ଜିଲ୍ଲାର କିଛି ଅଂଚଳ କଫି ଚାଷ ପାଇଁ ଉପଯୁକ୍ତ । କେବଳ ସେତିକି ନୁହେଁ ଓଡିଶା କଫି ବୋର୍ଡ ଦ୍ୱାରା କରାଯାଇଥିବା ଏକ ସର୍ଭେରୁ ଜଣାଯାଏ ଯେ ଏସବୁ ଜିଲ୍ଲାକୁ ଛାଡିଦେଲେ ମାଲକାନଗିରି, ସୁନ୍ଦରଗଡ଼ ଓ ଗଞ୍ଜାମ ଭଳି ଜିଲ୍ଲା ମଧ୍ୟ କଫି ଚାଷ ପାଇଁ ଉପଯୁକ୍ତ । ସାରା ରାଜ୍ୟରେ ୩.୪୬ ଲକ୍ଷ ହେକ୍ଟର ଜମି କଫି ଚାଷ ପାଇଁ ଅନୁକୂଳ ଥିବା ବେଳେ କେବଳ କୋରାପୁଟରେ ୧.୪୬ ଲକ୍ଷ ହେକ୍ଟର ଜମି କଫି ଚାଷ ପାଇଁ ଉପଯୁକ୍ତ । ହେଲେ ଏବେ ମାତ୍ର ୩୦୦୦ ହେକ୍ଟର ଜମିରେ କଫି ଚାଷ କରାଯାଉଥିଲେ ବି ସୁମୋନୀ ଭଳି ଅନେକ ଚାଷୀଙ୍କ ମୁହଁରେ ଏହା ହସ ଫୁଟାଇ ପାରିଛି । ଏବେ କଫି ଚାଷ ଯୋଗୁଁ ଆୟ ବଢିବାରୁ ସୁମୋନୀ ଦୁଇ ପିଲାଙ୍କୁ ସ୍କୁଲ ପଠାଉଛନ୍ତି । ଭାଙ୍ଗିଯାଇଥିବା ଘରକୁ ପୁଣି ସଜାଡ଼ିଛନ୍ତି ଓ ସଂଚୟ ମଧ୍ୟ କରିପାରୁଛନ୍ତି ।