କୋରାପୁଟ ଜିଲ୍ଲା ଆଦିବାସୀଙ୍କ ପାରମ୍ପରିକ କଳାଜିରା ଚାଉଳ ଏବେ ଆମାଜନ୍ରେ । ୧୨ ବର୍ଷ ତଳେ ପ୍ରାୟ ହଜିିବାକୁ ବସିଥିବା ଏହି ପାରମ୍ପରିକ କଳାଜୀରାଧାନ ଏବେ ଜିଲ୍ଲାର ଅଧିକାଂଶ ମହିଳା ଚାଷୀଙ୍କୁ ସ୍ୱାବଲମ୍ବୀ କରିପାରିଛି । ସେମାନଙ୍କୁ ଘରର ଚାରିକାନ୍ଥ ଡିଆଇଁ ଦିଲ୍ଲୀ ପହଂଚାଇ ପାରିଛି । କେବଳ ସେତିକି ନୁହେଁ କ୍ଷୁଦ୍ର ଚାଷୀ ଭାବେ ନୂଆ ପରିଚୟ ବି ଦେଇଛି । ଆଦିବାସୀଙ୍କ ବଳ ପାଲଟିଥିବା ଏହି କଳାଜିରା ଧାନ ମହିଳା ଚାଷୀଙ୍କୁ କେବଳ ବ୍ୟକ୍ତିିଗତ ଭାବେ ନୁହେଁ ଦଳଗତ ଭାବେ ବିକାଶ କରିବାରେ ସାହାଯ୍ୟ କରିପାରିଛି । ଆଉ ଏ ଦିଗରେ ଉଦାହରଣ ସୃଷ୍ଟି କରଛନ୍ତିି କୋରାପୁଟ ଜିଲ୍ଲାମାଛରା ଗାଁ ର ୧୦୦ ଆଦିବାସୀ ମହିଳା ଚାଷୀ ।
ଭୁବନେଶ୍ୱର ;
କୋରାପୁଟ ଜିଲ୍ଲା ସଦରମହକୁମାଠାରୁ ୭ କିଲୋମିଟର ଦୂର ଦଶମନ୍ତପୁର ତହସିଲରେ ରହିଛି ମାଛରା ଗାଁ । ପାହାଡ ପାଦ ଦେଶରେ ରହିଥିବା ଏହି ଛୋଟ ଆଦିବାସୀ ଗାଁର ୧୦୦ରୁ ଅଧିକ ଆଦିବାସୀ ମହିଳା ଚାଷୀ ଆଜି କଳାଜିରା ଯୋଗୁଁ ଆର୍ଥିକ କ୍ଷେତ୍ରରେ ସ୍ୱାବଲମ୍ବୀ ହୋଇ ପାରିଛନ୍ତି । କେବଳ ସେତିକି ନୁହେଁ ଗାଁର ମହିଳା ମାନେ ଏକାଠି ହୋଇ ସାବରୀ ପ୍ରଡ୍ୟୁସର ଗ୍ରୁପ୍ ନାମରେ ଏକ ଉତ୍ପାଦକ ଗୋଷ୍ଠୀ ଗଢ଼ି ପାରିଛନ୍ତି । ଜୟପୁର ସ୍ଥିତ ସ୍ୱାମୀନାଥନ ରିସର୍ଚ୍ଚ ଫାଉଣ୍ଡେସନ୍ର ଗବେଷକମାନଙ୍କ ସହାୟତାରେ ଆରମ୍ଭ ହୋଇଥିବା ଏହି ଉତ୍ପାଦକ ଗୋଷ୍ଠୀ ଏବେ ଅନ୍ୟ ମହିଳା ଚାଷୀଙ୍କଠାରୁ ଧାନ ସଂଗ୍ରହ କରିବା, ଧାନରୁ ଚାଉଳ ପ୍ରସ୍ତୁତ କରି ଏହାକୁ ପ୍ୟାକେଜିଂ କରିବା ପୁଣି ଆମାଜନ୍ ଭଳି ଇ କମର୍ସ ପ୍ଲାଟଫର୍ମରେ ଏହାକୁ ବିକ୍ରି କରିବା, ଜିଲ୍ଲାର ଅଧିକାଂଶ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ପରୋକ୍ଷରେ କର୍ମ ନିଯୁକ୍ତି ଯୋଗାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିିଛି । କେବଳ ସେତିକି ନୁହେଁ ମାଛରା ସମେତ ଅନ୍ୟ ୫ ଖଣ୍ଡ ଗାଁର ଆଦିବାସୀ ମହିଳା ଚାଷୀମାନଙ୍କ ସହଭାଗିତାରେ କଳାଜିରା ସମେତ ସମସ୍ତ କ୍ଷୁଦ୍ର ଶସ୍ୟ ଯେପରିକି ମାଣ୍ଡିଆ, ବାଜରା, ସୁଆଁ, ଡଙ୍ଗରରାଣୀ, ଆଦିକୁ ପ୍ୟାକେଜିଂ କରି ବିଶ୍ୱ ବଜାରରେ ପହଂଚି ପାରିଛି ।
ଏ ବାବଦରେ ସାବରୀ ପ୍ରଡ୍ୟୁସର ଗ୍ରୁପ୍ର ଦୈମତୀ ଚେଣ୍ଡୀ କହନ୍ତି ମାଛରା ଗାଁର ପାଖାପାଖି ୩୦ ମହିଳା ଚାଷୀ ଏବେ ନିୟମିତ ଭାବେ ୮ ବର୍ଷ ହେଲାଣି କଳାଜିରା ଚାଷ କରି ଲାଭବାନ ହୋଇ ପାରୁଛନ୍ତି । ପୂର୍ବରୁ କେବଳ ଆମ ଗାଁର କିଛି ମହିଳା ଏହାକୁ ଚାଷ କରୁଥିଲେ । ହେଲେ ଏବେ ଆମାଜନ୍ରେ ଅର୍ଡର ଆସିବାରୁ ଓ ଲୋକଙ୍କ ଚାହିଦା ବଢ଼ିବାରୁ ମାଛରା ସମେତ ଶୁକ୍ରିଗୁଡା, ବଣେଇପଦର, ପଢ଼େଇଗୁଡା, ମେଣ୍ଢାଗୁଡାର ପାଖାପାଖି ୧୦୦ରୁ ଅଧିକ ଆଦିବାସୀ ମହିଳା ଚାଷୀ ଏହାକୁ ଆପଣେଇ ବେଶ ରୋଜଗାରକିଛି ପଇସା ଲାଭ କରୁଛନ୍ତି । ଯେଉଁ ମହିଳାମାନଙ୍କ ଜମି ନାହିଁ ଏବେ ସେମାନେ ଲିଜ୍ରେ ଜମି ନେଇ ବି ଏହାକୁ ଚାଷ କରିବା ଆରମ୍ଭ କଲେଣି ।
ପାଖାପାଖି ୩ ଏକର ଜମିରେ କଳାଜିରା ଧାନ ଚାଷ କରୁଥିବା ମାଛରା ଗାଁର ମହିଳା ଚାଷୀ ଚି ଚେଣ୍ଡିଆ କହନ୍ତି; ଗାଁର ଅଧିକାଂଶ ଲୋକ ପରଜା, ଗଦବା, ଭୂମିୟାଁ ସମ୍ପ୍ରଦାୟର । ଡଙ୍ଗର ଜମିରେ ପାରମ୍ପରିକ ଧାନ ଓ ମାଣ୍ଡିଆ ଚାଷ କରି ପରିବାର ଚଳାଉଥିଲେ । ଅଧିକ ଟଙ୍କାର ଆବଶ୍ୟକତା ପଡିଲେ ଆମକୁ ଗାଁ ବାହାରେ ଯାଇ ନରେଗା (ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା)ରେ କାମ କରିବାକୁ ପଡେ । ଏତିକି ଆୟରେ ପିଲାମାନଙ୍କୁ ପାଠ ପଢ଼ାଇବା ସମ୍ଭବ ହେଉନଥିଲା ମାତ୍ର ଯେବେଠାରୁ ଆମେ ଗାଁରେ କଳାଜିରା ଧାନ ଚାଷ ଆରମ୍ଭ କରିଛୁ ସେବେଠାରୁ ବେଶ ଭଲ ଲାଭ ହେଉଛି । ସାଧାରଣ ଧାନ କିଲୋ ପ୍ରତି ୧୫ ଟଙ୍କାରେ ବିକ୍ରି କରାଯାଉଥିବା ବେଳେ କଳାଜିରା ଧାନ ୨୫ରୁ ୩୦ ଟଙ୍କା ଯାଏଁ ଯାଉଛି । ତେବେ ଏହାକୁ ଚାଉଳ କରିବା ପରେ ଆମାଜନ୍ରେ ଏହା୧୪୦ରୁ ୧୬୦ ଟଙ୍କାରେ ବିକ୍ରି ହେଉଛି । ଫଳରେ ଆମେ ଏହାର ଲାଭ ବିଷୟରେ ଜାଣିଲୁ । ଓର୍ମାସ ଏ ଦିଗରେ ଆମକୁ ଅନେକ ସହାୟତା କରୁଛି । ଆମଠାରୁ ଚାଉଳ କ୍ରୟ କରିବା ପୁଣି ତାକୁ ପ୍ୟାକେଜିଂ କରି ଇ-କମର୍ସ ସାଇଟ୍ରେ ବିକ୍ରି କରିବା ଯାଏଁ ସବୁ କାମରେ ଓର୍ମାସ ସହାୟତା କରୁଛି । କଳାଜିରା ଧାନ ଚାଷ କରି ଏବେ ମୋ ଝିଅ ଓ ପୁଅକୁ ମୁଁ ହଷ୍ଟେଲରେ ରଖି ପାଠ ପଢ଼ାଇ ପାରୁଛି ।
ଗାଁର ସଇତା ଜାନି କହନ୍ତି; ପ୍ରଥମେ ପ୍ରଥମେ ମୁଁ ଗାଁର ଅନ୍ୟ ମହିଳାମାନଙ୍କ ଭଳି ଅଳ୍ପ କିଛି ଜାଗାରେ କଳାଜିରା ଚାଷ କରୁଥିଲି । ମାତ୍ର ଏବେ ମୋ ନିଜ ଜମି ବ୍ୟତୀତ ଅନ୍ୟର ଜମିକୁ ଲିଜ୍ରେ ନେଇ ମୁଁ ଚାଷ କରୁଛି । ସହଜରେ ଓ ସୁଲଭ ମୂଲ୍ୟରେ ବିହନ ମିଳିଯାଉଥିବାରୁ ଓ ଅମଳ ହେଲା ପରେ ଧାନ ବିକ୍ରିବଟା ପାଇଁ କଷ୍ଟ କରିବାକୁ ପଡୁନଥିବାରୁ ଏଥିପ୍ରତି ବେଶୀ ଆଗ୍ରହ ସୃଷ୍ଟି ହେଉଛି । କଳାଜିରା ଯୋଗୁଁ କେବଳ ଆମର ଆର୍ଥିକ ପରିସ୍ଥିତିରେ ସୁଧାର ଆସିନି ବରଂ ଲୋକଙ୍କ ମାନସିକତାରେ ବି ଅନେକ ପରିବର୍ତନ ଆସିଛି । ଏବେ ମୋ ପରି ଗାଁର ଅନ୍ୟ ମହିଳାମାନେ ଘରୁ ପାଦ କାଢ଼ି ସହରକୁ ଯାଇ ପାରୁଛନ୍ତି । ଆମେ ସବୁ ଟ୍ରେନ୍ରେ ବସି ବଡ ବଡ ସହର ଯିବାର ଓ ସେଠି ଲୋକଙ୍କ ସହ ମିଶିବାର ସୁଯୋଗ ପାଇଛୁ । ଗାଁର ପୁରୁଷମାନେ ଆଗ ଭଳି ଆମକୁ ଆଉ ଭିନ୍ନ ଦୃଷ୍ଟିରେ ଦେଖୁନାହାନ୍ତି ବରଂ ରୋଜଗାର କରୁୁଥିବାରୁ ସେମାନେ ଘର କାମରେ ସାହାଯ୍ୟ କରୁଛନ୍ତି ଓ ସମ୍ମାନ ଦେଉଛନ୍ତି । ଗାଁର ଅଧିକାଂଶ ଘରର ପିଲା ଏବେ ସ୍କୁଲ ଯିବା ଆରମ୍ଭ କରିଛନ୍ତି । କଳାଜିରା ଯୋଗୁଁ ଗାଁର ସାମଗ୍ରିକ ବିକାଶ ସମ୍ଭବ ହୋଇ ପାରିଛି ।
