ପୁଲିସ ଜବତ କରୁଥିବା ଅପରିଚିତ ମୃତ ବ୍ୟକ୍ତି ହୁଅନ୍ତୁ ଅବା ଜିଆରପି ଟ୍ରେନ ଲାଇନରୁ ଉଦ୍ଧାର ମୃତ ବ୍ୟକ୍ତି କିମ୍ବା ହସପିଟାଲରେ କେହି ଛାଡିଚାଲିଯାଇଥିବା ଅସହାୟ ମୃତବ୍ୟକ୍ତି – ଏସମସ୍ତଙ୍କର ଶେଷକୃତ୍ୟ କରିବାପାଇଁ ସବୁବେଳେ ଆଗେଇ ଆସନ୍ତି ଶ୍ମଶାନବନ୍ଧୁ । ସୁନ୍ଦରଗଡ ସହରରେ ଶ୍ମଶାନ ବନ୍ଧୁ ଭାବେ ପରିଚିତ ଏହି ଚାରିଜଣ କରୋନାର ତିନୋଟି ଯାକ ଲହରରେ ୪୩୫ଜଣ କୋଭିଡ ସଂକ୍ରମିତ ମୃତକଙ୍କ ନିଃଶୁଳ୍କ ଶବ ସତ୍କାର କରିଛନ୍ତି । ଗତ ୨୦ ବର୍ଷ ତଳେ ନିଜ ସାହିରେ ଅନ୍ୟକୁ ସାହାଯ୍ୟ କରିବାକୁ ହାତ ବଢାଇଥିବା ଏହି କାମ ଆଜି ତାଙ୍କୁ ଶ୍ମଶାନବନ୍ଧୁ ପରିଚୟ ଦେବା ସହ ଆତ୍ମସନ୍ତୋଷ ମଧ୍ୟ ଦେଉଛି ।
ଭୁବନେଶ୍ୱର ;
ଗତ କିଛିଦିନ ତଳେ ସୁନ୍ଦରଗଡର କାଂଶବାହାଲ-ରାଜଗାଙ୍ଗପୁର ରେଳଲାଇନ କଡରେ ୭୦ ବର୍ଷ ବୟସ ଜଣେ ମୃତ ବ୍ୟକ୍ତିଙ୍କର ଶବ ମିଳିଲା । ମୃତ ବ୍ୟକ୍ତିଙ୍କର କେହି ଦାବିଦାର ନଆସିବାରୁ ନିୟମ ଅନୁଯାୟୀ ବ୍ୟବଚ୍ଛେଦ ପରେ ୯୬ଘଂଟା ରଖାଯିବା ପରେ ଶବଦାହ କରିବା ଆବଶ୍ୟକ ପଡିଲା ଏବଂ ସବୁଥର ଭଳି ଏଥର ମଧ୍ୟ ଆଗେଇ ଆସିଲେ ସୁନ୍ଦରଗଡ ସହରରେ ଶ୍ମଶାନ ବନ୍ଧୁ ଭାବେ ପରିଚିତ ଚାରି ବନ୍ଧୁ –ସିଦ୍ଧାନ୍ତ ପଣ୍ଡା, ଶିଶିର କୁମାର ବେହେରା, ମନୋଜ ତ୍ରିପାଠୀ ଓ କମଲେଶ ନଥାନୀ । ସେମାନେ ତାଙ୍କ ମହାପ୍ରୟାଣ ଗାଡିଆଣି ରାଣୀବଗିଚା ସ୍ୱର୍ଗଦ୍ୱାର ନେଇ ମୃତକଙ୍କର ଶେଷକୃତ ସଂପନ୍ନ କରିଥିଲେ ।
