ନଗଡାରେ ଜୁଆଙ୍ଗ ଆଦିବାସୀଙ୍କ ପୁଷ୍ଟି ମହୋତ୍ସବ

ଶୁଣିଲେ ଆଶ୍ଚର୍ଯ୍ୟ ଲାଗିପାରେ କିନ୍ତୁ ଅପପୃଷ୍ଟି ପାଇଁ ଗତ କିଛି ବର୍ଷ ଧରି ଖବରରେ ରହିଆସିଥିବା ଯାଜପୁର ଜିଲା ଜୁଆଙ୍ଗ ସଂପ୍ରଦାୟଙ୍କ ଗାଁ ନଗଡାରେ ନିକଟରେ ଆୟୋଜିତ ହୋଇଯାଇଛି ପାରମ୍ପରିକ ଆଦିବାସୀ ଖାଦ୍ୟ ମେଳା ପୁଷ୍ଟି ମହୋତ୍ସବ । ଯାଜପୁର ସହରରୁ ପ୍ରାୟ ୯୪ କିମି ଦୂର ଜୁଆଙ୍ଗ ଆଦିବାସୀଙ୍କ ଗାଁ ନଗଡାର ଜନଜାତି ଆଗରୁ ପାଖ ଜଙ୍ଗଲରେ ମିଳୁଥିବା ଖାଦ୍ୟ ଖାଇପାରୁଥିଲେ କିନ୍ତୁ ଗତ କିଛି ବର୍ଷ ହେବ ଜଙ୍ଗଲ ବିଭାଗ ଏହାକୁ ନିଜ ଅକ୍ତଆରକୁ ନେବା ପରେ ଏବେ ସେମାନେ ଆଉ ଜଙ୍ଗଲରୁ ଚେର ମୂଳ, ଛତୁ, ଶାଗ, କନ୍ଦା ଓ ଶସ୍ୟ ଜାତୀୟ ଖାଦ୍ୟ ଆଣି ପାରୁନଥିବାରୁ ଅପପୃଷ୍ଟିର ଶିକାର ହେଉଛନ୍ତି । ଜୁଆଙ୍ଗ ଜନଜାତି ବିଶେଷ କରି ଜୁଆଙ୍ଗ ପିଲାଙ୍କୁ କୁପୋଷଣରୁ ରକ୍ଷା କରିବା ପାଇଁ ନିର୍ମାଣ ଓ ଟ୍ରିକଲ ଅପ ସଂସ୍ଥାର ମିଳିତ ଉଦ୍ୟମରେ ଆୟୋଜିତ ହୋଇଥିଲା ଏହି ପୁଷ୍ଟି ମହୋତ୍ସବ । ଯେଉଁଥିରେ ୯ଟି ଗାଁର ଜୁଆଙ୍ଗ ଓ ମୁଣ୍ଡା ସଂପ୍ରଦାୟର ମହିଳା ଯୋଗଦେଇ ୧୦୦ ପ୍ରକାରର ଶାଗ, ପିଠା, ମିଠା ଓ ଭଜାଭଜି ପ୍ରସ୍ତୁତ କରି ପ୍ରଦର୍ଶିତ କରିଥିଲେ । ଯାହାକୁ ସେଠାକାର ମହିଳା ଓ ଶିଶୁ ବେଶ ଉପଭୋଗ କରିଥିଲେ ।

ଭୁବନେଶ୍ୱର ;

