ବର୍ତମାନ ଓଡ଼ିଶାରେ ବାଲ୍ୟ ବିବାହର ହାର ଏନଏଫଏଚଏସ-୫ ଅନୁଯାୟୀ ୨୦.୫ ପ୍ରତିଶତ ରହିଥିବା ବେଳେ ରାଜ୍ୟ ସରକାର ୨୦୨୪ ବେଳକୁ ଏହାକୁ ୧୦ପ୍ରତିଶତକୁ କମାଇବାକୁ ଏବଂ ୨୦୩୦ସୁଦ୍ଧା ସଂପୂର୍ଣ ବାଲ୍ୟ ବିବାହ ମୁକ୍ତ ରାଜ୍ୟ କରିବାକୁ ଚିନ୍ତା କରୁଛନ୍ତି । କିନ୍ତୁ ଅନେକ ଆଦିବାସୀ ବହୁଳ ଗାଁରେ ଏବେବି ବାଲ୍ୟ ବିବାହ ଜାତୀୟ ହାରଠାରୁ ଅଧିକ ରହିଥିବା ବେଳେ କରୋନା ପରଠାରୁ କିଛି ଉପକୂଳବର୍ତୀ ଜିଲ୍ଲାରେ ଏହି ହାର କ୍ରମାଗତ ଭାବେ ବଢିବା ଦେଖାଯାଉଛି । ଏହାକୁ କମ କରିବା ପାଇଁ ସରକାରୀସ୍ତରରେ ଓ ସ୍ୱେଚ୍ଛାସେବୀ ସଂସ୍ଥା ପକ୍ଷରୁ ନିୟମିତ ସଚେତନତା ସାଙ୍ଗକୁ ଅନେକ ଗୁଡିଏ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ତେବେ ପୁରୁଷ ଓ ମହିଳାଙ୍କ ମଧ୍ୟରେ ଥିବା ଲିଙ୍ଗଗତ ଅସମାନତା ଦୂର ନହେଲେ ଏହି ଲକ୍ଷ୍ୟ କିଭଳି ପୂରଣ ହେବ ତାହା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି ।
ଭୁବନେଶ୍ୱର ;
ସୁଜାତା ଆଗକୁ ପଢି ସହରକୁ ଯାଇ ଚାକିରୀ କରିବାକୁ ଚାହୁଁଥିଲେ କିନ୍ତୁ ଘରର ଆର୍ଥିକ ଅବସ୍ଥା ଭଲ ନଥିବାରୁ ବାଧ୍ୟ ହୋଇ ଘରଲୋକଙ୍କ ଚାପରେ ତାଙ୍କୁ ବାହା ହେବାକୁ ପଡିଲା । ଜଗତସିଂପୁରର ଏକ ଗାଁରେ ରହୁଥିବା ସୁଜାତା କୁହନ୍ତି ୧୮ ବର୍ଷ ପୂର୍ବରୁ ବିବାହ କରିବା ଉଚିତ ନୁହେଁ ବୋଲି ସେ ଭଲଭାବରେ ଜାଣନ୍ତି କିନ୍ତୁ ଘରର ପରିସ୍ଥିତି ଓ ପରିବାର ଲୋକଙ୍କ ଚାପ ଆଗରେ ସେ ମୁଣ୍ଡ ନୁଆଁଇବାକୁ ବାଧ୍ୟ ହେଲେ । ତେବେ ଛୋଟବେଳୁ ତାଙ୍କ ବାପା ମାଙ୍କର ତାଙ୍କ ଉପରେ ଯଥେଷ୍ଟ ଭରସା ଥିଲା ଓ ସେମାନେ ତାଙ୍କୁ ଅଧିକ ପଢିବା ପାଇଁ ଉତ୍ସାହିତ ମଧ୍ୟ କରୁଥିଲେ । କିନ୍ତୁ କରୋନା ସବୁକିଛି ଓଲଟାଇଦେଲା । ତାଙ୍କ ବାପାଙ୍କ ଛୋଟିଆ ଚାକିରୀ ଯାହା ଉପରେ ପରିବାରର ଆର୍ଥିକ ସ୍ଥିତି ନିର୍ଭର କରୁଥିଲା ଚାଲିଯିବା ପରେ ସେମାନେ ଅସହାୟ ହୋଇପଡିଲେ । କରୋନା ଯୋଗୁଁ ପାଠ ଅଧାରୁ ବନ୍ଦ ହୋଇଯାଇଥିଲା, ପରେ ଘରର ଆର୍ଥିକ ପରିସ୍ଥିତି ଯୋଗୁଁ ବାହା ହେବାକୁ ପଡିଲା । ସୁଜାତାଙ୍କ କାହାଣୀ ଏବେ ଓଡ଼ିଶାର ଅଧିକାଂଶ ଗାଁ ଗହଳରେ ଥିବା କିଶୋରୀ ବାଳିକାଙ୍କ କାହାଣୀ ସହ ସମାନ । ଜୀବନରେ କିଛି କରିବାର ସ୍ୱପ୍ନ ଦେଖୁଥିଲେ ବି କରୋନା ସେମାନଙ୍କର ସେ ସ୍ୱପ୍ନକୁ ଧୂଳିସାତ କରିଦେଇଛି ଓ ଏବେ ସେମାନେ ଘରର ପରିସ୍ଥିତି ଯୋଗୁଁ କମ ବୟସରେ ବାହା ହେବାକୁ ବାଧ୍ୟ ହେଉଛନ୍ତି ।
ଉପକୂଳ ଅଂଚଳରେ ବଢିଛି ସଂଖ୍ୟା
ଏପର୍ଯ୍ୟନ୍ତ ଉପକୂଳ ଜିଲ୍ଲାଗୁଡିକ ମଧ୍ୟରେ ନୟାଗଡ ଜିଲ୍ଲା ବାଲ୍ୟ ବିବାହ କ୍ଷେତ୍ରରେ ଆଗରେ ରହିଥିବା ବେଳେ ବର୍ତମାନ ରାଜ୍ୟର ଅନ୍ୟତମ ଶିକ୍ଷିତ ଜିଲ୍ଲାଭାବେ ପରିଗଣିତ ଜଗତସିଂପୁର ଜିଲ୍ଲାରେ କ୍ରମାଗତ ଭାବେ ବାଲ୍ୟ ବିବାହ ଓ କମ ବୟସରେ ମାତୃତ୍ୱ ସଂଖ୍ୟା ବଢିବାରେ ଲାଗିଛି । ନ୍ୟାସନାଲ ଫ୍ୟାମିଲି ହେଲଥ ସର୍ଭେ (ଏନଏଫଏଚଏସ-୪) ଅନୁଯାୟୀ ଜଗତସିଂପୁର ଜିଲ୍ଲାରେ ୨୦୧୫-୧୬ରେ ବାଲ୍ୟ ବିବାହ ୯.୭ ପ୍ରତିଶତ ଥିଲା ବେଳେ ଏନଏଫଏଚଏସ-୫ ଅନୁଯାୟୀ ୨୦୨୦-୨୧ବର୍ଷରେ ଏହା ୧୨ ପ୍ରତିଶତକୁ ବଢିଛି । ଏସବୁ ବାଦ ୧୫ରୁ ୧୯ ବର୍ଷ ବୟସରେ ମା ହୋଇଥିବା କିଶୋରୀ ବାଳିକାଙ୍କ ସଂଖ୍ୟା ୨.୬ ପ୍ରତିଶତ ବଢିଛି । ବର୍ତମାନ ବାଲ୍ୟ ବିବାହରେ ଜାତୀୟ ହାର ୨୩.୩ ପ୍ରତିଶତ ଥିବାବେଳେ ଓଡିଶା ହାର ୨୦.୫ ରହିଛି । କିନ୍ତୁ ଓଡିଶାର ୧୨ଟି ଜିଲ୍ଲା ଏବେବି ଜାତୀୟ ହାର ଠାରୁ ଅଧିକ ରହିଛି । ନବରଂଗପୁର ଜିଲ୍ଲା ଏକ ନମ୍ବରରେ ଥିବା ବେଳେ ସମ୍ବଲପୁର ଜିଲ୍ଲା ବାଲ୍ୟ ବିବାହରେ ସବାତଳେ ରହଛି । ଅନ୍ୟପକ୍ଷରେ ଏନସିଆବି ରିପୋର୍ଟ ଦର୍ଶାଉଛି ଯେ ଗତ ୬ ବର୍ଷ ମଧ୍ୟରେ ରାଜ୍ୟରେ ବାଲ୍ୟ ବିବାହ ୮ ପ୍ରତିଶତ କମିଛି ପୁଣି ଏନଏଫଏଚଏସ-୫ ଅନୁସାରେ ରାଜ୍ୟରେ ୨୦.୫ ପ୍ରତିଶତ ମହିଳା ୧୮ ବର୍ଷ ପୂର୍ବରୁ ବିବାହ କରିଛନ୍ତି ।
