ଭୁବନେଶ୍ୱର : କୃଷ୍ଣ ନାମ ଡାକି ଆମର ଦିନ ଆରମ୍ଭ ଓ ଶେଷ ହୁଏ । ତାରି ଭିତରେ କିଛି ଦୁଃଖ ସୁଖ ବି ଚାଲେ – ଏମିତି କିଛି କୁହନ୍ତି ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଆସି ପୁରୁଣା ଭୁବନେଶ୍ୱରର ଏକ ଧର୍ମଶାଳାରେ ଏକାଠି ହୋଇଥିବା ବିଧବା ମାନେ । ସେମାନେ ପ୍ରତିବର୍ଷ ଏଇ ଧର୍ମଶାଳାକୁ ଆସନ୍ତି, ଏକାଠି ହୁଅନ୍ତି ରାଈଦାମୋଦର ବ୍ରତ ପାଳନ କରନ୍ତି ଆଉ ବ୍ରତ ଶେଷ ହେବା ପରେ ନିଜ ନିଜ ଘରକୁ ଫେରିଯାଆନ୍ତି । କିନ୍ତୁ ଏଇ ଗୋଟିଏ ମାସ ଘର ଜଞ୍ଜାଳରୁ ଦୂରରେ ରହି ନିଜର ସବୁ ଦୁଃଖ ଓ ସମସ୍ୟାକୁ ଭୁଲି ସେମାନେ ଜୀବନକୁ ପୁଣିଥରେ ଜୀଇଁବାକୁ ଚେଷ୍ଟା କରନ୍ତି । କେନ୍ଦ୍ରାପଡାରୁ ପ୍ରତିବର୍ଷ ଏଠାକୁ ଆସୁଥିବା ଶାନ୍ତିରାଣୀ ଦାସ କୁହନ୍ତି, ଏଠି ଆସିଲେ ଆମକୁ ଆନନ୍ଦ ମିଳେ । ଲାଗେ ଯେମିତି ଆମେ ପୁଣିଥରେ ନିଜ ପିଲାବେଳର ଜୀବନକୁ ଜୀଇଁବାକୁ ଚେଷ୍ଟା କରୁଛୁ । ମାସକ ଯାକ ସାଙ୍ଗସାଥୀଙ୍କ ମେଳରେ କେମିତି ସମୟ କଟିଯାଏ ଜଣାପଡେ ନାହିଁ ।
କୃଷ୍ଣଲୀଳାରେ ନିମଗ୍ନ ହୋଇଯାଆନ୍ତି
ମାସ ଆରମ୍ଭ ବେଳକୁ ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର ଓ ପୁରୀର ଶ୍ରୀ ଜଗନ୍ନାଥ ମନ୍ଦିର ପାଖରେ ଥିବା ଧର୍ମଶାଳାରେ ବିଧବା ମହିଳାଙ୍କ ଭିଡ ଜମେ । ଗତ କିଛି ବର୍ଷ ହେବ ପୁରୀରେ ସରକାରଙ୍କ ପକ୍ଷରୁ ମାଗଣା ରହିବା ଓ ଖାଇବା ବ୍ୟବସ୍ଥା ହେବା ପରେ ଅନେକେ ଏବେ ସେଠାକୁ ଯାଉଛନ୍ତି । କିନ୍ତୁ ଯେଉଁମାନେ ଭୁବନେଶ୍ୱରରେ ଥିବା ଏହି ଧର୍ମଶାଳାକୁ ଆସନ୍ତି ସେମାନେ ଏଠାକୁ ନିୟମିତ ଆସୁଛନ୍ତି । ଯାଜପୁରରୁ ପ୍ରତିବର୍ଷ ଏଠାକୁ ଆସୁଥିବା ବିଦୁଲତା ଦାଶ କୁହନ୍ତି, ସେ ପ୍ରାୟ ୨୦ ବର୍ଷ ଧରି ଏହି ଧର୍ମଶାଳାକୁ କାର୍ତ୍ତିକ ବ୍ରତ ପାଳନ କରିବାକୁ ଆସୁଛନ୍ତି । ସେ କୁହନ୍ତି, ଏଠି ଆସିବା ପରେ ଯେପରି ଘରର ମୋହ ଭାଙ୍ଗିଯାଏ ଦିନ ରାତି ଆମେ କୃଷ୍ଣଲୀଳାରେ ନିଜକୁ ନିମଜ୍ଜିତ କରିଦେଉ । ଆମ ଭିତରୁ ଜଣେ କୃଷ୍ଣ ଓ ଜଣେ ରାଧା ଆଉ ଅନ୍ୟମାନେ ଗୋପି ହୋଇ ଲୀଳା ଖେଳା କରନ୍ତି । ଭଜନ ଗାଇବା, ସନ୍ଧ୍ୟାରେ ଭାଗବତ ପାଠ କରିବା ଭିତରେ ପୁଣି ଗପସପ ବି ଚାଲେ । ଘରେ କାହା ପାଖରେ ଆମ ପାଇଁ ସମୟ ନାହିଁ । ସମସ୍ତେ ଭାବନ୍ତି ଏ ବିଧବାଙ୍କ ପାଖରେ କଣ ବସିବ ତାଙ୍କ ପାଖରେ କଣ ଗପସପ କରିବ ସେଇଥିପାଇଁ ଏଠାକୁ ଆସିଲେ ଆମେ ଗପର ପେଡି ଖୋଲି ଦେଉ ମନ ଖୁସିରେ କଥା ହେଉ, ମଜା କରୁ ଆଉ କୃଷ୍ଣଙ୍କ ନାମ ଜପ କରୁ ।
ଘରୁ ବାହାରି ମାସଟିଏ ଏହି ଧର୍ମଶାଳାରେ ରହିବା ତାଙ୍କ ପାଇଁ ଏତେ ସହଜ ନଥାଏ । ଘରର ସବୁ ସଦସ୍ୟଙ୍କୁ ବୁଝେଇବା ପରେ ପିଲାମାନଙ୍କଠୁ ହାତଖର୍ଚ୍ଚ ନେଇ ଏଠାକୁ ଆସନ୍ତି । ପିଲାମାନେ ଯାହା ଦେଲେ ଆମେ ସେତିକି ଧରି ଆସୁ, ପୁଣି କେହି କେହି ବର୍ଷକଯାକ ସଂଚୟ କରିଥାଆନ୍ତି ଏଠାକୁ ଆସିବେ ଆଉ ନିଜ ଆବଶ୍ୟକ ମୁତାବକ ଖର୍ଚ୍ଚ କରିବେ । ଯାହାର ପେନସନ ଥାଏ ତାଙ୍କପାଇଁ ଟିକେ ସହଜ ହୋଇଯାଏ । ଢେଙ୍କାନାଳରୁ ଆସିଥିବା ମନୋରମା ଧୀର କୁହନ୍ତି, ଆମେ ତ ଆସି ପାରୁଛୁ, ଅନେକ ମହିଳା ଆସିପାରନ୍ତି ନାହିଁ ବିଧବା ଭତାକୁ ଛାଡିଦେଲେ ଆମହାତରେ ଆଉ ପଇସା କାହିଁ ଆମର ତ କିଛି ଆୟ ନାହିଁ ତେଣୁ ଅନେକ ମହିଳା ଇଚ୍ଛା ଥାଇ ବି ଏଠାକୁ ଆସି ପାରନ୍ତି ନାହିଁ । ଏଠି ଆସିବାର ମୁଖ୍ୟ କାରଣ ହେଉଛି, ଏକ ମନ, ଧ୍ୟାନ ଓ ଚିତରେ ଭଗବାନଙ୍କ ନାମ ନେବା । ଘରେ ପୂଜା ଟିକେ କରିବସିଲେ କେତେବେଳେ ପୁଅ ବୋହୁ ତ ପୁଣି କେତେବେଳେ ନାତିନାତୁଣି ଡାକି ବସନ୍ତି, ପୂଜା ଅଧାରେ ଛାଡି ସେମାନଙ୍କ କଥା ବୁଝିବାକୁ ପଡେ । କିନ୍ତୁ ଏଠି ଆଉ କେହି ଡାକିବାର ନାହିଁ ସଂପୂର୍ଣ ଭାବେ ମନୋନିବେଶ କରି ଆମେ ଠାକୁରଙ୍କ ଆରାଧନା କରୁ ।
ସାଙ୍ଗସାଥୀ ମେଳରେ ଗପସପ ବି ଚାଲେ