କାଇ ପିମ୍ପୁଡି ଚଟଣି , କଲେଇ ପୋକ ଭଜା, ପଥର କଙ୍କଡା ଛେଚା ତା ସାଙ୍ଗକୁ ମାଣ୍ଡିଆ କ୍ଷୀରି ବିଭିନ୍ନ ପ୍ରକାରର ଶାଗ ଓ ପିଠା –ଏସବୁ ଦେଖୁବାକୁ ମିଳିଥିଲା ଯାଜପୁର ସହରରୁ ପ୍ରାୟ ୯୪ କିମି ଦୂର ଜୁଆଙ୍ଗ ଆଦିବାସୀଙ୍କ ଗାଁ ନଗଡାରେ ଆୟୋଜିତ ଆଦିବାସୀ ଖାଦ୍ୟ ମେଳା ପୁଷ୍ଟି ମହୋତ୍ସବରେ । ଚିଙ୍ଗୁଳିପାଳ ପଂଚାୟତର ୯ଟି ଗାଁ ସମେତ ଉପର ନଗଡା, ମଝି ନଗଡା ଓ ତଳ ନଗଡାରେ ରହୁଥିବା ଜୁଆଙ୍ଗ ଜନଜାତିର ପରିବାର ତାଙ୍କ ଚାରି ପାଖରେ ଥିବା ପାହାଡରୁ ସଂଗୃହୀତ ଚେରମୂଳ , କନ୍ଦା, ଛତୁ, ଶସ୍ୟ, ଫଳ, ବିଭିନ୍ନ ପ୍ରକାରର ଶାଗ ଓ ଘର ପଛପାଖରେ ଥିବା ଜାଗାରେ ଚାଷ କରିଥିବା ପନିପରିବାରୁ ବିଭିନ୍ନ ପ୍ରକାରର ଖାଦ୍ୟ ପ୍ରସ୍ତୁତ କରି ଏହି ଖାଦ୍ୟ ମେଳାରେ ପ୍ରଦର୍ଶିତ କରିଥିଲେ । ଜୁଆଙ୍ଗ ଜନଜାତିର ମହିଳାମାନେ ସେମାନେ ପୂର୍ବକାଳରୁ ଖାଇଆସୁଥିବା ପ୍ରାୟ ୧୦୦ରୁ ଅଧିକ ପ୍ରକାରର ପାରମ୍ପରିକ ଖାଦ୍ୟକୁ ଏହି ପୁଷ୍ଟି ମହୋତ୍ସବରେ ଦେଖଣାହାରୀଙ୍କ ପାଇଁ ପ୍ରଦର୍ଶିତ କରିଥିଲେ ।

