ଏହି ୱେବ୍ ପୋର୍ଟାଲରେ ନ୍ୟୁଜ ନୁହେଁ ବରଂ ଦୂରଦୂରାନ୍ତ ଅଂଚଳରେ ରହୁଥିବା ଲୋକମାନଙ୍କ ଜୀବନ ଜୀବିକା ସଂପର୍କୀତ ଫିଚର ପ୍ରକାଶ ପାଇବ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଏହି ପ୍ରସଙ୍ଗଗୁଡ଼ିକୁ ଲିଙ୍ଗଭିତିକ ଦୃଷ୍ଟିକୋଣରୁ ସଂବେଦନଶୀଳ ଭାବେ ଲେଖାଯିବାକୁ ଚେଷ୍ଟା କରାଯିବ ।
ଭୁବନେଶ୍ୱର ;
ସେଦିନ ଥାଏ ୨୦୨୦ ମାର୍ଚ୍ଚ ୨୫ ତାରିଖ । ଚାରିଆଡ଼େ କୋଭିଡ଼-୧୯ ଭୁତାଣୁର ଭୟ । ଏହାକୁ ନିୟନ୍ତଣ କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଲକ୍ଡ଼ାଉନର ବ୍ୟବସ୍ଥା କରାଗଲା । ଠିକ୍ ସେତିକିବେଳେ ବନ୍ଧୁ ସନ୍ଦୀପ ପଟ୍ଟନାୟକ (ଗବେଷକ ଓ ସାମାଜିକକର୍ମୀ) ଫୋନ କରି କହିଲେ ଆମେ ଗୋଟେ ହ୍ୱାଟସଆପ୍ ଗ୍ରୁପ କରୁଛୁ ସେଥିରେ ଆପଣକୁ ମଧ୍ୟ ସାମିଲ୍ କରୁଛୁ । ଏହିଗ୍ରୁପ୍ରେ ରାଜ୍ୟବାହାରେ ଥିବା ଓଡିଆ ପ୍ରବାସୀ ଶ୍ରମିକଙ୍କୁ ଯୋଗାଯୋଗ କରି ସେମ।।ନଙ୍କୁ ସାହାଯ୍ୟ କରିବା ସହ ସେମାନେ କିଭଳି ସୁରକ୍ଷିତ ଭାବେ ଓଡ଼ିଶା ଫେରିବେ ସେଥିପାଇଁ ଚେଷ୍ଟାକରିବା । ଆପଣ ମଧ୍ୟ ଚାହିଁଲେ ସେମାନଙ୍କ ସମସ୍ୟା ବିଷୟରେ ଲେଖିପାରିବେ । ପ୍ରସ୍ତାବଟି ଭଲ ଲାଗିଲା । କାରଣ ମୋ ଭଳି ଜଣେ ସ୍ୱାଧୀନ ବୃତିର ସାମ୍ବାଦିକ ପାଇଁ ସେଇ ଲକ୍ଡ଼ାଉନ ସମୟରେ ଏହାଠୁ ବଡ଼ ସୁଯୋଗ ଆଉ କଣ ଥାଇପାରେ । ଆଗରୁ ଆମେ ଦୂରଦୂରାନ୍ତରକୁ ଯାଇ ଲୋକଙ୍କ ସମସ୍ୟା ବିଷୟରେ ରିପୋର୍ଟିଂ କରୁଥିଲୁ ହେଲେ ଲକ୍ଡ଼ାଉନ ଯୋଗୁଁ ସେ ସୁଯୋଗ ଆଉ ନଥିଲା । ଏପଟେ ବିଭିନ୍ନ ଜାତୀୟ ଗଣମାଧ୍ୟମ ଓ େଓବ୍ସାଇଟରେ ପ୍ରବାସୀ ଶ୍ରମିକମାନଙ୍କର ଚାଲିଚାଲି ନିଜ ରାଜ୍ୟକୁ ଫେରିବାର ଯନ୍ତ୍ରଣାଦାୟକ ଅଭାବନୀୟ ଦ୍ୃଶ୍ୟ ଅନ୍ୟ ସଂବେଦନଶୀଳ ବ୍ୟକ୍ତିଙ୍କ ଭଳି ମୋତେ ମଧ୍ୟ ଆନ୍ଦୋଳିତ କରୁଥିଲା ।
