ସମ୍ବଲପୁର : ପ୍ରାୟ ସବୁ ଦିନ ସକାଳ ୬ ବାଜିବା ପୂର୍ବରୁ ୧୮ ବର୍ଷିୟ କୁସୁମ ଓ ୧୭ ବର୍ଷର ସୁବାସିନୀ ସର୍ଟସ, ଜର୍ସି ପିନ୍ଧି ହାତରେ ଫୁଟବଲ ଧରି ଗାଁ ପାଖ ଖେଳ ପଡିଆକୁ ବାହାରି ପଡନ୍ତି ଫୁଟବଲ ଖେଳିବା ପାଇଁ । ଆଉ ସେଠି ସେମାନଙ୍କ ସାଙ୍ଗରେ ଖେଳିବା ପାଇଁ ଅପେକ୍ଷା କରି ଥାଆନ୍ତି ତାଙ୍କ ବୟସର ଗାଁର ପୁଅ ସାଥୀ ଖେଳାଳିମାନେ। ଶୁଣିଲେ ଅଡୁଆ ଲାଗୁଥିବ ନିଶ୍ଚୟ କିନ୍ତୁ ପଶ୍ଚିମ ଓଡ଼ିଶାର ବିଭିନ୍ନ ଗାଁରେ ଏବେ ଏମିତି ଦୃଶ୍ୟ ନିୟମିତ ଦେଖିବାକୁ ମିଳେ । ପତଙ୍ଗ ଅନୁଷ୍ଠାନ ପକ୍ଷରୁ ଆରମ୍ଭ କରାଯାଇଥିବା ଏହି ପୁଅ-ଝିଅ ଫୁଟବଲ ଖେଳର ଉଦ୍ଦେଶ୍ୟ ହେଉଛି ସମାଜରେ ପ୍ରଚଳିତ ଥିବା ଲିଙ୍ଗଗତ ବିଭେଦ ଓ ଋଢିବାଦୀ ଚଳଣୀକୁ ଦୂର କରିବା । ତେବେ ପଶ୍ଚିମ ଓଡ଼ିଶାର ଗାଁ ଗାଁରେ ପୁଅ-ଝିଅକୁ ନେଇ ମିଳିତ ଭାବେ ଏଭଳି ଏକ ଫୁଟବଲ ମ୍ୟାଚ ଆୟୋଜନ କରିବା କିନ୍ତୁ ଏତେ ସହଜ ନଥିଲା । ଏଭଳି ଏକ ଭିନ୍ନ ଧରଣର ଚିନ୍ତାଧାରାକୁ ନେଇ ଫୁଟବଲ ମ୍ୟାଚ ଆରମ୍ଭ କରିଥିବା ସଂସ୍ଥା ପତଙ୍ଗର ପ୍ରତିଷ୍ଠାତା ରୀତା ମିଶ୍ର କୁହନ୍ତି, ସମାଜରେ ପ୍ରଚଳିତ ଥିବା ଲିଙ୍ଗଗତ ବିଭେଦ ଓ ଚଳଣୀ ଦ୍ୱାରା କେବଳ ମହିଳା ନୁହନ୍ତି ବରଂ ଉଭୟ ପୁରୁଷ ଓ ମହିଳା ଦୁହେଁ ପ୍ରଭାବିତ ହୁଅନ୍ତି । ସମାଜରେ ପୁଅ-ଝିଅଙ୍କ ମଧ୍ୟରେ ଥିବା ଲିଙ୍ଗଗତ ବିଭେଦକୁ ଭାଙ୍ଗିବା ହେଉଛି ଏହି ଫୁଟବଲ ଖେଳର ଲକ୍ଷ୍ୟ । ବିଶେଷକରି ଖେଳରେ ମହିଳାଙ୍କ ପାଇଁ ଥିବା ଋଢିବାଦୀ ଚିନ୍ତାଧାରାକୁ ଦୂର କରିବା ପାଇଁ ସେ ଏହି ଫୁଟବଲ ଟୁର୍ଣ୍ଣାମେଣ୍ଟ କରିବାକୁ ଚିନ୍ତା କଲେ ।
