ପ୍ରତିବର୍ଷ କନ୍ଧମାଳ ଜିଲ୍ଲା ବେଲଘର ପଂଚାୟତରେ ରହୁଥିବା କୁଟିଆକନ୍ଧ୍ ଆଦିବାସୀ ସଂପ୍ରଦାୟଙ୍କ ପକ୍ଷରୁ ଆୟୋଜିତ ହୁଏ ବୁର୍ଲାଙ୍ଗ ଯାତ୍ରା । ଉଦ୍ଦେଶ୍ୟ ପାରମ୍ପରିକ ବିହନକୁ ସାଇତି ରଖିବା ସହ ନିଜ ଭିତରେ ବିହନର ଆଦାନ ପ୍ରଦାନ କରି ଏହାକୁ ନିଜ ସଂପ୍ରଦାୟ ମଧ୍ୟରେ ବଂଚାଇରଖିବାର ଚେଷ୍ଟା କରିବା । ବୁର୍ଲାଙ୍ଗ ଯାତ୍ରା ବା ଏହି ବିହନ ମେଳାରେ ଆଖପାଖ ଗାଁର ମହିଳା ମାନେ ଯୋଗଦେବା ସହ ବିହନ ସଂରକ୍ଷଣ ଉପରେ ମଧ୍ୟ ଆଲୋଚନା କରିଥାଆନ୍ତି । ଯାହା ସେମାନଙ୍କୁ ଆଗାମୀ ପିଢି ପାଇଁ ବିହନ ସଂରକ୍ଷିତ ରଖିବାକୁ ଅଧିକ ସହଯୋଗ କରେ ।
ଭୁବନେଶ୍ୱର ;
ସମନ୍ୱିତ କୃଷିକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା ଚାଲିଥିବା ବେଳେ କନ୍ଧମାଳ ଜିଲ୍ଲାର କୁଟିଆକନ୍ଧ ସମ୍ପ୍ରଦାୟ ଭିତରେ ଏହି ପରମ୍ପରା ପିଢ଼ି ପରେ ପିଢ଼ି ରହିଆସିଛି । ପାରମ୍ପରିକ ବିହନକୁ ସର୍ବାଧିକ ଗୁରୁତ୍ୱ ଦେଉଥିବା ଏହି ସମ୍ପ୍ରଦାୟ ବର୍ଷତମାମ ନିଜ ଡଙ୍ଗରରେ ମିଶ୍ରିତ ଚାଷ ଅମଳ କରିଥାନ୍ତି । କେବଳ ଧାନ କି ମାଣ୍ଡିଆ ନୁହେଁ ଗୋଟିଏ ଜମିରେ ସେମାନେ ଏକା ସାଙ୍ଗରେ ବାଜରା, ମକା, ମାଣ୍ଡିଆ ସାଙ୍ଗକୁ ବିଭିନ୍ନ ପ୍ରକାରର ପନିପରିବା ଓ ଡାଲି ଜାତୀୟ ଫସଲ ଉତ୍ପାଦନ କରିଥାନ୍ତି । କେଉଁ ଫସଲ କେତେବେଳେ ଲଗାଯିବା ଦରକାର ପୁଣି କେତେବେଳେ ଅମଳ ହେବ ଏବିଷୟରେ କୁଟିଆକନ୍ଧ ମହିଳାମାନେ ବେଶ ପାରଙ୍ଗମ । କେବଳ ସେତିକି ନୁହେଁ ପରବର୍ତୀ ଅମଳ ପାଇଁ ବିହନକୁ କିପରି ସୁରକ୍ଷିତ ରଖାଯାଇ ପାରିବ ସେ କୌଶଳ ବି ତାଙ୍କୁ ବେଶ ଜଣା । ଗାଁରେ ବିହନର ଆବଶ୍ୟକତାକୁ ପୂରଣ ପାଇଁ ପ୍ରତିବର୍ଷ କୁଟିଆ କନ୍ଧ ମହିଳା ଏକାଠି ହୋଇ ଆୟୋଜନ କରନ୍ତି ବୁର୍ଲାଙ୍ଗ ଯାତ୍ରା । ଯେଉଁଠି ଆଖ ପାଖ ଗାଁର ମହିଳାମାନେ ଯୋଗ ଦେଇ ପାରମ୍ପରିକ ବିହନ ଅଦଳ ବଦଳ କରିଥାନ୍ତି ।
