ଦେହ ବ୍ୟବସାୟକୁ ଆଦରି ନେଇଥିବା ରେଡଲାଇଟ ଅଂଚଳରେ ରହୁଥିବା ଯୌନକର୍ମୀଙ୍କ ଦୁରବସ୍ଥା କହିଲେ ନସରେ । ସମାଜରେ ସେମାନେ ନାନା ଭାବେ ଶୋଷିତ ଓ ଉପେକ୍ଷିତ ହେଉଥିବା ବେଳେ ସ୍ୱାସ୍ଥ୍ୟ କ୍ଷେତ୍ରରେ ମଧ୍ୟ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଯାହା ପ୍ରାୟତଃ ଦୃଷ୍ଟିକୁ ଆସିପାରେନାହିଁ । ଯୌନକର୍ମୀମାନେ ସାମାଜିକ ଓ ଅର୍ଥନେତିକ ପଛୁଆ ଶ୍ରେଣୀର ହୋଇଥିବାରୁ ସେମାନେ ରୋଗରେ ଭୋଗୁଥିଲେ ମଧ୍ୟ ବିଭିନ୍ନ କାରଣରୁ ଚିକିତ୍ସା କରାଇ ପାରନ୍ତି ନାହିଁ । ଏଣୁ ସେମାନଙ୍କୁ ଉପଯୁକ୍ତ ସ୍ୱାସ୍ଥ୍ୟସେବା ଯୋଗାଇଦେବା ପାଇଁ ସରକାରୀ ଓ ବେସରକାରୀ ସ୍ତରରେ ଚେଷ୍ଟା ହେବା ଆବଶ୍ୟକ ।
ଭୁବନେଶ୍ୱର ;
ଧାଡି ଧାଡି ଛୋଟ ଛୋଟ ନୁଆଁଣିଆ ଘର । ତା ଭିତରେ ରୋଷେଇ, ଖାଇବା, ପିଇବା ବସାଉଠା ସବୁକିଛି । କହିବାକୁ ଗଲେ,ଏହି ଅଂଚଳକୁ ନିଷିଦ୍ଧ ଅଂଚଳ ଭାବେ ଗଣାଯାଏ । ସେ ଇଲାକାକୁ ଭଦ୍ରଲୋକଙ୍କର ପ୍ରବେଶ ନିଷେଧ । ଏଠି ଦିନେବଳା ନୁହେଁ ରାତିରେ ବସେ ବଜାର । କିଣାବିକା ଚାଲେ ରାତିର ନିର୍ଜନ ପ୍ରହରରେ । ରେଡ ଲାଇଟ ଅଂଚଳ ଭାବେ ଜଣାଶୁଣା ଏହି ଅଂଚଳରେ ରୁହନ୍ତି ଦେହକୁ ନେଇ ବ୍ୟବସାୟ କରୁଥିବା ଯୈାନକର୍ମୀମାନେ । ଜଣେ ମହିଳା ବେଶ୍ୟାବୃତିରେ ଅସ୍ଥାୟୀ ଭାବେ କିଛି ବର୍ଷ ରହନ୍ତି । ଏ ଲେଖିକା ଯେତେ ସେମାନଙ୍କୁ ଭେଟିଥିଲେ ଅନେକେ କହିଥିଲେ ଯେ, ଅଧିକାଂଶ ମହିଳା ଏହି ବୃତିକୁ ନିଜର ଜୀବିକା ଭାବରେ ଖୁସିରେ ବାଛି ନଥାଆନ୍ତି ବରଂ ସେମାନଙ୍କୁ ଏହି ବୃତିରେ ରହିବାକୁ ବାଧ୍ୟ କରାଯାଏ । ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନଥିଲେ ଅଶିକ୍ଷା ମହିଳାଙ୍କୁ ଏହି ବୃତି ଆପେଣଇବାକୁ ବାଧ୍ୟ କରେ । ରାସ୍ତାକଡରେ, ସହରର ଶେଷ ମୁଣ୍ଡରେ ଥିବା ଗଳିବସ୍ତିରେ ଏମାନଙ୍କ ଜୀବନ ବତେ ।