ଗତବର୍ଷ ରାଜ୍ୟରେ ପ୍ରଥମଥର ପାଇଁ ଆରମ୍ଭ ହୋଇଥିବା ଏହି ସମତା କପ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ୧୦ଟି ଦଳ ଭାଗ ନେଇଥିବା ବେଳେ ଏବର୍ଷ ୨୦ଟି ଦଳ ଭାଗ ନେଇଛନ୍ତି । ଝାରସୁଗୁଡା, ସୁନ୍ଦରଗଡ, ବରଗଡ, ସୁବର୍ଣପୁର ଓ ଦେଓଗଡର ଖେଲାଳିମାନେ ଏହି ଟୁର୍ଣାମେଂଟରେ ଭାଗ ନେଇଛନ୍ତି । ଏବର୍ଷ ଏହି ଫୁଟବଲ ମ୍ୟାଚ ନଭେମ୍ବର ୧୧ ରୁ ୧୬ ତାରିଖ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଗତ କିଛି ମାସ ମଧ୍ୟରେ ପ୍ରାୟ୧୪୧ଜଣ ଝିଅ ଓ ୧୮୮ ଜଣ ପୁଅ ଫୁଟବଲ ଖେଳର ଟ୍ରେନିଂ ପାଇ ସମତା କପରେ ଭାଗ ନେଇପାରିଛନ୍ତି ।
ସମାଜରେ ପ୍ରଚଳିତ ଥିବା ଲିଙ୍ଗଗତ ବିଭେଦ ଯୋଗୁଁ ଝିଅ ଓ ମହିଳା ମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ପାଇଁ ପୁରୁଷ ଓ ପୁଅମାନଙ୍କୁ ଦାୟୀ କରିବା ସହ ସେମାନଙ୍କୁ ଏକ ଅଭିଯୁକ୍ତ ଦୃଷ୍ଟିକୋଣରୁ ଦେଖାଯାଇଥାଏ । କିନ୍ତୁ ପିତୃକେନ୍ଦ୍ରିକ ମାନସିକତା, ଋଢିବାଦୀ ଚଳଣୀ ଯୋଗୁଁ ଉଭୟେ ଯେ ବିଭିନ୍ନ ପ୍ରକାରର ସମସ୍ୟାର ସମ୍ମୁଖୀନ ହୁଅନ୍ତି ଏ ବିଷୟରେ ଖୁବ କମ ଆଲୋଚନା ହୁଏ । ପତଙ୍ଗ ସଂସ୍ଥା ଏହି ଫୁଟବଲ ଖେଳ ମାଧ୍ୟମରେ ଏହି ବିଷୟକୁ ଆଲୋଚନା ମଧ୍ୟକୁ ଆଣିବା ସହ ଦୁହିଁଙ୍କ ଭିତରେ ଥିବା ବିଭେଦକୁ ଦୂର କରିବାକୁ ଚେଷ୍ଟା କରିଛି ।
କାହିଁକି ଫୁଟବଲ ଖେଳ
ପତଙ୍ଗ ସଂସ୍ଥାର ମୁଖ୍ୟ ରୀତା ମିଶ୍ର କୁହନ୍ତି, ସମସ୍ତେ ମହିଳା ନଚେତ ଝିଅମାନଙ୍କ ସମସ୍ୟା ନେଇ କାମ କରନ୍ତି କିନ୍ତୁ ୨୦୧୮ ମସିହାରୁ ଆରମ୍ଭ ହୋଇଥିବା ଏହି ସଂସ୍ଥା ଦୁହିଁଙ୍କ ସମସ୍ୟା ନେଇ କାମ କରିଆସୁଛି । ସମାଜରେ ଥିବା ଲିଙ୍ଗଗତ ବୈଷମ୍ୟ ଓ ଚଳଣୀକୁ ଦୂର କରିବାକୁ ହେଲେ ଉଭୟଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ ହେବ । ଏଥିପାଇଁ ନିୟମିତ ଭାବେ ସେମାନଙ୍କ ମଧ୍ୟରେ ଲାଇଫସ୍କିଲ ଟ୍ରେନିଂ ଏବଂ ସେଫ ସ୍ପେସର ଆବଶ୍ୟକତାକୁ ନେଇ ବିଭିନ୍ନ ପର୍ଯ୍ୟାୟରେ ଆଲୋଚନା କରାହେଲା ।