ସାମାଜିକ କର୍ମୀ ତଥା ଆକସନ ଏଡର ପ୍ରୋଗ୍ରାମ ମ୍ୟାନେଜର ଘାସିରାମ ପଣ୍ଡା କୁହନ୍ତି, କରୋନା ପରବର୍ତୀ କାଳରେ ହଠାତ କରି କାମ ମିଳିବା ବନ୍ଦ ହେଇଯିବା, ନିୟମିତ ରୋଜଗାରର ଅଭାବ, ମାସ ମାସ ଧରି ସ୍କୁଲ ବନ୍ଦ ରହିବା ଯୋଗୁଁ ପାଠରେ ଡୋରି ବନ୍ଧା ହେବା ଆଦି ବିଭିନ୍ନ ପାରିପାଶ୍ୱିକ କାରଣ ଯୋଗୁଁ ଅନେକ ପରିବାର ସେମାନଙ୍କ କିଶୋରୀ ଝିଅର ବିବାହ ଧାର୍ଯ୍ୟ ବୟସ ପୂର୍ବରୁ କରିଦେବାକୁ ଚାହିଁଛନ୍ତି । ଏସବୁ ବାଦ ପରିବାର ଓ ସମାଜରେ ଥିବା ଲିଙ୍ଗଗତ ବୈଷମ୍ୟ, ସାମାଜିକ ଚଳଣୀ, ହାଇସ୍କୁଲ ଗୁଡିକ ଗାଁଠାରୁ ଦୂରରେ ହେବା, ସ୍କୁଲରେ ଝିଅଙ୍କ ପାଇଁ ସ୍ୱତନ୍ତ୍ର ଶୈାଚାଳୟର ଅଭାବ, ଅସୁରକ୍ଷା ଓ ଯୈାତୁକ ଆଦି କେତେକ କାରଣ ପାଇଁ ମଧ୍ୟ ବାପାମା ମାନେ ବାଧ୍ୟ ହୋଇ ବାହାଘର କରିଦେଉଛନ୍ତି । ତେବେ ଜିଲ୍ଲା ପ୍ରଶାସନ ଏସବୁ ବିଷୟକୁ ଗୁରୁତ୍ୱର ସହ ନେବା ସାଙ୍ଗକୁ ଉତରଦାୟୀ ହେବା ଆବଶ୍ୟକ ବୋଲି ସେ କହିଛନ୍ତି ।
କମ ବୟସରେ ମାତୃତ୍ୱ
କେବଳ ବାଲ୍ୟ ବିବାହ ନୁହେଁ ରାଜ୍ୟରେ କମ ବୟସରେ ମାତୃତ୍ୱଙ୍କ ସଂଖ୍ୟା ମଧ୍ୟ ଅନେକାଂଶରେ ବଢିଛି । ଅନୁଗୁଳ ଜିଲ୍ଲାରେ ୨୦୧୫-୧୬ବର୍ଷରେ କମ ବୟସରେ ମାତୃତ୍ୱଙ୍କ ସଂଖ୍ୟା ୯.୯ ପ୍ରତିଶତ ଥିବାବେଳେ ୨୦୨୦-୨୧ରେ ଏହା ବଢି ୧୨.୨ପ୍ରତିଶତରେ ପହଂଚିଛି । ସେହିପରି, ଭଦ୍ରକ ଜିଲ୍ଲାରେ ଏହି ସଂଖ୍ୟା ୩.୩ ଥିବାବେଳେ ୨୦୨୦-୨୧ରେ ଏହା ୭.