କେବଳ ଏଚଆଇଭି ସ୍ୱାସ୍ଥ୍ୟଗତ ସମସ୍ୟା ନୁହେଁ
ସାରା ବିଶ୍ୱରେ ସ୍ୱାସ୍ଥ୍ୟ ଏବଂ ମାନବିକ ଅଧିକାରକୁ ନେଇ ମହିଳା ଯୌନକର୍ମୀ ମାନେ ଅବହେଳାର ଶିକାର ହୁଅନ୍ତି । ଏମାନଙ୍କୁ ଅନେକ ସ୍ୱାସ୍ଥ୍ୟଗତ ସମସ୍ୟା ଭୋଗିବାକୁ ପଡିଥାଏ । କେତେକ ସର୍ଭେରୁ ଜଣାଯାଏ ମହିଳା ଯୌøନକର୍ମୀଙ୍କ ସ୍ୱାସ୍ଥ୍ୟ ସମସ୍ୟାକୁ ସବୁବେଳେ ଏଚଆଇଭି ଏଡସ, ଏସଆଇଡି ସଂପର୍କୀତ ବୋଲି ଧରାଯାଏ କିନ୍ତୁ ସଂପୂର୍ଣ ରୂପେ ଏହା ସତ ନୁହେଁ ଏମାନେ ଅନ୍ୟାନ୍ୟ ସ୍ୱାସ୍ଥ୍ୟଗତ ସମସ୍ୟାରେ ମଧ୍ୟ ପୀଡିତ ହୁଅନ୍ତି । ସାମାଜିକ ବାସନ୍ଦ, ଲଜ୍ଜା. ବିଭେଦତା ଇତ୍ୟାଦି ସେମାନଙ୍କୁ ସ୍ୱାସ୍ଥ୍ୟ ବିଷୟରେ ଖୋଲାଖୋଲି କଥାବାର୍ତା କରିବାକୁ ସୁଯୋଗ ଦିଏନା । ଏଚଆଇଭି ଏଡସ କେନ୍ଦ୍ର ଗୁଡିକ ଏହା ଅନୁଭବ କରନ୍ତି ଯେ କେବଳ ଏଡସ ପ୍ରତିରୋଧ ଉପରେ କାର୍ଯ୍ୟ କଲେ ଯୌøନକର୍ମୀଙ୍କ ସମସ୍ତ ସ୍ୱାସ୍ଥ୍ୟ ସମସ୍ୟା ସମାଧାନ ହୋଇଯିବ ଏହା ଅସମ୍ଭବ । ଏକଥା ସତ ଯେ ଯୌନ ବ୍ୟବସାୟରେ ଥିବା ୭୫ ପ୍ରତିଶତ ମହିଳାଙ୍କର ରିପ୍ରଡକ୍ଟିଭ (ପ୍ରଜନନ) ସଂକ୍ରମଣ ସମସ୍ୟା ରହିଛି । ଧଳାସ୍ରାବ, ମୁତ୍ରାଶୟ ପୋଡିବା ଏସିଡିଟି ଇତ୍ୟାଦି ସମସ୍ୟା ଯୌøନକର୍ମୀଙ୍କଠାରେ ସାଧାରଣଭାବେ ଦେଖାଯାଏ । ଏହାଛଡା ଅନ୍ୟାନ୍ୟ ରୋଗ ଯେପରି ହେପାଟିଟିସ ବି, ଯକ୍ଷ୍ମା, ଆଜମା, ଅବସାଦ ଓ ପୁଷ୍ଟିହୀନତା ଆଦି ସମସ୍ୟା ମଧ୍ୟ ଦେଖାଦେଇଥାଏ ।
