ପୁରୀ: କୃଷ୍ଣ ପ୍ରସାଦ ବ୍ଲକର ଦୁଇଟି ଗାଁ ବ୍ରହ୍ମପୁର ଓ ମହିଷା । ଚିଲିକା ହ୍ରଦରେ ଏକ ଦୀପ ଭଳି ରହିଛି । ଆଗେ ପାରିକୁଦ କୁହାଯାଉଥିବା କୃଷ୍ଣ ପ୍ରସାଦ ବ୍ଲକର ୫ଟି ଯାକ ଗାଁ- ବ୍ରହ୍ମପୁର, ମହିଷା, ଖିରିସାହି, ପାରଳା, ଭବାନୀପୁର ଆଦି ଗାଁ ଚିଲିକା ଭିତରେ ଥିଲା କିନ୍ତୁ ଧିରେ ଧିରେ ଅନ୍ୟ ଗାଁ ଗୁଡିକୁ ସଡକପଥ ହୋଇସାରିଥିଲେ ମଧ୍ୟ ଏହି ଦୁଇଟି ଗାଁ ଏବେବି ଅଲଗା ହୋଇ ରହିଛି ।
୨୦୦୯ ମସିହାରେ ସାତପଡାରୁ ବ୍ରହ୍ମପୁରକୁ ବାହା ହୋଇ ଆସିଥିବା କ୍ଷଣପ୍ରଭା କରଣ କୁହନ୍ତି, ସେତେବେଳେ ଏହି ଗାଁକୁ ଲାଇଟ ବ୍ୟବସ୍ଥା ନଥିଲା ୨୦୧୨-୧୩ ବେଳକୁ ବିଦ୍ୟୁତ ଆଲୁଅ ଆସିଲା । ସାତପଡାରେ ବାପଘର ହୋଇଥିଲେ ବି ସେ ଏଗାଁର ସମସ୍ୟା ବିଷୟରେ ଏତେଟା ସଚେତନ ନଥିଲେ କିନ୍ତୁ ଏଠି ବୋହୁ ହୋଇଆସିବା ପରେ ଏଠିକାର ସମସ୍ୟା ବିଷୟରେ ବିଶେଷ ଭାବେ ଅବଗତ ହେଲେ । ସେ କୁହନ୍ତି, ”ଏଠି ସବୁଠାରୁ ବେଶି ସମସ୍ୟା ହୁଏ ଯଦି କାହାର ଦେହ ହଠାତ ଖରାପ ହୋଇଯାଏ । ଡଙ୍ଗାରେ ରୋଗୀଙ୍କୁ ଶୁଆଇ ନଚେତ ବସାଇ ସାତପଡା ନେଇ ରେବଣା ସ୍ୱାସ୍ଥ୍ୟ କେନ୍ଦ୍ର ନଚେତ ପୁରୀ ମେଡିକାଲକୁ ନେବାକୁ ପଡେ, ସେଥିରେ ବହୁତ ସମୟ ଚାଲିଯାଏ । ”
ଗାଁରେ ଆଗେ ଗୋଟେ ହୋମିଓପ୍ୟାଥି କେନ୍ଦ୍ର ଥିଲା କିନ୍ତୁ ଡାକ୍ତର ଅଭାବରୁ ଏହା ଅଧିକାଂଶ ସମୟରେ ବନ୍ଦ ରୁହେ । ଅନେକ ଦାବି ପରେ ଏବେ ଗୋଟେ ସବସେଂଟର ଖୋଲିଛି । ହେଲେ ମୁଖ୍ୟ ସମସ୍ୟା ଉପୁଜେ ମହିଳାଙ୍କ ପ୍ରସବ ସମୟରେ । ତେଣୁ ଅନେକ ଗର୍ଭବତୀ ପ୍ରସବର ମାସେ ଆଗରୁ ସାତପଡା ନଚେତ ବ୍ରହ୍ମଗିରିକୁ ବନ୍ଧୁବାନ୍ଧବ ଘର ନହେଲେ ବାପଘରକୁ ଚାଲିଯାଆନ୍ତି । ପୁଣି ପିଲାଜନ୍ମ ହେବାର ମାସେ ପରେ ଫେରନ୍ତି ।
