କିଛିବର୍ଷ ତଳେ କେନ୍ଦୁଝର ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଗାଁର ମହିଳାମାନଙ୍କ ପାଇଁ ରୋଜଗାରର ମାଧ୍ୟମ ଥିଲା ପାଖ ଜଙ୍ଗଲରୁ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ବଜାରରେ ବିକ୍ରୀ କରିବା, କିନ୍ତୁ ଏବେ ସେମାନଙ୍କୁ ନୂଆ ପରିଚୟ ମିଳିଛି । ଆଉ ସେ ପରିଚୟ ଦେଇଛି ଭଗାମୁଣ୍ଡା ଟସର ସିଲ୍କ ପାର୍କ । ଯେଉଁଠି ଏବେ ୨୦୦ରୁ ଅଧିକ ଆଦିବାସୀ ମହିଳା କାମ କରି ସ୍ୱାବଲମ୍ବୀ ହୋଇପାରିଛନ୍ତି ।
ଭୁବନେଶ୍ୱର ;
ଟସର ଶାଢୀ ଆମକୁ ଜାତୀୟ ସ୍ତରରେ ପରିଚୟ ଦେଇଛି । ଆମ ହାତ ତିଆରି ଟସର ସିଲ୍କ ଶାଢୀ ଯେ କେବେ କାହା ଦେହରେ ଶୋଭା ପାଇବ ସେକଥା ଆମପାଇଁ ସ୍ୱପ୍ନ ଥିଲା । ଏବେ ଟସର ସିଲ୍କ ଆମ ଭିତରେ ଆତ୍ମବିଶ୍ୱାସ ବଢେଇଛି ଓ ଆଗକୁ ସ୍ୱପ୍ନ ଦେଖିବାର ସାହସ ଦେଇଛି ବୋଲି କୁହନ୍ତି, କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଭଗାମୁଣ୍ଡା ଗାଁର କୁନି ଦେହୁରୀ । ଗତ କିଛିବର୍ଷ ତଳର କଥା ଆଦିବାସୀ ଅଧ୍ୟୁଷିତ ଏହି ଗାଁର ମହିଳାମାନଙ୍କ ରୋଜଗାରର ମାଧ୍ୟମ ଥିଲା କେବଳ ପାଖ ଜଙ୍ଗଲରୁ ଶାଳ ପତ୍ର ଓ ମହୁଲ ସଂଗ୍ରହ କରିବା, ବୁବେଇ ଘାସରେ ଦଉଡ଼ି ତିଆରି କରିବା ସାଙ୍ଗକୁ ଘର କାମରେ ସାହାଯ୍ୟ କରିବା । ପାଠପଢାର ଡ଼ିଗ୍ରୀ ଓ ଡିଜିଟାଲ ଜ୍ଞାନକୌଶଳର ତାଲିମ ନଥିବାରୁ ସେମାନଙ୍କର ଆଗକୁ ବଢିବାର ସାହସ ମଧ୍ୟ ନଥିଲା । ଆହୁରିମଧ୍ୟ ପରିବାର ଲୋକେ ସେମାନଙ୍କୁ କମ ବୟସରେ ବାହାଘର କରିଦେଉଥିଲେ ଫଳରେ ଏଇ ଆଦିବାସୀ ଝିଅମାନଙ୍କ ସ୍ୱପ୍ନ ଘରର ଚାରିକାନ୍ଥ ଭିତରେ ଆବଦ୍ଧ ହୋଇ ରହିଯାଉଥିଲା । କିନ୍ତୁ ଏବେ ପରିବେଶ ଓ ପରିସ୍ଥିତି ବଦଳି ଯାଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଭଗାମୁଣ୍ଡା ଠାରେ ସିଲ୍କପାର୍କ ସ୍ଥାପନ ହେବା ପରେ ଏଠାକାର ଆଦିବାସୀ ଝିଅମାନଙ୍କ ପାଇଁ ଆଗକୁ ବଢିବାର ଏକ ସୁଯୋଗ ସୃଷ୍ଟି ହୋଇଛି । ବର୍ତମାନ ଏହି ସିଲ୍କ ପାର୍କରେ ଭଗାମୁଣ୍ଡା ଓ ଆଖପାଖ ଗାଁର ୨୦୦ରୁ ଅଧିକ ମହିଳା ତାଲିମ ନେଇ କାମ କରୁଛନ୍ତି ।
କେନ୍ଦୁଝର ଟସର
କେନ୍ଦୁଝର ଜିଲ୍ଲା ଯେ କେବଳ ପ୍ରାକୃତିକ ସମ୍ପଦ ପାଇଁ ଦେଶ ବିଦେଶରେ ପରିଚିତ ତା ନୁହେଁ ଏଠାକାର ଆଦିବାସୀଙ୍କ ଦ୍ୱାରା ପ୍ରସ୍ତୁତ ଟସର ଶାଢିର ଚାହିଦା ଓଡ଼ିଶା ବାହାରେ ମଧ୍ୟ ରହିଛି । ଏଠାକାର ପରିବେଶ ଟସର ପୋକ ଓ କୁକୁନ (କୋଷା) ପ୍ରସ୍ତୁତ ପାଇଁ ଉକ୍ତୃଷ୍ଟ ହେତୁ ହରିଚନ୍ଦନପୁର ବ୍ଲକ ଭଗାମୁଣ୍ଡା ଗାଁର ଆଦିବାସୀ ମାନେ ଚାଷ ସାଙ୍ଗକୁ ଟସର ସୂତା କାଟି ବିକ୍ରୀ କରୁଥିଲେ । ୭୦ଦଶକରେ ଏଅଂଚଳର ଟସର ଉତ୍ପାଦନକାରୀଙ୍କୁ ଅଧିକ ରୋଜଗାରର ସୁଯୋଗ ଦେବା ପାଇଁ ଟସର କୋଅପରେଟିଭ ସୋସାଇଟି ସ୍ଥାପନ କରାଗଲା । ଉଦ୍ଦେଶ୍ୟ ଥିଲା ଏଠାକାର ଚାଷୀ ମାନଙ୍କୁ ସୁଲଭ ଦରରେ ମଞି ବାଂଟିବା ସହ ସେମାନଙ୍କ ଠାରୁ ଉଚିତ ଦରରେ କୁକୁନ ସଂଗ୍ରହ କରିବା । କିନ୍ତୁ ପାରମ୍ପରିକ ଟସର ପ୍ରତି ଗ୍ରାହକଙ୍କ ଚାହିଦାର ଅଭାବ ଓ ବିକ୍ରିର ସୁଯୋଗ ନମିଳିବା କାରଣରୁ ଧିରେ ଧିରେ ସେମାନେ କ୍ଷତି ସହିବାରେ ଲାଗିଲେ ଓ ସେମାନଙ୍କର ଋଣ ବୋଝ ବଢିବାରେ ଲାଗିଲା । ଶେଷରେ ବାଧ୍ୟ ହୋଇ ପରିବାର ଚଳାଇବା ପାଇଁ ସେମାନେ ଅନ୍ୟ ରାଜ୍ୟକୁ ଯାଇ ଶ୍ରମିକ ଭାବେ କାମ କଲେ ।
ବିଭିନ୍ନ ପାରିପାଶ୍ୱିର୍କ କାରଣ ଯୋଗୁଁ ୨୦୦୦ ମସିହା ବେଳକୁ ଏଅଂଚଳରେ ମାଓବାଦୀଙ୍କ କାର୍ଯ୍ୟକଳାପ ବଢିବା ଓ ଏହାକୁ ମାଓପ୍ରବଣ ଅଂଚଳ ଭାବେ ଘୋଷଣା କରାଯିବା ପରେ ଏହିଶିଳ୍ପ ପୁଣିଥରେ ବାଧାପ୍ରାପ୍ତ ହେଲା । ଅନ୍ୟପକ୍ଷରେ କେନ୍ଦୁଝରରେ ମାଇନସ୍ କାରବାର ବଢିବା ଯୋଗୁଁ ଜଙ୍ଗଲ ହ୍ରାସ ପାଇବାରେ ଲାଗିଲା ଓ ଏହାର ପ୍ରଭାବ ସିଧାସଳଖ କୁକୁନ ଚାଷ ଉପରେ ପଡ଼ିଲା ଓ ଟସର କୁଟୀର ଶିଳ୍ପ ପ୍ରତି ଆଗ୍ରହ କମିବାରେ ଲାଗିଲା ।