ଧୀରେ ଧୀରେ ସେଇ ଗ୍ରୁପ୍ରେ ବିଭିନ୍ନ କ୍ଷେତ୍ରରେ ସେବା ଯୋଗାଉଥିବା ଲୋକ ସାମିଲ ହେଉଥିବାରୁ ପ୍ରବାସୀଙ୍କ ବ୍ୟତୀତ ଗାଁଗହଳର ସମସ୍ୟା,ଆଦିବାସୀ ଓ ଦଳିତ,ମହିଳାଙ୍କ ସମସ୍ୟା ଉପରେ ରିପୋର୍ଟ କରିବାର ସୁଯୋଗ ମିଳିଲା । ଏ ସବୁ ବିଷୟକୁ ଆଉଟିକେ ଗୁରୁତ୍ୱ ଦେବାକୁ ମୁଁ ସେଇବର୍ଷ ନଭେମ୍ବର ମାସରେ ‘ଷ୍ଟୋରିଜ୍ ଓଡ଼ିଶା’ ନାଁରେ ମୋର ଏକ ୟୁଟୁବ୍ ଚ୍ୟାନେଲ ଆରମ୍ଭ କଲି । ଉଦ୍ଦେଶ୍ୟ ଥିଲା ଏସବୁ ବିଷୟକୁ ମୋବାଇଲ୍ ଫୋନ୍ରେ କଏଦ୍ କରି ଲୋକଙ୍କ ପାଖରେ ଉପସ୍ଥାପନ କରିବା । କିନ୍ତୁ ଏହା ପରେ ପରେ କରୋନାର ଦ୍ୱିତୀୟ ଲହର କାରଣରୁ ପୁଣି ଲକ୍ଡ଼ାଉନ ମୋର ଉଦ୍ଦେଶ୍ୟକୁ ଆଗେଇବା କ୍ଷେତ୍ରରେ ବାଧା ସ୍ୃଷ୍ଟିକଲା । ଏବେ ସେଇ ‘ଷ୍ଟୋରିଜ୍ ଓଡ଼ିଶା’କୁ ଏକ ନୂଆରୂପରେ ଆଣିବାକୁ ଚେଷ୍ଟାକରିଛି । ଏହି ୱେବ୍ ପୋର୍ଟାଲରେ ନ୍ୟୁଜ ନୁହେଁ ବରଂ ଫିଚର, ଆନାଲିସିସ୍, ଓପିନିୟନ ଉପରେ ଗୁରୁତ୍ୱ ଦିଆଯିବ । ବିଶେଷକରି ଦୂରଦୂରାନ୍ତ ଅଂଚଳରେ ରହୁଥିବା ଲୋକମାନଙ୍କ ଜୀବନ ଜୀବିକା ସଂପର୍କୀତ ଲେଖା ପ୍ରକାଶ ପାଇବ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଏହି ପ୍ରସଙ୍ଗଗୁଡ଼ିକୁ ଲିଙ୍ଗଭିତିକ ଦୃଷ୍ଟିକୋଣରୁ ସଂବେଦନଶୀଳ ଭାବେ ଲେଖାଯିବାକୁ ଚେଷ୍ଟା କରାଯିବ । ଅନ୍ତତଃପକ୍ଷେ ମହିଳାମାନଙ୍କ ସମସ୍ୟା ଯେପରି ଅଦୃଶ୍ୟ ଆଉ ଅଣଦେଖା ହୋଇ ରହିବ ନାହିଁ ସେ ଦିଗରେ ଗୁରୁତ୍ୱ ଦେବାକୁ ଚେଷ୍ଟା କରାଯିବ । ଏଥିରେ ଲେଖା, ଭିଡ଼ିଓ, ଫଟୋ-ଫିଚର ଓ ପଡ଼କାଷ୍ଟ୍ ବିଭାଗ ରହିବ । ବର୍ତମାନ କିଛି ମହିଳା ସାମ୍ବାଦିକ ଆମକୁ ଷ୍ଟୋରୀ ପଠାଉଥିବା ବେଳେ, ଖୁବଶିଘ୍ର ଆମେ ଆଉ ୧୦ ଜଣ ଆଦିବାସୀ ଓ ଦଳିତ ମହିଳାଙ୍କୁ ‘ମୋଜୋରିପୋର୍ଟର’ ଭାବେ ଟ୍ରେନିଂ ଦେବୁ ଯେଉଁମାନେ କି ତାଙ୍କ ନିଜ ଅଂଚଳର/ ବ୍ଲକର/ ଜିଲ୍ଲାର ସମସ୍ୟାକୁ ମୋବାଇଲ୍ରେ ରେକର୍ଡ଼ିଂ କରି ଆମ ପାଖକୁ ପଠାଇ ପାରିବେ ।
ବର୍ତମାନ କିଛି ମହିଳା ସାମ୍ବାଦିକ ଆମକୁ ଷ୍ଟୋରୀ ପଠାଉଥିବା ବେଳେ, ଖୁବଶିଘ୍ର ଆମେ ଆଉ ୧୦ ଜଣ ଆଦିବାସୀ ଓ ଦଳିତ ମହିଳାଙ୍କୁ ‘ମୋଜୋରିପୋର୍ଟର’ ଭାବେ ଟ୍ରେନିଂ ଦେବୁ ଯେଉଁମାନେ କି ତାଙ୍କ ନିଜ ଅଂଚଳର/ ବ୍ଲକର/ ଜିଲ୍ଲାର ସମସ୍ୟାକୁ ମୋବାଇଲ୍ରେ ରେକର୍ଡ଼ିଂ କରି ଆମ ପାଖକୁ ପଠାଇ ପାରିବେ ।
ଆପଣଙ୍କ ଭିତରୁ ଅନେକଙ୍କ ମନରେ ପ୍ରଶ୍ନ ଆସୁଥିବ ଏଇ ପଛୁଆବର୍ଗର ମହିଳାଙ୍କୁ କାହିଁକି ମୋଜୋରିପୋର୍ଟର କରିବାକୁ ସ୍ଥିରକଲି । ଏକ ଜାତୀୟସ୍ତରର ଗବେଷଣା ଅନୁସାରେ ଏହି ପଛୁଆବର୍ଗର ଲୋକଙ୍କ ଉପସ୍ଥିତି ଖବରକାଗଜ ଓ ଗଣମାଧ୍ୟମରେ ଖୁବକମ୍ । ଯେଉଁଥିପାଇଁ ସେମାନଙ୍କ ସମସ୍ୟା ମୁଖ୍ୟସ୍ରୋତ ମିଡ଼ିଆରେ ଖୁବ୍ କମ୍ସଂଖ୍ୟାରେ ସ୍ଥାନ ପାଏ । ଯଦି ଓଡ଼ିଶା ପରିପ୍ରେକ୍ଷୀରେ ଦେଖାଯାଏ- ରାଜ୍ୟରେ ସମୁଦାୟ ୬୨ ପ୍ରକାରର ଆଦିବାସୀ ସଂପ୍ରଦାୟ ଥିବାବେଳେ ୧୩ ପ୍ରକାରର ପିଭିଟିଜି ସଂପଦ୍ରାୟ ଅଛନ୍ତି । କିନ୍ତୁ ସେମାନଙ୍କର ଉପସ୍ଥିତି ରାଜ୍ୟ ଗଣମାଧ୍ୟମରେ ଗୌଣ ବା ନାହିଁ କହିଲେ ଚଳେ । ପୁଣି ସେଥିରେ ମହିଳାଙ୍କ ଉପସ୍ଥିତି କମ୍ ଥିବାରୁ ସେମାନଙ୍କ ସମସ୍ୟା ଓ ସ୍ୱର ଅତ୍ୟନ୍ତ କ୍ଷୀଣ ।
ଲକ୍ଡ଼ାଉନ ସମୟରେ ମୋତେ ଯେତେବେଳେ ଅନେକ ଲୋକ ଦୂରଦୂରାନ୍ତ ଅଂଚଳରୁ ଫୋନ୍କରି ତାଙ୍କ ସମସ୍ୟା ବିଷୟରେ ରିପୋର୍ଟ କରିବାକୁ ଅନୁରୋଧ କରୁଥିଲେ ସେତେବେଳେ ଗୋଟେ କଥା ମନକୁ ବାରମ୍ବାର ଆସୁଥିଲା ଯେ ଏ ପୁରା ଦୃଶ୍ୟପଟ୍ଟରେ ମହିଳାମାନେ କେତେ ଅନୁପସ୍ଥିତ –ବିଶେଷ କରି ଖବରରେ ଏବଂ ଖବର ଦେବାରେ । ଖବରରେ ଏଇଥିପାଇଁ କାରଣ ଅନେକ ଖବରଦାତାଙ୍କ ମାନସିକତାରେ ଲିଙ୍ଗଭିତିକ ସଂବେଦନଶୀଳତାର ଅଭାବ ଏବଂ ଖବର ଦେବା ବା ଖବରଦାତା ଭାବରେ ଯଦି ଦେଖିବା ତା’ ପଛର କାରଣ ହେଲା ଖୁବକମ୍ ସଂଖ୍ୟକ ମହିଳାଙ୍କ ପାଖରେ ମୋବାଇଲ୍ଫୋନ୍ ବିଶେଷ କରି ସ୍ମାର୍ଟ ଫୋନ୍ ଉପଲବ୍ଧ । ଯଦିବା ଏସବୁ ସୁବିଧା କାହା ପାଖରେ ଅଛି ତେବେ କେମିତି ରିପୋର୍ଟିଂ କରିବେ ଓ କାହାକୁ ରିପୋର୍ଟକରି ପଠାଇବେ ସେ ବିଷୟରେ ସଚେତନତାର ଅଭାବ ସାଂଗକୁ ମନରେ ଭୟ ଓ ଆଶଂକା ।
ସେଥିପାଇଁ ଆମେ ଗାଁଗହଳର ମହିଳାଙ୍କୁ ମୋଜୋରିପୋର୍ଟର ଭାବେ ଟ୍ରେନିଂ ଦେବାକୁ ଯାଉଛୁ । ଏହି ମହିଳାମାନେ ଟ୍ରେନିଂ ପାଇଲେ ମୋବାଇଲ୍ ଫୋନ୍କୁ ଏକ ଟୁଲ ବା ଅସ୍ତ୍ର ଭାବରେ ବ୍ୟବହାର କରି ସାମ୍ବାଦିକତା କରିପାରିବେ । ନିଜ ଅଂଚଳର ଜୀବନଜୀବିକା, ଜଳ, ଶିକ୍ଷା, ଦାଦନ ଓ ଜଳବାୟୁସମସ୍ୟା, ମହିଳାଙ୍କ ପ୍ରତି ହେଉଥିବା ହିଂସା, କାମର ଅଭାବ, ଉଚ୍ଛେଦ ଏବଂ ବିସ୍ଥାପନ, ଅପପୃଷ୍ଟି ଓ ଜଂଗଲ ଅଧିକାର -ଏସବୁ ବିଷୟରେ ରିପୋର୍ଟ କରିପାରିବେ । ସେମାନଙ୍କ ଉତ୍ଥାନ ଓ ବିକାଶ ପାଇଁ ଲାଗୁ ହୋଇଥିବା ସରକାରୀ ଯୋଜନାରୁ ବଂଚିତ ହେଲେ ସେମାନେ ଅନ୍ୟର ଦୃଷ୍ଟି ଆକର୍ଷଣ କରିପାରିବେ । ଯାହା ସେମାନଙ୍କୁ ତାଙ୍କ ନିଜ ଅଂଚଳରେ ଏକ ପରିଚୟ ଦେବ ଏବଂ ସଶକ୍ତ କରିବାରେ ସହାୟକ ହେବ ।
ଏସବୁକୁ ନେଇ ଷ୍ଟୋରିଜ୍ ଓଡ଼ିଶା (ଭଏସିଂ ଦ ଅନହଡ଼) ର ପରିକଳ୍ପନା । କେବଳ ଅନୁରୋଧ ଆମର ଏଇ ଭିନ୍ନ ପ୍ରୟାସକୁ ଆପଣମାନେ ପଢିବେ, ଦେଖିବେ, ଶୁଣିବେ, ବୁଝିବେ, ନିଜର ସମ୍ବେଦନଶୀଳତା ପ୍ରକାଶ କରିବେ ଏବଂ ମତାମତ ଓ ଶୁଭେଚ୍ଛା ଜଣାଇ ଆମକୁ ଉତ୍ସାହିତ କରିବେ । ଆପଣମାନଙ୍କର ଏତିକି ମାତ୍ର ସହଯୋଗ ବି ବଡ଼ ପରିବର୍ତନ ଆଣିପାରିବ ।
ଋାକ୍ଷୀ ଘୋଷ
ସଂପାଦିକା, ଷ୍ଟୋରିଜ୍ ଓଡ଼ିଶା