କଳାଜିରା ଏବେ ମିଶନ୍
ହରିବୋଲା ପିତିଆ କହନ୍ତି; ଆଜିକୁ ୮ ବର୍ଷ ତଳେ କେବଳ ଆଦିବାସୀଙ୍କ ପାରମ୍ପରିକ ଚାହିଦାକୁ ମେଂଟାଇବା ପାଇଁ କାଁ ଭାଁ ଏହାକୁ ଚାଷ କରାଯାଉଥିଲା । ପ୍ରତିବର୍ଷ ଦିପାବଳୀ, ଦୁର୍ଗାପୂଜା ଓ ପୁଷ୍ପରବ (ଫେବୃୟାରୀ)ଆଦିରେ ଧରଣୀଫେନୁକୁ ପୂଜା କରିବା ପାଇଁ ଏହି ଚାଉଳର ଆବଶ୍ୟକତା ପଡୁଥିଲା । ତେଣୁ ଗାଁ ଲୋକେ ଏହାକୁ ଅଳ୍ପ ଜମିରେ ଚାଷ କରୁଥିଲେ । ୨୦୧୫ ମସିହାରେ ସ୍ୱାମୀନାଥନ୍ ରିସର୍ଚ୍ଚ ଫାଉଣ୍ଡେସନ୍ର ସହାୟତା ଦ୍ୱାରା ଆମକୁ ମାଗଣାରେ ଅଳ୍ପ କିଛି ବିହନ ମିଳିଲା । ଏହାସହ ବୈଜ୍ଞାନିକ ପଦ୍ଧତିରେ ଚାଷ କରିବାର ତାଲିମ ଓ ଧାନ ଅମଳ ପରେ ଏହାର ବିକ୍ରିବଟା କରିବାର ସୁଯୋଗ ଉପଳବ୍ଧ ହେଲା । ସେବେଠାରୁ ଆମେ ଏହାକୁ ପୁଣିଥରେ କରିବାରେ ଆଗ୍ରହ ଦେଖାଇଲୁ । ଯେହେତୁ ସେତେବେଳକୁ କଳାଜିରା ଚାଷ ପ୍ରାୟତଃ ଲୋପ ପାଇବାକୁ ବସିଥିଲା ତେଣୁ ଆମେ ଗାଁ ଲୋକ ଏକାଠି ହୋଇ ଏହାକୁ ସଂଗ୍ରହ କରିବା ଆରମ୍ଭ କଲୁ । ଆଖପାଖ ଗାଁ ଓ ସମ୍ପର୍କୀୟଙ୍କଠାରୁ ବିହନ ସଂଗ୍ରହ କଲୁ । ଗାଁରେ ସ୍ୱତନ୍ତ୍ର କମିଟି ଗଢ଼ି ଏହାର ସଂଗ୍ରହ ଓ ସଂରକ୍ଷଣ ଆରମ୍ଭ କଲୁ । ଗୋଷ୍ଠୀ ବିହନ ପାଣ୍ଠି ପ୍ରସ୍ତୁତ କରି ଆଗ୍ରହୀ ଚାଷୀଙ୍କୁ ବିହନ ଯୋଗାଇଲୁ । ନେଇଥିବା ବିହନ ସାଙ୍ଗକୁ ପରବର୍ଷ ଅଧିକ ବିହନ ଫେରସ୍ତ କରିବାର ଏକ କଡାକଡି ନିୟମ ବି ପାରତ କଲୁ । ଯାହାକି ଆଜି ଯାଏଁ ଗାଁରେ ଚାଲି ଆସୁଛି । ବିହନ କମିଟି ସଦସ୍ୟ ଗାଁର କାହାକୁ ବିହନ ଦିଆଯିବ, କେତେ ପରିମାଣରେ ବିହନ ଦିଆଯିବ, ନେଇଥିବା ବ୍ୟକ୍ତିଙ୍କଠାରୁ କିପରି ବିହନ ଆଦାୟ କରାଯିବ, କିପରି ଉତମ ମାନର ବିହନ ଚିହ୍ନଟ କରାଯିବ ଏସବୁ ଧାର୍ଯ୍ୟ କରିଥାନ୍ତି ।
ସ୍ୱାମୀନାଥନ ରିସର୍ଚ୍ଚ ଫାଉଣ୍ଡେସନ୍ର ବରିଷ୍ଠ ବୈଜ୍ଞାନିକ କାର୍ତିକ ଲେଙ୍କା କହନ୍ତି ମାଛରା ଭଳି ଜିଲ୍ଲାର ନୂଆଗୁଡା, ସାନ୍ତାଲିଆଗୁଡା, ଉଦ୍ୟାନଗୁଡା, ବଲିଗୁଡା, ଝୋଲାଗୁଡା ଆଦିର ୩୧୮ ଚାଷୀ ଏବେ କଳାଜିରା ଚାଷ କରି ବେଶ ଲାଭବାନ ହୋଇ ପାରିଛନ୍ତି । ସଙ୍ଗଠନ ପକ୍ଷରୁ ସେମାନଙ୍କୁ ବୈଜ୍ଞାନିକ ଉପକରଣ ଓ ପ୍ରୋସେସିଂ ୟୁନିଟ୍ ସ୍ଥାପନ ପାଇଁ ମେସିନ୍ ସହାୟତା ଯୋଗାଇ ଦିଆଯାଇଛି । ବାକି ଗାଁର ମହିଳାମାନେ ନିଜେ ସବୁକିଛି କରି ସ୍ୱାବଲମ୍ବୀ ହୋଇ ପାରିଛନ୍ତି । ଏବେ ସେମାନେ ଉତ୍ପାଦ ଗୋଷ୍ଠୀ ଗଢ଼ି ଓର୍ମାସ ସହାୟତାରେ ବାଲିଆ, କୁନ୍ଦୁରା, ବୈପାରୀଗୁଡା ଆଦି ଅଂଚଳରେ ସ୍ୱତନ୍ତ୍ର ଦଳ ଗଢ଼ି ଚାଷୀଙ୍କୁ କଳାଜିରା ବିହନ ଦେଉଛନ୍ତି । ଆଉ ଅମଳ ପରେ ସେମାନଙ୍କଠାରୁ ଧାନ ବି ସଂଗ୍ରହ କରୁଛନ୍ତି ।
କଳାଜିରା ଚାଉଳର ଗୁଣବତାକୁ ଆଖିରେ ରଖି ଏହି ଚାଉଳକୁ ଘରେ ଘରେ ପହଂଚାଇବା ପାଇଁ ଏବେ ଜିଲ୍ଲା ପ୍ରଶାସନ ଓ ଓର୍ମାସ ପ୍ରୟାସ ଆରମ୍ଭ କରିଛି । ଗତ ୯ ବର୍ଷ ହେବ କଳାଜିରା ଉପରେ ଗବେଷଣା କରୁଥିବା କୋରାପୁଟ ସ୍ଥିତ ସେଂଟ୍ରାଲ ୟୁନିଭରସିଟିର ଦେବବ୍ରତ ପଣ୍ଡା କହନ୍ତି; ଏହି ଚାଉଳ ଡାଇବେଟିକ୍ ରୋଗୀଙ୍କ ପାଇଁ ବେଶ ଲାଭଦାୟକ । କଳାଜିରା ଚାଉଳରେ ଗ୍ଲାଇସେମିକ୍ ଇଣ୍ଡେକ୍ସ ୫୭.୦ ଓ ପ୍ରୋଟିନ୍ ୧୧.୪% ଥିବା ବେଳେ ବଜାରରେ ମିଳୁଥିବା ସାଧାରଣ ବାସୁମତୀ ଚାଉଳର ଗ୍ଲାଇସେମିକ୍ ଇଣ୍ଡେକ୍ସ ୫୯.୨୯ ଓ ପ୍ରୋଟିନ୍ ୭.୭ % ରହିଛି । ବଦଳୁଥିବା ଜଳବାୟୂ ପରିସ୍ଥିତିରେ ଏହି ଧାନ ଉଭୟ ମରୁଡି ଓ ବନ୍ୟା ସହନଶୀଳ ଥିବାରୁ କୋରାପୁଟ ଜିଲ୍ଲାର ପାଖାପାଖି ୧୮୦୦ ଆଦିବାସୀ ଚାଷୀ ଏହାକୁ ଚାଷ କରୁଥିବା ବେଳେ ବର୍ଷକୁ ପାଖାପାଖି ୧୫୦ କୁଇଂଟାଲ ଅମଳ କରୁଛନ୍ତି ।
ପାରମ୍ପରିକ କୃଷି ପଦ୍ଧତିର ସଂରକ୍ଷଣ
