ବାତ୍ୟା ସମୟରେ ଦେଖାଇଲେ ଉତ୍ସର୍ଗୀକୃତ ସେବା, ଲୋକଙ୍କଠୁଁ ସାଉଟିଲେ ପ୍ରଶଂସା

୧୯୯୯ ମସିହା ମହାବାତ୍ୟା ସମୟରେ ପୂର୍ବ ପ୍ରସ୍ତୁତି ନଥିବା ଯୋଗୁଁ ପ୍ରାୟ ୧୦ ହଜାର ଲୋକ ମୃତ୍ୟୁ ବରଣ କରିବା ସହ ଅନେକ କ୍ଷୟକ୍ଷତି ହୋଇଥିଲା । ଏହାପରଠାରୁ ଓଡ଼ିଶା ପୂର୍ବ ପ୍ରସ୍ତୁତି ସହ ଡିଜାଷ୍ଟର ମ୍ୟାନେଜମେଂଟରେ ଆନ୍ତର୍ଜାତୀୟ ଖ୍ୟାତିପାଇପାରିଛି । ଏଥିପାଇଁ ରହିଛି ଅନେକଙ୍କର ଉତଦସର୍ଗୀକୃତ ସେବା ମନୋଭାବ ।


ଭୁବନେଶ୍ୱର: ଗତ ସପ୍ତାହରେ ଓଡ଼ିଶା ଉପକୂଳବର୍ତୀ ଜିଲ୍ଲା କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ୱରର ବିଭିନ୍ନ ସ୍ଥାନରେ ବାତ୍ୟା ଦାନା ବ୍ୟାପକ କ୍ଷତି କରିଛି , ଏଥିଯୋଗୁଁ ବଡ ବଡ ଗଛ ଉପୁଡି ପଡିଛି , ବିଦ୍ୟୁତ ଓ ଟେଲିଫୋନ ତାର ମଧ୍ୟ ଛିଣ୍ଡିଛି । ବାତ୍ୟା ପରବର୍ତି ସମସ୍ୟାକୁ ସୁଧାରିବାକୁ ଏବେ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପ୍ରକାରର ପଦକ୍ଷେପ ନିଆଯାଉଥିବା ବେଳେ, ବାତ୍ୟା ଆସିବା ପୂର୍ବରୁ ଧନ ଜନ ଜୀବନ ହାନୀରୁ ଲୋକମାନଙ୍କୁ ସୁରକ୍ଷା ଦେବାପାଇଁ ରାଜ୍ୟସରକାରଙ୍କ ପକ୍ଷରୁ ସବୁପ୍ରକାରର ବ୍ୟବସ୍ଥା କରାହୋଇଥାଏ ।
ବିଶେଷକରି ତଳିଆ ଅଂଚଳରେ ରହୁଥିବା ଗାଁ ଲୋକଙ୍କୁ ବାତ୍ୟା ପୂର୍ବରୁ ସୁରକ୍ଷିତ ସ୍ଥାନକୁ ନେବାକୁ ପ୍ରଶାସନ ପକ୍ଷରୁ ସବୁପ୍ରକାରର ପଦକ୍ଷେପ ନିଆଯାଇଥାଏ । ଏନଡିଆରଏଫ, ଓଡରାଫର କର୍ମଚାରୀମାନେ ନିଜ ଜୀବନକୁ ବାଜି ଲଗେଇ ବାତ୍ୟା ପୂର୍ବରୁ, ସମୟରେ ଓ ପରେ ଲୋକଙ୍କୁ ସୁରକ୍ଷିତ ସ୍ଥାନରେ ପହଂଚାଇବା ଏବଂ ରାସ୍ତାଘାଟରେ ଉପୁଡି ପଡିଥିବା ଗଛ ସଫା କରିବା ଆଦି କାମ କରିଥାଆନ୍ତି । ସେମାନଙ୍କ ବ୍ୟତୀତ ଆଶା, ଅଙ୍ଗନବାଡି ଦିଦି, ଏଏନଏମ ଦିଦି, ସରପଂଚ, ଡାକ୍ତର, ନର୍ସ. ପୁଲିସ, ସ୍ୱାସ୍ଥ୍ୟକର୍ମୀ, ଆମ୍ବୁଲାନସ କର୍ମଚାରୀ ଆଦି ସଭିଏଁ ନିଜ ପରିବାରକୁ ଛାଡି ଲୋକଙ୍କୁ ସୁରକ୍ଷା ଦେବା କାର୍ଯ୍ୟରେ ନିୟୋଜିତ ହେଇଥାଆନ୍ତି । ଉଦ୍ଦେଶ୍ୟ ବାତ୍ୟା ସମୟରେ ମୃତ୍ୟୁସଂଖ୍ୟା ଶୂନ ରହିବ ଓ ଯେତେ ସମ୍ଭବ ଲୋକଙ୍କୁ ସୁରକ୍ଷିତ ରଖାଯାଇପାରିବ ।