ଏ ବାବଦରେ ଅନୁସୂଚିତ ଜାତି ଓ ଜନଜାତି ଗବେଷଣା ପ୍ରତିଷ୍ଠାନ ଦ୍ୱାରା ପରିଚାଳିତ ଓଏମ୍ବିଏଡିସିର ପ୍ରକଳ୍ପ ମୁଖ୍ୟ ଶ୍ୱେତା ମିଶ୍ର କୁହନ୍ତି, ଯଦିଓ କେନ୍ଦୁଝର ଗାଁର ଆଦିବାସୀମାନେ ପାରମ୍ପରିକ ଭାବେ ଟସର ଚାଷ କରନ୍ତି ମାତ୍ର କିଛି ବର୍ଷ ହେବ ମାଇନିଂ ଓ ଖଣି କାମପ୍ରତି ପ୍ରଲୋଭିତ ହୋଇ ସେମାନେ ନିଜର କୌଳିକ ବୃତିରୁ ମୁହଁ ଫେରାଇ ନେଇଥିଲେ । ହେଲେ ଗତ ଏକ ଦଶନ୍ଧି ହେବ ମାଇନସ୍ କାମ ଏଅଂଚଳରେ ସଂପୂର୍ଣ ବନ୍ଦ ହୋଇସାରିଥିଲେ ବି ସ୍ଥାନୀୟଲୋକେ କିନ୍ତୁ ଆଉ ଟସର ବୁଣାପ୍ରତି ଆଗ୍ରହୀ ହେଉନଥିଲେ ।
ସିଲ୍କ ପାର୍କ ଦେଇଛି ପରିଚୟ
ଟସର ଚାଷକୁ ପ୍ରୋତ୍ସାହନ ଦେବା ପାଇଁ ୨୦୧୭ ମସିହାରେ ରାଜ୍ୟସରକାର ନିଷ୍ପତି ନେବାସହ ଗାଁର ପ୍ରତି ପରିବାରକୁ ଅର୍ଜ୍ଜୁନ ଓ ଅସନ ଗଛ ଲଗେଇ ଟସର ଉତ୍ପାଦନ ପାଇଁ ଉତ୍ସାହିତ କଲେ । ଯେତେବେଳେ ଟସର କୁକୁନ ବଢିଲା ଟସର ବୁଣାକାରଙ୍କ ପାଇଁ ୨୦୧୯ ମସିହାରେ ଜାତୀୟ ହସ୍ତତନ୍ତ ମନ୍ତ୍ରଣାଳୟ ଓ ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ପ୍ରଥମ ଥରପାଇଁ ଏକ ନୂଆ ରାସ୍ତା ଖୋଜାହେଲା । ପ୍ରାୟ ୭୦ କୋଟି ଟଙ୍କା ବ୍ୟୟରେ ଭଗାମୁଣ୍ଡାଗାଁରେ ତିଆରି ହେଲା ଟସର ସିଲ୍କ ପାର୍କ । ଏହା ଗାଁ ଲୋକଙ୍କୁ ରୋଜଗାର ତ ଦେଲା ଆଦିବାସୀ ମହିଳାଙ୍କ ପାଇଁ ଆଗକୁ ବଢିବାର ଏକ ସୁଯୋଗ ସୃଷ୍ଟି କଲା । ପ୍ରଥମେ ଗାଁର ୧୦ ରୁ ୧୫ ଜଣ ଆଦିବାସୀ ମହିଳାଙ୍କୁ ଦକ୍ଷତା ବିକାଶ ତାଲିମ ଦେବା ସହ, ଜୀବନ କୌଶଳ ଶିକ୍ଷା ଦ୍ୱାରା ସେମାନଙ୍କୁ ବୟନ ଶିଳ୍ପର ନୂଆ ଧାରା ସହ ପରିଚୟ କରାଗଲା ।