ମତ୍ସଜୀବୀରୁ ହେଉଛନ୍ତି ଦାଦନ ଶ୍ରମିକ
ଗାଁର ଅଧିକାଂଶ ଲୋକ ମତ୍ସଜୀବୀ । ଚିଲିକାରୁ ମାଛ ଧରି ବାଲୁଗାଁ ବ୍ୟବସାୟୀଙ୍କୁ ବିକ୍ରିକରି ଚଳନ୍ତି । କ଼ିନ୍ତୁ ଗତ କିଛି ବର୍ଷ ହେବ ଚିଲିକାରେ ମାଛ ଉତ୍ପାଦନ କମିଆସିଥିବାରୁ ଗାଁର ଅନେକ ମତ୍ସଜୀବୀ ତାଙ୍କର କୌଳିକ ବୃତ୍ତି ଛାଡି ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି । ଗାଁର ମହିଳାମାନେ ମାଛକୁ ଶୁଖୁଆ କରି ଘରେ ଖାଇବା ପାଇଁ ନଚେତ ବ୍ୟବସାୟୀଙ୍କୁ ବିକ୍ରି କରି ବେଶ କିଛି ରୋଜଗାର କରୁଥିଲେ । ଏବେ ମାଛ କମିଆସିଥିବାରୁ ସେମାନେ ଅନ୍ୟ ରୋଜଗାରର ପନ୍ଥା ବାଛିିଲେଣି । ଏସଏଚଜି ମାଧ୍ୟମରେ ଧୂପକାଠି ତିଆରି କରିବା, ଫିନାଇଲ, ଅଳତା ଆଦି ତିଆରି କରି ପରିବାର ଚଳାଉଛନ୍ତି ।
ଗାଁର ଜଣେ ବୟସ୍କ ବ୍ୟକ୍ତି ନରେନ୍ଦ୍ର କୁମାର ଜେନା କୁହନ୍ତି, ଆଗେ ଚିଲିକାରୁ ମାଛ ଧରିବା ସବୁଠାରୁ ଲାଭଜନକ ବେଉସା ଥିଲା କିନ୍ତୁ ଏବେ ସେଥିରେ ଆଉ ପେଟପୁରୁନି । ଯେଉଁଥିପାଇଁ ଅଧିକାଂଶ ପରିବାରର ପୁରୁଷମାନେ ବାହାରକୁ କାମ ପାଇଁ ଚାଲିଯାଉଛନ୍ତି । ଏବେ ଗାଁର ପ୍ରାୟ ଲୋକ ତାମିଲନାଡୁ , ଆନ୍ଧ୍ରପ୍ରଦେଶ. ବାଙ୍ଗାଲୋର ଯାଇ ପୋଷାକ ତିଆରି ଫ୍ୟାକ୍ଟ୍ରିରେ କାମ କରୁଛନ୍ତି, ପୁଣି ଆଉ କିଛି ଗୋଆ ନଚେତ କେରଳର ସିଫୁଡ ପ୍ରୋସେସିଂ ଫ୍ୟାକ୍ଟ୍ରିରେ କାମ କରୁଛନ୍ତି । ଆଗେ କେବଳ ପୁରୁଷମାନେ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଥିଲେ ଏବେ ମହିଳାମାନେ ମଧ୍ୟ କାମ କରିବାକୁ ବାହାରକୁ ଯାଉଛନ୍ତି ।