ବିଶେଷକରି ଖେଳରେ ଥିବା ଲିଙ୍ଗଗତ ବିଭେଦ ଦୂର କରିବା ପାଇଁ ପ୍ରଥମେ ପୁଅମାନଙ୍କୁ କୁହାଗଲା ସେମାନେ ତାଙ୍କ ସହ ଖେଳିବା ପାଇଁ ତାଙ୍କ ଭଉଣୀ ନଚେତ ଝିଅ ସାଙ୍ଗମାନଙ୍କୁ ସାଥିରେ ନେଇ ଆସିବେ ଓ ଉଭୟ ଲିଙ୍ଗ ବା ମିକସଡ ଜେଣ୍ଡରର ଟିମ ଗଠନ କରିବେ । କାରଣ ଗାଁ ଗୁଡିକରେ ଉଭୟ ଲିଙ୍ଗ ବା ମିକସଡ ଜେଣ୍ଡରର କୌଣସି ଫୁଟବଲ ଟିମ ନଥିଲା । ଏଣୁ ଏହି ସଂସ୍ଥାକୁ ପ୍ରଥମେ ବିଭିନ୍ନ ଗାଁରେ ମିକସଡ ଜେଣ୍ଡରର ଟିମ ଗଠନ କରିବାକୁ ପଡିଲା ।
ତେବେ ଏହି ମିକସଡ ଜେଣ୍ଡର ଟିମ ଗଠନ କରିବା ଏତେ ସହଜ ନଥିଲା ଏବଂ ଏଥିପାଇଁ ସଂସ୍ଥାକୁ ଅନେକ ପରିଶ୍ରମ କରିବାକୁ ପଡିଛି । କିଛି ବାପା ମା ତାଙ୍କ ଝିଅଙ୍କୁ ଫୁଟବଲ ଖେଳିବାକୁ ଛାଡୁନଥିବା ବେଳେ ଆଉ କିଛି ପରିବାରରେ ଝିଅ ପିଲାଙ୍କୁ ପୁଅଙ୍କ ସହ ମିଶି ଫୁଟବଲ ଖେଳିବାରେ କଟକଣା ଥିଲା । କୁସୁମ କୁହନ୍ତି, ପ୍ରଥମେ ପ୍ରଥମେ ମୋ ମା ପୁଅଙ୍କ ସହ ଫୁଟବଲ ଖେଳକୁ ନେଇ ବ୍ୟସ୍ତ ଓ ବିବ୍ରତ ହେଉଥିଲେ । ପୁଅମାନଙ୍କ ସହ ଖେଳିବା ସମୟରେ ତାଙ୍କ ହାତ ଗୋଡ ଅଜାଣତରେ ବାଜିଗଲେ ସେ ଚିନ୍ତିତ ହୋଇପଡୁଥିଲେ । କିନ୍ତୁ ଧିରେ ଧିରେ ତାଙ୍କ ଭିତରେ ପରିବର୍ତନ ଆସିଲା । ଏବେ ମୋର ଭାଇ ମୋତେ ଓ ସାନ ଭଉଣୀ ଉଭୟଙ୍କୁ ସାଙ୍ଗରେ ନେଇ ଫୁଟବଲ ଖେଳୁଛନ୍ତି । ଆଉ ଆମ ମା ଙ୍କ ଭିତରେ ଥିବା ଭୟ, ବ୍ୟସ୍ତତା ଓ ଚିନ୍ତା ଦୂର ହୋଇଛି ।
ଖେଳରେ ଶାଳୀନତା
ଖେଳ ଖେଳିବା ବେଳେ ଜିତିବା ପାଇଁ ଅନେକ ସମୟରେ
ଖେଳାଳି ଜଣକ ଆକ୍ରମଣାତ୍ମକ ହୋଇଯିବାର ଦୃଷ୍ଟାନ୍ତ ରହିଛି । ଗୋଟିଏ ଲିଙ୍ଗର ଖେଳାଳି ଖେଳୁଥିଲେ ଏହା ଏତେ ସମସ୍ୟା ହେବନାହିଁ କିନ୍ତୁ ମିକ୍ସଡ ଜେଣ୍ଡର ଟିମରେ ଯେତେବେଳେ ସେମାନେ ଖେଳୁଛନ୍ତି ଏଥିରେ ସମସ୍ୟା ଉପୁଜିପାରେ । ଅନେକ ବାପାମାଙ୍କ ମଧ୍ୟରେ ଏନେଇ ଭୟ ଓ ଆଶଙ୍କା ରହିଥିଲା । ଏହାକୁ ଆଖିରେ ରଖି