ଆଧୁନିକ ଯୁଗରେ ପାରମ୍ପରିକ କୃଷି ପଦ୍ଧତି ହଜିବାକୁ ବସିଥିବା ବେଳେ ଗାଁର ଆଦିବାସୀ ମହିଳା ଚାଷୀମାନେ କିନ୍ତୁ ଏହାକୁ ନିଜର ଅଭ୍ୟାସ ଦ୍ୱାରା ସଂରକ୍ଷଣ କରି ପାରିଛନ୍ତି । ଗାଁର ମହିଳା ଚାଷୀ ସଇତା ଜାନି କହନ୍ତି ବିହନ ସଂଗ୍ରହଠାରୁ ଆରମ୍ଭ କରି ସଂରକ୍ଷଣ ଯାଏଁ ଆମେ ସବୁଥିରେ ପାରମ୍ପରିକ ଜ୍ଞାନ କୌଶଳର ଉପଯୋଗ କରିଥାଉ । କଳାଜିରା ଚାଷ ପାଇଁ ବ୍ୟବହୃତ ଜମିରେ ଆମେ ଜୈବିକ ପଦ୍ଧତିରେ ଚାଷ କରୁ । ବଜାରରେ ମିଳୁଥିବା ସାର ବଦଳରେ ଆମେ ସେଠାରେ ନିଜେ ପ୍ରସ୍ତୁତ କରୁଥିବା ନିମାସ୍ତ୍ର, ଅଗ୍ନିସ୍ତ୍ର, ଜୀବାମୃତ, ବିଜାମୃତ, ହାଣ୍ଡିଖତ, ଲିମ୍ବଖତ ଆଦି ଦେଇଥାଉ । ଏଥିପାଇଁ ସ୍ୱାମୀନାଥନ ଫାଉଣ୍ଡେସନ୍ର ଗବେଷକ ଓ ବୈଜ୍ଞାନିକମାନେ ଆମକୁ ତାଲିମ ଦେଇଛନ୍ତି । ପୂର୍ବରୁ ଆମେ ଏକ ଏକର ଜମିରେ ସିଧାସଳଖ ଭାବେ କଳାଜିରା ଧାନ ବୁଣି ୩ କୁଇଂଟାଲ ପର୍ଯ୍ୟନ୍ତ ଅମଳ କରୁଥିବା ବେଳେ ଏବେ ଶ୍ରୀ ପଦ୍ଧତିରେ ଧାଡିରୁଆ କରି ଏକ ଏକର ଜମିରୁ ପାଖାପାଖି ୧୦ରୁ ୧୫ କୁଇଂଟାଲ ଯାଏଁ ଧାନ ଅମଳ କରିପାରୁଛୁ ।
ଏ ବାବଦରେ ସ୍ୱାମୀନାଥନ ରିସର୍ଚ୍ଚ ଫାଉଣ୍ଡେସନ୍ର କ୍ଷେତ୍ରଅଧିକାରୀ ତଥା ମାଛର ଗାଁ ଦାୟିତ୍ୱରେ ଥିବା ଅଧିକାରୀ ସୁରଜିତା ତୁରୁକ୍ କହିଛନ୍ତି; ଚାଷ ଜମିରେ ବହୁଳ ମାତ୍ରାରେ ରାସାୟନିକ ସାର ଓ କୀଟନାଶକ ବ୍ୟବହାର ଯୋଗୁଁ ଜମିର ଉର୍ବରତା ଓ ଉତ୍ପାଦକ କ୍ଷମତା ହ୍ରାସ ପାଉଛି । ଲୋକମାନେ ବିଭିନ୍ନ ରୋଗର ଶିକାର ମଧ୍ୟ ହେଉଛନ୍ତି । ଏଭଳି ପରିସ୍ଥିତିରେ ଆଦିବାସୀଙ୍କ ପାରମ୍ପରିକ ସାର ଓ ବିହନ ବିଶୋଧକ ବ୍ୟବସ୍ଥା ସମସ୍ତଙ୍କ ପାଇଁ ନୂଆ ସମ୍ଭାବନା ସୃଷ୍ଟି କରିଛି । ଯାହାକୁ ଆମେ ଏବେ ଜୀବାମୃତ ଓ ବୀଜାମୃତ ନାମରେ ବ୍ରାଣ୍ଡିଂ କରିବା ଆରମ୍ଭ କରିଛୁ । ଆଦିବାସୀଙ୍କ ଜୀବନଚର୍ଯ୍ୟା ଭିତରେ ସାମିଲ ଥିବା ଏହି ଅଭ୍ୟାସ ଏବେ ଅତ୍ୟାଧୁନିକ ଚାଷ ପ୍ରଣାଳୀରେ ବି ବ୍ୟବହାର ହେବା ଆରମ୍ଭ ହେଲାଣି ।