ପାରମ୍ପରିକ ଖାଦ୍ୟ ପୁଷ୍ଟିକର

ସ୍ୱେଚ୍ଛାସେବୀ ସଂସ୍ଥା ନିର୍ମାଣ ଯାହାକି ଗତ ୧୦ବର୍ଷରୁ ଉର୍ଦ୍ଧ ସମୟ ଧରି ନୟାଗଡ, ରାୟଗଡା ଜିଲ୍ଲାର ବିଭିନ୍ନ ବ୍ଲକରେ ଆଦିବାସୀଙ୍କ ଜଙ୍ଗଲ ଅଧିକାର ଓ ଜୀବନଜୀବିକା ପାଇଁ କାର୍ଯ୍ୟ କରିଆସୁଛି ଏହି ଖାଦ୍ୟ ମେଳାକୁ ଆୟୋଜନ କରିବା ସହ ବିଭିନ୍ନ ପ୍ରକାରର ପାରମ୍ପରିକ ଖାଦ୍ୟ ପ୍ରସ୍ତୁତି କ୍ଷେତ୍ରରେ ପ୍ରୋତ୍ସାହିତ କରୁଛି । ନଗଡାଠାରେ ଗତ କିଛି ବର୍ଷ ହେବ କାର୍ଯ୍ୟ ଆରମ୍ଭ କରିଥିବା ନିର୍ମାଣ ଓ ଟ୍ରିକଲ ଅପ ପକ୍ଷରୁ ଆୟୋଜିତ ଏହି ଖାଦ୍ୟ ମେଳାର ଉଦ୍ଦେଶ୍ୟ ଥିଲା ଆଦିବାସୀଙ୍କ ପୂର୍ବ ଖାଦ୍ୟ ଅଭ୍ୟାସକୁ ପୁଣି ଥରେ ଫେରାଇଆଣିବା । ନିଜର ଦୈନନ୍ଦିନ ଖାଦ୍ୟର ଆବଶ୍ୟକତା ପୂରଣ ପାଇଁ ଜଙ୍ଗଲ ଉପରେ ନିର୍ଭର କରୁଥିବା ଜୁଆଙ୍ଗ ଆଦିବାସୀ ମାନଙ୍କ ଖାଦ୍ୟ ଶୈଳୀରେ ପରିବର୍ତନ ଯୋଗୁଁ ଏହାର ପ୍ରଭାବ ସେମାନଙ୍କ ଓ ପିଲାଙ୍କ ସ୍ୱାସ୍ଥ୍ୟ ଉପରେ ପଡୁଛି । ଫଳରେ ଜୁଆଙ୍ଗ ପିଲାମାନେ ବିଭିନ୍ନ ସମୟରେ ଅପପୃଷ୍ଟିର ଶିକାର ହେବା ଦେଖାଯାଇଛି । ଏହାକୁ ପରିବର୍ତନ କରିବା ସହ ସେମାନେ ଯେପରି ପୁଣି ଥରେ ପାରମ୍ପରିକ ଖାଦ୍ୟକୁ ଆପଣେଇବେ ସେଥିପାଇଁ ଏହି ଆଦିବାସୀ ଖାଦ୍ୟ ମେଳାର ଆୟୋଜନ କରାଯାଇଛି ବୋଲି ନିର୍ମାଣର ମୁଖ୍ୟ ପ୍ରଶାନ୍ତ ମହାନ୍ତି ଏହି ଅବସରରେ କହିଛନ୍ତି । ସେ କହିଛନ୍ତି, ଯଦିଓ ଆଦିବାସୀ ମାନେ ତାଙ୍କ ଦୈନନ୍ଦିନ ଖାଦ୍ୟ ପାଇଁ ଚାରିପାଖରେ ଥିବା ଜଙ୍ଗଲ ଉପରେ ନିର୍ଭରଶୀଳ କିନ୍ତୁ ଅନେକ ସମୟରେ ଜଙ୍ଗଲ ବିଭାଗ ଜଙ୍ଗଲକୁ ନିଜ ନିୟନ୍ତ୍ରଣରେ ରଖୁଥିବାରୁ ସେମାନେ ଭିତରକୁ ପଶିପାରନ୍ତି ନାହିଁ ଓ ଚାରିପାଖରେ ଉପଲବ୍ଧ ଚେର ମୂଳ, ଶସ୍ୟ, ଛତୁ ଓ ଶାଗ ପାଇବାରୁ ବଂଚିତ ହୁଅନ୍ତି । ଫଳରେ କୁପୋଷଣର ଶିକାର ହୁଅନ୍ତି । ସୁମତି ଜୁଆଙ୍ଗ କୁହନ୍ତି ଆଗେ ସେମାନେ ଜଙ୍ଗଲରୁ ତୁଙ୍ଗା, ବୋଏଙ୍ଗା, ସାଇଙ୍ଗାଆଳୁ ଓ କଂଟେଇ ଆଳୁ ଆଣି ବିଭିନ୍ନ ପ୍ରକାରର ଖାଦ୍ୟ ରାନ୍ଧିକି ଖାଉ ଥିଲେ ଯାହା ସ୍ୱାସ୍ଥ୍ୟ ପାଇଁ ପୁଷ୍ଟିକର ପୁଣି ପାଟି ପାଇଁ ସୁଆଦିଆ । କିନ୍ତୁ ଗତ କିଛି ବର୍ଷ ହେବ ସେମାନେ ଆଉ ଜଙ୍ଗଲ ଭିତରକୁ ପ୍ରବେଶ କରିପାରୁନଥିବାରୁ ଏହାର ସିଧାସଳଖ ପ୍ରଭାବ ସେମାନଙ୍କ ଖାଦ୍ୟ ଉପରେ ପଡିଛି । ଏବଂ ସେମାନେ କେବଳ ସରକାରଙ୍କ ପକ୍ଷରୁ ମିଳୁଥିବା ପିଡିଏସ ଚାଉଳ ଖାଉଥିବାରୁ ଏହା ସେମାନଙ୍କ ସ୍ୱାସ୍ଥ୍ୟ ହାନୀ କରୁଛି । ସୁଜାତା ଜୁଆଙ୍ଗ କହିଥିଲେ ଯେ, ବର୍ତମାନ ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନ ବିଶେଷକରି ଟ୍ରିକିଲ ଅପ ଓ ନିର୍ମାଣ ଯୋଗୁଁ ସେମାନେ ତାଙ୍କ ବାରିରେ ପୋଷଣ ବଗିଚା କରିପାରିଛନ୍ତି । ନିଜ ବାରିରେ ଅମୃତଭଣ୍ଡା, କଦଳୀ, ଶାଗ, ଜହ୍ନି, କଖାରୁ ଆଦି ଫସଲ କରି ପାରିଛନ୍ତି ଫଳରେ ନିଜର ନିତିଦିନିଆ ଖାଦ୍ୟରେ ତାହାକୁ ସାମିଲ କରିପାରିଛନ୍ତି ।

