ଗରମ ଗୁଳୁଗୁଳିରେ ଅତିଷ୍ଠ ହୋଇପଡ଼ୁଛି ଜନଜୀବନ । ସହର ଗାଁ ସବୁଠି ଲୋକେ ଏବର୍ଷ ର ଅସହ୍ୟ ତାତି ଯୋଗୁଁ ଛଟପଟ ହେଉଥିବା ବେଳେ ଦୂରଦୂରାନ୍ତ ଅଂଚଳରେ ପିଇବା ପାଣିର ସମସ୍ୟା ମହିଳାଙ୍କ ଉପରେ ଯେପରି ଦାଉ ସାଧିଛି । ନୂଆପଡ଼ା ଗାଡ଼ିଆଜୋର ଗାଁର ଆଦିବାସୀ ମହିଳାଙ୍କର ଏହା ପ୍ରତିଦିନର ସଂଘର୍ଷ ।
ଭୁବନେଶ୍ୱର ;
ତତଲା ତାୱାରେ ଭାଜିି ହେଉଛି ସାରା ରାଜ୍ୟ । ଗରମ ଗୁଳୁଗୁଳିରେ ଅତିଷ୍ଠ ହୋଇପଡ଼ୁଛି ଜନଜୀବନ । ସହର ଗାଁ ସବୁଠି ଲୋକେ ଏବର୍ଷ ର ଅସହ୍ୟ ତାତି ଯୋଗୁଁ ଛଟପଟ ହେଉଥିବା ବେଳେ ଦୂରଦୂରାନ୍ତ ଅଂଚଳରେ ପିଇବା ପାଣିର ସମସ୍ୟା ସେମାନଙ୍କ ଉପରେ ଦାଉ ସାଧିଛି । ତେବେ ଅନ୍ୟ ଜିଲ୍ଲା ତୁଳନାରେ ନୂଆପଡ଼ା, ବଲାଙ୍ଗିର, କଳାହାଂଡ଼ି ଆଦି ଜିଲ୍ଲାରେ କମ୍ ପରିମାଣର ବର୍ଷା ହେଉଥିବାରୁ ଖରାଦିନରେ ସେମାନଙ୍କର ପାଣି ସମସ୍ୟା ଆହୁରି ବଢିଯାଏ । ଗତ କିଛି ବର୍ଷ ହେବ ଜଳବାୟୁ ପରିବର୍ତନ ଓ ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ (ହିଟ୍ େଓଭ) ଏ ଅଂଚଳରେ ରହୁଥିବା ମହିଳାଙ୍କ ପାଇଁ ପାଣି ପାଇବା କ୍ଷେତ୍ରରେ ସବୁଠାରୁ ବଡ଼ ସମସ୍ୟା ଭାବେ ଉଭା ହୋଇଛି ।
ପାଣି ମୁନ୍ଦାଏ ପାଇବା ପାଇଁ ବଣ ଜଙ୍ଗଲ ଓ ପାହାଡି ଇଲାକାରେ ରହୁଥିବା ଆଦିବାସୀ ଲୋକେ ଡହଳ ବିକଳ ହେଉଛନ୍ତି । ରାତି ନ ପାହୁଣୁ ହାତରେ ଗରା ବାଲଟି ଧରି ଘରର ମହିଳା ମାନେ ବାହାରି ପଡ଼ନ୍ତି ପାଣି ଆଣିବା ପାଇଁ । ଯେହେତୁ ପାଣିର ଆବଶ୍ୟକତା ଅଧିକ ଏଣୁ ଅନେକ ସମୟରେ ଛୋଟ ଝିଅ ମାନେ ସ୍କୁଲ ବନ୍ଦ କରି ମା ମାନଙ୍କୁ ସାହାଯ୍ୟ କରିବା ପାଇଁ ପାଣି ଆଣିବାକୁ ଯାଆନ୍ତି ।
ପାଣି ପାଇଁ ଚାଲୁଛନ୍ତି ମାଇଲ ମାଇଲ ବାଟ
ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ୍ର ଉପାନ୍ତ ପାହାଡି ଗାଁ ହେଉଛି ଗାଡିଆଜୋର । ଯେଉଁଠି ରହନ୍ତି ୨୦ଟି ଆଦିବାସୀ ପରିବାରର ପାଖାପାଖି ୧୦୦ ଲୋକ । ଜୀବନ ଜୀବିକା କହିଲେ ଚାଷ ନଚେତ ପାଖ ଜଙ୍ଗଲରୁ ଜଙ୍ଗଲୀ ଦ୍ରବ୍ୟ ସଂଗ୍ରହ କରି ବିକ୍ରି କରିବା । ଅଧିକ ଅର୍ଥ ଆବଶ୍ୟକ ପାଇଁ ଏମାନଙ୍କୁ ମୂଲ ଲାଗିବାକୁ ଦୂର ଯାଗାକୁ ଯିବାକୁ ପଡ଼ୁଥିଲେ ହେଁ ଗାଁ ରେ ପାଣି ପାଇବାର ସୁବିଧା ନଥିବାରୁ ଏମାନଙ୍କୁ ଅନେକ ହଇରାଣ ହେବାକୁ ପଡୁଛି଼ । ଭୋର ୪ଟା ନ ବାଜୁଣୁ ଏହି ଆଦିବାସୀ ଗାଁ ର ମହିଳାମାନଙ୍କୁ ପାଣି ଚିନ୍ତା ଘାରିବାରେ ଲାଗେ । ଏଥିପାଇଁ ସକାଳ ନ ହେଉଣୁ ହାତରେ ଓ ମୁଣ୍ଡରେ ଗରା ଧରି ଏମାନେ ବାହାରି ପଡନ୍ତି ପିଇବା ପାଣି ସନ୍ଧାନରେ । କେତେବେଳେ ପାଦରେ ଚପଲ ଖଣ୍ଡେ ପିନ୍ଧି ତ ଆଉ କେତେବେଳେ ଖାଲି ପାଦରେ । ମାଓପ୍ରବଣ ଜଙ୍ଗଲୀ ରାସ୍ତାରେ ମାଇଲ୍ ମାଇଲ୍ ଅତିକ୍ରମ କଲା ପରେ ପହଂଚନ୍ତି ଜଙ୍ଗଲୀ ନଳା ପାଖରେ । ତା’ ପରେ ଖୋଳା ହୁଏ ଅସ୍ଥାୟୀ ବାଲି ଚୂଆ । ଆଉ ଅପେକ୍ଷା କରାଯାଏ ସଫା ପିଇବା ପାଣି ମୁନ୍ଦେ ଝରିବାର । ପ୍ରତିଦିନ ୩ରୁ ୪ ଘଂଟା ବିତେ ଏଇ ପିଇବା ପାଣି ସଂଗ୍ରହ କାମରେ । ଦିନେ କି ଦୁଇଦିନ ନୁହେଁ ବର୍ଷ ତମାମ ପିଇବା ପାଣି ଟୋପେ ପାଇଁ ଏମିତି ସଂଘର୍ଷ କରନ୍ତି ଗାଡିଆଜୋର ଗାଁ ର ମହିଳା ମାନେ । ତେବେ ଖରାମାସରେ ଏହି ସଂଘର୍ଷ ଟିକେ ବେଶୀ ।
ଗାଁର ବୟସ୍କା ମହିଳା ସାବିତ୍ରୀ ମାଝି କୁହନ୍ତି, ବାହାଘର ପରଠାରୁ ମୁଁ ଗାଁର ଅନ୍ୟ ମହିଳାଙ୍କ ସହ ପାଣି ଆଣିବାକୁ ଯାଉଛି । ଘର ପାଇଁ ପାଣି ସଂଗ୍ରହ କାମ ସବୁଠି ମହିଳା ମାନେ କରୁଥିବାରୁ ଏଠି ମଧ୍ୟ ଆମକୁ ୩ ରୁ ୪ ଘଂଟା ସମୟ ଦେବାକୁ ପଡ଼ିଥାଏ । ପ୍ରାୟ ୩ କିଲୋମିଟର ପାହାଡି ରାସ୍ତାରେ ଯିବା, ପୁଣି ସେଠାରେ ବାଲିଚୁଆ କରି ପାଣିକୁ ଅପେକ୍ଷା କରିବା, ତାକୁ ଛାଣି ମାଠିଆରେ ଭରିବା ଏସବୁ ପାଇଁ ଢ଼େର ସମୟ ବିତୁଛି । ପ୍ରତି ପରିବାର ଏହି ବାଲି ଚୂଆ ମାଧ୍ୟମରେ ହିଁ ପାଣି ସଂଗ୍ରହ କରୁଛନ୍ତି । ଏହି ପାଣି ସେମାନଙ୍କ ଆବଶ୍ୟକତା ପୂରଣ କରିବା ପାଇଁ ଯଥେଷ୍ଟ ନୁହେଁ ତଥାପି ଅନ୍ୟ କୌଣସି ବ୍ୟବସ୍ଥା ନଥିବାରୁ ସେମାନେ ସେତିକିରେ ଚଳିବାକୁ ବାଧ୍ୟ ହେଉଛନ୍ତି ।
ପ୍ରତିଦିନ ପାଣି ପାଇଁ ମାଇଲ ମାଇଲ ଚାଲୁ ଥିବାରୁ ଏମାନଙ୍କୁ ସ୍ୱାସ୍ଥ୍ୟଗତ ସମସ୍ୟା ମଧ୍ୟ ସାମନା କରିବାକୁ ପଡ଼ିଥାଏ । ଏବିଷୟରେ ସୁରେଖା ମାଝି କୁହନ୍ତି, ପ୍ରତିଦିନ ରାତିରେ ଶୋଇଲା ବେଳେ ପାଦବିନ୍ଧା ହୁଏ, ବେଳେବେଳେ ଦେହହାତ ବିନ୍ଧା ହେବା ସହ ଜ୍ୱର ବି ହୁଏ, କିନ୍ତୁ ପାଣି ଆଣିବା କେବେ ବନ୍ଦ ହୁଏନା । ସୁରେଖାଙ୍କୁ ଯେତେବେଳେ ପଚରାଗଲା, ପୁରୁଷ ମାନେ ଏକ୍ଷେତ୍ରରେ କେତେ ସାହାଯ୍ୟ କରନ୍ତି, ତାଙ୍କର ଓଲଟା ପ୍ରଶ୍ନ ଥିଲା ଆପଣ କେବେ ଦେଖିଛନ୍ତି ପୁରୁଷମାନଙ୍କୁ ଗରା ଧରି ପାଣି ଆଣିବା ?
ସଫାପାଣି ପାଇବା ସ୍ୱପ୍ନ
କିଛି ବର୍ଷ ପୂର୍ବେ ଗାଁ ଲୋକଙ୍କ ଅଭିଯୋଗ ଓ ଦାବି ପରେ ପ୍ରଶାସନ ଦୁଇଟି ନଳକୂପ ସ୍ଥାପନ କରିଥିଲେ । ମାତ୍ର ଏହି ଦୁଇଟି ଯାକ ନଳକୂପରୁ ଫ୍ଲୋରାଇଡ ମିଶା ପାଣି ବାହାରୁଥିବାରୁ ଗାଁ ଲୋକେ ଏବେ ଆଉ ସେହି ପାଣି ପିଇବାକୁ ନାରାଜ । କେବଳ ଯାହା ଘରର ବାସନ କୁସନ ମଜାମଜି କାମ ଓ ଧୂଆ ପୋଛା କାମରେ ବ୍ୟବହାର ହେଉଛି ନଳକୂପ ପାଣି । ଏବିଷୟରେ ମାଳତୀ ମାଝି କୁହନ୍ତି, ଗାଁରେ ନଳକୂପ ଥିଲେ ମଧ୍ୟ ଏ ପାଣି ପିଇବା ଯୋଗ୍ୟ ନୁହେଁ ତେଣୁ ପିଇବା ପାଣି, ଘରର ଖାଦ୍ୟ ପ୍ରସ୍ତୁତ ପାଇଁ ଆବଶ୍ୟକ ପାଣି ପାଇଁ ସେମାନଙ୍କୁ ଜଙ୍ଗଲୀ ନାଳ ନିକଟସ୍ଥ ବାଲି ଚୂଆ ଉପରେ ନିର୍ଭର କରିବାକୁ ପଡୁଛି ।
