କଟକ ଦୁର୍ଗାପୂଜାରେ ଢିଙ୍କିକୁଟା ମେଢ

କଟକ: ଯଦି ଆପଣ କଟକ ସହରର ବାସିନ୍ଦା ହୋଇଥିବେ ଅବା ଦଶହରାବେଳେ କଟକ ମେଢ ଦେଖିବାକୁ ଯାଉଥିବେ ଛତ୍ର ବଜାରର ‘ଢିଙ୍କିକୁଟା, ବେସରବଟା’ ମେଢ ଆପଣଙ୍କୁ ନିଶ୍ଚିତଭାବେ ଆକୃଷ୍ଟ କରିଥିବ । କଟକର ବିଭିନ୍ନ ସାହି ଗଳିରେ ଯେଉଁଠି ଶକ୍ତିମୟୀ ମା ଦୁର୍ଗାଙ୍କର ନଚେତ ଶିବପାର୍ବତୀଙ୍କର ମୃଣ୍ମୟୀ ମୂର୍ତ୍ତି ପୂଜା ପାଇଥାଏ ସେଠି ଏହି ଢିଙ୍କି କୁଟା ବେସରବଟାର ବିଭିନ୍ନ ପ୍ରକାରର ମାଟିରେ ତିଆରି କଣ୍ଢେଇ ବହୁ ବର୍ଷଧରି ଲୋକଙ୍କ ମନଜିଣି ଆସୁଛି । ଯଦିଓ ଏହି କଣ୍ଢେଇ କେବେଠାରୁ ଆରମ୍ଭ ହୋଇଛି ତାହାର ସଠିକ ତଥ୍ୟ ନାହିଁ କିନ୍ତୁ ଏଇ କିଛି ବର୍ଷ ମଧ୍ୟରେ ଏହି ଢିଙ୍କିକୁଟା ମେଢ ଶହେ ବର୍ଷ ପୂରଣ କରିବ ବୋଲି ଏହି ରୂପକାର ପରିବାର ପକ୍ଷରୁ କୁହାଯାଇଛି ।

ତେବେ ଦୁର୍ଗାପୂଜା ସମୟରେ ଏଭଳି ଭିନ୍ନଧରଣର ମେଢ କରିବାର ଉଦ୍ଦେଶ୍ୟ କଣ ବୋଲି ପଚାରିବାରେ ଏହାର ରୂପକାର ବଳରାମ ଲାହା ଯିଏକି ଗଣେଶ ଲାହା ନାମରେ ବେଶି ପରିଚିତ କୁହନ୍ତି, ତାଙ୍କ ବାପା ଶ୍ରୀ ଭଗବାନ ଲାହା ମୂର୍ତି ଗଢିବାକୁ ଭଲପାଉଥିବାରୁ ବିଭିନ୍ନ ପ୍ରକାରର ମୁଖା ତିଆରି କରି ତାକୁ ବେଶପଟା କରି ଫ୍ରେମରେ ସଜାଇ ବିଭିନ୍ନ ପ୍ରକାରର କୈାତୁକିଆ କଥା କହି ଦର୍ଶକଙ୍କୁ ଆମେଦ ଦେଉଥିଲେ । ସେତେବେଳେ କଟକ ସହରକୁ ଯେତେ ଲୋକ ଦଶହରା ବୁଲିବାକୁ ଆସୁଥିଲେ ସେଥିମଧ୍ୟରୁ ଅଧିକାଂଶ ଗାଁ ଗହଳରୁ ଆସୁଥିଲେ ସେମାନଙ୍କ ମନୋରଞନ ପାଇଁ ସେ ଏହି ମେଢ ଆରମ୍ଭ କରିଥିଲେ । ପ୍ରଥମେ ପ୍ରଥମେ ଖୁସିରେ କରୁଥିଲେ କିନ୍ତୁ ପରେ ଦର୍ଶକ ଏହାକୁ ଅଧିକ ପସନ୍ଦ କରିବାରୁ ସେ ନିୟମିତଭାବେ ପ୍ରତିବର୍ଷ ଏହାକୁ କରିବାରେ ଲାଗିଲେ । ପ୍ରାୟ ୩୦ଟି ବିଭିନ୍ନ ପ୍ରକାରର କଣ୍ଢେଇ ମାଧ୍ୟମରେ ସେ ଗାଁ ଗହଳର ଚଳଣୀ, ମହିଳାମାନେ ଘରେ କରୁଥିବା କରୁଥିବା ବିଭିନ୍ନ ପ୍ରକାରର କାମ, ପରିବାର ସଦସ୍ୟଙ୍କ ଭିତରେ ଥିବା ସଂପର୍କ ଓ ସମାଜରେ ଥିବା କୁପ୍ରଥାକୁ ଦେଖାଇବାକୁ ଚେଷ୍ଟା କରୁଥିଲେ । ପ୍ରଥମେ ଏହି ମେଢ ଆଲାମଚନ୍ଦ ବଜାରରେ କରାଯାଉଥିବା ବେଳେ ପରବର୍ତ୍ତୀ ସମୟରେ ଏହା ଛତ୍ରବଜାରକୁ ଉଠିଆସିଛି ।

ତାଙ୍କ ବାପାଙ୍କୁ ଯେବେ ୨୦ ବର୍ଷ ହୋଇଥିଲା ସେତେବେଳେ ସେ ଏହି ଢିଙ୍କିକୁଟା ମେଢ ଆରମ୍ଭ କରିଥିଲେ। ସେ ପ୍ରାୟ ୮୫ ବର୍ଷ ବୟସ ଯାଏଁ ଏହି କାମକୁ ଜାରି ରଖିଲେ । ତେବେ ୧୯୯୮ ମସିହାରେ ଭଗବାନ ଲାହାଙ୍କ ଶରୀର ଅସୁସ୍ଥ ହେବା ପରେ ଏହି ମେଢକାମ କେମିତି ଆଗକୁ ବଢିବ ତାକୁ ନେଇ ପୂଜା କମିଟି ଆୟୋଜକଙ୍କ ମଧ୍ୟରେ ଭାଳେଣି ପଡିଲା । ସେମାନେ ତାଙ୍କ ପୁଅ ବଳରାମ ଲାହାଙ୍କୁ ଏହାକୁ ଆଗେଇ ନେବାକୁ କହିଲେ । ଭଗବାନ ଲାହା ମଧ୍ୟ ଚାହୁଁ ଥିଲେ ମନୋରଞନ ପାଇଁ କରାଯାଉଥିବା ଏହି ମେଢ କାମ ବନ୍ଦ ନହେଉ । ବଳରାମ ପିଲାଟି ବେଳୁ ତାଙ୍କ ବାପାଙ୍କୁ ଏହି ମେଢ କାମରେ ସାହାଯ୍ୟ କରୁଥିବାରୁ ସେ ଆଗ୍ରହୀ ହେଲେ । ବଳରାମ କୁହନ୍ତି, ପ୍ରଥମେ ମୋ ଭିତରେ ଭୟ ଥିଲା କିନ୍ତୁ ଧିରେ ଧିରେ ଦଶହରା ଦେଖିବାକୁ ଆସୁଥିବା ଲୋକ ମୋ କାମକୁ ପସନ୍ଦ କରିବାରୁ ମୋ ଭିତରେ ଆହୁରି ଆଗ୍ରହ ବଢିଲା । ଏହି ରୂପ କାମକୁ ସେ କେମିତି କରନ୍ତି ବୋଲି ପଚାରିବାରେ ସେ କୁହନ୍ତି, ମାଟିରେ ୩୦ ରୁ ୩୫ଟି ମୁଖା ତିଆରି କରାଯାଏ ଏବଂ ସେଗୁଡିକୁ ବିଭିନ୍ନ ବେଶରେ ସଜାଯାଇଥାଏ । କାଠରେ କରାଯାଇଥିବା ଫ୍ରେମରେ ଏଗୁଡିକୁ ଯୋଡିବା କରିବା ପରେ ତିନିଜଣ ଲୋକ ପରଦା ପଛରେ ରହି ଏହି କାଠ ଫ୍ରେମକୁ ଗୀତ ଅନୁସାରେ ଚଲେଇଥାଆନ୍ତି । ବଳରାମ ମଧ୍ୟ କଣ୍ଢେଇ ଗୁଡିକ ପାଖରେ ବସି ହାତରେ ମାଇକ ଧରି ଗୋଟିଏ ଗୋଟିଏ କଣ୍ଢେଇ ବିଷୟରେ ବର୍ଣନା କରିବା ବେଳେ ପର୍ଦ୍ଦା ପଛରେ ଥିବା ଲୋକ ସେହି ଫ୍ରେମଗୁଡିକୁ ଚଲାଉଥାଏ । ଯେମିତି ସୂତାରେ କଣ୍ଢେଇ ନଚାନ୍ତି ଠିକ ସେମିତି ଏହି କାଠ ଫ୍ରେମ ଗୁଡିକୁ ଚଲାଯାଇଥାଏ । ଯାହାକୁ ଦେଖିବାପାଇଁ ଦର୍ଶକ ଘଡିଏ ଅଟକିଯାଆନ୍ତି ।

