ଲୋଧା ଜନଜାତିର ପିଲାଙ୍କ ଆତ୍ମବିଶ୍ୱାସ ବଢାଉଛି ଫୁଟବଲ

ମୟୁରଭଞ୍ଜର ଲୋଧା ସଂପ୍ରଦାୟ ପିଲାଙ୍କୁ ସାଧାରଣରେ କ୍ରିମିନାଲ ଟ୍ରାଇବ କୁହାଯାଉଥିବାରୁ ସେମାନେ ନିୟମିତ ସ୍କୁଲ ଯାଉନଥିଲେ କିମ୍ବା ଅନ୍ୟ ଜନଜାତିଙ୍କ ସହ ମିଶି ପାରୁନଥିଲେ । କିନ୍ତୁ ଏବେ ଫୁଟବଲ ଖେଳ ସେମାନଙ୍କ ଭିତରେ ଆତ୍ମବିଶ୍ୱାସ ଆଣିବା ସହ ସେମାନଙ୍କୁ ସମାଜରେ ଏକ ପରିଚୟ ଦେଇପାରିଛି ।

ମୟୁରଭଞ୍ଜ: ମୟୁରଭଞ୍ଜ ଜିଲ୍ଲା ମୋରଡା ବ୍ଲକ ଲୋଧାଡିହି ଗାଁକୁ ଯଦି ଆପଣ କେବେ ବୁଲି ଆସନ୍ତି, ତେବେ ଦେଖିବେ ବିଭିନ୍ନ ଖୋଲାପଡିଆରେ କିଶୋର କିଶୋରୀମାନେ ସେମାନଙ୍କ ଦଳ ସହ ଫୁଟବଲ ଖେଳୁଥିବାର ଦୃଶ୍ୟ । ଖରା ବର୍ଷା ଶୀତ ଯେକୌଣସି ଋତୁ ହେଉନା କାହିଁକି ଏହି ଆଦିବାସୀ ପିଲାଙ୍କର ଗୋଟିଏ ଲକ୍ଷ୍ୟ ରାଜ୍ୟ ଓ ଜାତୀୟ ଫୁଟବଲ ଟିମରେ ଖେଳିବେ ଏବଂ ନିଜ ଜନଜାତି ପାଇଁ ସୁନାମ ଆଣିବେ । ଲୋଧାଡିହି ହେଉଛି ଲୋଧା ଆଦିବାସୀ ସମ୍ପ୍ରଦାୟଙ୍କ ଗାଁ ।
ମୟୁରଭଞ୍ଜର ମୋରଡା ଓ ଶୁଳିଆପଦା ବ୍ଲକରେ ଅଧିକାଂଶ ସଂଖ୍ୟାରେ ଦେଖାଯାଉଥିବା ଏହି ଜନଜାତିଙ୍କର ୨୦୧୧ ଜନଗଣନା ଅନୁସାରେ ବର୍ତମାନର ସଂଖ୍ୟା ହେଉଛି ୩,୧୧୨ । କୁହାଯାଏ ବ୍ରିଟିଶ ଶାସନ ସମୟରେ ଏମାନଙ୍କୁ ଜଙ୍ଗଲରୁ ବିତାଡିତ କରାଯିବା ପରେ ଜୀବିକା ହରାଇବା ଯୋଗୁଁ ଏହି ସଂପ୍ରଦାୟ ଚୋରି ଡକାୟତି କରି ଚଳିବା ପାଇଁ ବାଧ୍ୟ ହୋଇଥିଲେ, ଫଳରେ ସେମାନଙ୍କୁ ଆଗରୁ କ୍ରିମିନାଲ ଟ୍ରାଇବ ବୋଲି କୁହାଯାଉଥିଲା । ହେଲେ ବର୍ତମାନ ସେମାନେ ରାଜ୍ୟର ୧୩ଟି ବିପଦ ସଙ୍କୁଳ ଅବସ୍ଥାରେ ଥିବା ଜନଜାତିଙ୍କ ମଧ୍ୟରେ ରହିଛନ୍ତି । ସବୁଠାରୁ ବଡ କଥା ହେଉଛି ଲୋଧା ସଂପ୍ରଦାୟର ଯୁବପିଢି ଫୁଟବଲ ଖେଳ ମାଧ୍ୟମରେ ନିଜର ପରିଚୟ ଖୋଜୁଛନ୍ତି ।