ଏ ବାବଦରେ ଦେଓଗଡା ଗାଁର ରୁକ୍ମିଣି ନାୟକ କହନ୍ତି ବୁର୍ଲାଙ୍ଗ ଯାତ୍ରା ହେଉଛି ଆମ କୁଟିଆ କନ୍ଧ ଜନଜାତିଙ୍କ ବିହନ ଅଦଳ ବଦଳ ଉତ୍ସବ । ଚାଷ ପାଇଁ ବିହନ ହେଉଛି ପ୍ରମୁଖ ଉପାଦାନ । ଯଦି ଆମେ ଗୁଣାତ୍ମକମାନର ବିହନ ସଂରକ୍ଷଣ କରୁନୁ ତେବେ ଏହା ଆମର ସମ୍ପୂର୍ଣ୍ଣ ଅମଳ ବ୍ୟବସ୍ଥା ଉପରେ ପ୍ରଭାବ ପକାଇବ । ତେଣୁ ଏହି ନିର୍ଦ୍ଦିଷ୍ଟ ଜନଜାତିର ଲୋକମାନେ ବିହନ ସଂଗ୍ରହ ଓ ସଂରକ୍ଷଣ ପ୍ରଣାଳୀ ଉପରେ ଗୁରୁତ୍ୱ ଦେଇଥାନ୍ତି । ସ୍ଥାନୀୟ କୁଇ ଭାଷାରେ ‘ବୁରଲଙ୍ଗ’ର ଅର୍ଥ ହେଉଛି ମାଟି ପାତ୍ର । ଯେଉଁଠାରେ କୁଟିଆ କନ୍ଧମାନେ ପରବର୍ତୀ ଅମଳ ପାଇଁ ଏହାର ମଞ୍ଜିକୁ ସଂରକ୍ଷଣ କରି ରଖନ୍ତି ।
କେମିତି କରନ୍ତି ବିହନ ସଂରକ୍ଷଣ
ତୁରୁମୁଲା ମାଝୀ କହନ୍ତି ଅମଳ ପରେ ଆମେ ସେଥିରୁ କିଛି ଗଛକୁ ଚାଷ ଜମିରେ ଖରାରେ ଶୁଖିବା ପାଇଁ ଛାଡି ଦେଇଥାଉ । ଥରେ ସେସବୁ ଶୁଖିଲା ପରେ ଆମେ ଏହି ମଞ୍ଜିଗୁଡିକୁ ଅଲଗା ଅଲଗା କରି ସେଗୁଡିକୁ ଏକ ମାଟି ପାତ୍ର ବା ବୁର୍ଲାଙ୍ଗରେ ସଂରକ୍ଷିତ କରି ରଖିଥାଉ । ବୁର୍ଲାଙ୍ଗ ଉଭୟ ମାଟି ଓ ବାଉଁଶରେ ତିଆରି । ଭିନ୍ନ ଭିନ୍ନ ଶସ୍ୟ ପାଇଁ ଭିନ୍ନ ଭିନ୍ନ ପ୍ରକାରର ବୁର୍ଲାଙ୍ଗ ପ୍ରସ୍ତୁତ କରାଯାଏ । ଆମେ ପାକଳ ବିହନକୁ ଆଣି ତାକୁ ଆସନ୍ତା ଅମଳ ପାଇଁ ସାଇତି ରଖୁ । ଶସ୍ୟକୁ ସୁରକ୍ଷା ଦେବା ପାଇଁ ବୁର୍ଲାଙ୍ଗର ବାହାର ପାଖରେ ମାଟି ଓ ଗୋବରର ଏକ ପ୍ରକାର ପ୍ରଲେପ ଲଗାଉ ।
ରଙ୍ଗାପୁର ଗାଁର ସୀତା ମାଝୀ କହନ୍ତି; ସାଧାରଣତଃ ଏକ ଅନ୍ଧାର ମାଟି ଘରେ ବିହନକୁ ସାଇତି କରି ରଖାଯାଏ । ଏଥିପାଇଁ ସମସ୍ତ ପରିବାରରେ ଏକ ସ୍ୱତନ୍ତ୍ର ମାଟିର ବିହନ ଘର ଥାଏ । ଯେଉଁଠାରେ ବାଉଁଶ ସବୁ ବନ୍ଧା ହୋଇଥାଏ ଓ କିଛି ଖାଲି ଜାଗାରେ ବୁର୍ଲାଙ୍ଗ ରହିବା ପାଇଁ ସ୍ଥାନ ଥାଏ । ସେଠାରେ ଜମିରୁ ସଂଗ୍ରହ ହୋଇ ଆସିଥିବା ବିହନକୁ ନଭାଙ୍ଗି ବାନ୍ଧି ରଖିଦିଆଯାଏ । ଫଳରେ ଏହା