୨ ପ୍ରତିଶତରେ ପହଂଚିଛି । ୧୯ ବର୍ଷ ପୂର୍ବରୁ ମା ହୋଇଥିବା ଅନେକ ହିତାଧିକାରୀ ମମତା ଯୋଜନାରେ ସାମିଲ ହେବା ପାଇଁ ଆବେଦନ କରିବା ପରେ ଏ ଚିତ୍ର ସାମନାକୁ ଆସିଛି । ୧୯ବର୍ଷ ତଳକୁ ମା ହେଉଥିବା ମହିଳା ମମତା ଯୋଜନାର ହିତାଧିକାରୀ ହୋଇପାରିବେ ନାହିଁ ବୋଲି ଗାଇଡଲାଇନ ରହିଛି । ତେବେ ନିକଟରେ ବିଧାନସଭାରେ ଏକ ପ୍ରଶ୍ନର ଉତର ଦେଇ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ବାସନ୍ତୀ ହେମ୍ରମ କହିଥିଲେ ଯେ, ଯଦିଓ ୧୯ବର୍ଷରୁ କମ ଗର୍ଭବତୀ ମମତା ଯୋଜନାରେ ସାମିଲ ହୋଇପାରିବେ ନାହିଁ କିନ୍ତୁ ସେମାନଙ୍କୁ ଅନ୍ୟ ଯୋଜନାଗୁଡିକରେ ସାମିଲ କରାଯାଇ ଉପଯୁକ୍ତ ଯତ୍ନ ନିଆଯାଉଛି । କମ ବୟସରେ ବିବାହ ଓ କେତେକସ୍ଥଳରେ ଅନୈତିକ ସଂପର୍କ ଯୋଗୁଁ ଧାର୍ଯ୍ୟ ବୟସ ପୂର୍ବରୁ ମାତୃତ୍ୱଙ୍କ ସଂଖ୍ୟା ବଢୁଥିବା କୁହାଯାଉଛି । ସାରା ରାଜ୍ୟରେ ୨୦୨୨ବର୍ଷରେ କମ ବୟସରେ ମାତୃତ୍ୱଙ୍କ ସଂଖ୍ୟା କେତେ ତାର ସଠିକ ହିସାବ ଆସିନଥିଲେ ମଧ୍ୟ ଏହା ଯଥେଷ୍ଟ ଅଧିକ, ଏବଂ ଏହା ଖୁବକମ ସରକାରଙ୍କ ଦୃଷ୍ଟିକୁ ଆସୁଛି ବୋଲି ସାମାଜିକକର୍ମୀ ମାନେ କହିଛନ୍ତି । ଶ୍ରୀ ପଣ୍ଡା କୁହନ୍ତି, ଯେହେତୁ ରାଜ୍ୟରେ ଅନେକ କିଶୋରୀ ବାଳିକା ଧାର୍ଯ୍ୟ ବୟସ ପୂର୍ବରୁ ବାହା ହେବା ସହ ମା ହେଉଛନ୍ତି ସେମାନଙ୍କୁ ମମତା ଯୋଜନାରେ ସାମିଲ କରାଯାଇପାରିଲେ ସେମାନଙ୍କୁ ନିୟମିତ ପୁଷ୍ଟିକର ଖାଦ୍ୟ ମିଳିବା ସହ, ମା ଓ ଶିଶୁକୁ ଅନ୍ୟ ସବୁପ୍ରକାରର ସ୍ୱାସ୍ଥ୍ୟଗତ ସୁବିଧା ମିଳିପାରିବ ।
କରୋନାରେ ବାହା ହୋଇଥିବା ସୁଜାତା ମଧ୍ୟ ସେଇମଧ୍ୟରୁ ଜଣେ ଯିଏ କମ ବୟସରେ ମା ହୋଇଛନ୍ତି । ସେ କୁହନ୍ତି, ଆମ ଘରେ ମୋ ଛଡା ମୋର ଦୁଇ ଭାଇ ଅଛନ୍ତି କିନ୍ତୁ ଘରର ଆର୍ଥିକ ବୋଝକୁ କମ କରିବା ପାଇଁ ଘରଲୋକେ ମୋର ବାହାଘର କରିଦେଲେ ହେଲେ ମୋଭାଇମାନେ ଏବେବି ସ୍କୁଲଯାଉଛନ୍ତି ଓ ପାଠପଢୁଛନ୍ତି । ଆଗାମୀଦିନରେ ସେମାନେ ସହଜରେ ସେମାନଙ୍କ ସ୍ୱପ୍ନ ପୂରଣ କରିପାରିବେ ।