ଅନେକେ କହିଥିଲେ ଯେ, ଘରୋଇ ଡାକ୍ତରଙ୍କ ପାଖକୁ ଗଲେ ଅନେକ ଟଙ୍କା ଲାଗେ, ତେଣୁ ସେଠାରେ ସେମାନେ ଚିକିତ୍ସା କରିପାରନ୍ତି ନାହିଁ । ମ୍ୟୁନିସିପାଲଟି ହସପିଟାଲ, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ଜିଲ୍ଲା ହସପିଟାଲରେ ଏମାନଙ୍କୁ ସ୍ୱାସ୍ଥ୍ୟ ସେବା ଶସ୍ତାରେ ମିଳୁଥିଲେ ମଧ୍ୟ ବେଳେ ବେଳେ କିଛି ଡାକ୍ତରଙ୍କ ବ୍ୟବହାର ଏମାନଙ୍କ ପ୍ରତି ଭଲ ନଥାଏ । ଡାକ୍ତରମାନେ ଯୌନକର୍ମୀ ବୋଲି ଜାଣିବା ପରେ ଏମାନଙ୍କ ସ୍ୱାସ୍ଥ୍ୟର ଯତ୍ନ ନେଇନଥାଆନ୍ତି । ବରଂ ଏଚଆଇଭି ଓ ଏଡସ ଚିକିତ୍ସା ପାଇଁ ଯିବାକୁ ବାଧ୍ୟ କରନ୍ତି । ପୁଣି ନିଜ ସ୍ୱାସ୍ଥ୍ୟ ଉପରେ ଅଧିକ ଖର୍ଚ୍ଚ କରିବା ସମ୍ଭବ ନଥିବାରୁ ସରକାରୀ ଡାକ୍ତରଖାନା ଓ ଡାକ୍ତରଙ୍କ ଉପରେ ନିର୍ଭର କରିବା ଛଡା ଅନ୍ୟ ଉପାୟ ନଥାଏ । ପୁଣି ଅଧିକାଂଶ ଡାକ୍ତର ଏଇ ମାନସିକତାରେ ଥାଆନ୍ତି ଯେ କାଳେ ଏମାନେ ଏଚଆଇଭି ଦ୍ୱାରା ଆକ୍ରାନ୍ତ ହୋଇଥିବେ । ତେଣୁ ଡାକ୍ତରମାନେ ସେମାନଙ୍କୁ ଚିକିତ୍ସା କରିବାକୁ ସିଧାସଳଖ ମନା କରିଦିଅନ୍ତି ।
ବୟସ୍କଙ୍କ ପାଇଁ ବେଶି ସମସ୍ୟା
ଭୁବନେଶ୍ୱର ସହର ମଝିରେ ଥିବା ରେଡଲାଇଟ ଅଂଚଳ ମାନ୍ୟତାପ୍ରାପ୍ତ ନହେଲେ ମଧ୍ୟ ଏହାକୁ ମାନ୍ୟତାପ୍ରାପ୍ତ ଭାବେ ଗଣନା କରାଯାଏ । ଏଠାରେ ପାଖାପାଖି ୩୫୦ ଯୌନକର୍ମୀ ରହୁଛନ୍ତି । ଏମାନଙ୍କ ମଧ୍ୟରେ ୨୦-୩୦ ବର୍ଷ ମଧ୍ୟରେ ୫୦ଜଣ, ୩୦-୪୫ ବର୍ଷ ମଧ୍ୟରେ ୨୦୦ ଜଣ, ୪୫ ରୁ ଉର୍ଦ୍ଧ୍ୱ ମଧ୍ୟରେ ୩୦ଜଣ ଥିବା ଜଣାଯାଇଛି । ପାଖାପାଖି ୭୦ଜଣ ମହିଳା ଏବେ ଆଉ ଏହି ପେଶାରେ ନଥିଲେ ମଧ୍ୟ ଏହିଅଂଚଳରେ ରହୁଛନ୍ତି ।