ସ୍ୱେଚ୍ଛାସେବୀ ସଂସ୍ଥା ଦେଖାଇଲା ବାଟ
ଲୋଧା ସଂପ୍ରଦାୟର ଯୁବପିଢି ଏବେ ଯେଉଁ ଫୁଟବଲ ଖେଳୁଛନ୍ତି, କିଛି ବର୍ଷ ପୂର୍ବେ ପରିସ୍ଥିତି ସଂପୂର୍ଣ ଭିନ୍ନ ଥିଲା । ମୟୁରଭଞ୍ଜ ଜିଲ୍ଲାରେ ଲୋଧା ଜନଜାତିଙ୍କ ସହ କାମ କରୁଥିବା ସ୍ୱେଚ୍ଛାସେବୀ ସଂସ୍ଥା ଶିକ୍ଷାସନ୍ଧାନର ମୁଖ୍ୟ ଅନିଲ ପ୍ରଧାନଙ୍କ କହିବା ଅନୁସାରେ, “୨୦୧୬ ମସିହାରେ ଆମେ ଯେବେ ଲୋଧା ସଂପ୍ରଦାୟଙ୍କ ସହ କାମ କରିବାକୁ ଆସିଲୁ ଆମେ ସେମାନଙ୍କ ପିଲାଙ୍କ ଶିକ୍ଷାର ଉନ୍ନତି କରିବାକୁ ଚାହିଁଲୁ । କିନ୍ତୁ ଜାଣିବାକୁ ପାଇଲୁ ଲୋଧା ପିଲାମାନେ ନିୟମିତ ସ୍କୁଲକୁ ଆସନ୍ତି ନାହିଁ ଏବଂ ଯଦିବା କ୍ୱଚିତ ଆସନ୍ତି ସେମାନେ ପରିଷ୍କାର ପରିଚ୍ଛନ୍ନ ରହୁନଥିବା କାରଣରୁ ଅନ୍ୟ ଜନଜାତିର ପିଲାମାନେ ତାଙ୍କୁ ପାଖରେ ବସାନ୍ତି ନାହିଁ । ଏବିଷୟରେ ଜାଣିବା ପରେ ଶିକ୍ଷାସନ୍ଧାନ ସଂସ୍ଥା ପକ୍ଷରୁ ଲୋଧା ପିଲାଙ୍କ ବାପାମାଙ୍କୁ ବୁଝାଇବା ସହ ପିଲାଙ୍କ ପରିଚ୍ଛନ୍ନତା ଓ ନିୟମିତ ସ୍କୁଲ ପଠାଇବା ଉପରେ ଗୁରୁତ୍ୱ ଦିଆଗଲା । ସେମାନେ କିପରି ନିୟମିତ ସ୍କୁଲ ଆସିବେ ଓ ଅନ୍ୟ ଜନଜାତିର ପିଲାଙ୍କ ସହ ପାଠ ପଢିବେ ତା ଉପରେ ମଧ୍ୟ ଧ୍ୟାନ ଦିଆଗଲା ।”

ଶିକ୍ଷାସନ୍ଧାନର ପ୍ରୋଗ୍ରାମ ଏକଜିକ୍ୟୁଟିଭ ନାରାୟଣ ବେହେରା କୁହନ୍ତି, ଏହି ସମୟରେ କିଶୋର ବୟସର ପିଲାଙ୍କ ସହ ଆଲୋଚନା ବେଳେ ଜଣାଗଲା ଅନ୍ୟ ଜନଜାତିର ପିଲାମାନେ ମିଶୁନଥିବାରୁ ସେମାନେ ସ୍କୁଲ ନଯାଇ ଜଙ୍ଗଲରେ ବୁଲାବୁଲି କରନ୍ତି ନଚେତ କମ ବୟସରେ କାମ କରିବାକୁ ଯାଆନ୍ତି । ଏହାକୁ ରୋକିବା ଓ ପିଲାଙ୍କୁ ସ୍କୁଲ ମୁହାଁ କରିବା ପାଇଁ ସଂସ୍ଥା ପକ୍ଷରୁ ପିଲାଙ୍କୁ ଫୁଟବଲ ଖେଳ ପ୍ରତି ଆଗ୍ରହୀ କରାଗଲା । ଏଥିପାଇଁ ସେମାନଙ୍କୁ ଟ୍ରେନିଂ ଦେବାସହ ଖେଳିବା ପାଇଁ ସର୍ଟସ , ଜର୍ସି ଫୁଟବଲ ଓ ଜୋତା ଯୋଗାଇଦିଆଗଲା ।