ପୋଷଣ ବଗିଚା ସହଯୋଗ କରୁଛି

ଏହି ଅବସରରେ ଟ୍ରିକିଲ ଅପର ପ୍ରୋଗ୍ରାମ ମ୍ୟାନେଜର ଶାସ୍ୱତୀ ପଟ୍ଟନାୟକ କହିଛନ୍ତି ଯେ ଜୁଆଙ୍ଗ ଜନଜାତି ମାନେ ରହୁଥିବା ସ୍ଥାନ ଜନବସତିଠାରୁ ବହୁ ଉଚ୍ଚରେ । ଏବଂ ଏଥିପାଇଁ ଗମନାଗମନର ଭଲ ସୁବିଧା ନଥିବାରୁ ସେମାନେ ନିଜ ପିଲାଙ୍କୁ ଅଙ୍ଗନବାଡିକୁ ନେଇ ପାରୁନଥିଲେ କି ନିୟମିତ ପିଡିଏସ ଚାଉଳ ଆଣି ପାରୁନଥିଲେ । ଏପରିକି କାମ ପାଇଁ ମଧ୍ୟ ସେମାନେ ବାହାରକୁ ସୁବିଧାରେ ଯାଇପାରୁନଥିଲେ ଫଳରେ ରୋଜଗାର କରିପାରୁନଥିଲେ । ଏବେ ସରକାରଙ୍କ ପକ୍ଷରୁ ଗମନାଗମନର ବ୍ୟବସ୍ଥା କରାଯାଇଥିବାରୁ ଏହା ସେମାନଙ୍କ ପାଇଁ ଅନେକ ସୁବିଧା କରୁଛି । ପୋଷଣ ବଗିଚା ହେବା ଫଳରେ ତାଙ୍କର େଦୈନନ୍ଦିନ ଖାଦ୍ୟରେ ହେଉଥିବା ପୁଷ୍ଟିକର ଖାଦ୍ୟର ଅଭାବକୁ ଏହା ଅନେକ ମାତ୍ରାରେ ଦୂର କରିପାରିଛି । ଗତ କିଛି ବର୍ଷ ତଳେ ନଗଡାରେ ଅପପୃଷ୍ଟି, କୁପୋଷଣ ଯୋଗୁଁ ମାସକ ଭିତରେ ପ୍ରାୟ ୧୯ଟି ପିଲାଙ୍କର ମୃତ୍ୟୁ ହେବା ପରେ ଏହି ଖବର ଜାତୀୟସ୍ତରର ଦୃଷ୍ଟି ଆକର୍ଷଣ କରିଥିଲା । ଏହାପରେ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇ ଗାଁ ଗୁଡିକୁ ପିଚୁ ରାସ୍ତା, ଅଙ୍ଗନବାଡି ଖୋଲିବା, ଓ ଅନ୍ୟାନ୍ୟ ସୁବିଧା କରାଗଲା । ଫଳରେ ଏବେ ଗାଁର ଲୋକଙ୍କ ମଧ୍ୟରେ ବିଶେଷକରି ଛୁଆଙ୍କ ମଧ୍ୟରେ ଅନେକ ଆଖିଦୃଶିଆ ପରିବର୍ତନ ଦେଖିବାକୁ ମିଳୁଛି । ନଗଡାରେ ଆୟୋଜିତ ହୋଇଥିବା ଏହି ଆଦିବାସୀ ଖାଦ୍ୟମେଳାରେ ଜୁଆଙ୍ଗ, ମୁଣ୍ଡା ସଂପ୍ରଦାୟର ମହିଳାମାନେ ପ୍ରାୟ ୧୦୦ ପ୍ରକାରର ଖାଦ୍ୟ ପ୍ରସ୍ତୁତ କରିଥିଲେ । ଏ ଦିଗରେ ଅଧିକ ପ୍ରୋତ୍ସାହନ ମିଳିଲେ ସେମାନଙ୍କ ପୋଷଣ କ୍ଷେତ୍ରରେ ଏହା ସହାୟକ ହେବ ବୋଲି ସେମାନେ କହିଥିଲେ ।

Leave a Reply

Your email address will not be published. Required fields are marked *