ଲାଗିଲାଗି ଥିବା ଛୋଟ ଘରେ ଏମାନେ ରୁହନ୍ତି । ସେହି ଛୋଟ ଘରେ ରୋଷେଇ ସାଙ୍ଗକୁ ଖାଇବା, ଶୋଇବା, ବସାଉଠା ସବୁକିଛି । ଘରେ କୌଣସି ଝରକା ନାହିଁ । ସେମାନଙ୍କ ବୃତିଗତ ଜୀବନ ଯେହେତୁ ଲୁକ୍କାୟିତ ତେଣୁ ଘରେ ଝର୍କା ଖୋଲିବା ଏମାନଙ୍କ ପାଇଁ ନିଷିଦ୍ଧ । କହିବାକୁଗଲେ, କେବଳ କବାଟଟିଏ ଛଡା ଘରେ ପବନ ଯିବାଆସିବା କରିବାର ଆଉ କୌଣସି ବାଟ ନାହିଁ । ବୟସାଧିକ କାରଣରୁ ଯେଉଁ ୭୦ଜଣ ଏବେ ଏହି ବ୍ୟବସାୟରେ ନାହାନ୍ତି ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ନୁହେଁ କହିଲେ ଚଳେ । ସାଧାରଣରେ ଧାରଣା ଏବେ ଏମାନେ ବ୍ୟବସାୟରେ ନଥିଲେ ବି ଏଚଆଇଭି ଏଡସ ଭଳି ମାରାତ୍ମକ ରୋଗର ଶିକାର ଥିବେ କିନ୍ତୁ ସମସ୍ତଙ୍କ ଧାରଣା ବାହାରେ ଏମାନେ ଅନ୍ୟାନ୍ୟ ମାରାତ୍ମକ ରୋଗ ଦ୍ୱାରା ଆକ୍ରାନ୍ତ । ଏମାନଙ୍କ ମଧ୍ୟରେ କେତେଜଣ ଆଜମା ପରି ରୋଗ ଭୋଗୁଛନ୍ତି । କାଶ କଫ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଧଇଁ ପେଲିବା ଇତ୍ୟାଦି । ବାସ କରୁଥିବା ଘରେ ରୋଷେଇ କରିବା ଦ୍ୱାରା ଚୁଲି ଧୂଆଁ ଘର ଭିତରେ ବୁଲେ ବାହାରକୁ ଯିବାର ବାଟ ନଥାଏ କାରଣ ସେ ଘରେ ଝର୍କା ନଥାଏ । ଅସ୍ୱାସ୍ଥ୍ୟକର ପରିବେଶ ଧୂଳି ଧୂଆଁ ବୁଲା କୁକୁର ବିଲେଇଙ୍କର ଘର ଭିତରକୁ ଅବାଧ ପ୍ରବେଶ, ଗ୍ରାହକଙ୍କର ବିଡି ସିଗାରେଟ ଧୂଆଁ ବର୍ତମାନର ସ୍ୱାସ୍ଥ୍ୟ ଅବସ୍ଥା ପାଇଁ ଦାୟୀ ।
ବୟସ ଥିବା ବେଳେ ଏହାକୁ ସେମାନେ ଏତେଟା ଗୁରୁତ୍ୱ ଦେଇନଥିଲେ ଯାହା ସେତେବେଳେ ସାମାନ୍ୟ ଲାଗୁଥିଲା ତାହା ଏବେ ବଡ ସମସ୍ୟା ଭାବେ ଛିଡା ହୋଇଛି । ଆର୍ଥିକ ଅବସ୍ଥା ଭଲ ନଥିବାରୁ ନିଜର ଉପଯୁକ୍ତ ଚିକିତ୍ସା କରାଇପାରୁନାହାନ୍ତି । ସରକାରଙ୍କ ପକ୍ଷରୁ ପାଉଥିବା