ଏବର୍ଷ ରଥଯାତ୍ରା ଅନେକଙ୍କ ପାଇଁ ଖୁସି ଆଣିଥିବା ବେଳେ ପିପିଲିର ଚାନ୍ଦୁଆ କାରିଗରଙ୍କ ପାଇଁ ବେଶି ଖୁସି ଆଣିଦେଇଛି । କାରଣ, ଗତ ୨ ବର୍ଷରୁ ଅଧିକ ସମୟ ଧରି ହାତବାନ୍ଧି ବସିଥିବା ଚାନ୍ଦୁଆ କାରିଗରଙ୍କୁ ଏବର୍ଷ ଭଲ କାମର ଅର୍ଡ଼ର ମିଳିଛି । ଫଳରେ ସେମାନେ ଏବେ ପିପିଲି ଚାନ୍ଦୁଆ କାମର ଭବିଷ୍ୟତ ନେଇ ସ୍ୱପ୍ନ ଦେଖିବା ଆରମ୍ଭ କରିଛନ୍ତି ।
ଭୁବନେଶ୍ୱର ;
ଚାନ୍ଦୁଆ କାମ କରୁଥିବା ମମତା ଦଳେଇଙ୍କୁ ଏବେ ଫୁରସତ ନାହିଁ କହିଲେ ଚଳେ । ଗତ ୨ ବର୍ଷରୁ ଅଧିକ ସମୟ ହେବ କରୋନା ଯୋଗୁଁ ହାତ ବାନ୍ଧି ଘରେ ବସିଥିବା ମମତା ଓ ତାଙ୍କ ପରି ଅନ୍ୟ କାରିଗରଙ୍କୁ ଏବେ ଭଲ କାମର ଅର୍ଡ଼ର ମିଳୁଛି । ଏହି କାରିଗର ମାନେ ସାଧାରଣତଃ ଚାନ୍ଦୁଆର ପ୍ୟାଚ୍ କାମ, ମିରର୍ କାମ ନଚେତ ଲେସ୍ ସିଲେଇ କାମ କରିଥାନ୍ତି । କୋଭିଡ଼ ଯୋଗୁଁ ସେମାନଙ୍କ ପାଖରେ କିଛି କାମ ନଥିଲା ଫଳରେ ଘର ଚଳେଇବାପାଇଁ ବାଧ୍ୟ ହୋଇ ସେମାନେ ଅନ୍ୟ ପନ୍ଥାକୁ ଆପଣେଇ ନେଇଥିଲେ । ଏବର୍ଷ ସରକାର ଭକ୍ତଙ୍କ ଉପସ୍ଥିତିରେ ରଥଯାତ୍ରା କରିବାର ଅନୁମତି ଦେବା ପରେ ପୁରୀ ସମେତ ଅନ୍ୟ ସ୍ଥାନ ଗୁଡ଼ିକରେ ମଧ୍ୟ ରଥଯାତ୍ରା ଆୟୋଜନର ଅନୁମତି ମିଳିଲା । ଫଳରେ ରଥ ଉପରେ ସଜେଇବା ପାଇଁ ଚାନ୍ଦୁଆ କପଡ଼ାର ବେଶ ଭଲ ଅର୍ଡ଼ର ମିଳିଲା । ଯଦି ଏମିତି କାମର ଧାରା ଚାଲୁ ରହେ ତେବେ ଅନ୍ୟାନ୍ୟ ଚାନ୍ଦୁଆ ସାମଗ୍ରୀ ପାଇଁ ମଧ୍ୟ ଅର୍ଡ଼ର ମିଳିବ ଓ ଗ୍ରାହକଙ୍କ ଚାହିଦା ବଢିବ ବୋଲି ଆଶା ରଖିଛନ୍ତି ମମତା ।
