ସହରୀ ଚାକଚକ୍ୟ ଓ କାମର ସୁଯୋଗ ଯୋଗୁଁ ଅନେକ ଯୁବଗୋଷ୍ଠୀ ଗାଁ ରୁ ସହରମୁହାଁ ହେଉଛନ୍ତି । ସେମାନଙ୍କ ଭିତରୁ ମହିଳାମାନେ ସପିଙ୍ଗ ମଲ ବା ରିଟେଲ ଷ୍ଟୋର କୁ ବେଶି ବାଛିବାକୁ ପସନ୍ଦ କରୁଛନ୍ତି । ତେବେ ବାହାରକୁ ଆକର୍ଷଣୀୟ ଦିଶୁଥିବା ଏହି ମଲ ଗୁଡ଼ିକରେ କାମ କରୁଥିବା ମହିଳା କର୍ମଚାରୀ ମାନେ ବିଭିନ୍ନ ପ୍ରକାରର ସମସ୍ୟାର ସାମନା କରୁଛନ୍ତି ।
ଭୁବନେଶ୍ୱର ;
ଗାଁରେ କାମର ଅଭାବ ଯୋଗୁଁ ଯୁବଗୋଷ୍ଠୀଙ୍କ ସ୍ଥାନାନ୍ତର ଏବେ ବଢିବାରେ ଲାଗିଛି । ବିଶେଷକରି ସହରୀ ଚାକଚକ୍ୟ ଓ କାମର ସୁଯୋଗ ଯୋଗୁଁ ଅନେକ ଯୁବଗୋଷ୍ଠୀ ଗାଁ ରୁ ସହରମୁହାଁ ହେଉଛନ୍ତି । ସେମାନଙ୍କ ଭିତରୁ ମହିଳାମାନେ ସପିଙ୍ଗ ମଲ ବା ରିଟେଲ ଷ୍ଟୋରକୁ ବେଶି ବାଛିବାକୁ ପସନ୍ଦ କରୁଛନ୍ତି ଏହାର କାରଣ ଅନ୍ୟ କ୍ଷେତ୍ର ତୁଳନାରେ ଏହା ସୁରକ୍ଷିତ ଓ ଏଠି ଶାରିରୀକ ପରିଶ୍ରମ କମ୍ ।
ମୟୁରଭଞ୍ଜ କପ୍ତିପଦାର ସୁଷମା ଦିନେ ସ୍ୱପ୍ନ ଦେଖୁଥିଲେ କଲେଜ ପାଠପଢା ଶେଷ କରିବା ପରେ ଭୁବନେଶ୍ୱର ଯାଇ ଚାକିରୀ କରିବେ । କିନ୍ତୁ କଲେଜର ଶେଷ ବର୍ଷରେ ହିଁ ପରିବାରର ଆର୍ଥିକ ସମସ୍ୟା ଯୋଗୁଁ ତାଙ୍କୁ ଭୁବନେଶ୍ୱର ଆସି କାମ ଅନ୍ୱେଷଣ କରିବାକୁ ପଡ଼ିଲା । କିଛିଦିନର ଚେଷ୍ଟା ପରେ ଭୁବନେଶ୍ୱରର ଏକ ମଲ୍ରେ ତାଙ୍କୁ କାମ ମିଳିଗଲା । ରୋଜଗାର ମିଳିଥିବା ହେତୁ ଏବେ ସେ ଘରକୁ ପ୍ରତିମାସ କିଛି ଟଙ୍କା ପଠେଇ ପାରୁଛନ୍ତି । ସୁଷମା ଭଳି ସୁଲୋଚନା ମଧ୍ୟ ଭୁବନେଶ୍ୱରର ଏକ ରିଟେଲ ଷ୍ଟୋରରେ କାମ କରନ୍ତି । ୨୨ବର୍ଷର ସୁଲୋଚନା ୪ ବର୍ଷ ତଳେ ଗାଁ ଛାଡ଼ିଥିଲେ ଆଉ ଏବେ ସେ ଭୁବନେଶ୍ୱର ବାସିନ୍ଦା । କେନ୍ଦ୍ରାପଡ଼ା ରାଜନଗର ଅଂଚଳର ସୁଲୋଚନାଙ୍କ ବାପା ଜଣେ ଭାଗଚାଷୀ । ଅର୍ଥ ଅଭାବ ହେତୁ ସେ ଇଟାଭାଟି