ସଂସ୍ଥା ପକ୍ଷରୁ ଟିମ ଗଠନ ସମୟରେ କିଛି ନିୟମ ପ୍ରଣୟନ କରିବା ସହ ଉଭୟଙ୍କର କାଉନସେଲିଂ କରାଗଲା । ସେମାନେ ଏକାସାଙ୍ଗରେ ଖେଳିବା ସମୟରେ କିଭଳି ଅନ୍ୟ ଲିଙ୍ଗର ବ୍ୟକ୍ତିଙ୍କୁ ସମ୍ମାନ କରିବେ – ଭାଷା ସଂଯମତା ରକ୍ଷା କରିବେ, ଭଲ ଓ ଖରାପ ସ୍ପର୍ଶକୁ ଧ୍ୟାନ ଦେବେ- ଏବାବଦରେ ବୁଝା ହେଲା । ଏହାର ଏକ ଭଲ ପ୍ରଭାବ ପିଲାଙ୍କ ଉପରେ ପଡିଲା । ବିଶେଷକରି ପୁଅମାନଙ୍କ ବ୍ୟବହାରରେ ପରିବର୍ତନ ଆସିଲା । ଏହି କାଉନସେଲିଂରେ ଭାଗ ନେଇଥିବା ୨୦ବର୍ଷର ଅଭିଷେକ ସୁନା କୁହନ୍ତି, ଆଗରୁ ଝିଅମାନଙ୍କ ସହ କଥା ହେବାରେ ମୁଁ ଏତେଟା ସହଜ ଅନୁଭବ କରୁନଥିଲି । ଏଣୁ ଏହି ମିକ୍ସଡ ଜେଣ୍ଡର ଫୁଟବଲ ମ୍ୟାଚକୁ ନେଇ ମୋ ମନଭିତରେ ଅନେକ ପ୍ରଶ୍ନ ଓ ଆଶଙ୍କା ଥିଲା । କିନ୍ତୁ କାଉନସେଲିଂରେ ଭାଗ ନେବା ପରେ ମୁଁ ଓ ମୋ ବନ୍ଧୁ ମାନଙ୍କ ମଧ୍ୟରେ ଥିବା ଅନେକ ଶଙ୍କା ଦୂର ହୋଇଛି । ଝିଅମାନଙ୍କ ସହ ଫୁଟବଲ ଖେଳିବା ସମୟରେ ଆମେ ଶାଳିନତା ରକ୍ଷା କରିବା ସହ ତାଙ୍କ ପ୍ରତି ଯେଭଳି କୌଣସି ଅପ୍ରିତିକର ପରିସ୍ଥିତି ନ ଉପୁଜେ ସେନେଇ ଦାୟିତ୍ୱବାନ ରହୁଥିଲୁୁ ।
ତେବେ କେବଳ ଖେଳ ପଡିଆରେ ନୁହେଁ ପଡିଆ ବାହାରେ ମଧ୍ୟ ପୁଅମାନଙ୍କ ବ୍ୟବହାରରେ ପରିବର୍ତନ ଆସିଛି । ଆଗେ ସେମାନେ ଆମକୁ ତାଙ୍କ ସହ ମିଶାଉ ନଥିଲେ ଏବଂ ଆମେ କିଛି କରିପାରିବୁ ସେଭଳି ଧାରଣା ମଧ୍ୟ ସେମାନଙ୍କର ନଥିଲା । କିନ୍ତୁ ଏହି ମିକ୍ସଡ ଜେଣ୍ଡର ଫୁଟବଲ ଖେଳ ଯୋଗୁଁ ସେମାନେ ଏବେ ଆମକୁ ସମ୍ମାନର ସହ ଦେଖୁଛନ୍ତି ବୋଲି କୁହନ୍ତି ଉଭୟ କୁସୁମ ଓ ସୁବାସିନୀ । ଗତ ଦୁଇ ବର୍ଷ ଧରି ଚାଲିଥିବା ଏହି ସମତା କପ ଟୁର୍ଣ୍ଣାମେଣ୍ଟ କିଛି ସଫଳତା ଆଣିବା ସହ ଗାଁ ଗାଁରେ ଥିବା ଲିଙ୍ଗଗତ ବିଭେଦ ଦୂର କରି ସମାନତା ଆଣିବାକୁ ଚେଷ୍ଟା କରିଛି ବୋଲି କୁହନ୍ତି ରୀତା ମିଶ୍ର ।