ପିପିଲିରେ ନିଜର ଚାନ୍ଦୁଆ ଓାର୍କସପ ଚଲାଉଥିବା ଉତ୍କଳ ଆପ୍ଲିକର ମୁଖ୍ୟ ମୁସ୍ତାଫିଜ ଖାନ୍ ଙ୍କ ମତରେ, ଗତ ଦୁଇ ବର୍ଷଧରି କାରିଗରଙ୍କ ହାତରେ କାମ ନଥିଲା । ବାଧ୍ୟ ହୋଇ ସେମାନେ ଅନ୍ୟ କାମକୁ ଆପେଣଇ ନେଇଥିଲେ କିନ୍ତୁୁ ଏବେ ଅର୍ଡ଼ର ଆସିବା ପରଠାରୁ ଚାନ୍ଦୁଆ ଶିଳ୍ପ ପୁଣି ମୁଣ୍ଡ ଟେକିବା ଆରମ୍ଭ କରିଛି । ଏବର୍ଷ କେବଳ ଓଡ଼ିଶା ନୁହେଁ ଓଡ଼ିଶା ବାହାରୁ ମଧ୍ୟ ଅନେକ ଅର୍ଡ଼ର ମିଳିଛି ବୋଲି ସେ କୁହନ୍ତି ।
ପିପିଲିର ଚାନ୍ଦୁଆ କାରିଗର
କାହିଁ କେଉଁ କାଳରୁ ପାରମ୍ପରିକ ଭାବେ ପିପିଲିର କାରିଗରମାନେ ଚାନ୍ଦୁଆ କାମ କରିଆସୁଛନ୍ତି । କୁହାଯାଏ ସେତେବେଳର ଗଜପତି ରଥଯାତ୍ରା ସମୟରେ ରଥ ଉପରେ ପଡୁଥିବା କପଡ଼ାରେ ଚାନ୍ଦୁଆ କାମ ପାଇଁ କିଛି ମୁସଲମାନ ସଂପ୍ରଦାୟର କାରିଗରଙ୍କୁ ଆଣି ଏଠି ବସାଇଥିଲେ । ପରେ କିଛି ସ୍ଥାନୀୟ ବାସିନ୍ଦା ତାଙ୍କ ସହ ମିଶି ଏହି ଚାନ୍ଦୁଆ କାମ ଆରମ୍ଭ କଲେ । ପ୍ରଥମେ କେବଳ ରଥର ଚାନ୍ଦୁଆ କାମ ଭାବେ ଆରମ୍ଭ ହୋଇଥିବା ଏହି କଳା ପରେ ଏକ ବିରାଟ ଶିଳ୍ପ ଭାବେ ଉଭା ହୋଇ ଉଭୟ ହିନ୍ଦୁ ଓ ମୁସଲମାନ ସଂପ୍ରଦାୟର ଲୋକଙ୍କ ପାଇଁ ଜୀବିକାର ମୁଖ୍ୟ ମାଧ୍ୟମ ପାଲଟିଗଲା ।
ଏହି ପିପିଲି ଚାନ୍ଦୁଆ କାମର ସୁନାମ ଦେଶ ବିଦେଶରେ ଏତେ ଥିଲା ଯେ, କିଛି ବର୍ଷ ପୂର୍ବେ ପୁରୀକୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ଯାଉଥିବା ସବୁ ଛୋଟବଡ଼ ଗାଡ଼ି ପିପିଲି ବଜାରରେ ରହୁଥିଲା ଓ ପର୍ଯ୍ୟଟକମାନେ ନିଜ ପସନ୍ଦର ଜିନିଷ କିଣୁଥିଲେ । ଏଠାକାର ଓାଲହ୍ୟାଙ୍ଗିଙ୍ଗ, ଲ୍ୟାମ୍ପଶେଡ଼, କୁଶନ କଭର ଓ ଅନ୍ୟାନ୍ୟ ସାମଗ୍ରୀ ପ୍ରତି ଲୋକଙ୍କର ଅହେତୁକ ଆଗ୍ରହ ରହିଥିଲା । ଏହି ରଂଗୀନ ଚାନ୍ଦୁଆ କାମ ପର୍ଯ୍ୟଟକଙ୍କୁ ଏତେ ଆକୃଷ୍ଟ କରେ ଯେ ରଥଯାତ୍ରା ସମୟରେ ପୁରୀକୁ ଯାଉଥିବା ଅନେକ ବିଦେଶୀ ପର୍ଯ୍ୟଟକ ଏଠି ଦଣ୍ଡେ ରହି ମୂଲଚାଲ କରି ଜିନିଷ କିଣି ସାଙ୍ଗରେ ଫେରୁଥିଲେ । କିନ୍ତୁ ଯେବେଠାରୁ ବାଇପାସ ରୋଡ଼ ହୋଇଛି ସବୁ ଗାଡ଼ି ଆଉ ବଜାର ଭିତରେ ନ ପଶି ସେଇ ବାଟ ଦେଇ ଚାଲିଯାଉଛି । ଫଳରେ ଏହାର ସିଧାସଳଖ ପ୍ରଭାବ ଚାନ୍ଦୁଆ କାରବାର ଉପରେ ପଡ଼ିଛି ଓ ଚାନ୍ଦୁଆ ବିକ୍ରୀ ଯଥେଷ୍ଟ ହ୍ରାସ ପାଇଛି । ଏବିଷୟରେ ଆମେ ସ୍ଥାନୀୟ ବିଧାୟକଙ୍କଠାରୁ ଆରମ୍ଭ କରି ରାଜ୍ୟ ସରକାର ଓ କେନ୍ଦ୍ରମନ୍ତ୍ରୀଙ୍କୁ ମଧ୍ୟ ଲିଖିତ ଆକାରରେ ଜଣାଇଛୁ । ସେମାନେ ଆସି ଆମ ସମସ୍ୟା ଦେଖି ଯାଇଛନ୍ତି ତଥାପି ଏହାର ସମାଧାନ ଆଜି ଯାଏଁ ହୋଇପାରିଲା ନାହିଁ ବୋଲି କ୍ଷୋଭର ସହ କୁହନ୍ତି ଓଡ଼ିଶା ଆପଲିକ ସୋସାଇଟିର ସଭାପତି ବେଣୁଧର ମହାପାତ୍ର ।
କୋଭିଡ଼ର ପ୍ରଭାବ
୨୦୧୯ର ଫନି ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ପିପିଲି ଚାନ୍ଦୁଆ କାରିଗର ମାନେ ପୁଣି ସଳଖି ଠିଆ ହେଉ ହେଉ କୋଭିଡ଼ ଯୋଗୁଁ ହୋଇଥିବା ଲକଡ଼ାଉନ ସେମାନଙ୍କୁ ପୁଣିଥରେ ଭାଙ୍ଗି ଦେଲା । ଫଳରେ ଅନେକ କାରିଗର ଚାନ୍ଦୁଆ କାମ ଛାଡ଼ି ପରିବାର ଚଳେଇବା ପାଇଁ ଅନ୍ୟ କାମ କରିବାକୁ ଲାଗିଲେ । ଏପରିକି କିଛି କାରିଗର ଭାବେ ବର୍ଷ ବର୍ଷ ଧରି କାମ କରୁଥିଲେ ମଧ୍ୟ କୋଭିଡ଼ ସମୟରେ ଅର୍ଥ ଅଭାବ ଯୋଗୁଁ ସେମାନେ ବାଧ୍ୟ ହୋଇ ପାନ ବିକ୍ରୀ କଲେ ତ ପୁଣି ପରିବା ବିକ୍ରୀ କଲେ ନଚେତ କେହି ମନରେଗାରେ ଶ୍ରମିକ ଭାବେ କାମ କଲେ । ଯେଉଁମାନେ ଦୋକାନ କରି ଚାନ୍ଦୁଆ ବିକ୍ରି କରୁଥିଲେ ସେମାନେ ମଧ୍ୟ ଦୋକାନ ବନ୍ଦକରି ଅନ୍ୟ ବ୍ୟବସାୟ କରିବାକୁ ଲାଗିଲେ । ଦିନେ ଯେଉଁଠି ପିପିଲି ବଜାରରେ ୭୦ ପାଖାପାଖି ଦୋକାନ ଥିଲା ଏବେ ସେଠି ମାତ୍ର ୧୫ ରୁ ୨୦ ଟି ଦୋକାନ ଚାନ୍ଦୁଆ ଜିନିଷ ବିକ୍ରୀ କରୁଛନ୍ତି ବୋଲି କୁହନ୍ତି ମୁସ୍ତାଫିଜ ଖାନ ।
