ରାଜ୍ୟରେ ବଢୁଛି ଅର୍କିଡ୍ ଚାଷର ଚାହିଦା। ଆଗରୁ ଏହି ଫୁଲ ପାଇଁ ବାହାର ରାଜ୍ୟ ଉପରେ ନିର୍ଭର କରିବାକୁ ପଡ଼ୁଥିଲା। ମାତ୍ର ଏବେ ଧୀରେ ଧୀରେ ଓଡ଼ିଶାରେ ଏହି ଚାଷର ଚାହିଦା ବଢୁଛି।
ଦିନଥିଲା ଓଡ଼ିଶା ସମ୍ପୂର୍ଣ୍ଣ ଭାବେ ଥାଇଲାଣ୍ଡ , ମାଲେସିଆ ତଥା ଭାରତର ଅନ୍ୟ ରାଜ୍ୟରେ ଉତ୍ପାଦନ କରାଯାଉଥିବା ଅର୍କିଡ ଫୁଲ ଉପରେ ନିର୍ଭର କରୁଥିଲା । ମାତ୍ର ଏବେ ଓଡ଼ିଶାରେ ଏହାର ଉତ୍ପାଦନ ବଢ଼ିବାକୁ ଲଗିଛି । ଏପରିକି ବାହାର ରାଜ୍ୟକୁ ଏହା ରପ୍ତାନି କରାଯାଉଛି । ଏକ ସରକାରୀ ତଥ୍ୟ ଅନୁଯାୟୀ ଓଡ଼ିଶାରେ ପ୍ରାୟ ୬୫୦୦ ହେକ୍ଟର ଜମିରେ ଫୁଲ ଚାଷ କରାଯାଉଛି । ପ୍ରତିବର୍ଷ ଏଥିରୁ ୨୪,୮୦୦ ଟନ ଫୁଲ ଉତ୍ପାଦନ ହେଉଛି । ଏହାଛଡା ୫୫୦୦ ଲକ୍ଷ କଟା ଫୁଲ ଅମଳ ହେଉଛି। ସାଜସଜ୍ଜା ତଥା ବୁକେ ପାଇଁ ବ୍ୟବହାର ହେଉଥିବା ଫୁଲକୁ କଟା ଫୁଲ କୁହାଯାଏ। ଆଉ ଏସବୁ ତଥ୍ୟକୁ ତୁଳନା କଲେ ଜଣାପଡେ ଆଗ ତୁଳନାରେ ଏବେ ଅର୍କିଡ ଚାଷର ପରିମାଣରେ ବୃଦ୍ଧି ଘଟୁଛି।
ତେବେ ଏହି ଫୁଲ ସାଜସଜ୍ଜା ପାଇଁ ବ୍ୟବହାର କରାଯାଏ। ଘରକୁ ସୁନ୍ଦର ଭାବେ ସଜାଇବା ପାଇଁ କିମ୍ବା କାହାକୁ ବୁକେ ପ୍ରଦାନ କରିବା ପାଇଁ ଏହା ବ୍ୟବହାର ହୁଏ। ଆଇସକ୍ରିମ ଠାରୁ ଆରମ୍ଭ କରି କେକରେ ବ୍ୟବହାର ହେଉଥିବା ଭାନିଲା ଫ୍ଲେଭର୍ ଏହି ଫୁଲର ପାଖୁଡ଼ାରୁ ତିଆରି ହୋଇଥାଏ। କିଛି କ୍ଷେତ୍ରରେ ଔଷଧ ପାଇଁ ଏହା ବ୍ୟବହୃତ ହୋଇଥାଏ। ଏହାର ବହୁଳ ବ୍ୟବହାର ହେତୁ ଅର୍କିଡର ଚାହିଦା ଅଧିକ ରହିଛି। ଏଣୁ ଏହା ବ୍ୟବସାୟ ପାଇଁ ଏକ ଉପଯୁକ୍ତ ମାଧ୍ୟମ ଅଟେ।
ସଫଳ ବ୍ୟବସାୟୀ:
ଏହି ଚାଷ କରି କିଛି ଲୋକ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି। ଆଉ ସେହି ସଫଳ ବ୍ୟବସାୟୀଙ୍କ ମଧ୍ୟରେ ଭୁବନେଶ୍ୱର ସହିଦନଗରରେ ରହୁଥିବା କର୍ଣ୍ଣେଲ ସୁଜନ ମହାନ୍ତି ଅନ୍ୟତମ। ସେ କୁହନ୍ତି କି ପତ୍ନୀ ମୋନାଲିସାଙ୍କ ସହଯୋଗରେ ଏହି ବୃତିକୁ ସେ ଆଗକୁ ବଢାଇଛନ୍ତି। କର୍ଣ୍ଣେଲ ମହାନ୍ତି ଚନ୍ଦକା କଣ୍ଟାପଡା ଅଞ୍ଚଳରେ ନିଜ ବନ୍ଧୁଙ୍କଠାରୁ ଜମି ଲିଜ ଆଣି ୨ଟି ଅର୍କିଡ ପଲ୍ଲୀ ହାଉସ କରିଛନ୍ତି । ଏଥିରୁ ବାହାରୁଥିବା ଅର୍କିଡ ଫୁଲ ବିଶେଷ କରି ବୁକେ ପାଇଁ ବହୁଳ ଭାବରେ ବ୍ୟବହାର କରାଯାଉଛି। ଏହି ଚାଷ ବାବଦରେ ଇଣ୍ଟରନେଟରୁ ବିଭିନ୍ନ ଉତ୍ସରୁ ତଥ୍ୟ ସଂଗ୍ରହ କରିଥିଲେ। ଏହାସହ ଗଞ୍ଜାମର ହୁମା ଏବଂ ରାଜ୍ୟ ବାହାରେ ସିଲିଗୁଡ଼ି, ମେଘାଳୟ, ପୁନେ ଯାଇ ଅର୍କିଡ ଚାଷ ସମ୍ପର୍କରେ ପଚାରି ବୁଝିଥିଲେ l ଏଥିପାଇଁ ଓୟୁଏଟିରୁ ମଧ୍ୟ ସ୍ୱତନ୍ତ୍ର ତାଲିମ ନେଇଛନ୍ତି । ୨୦୧୮ ମସିହାରୁ ସେ ଏହି ଚାଷ କରି ଆସୁଛନ୍ତି। ‘ଆର୍କିଡ଼ ଆଣ୍ଡ ମୋର’ ନାମରେ ଆର୍କିଡ଼ ଫୁଲରୁ ପ୍ରସ୍ତୁତ ଵୁକେ ବିକ୍ରି ଅନେକ ଲାଭ କରିପାରୁଛନ୍ତି ।
କଟକ ଚାଉଳିଆଗଞ୍ଜର ବାସିନ୍ଦା ସମ୍ବିତା ବୋଷ କୁହନ୍ତି ସେ ଅର୍କିଡ ଚାଷ କରି ଅନେକ ଲାଭବାନ ହୋଇଛନ୍ତି। ଅର୍କିଡ଼ ବାୟୋଟେକର ସିଇଓ କିଶୋର ସୁତାରଙ୍କ ଠାରୁ ଏହି ଚାଷ ବିଷୟରେ ପଚାରି ବୁଝିଥିଲେ। ପରେ ଆଠଗଡରେ ଥିବା ଖମାର ନୂଆ ଗାଆଁ ରେ ଏକ ଅର୍କିଡ ଫାର୍ମ ହାଉସ କରିଥିଲେ। ସମ୍ବିତାଙ୍କ ସ୍ବାମୀ ପ୍ରିଥ୍ୟୁଦଶ ବୋଷ ତାଙ୍କୁ ଅର୍କିଡ଼ ଫାର୍ମିଂ କରିବାରେ ସାହାଯ୍ୟ କରନ୍ତି। ଚାଷରୁ ଅମଳ ହେଉଥିବା ଫୁଲଗୁଡ଼ିକ ଟ୍ୱିନ ସିଟି, କୋଲକାତା ଓ ବେଙ୍ଗାଳୁରୁରେ ବିକ୍ରି କରାଯାଉଛି।
ଠିକ୍ ସେହିପରି କଳିଙ୍ଗନଗର ବାସିନ୍ଦା ସତ୍ୟାନନ୍ଦ ସାହୁ ମଧ୍ୟ ଅର୍କିଡ ଚାଷ କରି ଅନେକ ଟଙ୍କା ରୋଜଗାର କରିଛନ୍ତି। ପେଶାରେ ଇଞ୍ଜିନିୟର ମାତ୍ର ଚାଷ କରିବା ତାଙ୍କର ନିଶା ଥିଲା। ଆଉ ଏହି ନିଶାରୁ ଆରମ୍ଭ ହେଲା ଅର୍କିଡ ଚାଷ। ଖୋର୍ଦ୍ଧା ଜିଲ୍ଲା ରଣପୁର ବ୍ଲକ୍ ଅଧୀନସ୍ଥ ଜାତୀୟ ରାଜପଥ – ୧୬ ନିକଟରେ ସେ ଏକ ଫାର୍ମ ହାଉସ କରିଛନ୍ତି। ଏଥିରୁ ତାଙ୍କୁ ଢେର୍ ଅର୍ଥ ମିଳୁଥିବା ସେ କହିଛନ୍ତି। ଏହା ସହ ଏହି ଚାଷ କରିବା ପାଇଁ ଅଧିକ ଖର୍ଚ୍ଚ ହୋଇଥାଏ। ଏଣୁ ଏହି ଫୁଲର ଏକ ସର୍ବନିମ୍ନ ମୂଲ୍ୟ ଧାର୍ଯ୍ୟ କଲେ ଭଲ ହେବ ବୋଲି ସେ ମତ ରଖିଛନ୍ତି।
କଣ କୁହନ୍ତି ବିଶେଷଜ୍ଞ ?
