ରାଜ୍ୟ ମତ୍ସ୍ୟ ଓ ପଶୁସମ୍ପଦ ବିଭାଗ ୨୦୧୮ରେ ପ୍ରଥମେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ସହାୟତାରେ ପଂଚାୟତ ପୋଖରୀରେ ମାଛ ଚାଷ କରିବାକୁ ପ୍ରୋତ୍ସାହନ ଦେବା ଆରମ୍ଭ କଲା । ଉଦ୍ଦେଶ୍ୟ ଥିଲା ବୈଜ୍ଞାନିକ ପଦ୍ଧତିରେ ଲୋପ ପାଇଯାଉଥିବା ମାଛ ପ୍ରଜାତିର ଉଦ୍ଧାର କରିବା ସହ ଏହା କିପରି ପୁଷ୍ଟିକର ଖାଦ୍ୟ ନିରାପତାରେ ସାମିଲ ହେବ ସେ ଦିଗରେ ପ୍ରୟାସ ଆରମ୍ଭ କରିବା । ମହୁରାଳି ଓ ଏସ୍ଆଇଏସ୍ ଭଳି ପ୍ରଜାତିର ମାଛଙ୍କ ସଂଖ୍ୟାକୁ ପୁଣିଥରେ ବଢ଼ାଇବା ପାଇଁ ଏବେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ମା’ମାନଙ୍କୁ ନିୟୋଜିତ କରି ମାଛ ଚାଷକୁ ପ୍ରୋତ୍ସାହିତ କରାଯିବା ପ୍ରକ୍ରିୟା ଆରମ୍ଭ ହୋଇଛି । ବିଶେଷ କରି ମହୁରାଳି ଓ ଏସ୍ଆଇଏସ୍ ପ୍ରଜାତିର ଚୂନାମାଛର ସଂଖ୍ୟା ବଢ଼ାଇବା ସହ ଏବେ ସେମାନେ ଦି ପଇସା ରୋଜଗାର ମଧ୍ୟ କରି ପାରୁଛନ୍ତି ।
ଭୁବନେଶ୍ୱର ;
ବଦଳୁଥିବା ଜଳବାୟୂ କେବଳ ଚାଷକୁ ପ୍ରଭାବିତ କରୁନି ବରଂ ଗଛ ଲତା, ଜଳଚର ଜୀବମାନଙ୍କ ସଂଖ୍ୟା ବି ଏହା ଦ୍ୱାରା ପ୍ରଭାବିତ ହେଉଛି । ଗତ ଦଶନ୍ଧି ପୂର୍ବେ ଓଡିଶାର ଖାଦ୍ୟ ତାଲିକାରେ ମହୁରାଳି ମାଛ ପ୍ରମୁଖ ସ୍ଥାନ ଅଧିକାର କରିଥବା ବେଳେ ଏବେ ଏମାନଙ୍କ ସଂଖ୍ୟା ଧୀରେ ଧୀରେ କମିବାରେ ଲାଗିଛି । ବଦଳୁଥିବା ସମୟ, ପ୍ରଦୂଷଣ, ବହୁଳ ମାତ୍ରାରେ ସାରର ପ୍ରୟୋଗ ଓ ଜଳବାୟୂ ପରିବର୍ତନ ଯୋଗୁଁ ଏମାନଙ୍କ ସଂଖ୍ୟା କମିବାରେ ଲାଗିଛି ବୋଲି ବିଶେଷଜ୍ଞମାନେ କହିଛନ୍ତି । ମହୁରାଳୀ ଓ ଅନ୍ୟାନ୍ୟ ପ୍ରଜାତିର ମାଛକୁ ପୁଣି ବଢାଇବା ପାଇଁ ଏବେ ରାଜ୍ୟ ମତ୍ସ୍ୟ ଓ ପଶୁସମ୍ପଦ ବିଭାଗ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ପ୍ରୋତ୍ସାହିତ କରୁଛି । ଏବଂ ମୟୂରଭଞ୍ଜ ଜିଲ୍ଲା ବଡସାହି ଗାଁର ମାରାପୁର ଗ୍ରାମପଂଚାୟର ମହିଳାମାନେ ଏ ଦିଗରେ ସ୍ୱତନ୍ତ୍ର ଭାବେ ନିଜର ପରିଚୟ ସୃଷ୍ଟି କରିପାରିଛନ୍ତି । ୨୦୧୯ ମସିହାରେ ଗାଁର ମହିଳା ସ୍ୱୟଂ ସହାୟକ ଦଳର ୧୨ ଜଣ ସଦସ୍ୟ ମିଳିତ ଭାବେ ସରକାରଙ୍କ ପ୍ରୋତ୍ସାହନରେ ପଲିକଲଚର ମତ୍ସ୍ୟଚାଷ କରି ଏବେ ଆଖପାଖ ଅଂଚଳକୁ ପୁଷ୍ଟିକର ଖାଦ୍ୟ ଯୋଗାଇବାରେ ସଫଳ ହୋଇ ପାରିଛନ୍ତି ।
ଗାଁ ପୋଖରୀ ଏବେ ଅର୍ଥ ଉପାର୍ଜନର ଉତ୍ସ
ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ଅଷ୍ଟମୀ କିଲାର କହନ୍ତି ଆମେ ୨୦୧୯ ମସିହାରେ ଗାଁ ପଂଚାୟତର ପୋଖରୀକୁ ଲିଜ୍ ନେଇ ମାଛ ଚାଷ କରିବା ଆରମ୍ଭ କଲୁ । ପ୍ରଥମ କରି ଆମେ ମହୁରାଳି ମାଛ ଚାଷ କଲୁ । ଆମ ପାଇଁ ମଧୁର ଜଳରେ ଚାଷ ହେଉଥିବା ଏହି ମାଛ ବେଶ ଲାଭଦାୟୀ ସାବ୍ୟସ୍ତ ହେଲା । ପୂର୍ବରୁ ଗାଁର ମହିଳାମାନେ କେବଳ ପୋଖରୀରେ ମାଛ ବଢ଼ାଇବା ଓ ମାଛ ବିକ୍ରି କରିବାରେ ଆଗ୍ରହ ଦେଖାଉଥିବା ବେଳେ ଏବେ ସେମାନେ ପୋଖରୀକୁ ପରିଚାଳନା କରିବାରେ ଦୃଷ୍ଟି ଦେଉଛନ୍ତି ।
ଗାଁର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ ୫ ଏକର ପୋଖରୀକୁ ଆଠବର୍ଷ ପୂର୍ବରୁ ଲିଜ୍ ଆକାରରେ ନେଇଥିଲେ । ପୁଣି ୨୦୧୯ରେ ସେମାନେ ତାଙ୍କର ଲିଜ୍କୁ ପୁଣିଥରେ ଆସନ୍ତା ୫ ବର୍ଷ ପାଇଁ ବୃଦ୍ଧି କରିଛନ୍ତି । ଯେଉଁଥିରେ ସେମାନେ ମହୁରାଳି ବ୍ୟତୀତ ସିସ୍ କିସମର ମାଛ ଚାଷ ଆରମ୍ଭ କରିଛନ୍ତି । ଏହି କାର୍ଯ୍ୟକ୍ରମ ଦ୍ୱାରା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ପ୍ରତିଟି ମହିଳା ନିଜର ବାର୍ଷିକ ଆୟରେ ଆଉ ୧୦ ହଜାର ଟଙ୍କା ଅଧିକ ଯୋଡି ପାରିଛନ୍ତି । ୨୦୧୫ ମତ୍ସ୍ୟନୀତି ଅନୁସାରେ ସରକାର ସାରା ରାଜ୍ୟରେ ମତ୍ସ୍ୟ ଉତ୍ପାଦନ ବୃଦ୍ଧି ପାଇଁ ଅବ୍ୟବହୃତ ଗ୍ରାମପଂଚାୟତ ପୋଖରୀରେ ମାଛ ଚାଷ କରିବାକୁ ପ୍ରୋତ୍ସାହିତ କରିବା ଆରମ୍ଭ କରିଛନ୍ତି । ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ, ମହିଳା ଓ ଶିଶୁ ବିକାଶ ବିଭାଗ ଓ ମିଶନ ଶକ୍ତି, ଏଫ୍ଏଆର୍ଡି ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନଙ୍କ ମଧ୍ୟରେ ଯାବତୀୟ ବୁଝାମଣା ପରେ ଏଠାରେ ମାଛଚାଷ ଓ ମାଛ ପ୍ରଜନନ କରିବାକୁ ପ୍ରୋତ୍ସାହନ ଦିଆଯାଇଥିଲା । ପରେ ୨୦୧୮ରେ ରାଜ୍ୟ ସରକାର ସମସ୍ତ ୩୦ଟି ଜିଲ୍ଲାର ଗ୍ରାମପଂଚାୟତ ପୋଖରୀ ଗୁଡିକରେ ମାଛ ଚାଷ କରିବାକୁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନଙ୍କୁ ଲିଜ୍ ଦେବା ପ୍ରକ୍ରିୟା ଆରମ୍ଭ କଲେ । ବର୍ତମାନ ରାଜ୍ୟର ସମୁଦାୟ ୭ହଜାର ୯୬୦ ଟି ଗ୍ରାମପଂଚାୟତ ପୋଖରୀର ୬୭୪୨.୩୬ ହେକ୍ଟର ଅଂଚଳରେ ମାଛ ଚାଷ କରାଯାଉଛି । ଏଥିପାଇଁ ୭ହଜାର ୮୨୯ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ନିୟୋଜିତ କରାଯାଇଛି । ବର୍ତମାନ ରାଜ୍ୟରେ ୬ ଲକ୍ଷ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଥିବା ବେଳେ ସେଥିରେ ୭ ଲକ୍ଷରୁ ଅଧିକ ସଦସ୍ୟ ଅଛନ୍ତି ।
ନୂଆ ଫିସିଂ ମେକାନିଜିମ
ମହିଳାଙ୍କୁ ଆକୃଷ୍ଟ କରୁଛି ନୂଆ କରି ଆରମ୍ଭ ହୋଇଥିବା ଫିସିଂ ମେକାନିଜିମ୍ । ପ୍ରତି ହେକ୍ଟର ପାଇଁ ମାଛ ଚାଷ କରିବାକୁ ସମୁଦାୟ ଦେଢ଼ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ୬୦% ସବ୍ସିଡି ଆକାରରେ ଜଣେ ମହିଳାଙ୍କୁ ୯୦ ହଜାର ଟଙ୍କା ମିଳୁଛି । ଯାହାକି ଏବେ ଅଧିକାଂଶ ମହିଳା ଚାଷୀଙ୍କୁ ଆକୃଷ୍ଟ କରୁଛି । ୨୦୨୧-୨୨ ଆର୍ଥିକ ବର୍ଷରେ କେବଳ ଗ୍ରାମପଂଚାୟତ ପୋଖରୀରୁ ସମୁଦାୟ ୨୯.୦୭ କୋଟି ଟଙ୍କା ରାଜସ୍ୱ ଆଦାୟ ହୋଇଥିଲା । ଯାହାକି ଚଳିତ ବର୍ଷ ଆହୁରି ବଢ଼ିବ ବୋଲି ବିଭାଗ ଆଶା କରୁଛି । ଏହି ବ୍ୟବସାୟରେ ବିପଦ କମ୍ ଓ ଲାଭ ଅଧିକ ଥିବାରୁ ଏହାକୁ କରିବାରେ ଅଧିକାଂଶ ମହିଳା ଉଦ୍ୟୋଗୀ ଆଗ୍ରହ ଦେଖାଉଛନ୍ତି ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।