ମୂଷା, ପିମ୍ପୁଡି ଓ ଅନ୍ୟ ହାନୀକାରକ କୀଟ ପତଙ୍ଗକୁ ରକ୍ଷା ପାଇଥାଏ । ମୁଗ, ବିରି, କାନ୍ଦୁଲ, ଡଙ୍ଗରରାଣୀ, କଟିଙ୍ଗ ଭଳି ଡାଲିଜାତୀୟ ବିହନ ଓ ସମସ୍ତ ମାଣ୍ଡିଆ ପ୍ରଜାତିର ବିହନକୁ ଆମେ ମାଟି ପାତ୍ରରେ ସଂଗ୍ରହ କରି ରଖିଥାଉ । ସେହିପରି ମାସାଙ୍ଗ, କୁଲିଙ୍ଗ, କଳାଧାନ ପ୍ରଜାତିର ପାରମ୍ପରିକ କିଷମ ଧାନକୁ ଆମେ ବାଉଁଶ ପାତ୍ରରେ ସଂଗ୍ରହ କରି ଆସନ୍ତା ବର୍ଷ ପାଇଁ ସାଇତି ରଖୁ ।
ଓଡିଶା ମିଲେଟ ମିଶନ୍ର ବ୍ଲକ୍ କୋଡିନେଟର ସୌମ୍ୟରଞ୍ଜନ କହନ୍ତି; ଭୌଗଳିକ ଦୃଷ୍ଟି କୋଣରୁ କନ୍ଧମାଳ ଜିଲ୍ଲାରେ ସମତଳ ଭୂମିର ସଂଖ୍ୟା ବହୁତ କମ । ତେଣୁ ଏଠାକାର ଜନଜାତି ଚାଷ ପାଇଁ ପାହାଡରେ ସେମାନଙ୍କର ଜମି ବା ଡଙ୍ଗର ତିଆରି କରନ୍ତି । ଯେଉଁଠି ରହିବା ପାଇଁ ସେମାନେ ୧୦ ମିଟରର ଏକ ଟ୍ରି ହାଉସ୍ ବା କୁଟିଆ ପ୍ରସ୍ତୁତ କରିଥାନ୍ତି । ଚାଷ ଉପରେ ନିର୍ଭର କରୁଥିବା ଏହି ସମ୍ପ୍ରଦାୟ ବର୍ଷ ତମାମ ନିଜ ଡଙ୍ଗରେ ନିଜ ପାଇଁ ଆବଶ୍ୟକ ସାମଗ୍ରୀ ଉତ୍ପାଦନ କରିଥାନ୍ତି । ତେଣୁ ଏମାନେ ସମନ୍ୱିତ କୃଷିକୁ ପ୍ରାଧାନ୍ୟ ଦିଅନ୍ତି । ସେମାନେ ଗୋଟେ ଜମିରେ ଏକା ସାଙ୍ଗରେ ଝୁଡଙ୍ଗ, କାନ୍ଦୁଲ, କଟିଙ୍ଗ (ପଲସେସ୍), ମାଣ୍ଡିଆ, କୁଇରି, କାଙ୍ଗୁ ବାଜରା (ମିଲେଟ୍ ପ୍ରଜାତି), ଧୁଳିଆ , ସାକରା (ସ୍ପାଇସେସ୍) ଲାଉ, କଖାରୁ, ବିନ୍ସ, ମକା ଭଳି ପନିପରିବା ଓ ଜଡା, ରାଶୀ, ତିଳ (ଅଏଲ୍ ସିଡ)କୁ ଲଗାନ୍ତି । ଯେହେତୁ ସମସ୍ତେ ସବୁ ପ୍ରକାର ଚାଷ କରିପାରିବେ ନାହିଁ ତେଣୁ ସେମାନେ ସିଡ୍ ଏକ୍ସଚେଞ୍ଜ ବା ବିହନ ଆଦାନପ୍ରଦାନ ପରମ୍ପରାକୁ ପ୍ରଧାନ୍ୟ ଦେଇଥାନ୍ତି । ସରକାର ଏବେ ସମନ୍ୱିତ କୃଷି ଉପରେ ଗୁରୁତ୍ୱ ଦେଉଥିବା ବେଳେ ଏହି ସମ୍ପ୍ରଦାୟ ଭିତରେ ଏହି ପରମ୍ପରା ବହୁ ଦିନରୁ ଚଳିଆସିଛି ।