ରେ କାମ କରୁଥିଲେ । ସୁଲୋଚନା ତାଙ୍କୁ ଆର୍ଥିକ କ୍ଷେତ୍ରରେ ସାହାଯ୍ୟ କରିବାକୁ ଭୁବନେଶ୍ୱର ଚାଲିଆସିଲେ । ଦିନେ ପର ଲାଗୁଥିବା ଭୁବନେଶ୍ୱର ଏବେ ତାଙ୍କୁ ଆପଣାର ଲାଗୁଛି । ଏଠାକାର ଜୀବନଶୈଳୀ ସହ ମଧ୍ୟ ସେ ଖାପଖୁଆଇ ସାରିଲେଣି ।
କାମ ଅନ୍ୱେଷଣରେ ମହିଳାମାନେ ସ୍ୱାମୀ କିମ୍ବା ପରିବାର ଲୋକଙ୍କ ସହ ଅନ୍ୟ ରାଜ୍ୟକୁ ସ୍ଥାନାନ୍ତର ହେବା କିଛି ନୁଆ ନୁହେଁ । ଓଡ଼ିଶାର ଅନେକ ଜିଲ୍ଲାରୁ ଆଜି ମଧ୍ୟ ମହିଳାମାନେ ପରିବାର ସହ ରାଜ୍ୟ ବାହାରକୁ ଯାଇ କାମ କରିବା ଦେଖାଯାଇଥାଏ । କିନ୍ତୁ ଗତ କିଛି ବର୍ଷ ହେବ କାମ ଅନ୍ୱେଷଣରେ ଏକାକୀ ମହିଳାମାନେ ଘରୁ ଗୋଡ଼ କାଢିବା ସହ ସହରକୁ ଆସି କାମ କରି ରୋଜଗାର କରିବା ଦେଖାଯାଉଛି । ଯାହା ସେମାନଙ୍କ ଆର୍ଥିକ ସ୍ଥିତିକୁ ସୁଧାରିବା ସହ ସେମାନଙ୍କ ପାଇଁ ଏକ ପରିଚୟ ସୃଷ୍ଟି କରିବାରେ ସହାୟକ ହେଉଛି ।
ଏ ବିଷୟରେ ଉଲ୍ଲେଖ କରି ଜଣେ ଗବେଷକ ଲେଖିଛନ୍ତି, ଗତ କିଛି ବର୍ଷ ହେବ ବିଶ୍ୱାୟନର ପ୍ରଭାବରେ ସ୍ଥାନାନ୍ତର ହେଉଥିବା ମହିଳାଙ୍କ ସଂଖ୍ୟାରେ ବୃଦ୍ଧି ଏବଂ ତତ୍ଜନିତ ପ୍ରଭାବ ମହିଳାଙ୍କ ଉପରେ ପଡ଼ୁଥିବାରୁ ଏହାକୁ ଫେମିନାଇଜେସନ ଅଫ ମାଇଗ୍ରେସନ କୁହାଯାଇପାରେ । ଓଡ଼ିଶାର ଗାଁ ଗହଳରୁ ଭୁବନେଶ୍ୱରକୁ ଆସୁଥିବା ଅଧିକାଂଶ ମହିଳା ଏଠି ଗଢି ଉଠିଥିବା ବିଭିନ୍ନ ସପିଂ ମଲ୍, ରିଟେଲ ଷ୍ଟୋର ଓ ରେଷ୍ଟୁରାଂଟରେ କାମ କରୁଛନ୍ତି । କମ୍ପାନୀ ପକ୍ଷରୁ ଏକ ସଟ୍ ଟର୍ମ ଟ୍ରେନିଂ ପରେ ସେମାନଙ୍କୁ ନିଯୁକ୍ତିର ସୁଯୋଗ ମିଳୁଛି ।
ସ୍ୱଳ୍ପ ଆୟ କିନ୍ତୁ ଆର୍ଥିକ ସ୍ୱାଧୀନତା
ସୁଷମା କୁହନ୍ତି, ଭୁବନେଶ୍ୱରରେ କାମ ମିଳିଛି ଆଉ ରୋଜଗାର ବି ହେଲେ ଆୟ ଖୁବ ସ୍ୱଳ୍ପ । ଏଥିରେ ପରିବାର ଚଳେଇବା ତ ଦୂରର କଥା ନିଜେ ଚଳିବା ବି କଷ୍ଟକର । ସାଧାରଣତଃ ଭିନ୍ନ ଭିନ୍ନ ସପିଂ ମଲରେ କର୍ମନିଯୁକ୍ତି ପାଇଁ ଦରମା ବି ଭିନ୍ନ ଥାଏ । ଆଗରୁ କିଛି ଅଭିଜ୍ଞତା ଥିଲେ ଆମକୁ ଟିକେ ଭଲ ଦରମା ମିଳେ । ନଚେତ୍ ପ୍ରଥମ ଥର ପାଇଁ କାମ ମିଳୁଥିଲେ ଖୁବ କମ୍ ଦରମା ଦିଅନ୍ତି । ବେଳେବେଳେ ମାସକୁ ୬ ହଜାର ଟଙ୍କା ଦେଇଥାଆନ୍ତି । ସେଥିରେ ଡ଼୍ୟୁଟି ସକାଳ ୯ଟା ରୁ ରାତି ୯ଟା ଯାଏଁ ବୋଲି କୁହନ୍ତି ରେବତୀ । ତାଙ୍କ ସହ କାମ କରୁଥିବା ସୁରେଖା ଙ୍କର ଏହା ତୃତୀୟ ରିଟେଲ ଷ୍ଟୋର କିନ୍ତୁ ତାଙ୍କ ଦରମା ବେଶି ନୁହେଁ । ସୁରେଖାଙ୍କ ମତରେ ପୁରୁଷମାନେ ବାରଗେନ୍ ବା ମୂଲଚାଲ୍ କରିପାରନ୍ତି ମାତ୍ର ଆମେ କହିଲେ କହିବେ ଦରକାର ନାହିଁ । ଆମେ ବାଧ୍ୟହୋଇ ଅଳ୍ପ ଦରମାରେ ରାଜି ହେଉ । ଏହି ମହିଳାମାନଙ୍କୁ ସର୍ବନିମ୍ନ ୬ ହଜାର ଟଙ୍କା ଏବଂ ଅଧିକ ହେଲେ ୧୨ହଜାର ଟଙ୍କା ପର୍ଯ୍ୟନ୍ତ ମିଳେ । କିନ୍ତୁ ସେମାନଙ୍କ ସଂଖ୍ୟା ଖୁବ ସୀମିତ ।
ଏହି ଦରମାରେ ସେମାନଙ୍କୁ ନିଜ ଖର୍ଚ୍ଚ ତୁଲେଇ ଘରକୁ ମଧ୍ୟ ଟଙ୍କା ପଠେଇବାକୁ ପଡ଼ିଥାଏ । ନିଜ ଆୟ ବଢାଇବାକୁ ତାଙ୍କ ଭିତରୁ ଅନେକେ ଓଭରଟାଇମ ମଧ୍ୟ କରନ୍ତି । ଏହି ଲେଖିକା ୧୦-୧୨ ଜଣ ସେଲସ୍ କ୍ଷେତ୍ରରେ କାମକରୁଥିବା ମହିଳାଙ୍କ ସହ କଥା ହୋଇଥିଲେ, ସେମାନଙ୍କ ମତରେ ଏଥିପାଇଁ କିଛି ନିୟମ ନାହିଁ । ଆମେ ଜାଣୁ ଉତ୍ସବ ସମୟରେ ଗ୍ରାହକଙ୍କ ଭିଡ଼ ରୁହେ ଏଣୁ ଆସିବାର ବେଳ ତ ଥାଏ କିନ୍ତୁ ଯିବାର ବେଳ ନଥାଏ । ଓଭରଟାଇମ୍ ଆମେ କରୁ କିନ୍ତୁ ପେମେଂ୍ଟ କେବେ ମିଳିନି । ତେବେ କୋଭିଡ଼ ଯୋଗୁଁ ହୋଇଥିବା ଲକଡ଼ାଉନରେ ସେମାନେ ବିଶେଷ କ୍ଷତିଗ୍ରସ୍ତ ହୋଇଛନ୍ତି । ଆମ ଭିତରୁ ଅନେକେ ଗାଁକୁ ଫେରିଗଲେ ଯେ ଆଉ ଆସିଲେ ନାହିଁ ବୋଲି କୁହନ୍ତି ଦମୟନ୍ତୀ ।