ଶିକ୍ଷାସନ୍ଧାନର ନବଦିଗନ୍ତ ପ୍ରୋଜେକ୍ଟ ମାଧ୍ୟମରେ ୧୨ଟି ଗାଁରେ ଫୁଟବଲ ଟିମ ଗଢା ହେଲା । ଏହି ଟିମ ଗୁଡିକ କେବଳ ଲୋଧା ଜନଜାତିର ପିଲାଙ୍କୁ ନେଇ ଆରମ୍ଭ କରାହେଲା । କିନ୍ତୁ ଲୋଧା ଜନଜାତିର ପିଲାଙ୍କୁ ଅନ୍ୟ ମାନଙ୍କ ସହ ମିଶାଇବା ଓ ସେମାନଙ୍କ ଭିତରେ ଆତ୍ମବିଶ୍ୱାସ ବଢାଇବା ପାଇଁ ୨୦୨୧ ବର୍ଷରେ ଆକାଂକ୍ଷା ପ୍ରୋଜେକ୍ଟରେ ଅନ୍ୟ ଜନଜାତିର ପିଲାଙ୍କୁ ନେଇ ବିଭିନ୍ନ ଗାଁରେ ଫୁଟବଲ ଟିମ ଗଢା ହେଲା । ବର୍ତମାନ ମୋରଡା ଓ ଶୁଳିଆପଦା ବ୍ଲକର ବିଭିନ୍ନ ଗାଁରେ ପୁରୁଷମାନଙ୍କର ୨୬ଟି ଓ ମହିଳାମାନଙ୍କର ୫ଟି ଫୁଟବଲ ଟିମ ରହିଛି । ଏହି ଫୁଟବଲ ଟିମ କରିବାର ଉଦ୍ଦେଶ୍ୟ ହେଉଛି ସେମାନେ ନିୟମିତ ଖେଳିବା ସହ, ପରିବାର, ଗାଁ ଓ ନିଜ ସଂପ୍ରଦାୟ ପାଇଁ ସୁନାମ ଆଣିବେ, ସେମାନଙ୍କ ବ୍ୟକ୍ତିତ୍ୱର ବିକାଶ ହେବ ଏବଂ ସମାଜରେ ଏକ ପରିଚୟ ପାଇବେ ।
ଏସବୁ ବାଦ ସଂସ୍ଥା ପକ୍ଷରୁ ଖେଳିବା ପାଇଁ ନେଟ, ଫୁଟବଲ, ବିଭିନ୍ନ ରଂଗର ଜର୍ସି, ଜୋତା ଓ ସର୍ଟସ ଯୋଗାଇ ଦିଆଯାଇଛି । ଖେଳାଳିଙ୍କ ମଧ୍ୟରେ ଉତ୍ସାହ ବଢାଇବା ପାଇଁ ଫୁଟବଲ ଟିମ ଗୁଡିକର ସ୍ୱତନ୍ତ୍ର ନାଁ ଦିଆଯାଇଛି । ମୋରଡା ଟାଇଗରର୍ସ ନାଁ ଥିବା ଟିମର କ୍ୟାପଟେନ ବିଦ୍ୟାଧର ହେମ୍ବ୍ରମ କୁହନ୍ତି, “ଆମେ ସବୁବେଳେ ଫୁଟବଲ ଖେଳିବାକୁ ଭଲପାଉ । କିନ୍ତୁ ଅର୍ଥ ଅଭାବରୁ ଫୁଟବଲ କିଣି ପାରୁନଥିଲୁ ଏଣୁ ଜରି ଓ ଖବରକାଗଜକୁ ଗୁଡେଇ ବଲ କରି ଖେଳୁଥିଲୁ । କିନ୍ତୁ ଏବେ ଫୁଟବଲ ମିଳିବା ପରେ ଆମେ ଭଲ ଭାବେ ଖେଳିପାରୁଛୁ ଓ ଗାଁର ଅନ୍ୟ ଯୁବକମାନେ ମଧ୍ୟ ଆମ ସାଙ୍ଗରେ ସାମିଲ ହେଉଛନ୍ତି । ପୁଣି ନିଜର ଖେଳିବାର ଟେକନିକ ବଢେଇବା ପାଇଁ ସେମାନେ ୟୁଟ୍ୟୁବ ଦେଖି ସେଥିରୁ ଶିଖିବାର ଚେଷ୍ଟା କରୁଛନ୍ତି ।”