ଏବେ ନୁହେଁ ଦୀର୍ଘ ୨୦ ବର୍ଷ ହେବ ସେମାନେ ଏମିତି ଶବ ଦାହ କରିଆସୁଛନ୍ତି । ସିଦ୍ଧାନ୍ତ କୁହନ୍ତି, ଆଗେ ଆମ ସାହିରେ କାହାର ମୃତ୍ୟୁ ହୋଇଗଲେ ଆମେ ସାଙ୍ଗସାଥିମାନେ କାନ୍ଧ ଦେବାକୁ ବାହାରି ପଡୁଥିଲୁ । ଏମିତି କରୁ କରୁ ଆଖପାଖରେ କାହାର ମୃତ୍ୟୁ ହେଲେ ଆମକୁ ଡକରା ପଡୁଥିଲା । ପରେ ଆମେ ମିଶି ସହରର ଅଜଣା ବ୍ୟକ୍ତିଙ୍କ ଶବଦାହ କରିବାକୁ ଆଗେଇ ଆସିଲୁ । ଏଥିପାଇଁ ଆମେ ଗୋଟେ ଡବାଧରି ସମସ୍ତଙ୍କୁ ଚାନ୍ଦା ମାଗିବୁ, ହଜାରେ ଦୁଇହଜାର ହୋଇଗଲେ ଶବସତ୍କାର ହୋଇଯାଉଥିଲା । କିନ୍ତୁ ପରେ ସେମାନେ ନିଜ ନିଜ ବ୍ୟବସାୟ ଆରମ୍ଭ କରିବା ପରେ ଆଉ ସାହାଯ୍ୟ ମାଗିଲେନାହିଁ ବରଂ ନିଜ ପାଣ୍ଠିରୁ ଶବ ସତ୍କାର କରିବାକୁ ଲାଗିଲେ ।
କରୋନା ସମୟରେ ଲୋଡା
ତେବେ ସେମାନଙ୍କର ସବୁଠାରୁ ବେଶି ଆବଶ୍ୟକତା ପଡିଲା କରୋନା ସମୟରେ । ସୁନ୍ଦରଗଡ ସହରରେ ଯେତେବେଳେ ପ୍ରଥମ କରୋନା ରେଗୀଙ୍କର ମୃତ୍ୟୁ ହେଲା ତାଙ୍କ ଶବ ସତ୍କାର ପାଇଁ କେହି ଆଗଭର ହେଲେ ନାହିଁ । ଶେଷରେ ପ୍ରଶାସନ ପକ୍ଷରୁ ଏହି ଚାରି ବନ୍ଧୁଙ୍କୁ ଖୋଜା ପଡିଲା । ସେମାନେ ମନ ଭିତରେ େକୌଣସି ପ୍ରକାରର ଭୟ ନରଖି ଆଗେଇ ଆସିଲେ । ସିଦ୍ଧାନ୍ତ କୁହନ୍ତି, ମୋ ମା କହୁଥିଲେ, ଶ୍ମଶାନେ ଯେ ସା ବାନ୍ଧବାଃ – ଅର୍ଥାତ ଯିଏ ଶ୍ମଶାନକୁ ଯିବାବେଳେ ସାଙ୍ଗରେ ଠିଆ ହୁଏ ସେ ହିଁ ପ୍ରକୃତ ବନ୍ଧୁ । ଏଣୁ କରୋନା ସମୟରେ ଯେଉଁଠି ଅନେକ ପରିବାର, ବନ୍ଧୁ ପରିଜନ ପଛଘୁଂଚା ଦେଉଥିଲେ ସେଠି ଏମାନେ ଶବଦାହ କରିବାକୁ ଆଗେଇ ଆସିଥିଲେ । ସେ ସମୟର ସ୍ମୃତିକୁ ମନେପକେଇ ସିଦ୍ଧାନ୍ତ କୁହନ୍ତି, ଆମର ଭୟ ନଥିଲା କିନ୍ତୁ ପରିବାର ଲୋକ ବିଶେଷକରି ବୟସ୍କ ଓ ଛୋଟ ପିଲାଙ୍କ ପାଇଁ ଟିକେ ବ୍ୟସ୍ତ ହେଉଥିଲୁ ଏଣୁ ସୁରକ୍ଷିତ ରହିବାର ସବୁପ୍ରକାରର ପଦକ୍ଷେପ ନେଉଥିଲୁ । ତେବେ ସବୁଠାରୁ କଷ୍ଟ ହେଉଥିଲା ଯେତେବେଳେ ୪୫ ଡିଗ୍ରୀ ଖରାରେ ଆମେ ଘଂଟା ଘଂଟା ପିପିଇ କିଟ ପିନ୍ଧି ଶବ ସତ୍କାର କରୁଥିଲୁ । ଦିନକୁ ୧୦ରୁ ୧୨ଜଣଙ୍କର ଶବ ପୋଡା ହେଉଥିଲା ଏବଂ ନିଆଁ ଆଗରେ ଏତେ ସମୟ ଠିଆ ହୋଇ ଶବଦାହ କରୁଥିବା ବେଳେ ଅନେକ ସମୟରେ ବେହୋସ ହୋଇଯିବା ଭଳି ଲାଗୁଥିଲା ତଥାପି ଆମେ ଆମ କାମ ନିଷ୍ଠାର ସହ କରୁଥିଲୁ । ଏହି ଶ୍ମଶାନ ବନ୍ଧୁ ଟିମ କରୋନାର ତିନୋଟି ଯାକ ଲହରରେ ୪୩୫ଜଣ କୋଭିଡ ସଂକ୍ରମିତ ମୃତକଙ୍କ ନିଃଶୁଳ୍କ ଶବ ସଂସ୍କାର କରିଛନ୍ତି ।
ଶ୍ମଶାନ ବନ୍ଧୁ ଟିମର ଅନ୍ୟଜଣେ ସଦସ୍ୟ ଶିଶିର କୁମାର ବେହେରା କୁହନ୍ତି, କରୋନାର ଦ୍ୱିତୀୟ ଲହରରେ ଆମେ ଦେଖିଛୁ କିପରି ବାପାମା ମାନେ ଯେତେବେଳେ କୋଭିଡ ସଂକ୍ରମିତ ହୋଇ ମୃତ୍ୟୁବରଣ କଲେ ସେମାନଙ୍କ ପିଲାମାନେ ତାଙ୍କ ଶବଦାହ କରିବାକୁ ମଧ୍ୟ ଆସିଲେନାହିଁ । ଆମେ ଅନେକ ଥର ଫୋନକରିଛୁ କନ୍ତୁ କେହି ନଆସିବାରୁ ଆମେ ବାଧ୍ୟ ହୋଇ ସେମାନଙ୍କ ଶବଦାହ କରି ଛୋଟ ଛୋଟ କଳସରେ ସେମାନଙ୍କ ନାଁ ଓ ମୋବାଇଲ ନମ୍ବର ଲେଖି ଅସ୍ଥି ରଖିଥିଲୁ । ପ୍ରାୟ ୫୬ଜଣଙ୍କର ଅସ୍ଥି ଏହିଭଳି ଆମପାଖରେ ଅନେକ ଦିନ ଯାଏଁ ସଂରକ୍ଷିତ ହୋଇରହିଥିଲା । ଶେଷରେ ଅନେକ ମାସ ପରେ ଯେବେ କେହି ନେବାକୁ ଆସିଲେ ନାହିଁ ଆମେ ସମସ୍ତେ ମିଶି ବନାରସ ଯାଇ ସେମାନଙ୍କର ସମୁହ ଅସ୍ଥି ବିସର୍ଜନ କରିଥିଲୁ ।
ଅସହାୟଙ୍କ ପାଇଁ ଦରଦ
ଏସବୁ ବାଦ ଜିଲ୍ଲାର ବିଭିନ୍ନ ବୃଦ୍ଧାଶ୍ରମରେ ରହିଆସୁଥିବା ଅନ୍ତେବାସୀଙ୍କ ସହ ଆସ୍ଥାଗୃହରେ ରହୁଥିବା ମାନସିକ ଅନଗ୍ରସର ମହିଳାମାନଙ୍କର ପରଲୋକ ଘଟିଲେ ତଥା ପୁଲିସ ଜବତ କରୁଥିବା ଅପରିଚିତ ମୃତ ବ୍ୟକ୍ତି , ଜିଆରପି