ରାଜ୍ୟରେ ବଢୁଥିବା ଜଳବାୟୁର ପ୍ରତିକୂଳ ପରିସ୍ଥିତି ଯେପରି- ଆବଶ୍ୟକତାଠାରୁ ଅଧିକ ବର୍ଷା ହେବା, ବର୍ଷା ଅଭାବରୁ ମରୁଡି ଭଳି ଅବସ୍ଥା ଅଥବା ସ୍ୱଳ୍ପ ବର୍ଷା ଯୋଗୁଁ ଅନେକ ସମୟରେ ଚାଷ ନଷ୍ଟ ହେବାର ଓ ଚାଷୀ କ୍ଷୟକ୍ଷତି ସହିବାର ଦୃଷ୍ଟାନ୍ତ ରହିଛି । କିନ୍ତୁ ଏବେ ଏଥିରୁ ଚାଷୀଙ୍କୁ ମୁକ୍ତି ଦେବାପାଇଁ କୋରାପୁଟ ସ୍ଥିତ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏକ ବିପର୍ଯ୍ୟୟ ନିରୋଧୀ ଧାନ ପ୍ରସ୍ତୁତ କରାଯାଇଛି ଯାହା ରାଜ୍ୟର ସବୁ ପ୍ରକାରର ଜମିରେ ଓ ପ୍ରତିକୂଳ ସ୍ଥିତିରେ ସ୍ୱାଭାବିକ ଭାବେ ଅମଳ ହେବ । ପ୍ରାୟ ୧୦ବର୍ଷଧରି ୧୩୦ଟି ପ୍ରଜାତିର ଦେଶୀୟ ଧାନକୁ ଗବେଷଣା କରିବା ପରେ ଗବେଷକ ଦଳ ଏହି ଧାନ ଆବିଷ୍କାର କରିଛନ୍ତି । ରାଜ୍ୟରେ ଥିବା ଅନେକ ପାରମ୍ପରିକ ବିହନର ଜିନରୁ ଅନେକ ନୂତନ ପ୍ରଜାତିର ଧାନ ବିକସିତ କରାଯାଇପାରିବ ଯାହାକି ବିପର୍ଯ୍ୟୟକୁ ମୁକାବିଲା କରିବାରେ ସକ୍ଷମ ହେବ ଏହି ଗବେଷଣା ଦଳର ମୁଖ୍ୟ ଗବେଷକ ଡଃ ଦେବବ୍ରତ ପଣ୍ଡା କହିଛନ୍ତି ।
ଭୁବନେଶ୍ୱର ;
ନିୟମିତ ଜଳବାୟୁ ପରିବର୍ତନର ପ୍ରତିକୂଳ ପ୍ରଭାବ ପଡିବା ଯୋଗୁଁ ଗତ କିଛି ବର୍ଷହେବ ଚାଷ ବହୁଳମାତ୍ରରେ କ୍ଷତିଗ୍ରସ୍ତ ହେଉଛି । ଅନ୍ୟ କ୍ଷେତ୍ରଭଳି ରାଜ୍ୟର କୃଷ୍ି ଓ କୃଷକ ଯେ ଅନେକ ମାତ୍ରାରେ ପ୍ରଭାବିତ ହେଉଛନ୍ତି ସେ ବିଷୟରେ ପ୍ରାୟ ସମସ୍ତେ ଅବଗତ । ଫଳରେ ବର୍ଷକୁ ବର୍ଷ ଚାଷରେ ଅମଳ କମିବା, କ୍ଷତିହେବା ଓ ଚାଷୀ ଚାଷବାସ ଛାଡି ଅନ୍ୟ ମଜୁରି ଲାଗିବାଭଳି ବିଷୟ ସାମନାକୁ ଆସୁଛି । ତେବେ ବର୍ତମାନ କୋରାପୁଟ ସ୍ଥିତ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ଆବିଷ୍କାର କରାଯାଇଥିବା ବିପର୍ଯ୍ୟୟ ନିରୋଧୀ ଧାନ ଏହି ସମସ୍ୟାକୁ କେତେକାଂଶରେ ଦୂର କରିବ ବୋଲି ଏହାର ଗବେଷକ ଡଃ ଦେବବ୍ରତ ପଣ୍ଡା ଦାବି କରନ୍ତି । ବହୁ ବର୍ଷର ଗବେଷଣା ପରେ ସେ ଏହି ନିଷ୍କର୍ଷରେ ପହଂଚିଛନ୍ତି । ତାଙ୍କ କହିବା ଅନୁସାରେ ଗବେଷଣାରୁ ବାହାରିଥିବା ଏହି ଧାନର ସବୂ ପ୍ରକାରର ପ୍ରତିକୂଳ ପରିସ୍ଥିତି ଯେପରି ଆବଶ୍ୟକତାଠାରୁ ଅଧିକ ହେବା ବର୍ଷା, ବର୍ଷା ଅଭାବରୁ ମରୁଡି ଭଳି