ଓୟୁଏଟିର ସହଯୋଗୀ ପ୍ରଫେସର୍ ସିଦ୍ଧାର୍ଥ କୁମାର ପଲେଇଙ୍କ କହିବା ଅନୁଯାୟୀ ଆଗ ଅପେକ୍ଷା ସରକାର ଏବେ ଏହି ଫୁଲଚାଷ ପାଇଁ ଅନେକ ସୁବିଧା ଯୋଗାଇ ଦେଉଛନ୍ତି। ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଓୟୁଏଟି ସବୁବେଳେ ପ୍ରସ୍ତୁତ ରହିଛି । ମାତ୍ର ଏସବୁ ପରେ ଅର୍କିଡ ଏକ ବ୍ୟୟବହୁଳ ଚାଷ ଅଟେ ।
ଏଥିରୁ ଶୀଘ୍ର ଲାଭ ମିଳିନଥାଏ। ଏଥିପାଇଁ ଚାଷୀକୁ ଗୋଟିଏ ବର୍ଷ ସମୟ ଲାଗିଯାଏ। ଏଣୁ ଏଥିପାଇଁ ଯଥେଷ୍ଟ ଧୈର୍ଯ୍ୟର ଆବଶ୍ୟକ ରହିଛି ।
ଏହାଛଡା ଓଡ଼ିଶା ସରକାର ବିଭିନ୍ନ ଉପାୟ ଆପଣାଇ ଫୁଲ ଉତ୍ପାଦନ ବଢ଼ାଇବାକୁ ପ୍ରୟାସ ଜାରି ରଖିଛନ୍ତି। ଏଥିପାଇଁ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏବଂ ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ ମାଧ୍ୟମରେ ଏହି କ୍ଷେତ୍ରରେ ଅଧିକ ଗୁରୁତ୍ବ ଦେଉଛନ୍ତି। ବିଭିନ୍ନ ଯୋଜନା ଲାଗୁ କରି ଚାଷକୁ ବଢ଼ାଇବା ଦିଗରେ ଧ୍ୟାନ ଦେଉଛନ୍ତି। ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗୀ ଯୋଜନା ଦ୍ବାରା ରାଜ୍ୟରେ ଚାଷୀଙ୍କୁ ସାହାଯ୍ୟ ଯୋଗାଇ ଦିଆଯାଉଛି। ଏଥିରେ ଫୁଲଚାଷ କରିବାକୁ ଚାହୁଁଥିବା ଚାଷୀଙ୍କୁ ମଧ୍ୟ ସହଯୋଗ କରାଯାଉଛି। କିଛି ଅର୍କିଡ ବ୍ୟବସାୟୀ ଏହି ଯୋଜନାର ଲାଭ ଉଠାଇ ପାରୁଛନ୍ତି।
ସେ ଯାହା ହେଉ ଆଗ ଅପେକ୍ଷା ଓଡ଼ିଶାରେ ଏବେ ଫୁଲ ଚାଷର ପରିମାଣ ବଢ଼ିଛି। ମାତ୍ର ଆଜି ବି ଏହା ଲୋକଙ୍କ ଚାହିଦା କେବଳ ୧୦ ପ୍ରତିଶତ ପୂରଣ ହୋଇ ପାରୁଛି। ବାକି ୯୦ ପ୍ରତିଶତ ପାଇଁ ଓଡ଼ିଶା ଅନ୍ୟ ରାଜ୍ୟ ଉପରେ ନିର୍ଭରଶୀଳ । ଏଣୁ ଏଦିଗରେ ଅଧିକ ପଦକ୍ଷେପ ନିଆଗଲେ ଫୁଲ ଚାଷ ଓଡ଼ିଶାବାସୀଙ୍କ ପାଇଁ ବ୍ୟବସାୟର ଏକ ଭଲ ମାଧ୍ୟମ ହୋଇପାରିବ ।