୨୦୧୦ ବେଳକୁ ଧ୍ରୁବ ଚରଣ ଓ ତାଙ୍କ ପୁଅ ପ୍ରତାପ ମିଶି ତାମିଲନାଡୁର ଏକ କାରଖାନାରେ କାମ କରିବାକୁ ଗଲେ । ପ୍ରଥମେ ପ୍ରଥମେ ସେଠି କାମ କରିବାକୁ ଅସୁବିଧା ହେଲା କିନ୍ତୁ ସେଠୁ ଆୟ କରି ପଠେଇଲେ ଘର ଚଳିବ ସେଇଆ ଭାବି ସେଠି ରହିଗଲେ । କିନ୍ତୁ କୋଭିଡ ସମୟରେ ସମସ୍ତଙ୍କ ଭଳି ସେମାନେ ମଧ୍ୟ ଗାଁ କୁ ଫେରିଆସିଲେ ଆଉ ବାହାରକୁ ଯିବାକୁ ମନ କଲେନି । ଏବେ ଧ୍ରୁବ ଗାଁରେ ଦୋକାନ କରି ବସୁଛନ୍ତି ଆଉ ପ୍ରତାପ ପୁରୀ ସହରରେ ଗାଡି ଚଳାଉଛନ୍ତି । ଧ୍ରୁବ କୁହନ୍ତି ଗାଁର ବଡ ସମସ୍ୟା ହେଉଛି ଗମନାଗମନର । ଯେକୌଣସି କାମ ପଡୁ ଗାଁ ବାହାରକୁ ଯିବାକୁ ହେଲେ ଡଙ୍ଗା ହିଁ ଏକମାତ୍ର ସାହାରା । ଦିନରେ ଚାରିିଥର ପାସେଞ୍ଜର ଡଙ୍ଗା ଚାଲେ, ସାତପଡାରୁ ବ୍ରହ୍ମପୁର, ମହିଷା ଓ ଜହ୍ନିକୁଦା ପୁଣି ଜହ୍ନିକୁଦାରୁ ମହିଷା ବ୍ରହ୍ମପୁର ଓ ସାତପଡା । ୧୦ମିନିଟର ବାଟକୁ ୧୦ଟଙ୍କା ପଡେ । କିନ୍ତୁ ସମସ୍ୟା ହୁଏ ଯଦି ଅଦିନିଆ ବର୍ଷା, ମେଘ ପବନ ହୁଏ । ନିୟମିତ ଗାଁ ଲୋକଙ୍କୁ ସାତପଡାରୁ ଜହ୍ନିକୁଦା ଡଙ୍ଗାରେ ନେବା ଆଣିବା କରୁଥିବା ନାଉରୀଆ ସୁମନ୍ତ ବେହେରା କୁହନ୍ତି, ଏତେ ବର୍ଷ ହେବ ଡଙ୍ଗାରେ ନେବା ଆଣିବା କରି ଆମର ଅଭିଜ୍ଞତା ହୋଇଗଲାଣି । ଆକାଶରେ କଳାହାଣ୍ଡିଆ ମେଘକୁ ଦେଖିଲେ ଆମେ ଡଙ୍ଗା ନେବା ବନ୍ଦ କରିଦେଉ । କାରଣ ଯାତ୍ରୀଙ୍କୁ ସୁରକ୍ଷାରେ ଯାତାୟତ କରିବା ଆମର ପ୍ରଥମ ଲକ୍ଷ୍ୟ ।
ବ୍ରିଜ ହେଉଛି ସମାଧାନର ବାଟ