ଅବସ୍ଥା ଅଥବା ସ୍ୱଳ୍ପ ବର୍ଷା-ଏସବୁ ସମୟରେ ଭଲ ଅମଳ ଦେବାର କ୍ଷମତା ରହିଛି । କଳାଜୀରା, ମାଛକଂଟା, ହଳଦୀଚୁଡି ଭଳି ପାରମ୍ପରିକ ପ୍ରଜାତିର ଧାନ ଯେ କୌଣସି ପ୍ରତିକୂଳ ପରିସ୍ଥିତିର ମୁକାବିଲା ପାଇଁ କ୍ଷମତା ରଖିଥିବା ବେଳେ ବାସୁଭୋଗ, ଦୁଧାମଣି, ତୁଳସୀ ଆଦି ପ୍ରଜାତିର ବିହନ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ କ୍ଷମତା ରଖିଥିବା ଗବେଷଣାରୁ ଜଣାଯାଇଛି । କୋରାପୁଟ ସ୍ଥିତ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ସ୍ଥାନୀୟ ଅଂଚଳର୧୩୦ ପ୍ରକାରର ପାରମ୍ପରିକ ବିହନକୁ ନେଇ ଏହି ଗବେଷଣା କରାଯାଇଥିଲା ।
ପ୍ରତିକୂଳସ୍ଥିତିରେ ସ୍ୱାଭାବିକ ଫଳିବ
ପାରମ୍ପରିକ ଦେଶୀ ଧାନର ବିପର୍ଯ୍ୟୟ ନିରୋଧ କରିବାର କ୍ଷମତା ରହିଛି । କୋରାପୁଟ ଭଳି ଆଦିବାସୀ ବହୁଳ ଅଂଚଳରେ ଚାଷ ହେଉଥିବା ପାରମ୍ପରିକ ଧାନ ମରୁଡି, ବନ୍ୟା ଓ ଲୁଣା ପାଣିକୁ ସହ୍ୟ କରିବାର କ୍ଷମତା ରଖିଛି ବୋଲି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଗବେଷଣା ଦର୍ଶାଇଛି । ବିଶ୍ୱବିଦ୍ୟାଳୟର ଜୈବ ବିବିଧତା ଓ ପ୍ରାକୃତିକ ସଂପଦ ସଂରକ୍ଷଣ ବିଭାଗର ସହାୟକ ପ୍ରାଧ୍ୟାପକ ଡଃ ଦେବବ୍ରତ ପଣ୍ଡାଙ୍କ ଗବେଷଣା ଅନୁଯାୟୀ କୋରାପୁଟରେ ଚାଷ କରାଯାଉଥିବା ୬ଟି ପାରମ୍ପରିକ ପ୍ରଜାତିର ଧାନ- ବାସୁଭୋଗ, ଦୁଧାମଣି, କଳାଜୀରା, ଲକଟିମାଛ, କୁଅରକୁଲିଂ ଓ ତୁଳସୀ ବିହନ ପାଖରେ ବର୍ଷା ଅଭାବରୁ ମରୁଡି ଏବଂ ଅତ୍ୟଧିକ ବର୍ଷା ଯୋଗୁଁ ବନ୍ୟା ଭଳି ପରିସ୍ଥତିକୁ ମୁକାବିଲା କରିବାର ଯଥେଷ୍ଟ କ୍ଷମତା ରହିଛି । ଦେଶୀ ଧାନର ଗୁଣାତ୍ମକ ମାନ ଓ ସଂରକ୍ଷଣ ସଂପର୍କୀତ ତଥ୍ୟ ଭିତିକ ଉଲ୍ଲେଖକୁ ରିସର୍ଚ୍ଚ ସ୍କଲାର ପ୍ରଫୁଲ୍ଲ କୁମାର ବେହେରା କରେଂଟ ପ୍ଲାଂଟ ବାୟୋଲୋଜି ଜର୍ଣାଲରେ ପ୍ରକାଶ କରିଛନ୍ତି । ସପୁରୀ ଓ ମୁକ୍ତାବାଲି ପ୍ରଜାତର ବିହନ ଲୁଣି ମାଟିରେ ଭଲ ବଢିବା ଓ ଅମଳ ଦେବାର କ୍ଷମତା ରଖିଥିବା ବେଳେ କଳାଜୀରା, ମାଛକଂଟା ଓ ହଳଦୀଚୁଡି ଆଦି ୩ଟି ପ୍ରଜାତିର ବିହନ- ଲୁଣି, ବନ୍ୟା ଓ ମରୁଡି ଭଳି ଯେକୌଣସି ପରିସ୍ଥିତିକୁ ମୁକାବିଲା କରିବାର କ୍ଷମତା ରଖିଛି । ସେ କହିଛନ୍ତି, ଗବେଷଣାରେଏହି ଧାନର ଗୁଣସୂତ୍ର (ଜିନ) କୁ ପରୀକ୍ଷା କରି ଦେଖାଯାଇଛି ଯେ ଏଥିରେ ବିଭିନ୍ନ ପ୍ରତିକୂଳ ସ୍ଥିତିର ସହନଶୀଳତା ଜିନ ରହିଛି । ୨୦୧୪ ମସିହାରୁ ୧୩୦ ପ୍ରକାରର ପାରମ୍ପରିକ ବିହନକୁ ନେଇ ଏହି ଅଧ୍ୟୟନ କରାଯାଇଥିବା ବେଳେ ୬ ପ୍ରଜାତି କ୍ଷେତ୍ରରେ ପ୍ରତିକୂଳ ସ୍ଥିତିକୁ ମୁକାବିଲା କରିପାରୁଥିବା ଜିନ ଦେଖିବାକୁ ମିଳିଛି । ଏହି ପାରମ୍ପରିକ ବିହନର ଜିନରୁ ନୂତନ ପ୍ରଜାତି ବିକସିତ କରାଯାଇ ଉଚ୍ଚ ଅମଳ କ୍ଷମତା ରଖୁଥିବା ନୂଆ ପ୍ରଜାତିର ଧାନ ବିହନ ଆବିଷ୍କାର କରାଯାଇପାରିବ ବୋଲି ଡଃ ପଣ୍ଡା ଯୁକ୍ତି ରଖିଛନ୍ତି ।
ବିଲୁପ୍ତ ବିହନର ସଂରକ୍ଷଣ ଜରୁରୀ
ପାରମ୍ପରିକ ବିହନକୁ ପରୀକ୍ଷା କରାଯାଇ ମିଳିଥିବା ବିପର୍ଯ୍ୟୟ ନିରୋଧୀ ଧାନ ସାମ୍ପ୍ରତିକ ଜଳବାୟୁ ପରିବର୍ତନ ଓ ଚାଷ କ୍ଷେତ୍ରକୁ ଥିବା ଆହ୍ୱାନକୁ ସହଜରେ ମୁକାବିଲା କରିପାରିବ ବୋଲି ସେ କହିଛନ୍ତି । ମିଳିତ ଜାତିସଂଘର ଖାଦ୍ୟ ଓ ନିରାପତା ସଂଗଠନ ପକ୍ଷରୁ କୋରାପୁଟକୁ କୃଷି ଐତିହ୍ୟ ସ୍ଥାନ ଭାବରେ ଘୋଷଣା କରାଯାଇଛି । କୋରାପୁଟ ଧାନର ଉତ୍ପତି ସ୍ଥଳବୋଲି ମଧ୍ୟ କୁହାଯାଇଛି । ଗବେଷକ ମତବ୍ୟକ୍ତ କରିଛନ୍ତି ବର୍ତମାନ ଯେଉଁଭଳି ଜଳବାୟୁରେ ପରିବର୍ତନ ହେଉଛି ଏହି ଧାନ ପ୍ରତିକୂଳ ପରିବେଶରେ ଚାଷ ହୋଇ ଖାଦ୍ୟ ଚାହିଦାକୁ ମେଂଟାଇବ । ଏହି ଧାନର ବିଭିନ୍ନ ସହନଶୀଳ ଗୁଣସୂତ୍ରକୁ ନେଇ ଆଗାମୀଦିନରେନୂତନ ଧାନ କରାଯାଇପାରିବ ବୋଲି ସେ କହିଛନ୍ତି । ସେ ଆହୁରିମଧ୍ୟ କହିଛନ୍ତି, ଅନେକ ପାରମ୍ପରିକ ପ୍ରଜାତିର ବିହନ ଏବେ ଲୁପ୍ତ ହେବାକୁ ବସିଲାଣି । ସେଗୁଡିକର ସଂରକ୍ଷଣ ଓ ଅନୁସନ୍ଧାନ କରାଯାଇ ଅଧିକ ଅମଳକ୍ଷମ ନୂଆ ବିହନ ପ୍ରସ୍ତୁତ କରାଯାଇପାରିବ ବୋଲି ସେ କହିଛନ୍ତି । ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଓ ହରିୟାଣାର ଶକ୍ତି ଓ ସମ୍ବଳ ପ୍ରତିଷ୍ଠାନ (ଟେରି) ର ମିଳିତ ସହଭାଗିତାରେ ଏହି ଗବେଷଣା କରାଯାଇଥିଲା । ଏହି କିସମର ଧାନ କୋରାପୁଟ ଜୟପୁର ସ୍ଥିତ ସ୍ୱାମୀନାଥନ ଫାଉଣ୍ଡେସନ ସଂରକ୍ଷଣ କରିଥିବାରୁ ଆଗାମୀ ଦିନରେ ପୁଷ୍ଟିକର ଖାଦ୍ୟ ଯୋଗାଇବାରେ ଏହା ସହାୟକ ହେବ ବୋଲି ଜଣାଯାଇଛି ।