ଫନି ପରେ କାମର ଅଭାବରୁ ଚାନ୍ଦୁଆ କାମ ଉପରେ ନିର୍ଭର କରୁଥିବା ଅନେକ କାରିଗର ରୋଜଗାର ପାଇଁ ଅନ୍ୟ ରାଜ୍ୟକୁ ଯାଇ ଶ୍ରମିକ ଭାବେ କାମକରୁଥିଲେ । କିନ୍ତୁ କୋଭିଡ଼ ସମୟରେ ସେମାନେ ଫେରିଆସିବା ପରେ ବେଶି ଅସୁବିଧାର ସମ୍ମୁଖୀନ ହେଲେ । ସରକାର ଅନ୍ୟ ଶିଳ୍ପ କ୍ଷେତ୍ରକୁ ଯେତେ ପ୍ରୋତ୍ସାହନ ଦେଉଛନ୍ତି ଚାନ୍ଦୁଆ ଶିଳ୍ପ ଓ ଏହାର କାରିଗରଙ୍କୁ ସେତେଟା ସହଯୋଗର ହାତ ମିଳୁନାହିଁ ବୋଲି କ୍ଷୋଭର ସହ କହିଛନ୍ତି ଜଣେ ବ୍ୟବସାୟୀ ।
ମହିଳା କାରିଗର
ଯଦିଓ ପୁରୁଷ ମାନେ ଦୋକାନ କରି ଚାନ୍ଦୁଆ ତିଆରି ଜିନିଷ ବିକ୍ରୀ କରିଥାଆନ୍ତି କିନ୍ତୁ ପିପିଲିର ଚାନ୍ଦୁଆ ତିଆରି ଶିଳ୍ପରେ ଅଧିକାଂଶ ମହିଳା ନିୟୋଜିତ ହୋଇଥାଅନ୍ତି । କପଡ଼ାକୁ କାଟି ଆକାର ଦେବା, ମିରର ବସାଇବା, ଲେସ୍ ଲଗାଇବା ଓ ସିଲେଇ କରିବା ଏସବୁ କାମ ମହିଳାମାନେ ସମ୍ଭାଳି ଥ।।ଅନ୍ତି । ଯେତେବେଳେ କାମର ଅର୍ଡ଼ର ଆସେ ଆମକୁ ଖୋଜା ପଡ଼େ । କିନ୍ତୁ ଗତ ୨ ବର୍ଷ ହେବ କାମ ନଥିଲା କହିଲେ ଚଳେ । ଏବର୍ଷ ରଥଯାତ୍ରା ଆରମ୍ଭ ହେବା କିଛିଦିନ ପୂର୍ବରୁ କାମର ଅର୍ଡ଼ର ମିଳିବା ଆରମ୍ଭ ହୋଇଗଲା । ଆଗକୁ ଯଦି ଏମିତି ଲାଗିରହେ ଓ ନିୟମିତ ପ୍ରଦର୍ଶନୀ ହୁଏ ଚାନ୍ଦୁଆ କାମର ବିକ୍ରୀ ବଢିବ ଓ ରୋଜଗାର ମଧ୍ୟ ବଢିବ ବୋଲି କୁହନ୍ତି ସଂଧ୍ୟାରାଣୀ ।
ଚାନ୍ଦୁଆ ଏଠାକାର କୁଟୀର ଶିଳ୍ପହେତୁ ଘରେ ଘରେ ଝିଅ ଓ ମହିଳାମାନେ ଚାନ୍ଦୁଆକାମରେ ନିୟୋଜିତ ଥାଆନ୍ତି । କିନ୍ତୁ କାମ ଅଭାବରୁ ଅନେକ ଝିଅ ଅନ୍ୟ ରାଜ୍ୟ ଯେପରି ତାମିଲନାଡ଼ୁ ଓ ବାଙ୍ଗାଲୋରଠାରେ ଥିବା ଆପାରେଲ ଫ୍ୟାକଟ୍ରୀରେ କାମ କରିବାକୁ ଲାଗିଲେ । ସେମାନେ ଭାଷା ଓ ସ୍ୱାସ୍ଥ୍ୟ ସଂପର୍କୀତ ଅନେକ ସମସ୍ୟାର ସମ୍ମୁଖୀନ ହେଉଥିଲେ ମଧ୍ୟ ପରିବାରର ଆର୍ଥିକ ସମସ୍ୟା ହେତୁ ଫେରିପାରୁନାହାନ୍ତି । ଆଉ କେତେକଙ୍କର ପରିବାର ଲୋକେ ଝିଅ ମାନଙ୍କର ବିବାହ ବୟସ ହୋଇନଥିଲେ ମଧ୍ୟ ସେମାନଙ୍କୁ ବାହା ଦେଇଦେଲେ ବୋଲି କହିଛନ୍ତି ଶାନ୍ତି ଦଳେଇ ।