ବାର୍ଦ୍ଧକ୍ୟ ଭତା ଚଳିବା ପାଇଁ ନିଅଂଟ ହେଉଥିବା ବେଳେ ଚିକିତ୍ସା ପାଇଁ ଟଙ୍କା ଆସିବ କୁଆଡୁ ? ବେଶି ଦେହ ଖରାପ ହେଲେ ପାଖ ଔଷଧ ଦୋକାନରୁ ପଚାରି କିଛି ଟାବଲେଟ କିଣି ଆଣି ଖାଆନ୍ତି ଯାହା ଆଜମା ପରି ସମସ୍ୟାରୁ ସେମାନଙ୍କୁ ମୁକ୍ତି ଦେଇପାରେନାହିଁ । ମଝିରେ ମଝିରେ ହେଉଥିବା ସ୍ୱାସ୍ଥ୍ୟ ଶିବିରରେ ସ୍ୱାସ୍ଥ୍ୟ ପରୀକ୍ଷା କରାନ୍ତି ସେତିକିବେଳେ ମିଳିଥିବା ମାଗଣା ଔଷଧ ସେମାନଙ୍କ ପାଇଁ ବହୁମୂଲ୍ୟ ରଖିଥାଏ । ଏ ଲେଖିକା ଦୁଇ ତିନିଜଣ ଯୌøନକର୍ମୀଙ୍କ ସହ କଥାହେଲାବେଳେ ଜାଣିବାକୁ ପାଇଲେ ଯେ ସେମାନେ ଦୀର୍ଘ ପାଂଚ ବର୍ଷ ହେବ ଆଜମାରେ ଭୋଗୁଛନ୍ତି ସବୁବେଳେ ଶୁଖିଲା କାଶ ଧଇଁ ପେଲିହେବା ବେଳେବେଳେ କଫ ଏତେ ଜମିଯାଉଛି ଯେ ନିଶ୍ୱାସ ନେବାରେ କଷ୍ଟ ହେଉଛି । ଚିକିତ୍ସା ବିଷୟରେ ପଚାରିବାରେ କୁହନ୍ତି ଆମ ପାଖରେ ଡାକ୍ତରଙ୍କ ପାଖକୁ ଯାଇ ଆଜମାର ଚିକିତ୍ସା କରାଇ ଔଷଧ ଖାଇବାକୁ ପଇସା ନାହିଁ ବୟସ ଥିବା ବେଳେ ଜଣାପଡୁନଥିଲା କିନ୍ତୁ ଏବେ ଆଉ ସହି ହେଉନାହିଁ ।
ଆଜମା ବୃହତ ସ୍ୱାସ୍ଥ୍ୟଗତ ସମସ୍ୟା
ପରିବେଶ ପଦୂଷଣ, ବଢୁଥିବା ଲୋକସଂଖ୍ୟା ଓ ଅତ୍ୟଧିକ ଶିଳ୍ପାୟନ ଯୋଗୁଁ ବିଶ୍ୱର ଅଧିକାଂଶ ଦେଶରେ ଆଜମାର ବ୍ୟାପକତା ବଢିବାରେ ଲାଗିିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ରିପୋର୍ଟ ଅନୁଯାୟୀ ସାରା ବିଶ୍ୱରେ ୩୦୦ ମିଲିୟନ ବ୍ୟକ୍ତି ଆଜମା ଦ୍ୱାରା ଆକ୍ରାନ୍ତ ଏବଂ ସେମାନଙ୍କ ମଧ୍ୟରୁ ୨୫୫୦୦୦ ଲୋକ ମୃତ୍ୟୁ ମୁଖରେ ପଡନ୍ତି । ସେଥି ମଧ୍ୟରୁ ୮୦ ପ୍ରତିଶତ ଆଜମା ମୃତ୍ୟୁ ନିମ୍ନ ଓ ନିମ୍ନ ମଧ୍ୟବିତ ଆୟକାରୀ ଦେଶରେ ହୋଇଥାଏ । ଭାରତରେ ଆଜମାର ବ୍ୟାପକତା ଦେଖିଲେ ଜଣାଯାଏ ୩ ପ୍ରତିଶତ (୩୦ ମିଲିୟନ) ଲୋକଏହି ରୋଗ ଦ୍ୱାରା ଆକ୍ରାନ୍ତ । ଗ୍ରାମାଂଚଳରେ ଏହି ସଂଖ୍ୟା ଅଧିକ ବୋଲି ଜଣାଯାଏ ।