ଏହି ସିଲ୍କପାର୍କରେ ବୁଣାକାର ତାଲିମ ନେଇଥିବା ଏହି ମହିଳାମାନେ ଆଜି ନିଜ ନିଜ କାରିଗରୀରେ ନିପୁଣା । ସବୁଠାରୁ ବଡ଼ କଥା ହେଲା ଟସର ପାର୍କରେ କାମ କରୁଥିବା ଏହି ମହିଳା ମାନେ ସମସ୍ତେ ଟସର ବୁଣାକାର ପରିବାରର । ଭଗାମୁଣ୍ଡା ସ୍ଥିତ ଟସର ସିଲ୍କ ପାର୍କ ନିର୍ମାଣ ହେବା ଆଗରୁ ଏହି ମହିଳାମାନେ ଜଙ୍ଗଲ ଜାତ ଦ୍ରବ୍ୟ ସଂଗ୍ରହ କରିବା ଓ ଘରୋଇ କାମରେ ସମୟ କାଟୁଥିଲେ । କିନ୍ତୁ ଏବେ ଏହି ଟସର ସିଲ୍କ ପାର୍କରେ ତାଲିମ ନେବା ପରେ ସେମାନେ ଯେ କେବଳ ରେଶମ ସୂତା ଉତ୍ପାଦନ କରୁଛନ୍ତି ତା’ନୁହେଁ; ବରଂ ଶାଢ଼ୀ ବୁଣାଠାରୁ ଆରମ୍ଭ କରି କପଡା ପ୍ରସ୍ତୁତ କରିବା, ଶାଢ଼ୀକୁ ବିଭିନ୍ନ ଡିଜାଇନ୍ରେ ମୁଦ୍ରଣ କରିବା ଓ ଶାଢ଼ୀରେ ଚିତ୍ର ଆଙ୍କବା ଭଳି ବିଭିନ୍ନ କାମ ମଧ୍ୟ କରୁଛନ୍ତି ।
ଭଗାମୁଣ୍ଡା ଟସର ପାର୍କ ଦାୟିତ୍ୱରେ ଥିବା ଅଧିକାରୀ ପିକେ ମହାପାତ୍ର କୁହନ୍ତି; କେନ୍ଦ୍ର ବୟନ ଓ ହସ୍ତତନ୍ତ ବିଭାଗ ଦ୍ୱାରା ଆରମ୍ଭ କରାଯାଇଥିବା ଏହି ପାର୍କର ମୂଳ ଆଭିମୁଖ୍ୟ ହେଉଛି ‘ଫାର୍ମ ଟୁ ଫାଇବର ଟୁ ଫାବ୍ରିକ୍ ।’ ଅର୍ଥାତ ଚାଷ ଜମିରୁ ରେଶମ ପୁଣି ସେଥିରୁ କପଡା ପ୍ରସ୍ତୁତ କରିବା । ହସ୍ତତନ୍ତ ବିଭାଗ ଇ-କମର୍ସ କମ୍ପାନୀ ଫ୍ଲିପ୍କାର୍ଟ ସହ ସାମର୍ଥ୍ୟ କାର୍ଯ୍ୟକ୍ରମ ଅଧୀନରେ ବୁଝାମଣା ପତ୍ର ସ୍ୱାକ୍ଷର କରିବା ପରେ ଏଠାକାର ଟସର ଶାଢ଼ୀ -ଭଗାମୁଣ୍ଡା ଟସର ସିଲ୍କ -ବ୍ରାଣ୍ଡରେ ବିକ୍ରି ହେବା ଆରମ୍ଭ ହୋଇଛି । ଏହି ଇ-କମର୍ସ ପ୍ଲାଟଫର୍ମରେ ଏବେ ସୁଦ୍ଧା ୪ ହଜାରରୁ ଅଧିକ ଶାଢୀ ବିକ୍ରି ହୋଇ ସାରିଲାଣି ।
ରୋଜଗାର ସହ ମିଳିଛି ସମ୍ମାନ
ଏହି ସିଲ୍କ ପାର୍କର ଉଦ୍ଦେଶ୍ୟ ହେଉଛି ଏଥିରେ ଉଭୟ ପୁରୁଷ ଓ ମହିଳାଙ୍କୁ ବର୍ଷତମାମ କାମ ଯୋଗାଇ ଦେବା ସହ ସେମାନଙ୍କୁ ରୋଜଗାରର ସୁଯୋଗ ଦେବା । ଯଦିଓ ଭଗାମୁଣ୍ଡା ଗାଁର ମାତ୍ର ୧୦ ରୁ ୧୫ଜଣ ମହିଳା ପ୍ରଥମେ ଟ୍ରେନିଂ ନେଇଥିଲେ କିନ୍ତୁ ପରେ ରୋଜଗାରର ସୁଯୋଗ ଦେଖି ଆଖପାଖଗାଁର ମହିଳାମାନେ ବି ଏଥିରେ ଯୋଗ ଦେଲେଣି । ଏଠି ତାଲିମ ନେଇ କାମ କରୁଥିବା ସବିତା ଦେହୁରୀ କୁହନ୍ତି, ଗୋଟେ କେଜି ସୂତା ତିଆରି କଲେ ହଜାରେ ଟଙ୍କାଯାଏଁ ରୋଜଗାର କରିହୁଏ । ଆଉ ଏଠି ମହିଳାମାନେ ମିଶି ଦିନକୁ ପାଖାପାଖି ୧୨ ରୁ ୧୫ କେଜି ଯାଏଁ ସିଲ୍କ ସୂତା ବାହାର କରିବା ସହ ୨୦ ରୁ ୩୦ ମିଟର କପଡ଼ା ପ୍ରସ୍ତୁତ କରିପାରୁଛନ୍ତି । ଫଳରେ ଆମର ଆୟ ବଢିଛି ଓ ଆମକୁ ପରିବାର ଚଳାଇବା କ୍ଷେତ୍ରରେ ସହାୟକ ହେଉଛି । ଶାଢି ଛଡ଼ା ସେମାନେ ଧୋତି, କୁର୍ତା ଜ୍ୟାକେଟ, ମାସ୍କ ଓ ହାତରେ ଧରା ପଙ୍ଖା ମଧ୍ୟ ତିଆରି କରୁଛନ୍ତି । ଏସବୁ ଜିନିଷର ରାଜ୍ୟ ବାହାରେ ବେଶ ଚାହିଦା ରହିଛି ।
ପାର୍କରେ କାମ କରୁଥିବା ଝିଲି ଦେହୁରୀ କୁହନ୍ତି, ପରିବାରକୁ ଆର୍ଥିକ କ୍ଷେତ୍ରରେ ସାହାଯ୍ୟ କରିବାପାଇଁ ଆଗରୁ ସେମାନଙ୍କୁ ଚେନ୍ନାଇ ନଚେତ ବାଙ୍ଗାଲୋର ଯାଇ ସେଠାକାର କପଡ଼ା ଫ୍ୟାକଟ୍ରୀରେ କାମ କରିବାକୁ ପଡ଼ୁଥିଲା କିନ୍ତୁ ଏବେ ଏଠି ରହିମଧ୍ୟ ସେମାନେ ରୋଜଗାରକ୍ଷମ ହୋଇପାରୁଛନ୍ତି । ବାହାର ପରିବେଶ ସହ ଖାପଖୁଆଇ ଚଳିପାରୁନଥିବାରୁ ଅନେକ ଝିଅ ବାଧ୍ୟ ହୋଇ ଫେରିଆସୁଥିଲେ କିନ୍ତୁ ଏଠି ସୁଯୋଗ ମିଳିଥିବାରୁ ସେମାନେ ପରିବାରକୁ ଦେଖିପାରୁଛନ୍ତି ଓ ରୋଜଗାର ମଧ୍ୟ କରିପାରୁଛନ୍ତି । ସବୁଠାରୁ ବଡ଼ କଥା ହେଉଛି କମ ବୟସରେ ବାହାଘର ନକରି ବାପା ମା ମାନେ ସେମାନଙ୍କୁ ଆଗକୁ ବଢିବାକୁ ସୁଯୋଗ ଦେଉଛନ୍ତି ।
ଗାଁର ପୁରୁଷମାନେ ମଧ୍ୟ ଯେଉଁମାନେ ବାହାରକୁ କାମ ପାଇଁ ଯାଇଥିଲେ ଏବେ ସେମାନେ ଫେରିଆସିବା ସହ ତାଙ୍କ କୌଳିକ ବୃତିକୁ ଆପଣେଉଛନ୍ତି । ବିଭିନ୍ନ କାରଣ ପାଇଁ ନିଜର ଚାର୍ମ ହରେଇ ଦେଇଥିବା କେନ୍ଦୁଝର ଟସର ଏବେ ଯେ ନୂଆରୂପରେ ପୁଣି ଫେରିଛି ତା ନୁହେଁ ଏଠାକାର ଆଦିବାସୀ ମହିଳାମାନଙ୍କୁ କର୍ମନିଯୁକ୍ତି ସହ ସ୍ୱାବଲମ୍ବୀ ମଧ୍ୟ କରିପାରିଛି ।