ସ୍ୱପ୍ନ ହେଉଛି ପୂରଣ
ବିଦ୍ୟାଧର କୁହନ୍ତି, ଆଗେ ସେମାନେ ଏତେ ଖେଳିବାର ସୁଯୋଗ ପାଉନଥିଲେ କିନ୍ତୁ ଧୀରେ ଧୀରେ ନିଜ ଖେଳିବାର ଶୈଳୀରେ ଉନ୍ନତି ଆଣିବା ପରେ ତାଙ୍କୁ ସୁଯୋଗ ମିଳିଲା ଓ ଗତ କିଛି ବର୍ଷ ମଧ୍ୟରେ ସେମାନେ ଦଳଗତ ଭାବେ ସାଢେ ୩ ଲକ୍ଷ ଟଙ୍କା ରୋଜଗାର କରିପାରିଛନ୍ତି । ଯଦି ରାଜ୍ୟର ଫୁଟବଲ ଏକାଡେମୀରେ ସୁଯୋଗ ପାଆନ୍ତି ତେବେ ସେ ଜଣେ ଭଲ ଖେଳାଳି ହୋଇପାରିବେ ବୋଲି କହିଛନ୍ତି । ମହିଳା ଫୁଟବଲ ଟିମର କ୍ୟାପଟେନ ପାର୍ବତୀ ହାଁସଦା କୁହନ୍ତି, ଆମ ଗାଁରେ ଆଗେ କେବଳ ପୁଅମାନଙ୍କୁ ଫୁଟବଲ ଖେଳିବାର ସୁଯୋଗ ମିଳୁଥିଲା । ସେମାନଙ୍କୁ ଫୁଟବଲ ଖେଳୁଥିବା ଦେଖି ମୋ ମନରେ ବି ଫୁଟବଲ ଖେଳିବା ପ୍ରତି ଇଚ୍ଛା ଜାଗ୍ରତ ହେଲା । ଏହାପରେ ଶିକ୍ଷାସନ୍ଧାନ ପକ୍ଷରୁ ଫୁଟବଲ ଟିମ ଗଠନ ହେବା ପରେ ସେ ଏଥିରେ ସାମିଲ ହୋଇ ଫୁଟବଲ ଖେଳିବା ଆରମ୍ଭ କଲେ । ଏବେ ବାରିପଦା ରେ ଜିଲ୍ଲାସ୍ତରୀୟ ମ୍ୟାଚରେ ଭାଗ ନେଇ ଭଲ ପ୍ରଦର୍ଶନ କରିପାରିଛନ୍ତି । ଆଗକୁ ରାଜ୍ୟ ଓ ଜାତୀୟ ସ୍ତରୀୟ ମ୍ୟାଚରେ ଖେଳିବାର ଲକ୍ଷ୍ୟ ରଖିଛନ୍ତି । ଏହି ଫୁଟବଲ ଟିମ ଗଠନ ହେବା ପରେ ଅନେକ କିଶୋର କିଶୋରୀ ଖେଳ ପ୍ରତି ଆଗ୍ରହୀ ହେବା ସହ ନିଜ ପରିବାର ପାଇଁ ସୁନାମ ଆଣିବାର ସ୍ୱପ୍ନ ଦେଖୁଛନ୍ତି । ସେମିତି ଜଣେ ହେଉଛନ୍ତି ଲୋଧା ଜନଜାତିର ପ୍ରମିଳା ପରମାଣିକ । ଅଷ୍ଟମ ଶ୍ରେଣୀରେ ପଢୁଥିବା ପ୍ରମିଳାଙ୍କର ସ୍ୱପ୍ନ ଭଲ ଖେଳି ରାଜ୍ୟ ପାଇଁ ସୁନାମ ଆଣିବା । ଏହି ସୁନାମ ଆଣିପାରିଲେ ସେ ତାଙ୍କ ଜନଜାତିର ମଧ୍ୟ ସମ୍ମାନ ରଖିପାରିବେ ।

Leave a Reply

Your email address will not be published. Required fields are marked *