ଚାନ୍ଦୁଆ କାମରେ ନୂତନତା
ଗତ କିଛି ବର୍ଷ ହେବ ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ବ୍ୟବସାୟୀ ମାନେ ଚାନ୍ଦୁଆରେ ନୂଆ ଡିଜାଇନ ଆରମ୍ଭ କରିଛନ୍ତି । ମିରର ଓ ଲେସ କାମ ବଦଳରେ କପଡାରେ ପ୍ୟାଚଓାର୍କ କୁ ରଙ୍ଗୀନ ସୂତାରେ ହେମ୍ କରାଯାଉଛି ଯାହାକୁ ଗ୍ରାହକମାନେ ବେଶ ଖୁସିରେ ଗ୍ରହଣ କରୁଛନ୍ତି । ଆଗେ ଜଗନ୍ନାଥ, ଗଣେଶ, ଚକ, ହାତୀ, ପକ୍ଷୀ, ଶଙ୍ଖ ଡିଜାଇନ କରାଯାଉଥିବା ବେଳେ ଏବେ ବିଭିନ୍ନ ଆଧୁନିକ ଡିଜାଇନ ଯେପରି ଛୋଟପିଲା, ଫୁଲଗଛ, ଗୁଡ଼ି, ଘର, ମଣିଷ ପ୍ରଭୃତି ଦୃଶ୍ୟ ତିଆରି ହେଉଛି । ଆମେ ଘର ସଜେଇବା ଜିନିଷ ଉପରେ ଆଗେ ବେଶି ଗୁରୁତ୍ୱ ଦେଉଥିଲୁ କିନ୍ତୁ ପରେ ଲୋକଙ୍କ ଚାହିଦାକୁ ଆଖିରେ ରଖି ଚାନ୍ଦୁଆ କାମ ଘର ସଜେଇବା ସାଙ୍ଗକୁ ଘରକରଣା ଉପଯୋଗୀ ଜିନିଷ ତିଆରି କଲୁ । ଏବେ ଶାଢୀ, ଦୁପଟା ଓ ଅନ୍ୟାନ୍ୟ ପୋଷାକ ଉପରେ ବି ଏହି ଆଧୁନିକ ପ୍ୟାଚଓାର୍କ କରାଯାଉଛି ଯାହା ଦେଶ ବିଦେଶର ଗ୍ରାହକଙ୍କୁ ବେଶ ପସନ୍ଦ ହେଉଛି । ବିଭିନ୍ନ ପ୍ରଦର୍ଶନୀରେ ଆମେ ଗ୍ରାହକଙ୍କର ଏସବୁ ସାମଗ୍ରୀ ପ୍ରତି ବିଶେଷ ଆକର୍ଷଣ ଦେଖିଛୁ ବୋଲି କୁହନ୍ତି ମୁସ୍ତାଫିଜ ।
ନିକଟରେ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଫ୍ୟାସନ ଟେକ୍ନୋଲୋଜି (ଏନଆଇଏଫଟି) ଭୁବନେଶ୍ୱର ଶାଖା ପକ୍ଷରୁ ପିପିଲିର ଏହି କାରିଗରମାନଙ୍କ ସହ ଏକ ଆଲୋଚନା ଆରମ୍ଭ ହୋଇଥିଲା । ଏହା ଚାନ୍ଦୁଆ କାମକୁ ଆଉ ପାଦେ ଆଗକୁ ନେବ ବୋଲି ଏଠାକାର ବ୍ୟବସାୟୀ ଓ କାରିଗର ଆଶା ରଖିଛନ୍ତି ।