ଟ୍ରେନ ଲାଇନରୁ ଉଦ୍ଧାର ମୃତ ବ୍ୟକ୍ତି କିମ୍ବା ହସପିଟାଲରେ କେହି ଛାଡିଚାଲିଯାଇଥିବା ଅସହାୟ ମୃତବ୍ୟକ୍ତି ଙ୍କର ଶେଷକୃତ୍ୟ ଏହି ଟିମ ବର୍ଷ ବର୍ଷ ଧରି ସମ୍ମାନର ସହ କରିଆସୁଛି । ସେମାନଙ୍କର ଏହି କାର୍ଯ୍ୟକୁ ଜିଲ୍ଲା ପ୍ରଶାସନ ସବୁବେଳେ ପ୍ରଶଂସା କରିଆସିଛନ୍ତି । ଏପରିକି ଅନେକ ସମୟରେ ସେମାନଙ୍କ ମନୋବଳ ବଢାଇବା ପାଇଁ ସ୍ୱର୍ଗଦ୍ୱାର ଶ୍ମଶାନଘାଟକୁ ଜିଲ୍ଲା ପରିଷଦ ଅଧ୍ୟକ୍ଷା କୁନ୍ତି ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ ଅଭିମନ୍ୟୁ ବେହେରା, ଉପଖଣ୍ଡ ପୁଲିସ ଅଧିକାରୀ ହିମାଂଶୁ ଶେଖର ବେହେରାଙ୍କ ସମେତ ଟାଉନଥାନା ଅଧିକାରୀ ଯିବା ସହ ଉପସ୍ଥିତ ରହିଥାଆନ୍ତି । ତେବେ ଏସବୁ ଶବଦାହ କାର୍ଯ୍ୟ ପାଇଁ ଅର୍ଥ କୁଆଡୁ ଯୋଗାଡ କରନ୍ତି ବୋଲି ପଚାରିବାରେ ସେମାନେ କହିଥିଲେ, ସମାଜରେ ଅନେକ ସହୃଦୟ ବ୍ୟକ୍ତି ଅଛନ୍ତି ଯେଉଁମାନେ କି ଆମକୁ ବିଭିନ୍ନ ସମୟରେ ସାହାଯ୍ୟ କରିଛନ୍ତି । କିଏ ଜାଳିବା ପାଇଁ କାଠ, ପୁଣି କିଏ ଘିଅ, ଓ ଅନ୍ୟାନ୍ୟ ସରଞାମ ପଠାଇଦିଅନ୍ତି ଯାହାକି ଶବଦାହ କାମ ପାଇଁ ଅନେକ ସାହାଯ୍ୟ ହୁଏ । ତେବେ କେହି କେବେ ସେମାନଙ୍କ କାମକୁ ନାପସନ୍ଦ କରିଛନ୍ତି କି ପଚାରିବାରେ ସିଦ୍ଧାନ୍ତ କୁହନ୍ତି, କିଛି କୁହନ୍ତି ଯେ ବ୍ରାହ୍ମଣ ହୋଇ କିପରି ଶବଦାହ କରୁଛ , କାରଣ ଏହା ସାଧାରଣତଃ ତଳଜାତିର ଲୋକ କରିବା ଦେଖାଯାଇଥାଏ କିନ୍ତୁ ମୋ ସ୍ତ୍ରୀ, ପିଲାମାନେ ଓ ପରିବାରର ପ୍ରତିଟି ସଦସ୍ୟ ଆମ କାମକୁ ନେଇ ଗର୍ବ କରୁଥିବାରୁ ଆମେ ଖୁସିରେ ଏ କାମ କରୁ । କହିବାକୁ ଗଲେ ଆମକୁ ଏକାମରେ ଆତ୍ମସନ୍ତୋଷ ମିଳେ ।