ଦୁପି ଗାଁର କୁନି ମାଝୀ କହିଛନ୍ତି; କୁଟିଆ ଆଦିବାସୀ ମହିଳାମାନେ ବିହନର ପ୍ରକୃତ ସଂରକ୍ଷଣକାରୀ । ପାରମ୍ପରିକ ମଞ୍ଜିକୁ ବାଛି ତାକୁ ସଂଗ୍ରହ କରିବା ଓ ସଂରକ୍ଷଣ କରିବାର ପ୍ରକୃତ ହିତାଧିକାରୀ ହେଉଛନ୍ତି ଏହି ଜନଜାତିର ମହିଳା । ଆମେମାନେ କେବଳ ଅମଳ, ସଂଗ୍ରହ ଓ ସଂରକ୍ଷଣର ଜ୍ଞାନକୁ ନିଜ ଭିତରେ ସାଇତି ରଖିନୁ; ବରଂ ଆମର ପାରମ୍ପରିକ କୃଷି ପଦ୍ଧତି , ପାରମ୍ପରିକ କୃଷି ଅଭ୍ୟାସ କିପରି ଗୋଟିଏ ପିଢ଼ିରୁ ଆଉ ଗୋଟିଏ ପିଢ଼ିକୁ ଯିବ ତାହା ବି ଜାଣିଥାଉ । ଗାଁ ବାହାରୁ (ଭିନ୍ନ ଏକ ଗାଁରୁ) ଭଲ ବିହନ ସଂଗ୍ରହ କରିବା ପାଇଁ ଏହି ଜନଜାତିର ମହିଳାମାନେ ୩ରୁ ୪ ବର୍ଷରେ ଥରେ ବୁର୍ଲାଙ୍ଗ ଉତ୍ସବ ପାଳନ କରିଥାନ୍ତି । ଯାହାକି ଏବେ ସବୁ ବର୍ଷ କରାଯାଉଛି ।
ପୁଣି ବଂଚାଇ ରଖିବାର ପ୍ରୟାସ
ବୁର୍ଲାଙ୍ଗ ଯାତ୍ରା ହେଉଛି ଏକ ପାରମ୍ପରିକ ସ୍ୱଦେଶୀ ଜୈବବିବିଧିତାର ପର୍ବ । ସାଧାରଣତଃ ୩ରୁ ୪ ବର୍ଷରେ ଥରେ କୁଟିଆ କନ୍ଧ ଜନଜାତିର ମହିଳାମାନେ ଏହି ପର୍ବ ପାଳନ କରିଥାନ୍ତି । ଯେତେବେଳେ ନିଜ ଗାଁରେ ବିହନର ଅଭାବ ଦେଖାଦିଏ ସେତେବେଳେ ବିହନର ଅଭାବକୁ ଦୂର କରିବା ପାଇଁ ଏହି ପର୍ବ ପାଳନ କରାଯାଉଥିଲା । ଏଥିରେ ପଡୋଶୀ ଗାଁର ମହିଳାମାନେ ଗୋଟିଏ ସ୍ଥାନରେ ଏକାଠି ହୋଇ ନାଚ, ଗୀତ, ପାରମ୍ପରିକ ମାଦଲ, ଢ଼େମସାର ତାଳେ ତାଳେ ଆଣିଥିବା ବିହନ ଦେଇ ପ୍ରତିବଦଳରେ ବିହନ ନେଇଥାନ୍ତି । ବିହନ ବିନିମୟ ପର୍ବ ଭାବେ ସାଧାରଣରେ ଜଣାଯାଉଥିବା ଏହି ପର୍ବ ଗୋଟିଏ ସ୍ଥାନରେ ବିଭିନ୍ନ ସମ୍ପ୍ରଦାୟ, ବର୍ଗ, ଓ ବିହନକୁ ଏକାଠି କରିବାର ଗୋଟିଏ ପ୍ଲାଟଫର୍ମ ଭଳି କାମ କରେ ।
ପୂର୍ବରୁ ପ୍ରତି ୩ରୁ ୪ ବର୍ଷରେ ଏହା କରାଯାଉଥିଲା । ମାତ୍ର ୨୦୧୩ ପରଠାରୁ ‘ନିର୍ମାଣ’ ସଂସ୍ଥା ସହାୟତାରେ ତୁମୁଡିବନ୍ଧ ବ୍ଲକ୍ରେ ଏହାକୁ ସବୁ ବର୍ଷ କରାଯାଉଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏବେ ସବୁ ବର୍ଷ ବ୍ଲକ୍ର ଗୋଟିଏ ନୂଆ ଗାଁରେ ଏହାକୁ କରାଯାଉଛି ଓ ବାକି ଗାଁର ଲୋକେ ଏଥିରେ ସାମିଲ ହେଉଛନ୍ତି । ଏହି ଉତ୍ସବରେ ବିହନ ଓ କୃଷି ସମ୍ପର୍କରେ ଆଲୋଚନା, ନୀତି ନିୟମ, ପୁରୁଖା କୃଷକଙ୍କ ଅଭିଜ୍ଞତା, ବିହନ ବିନିମୟ, କୃଷକଙ୍କୁ ପୁରସ୍କାର ଭଳି କାର୍ୟ୍ୟକ୍ରମମାନ କରାଯାଉଛି । ଏହି ଉତ୍ସବ ସ୍ଥାନୀୟ ସମ୍ପ୍ରଦାୟ ସମେତ ବିଭିନ୍ନ ଗାଁର ମହିଳାଙ୍କ ଜ୍ଞାନକୁ ଏକାଠି କରିଥାଏ । ପ୍ରତି ବର୍ଷ ଉତ୍ସବ ପୂର୍ବରୁ ଏକ ବ୍ଲକ୍ସ୍ତରୀୟ କମିଟି ଗଠନ କରାଯାଇଥାଏ । ଯେଉଁଠାରେ କି ବିଭିନ୍ନ ପଂଚାୟତର ସଦସ୍ୟମାନେ ଏକାଠି ହୋଇଥାନ୍ତି ।
ଦୁପି ଗାଁର ୨୩ ବର୍ଷୀୟ ତିଳୋତମା ମାଝୀ କହନ୍ତି; ମୁଁ ମୋର ପୂର୍ବଜମାନଙ୍କଠାରୁ ଏହି ପାରମ୍ପରିକ ଚାଷ ପ୍ରଣାଳୀ ଶିଖିଛି । ତେଣୁ ଏହାକୁ ଜାଣିବା ପାଇଁ ମୋତେ ଅଧିକ ପରିଶ୍ରମ କରିବାକୁ ପଡିନି । ଗତ ୪ ବର୍ଷ ହେଲା ଗୁଣାତ୍ମକ ବିହନ ସଂଗ୍ରହ କରିବାକୁ ମୁଁ ଏହି ଉତ୍ସବକୁ ଆସୁଛି । ବୁର୍ଲାଙ୍ଗ ପର୍ବ ସମୟରେ ଅନେକ ପୁରୁଣା କୃଷକମାନେ ନିଜର ମତ ଓ ବିଭିନ୍ନ ସମସ୍ୟା ବିଷୟରେ କହିବାର ସୁଯୋଗ ପାଇଥାନ୍ତି । ଆମେ ମଧ୍ୟ ଏହାଦ୍ୱରା ବିଭିନ୍ନ ପ୍ରକାର ପାରମ୍ପରିକ କୃଷି ପ୍ରଣାଳୀ ବିଷୟରେ ଆମର ପୂର୍ବଜମାନଙ୍କଠାରୁ ଶିଖିବାର ସୁଯୋଗ ପାଇଥାଉ । ବିହନ ବଦଳ ଏହି ଉତ୍ସବର ମୁଖ୍ୟ ଆକର୍ଷଣ ।
ଏ ବାବଦରେ କିସ୍ ବିଶ୍ୱବିଦ୍ୟାଳୟର ଆନ୍ଥୋପୋଲୋଜିଷ୍ଟ ସୁଶ୍ରୀ ମହାନ୍ତି ଙ୍କ ମତରେ ସକାଳୁ ଉଠିଲାରୁ ରାତି ଶୋଇବା ପର୍ୟ୍ୟନ୍ତ ଆଦିବାସୀ ମହିଳାମାନେ ସବୁ କାମ ନିଜେ କରନ୍ତି । ଡଙ୍ଗରରେ କେଉଁ ଫସଲ କେତେବେଳେ ଲାଗିବ, ଗୋଟେ ଜମିରେ ଏକା ସାଙ୍ଗରେ କେମିତି ଭିନ୍ନ ଭିନ୍ନ ଫସଲ ଲାଗିପାରିବ, ଗଛରେ ରୋଗପୋକ ଲାଗିଲାଣିକି ନାହିଁ ତାର ନିରାକରଣ ସବୁକିଛି ବାବଦରେ ସେମାନେ ସଚେତନ ଥାଆନ୍ତି । ଏହା କେବଳ ସେମାନଙ୍କର ଜ୍ଞାନ ନୁହେଁ ବରଂ ସେମାନଙ୍କର ପରମ୍ପରାଗତ ଅଭ୍ୟାସ୍ରେ ରହିଛି ।