ଏ ବାବଦରେ ରାଜ୍ୟ ସରକାରଙ୍କ ମତ୍ସ୍ୟ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଦେବନନ୍ଦ ଭଞ୍ଜ କହିଛନ୍ତି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ମାଛ ଚାଷ ଏବେ ଏକ ନୂଆ ଟ୍ରେଣ୍ଡ । ଏଥିପାଇଁ ଆମେ ମହିଳା ମତ୍ସ୍ୟ ଚାଷୀମାନଙ୍କୁ ବୈଜ୍ଞାନିକ ଜ୍ଞାନ କୌଶଳ ଆଧାରରେ ତାଲିମ ଦେଉଛୁ । ଏଥିରୁ ସେମାନେ କିପରି ନିଜର ଜୀବନ ଜୀବିକାକୁ ସୁନିଶ୍ଚିତ କରିବେ ସେଥିପାଇଁ ସେମାନଙ୍କୁ ଅଭିଜ୍ଞ ବିଶେଷଜ୍ଞମାନଙ୍କ ଦ୍ୱାରା ତାଲିମ ପ୍ରଦାନ କରାଯାଉଛି । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରତିଟି ଗ୍ରାମପଂଚାୟତ ପୋଖରୀରେ ହାରାହାରି ମାଛ ଉତ୍ପାଦନ ୨୫୦୦ କିଲୋଗ୍ରାମ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ବେଳେ ଏହାକୁ ବଜାରରେ ୧୭୦ ଟଙ୍କା କିଲୋଗ୍ରାମ ପ୍ରତି ବିକ୍ରି କରାଯିବାର ଲକ୍ଷ୍ୟ ରଖାଯାଇଥିଲା । କହିବାକୁ ଗଲେ ଏହା ଏକ ପରିବର୍ତନଶୀଳ ପ୍ରକ୍ରିୟା ଯେଉଁଥିରେ ମହିଳାମାନେ ହେଲେ ପ୍ରାଥମିକ ଅଂଶୀଦାର । ଏହା ମହିଳାମାନଙ୍କୁ ଆୟ ବୃଦ୍ଧି କରିବାରେ ସାହାଯ୍ୟ କରିବାଠାରୁ ଆରମ୍ଭ କରି ସାମାଜିକ ଅର୍ଥନୈତିକ ସଶକ୍ତିକରଣ ଦିଗରେ ସାହାଯ୍ୟ କରୁଛି । ତାଛଡା ବଜାରରେ ତାଜା ଓ ପୁଷ୍ଟିକର ମାଛର ଆବଶ୍ୟକତାକୁ ବି କମାଇବାରେ ସାହାଯ୍ୟ କରିପାରୁଛି ।
ମାଙ୍କିଡିଆ ଗାଁର ସନ୍ଧ୍ୟାରାଣୀ ବିଶ୍ୱାଳ କହନ୍ତି ଏହି ମାଛ ପୁଷ୍ଟିକର ଖାଦ୍ୟର ଏକ ପ୍ରମୁଖ ଉତ୍ସ । ଆମ ପିଲାମାନେ ଏହାକୁ କିପରି ନିୟମିତ ଭାବେ ଘରେ ଖାଇବେ ସେଥିପାଇଁ ଆମେ ଚେଷ୍ଟା କରୁଛୁ । ବର୍ତମାନ ଆମେ ଏହାର ପ୍ରକ୍ରିୟାକରଣ କରିବାକୁ ପ୍ରୟାସ କରୁଛୁ । ନିଜର ତଥା ପାଖ ଅଙ୍ଗନୱାଡି କେନ୍ଦ୍ରରେ ମଧ୍ୟାହ୍ନଭୋଜନରେ ଏହା କିପରି ସାମିଲ ହେବ ତାହା ଆମର ଲକ୍ଷ୍ୟ ।