ବୃଦ୍ଧାଙ୍କୁ ପିଠିରେ ବୋହିଲେ ଆଶା ଦିଦି
ଏବର୍ଷ ମଧ୍ୟ ବାତ୍ୟା ଦାନା ଆସିବା ପୂର୍ବରୁ ରାଜ୍ୟ ସରକାର ଓ ପ୍ରଭାବିତ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ନିଆଯାଇଥିଲା । ବାତ୍ୟା ଦାନା ଓଡ଼ିଶାରେ ମାଡ ହେବା ପୂର୍ବରୁ ପ୍ରଭାବିତ ଜିଲ୍ଲା ଗୁଡିକର ଲୋକଙ୍କୁ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ଏହି ସ୍ଥାନାନ୍ତର କାର୍ଯ୍ୟରେ ନିଜର ଉତ୍ସର୍ଗୀକୃତ ସେବାପାଇଁ ରାଜ୍ୟବାସୀଙ୍କ ପ୍ରଶଂସା ସାଉଁଟିଛନ୍ତି କେନ୍ଦ୍ରାପଡା ଜିଲ୍ଲା ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଆଶା ଦିଦି ଶିବାନୀ ମଣ୍ଡଳ । ତାଙ୍କର କାମ ପାଇଁ ସେ ଏବେ ରାଜ୍ୟବାପୀ ଚର୍ଚ୍ଚାରେ ରହିଛନ୍ତି। ଜଣେ ବୃଦ୍ଧାଙ୍କୁ ଦେଢ କିଲୋମିଟର ଯାଏଁ ପିଠିରେ ବୋହି ଆଶ୍ରୟସ୍ଥଳକୁ ନେଉଥିବାର ତାଙ୍କର ଫଟୋ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବା ପରେ ସମସ୍ତେ ତାଙ୍କ କାମ ଦେଖି ହତଚକିତ ହୋଇପଡିଥିଲେ, ପ୍ରଶଂସାରେ ପୋତିପକାଇଥିଲେ । ଏପରିକି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ତାଙ୍କୁ ପ୍ରଶଂସା କରିବାକୁ ପଛାଇନଥିଲେ ସେ ଖୁସିରେ ଶିବାନୀଙ୍କ ଫଟୋ ସାମାଜିକ ଗଣମାଧ୍ୟମରେ ଶେୟାର କରିଥିଲେ । ପରେ ତାଙ୍କସହ ଟେଲିଫୋନରେ କଥା ହୋଇ ତାଙ୍କୁ ଘର ଓ ଅନ୍ୟ ଆବଶ୍ୟକ ସହାୟତା ଯୋଗାଇଦେବାକୁ ପ୍ରତିଶୃତି ଦେଇଥିଲେ ।
ଆଶା ଦିଦି ଶିବାନୀ କୁହନ୍ତି, ବାତ୍ୟା ପୂର୍ବରୁ ଖସାମୁଣ୍ଡା ଗାଁର ଲୋକଙ୍କୁ ଆଶ୍ରୟସ୍ଥଳୀକୁ ସୁରକ୍ଷିତ ସ୍ଥାନାନ୍ତରିତ କରିବାର ଦାୟିତ୍ୱ ତାଙ୍କୁ ମିଳିଥିଲା । ଗାଁର ଜଣେ ବୃଦ୍ଧା ପକ୍ଷାଘାତର ଶିକାର ଥିଲେ ଏବଂ ପ୍ରବଳ ବର୍ଷା ଯୋଗୁଁ ଆଶ୍ରୟସ୍ଥଳୀ କୁ ଯାଇପାରୁନଥିଲେ । ଶେଷରେ ଅନ୍ୟ ଉପାୟ ନପାଇ ସେ ତାଙ୍କୁ ନିଜ ପିଠିରେ ବୋହି ଦେଢ କିଲୋମିଟର ଚାଲି ଚାଲି ଆଶ୍ରୟସ୍ଥଳୀକୁ ନେଇଥିଲେ । ସେହିଦିନ ପରିସ୍ଥିତି ଏମିତି ହୋଇଥିଲା ଯେ ତାଙ୍କୁ ଗାଁର ସାତଜଣ ବୟସ୍କ ଓ ଦୁଇଜଣ ପ୍ରସୂତିଙ୍କୁ ପିଠିରେ ବୋହି ଆଶରୟସ୍ଥଳୀକୁ ନେବାକୁ ପଡିଥିଲା । ତାଙ୍କର ଏହି କାର୍ଯ୍ୟ ସାମାଜିକ ଗଣମାଧ୍ୟମରେ ଆସିବା ପରେ ଅନେକେ ତାଙ୍କୁ ଉଚ୍ଚ ପ୍ରଶଂସା କରିବା ସହ ବାତ୍ୟା ସମୟରେ ମାନବିକତାର ପ୍ରକୃତ ନିଦର୍ଶନ ଦେଖାଇଥିବା କହିଥିଲେ । ସେହିଭଳି, ବାତ୍ୟା ସମୟରେ ଆଗଧାଡିର ଯୋଦ୍ଧା ଭାବେ ୧୦୮ ଆମ୍ବୁଲାନସ କର୍ମଚାରୀ ମାନେ ମଧ୍ୟ ରୋଗୀମାନଙ୍କୁ ହସପିଟାଲକୁ ସ୍ଥାନାନ୍ତର କରୁଥିଲେ । ବାତ୍ୟା ପ୍ରଭାବରେ ରାସ୍ତାରେ ଭାଙ୍ଗିପଡିଥିବା ଗଛକୁ କାଟି ସେମାନେ ରୋଗୀଙ୍କ ଠାରେ ପହଂଚୁଥିଲେ । ଯେଉଁଠି ରୋଗୀଙ୍କୁ ଷ୍ଟ୍ରେଚରରେ ଆଣିବା ସମ୍ଭବ ନଥିଲା ସେଠି ସେମାନଙ୍କୁ ପିଠିରେ ବୋହି ନେଇଆସୁଥିଲେ ।
ପ୍ରଶଂସା ବି ସାଉଁଟିଲେ ଆମ୍ବୁଲାନସ କର୍ମଚାରୀ
ଭଦ୍ôରକ ଜିଲ୍ଲା ଚାନ୍ଦବାଲି ବ୍ଲକ ମୃଗନୟନୀ ଗାଁର ୫୫ ବର୍ଷୀୟ ଯମୁନା ପରିଡାଙ୍କୁ ଆଣିବାପାଇଁ ଯାଇଥିଲା ୧୦୮ ଆମ୍ବୁଲାନସ, କିନ୍ତୁ ବାତ୍ୟା ପ୍ରଭାବରେ ରାସ୍ତାରେ ବହୁ ଗଛ ଭାଙ୍ଗି ପଡିଥିଲା । ଫଳରେ ତାଙ୍କ ପାଖରେ ଠିକ ସମୟରେ ପହଂଚିବା ଆମ୍ବୁଲାନସ କର୍ମଚାରୀଙ୍କ ପାଇଁ କାଠିକର ପାଠ ହୋଇଯାଇଥିଲା । ଗଛକୁ କାଟି ରୋଗୀଙ୍କୁ ଆମ୍ବୁଲାନସ ଯାଏଁ ଆଣି ପୁଣି ତାଙ୍କୁ ସେଠାରୁୁ ଚାନ୍ଦବାଲି ଡାକ୍ତରଖାନାରେ ଭର୍ତି କରିବାକୁ ଚେଷ୍ଟା କରୁଥିଲେ ଆମ୍ବୁଲାନସ କର୍ମଚାରୀ । ସେହିଭଳି ବାତ୍ୟାରେ ଆଶା ଦିଦି ଶିବାନୀଙ୍କ ପରି ଆଉ ଜଣେ ଯୋଦ୍ଧା ହେଉଛନ୍ତି ୧୦୮ ଆମ୍ବୁଲାନସର ହେଲପର ମାନସ ମଲ୍ଲିକ । କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ଅଧୀନ କାଠୁଆଗଣ୍ଡ ଗାଁର ରୋଗୀ ଦାମୋଦର ରାଉତଙ୍କ ପାଖରେ ବହୁସଂଘର୍ଷ ପରେ ଯାଇ ପହଂଚିଥିଲା ୧୦୮ ଆମ୍ବୁଲାନସ । ହେଲେ ରାସ୍ତାରେ ଗଛ ଭାଙ୍ଗି ପଡିଥିବାରୁ ଷ୍ଟ୍ରେଚରରେ ତାଙ୍କୁ ଧରି ଆଣିବା ସହଜ ନଥିଲା । ତାଙ୍କୁ ଡାକ୍ତରଖାନାକୁ ନେବାର ଆବଶ୍ୟକତା ଥିବାରୁ ଅନ୍ୟ ଉପାୟ ନପାଇ ଶେଷରେ ଆମ୍ବୁଲାନସର ହେଲପର ମାନସ ତାଙ୍କୁ ଟେକି ଟେକି ନେଇ ଆମ୍ବୁଲାନସରେ ବସାଇଥିଲେ । ପରେ ତାଙ୍କୁ ନେଇ ଡାକ୍ତରଖାନାରେ ଭର୍ତି କରିଥିଲେ । ରୋଗୀଙ୍କୁ ଛାଡିବା ପରେ ଗାଡି ସଫା କରୁଥିବା ସମୟରେ ଦାମୋଦରଙ୍କ ସଂପର୍କୀୟଙ୍କ ପକେଟରୁ ଗାଡି ଭିତରେ ଖସିପଡିଥିବା ସାଢେ ଛଅ ହଜାର ଟଙ୍କା ମଧ୍ୟ ତାଙ୍କ ପରିବାର ଲୋକଙ୍କୁ ଫେରାଇ ଦେଇଥିଲେ । ଦାମୋଦରଙ୍କୁ ଟେକି ଟେକି ଆଣୁଥିବା ସମୟର ଭିଡିଓ ଭାଇରାଲ ହେବା ପରେ ମାନସଙ୍କୁ ମଧ୍ୟ ପ୍ରଶଂସାର ସୁଅ ଛୁଟିଥିଲା । ମାନସ କୁହନ୍ତି, ରୋଗୀଙ୍କୁ ଡାକ୍ତରଖାନାକୁ ସଠିକ ସମୟରେ ପହଂଚାଇବା ଥିଲା ତାଙ୍କର ଦାୟିତ୍ୱ ଏଣୁ ସେ ତାଙ୍କୁ ଟେକି ଟେକି ଆମ୍ବୁଲାନସ ଯାଏଁ ଆଣିଥିଲେ । ବାତ୍ୟା ସମୟରେ ଶିବାନୀ ଓ ମାନସଙ୍କ ପରି ଅନେକ ଯୋଦ୍ଧା ଏମିତି ଲୋକଙ୍କୁ ସାହାଯ୍ୟ କରିଥିବେ ହେଲେ ସେମାନଙ୍କ କଥା ଲୋକଲୋଚନକୁ ଆସିପାରିନଥିବାରୁ ସେମାନେ ଆଢୁଆଳରେ ରହିଯାଇଛନ୍ତି । ଏମାନେ କାମ କରିଯାଆନ୍ତି ଓ କାହାର ପ୍ରଶଂସା ଆବଶ୍ୟକ କରନ୍ତି ନାହିଁ । ଶିବାନୀ ଓ ମାନସଙ୍କ ପରି ଯୋଦ୍ଧାଙ୍କ ଏହି ଉତ୍ସର୍ଗୀକୃତ ସେବାପାଇଁ ସେମାନେ ସବୁବେଳେ ନମସ୍ୟ ।

Leave a Reply

Your email address will not be published. Required fields are marked *