ଏ ବାବଦରେ ଗାଁର ଗୋଣ୍ଡ ସମାଜର ସାଧାରଣ ସମ୍ପାଦକ ଦୁର୍ବଳ ମାଝୀ କୁହନ୍ତି; ଗାଡିଆଜୋର ଗାଁରେ ଦୁଇଟି ନଳକୂପ ଅଛି । ଗୋଟିଏ ଅଚଳ ହୋଇ ପଡିଥିବା ବେଳେ ଆର ନଳକୂପରୁ ଫ୍ଲୋରାଇଡ ଯୁକ୍ତ ପାଣି ବାହାରୁଛି । ତେଣୁ ଗାଁ ଲୋକେ ତାକୁ ପିଇବା ପାଣି କାମରେ ବ୍ୟବହାର କରି ପାରୁନାହାଁନ୍ତି । ନିକଟସ୍ଥ ପୋଡାପଦର ଗାଁକୁ ଟ୍ୟାଙ୍କର ଯୋଗେ ସବୁ ଦିନ ପାଣି ଯୋଗାଇ ଦିଆଯାଉଥିଲେ ମଧ୍ୟ ଗାଡିଆଜୋରକୁ ଏଥିରେ ସାମିଲ କରାଯାଇନାହିଁ । ପ୍ରଶାସନିକ ଅବହେଳା ଯୋଗୁଁ ଏବେ ଗାଁ ଲୋକେ ପିଇବା ପାଣି ଭଳି ମୌଳିକ ସୁବିଧା ପାଇବାରୁ ବଂଚିତ ହେଉଛନ୍ତି ।
ତେବେ ଆଉ କେତେକ ଅଧିକ ପାଣି ଆବଶ୍ୟକ ହେଲେ ପାଣିକୁ ସୂତା କପଡାରେ ଛାଣି ପିଇବା ଉପଯୋଗୀ କରୁଛନ୍ତି । ତାଠାରୁ ଅଧିକ ସ୍ୱଚ୍ଛ ପାଣି ବିଷୟରେ ଉପାନ୍ତ ବନବାସୀଙ୍କୁ କିଛି ଜଣାନାହିଁ । ତେଣୁ ଅଧିକାଂଶ ସମୟରେ ସେମାନେ ପାଣି ଜନିତ ପେଟ ଖରାପ, ଝାଡା, ବାନ୍ତି, ଡାଇରିଆ, ଜ୍ୱର ଭଳି ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏ ବାବଦରେ ଗାଁ ଲୋକେ ବାରମ୍ବାର ଜିଲ୍ଲା ପ୍ରଶାସନକୁ ଅଭିଯୋଗ କରିଛନ୍ତି, ଟ୍ୟାଙ୍କର ଯୋଗେ ସ୍ୱଚ୍ଛ ପିଇବା ପାଣି ଯୋଗାଇ ଦେବାକୁ ଗୁହାରି ବି କରିଛନ୍ତି । ହେଲେ ସମସ୍ୟାର ସମାଧାନ ହୋଇ ପାରୁନି ।
ପିଇବା ପାଇଁ ଅନୁପଯୁକ୍ତ
ଅପରପକ୍ଷେ ଫ୍ଲୋରାଇଡ ଯୁକ୍ତ ପାଣି ମଧ୍ୟ ସେମାନଙ୍କ ପ୍ରତିଦିନର ଆବଶ୍ୟକତାକୁ ପୂରଣ କରିବା ଦିଗରେ ସହାୟକ ହୋଇ ପାରୁନି । କେବଳ ନୂଆପଡା ଜିଲ୍ଲା ସିନାପାଲି ବ୍ଲକ୍ ଗାଡିଆଜୋର ଗାଁର ଏ କାହାଣୀ ନୁହେଁ । ଏବେ ଅଧା ଓଡିଶା ଫ୍ଲୋରାଇଡ ଯୁକ୍ତ ପାଣି ଭଳି ସମସ୍ୟାର ସାମ୍ନା କରୁଛି । ପ୍ରଦୂଷିତ ଭୂତଳ ଜଳସ୍ତର ଯୋଗୁଁ ଦିନକୁ ଦିନ ଉପଲବ୍ଧ ପିଇବା ପାଣିର ସ୍ଥିତି ସଙ୍ଗୀନ ହେଉଛି । ଏଥିରୁ ମୁକୁଳିବା ପାଇଁ କିଛି ସ୍ଥାନରେ ଲୋକେ ନିକଟସ୍ଥ ନଦୀ, ଜୋର ଓ ଝରଣା ଉପରେ ନିର୍ଭର କରୁଥିବା ବେଳେ ଆଉ କିଛି ସ୍ଥାନରେ ମିଳୁଥିବା ଫ୍ଲୋରାଇଡ ମିଶା ପାଣି ପିଇ ରୋଗାକ୍ରାନ୍ତ ହେଉଛନ୍ତି ।