ତେବେ ଏହି ରୂପ କେଣ୍ଢଇ ତିଆରିଠାରୁ ସେଗୁଡିକୁ ଫ୍ରେମରେ ସଜେଇବା ଯାଏଁ ବହୁତ ପରିଶ୍ରମ କରିବାକୁ ପଡେ । ଏଥିପାଇଁ ଅନେକ ଲୋକ ଦରକାର ପଡୁଥିଲେ ବି ଅର୍ଥ ଅଭାବରୁ ସେମାନେ ବେଶି କାରିଗର ରଖିପାରନ୍ତି ନାହିଁ କେବଳ ଦୁଇଜଣ କାରିଗର ତାଙ୍କୁ ଏକାମରେ ସାହାଯ୍ୟ କରିଥାଆନ୍ତି । ବଳରାମ ନିଜେ ଅଧିକାଂଶ କାମ କରୁଥିବା ବେଳେ ରଂଗ ଓ ସାଜସଜ୍ଜା କାମରେ ତାଙ୍କର ପରିବାର ସାହାଯ୍ୟ କରନ୍ତି । ଏହି ମେଢରେ ଢିଙ୍କିଠାରୁ ଆରମ୍ଭ କରି କୁଲା, ଚକି, ଶିଳପୁଆ ସବୁକିଛି ବ୍ୟବହାର କରାଯାଇଥାଏ । ଦୁର୍ଗା ପୂଜା ଆସିବାର ମାସେ ଆଗରୁ ମାଟିରେ ମୁଖା ଗଢିବା କାମ ଆରମ୍ଭ ହୋଇଯାଏ । ଦଶହରା ସରିବା ପରେ ସବୁ ମୂର୍ତି କୁ ପାଣିରେ ବିସର୍ଜନ କରାଯାଉଥିବା ବେଳେ ଏଗୁଡିକୁ କରାଯାଇନଥାଏ । କିନ୍ତୁ ମାଟିରେ ମୁଖା ତିଆରି କରାଯାଉଥିବାରୁ ଏଗୁଡିକ ଶିଘ୍ର ଭାଙ୍ଗିଯାଏ ନଚେତ ନଷ୍ଟ ହୋଇଯାଏ ଏଣୁ ସବୁ ବର୍ଷ ପୁଣିଥରେ ନୂଆ କରି ଗଢିବାକୁ ପଡେ । ଏହାଛଡା ଲୁଗାପଟା ଓ ଫ୍ରେମ ସଜାଡିବା କାମ ବି ରହିଛି, ପୂଜା କମିଟି ପକ୍ଷରୁ ଯେତିକି ଆର୍ଥିକ ସାହାଯ୍ୟ ମିଳେ ସେତିକି ଯଥେଷ୍ଟ ହୁଏନା ଏଣୁ ସରକାରୀ ସ୍ତରରେ ଏହିକାମକୁ ପ୍ରୋତ୍ସାହନ ମିଳିଲେ ସେ ଏହାକୁ ଆହୁରି ଭଲ ଭାବେ କରିପାରନ୍ତେ ବୋଲି କହିଛନ୍ତି ।

ଆଗେ କେବଳ କଟକରେ କରାଯାଉଥିବା ଏହି ଢିଙ୍କିକୁଟା ମେଢକୁ ଲୋକେ ଅଧିକରୁ ଅଧିକ ପସନ୍ଦ କରିବା ପରେ ଏବେ ଅନ୍ୟ ଯାଗାକୁ ଯିବାପାଇଁ ତାଙ୍କୁ ଡାକରା ଆସୁଛି । ବଳରାମ କୁହନ୍ତି କଟକ ଦଶହରା ସରିବା ପରେ ଢେଙ୍କାନାଳ ଲକ୍ଷ୍ମୀ ପୂଜା ଓ ବଲାଙ୍ଗୀରର ଶୀତଳଷଷ୍ଠୀରେ ଓ କିଛି ପ୍ରଦର୍ଶନୀରେ ଢିଙ୍କିକୁଟା ମେଢ ସଜେଇବାକୁ ତାଙ୍କୁ ଡକାଯାଉଛି । ସେସବୁ ଯାଗାକୁ ଯିବାପରେ କିଛି ରୋଜଗାର ବଢିଥିଲେ ମଧ୍ୟ ଏହା ଯଥେଷ୍ଟ ନୁହେଁ ବୋଲି ସେ କହିଛନ୍ତି । ପ୍ରତିବର୍ଷ ଏହି ଢିଙ୍କିକୁଟା ମେଢକୁ ଦେଖିବାକୁ ଭଲପାଉଥିବା ଜଣେ କଟକ ବାସିନ୍ଦାଙ୍କ ମତରେ , ସାଧାରଣତଃ ଏହି ଢିଙ୍କିକୁଟା ବେସରବଟା କାମଗୁଡିକୁ ନିରିଖେଇ ଦେଖିଲେ ଜଣାଯାଏ ରୂପକାର ଭଗବାନ ଲାହା ମହିଳାମାନେ ଘରର ଚାରିକାନ୍ଥ ଭିତରେ କରୁଥିବା ବିଭିନ୍ନ କାମକୁ ଦେଖାଇବାକୁ ଚେଷ୍ଟା କରିଛନ୍ତି । ଆଗେ ଏହିସବୁ କାମ କରାଯାଉଥିବା ବେଳେ ଧିରେ ଧୀରେ ଏହା ଲୋପପାଇବାକୁ ବସିଛି । ଦଶହରା ସମୟରେ ଯେଉଁଠି ଶକ୍ତିମୟୀ ମା ଦୁର୍ଗାଙ୍କୁ ପୂଜା କରାଯାଇଥାଏ ସେଠି ମହିଳାମାନେ ଘରେ କରୁଥିବା ବିଭିନ୍ନ କାମକୁ କଣ୍ଢେଇ ମାଧ୍ୟମରେ ଦେଖେଇ ସେମାନଙ୍କ କାମକୁ ସମ୍ମାନ ଦେବାକୁ ସୂଚେଇଛନ୍ତି ।

Leave a Reply

Your email address will not be published. Required fields are marked *