ଭୁବନେଶ୍ୱର ଏହି ମହିଳାମାନଙ୍କୁ ସେମାନଙ୍କ ସ୍ୱପ୍ନରେ ଡ଼େଣା ଦେଇଛି ଉଡ଼ିବାକୁ । ଗାଁରୁ ଭୁବନେଶ୍ୱର ଆସିଲାବେଳେ ଅନେକଙ୍କ ମନରେ ଶଙ୍କା ଥିଲା ଓ ଭୟ ବି । ଏଠାକାର ଲୋକଙ୍କ ଆଦବ କାଏଦା, ଚଳଣୀ ସବୁକିଛି ଭିନ୍ନ ଳାଗୁଥିଲା ଏହି ମହିଳା ମାନଙ୍କୁ । ଗତ ୭ ମାସ ତଳେ ଭୁବନେଶ୍ୱରକୁ କାମ ପାଇଁ ସ୍ଥାନାନ୍ତରିତ ହୋଇଥିବା କେନ୍ଦ୍ରାପଡ଼ା ଆଳିର ସ୍ମ୍ମୃତିରେଖା କହନ୍ତି ଧିରେ ଧିରେ କିନ୍ତୁ ତାଙ୍କୁ ସବୁକିଛି ଆପଣାର ଲାଗିଲାଣି । ନିଜେ ରୋଜଗାର କରିବାର ଅନୁଭୂତି ଭିନ୍ନ । ନିଜ ପସନ୍ଦର ପୋଷାକ କିଣିବା, ମୋବାଇଲ କିଣିବା, ସିନେମା ଦେଖିବା ଏସବୁ କିଛି ରୋଜଗାର ଯୋଗୁଁ ସମ୍ଭବ ହୋଇପାରିଛି । କହିବାକୁ ଗଲେ ଆର୍ଥିକ ସ୍ୱାଧୀନତା ନିଜ ଇଚ୍ଛାରେ ଜୀବନ ଜିଇଁବାକୁ ସୁଯୋଗ ଦେଇଛି ଯାହାକି ଗାଁ ରେ ଆଦୌଁ ସମ୍ଭବ ନ ଥିଲା ।
ମହିଳା କର୍ମଚାରୀଙ୍କ ଚାହିଦା ତଥାପି ଅଦୃଶ୍ୟ
ଏକ ସର୍ବେକ୍ଷଣ ଅନୁସାରେ ଦେଶର ରିଟେଲ ଓ ଲଜିଷ୍ଟିକ ଶିଳ୍ପରେ ସଂଗଠିତ ଓ ଅଣସଂଗଠିତ କ୍ଷେତ୍ରକୁ ମିଶାଇ ପ୍ରାୟ ୪କୋଟି ଯୁବକ ଯୁବତୀ କାମ କରନ୍ତି ଯାହାକି ମୋଟ ଜନସଂଖ୍ୟାର ୩.୩ ପ୍ରତିଶତ । ଏ ବିଷୟରେ ଏଡ୍ ଆଟ୍ ଆକ୍ସନ (ମାଇଗ୍ରେସନ) ର ପ୍ରୋଗ୍ରାମ ମ୍ୟାନେଜର ସରୋଜ ବାରିକ କୁହନ୍ତି, ଯଦିଓ ଅନ୍ୟ ସ୍ଥାନାନ୍ତର ତୁଳନାରେ ଯୁବଗୋଷ୍ଠୀଙ୍କ ସ୍ଥାନାନ୍ତର ବର୍ତମାନ ସମୟରେ ଅଧିକ ଦେଖିବାକୁ ମିଳୁଛି କିନ୍ତୁ ଡ଼ାଟାବେସ ଅଭାବରୁ ସେମାନେ ପ୍ରାୟତଃ ଅଦୃଶ୍ୟ । ଦେଶର ଅଭିବୃଦ୍ଧି ଓ ଜିଡ଼ିପି କ୍ଷେତ୍ରରେ ମଧ୍ୟ ଏମାନଙ୍କର ଯଥେଷ୍ଟ ଅବଦାନ ରହିଛି । ଓଡ଼ିଶା ସରକାରଙ୍କ ଆନ୍ତଃରାଜ୍ୟ ସ୍ଥାନାନ୍ତର ପାଇଁ ଏକ ଷ୍ଟେଟ୍ ଆକସନ୍ ପ୍ଲାନ ରହିଛି ଯେଉଁଥିରେ ପଂଚାୟତ ସ୍ତରରେ ରେଜିଷ୍ଟ୍ରେସନ କରିବା ପାଇଁ ଉଲ୍ଲେଖ ରହିଛି । କିନ୍ତୁ ରାଜ୍ୟ ଭିତରେ ସ୍ଥାନାନ୍ତର ହେଲେ ସେଭଳି କିଛି ବ୍ୟବସ୍ଥା ନାହିଁ । ଏ ବିଷୟରେ ମହିଳା କର୍ମଚାରୀଙ୍କୁ ପଚରାଯିବାରେ ସେମାନେ ଜାଣିନାହାନ୍ତି ବୋଲି କହିଥିଲେ । ଭୁବନେଶ୍ୱରରେ ଯେତେ ରିଟେଲ ଷ୍ଟୋର ଅଛି ସେଠି ପୁରୁଷଙ୍କ ତୁଳନାରେ ମହିଳାଙ୍କ ସଂଖ୍ୟା ଅଧିକ । ଏହାର ବିଭିନ୍ନ କାରଣ ରହିଛି । ମହିଳାମାନେ କମ୍ ଦରମାରେ କାମ କରିବାକୁ ରାଜି ହୋଇଯାଆନ୍ତି ଏବଂ ଗ୍ରାହକଙ୍କୁ ବୁଝେଇ ପାରିବାର ଧୈର୍ଯ୍ୟ ଥାଏ । ଏବିଷୟରେ ଜଣେ ରିଟେଲ ଷ୍ଟୋର ମ୍ୟାନେଜର କୁହନ୍ତି, ମହିଳା କର୍ମଚାରୀଙ୍କ ଠାରେ ଗ୍ରାହକଙ୍କୁ ସହଜରେ ବୁଝେଇ ପାରିବାର କ୍ଷମତା ରହିଛି । ମହିଳା ଗ୍ରାହକମାନେ କୌଣସି ଜିନିଷ କିଣିବାରେ ତାଙ୍କ ସହ କଥା ହେବାକୁ ସହଜ ଅନୁଭବ କରନ୍ତି ଏବଂ କାମ ମଝିରେ ଏମାନେ କମ୍ ବ୍ରେକ ନିଅନ୍ତି । କିନ୍ତୁ ସେମାନଙ୍କ ଉପରେ ବେଶି ଦିନ ଭରସା କରି ହୁଏନା । ବାହାଘର ପରେ ଚାକିରୀ ଛାଡ଼ିଦେବାର ଅନେକ ସମ୍ଭାବନା ଥାଏ । ଆଉ ଯଦି କାମ କରନ୍ତି ତେବେ ଛୁଟି ବେଶି ନିଅନ୍ତି ଓ ଦରମା ବଢାଇବାକୁ କହନ୍ତି । ବେଳେ ବେଳେ ୫୦୦ ଓ ୧୦୦୦ ଟଙ୍କା ଅଧିକ ମିଳିଲେ କାମ ଛାଡ଼ିଦିଅନ୍ତି । ଏଣୁ ଆମେ ଅବିବାହିତ ମହିଳା କର୍ମଚାରୀଙ୍କୁ ବେଶି ସୁଯୋଗ ଦେଇଥ।ଉ ।
ଗ୍ରାହକଙ୍କ ବ୍ୟବହାର ଅତିଷ୍ଠ କରେ
ପ୍ରତିଦିନ ଭିନ୍ନ ଭିନ୍ନ ଲୋକଙ୍କୁ ଭେଟିବା, ସେମାନଙ୍କ ଆବଶ୍ୟକତାକୁ ବୁଝିବା ଓ ସାମଗ୍ରୀ ଯୋଗାଇଦେବା ହେଉଛି ଏହି କର୍ମଚାରୀମାନଙ୍କ ନିତିଦିନିଆ କାମ । ହେଲେ କେବେ କେବେ ଗ୍ରାହକମାନଙ୍କ ବ୍ୟବହାର ସେମାନଙ୍କୁ ଅତିଷ୍ଠ କରିପକାଏ ବୋଲି କୁହନ୍ତି ସୁନ୍ଦରଗଡ଼ ଲାଞ୍ଜିଗଡ଼ ଅଂଚଳର କାବେରୀ । ସେ କୁହନ୍ତି, ଦୁଇ ପ୍ରକାରର ଗ୍ରାହକ ଆଉଟଲେଟକୁ ଆସିଥାନ୍ତି । ଗୋଟିଏ ସେମାନଙ୍କର ଆବଶ୍ୟକତା ଥିଲେ ଆସନ୍ତି ଓ କିଣାକିଣି କରି ଯାଆନ୍ତି । ସେମାନଙ୍କ ମଧ୍ୟରୁ ଅନେକେ ମେଳାପି ସ୍ୱଭାବର । କିନ୍ତୁ ଆଉ କିଛି ଗ୍ରାହକ ଅଛନ୍ତି ମହିଳା କର୍ମଚାରୀ ଦେଖି ହଇରାଣ କରନ୍ତି । ଧଳାରଂଗର ପୋଷାକ ପିନ୍ଧିବାକୁ ବାରଣ କରାଯାଇଥିଲେ ବି ଧଳାକୁ ଟ୍ରାଏଲ ରୁମକୁ ନେଇ ପିନ୍ଧନ୍ତି । ତିନିରୁ ଅଧିକ ସାମଗ୍ରୀ ଟ୍ରାଏଲ ନ କରିବାର ନିୟମକୁ ଜୋର କରି ବେଖାତିର କରନ୍ତି । ସାମଗ୍ରୀ କିଣିଲେ ବି ଷ୍ଟୋରର ଅନେକ ନିୟମକୁ ଖୋଲାଖୋଲି ଉଲଂଘନ କରନ୍ତି । ମନା କଲେ ଯୁକ୍ତି କରନ୍ତି ଏବଂ ଅନେକ ସମୟରେ ଆମକୁ ନିଚା ଦୃଷ୍ଟିରେ ଦେଖନ୍ତି ।
ଗ୍ରାହକ ମାନଙ୍କ ବ୍ୟବହାର ଯୋଗୁଁ ଏହି କର୍ମଚାରୀ ମାନଙ୍କୁ ବେଳେ ବେଳେ ହଇରାଣ ହେବାକୁ ପଡ଼ିଥାଏ । ଯଦି ପୋଷାକରେ କିଛି ଦାଗ ଲାଗିଯାଏ ତେବେ ଏମାନଙ୍କୁ ଗାଳି ମଧ୍ୟ ଶୁଣିବାକୁ ପଡ଼ିଥାଏ । ସୁଷମା କୁହନ୍ତି, ଆବଶ୍ୟକ ପଡ଼ିଲେ ଆମେ ଶକ୍ତ ହୋଇ ଷ୍ଟୋରର ନିୟମ କାନୁନ ବିଷୟରେ କହିଥାଉ । ନଚେତ ସେମାନଙ୍କ ଖାମଖିଆଲ ମନୋଭାବ ଆମ ଭଳି ତଳ ସ୍ତରର କର୍ମଚାରୀଙ୍କୁ ହଇରାଣରେ ପକାଏ । ଷ୍ଟୋର ଠିକରେ ପରିଚାଳନା ନକରିପାରିବାର ଅଭିଯୋଗ ହୁଏ ଓ କାମରୁ ବିଦା କରି ଦିଆଯାଏ ।
ନିଜ ପାଇଁ ସ୍ଥାନ ନାହିଁ
ସକାଳୁ ରାତି ଯାଏଁ ପ୍ରାୟ ୮ରୁ ୧୦ ଘଂଟା ଲଗାତାର ଏଇ କର୍ମଚାରୀ ମାନଙ୍କୁ କାମ କରିବାକୁ ପଡ଼ିଥାଏ । ଲଂଚ ବ୍ରେକ କୁ ଛାଡ଼ିଦେଲେ ସବୁ ସମୟରେ ଠିଆ ହୋଇ ନଚେତ ଷ୍ଟୋରର ବିଭିନ୍ନ କାଉଂଟରରେ ଚାଲବୁଲ କରି ସମୟ ବିତେ । ବସିବାକୁ ସୁଯୋଗ ନାହିଁ ବେଳେବେଳେ ପାଦ ବହୁତ କାଟିଲେ ଆମେ ତଳେ ନଚେତ ସିଡ଼ିରେ ବସିଯାଉ । କିନ୍ତୁ ମ୍ୟାନେଜର ଦେଖିଲେ ବିରକ୍ତ ହୁଅନ୍ତି ବୋଲି କୁହନ୍ତି ରେବତୀ । ସବୁଠାରୁ ବେଶି କଷ୍ଟହୁଏ ଋତୁସ୍ରାବ ସମୟରେ । ଘଂଟା ଘଂଟା ଧରି ଠିଆ ହୋଇ ଅଂଟା ପିଠି ଯନ୍ତ୍ରଣା ହୁଏ । ସେମାନଙ୍କ ପାଇଁ ରେଷ୍ଟ ରୁମ୍ ର ବ୍ୟବସ୍ଥା ଅଛି କି ନାହିଁ ପଚରାଯିବାରେ ଅନେକେ ବାରଣ କରିଥିଲେ ।
ଅଭିଯୋଗ କରିବାର ଠିକଣା ଜଣାନାହିଁ
ବେଳେ ବେଳେ ଏହି ମହିଳା କର୍ମଚାରୀ ମାନେ ବିଭିନ୍ନ ପ୍ରକାରର ନିର୍ଯାତନାର ମଧ୍ୟ ଶିକାର ହୁଅନ୍ତି । କିନ୍ତୁ କେଉଁଠି ଅଭିଯୋଗ କରିବେ ସେ ବିଷୟରେ ଜାଣନ୍ତି ନାହିଁ । ଏହି ମଲ ବା ରିଟେଲ ଷ୍ଟୋର ଗୁଡ଼ିକରେ କାମ କରୁଥିବା ମହିଳା କର୍ମଚାରୀମାନଙ୍କୁ ଯେତେବେଳେ ଇଂଟରନାଲ କମ୍ପ୍ଲେନ କମିଟି ବିଷୟରେ ପଚରାଯାଇଥିଲା ସେମାନେ ଚୁପ ରହିଥିଲେ । କୌଣସି ଅଭିଯୋଗ ବାକ୍ସ, ଯେଉଁଠି ସେମାନେ ତାଙ୍କ ପ୍ରତି ହେଉଥିବା ନିର୍ଯାତନା ବା ସମସ୍ୟା ବିଷୟରେ ଜଣାଇପାରିବେ ସେ ବିଷୟରେ ଅବଗତ ଅଛନ୍ତି କି ପଚରା ଯିବାରେ ପ୍ରାୟ ସମସ୍ତେ ଉତର ଦେଇଥିଲେ ଯେ ସେମାନେ ଜାଣନ୍ତି ନାହିଁ । ଆମକୁ କେବଳ କୁହାଯାଇଛି କିଛି ସମସ୍ୟା ହେଲେ ଏଚ୍ ଆର୍ ଙ୍କୁ ଜଣାଇବ । କିନ୍ତୁ ଆମ ଭିତରୁ ଅନେକ କର୍ମଚାରୀ ଉପରିସ୍ଥ ନଚେତ ଗ୍ରାହକଙ୍କ ଖରାପ ବ୍ୟବହାର ଯୋଗୁଁ ଚାକିରୀ ଛାଡ଼ି ଚାଲିଯାଇଛନ୍ତି ।
ଗ୍ରାହକଙ୍କ ବ୍ୟବହାର ଖରାପ ହେଲେ ତାହା ଅଳ୍ପ ସମୟ ପାଇଁ ମନରେ ରହେ । ହେଲେ ଆମେ କାମ କରୁଥିବା ଜାଗାର ଉପରିସ୍ଥ ମାନଙ୍କ ବ୍ୟବହାର ମାନସିକ ଅଶାନ୍ତି ଆଣିଦିଏ । ଅଭିଯୋଗ କମିଟି ବିଷୟରେ ଶୁଣିଛି, ହେଲେ ଆମ ସଂସ୍ଥାରେ ଅଛି କି ନାହିଁ ଓ କେମିତି ଅଭିଯୋଗ କରିହେବ ସେକଥା ଆମକୁ କେହି କେବେ ବତେଇ ନାହାନ୍ତି ବୋଲି କୁହନ୍ତି ଇତିଶ୍ରୀ । ଏବିଷୟରେ ଜେଣ୍ଡର ଏକ୍ସପାର୍ଟ ଋକୁଣୀ ପଂଡ଼ା କୁହନ୍ତି, ସେକ୍ସୁଆଲ ହାରାସମେଂଟ ଅଫ ଓିମେନ୍ ଆଟ ଓାର୍କ ପ୍ଲେସ୍ ୨୦୧୩ ଆଇନ ଅନୁସାରେ ପ୍ରତ୍ୟେକ ଅନୁଷ୍ଠାନ, ଯେଉଁଠି ୧୦ରୁ ଅଧିକ ପୁରୁଷ ଓ ମହିଳା କାମ କରନ୍ତି ସେଠି ଇଂଟରନାଲ କମ୍ପ୍ଲେନ କମିଟି ରହିିବା ଆବଶ୍ୟକ ଏବଂ କର୍ମଚାରୀମାନେ ଯେପରି ଆବଶ୍ୟକ ପଡ଼ିଲେ ଅଭିଯୋଗ କରିପାରିବେ ସେଥିନେଇ ନିୟମିତ ସଚେତନତା କାର୍ଯ୍ୟକ୍ରମ କରାଯିବା ଦରକାର । ଏହି ମହିଳା କର୍ମଚାରୀ ମାନେ ଚାହିଁଲେ ଏଥିପାଇଁ ଦାବୀ ଉପସ୍ଥାପନ କରିପାରିବେ । ଏହାବାଦ୍ ବିଭିନ୍ନ ସ୍ଥାନରେ ଆଇସିସି ଅଛି କି ନାହିଁ ତାର ତଦାରଖ କରିବା ରାଜ୍ୟ ମହିଳା ଓ ଶିଶୁ କଲ୍ୟାଣ ବିଭାଗର ମଧ୍ୟ ଦାୟିତ୍ୱ ।
ଶ୍ରୀ ବାରିକ ଏ ବିଷୟରେ ଉଲ୍ଲେଖ କରି କୁହନ୍ତି, ସ୍ଥାନାନ୍ତର ହେଉଥିବା ଯୁବକଯୁବତୀଙ୍କ ପାଇଁ ଏକ ଗ୍ରିଭାନସ ରିଡ଼େ୍ରସାଲ ମେକାନିଜିମ ବା ଅଭିଯୋଗ ବ୍ୟବସ୍ଥାର ନିଶ୍ଚିତ ରୂପେ ଆବଶ୍ୟକତା ରହିଛି । ଅନଲାଇନ୍ ମାଧ୍ୟମରେ ଅଭିଯୋଗ ଗ୍ରହଣ କରିବାର ବ୍ୟବସ୍ଥା ରହିଲେ ଏହା ବେଶୀ ସହାୟକ ହେବ । ତେବେ କାର୍ଯ୍ୟସ୍ଥଳୀରେ ଏକ ଭଲ ଓ ସୁରକ୍ଷିତ ପରିବେଶ ସୃଷ୍ଟି କରାଯାଇପାରିଲେ ରିଟେଲ କ୍ଷେତ୍ରରେ କାମ କରୁଥିବା ମହିଳାଙ୍କ ପାଇଁ ନିଯୁକ୍ତିର ଅନେକ ସୁଯୋଗ ସୃଷ୍ଟି ହୋଇପାରିବ ।
ସେଦିନ ରିଟେଲ ଷ୍ଟୋରରୁ ମହିଳା କର୍ମଚାରୀ ମାନଙ୍କୁ ଭେଟି ଫେରିବା ବେଳେ ମନେହେଲା ସୁଷମା, ସୁଲୋଚନା ଓ ରେବତୀଙ୍କ ଭଳି ଗାଁ ରୁ ସହରକୁ ସ୍ଥାନାନ୍ତର ହେଉଥିବା ଏହି ମହିଳାଙ୍କୁ ଏକ ସୁସ୍ଥ ଓ ସୁରକ୍ଷିତ କର୍ମସ୍ଥଳୀ ଯୋଗାଇ ଦିଆଯାଇପାରିଲେ ଅଧିକ ମହିଳା ଉପାର୍ଜନକ୍ଷମ ସାଙ୍ଗକୁ ସଶକ୍ତ ମଧ୍ୟ ହୋଇପାରିବେ ।
ବି. ଦ୍ର; ସୁରକ୍ଷା ଦୃଷ୍ଟିରୁ ମହିଳା କର୍ମଚାରୀମାନଙ୍କ ନାଁ ପରିବର୍ତନ କରାଯାଇଛି