୨୦୧୬ରେ ଲାନସେଟ ଦ୍ୱାରା ଭାରତର ବିଭିନ୍ନ ଅଂଚଳରେ କରାଯାଇଥିବା ସର୍ଭେରୁ ଜଣାଯାଏ କ୍ରୋନିକ ଆବଟ୍ରୋଟିଭ ପୁଲମୋନାରୀ ରୋଗ ଅଧିକ ବ୍ୟାପିବା ପାଇଁ ବାୟୁ ପଦୂଷଣ ଦାୟୀ । ଶ୍ୱାସପ୍ରଶ୍ୱାସ ଜନିତ ରୋଗ ବାୟୁ ପ୍ରଦୂଷଣ ନିମନ୍ତେ ୫୩ ପ୍ରତିଶତ ହୋଇଥିବା ବେଳେ ୨୫.୯ ପ୍ରତିଶତ ମାଦକ ଦ୍ରବ୍ୟ ବ୍ୟବହାର ଯୋଗୁଁ ଏବଂ ୧୬.୫ ପ୍ରତିଶତ ବୃତିଗତ ବିପଦ ପାଇଁ ହୋଇଥାଏ । ଯୌøନକର୍ମୀ ମାନେ ଭୋଗୁଥିବା ଏହି ଆଜମା ପାଇଁ ବୃତିଗତ ବିପଦ ଦାୟୀ । ଯେଉଁଘରେ ବାସ କରନ୍ତି ସେହି ଘରେ ରୋଷେଇକରିବା ଦ୍ୱାରା ଧୂଆଁ ଘରମଧ୍ୟରେ ବୁଲେ ଯାହା ଅନେକ ସମୟରେ ନାକ ବାଟେ ଫୁସଫୁସକୁ ଯାଏ । ଗ୍ରାହକଙ୍କର ବିଡି ସିଗାରେଟ ଧୂଆଁ ମଧ୍ୟ ପ୍ରଶ୍ୱାସ ଦ୍ୱାରା ଫୁସଫୁସକୁ ଯାଏ । ତେଣୁ ବୟସ ବଢିଲେ ତାର ପ୍ରଭାବରେ ସେମାନେ ବେଶି ଭାବେ ଆକ୍ରାନ୍ତ ହେବା ଦେଖାଯାଏ ।
ନାଗରିକମାନଙ୍କର ସ୍ୱାସ୍ଥ୍ୟ ସମସ୍ୟାର ସମାଧାନ କରିବା ହେଉଛି ସରକାରଙ୍କ କର୍ତବ୍ୟ । ଯୌøନକର୍ମୀମାନେ ହେଉଛନ୍ତି ସାମାଜିକ, ଅର୍ଥନୈତିକ ପଛୁଆ ଶ୍ରେଣୀର । ତେଣୁ ସେମାନଙ୍କ ସ୍ୱାସ୍ଥ୍ୟ ଉପରେ ସରକାର ଅଧିକ ସଚେତନ ରହିବା ଆବଶ୍ୟକ ଏମାନେ ରହୁଥିବା ଘରେ ବାଧ୍ୟତାମୂଳକ ଭାବେ ଗୋଟିଏ ଝର୍କା ଖୋଲାଗଲେ ଘର ଭିତରର ବିଷାକ୍ତ ଧୂଆଁ ବାହାରକୁ ବାହାରିଯାଇ ଖୋଲା ପବନ ଘର ଭିତରକୁ ପ୍ରବେଶ କରନ୍ତା । ଯାହାର ଏକ ସକରାତ୍ମକ ପ୍ରଭାବ ସେମାନଙ୍କ ସ୍ୱାସ୍ଥ୍ୟ ଉପରେ ପଡନ୍ତା ।