ଏଠିକାର ଦିନଚର୍ଯ୍ୟା ବି ଘର ତୁଳନାରେ ସଂପୂର୍ଣ ଅଲଗା । ସେମାନେ ବଡି ଭୋରରୁ ଉଠି ଚଉରା ମୂଳେ ଆରମ୍ଭ କରନ୍ତି ରାଈ ଦାମୋଦର ପୂଜା ତାପରେ ସବୁ ମନ୍ଦିର ଯାଇ ଠାକୁରଙ୍କ ଦର୍ଶନ କରିବା ପରେ ବସି ପଡନ୍ତି ଭାଗବତ ପାଠ ଶୁଣିବାକୁ । ସେମାନଙ୍କ ଭିତରେ ଯିଏ ଟିକେ ଭଲ ପାଠ କରିପାରେ ସେ ହିଁ ଭାଗବତ ପାଠ କରେ ଆଉ ଅନ୍ୟମାନେ ଘେରି ବସି ଶ୍ରଦ୍ଧାରେ ଶୁଣନ୍ତି । ପାଖରେ ଥିବା ଅନନ୍ତ ବାସୁଦେବ ମନ୍ଦିରରୁ ଭୋଗ ଆସିଗଲେ ପୁଣି ମିଳିମିଶି ଖାଇ ଆରମ୍ଭ ହୋଇଯାଏ ଟିକେ ଦୁଃଖସୁଖ ହେବା । କିଏ ପାନ ଖଣ୍ଡେ ଭାଙ୍ଗି ବଢେଇ ଦିଏ ତ ପୁଣି କିଏ ଘରୁ ଆଣିଥିବା ଚୁଡା ଭଜା ଅବା ଖୁଡୁମ୍ବ ବଢେଇଦିଏ ।
ଆଉ ସନ୍ଧ୍ୟା ହେଲେ ଚାଲେ କୃଷ୍ଣ ଲୀଳା । ବସନ୍ତମଞରୀ କୁହନ୍ତି, ଆମ ଭିତରେ ଜଣେ କୃଷ୍ଣ ହୁଅନ୍ତି ସେ ବଇଁଶୀ ବଜାଇ ବିଭିନ୍ନ ଲୀଳା ଖେଳା କରନ୍ତି ଆଉ ଆମେ ସବୁ ଗୋପୀ ହୋଇ ସେଇ ଲୀଳାରେ ନିଜକୁ ନିମଜ୍ଜିତ କରିଦେଉ । କୃଷ୍ଣ ଗୀତ ଭଜନ ବୋଲି ଖୁସିରେ ନାଚ କରୁ । ଏଇ ମାସଟା ଏମିତି ଲୀଳା ଖେଳା କରି, ନାଚଗୀତ, ଗପସପ କରି ସୁଖଦଃଖରେ କେମିତି ସମୟ କଟିଯାଏ ଜଣା ପଡେ ନାହିଁ ଆଉ ତା ପରେ ଆସିଯାଏ ଘରକୁ ଫେରିବା ସମୟ । ସେଇ ବେଳଟା ସବୁଠାରୁ ଦୁଃଖ ଦାୟକ । କେହି କାହାକୁ ଛାଡି ଯିବାକୁ ଇଚ୍ଛା ହୁଏନାହିଁ ସମସ୍ତେ କାନ୍ଦୁଥାଆନ୍ତି । କାରଣ ଆମେ ଜାଣିନୁ ଆରବର୍ଷକୁ ଦେଖାହେବ କି ନାହିଁ ।
ଏଠୁ ଯିବା ପରେ ସେମାନେ ନିଜ ନିଜ ଭିତରେ ସଂପର୍କ ରଖନ୍ତି । ଆଗେ ଚିଠିପତ୍ରର ଆଦାନ ପ୍ରଦାନ ହେଉଥିଲା ହେଲେ ଯେବେଠାରୁ ମୋବାଇଲ ଆସିଛି ସେମାନେ ଏଠୁ ଯିବା ପରେ ମଧ୍ୟ ଫୋନରେ ସଂପର୍କ ରଖିବାକୁ ଚେଷ୍ଟା କରୁଛନ୍ତି । ବିଦୁଲତା କୁହନ୍ତି, ସମସ୍ତଙ୍କ ଭଳି ଆମର ମଧ୍ୟ ଇଚ୍ଛା ହୁଏ ମଝିରେ ମଝିରେ କଥା ହେବାକୁ କିନ୍ତୁ ଥରେ ଘର ଜଞାଳରେ ପଶିଗଲେ ଆଉ ସମୟ ମିଳେନା । ପୁଣି ଅପେକ୍ଷା ରୁହେ ଆରବର୍ଷକୁ ବଂଚିଥିଲେ ପୁଣି ସାଙ୍ଗସାଥୀଙ୍କ ସହ ଦେଖାହେବ ।