ପାନୀୟ ଜଳ ଓ ପରିମଳ ମନ୍ତ୍ରଣାଳୟ ରାଜ୍ୟର କିଛି ଜିଲ୍ଲାର ଭୂତଳ ଜଳ ଉତ୍ସକୁ ନମୁନା ଭାବେ ଗ୍ରହଣ କରି ପିଇବା ପାଣିର ମାନ ପରୀକ୍ଷା କରିଥିଲା । ପ୍ରକାଶିତ ରିପୋର୍ଟର ତଥ୍ୟ ଅନୁସାରେ ବଲାଙ୍ଗିର ଜିଲ୍ଲାରେ ୪୦ଟି ଜଳ ଉତ୍ସ (ଟିୱେଲ)ରୁ ୩୨ଟି ଜଳଉତ୍ସ ପ୍ରଦୂଷିତ । ଯେଉଁଥିରେ ଲିଟର ପିଛା ୧ ମିଲିଗ୍ରାମ ଫ୍ଲୋରାଇଡ ଥିବା ଜଣାଯାଇଛି । ବୌଦ୍ଧ ଜିଲ୍ଲାରୁ ୪ଟି ଜଳଉତ୍ସରୁ ପାଣିର ନମୁନା ସଂଗ୍ରହ କରାଯାଇ ପରୀକ୍ଷା କରାଯାଇଥିବା ବେଳେ ସେଥିମଧ୍ୟରୁ ୩୩ଟିରେ, ନୂଆପଡା ଜିଲ୍ଲାର ୨୮ଟି ଜଳ ଉତ୍ସରୁ ୨୭ ଟିରେ, କଳାହାଣ୍ଡିର ୫୨ଟି ଜଳ ଉତ୍ସରୁ ୨୪ଟିରେ ଫ୍ଲୋରାଇଡର ମାତ୍ରା ସର୍ବାଧିକ ରହିଛି । ପିଇବା ପାଣିରେ ଅତ୍ୟଧିକ ଫ୍ଲୋରାଇଡ ମିଶ୍ରିତ ହୋଇ ରହିଲେ ତାହା ଦାନ୍ତ ଓ ହାଡକୁ ଦୁର୍ବଳ କରିଥାଏ । ଗାଁ ଲୋକେ ଧୀରେ ଧୀରେ ଏହି ସମସ୍ୟା ବାବଦରେ ଜାଣିବା ପରେ ଏବେ ପିଇବା ପାଇଁ ଫ୍ଲୋରାଇଡ ଯୁକ୍ତ ପାଣିକୁ ବ୍ୟବହାର କରିବାକୁ ଅମଙ୍ଗ ହେଉଛନ୍ତି ।
ଗ୍ରାମାଂଚଳର ଲୋକଙ୍କୁ ପାଇପ ଯୋଗେ ପିଇବା ପାଣି ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ୨୦୧୮ ମସିହାରୁ ବସୁଧା ଯୋଜନା ଆରମ୍ଭ କରିଛନ୍ତି । ବର୍ତମାନ ଯାଏଁ ଏହି ଯୋଜନାରେ କେବଳ ଗଞାମ ଓ ପୁରୀ ଜିଲ୍ଲାକୁ ଅନ୍ତର୍ଭୁକ୍ତ କରାଯାଇଛି । ୨୦୨୧-୨୨ ରାଜ୍ୟ ବଜେଟରେ ପ୍ରାୟ ୧୨,୦୦୦ କୋଟି ଟଙ୍କା ବ୍ୟୟରେ ରାଜ୍ୟର ଅନ୍ୟ ଜିଲାଗୁଡ଼ିକୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରିବାର ଯୋଜନା ରହିଛି । ତେବେ ନୂଆପଡାର ଏହି ଗାଡ଼ିଆଜୋର ଗାଁରେ ସରକାରଙ୍କ ବସୁଧା ଯୋଜନା ଶିଘ୍ର ଆରମ୍ଭ ହୋଇପାରିଲେ ମାଳତି, ସାବିତ୍ରୀଙ୍କ ପରି ମହିଳାଙ୍କ ନିତିଦିନିଆ ସମସ୍ୟା ଅନେକାଂଶରେ ଲାଘବ ହେବ ।