ଗାଁ ଲୋକଙ୍କ ସବୁ କାମ ପାଇଁ ଡଙ୍ଗା ହିଁ ସାହାରା । ସ୍କୁଲ କଲେଜ ମେଡିକାଲ ହେଉ ଅବା ବାହାଘର, ବର ମଧ୍ୟ ଡଙ୍ଗାରେ ବାହା ହେବାକୁ ଯାଏ ଓ ବୋହୁଟି ଗାଁ କୁ ଆସିଲେ ଡଙ୍ଗାରେ ଆସେ । ଗାଁରେ ହେଉଥିବା ଯାନିଯାତ୍ରା ପର୍ବପର୍ବାଣୀ ପାଇଁ ଦୋକାନୀମାନେ ଏହି ଡଙ୍ଗାରେ ଯାଇ ଜିନିଷ କିଣି ଆଣନ୍ତି । ଗାଁରେ ମିଳୁଥିବା ଚକଲେଟ, ବିସ୍କୁଟ ଔଷଧପତ୍ର ପାଇଁ ବି ଦୋକାନୀଙ୍କୁ ଡଙ୍ଗା ଉପରେ ନିର୍ଭର କରିବାକୁ ପଡେ । ପୁରୀର ଏକ ବେସରକାରୀ ଅଫିସରେ କାମ କରୁଥିବା ଆଦିତ୍ୟ ନାରାୟଣ ଜେନାଙ୍କ ପାଇଁ ସବୁଦିନ ଘରୁ ଅଫିସ ଯିବା ଏକ କାଠିକର ପାଠ । ଘରୁ ବାଇକରେ ଘାଟ ଯାଏଁ ଯିବେ ପୁଣି ସେଠୁ ଡଙ୍ଗାରେ ବାଇକ ଉଠେଇ ସାତପଡା ସେଠୁ ବସରେ ପୁରୀ ପୁଣି କାମ ଶେଷ ହେଲେ ସେହିଭଳି ଫେରିବା । ଝଡ ବର୍ଷା ବାତ୍ୟା ଆସିଲେ ଗମନାଗମନ ସେଇଠି ଠପ, ଗାଁ କୁ ଫେରିବା ମୁସକିଲ ହୋଇଯାଏ ,ବାଧ୍ୟ ହୋଇ ସାତପଡା କିମ୍ବା ବ୍ରହ୍ମଗିରିରେ ବନ୍ଧୁବାନ୍ଧବଙ୍କ ଘରେ ରହିବାକୁ ପଡେ । ଆଦିତ୍ୟ କୁହନ୍ତି, ଯଦି ପୋଲଟିଏ ଥାଆନ୍ତା ହୁଏତ ତାଙ୍କର ପ୍ରତିଦିନର ଯା ଆସରେ ଏତେ ଅସୁବିଧା ହୁଅନ୍ତା ନାହିଁ । ବ୍ରହ୍ମପୁର ପଂଚାୟତର ସରପଂଚ ସନ୍ତୋଷ କୁମାର ଜେନା କୁହନ୍ତି, ପାରିକୁଦର ଅନ୍ୟ ସବୁ ଗାଁ କୁ ସଡକ ପଥ ସଂଯୋଗ ହୋଇସାରିଥିଲେ ବି ଏ ଦୁଇଟି ଗାଁକୁ ସଂଯୋଗ କରିବାକୁ ବହୁଦିନରୁ ଦାବି ହୋଇ ଆସୁଛି । ଗତ ନିର୍ବାଚନ ସମୟରେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକାରୀ କୃଷ୍ଣ ପ୍ରସାଦକୁ ଆସି ଗାଁ ଲୋକଙ୍କ ସହ ଆଲୋଚନା କରିଥିଲେ ସେମାନଙ୍କ ସମସ୍ୟା ବିଷୟରେ ଅବଗତ ହୋଇଥିଲେ । ସେ ଆଶ୍ୱାସନା ଦେଇଛନ୍ତି ଯେ ଦୁଇଟି ଗାଁକୁ ସାତପଡା ସହ ସଡକପଥରେ ଯୋଡିବା ପାଇଁ ଚିଲିକା ଉପରେ ବ୍ରିଜ ନିର୍ମାଣ ହେବ ସେପରି ହେଲେ ଗାଁ ଲୋକଙ୍କ ଅନେକ ସମସ୍ୟା ଦୂର ହୋଇଯିବ ।